Unknown

 

 

 

 

 

 

 

 

 

 

ଚକଡ଼ା ଛଡ଼ା

ଗୌରୀଶଙ୍କର ତ୍ରିପାଠୀ

 

ଚକଡ଼ା ଛଡ଼ା ସଂବନ୍ଧରେ ପଦେ

 

“ଚକଡ଼ା ଛଡ଼ା” ଏକ ଐତିହାସିକ କାବ୍ୟ । ଗଜପତି ରାମଚନ୍ଦ୍ର ଦେବ ଦ୍ୱିତୀୟଙ୍କ ସମୟରେ ଶ୍ରୀଜୀଉମାନଙ୍କୁ ତକୀଖାଁ ଷଡ଼ଯନ୍ତ୍ରରୁ ରକ୍ଷାକରିବା ପାଇଁ ଯେଉଁ ସବୁ ଘଟଣାବଳୀ ଘଟିଥିଲା ତାର ସମ୍ୟକ ରୂପରେଖ ଏହି କାବ୍ୟରେ ଯଥାସାଧ୍ୟ କରାଯାଇଛି ।

 

ବାରମ୍ବାର ବଂଦୀ ଜୀବନ ଓ ଅଶେଷ ନିର୍ଯ୍ୟାତନା ଭୋଗ କରିଛନ୍ତି ଏହି ଗଜପତି ସ୍ୱ ଜୀବିତାବସ୍ଥାରେ ଶ୍ରୀ ଜଗନ୍ନାଥଙ୍କ ମାନରକ୍ଷା ପାଇଁ ମୁସଲମାନ ଧର୍ମରେ ଦୀକ୍ଷିତ ହୋଇ ଅତି ଅପ୍ରତ୍ୟାଶିତ ଭାବରେ ।

 

ଦୁଃଖଦ ପରିସ୍ଥିତିରେ ଶେଷ ହୋଇଥିଲା ତାଙ୍କର ଅନ୍ତିମ ଜୀବନ । ତତ୍‌କାଳୀନ ନରସିଂହପୁର ରାଜା ମଂଦରଧର ମାନସିଂହ ହରିଚନ୍ଦନ ସସମ୍ମାନେ ଗଜପତିଙ୍କୁ ରଖିଥିଲେ ତାଂକର ଖମାରଘର ଥିବା ଲାଖପଡ଼ାରେ।

 

କଥିତ ଅଛି ଅତି ଦୁଃଖ ଓ ନୈରାଶ୍ୟରେ ୧୭୩୭ ମସିହାରେ ଗଜପତି ସ୍ୱ ମୁସଲମାନ ପତ୍ନୀ ରେଜିଆ ଓରଫ ସୂର୍ଯ୍ୟମଣି ଦେବୀଙ୍କ ସହିତ ବିଷପାନ କରି ଆତ୍ମହତ୍ୟା କରିଥିଲେ ବୋଲି । ସେ ଦୁହିଁଙ୍କ ଶବକୁ ଘୋରଡ଼ିଆ ମହାନଦୀ କୂଳରେ ଦାହ କରାଯାଇଥିଲା । ଏହି ସ୍ଥାନକୁ ମହାଶ୍ମଶାନ ବୋଲି ନାମକରଣ କରାଯାଇଥିଲା । କେତେକଙ୍କ ମତରେ ସେ ଏକାକୀ ରୋଗ ଶଯ୍ୟାରେ ଶେଷ ଜୀବନରେ ପଡ଼ିପଡ଼ି ଅତି ନିରାଶ ଭାବରେ ମୃତ୍ୟୁ ବରଣ କରିଥିଲେ ବୋଲି । ତାଂକର ଅନ୍ତିମ ବିଶ୍ରାମ ସ୍ଥଳ ନରସିଂହପୁର ଅଂଚଳସ୍ଥ ଲାଖପଡ଼ା ନିକଟସ୍ଥ ଘୋରଡ଼ିଆ-। ସେ ଥିଲେ ଭୋଇ ରାଜବଂଶର ଗଜପତି । ଏହି କାବ୍ୟର ମୁଖ୍ୟ ଉପଜୀବ୍ୟବସ୍ତୁ ହେଉଛି ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କର ଜଗନ୍ନାଥ ପରାୟଣତା, ଅସ୍ମିତାବୋଧ ଓ ଜାତୀୟତା ପ୍ରୀତି ।

 

ତତ୍‌କାଳୀନ ତତ୍‌ ସଂବଂଧୀୟ ସଂକ୍ଷିପ୍ତ ଇତିହାସ ଅନୁସାରେ ଗଜପତି ହରେକୃଷ୍ଣ ଦେବଙ୍କ ପୁତ୍ରଥିଲେ ଗଜପତି ଦ୍ୱିତୀୟ ରାମଚନ୍ଦ୍ରଦେବ । ତାଂକର ପ୍ରଥମ ନାମ ଥିଲା କେଶବ ରାଏ । ୧୭୧୬ରୁ ୧୭୨୦ ପର୍ଯ୍ୟନ୍ତ ଖୁରୁଧା ସିଂହାସନରେ ଅଭିଷିକ୍ତ ଥିଲେ ଗଜପତି ହରେକୃଷ୍ଣ ଦେବ । ପୁରୀ ନିକଟରେ ଥିବା ଏବର ବୀର ହରେକୃଷ୍ଣ ପୁର ଶାସନ ତାଂକରି ଦ୍ୱାରା ହୋଇଥିଲା ପ୍ରତିଷ୍ଠିତ ।

 

ଗଜପତି ହରେକୃଷ୍ଣ ଦେବଙ୍କ ପରେ ତାଂକ ପୁଅ ଗୋପୀନାଥ ରାଏ ଗୋପୀନାଥ ଦେବ ନାମ ଧାରଣ କରି ୧୭୨୦ ମସିହାରେ ଖୁରୁଧା ସିଂହାସନ ଆରୋହଣ କରିଥିଲେ । ଐତିହାସିକ ମାନଙ୍କ ମତରେ ୧୭୨୦ରୁ ୧୭୨୭ ପର୍ଯ୍ୟନ୍ତ ଗୋପୀନାଥ ଦେବଙ୍କ ରାଜତ୍ୱକାଳ । ମାଦଳାପାଂଜି ଅନୁସାରେ ୧୭୨୭ ଅପ୍ରିଲ ୨୭ ତାରିଖ ସୂର୍ଯ୍ୟ ଉଦୟ ପୂର୍ବରୁ ତା’ଙ୍କୁ ହତ୍ୟାକରାଯାଇଥିଲା । ସିଂହାସନ ଅଧିକାର ପାଇଁ ଷଡ଼ଯନ୍ତ୍ର ଏହି ନୃଶଂସ ହତ୍ୟାକାଣ୍ଡର କାରଣ ହୋଇପାରେ । ବିଜନ ରାତ୍ରିରେ ଯେଉଁ ତ୍ୟାକାରୀମାନେ ଗୋପୀନାଥ ଦେବଙ୍କ ରାଜପ୍ରାସାଦରେ ପ୍ରବେଶ କରିଥିଲେ (ଅବଶ୍ୟ ମାଦଳାପାଂଜି ଅନୁସାରେ) ସେମାନେ ହେଲେ ସୟଦ୍‌ ବେଗ, ସେନାପତି ବେଣୁ ଭ୍ରମର ରାଏ ଓ ଖୋଜା କୃଷ୍ଣ ନରେନ୍ଦ୍ର ।

 

ଗୋପୀନାଥ ଦେବଙ୍କ ଅପ୍ରତ୍ୟାଶିତ ହତ୍ୟାପରେ ତାଂକ ସାନଭାଇ କେଶବ ରାଏ ରାମଚନ୍ଦ୍ର ଦେବ ନାମ ଧାରଣ କରି ଖୁରୁଧା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ଇତିହାସରେ ସେ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ ନାମରେ ପ୍ରସିଦ୍ଧ ଓ ବିଖ୍ୟାତ । ତାଂକର ରାଜତ୍ୱକାଳ ୧୦ ବର୍ଷ ପ୍ରାୟ ୧୭୨୭ରୁ ୧୭୩୭ ମଧ୍ୟକାଳ ପର୍ଯ୍ୟନ୍ତ।

 

ହିନ୍ଦୁ ବିଦ୍ୱେଷୀ ତକୀଖାଁ ୧୭୩୧ ମସିହା ଡ଼ିସେମ୍ବର ମାସରେ ଶିଶୁପାଳଗଡ଼କୁ ଧ୍ୱଂସ କରିଦେଲା । ତକୀଖାଁ ସହିତ ସଂଧି ସ୍ଥାପନ ଉଦ୍ଦେଶ୍ୟରେ ଏହି ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ ରଥିପୁର ଗଡ଼ରେ ଅଟକି ଥିବା ବେଳେ ତାଂକୁ ବିଶ୍ୱାସ ଘାତକତାରେ ବଂଦୀ କରି କଟକ ବାରବାଟୀ ଦୁର୍ଗରେ କାରାରୁଦ୍ଧ କରାଗଲା । ପ୍ରଚଳିତ ଏକ କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ରଦେବ ପ୍ରାୟ ୧୩ମାସ ପର୍ଯ୍ୟନ୍ତ ବଂଦୀଥିଲେ ବାରବାଟୀ ଦୁର୍ଗରେ । ଏହା ପୂର୍ବରୁ ନଜର ବଂଦୀରେ ଥିଲେ ଖୁରୁଧାରେ । ସିଦ୍ଧାନ୍ତ ଭାବରେ ଗ୍ରହଣ କରିବା ପାଇଁ, ଏହି କିମ୍ବଦନ୍ତୀକୁ ଅଧିକ ପ୍ରମାଣ ଆବଶ୍ୟକ ।

 

ଏହି-୧୩ ମାସ ମଧ୍ୟରେ ତକୀଖାଁର ଚକ୍ରାନ୍ତ ଓ ଷଡ଼ଯନ୍ତ୍ରରେ ଶୀକାର ହୋଇ ଗଜପତି ୨ୟ ରାମଚନ୍ଦ୍ରଦେବ ଇସଲାମ୍‌ ଧର୍ମରେ ଦୀକ୍ଷିତ ହୋଇ ହାଫିଜ କାଦାର ବେଗ ନାମ ଧାରଣ କଲେ-। କିନ୍ତୁ ପ୍ରାଣପଣେ ସେ ଉଦ୍ୟମ କରିଛନ୍ତି ଜଗନ୍ନାଥଙ୍କ ସୁରକ୍ଷା ଓ ମାନରକ୍ଷାପାଇଁ ସ୍ୱଶାସନ କାଳରେ-

 

୨ୟ ରାମଚନ୍ଦ୍ରଙ୍କ କଟକ ବାରବାଟୀ ଦୁର୍ଗମଧ୍ୟରେ ବଂଦୀ ଜୀବନ ପ୍ରାରମ୍ଭ ହେଲା ୨୩.୦୫.୧୭୩୨ ମସିହାରେ । ଏ ମଧ୍ୟରେ ଆଠଗଡ଼ରୁ ସାହାଯ୍ୟ ପାଇ ଭାଗୀରଥି କୁମାର ମୋଗଲ ସୈନ୍ୟଙ୍କୁ ପରାସ୍ତ କରି ଖୋର୍ଦ୍ଧା ଓ ପୁରୀରୁ ତଡ଼ି ଦେଇଥିଲେ । ତାପରେ ଖୋର୍ଦ୍ଧାରେ ନିଜକୁ ରାଜା ବୋଲି ଘୋଷଣା କଲେ ଜଗନ୍ନାଥ ଦର୍ଶନ ସାରି ଶାଢ଼ି ବାଂଧି ସାରିବା ପରେ । ୧୭୩୨ ମସିହା ନଭେମ୍ବର ମାସରେ ଏଖବର ପାଇ ତକୀଖାଁ ବଂଦୀ ୨ୟ ରାମଚନ୍ଦ୍ର ଦେବଙ୍କୁ ସାଂଗରେ ଆଣି ବିଦ୍ରୋହୀ ନେତା ଉାଗୀରଥି କୁମାରଙ୍କୁ ଗଂଗପଡ଼ାରେ ପରାସ୍ତ କରିଥିଲେ । ତାପରେ ଖୋରଧାରେ ନଜର ବଂଦୀରେ ରହିଲେ ରାମଚନ୍ଦ୍ର ଦେବ ୨ୟ । ପାଂଜି ଅନୁସାରେ ମେ ମାସରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରାୟ ଛ ମାସକାଳ ବଂଦୀଥିଲେ କଟକରେ ଏହି ଗଜପତି । କୁମାର ପରାସ୍ତ ହୋଇ ଦଶପଲ୍ଲା ରାଜ୍ୟକୁ ପଳାଇ ଯାଇଥିଲେ । ଏହି ନଜରବଂଦୀ ଅବସ୍ଥାରେ ଗଜପତି ପୁରୀଯାଇ ଗୁଣ୍ଡିଚା ଯାତ୍ରା ବଢ଼ାଇ ଖୁରୁଧା ଗଡ଼କୁ ରାତାରାତି ଫେରି ଆସିଥିଲେ ଅବଶ୍ୟ ଲୁକ୍‌କାୟିତ ଭାବରେ ଯେତେବେଳେ ତକୀଖାଁ ଥିଲେ କଟକରେ । ପ୍ରଚଳିତ କିମ୍ବଦନ୍ତୀ ଏଠି ଦୋଦୁଲ୍ୟମାନ ।

 

ଗଜପତିଙ୍କର ପାଟମହିଷୀ ଲଳିତା ମହାଦେଈ ଗଜପତିଙ୍କର ଶତ୍ରୁ ହୋଇଯାଇଛନ୍ତି । ପଣ୍ଡାମାନେ ଜଗନ୍ନାଥ ମଂଦିରରେ ଗଜପତିଙ୍କୁ ପ୍ରବେଶ କରେଇ ଦେଇ ନାହାନ୍ତି । ଧର୍ମଛଡ଼ା ହୋଇ ବାୟାବାତୁଳ ପରି ଜଗନ୍ନାଥଙ୍କ ସାଥିରେ ସେ ଘୁରିବୁଲିଛନ୍ତି ବାଣପୁର, ବୋଲଗଡ଼, ଚିଲିକାର ଦ୍ୱୀପ ଗଂଜାମର ଆଠଗଡ଼ ଓ ନରସିଂହପୁର ଇତ୍ୟାଦି ଇତ୍ୟାଦି । ମାତ୍ର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ସୁରକ୍ଷା ପାଇଁ ମୃତ୍ୟୁପର୍ଯ୍ୟନ୍ତ ଯୁଦ୍ଧ କରିଛନ୍ତି ତକୀଖାଁ ବିରୁଦ୍ଧରେ ଅଶେଷ ନିର୍ଯ୍ୟାତନା ଭୋଗ କରି ପ୍ରଗାଢ଼ ନିଷ୍ଠାର ସହିତ ।

 

ଯବନୀ ରେଜିୟାଙ୍କୁ ସେ ବିବାହ କରିଥିଲେ କଟକ ବାରବାଟୀ ବଂଦୀ ଜୀବନ ମଧ୍ୟରେ ଯିଏକି ନାଏବ ନଜିମ ମୁର୍ଶିଦ୍‌ କୁଲିଖାଁଙ୍କର ଝିଅ । ତାଂକ ସହିତ ଗଜପତିଙ୍କର ସଂପର୍କ ଥିଲା ଅତି ନିବିଡ଼ । ଫଳରେ ତକୀଖାଁ ମୃତ୍ୟୁପରେ ଜଗନ୍ନାଥ ମଂଦିର ଉପରେ ମୋଗଲ ଆକ୍ରମଣ ଧିମେଇ ଯାଇଥିଲା-। ମହାପ୍ରଭୁ ଜଗନ୍ନାଥଙ୍କ ଯାନିଯାତ୍ରା ପୂର୍ବପରି ନିର୍ଭୟରେ ଚାଲିଲା ତକୀଖାଁର ଦେହାନ୍ତ ପରେ । ରାଜଗୁରୁ ପରମ ଲକ୍ଷ୍ମୀ ମହାପାତ୍ର ଜଣେ ବିଶିଷ୍ଟ ବିଦ୍ୱାନ ଓ ବିଶାରଦ ଥିଲେ । ଗଜପତି ୨ୟ ରାମଚନ୍ଦ୍ରଙ୍କୁ ତାଂକର ଶାସନ କାଳରେ ରାଜଗୁରୁ ଯେଉଁ ସାହାଯ୍ୟ କରିଥିଲେ ତାର ପଟାନ୍ତର ନାହିଁ-। ଏକ କିମ୍ବଦନ୍ତୀ ଅନୁସାରେ ଏହି ରାଜଗୁରୁଙ୍କୁ ଦ୍ୱି-ପ୍ରହର ରାଜା କରାଇ ସିଂହାସନରେ ବସାଇ ଗଜପତି ୨ୟ ରାମଚନ୍ଦ୍ର ଦେବ ନିଜେ ତାଂକର ଆଲଟ ଚାମର ସେବା କରିଥିଲେ ।

 

ଚାରିବିଦ୍ୟା, ଚାରିଶାସ୍ତ୍ରରେ ସୁପଣ୍ଡିତ ରାଜଗୁରୁ ପରମଲକ୍ଷ୍ମୀ ମହାପାତ୍ର ଅଶ୍ୱାରୋହଣରେ ମଧ୍ୟ ପାରଂଗମ ଥିଲେ । ସମଗ୍ର ଭାରତ ସେ ତୀର୍ଥାଟନ କରିଥିଲେ ଅଶ୍ୱପୃଷ୍ଠରେ, ତାଂକର ଅଶ୍ୱର ନାମ ଥିଲା ପଞ୍ଚଭଦ୍ରା ପାର୍ସୀ, ସଂସ୍କୃତ ଓ ଆରବୀ ଭାଷାରେ ତାଂକର ପ୍ରଗାଢ଼ ପାଣ୍ଡିତ୍ୟ ଥିଲା । ତକୀଖାଁ ଓ ମୋଗଲ ମାନଙ୍କ ବାରମ୍ବାର ଖୋର୍ଦ୍ଧା ଆକ୍ରମଣକୁ ଯେତେବେଳେ ଗଜପତି ୨ୟ ରାମଚନ୍ଦ୍ର ଦେବ ପ୍ରତିହତ ପାଇଁ ଚେଷ୍ଟା କରୁଥିଲେ ଶ୍ରୀଜୀଉମାନଙ୍କର ସୁରକ୍ଷା ସକାଶେ, ସେତେବେଳେ ଏହି ରାଜଗୁରୁ ଗଜପତିଙ୍କୁ ଅକୁଣ୍ଠ ସାହାଯ୍ୟ କରିଛନ୍ତି । ଏହି ମହତ୍‌ ଉପକାରର କୃତଜ୍ଞତା ସ୍ୱରୂପ ଗଜପତି ରାଜଗୁରୁଙ୍କୁ ବହୁ ଭୂ-ସଂପତ୍ତି ପ୍ରଦାନ କରିଥିଲେ ଯାହା ଛ’ଟି ଦାନଚୋପ ଦ୍ୱାରା ପ୍ରମାଣିତ ହୁଏ । ମନ୍ତ୍ର-ପ୍ରୟୋଗ ଦ୍ୱାରା ରାଜଗୁରୁ ତକୀଖାଁକୁ ନିଧନ କରିଥିଲେ ବୋଲି ମଧ୍ୟ ଶୁଣାଯାଏ । ଶସ୍ତ୍ର ଦ୍ୱାରା ଗଜପତି ତକୀଖାଁକୁ ପରାସ୍ତ କରି ପାରିନଥିଲେ । ତେଣୁ ଶାସ୍ତ୍ରର ସହାୟତା ନେବାକୁ ପଡ଼ିଲା ରାଜଗୁରୁଙ୍କୁ ହିନ୍ଦୁ -ବିଦ୍ୱେଷୀ ଅକାଳକୁଷ୍ମାଣ୍ଡ ତକୀଖାଁର ବିନାଶ ପାଇଁ । ଯବନୀ କନ୍ୟା ରେଜିୟାଙ୍କ ପ୍ରଣୟକୁ ରାଜଗୁରୁ ପୂର୍ଣ୍ଣ-ସମର୍ଥନ କରିଥିଲେ ଶାସ୍ତ୍ରୀୟ-ପ୍ରମାଣ ଦ୍ୱାରା । ଏଥିପାଇଁ: ତତ୍‌କାଳୀନ ରକ୍ଷଣଶୀଳ ପଣ୍ଡିତ-ଗୋଷ୍ଠୀ ପରମଲକ୍ଷ୍ମୀଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କରିଥିଲେ ।

 

ଗଜପତି ୨ୟ ରାମଚନ୍ଦ୍ରଦେବ କଟକବାରବାଟିରେ ବଂଦୀ ଥିଲାବେଳେ ଏହି ପରମଲକ୍ଷ୍ମୀହିଁ ତାଙ୍କୁ ତକୀଖାଁ କବଳରୁ ବଂଦୀଶାଳାରୁ ମୁକ୍ତ କରିଥିଲେ । ସଂସ୍କୃତ ଉଟ୍ଟୀ କାବ୍ୟକୁ ଅତିସୁଂଦର ଭାବରେ ଆରବୀ ଭାଷାରେ ଅନୁବାଦ କରି - ତକୀଖାଁଙ୍କୁ ଶୁଣାଇ - ସଂତୁଷ୍ଟ କରିଦେଇଥିଲେ ପରମଲକ୍ଷ୍ମୀ ରାଜଗୁରୁ ।

 

ଶ୍ରୀ ବିଗ୍ରହମାନଙ୍କର ମାରଦାରେ ରହଣିକାଳ
ଏବଂ ଶରଣ - ଧରଣୀ ଆଠଗଡ଼

 

ଐତିହାସିକମାନେ ଯେତିକି ଗୁରୁତ୍ୱ ଦେବା କଥା ସେତିକି ଗୁରୁତ୍ୱ ଦେଇ ନାହାନ୍ତି ଗଂଜାମ ଆଠଗଡର ଗୌରବମୟ ଇତିହାସକୁ ଯେଉଁଠି ଆଜି ବିଦ୍ୟମାନ ବିଗ୍ରହ ବିହୀନ ମାରଦା ମଂଦିର । ମାରଦା ମଂଦିର ଅବହେଳିତ ଅନାଦୃତ ଏକ ମୂକସାକ୍ଷୀ ଓଡିଶାର ରକ୍ତରଂଜିତ ତତ୍‌କାଳୀନ ଇତିହାସର । ଖୋର୍ଦ୍ଧାରାଜା ୨ୟ ରାମଚନ୍ଦ୍ର ଦେବ ଏ ମଂଦିର ନିକଟରେ ଗୁପ୍ତଗଡରେ ସପରିବାର ଆତ୍ମଗୋପନ କରିଥିଲେ ତକୀଖାଁ ଉପଦ୍ରବରୁ ରକ୍ଷାପାଇବାକୁ । ଏହି ଗୁପ୍ତଗଡ ଅଛି ହାତୀବାଡି ପାହାଡ ନିକଟରେ ଭୂଗର୍ଭରେ । ଶୁଣାଯାଏ ଏହି ଗୁପ୍ରଗଡ ଅତି କାରୁକାର୍ଯ୍ୟପୂର୍ଣ୍ଣ । ଏ ପର୍ଯ୍ୟନ୍ତ ଏ ଗୁପ୍ତ ଗଡ ଅବିଷ୍କାର ହୋଇ ପାରିନାହିଁ । ଏହି ଗୁପ୍ତଗଡରେ ଆଠଗଡ ରାଜପରିବାରର କିଛି ଗୋପନୀୟତା ରହିଛି । ୧୯୮୯ ମସିହା ଜୁଲାଇ ମାସରେ ଆଠଗଡର ରାଜାସାହେବ ଶ୍ରୀଗୋବିନ୍ଦଚନ୍ଦ୍ର ହରିଚନ୍ଦନ ଜଗଦ୍ଦେବଙ୍କୁ ଏ ଗୁପ୍ତଗଡ ସଂପର୍କରେ ପଚରା ଯାଇଥିଲା ଏକ ଅଳସ ସଂଧ୍ୟାରେ । ଏ ବିଷୟରେ ଆଲୋକପାତ କରିବାକୁ ସେ ମହାଶୟ ମନାକରିଦେଇଥିଲେ । ଏତିକି ମାତ୍ର କହିଥିଲେ ଯେ ୧୯୬୯ ମସିହାରେ ସେ ନିଜେ ପରଦର୍ଶନ କରିଥିଲେ ଗୁପ୍ତଗଡ ଯାହାକି ଭୂଗର୍ଭ ଭିତରେ ଅକ୍ଷୁର୍ଣ୍ଣ ଅବସ୍ଥାରେ ଅଛି ।

 

ଏହି ମାରଦା ମଂଦିର ଆଠଗଡ ରାଜପରିବାରର ଏକ ଅକ୍ଷୟ କୀର୍ତ୍ତି । ରୀତିମତ ପୁରୀ ବଡ ଦେଉଳପରି ଶ୍ରୀଜୀଉମାନଙ୍କର ପୂଜାର୍ଚ୍ଚନା ଭଳି ଜଂଗଲ ମଧ୍ୟରେ ଥିବା ମାରଦା ମଂଦିରରେ ପୂଜା କରାଯାଉଥିଲା । ପ୍ରତିଦିନ ୫ନଉତି ଅରୁଆ ଚାଉଳ - ସେ ଅନୁସାରେ ଘିଅ ଗୁଡ ପନିପରିବା ଇତ୍ୟାଦି ଯୋଗାଇ ଦେଉଥିଲେ ଆଠଗଡ ରାଜା । ଶୁଣାଯାଏ ଏକ ଶହ ହାଣ୍ଡି ଖଜା ପ୍ରତ୍ୟହ ଭୋଗ କରାଯାଉଥିଲା । ତା ସଙ୍ଗକୁ ଆଠଗଡ ରାଜା ଦେଉଥିଲେ ମାସିକ ପାଞ୍ଚ ହଜାର ଟଙ୍କା ମଂଦିର ପ୍ରଶାସନ ଖର୍ଚ୍ଚ ପାଇଁ । ରାଜୁଡା ଶାସନ ଲୋପ ହେଲା ରାଜତନ୍ତ୍ର ଶାସନ ଲୋପ ପରେପରେ । ମାରଦା ମଂଦିରକୁ ଦିଆଯାଇଥିବା ଜମିଜମା ମଧ୍ୟ ଉଛେଦ ହୋଇଗଲା ଜମିଦାରୀ ଉଛେଦ ପରେ ପରେ, ବନ୍ଦ ହୋଇଗଲା ନୀତିକାନ୍ତି । ଅନୁମାନ କରାଯାଏ ଏବେ ମଧ୍ୟ ୫୧୦ଭରଣ ଜମି ଏ ମଂଦିର ନାମରେ ଅଛି । ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ ଏ ବିଷୟରେ ଅନୁସଂଧାନ କରିବା ଉଚିତ୍‌ । ୨୯.୧୨.୧୭୩୩ ଠାରୁ ଶ୍ରୀ ଜୀଉମାନଙ୍କୁ ସୁରକ୍ଷିତ କରାଗଲା ଗଂଜାମ ଆଠଗଡ଼ର ମାରଦା ନାମକ ସ୍ଥାନରେ ।

 

କେତେକ ଐତିହାସିକ ପ୍ରକାଶ କରିଛନ୍ତି ଯେ ଶ୍ରୀବିଗ୍ରହମାନେ ମାରଦା ମଂଦିରରେ ପ୍ରାୟ ୨ବର୍ଷ ୬ମାସ ରହିଥିଲେ । କିନ୍ତୁ ଆଠଗଡ ରାଜାସାହେବଙ୍କ ମତରେ ଏହା ଠିକ୍‌ ନୁହେଁ । ୧୭୩୩ ଖ୍ରୀଷ୍ଟାଦ୍ଦର ଡିସେମ୍ବର ଶେଷ ଭାଗରୁ ୧୭୩୭ ଖ୍ରୀଷ୍ଟାବ୍ଦ ଏପ୍ରିଲ ର ପ୍ରଥମ ଭାଗ ପର୍ଯ୍ୟନ୍ତ ପ୍ରାୟ ୩ ବର୍ଷ ୩ ମାସରୁ ଉର୍ଦ୍ଧ୍ୱ ହେବ ଶ୍ରୀବିଗ୍ରହମାନେ ମାରଦା ମଂଦିରରେ ପୂଜା ପାଉଥିଲେ ବୋଲି ତାଂକ ଶ୍ରୀମୁଖରୁ ଶୁଣିବାକୁ ମିଳିଥିଲା । ଏହା ଅନୁମାନ ସିଦ୍ଧ, କାରଣ ଏହି ସମୟ ମଧ୍ୟରେ ପୁରୀରେ ଗୁଣ୍ଡିଚା ଯାତ୍ରାର ଐତିହାସିକ ପ୍ରମାଣ ନାହିଁ ।

 

ଶ୍ରୀବିଗ୍ରହ ମାନଙ୍କ ପ୍ରତ୍ୟାବର୍ତ୍ତନ କାଳରେ ତତ୍‌କାଳୀନ ଆଠଗଡ ରାଜାଙ୍କ ସମେତ ଗଂଜାମ ଖରିଡାର ବିଖ୍ୟାତ ତାନ୍ତ୍ରିକକବି ଶ୍ରୀବସୁପ୍ରହରାଜ ପୁରୀ ଆସିଥିଲେ । ସଂଗରେ ଥିଲେ ସଶସ୍ତ୍ର ପ୍ରାୟ ୫ ହଜାର ସୈନ୍ୟ । ଯେଉଁଠି ମଂଦିର ଭିତରେ ଠାକୁର ନାହାନ୍ତି-ଏପରି ହୁଏତ କେତେକ ମଂଦିର ଏ ଧରାଧାମରେ ଅଛି । କିନ୍ତୁ ମଂଦିରରେ ବିଗ୍ରହ ନଥାଇ ପୂଜାର୍ଚ୍ଚନା କରାଯାଉଛି । ଏପରି ବି ମଂଦିର ଅଛି । ସମ୍ଭବତଃ ମାରଦା ମଂଦିରହିଁ ଏପରି ଏକ ମଂଦିର ଯାହା ହଠାତ୍‌ ମନକୁ ଆସିଥାଏ । ଏହି ମଂଦିର ଅଛି ଗଞ୍ଜାମ ଜିଲ୍ଲାର ଆଠଗଡରେ । ଏଠାରେ ଥିବା ଚାରିଟି ଚକ୍ରାକାର ପୀଠକୁ ନିତ୍ୟ ପୂଜା କରାଯାଉଛି ଯେଉଁ ପୀଠରେ ଏକଦା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ଅସ୍ଥାନ ଥିଲା ।

 

ଗଂଜାମ ଜିଲ୍ଲାର ଚିକିଲି ଗ୍ରାମ ଉପକଂଠରେ ମଧ୍ୟ ଚକ୍ରାକାର ପୀଠର ପୂଜା କରାଯାଏ । ଦିନେ ଯେଉଁଠି ଜଗତବିଖ୍ୟାତ ଶ୍ରୀ ବିଗ୍ରହମାନେ ଏହି ପୀଠରେ ଉପବେଶନ କରିଥିଲେ ଅବଶ୍ୟ ତାହା ଅଳ୍ପ କାଳ ପାଇଁ । ଆଠଗଡ ରାଜାସାହେବ ଶ୍ରୀଗୋବିନ୍ଦଚନ୍ଦ୍ର ହରିଚଂନ୍ଦନ ଜଗଦେବଙ୍କ ମତରେ ଶରଣ ଧରଣୀରେ ଶ୍ରୀବିଗ୍ରହମାନଂକ ରହଣି କାଳ ପ୍ରାୟ ତିନିବର୍ଷ ତିନିମାସରୁ ଅଳ୍ପ ଅଧିକ ।

 

ରାଜା ରାମଚନ୍ଦ୍ର ଦେବ ୨ୟ ନିଜ ପରିବାର ସହ ଜଗନ୍ନାଥାଦି ଶ୍ରୀବିଗ୍ରହମାନଂକୁ ଧରି, ଆଠଗଡ ରାଜ୍ୟରେ ଶରଣ ନେଇଥିଲେ । ତକୀଖାଁ ଉପଦ୍ରବରୁ ବିଗ୍ରହ ମାନଙ୍କୁ ରକ୍ଷା କରିବାପାଇଁ ଘୋର ବିପଦ ବେଳେ ପୁରୀ ଶ୍ରୀବିଗ୍ରହମାନଙ୍କ ସହିତ ଗଜପତିଙ୍କୁ ଆଠଗଡ ରାଜା ଶରଣ ଦେଇ ଥିବାରୁ ପୁରୀ ରାଜା ଆଠଗଡ ରାଜାଙ୍କୁ “ମାନୋଦ୍ଧାରଣ ଶରଣ ପଂଜର ବୀରାଧିବୀରବର ଭାଇ ଶ୍ରୀ ହରିଚନ୍ଦନ ଜଗଦେବ ରାଜାବାହାଦୁର” ଉପାଧି ପ୍ରଦାନ କରିଥିଲେ ।

 

ଆଠଗଡ ରାଜା ପୁରୀକୁ ବିଜେ କଲାବେଳେ ସ୍ୱୟଂ ପୁରୀ ରାଜା ତାଂକୁ ଅଠରନଳା ଓ ଲୋକନାଥ ଘାଟଠାରୁ ପାଛୋଟି ନେଉଥିଲେ । ବଂଶାନୁକ୍ରମେ ଆଠଗଡର ରାଜାମାନେ ଏହି ସମ୍ମାନର ଅଧିକାରୀ ଥିଲେ । ଶରଣ ଧରଣୀ ନାମରେ ସେହି ଦିନଠାରୁ ଆଠଗଡ ରାଜ୍ୟ ବିଖ୍ୟାତ ହେଲା ।

 

କବିସୂର୍ଯ୍ୟ ବଳଦେବରଥଙ୍କ କିଶୋର ଚନ୍ଦ୍ରାନଂଦ ଚଂପୁ (କ ଠାରୁ କ୍ଷ ପର୍ଯ୍ୟନ୍ତ) ସାମଗ୍ରିକ ଭାବରେ ଶରଣ-ଧରଣୀ ଆଠଗଡ ରାଜାଙ୍କ ନାମରେ ହିଁ ଭଣତି ହୋଇଅଛି । ଏକାଧିକ ବାର ଏହି ଲେଖକ ମାରଦା ଓ ଚିକିଲି ଚକ୍ରାକାର ପୀଠର ଦର୍ଶନ କରିବା ସୁଯୋଗ ପାଇଛି ସୌଭାଗ୍ୟ ବଶତଃ ।

 

ଏହି ଐତିହାସିକ କାବ୍ୟ ଚକଡ଼ା ଛଡ଼ା ଆଶ୍ରୟ କରିଛି ଇତିହାସକୁ ମାତ୍ର ଭିତ୍ତି କରିନାହିଁ । ଇତିହାସର ଅଲିଖିତ କେତେକ ମଣିଷ ଏ କାବ୍ୟରେ ଅଛନ୍ତି ଯେଉଁମାନେ ବିଭିନ୍ନ ଚରିତ୍ରରେ ରହି ରାଷ୍ଟ୍ରର ଭୂୟୋବିକାଶ ନିମନ୍ତେ ସାହାଯ୍ୟ କରିଛନ୍ତି ।

- ଶୁଭମସ୍ତୁ -

ଡା : ଗୋ÷ରୀଶଙ୍କର ତ୍ରିପାଠୀ

୮୪୭, ସୁଂଦରପଦା,

ଭୁବନେଶ୍ୱର-୨

ଫୋନ୍‌ – ୯୮୬୧୨୯୦୦୦୭

 

ମୁଖଶାଳା

(ଅମିତ୍ରାକ୍ଷର)

 

କଥାକାର ଭାଷା ପୁଣି କବିର କାବ୍ୟରେ

ଶିଳ୍ପୀର ଭାସ୍କର୍ଯ୍ୟ ଆଉ ତା ପରିପାଟୀରେ

ତୁମରି ବିଭୁତି ପ୍ରକାଶିତ ଆହେ ପ୍ରଭୁ

ସୃଷ୍ଟି-ଜୀବନ-ଧାରାରେ ବିଶ୍ୱ-ପ୍ରାଣ-ପ୍ରିୟ ।

ତୁମେହିଁ ଚିନ୍ମୟ, ବ୍ରହ୍ମାଣ୍ଡ ପରମାଣୁରେ

ତୁମେ-ବିଶ୍ୱରୂପ ସନାତନ ଚିରନ୍ତନ

ସର୍ବନାମ ସର୍ବରୂପ, ତୁମ ପାଦ ପଦ୍ମେ

ରତ୍ନ ସିଂହାସନ ତଳେ ନୀଳାଦ୍ରିବିହାରୀ

କରେ ସମର୍ପଣ, ସ୍ୱୟଂ ନୀଳାଦ୍ରି ବିହାରୀ

ଯୁଗ ଯୁଗର ଆବର୍ତ୍ତନର ପ୍ରବାହରେ

ସାଜି ତୁମେ ମହାକାଳର ମହାନାୟକ

ସୃଷ୍ଟି ପ୍ରଳୟର ନିତ୍ୟ କାରଣ ସଂପୂର୍ଣ୍ଣ

ପୁଣି ସଗୁଣ ବିଗ୍ରହେ ତୁମେ ଉପାସିତ

ଶ୍ରୀ ଜଗନ୍ନାଥ ହୋଇଣ ଜୀବଜଗତର

ହୃଦୟ ସିଂହାସନରେ ନିତ୍ୟ ବିଦ୍ୟମାନ

ବିଶ୍ୱ ଦକ୍ଷିଣ ଆତ୍ମପୁରୁଷ କରୁଣାରେ

ସୃଷ୍ଟିର ଉନ୍ମେଷ ପ୍ରଳୟର ସିଂହନାଦ

ସବୁର କାରଣ ତୁମ୍ଭେ ମଧ୍ୟ ମାନବୀୟ

ପରିଚର୍ଯ୍ୟାରେ ଆତ୍ମୀୟ ସ୍ୱଜନ ସୁହୃଦ

ଶୁଭ ଉନ୍ମେଷ କାଳରେ କେତେ ମନ୍ୱନ୍ତର

ସମୁଦ୍ର ବକ୍ଷ ଉପରେ ପୁଲକର ନୃତ୍ୟ

ରଚିଣ ଚିନ୍ମୟ ମହାଦାରୁ ଖଣ୍ଡେ ଶାନ୍ତି

ସ୍ୱଶୟନ କରି ଭାସି ନୀଳାଦ୍ରିରେ କେବେ

ଜଗନ୍ନାଥ ରୂପେ ହୋଇ ଅଭୟ ମୁକ୍ତିର

ରତ୍ନ ସିଂହାସନୋପରେ ହେଲ ଅଧିଷ୍ଠିତ

ତାହା ଗବେଷକମାନେ କରିବେ ନିର୍ଣ୍ଣୟ ।

ମନ୍ୱନ୍ତର ମହାବାହୁ ସେ ମହାନାୟକ

କେଉଁ ପ୍ରାଗୈତିହାସିକ କାଳୁ ହୋଇଛନ୍ତି

ଭକ୍ତ ବତ୍ସଳ ଶ୍ରୀ ଜଗନ୍ନାଥ ମହାବାହୁ ।

ବେଦରେ ଦାରୁ ଭାବରେ ହୋଇଛି ବର୍ଣ୍ଣିତ

ପରଂବ୍ରହ୍ମ ହୋଇଛନ୍ତି ଉପନିଷଦରେ

ପୁରାଣରେ ଭଗବାନ ଜନଜୀବନରେ

ଆତ୍ମୀୟ ସ୍ୱଜନ ତାଂକ ହରଷ ବିଷାଦ

ସମନ୍ୱିତ ମିଶ୍ର ରାଗାତ୍ମକ ଜୀବନ ବି

ଅଛି ମଧ୍ୟ ନବକଳେବର ଜାଗତିକ

ପରିଗ୍ରହଣର ଶୌଚାଚାର ଅକରମ

କରମ ପ୍ରାପ୍ତି ବଂଚନା ରୂପ ଅରୂପର

ଉତ୍ତୀର୍ଣ୍ଣ ପ୍ରଣବ ରସଗ୍ରାହୀ ପୁରୁଷ ସେ

ଜଗତ ମହେଚ୍ଛ ପ୍ରଭୁ ପୁଣି ପରମାର୍ଥ

ସୃଷ୍ଟିର ବ୍ୟଂଜନା କିଂତୁ ଇତିହାସ ନାହିଁ

ଚିନ୍ମୟ ରୂପ ରହିଛି ଶ୍ରୀ ଜଗନ୍ନାଥଙ୍କ

ପ୍ରଣବ ସାକେତ ରୂପ ବହନ କରି ସେ

ଉପାସ୍ୟ ପୁରୁଷୋତ୍ତମ, ସ୍ୱୟଂ ଇତିହାସ ।

ମହାନାୟକ ସେ ଇତିହାସର ବ୍ରହ୍ମାଣ୍ଡେ

ଏଣୁ ଇତିହାସର ନିର୍ଣ୍ଣୟ ଲଉକିକ

ବ୍ୟବସ୍ଥାରେ ଯେତେ ଯେତେ ଗବେଷଣାତ୍ମକ

ହେଲେ ହେଁ ସେ ସର୍ବୋପରି କାଳାତୀତ କାଳ,

ଚିରନ୍ତନ ଇତିହାସ କାଳ ନିର୍ଣ୍ଣୟରେ

କିଂତୁ ସେ ଯେ ମହାକାଳ ମହାକାଳୀଙ୍କର ।

ଶ୍ରୀ ଜଗନ୍ନାଥଙ୍କ ଜାଗତିକ ଇତିହାସ

ନିର୍ଣ୍ଣୟ ଦୃଷ୍ଟିରୁ ଗବେଷକ ବହୁବିଧ

ଲିପ୍ତ ବହୁ ଗବେଷକ, ଅଭ୍ରାନ୍ତ ଭାବରେ

ତାଂକର କାଳ ନିର୍ଣ୍ଣୟେ ସର୍ବ ଅସମର୍ଥ

ସତେ ଯେପରି ତାଂକର ମଉନ ସଂକେତ ।

ଅଥଚ ଜିଜ୍ଞାସା ତୃପ୍ତି ନିମନ୍ତେ ମରତେ

ଇତିହାସ ଗବେଷକମାନଙ୍କର ସତ୍ୟେ

ବିରତି ନାହିଁ ଜୀବନେ ସ୍ୱ ଗବେଷଣାରେ ।

ଏହି ଇତିହାସ ଯୁଗ ଯୁଗାନ୍ତର ପାଇଁ

ଅନ୍ୱେଷୀ ହୋଇଲା ବେଳେ ସ୍ୱୟଂ ଜଗନ୍ନାଥ -

ହିଁ ସ୍ୱୟଂଭୁ ଗବେଷଣା ପରା ଜଗତରେ ।

ଆଧୁନିକ ଇତିହାସେ ଶ୍ରୀ ଜଗନ୍ନାଥଙ୍କ

ଗବେଷଣାତ୍ମକ ବିଷୟାଦି ବସ୍ତୁ ଭାବେ

ଯେଉଁ କାଳ ନିରୁପଣ କରାଯାଉଅଛି

ତାହାରି ପୃଷ୍ଠଭୂମିରେ ନୀଳାଦ୍ରୀଶ-କାବ୍ୟ

କଳେବର ସୃଷ୍ଟି ହୋଇଅଛି ଦିବ୍ୟ-ଭାବେ

ଶ୍ରୀ ଜୀଉ ମଣିମାଙ୍କର ପ୍ରଧାନ ପ୍ରଥମ

ସେବକ ଭାବେ ଶାସନ ଅଟେ ନିବେଦିତ

ଗଜପତି, ଓଡିଶାର ରାଜନ୍ୟବର୍ଗଙ୍କ

ଶାସନ ଖସଡାରେ ପ୍ରଭୁ ଜଗନ୍ନାଥଙ୍କୁ

ଇଷ୍ଟଦେବତା ଓ ରାଷ୍ଟ୍ର ଦେବତା ଭାବରେ

ପ୍ରତିଷ୍ଠା କରି ରାଜନ୍ୟବର୍ଗ ସମର୍ପିତ

ଆନୁକ୍ରମିକ ଭାବରେ ରତ୍ନସିଂହାସନେ ।

ଇତିହାସ ରାଜକୀୟ ଶାସନର ଶେଷ

ଭାଗରେ ଖୁରୁଧା ରାଜ୍ୟର ନିର୍ମାଣ ହୋଇ

ଭୋଇ ବଂଶ ପ୍ରତିଷ୍ଠିତ ହୋଇଥିଲା ସତ୍ୟେ ।

ଏହି ବଂଶ ପ୍ରତିଷ୍ଠାତା ରାମଚନ୍ଦ୍ର ଦେବ

ପ୍ରଥମ, ତାଂକଠୁ ଅନ୍ୟରାଜାମାନେ ଆସି

ଅନୁପଦୀ ଭାବେ ଗଜପତି ନରପତି

ଗାଦିରେ ଆସୀନ ହୋଇଥିଲେ ପରେ ପରେ

ସେ ଶାସନ ପରଂପରାରେ ଦେଶର ଏକ

ତମିସ୍ର ପ୍ରହର ସଂଘର୍ଷର ଅଧ୍ୟାୟରେ

ଗାଦିନସୀନ ଶ୍ରୀ ରାମଚନ୍ଦ୍ର ଦେବ ଥିଲେ ।

ପ୍ରବଳ ହିନ୍ଦୁ-ବିଦ୍ୱେଷୀ ମୋଗଲ ଶାସକ

ଧର୍ମାଂଧ ତକୀଖାଁ ଥିଲେ ସେତେବେଳେ ଏହି

ଓଡିଶାର ନାଏବ ନାଜିମ ଯାହାଙ୍କର

ସମୟରେ ଜୀବନର ପ୍ରତିଟି ମୁହୁର୍ତ୍ତ

ଶାସନର ପ୍ରତିକ୍ଷଣ ରାମଚନ୍ଦ୍ର ଦେବ

ରାଷ୍ଟ୍ରଦେବ ଜଗନ୍ନାଥଙ୍କର ମାନରକ୍ଷା

ଓଡିଶାର ଐତିହ୍ୟକୁ କରି ପ୍ରତିଷ୍ଠିତ

ରଖିବାକୁ ସଂକଳପ କରିଥିଲେ ମନେ ।

ତାଂକର ଜୀବନ ପଦ୍ମବନେ ତକୀଖାଁର

ଅସୂୟାର ପଦ୍ମନାଗ ତାଂକୁ ଘନଘନ

ଦଂଶନ କରିଥିଲେ ବି ଭକ୍ତି - ପଦ୍ମତୋଳା

ପରି ଗାନ କରି ଜାତୀୟତା ବାଦୀ ଧର୍ମ-

-ନିଷ୍ଟ, ଜଗନ୍ନାଥ ପ୍ରାଣ ସର୍ବସ୍ୱ ଶ୍ରୀରାମ

-ଚନ୍ଦର ଦେବ ଦ୍ୱିତୀୟ ଯନ୍ତ୍ରଣା କାତର

ଜୀବନରେ କରିଥିଲେ ଆତ୍ମୋତ୍ସର୍ଗ ଦୃଢ଼େ ।

ଶ୍ରୀ ରାମଚନ୍ଦ୍ର ଦେବଙ୍କ ସ୍ୱଚ୍ଛ ଶାସନରେ

ଧର୍ମାଂଧ ତକୀଖାଁ ବାରମ୍ବାର ଖୁରୁଧାକୁ

ଆକ୍ରମଣ ସଂଗେ ସଂଗେ ପୂତ ଧର୍ମପୀଠ

ଶ୍ରୀ ଜଗନ୍ନାଥ ମଂଦିର ଲୁଣ୍ଠନ ସଂକଳ୍ପ

କରିଥିଲେ ବହୁବାର ସେ ଅପପ୍ରୟାସ ।

କିଂତୁ ପ୍ରତିଥର ରାମଚନ୍ଦ୍ରଦେବ ବୀର

ଦୂରଦର୍ଶିତାର ସହ ଶ୍ରୀ ଜୀଉମାନଙ୍କୁ

ପଣ୍ଡା ସେବକମାନଙ୍କ ସୁସହାୟତାରେ

ଚକଡ଼ା ଛଡ଼ା କରାଇ ଜୀଉ ମଣିମାଙ୍କ

ପବିତ୍ରତା ସୁରକ୍ଷିତ ରଖିଥିଲେ ଦୃଢ଼େ ।

ବହୁ ସେନା ସଂବନ୍ଧିତ ତକୀଖାଁଙ୍କ ହୀନ ।

ଅମାନୁଷିକ ଆକରମଣ କୁଫଳରେ

ଧର୍ମଭାବନା ଜୀବନଧାରା ଓଡିଶାର

ହେୟ ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ

ସଂକଳ୍ପ ପୁରୁଷ ବୀର ରାମଚନ୍ଦ୍ର ଦେବ

ତ୍ୟାଗନିଷ୍ଟ ଭାବରେ କରିଥିଲେ ବଂଦନ

ଜୟଗାନ ଜଗନ୍ନାଥଙ୍କର ସବୁବେଳେ

ବିପ୍ଳବର ବେଦଧ୍ୱନି ଝଂକାରେ ଏ ରାଜ୍ୟେ ।

ଜୀବନ ସରଣୀ ଘାତ ପ୍ରତିଘାତ ମଧ୍ୟେ

ଅପବାଦର ନାଗରା ମଧ୍ୟ ବାଜିଥିଲା

ରାମଚନ୍ଦ୍ର ଦେବଙ୍କର ତ୍ୟାଗପୂତ ନାମେ ।

ଘଟଣାକ୍ରମରେ ବାରବାଟୀ କଟକରେ

ବନ୍ଦୀଥିବା ବେଳେ କିଛି ସଂଯୋଗ ବଶତଃ

ନବାବ ତକୀଖାଁ ଭଗ୍ନୀ ରେଜିଆ ସଂସ୍ପର୍ଶେ

ଆସିଥିଲେ ରାଜା, ଦିନେ କୌଣସି କାରଣୁ

ଜ୍ଞାତସାରେ ରେଜିୟାଙ୍କ ମାଧ୍ୟମେ ରାଜାଙ୍କୁ

ପ୍ରଣୟାସକ୍ତ କରିଣ, ହାଫିଜ କାଦର

ବେଗ ନାମେ ରୂପାୟିତ କରି ସନାତନ

ଧର୍ମର ସ୍ରୋତକୁ ପ୍ରତିହତ କରିବାକୁ

ରାଜଶକ୍ତି କବଳିତ କରିବା ହୁଏତ

ମଂଦ ଉଦ୍ଦେଶ୍ୟ ତକୀଖାଁଙ୍କର ହୋଇପାରେ ।

ଅଥବା ରେଜିୟାଙ୍କର ମାଧ୍ୟମେ ଦୁର୍ଦ୍ଧର୍ଷ

ହିନ୍ଦୁଙ୍କ ବିରୋଧୀ ତକୀଖାଁଙ୍କୁ ବଂଧୁତାର

ନିଗଡ଼େ ଅନୁବଂଧିତ କରି ନିରାପତ୍ତା

ରାଷ୍ଟ୍ର ଦେବତାଙ୍କୁ କରି ପ୍ରତିଷ୍ଠା ରାଜ୍ୟର

ତଥା ସାର୍ବଭୌମତ୍ୱକୁ ଅପ୍ରତିହତ ବି

ରଖିବା ଚତୁର ଚିନ୍ତାଧାରା ହୋଇପାରେ-,

ରାମଚନ୍ଦ୍ର ଦେବଙ୍କର, ତେବେ ସମୟର

ସ୍ୱୟମ୍ବରରେ, ରାଜାଙ୍କ ସାଥିରେ ପଦକୁ

ଚାଲିଥିଲେ ସେ ମୋଗଲ ଦୁହିତା ରେଜିୟା

ସମଗ୍ର ହିଂଦୁ ପଣ୍ଡିତ ମଣ୍ଡଳୀ ରାଜ୍ୟର

ମୌଳିବାଦୀ ପ୍ରଜାବର୍ଗ ନାସିକା କୁଂଚନ

ଅପବାଦ କଳଂକକୁ କଳାର ତିଳକ

କରି ବେଗମ ଆନନ୍ଦେ ଛାଡ଼ି ସ୍ୱକୁଳକୁ

ରାମଚନ୍ଦ୍ର ଦେବଙ୍କର ନିକଟରେ ଆତ୍ମ-

ନିବେଦନ କରିଥିଲେ, ମୋଗଲ ଶରୀର

ଅଥଚ ହିନ୍ଦୁ ଦର୍ଶନର ଭକ୍ତି ଶକତି

ପ୍ରବଣତା ଭଗବତ ନିବେଦିତ କରି ।

ଓଡିଶା ଇତିହାସରେ ଏହି ବିତର୍କିତ

ଅଧ୍ୟାୟ କିଂତୁ ରାଜାଙ୍କ ଜୀବନ କଷଟି

ଆଉ ମୋଗଲ ଦୁହିତା ଜବାଧରୀଙ୍କର

ଜୀବନ ମୁକୁର ପ୍ରତିଫଳିତ ଆହ୍ୱାନେ ।

“ନୀଳାଦ୍ରୀଶ” ପ୍ରଧାନତଃ ସେ କାଳଖଣ୍ଡକୁ

ଚିତ୍ରାୟିତ କରା ଯାଇଅଛି ଯଥା ସାଧ୍ୟ

ଯେଉଁ ଅବଧି ମଧ୍ୟରେ ରାମଚନ୍ଦ୍ର ଦେବ

ଶାସନ ଦଣ୍ଡ ଗ୍ରହଣ କରି ବିତର୍କିତ

ବିଡମ୍ବିତ ମୁହୁର୍ତ୍ତ ରାଜିକୁ ସଂଘର୍ଷରେ

ନିୟୋଜିତ କରିଥିଲେ ବିଭୁ କୃପାବଳେ ।

ଏ ଖଣ୍ଡକାଳ ମଧ୍ୟରେ ପ୍ରଭୁ ଜଗନ୍ନାଥ

ନିରାପତ୍ତା ଦୃଷ୍ଟି କୋଣୁ ସେ ଚକଡ଼ାଛଡ଼ା

ହୋଇଥିଲେ ଚିଲିକାର କାଙ୍କଣ ଶିଖରୀ

ଯାହା ଡୁବୁରି ପାହାଡ ନାମରେ ବିଖ୍ୟାତ

ଏବଂ ପେଣ୍ଠଗ୍ରାମ ହରୀଶ୍ୱର ମଂଦିରକୁ ।

କେବେ ଅବା ସାମୟିକ ନିବାସ ତାଂକର

ହୋଇଥିଲା ହେନ୍ତାଳ ବନର ଛାୟାଘନ

ବିଚିତ୍ର ପ୍ରାନ୍ତରେ, ଆକ୍ରମଣ ଆଶଙ୍କାରେ

ନଇରୀ ହରିଶ୍ୱରଙ୍କ ମଂଦିରରୁ ହୋଇ

ଥିଲେ ସେ ସ୍ଥାନାନ୍ତରୀତ ଖଲ୍ଲିକୋଟ ସୀମା

ପଲ୍ଳୀଗ୍ରାମ ଟିକାଲିର ମଟାଳ ମାଟିକୁ ।

କାଳାନ୍ତେ ସେଠାରୁ ରାଜଗୁରୁ ମହାପାତ୍ର

ପରମଲକ୍ଷ୍ମୀ ଓ କତିପୟ ଅନ୍ତରଙ୍ଗ

ସେବକମାନଙ୍କ ସହାୟତାରେ ପୁରୀକୁ

ପ୍ରତ୍ୟାବର୍ତ୍ତନ ସେ କରିଥିଲେ ଗଉରବେ

ନବକଳେବର ପାଇଁ ରତ୍ନସିଂହାସନେ ।

ପୁନଃ ଆକ୍ରମଣ ଆଶଙ୍କାରେ ଜଗନ୍ନାଥ

ଆରଣ୍ୟକ ନିବାସରେ ଯାଇଥିଲେ ଲୁଚି

ଗଂଜାମ କୋଦଳା ଆଠଗଡର ମାରଦା

ଘଂଚାରଣ୍ୟ ମଂଦିରକୁ, ଏଥିପରେ ଫେରି

ଥିଲେ ଶ୍ରୀବତ୍ସ ଖଣ୍ଡଶାଳକୁ ଶ୍ରୀମଂଦିରେ

ବିଜୟଶ୍ରୀ ବାହୁଡାର ମହାର୍ଘ୍ୟ ପଥରେ

ଶ୍ରୀ ଜୀଉ ମଣିମା ଏହାପରେ ଆଉ କେବେ

ଚକଡ଼ାଛଡ଼ା ହୋଇଣ ରାତ୍ରିର ପଣତ

ତଳେ କାନ୍ତାରରୁ ମହାକାନ୍ତାରକୁ ବିଜେ

କରି ନାହାଁନ୍ତି ପରମ ବ୍ରହ୍ମ କୃପାବଳେ ।

ରାମଚନ୍ଦ୍ର ଦେବଙ୍କର ସମରପଣର

ପୂଜା ବେଦୀ ଉପରେ ଶ୍ରୀ ଜୀଉ ମଣିମାଙ୍କ

ଅଭୟ ମୁକ୍ତିର ରତ୍ନ ସିଂହାସନ ସ୍ଥିର

ପ୍ରତିଷ୍ଠିତ ହୋଇଅଛି ନିଃଶଙ୍କ ଭାବରେ ।

ଶ୍ରୀ ମଂଦିର ଠାରୁ ମହାକାନ୍ତାର ପର୍ଯ୍ୟନ୍ତ

ପ୍ରତି ମୁହୁର୍ତ୍ତରେ ବୀର ରାମଚନ୍ଦ୍ର ଦେବ

ଦେଖିଥିଲେ ଜୀଉ ମଣିମାଙ୍କ ସାର୍ବଭୌମ

ଅଖଣ୍ଡତା-ଜ୍ୟୋତି-ଦିବ୍ୟ ସାକାର ବ୍ରହ୍ମଙ୍କୁ ।

ଏହା ଜାତୀୟ ଜୀବନର ପୁନଃ ବିନ୍ୟାସ ।

ଜୀବନରେ ରାଜକୀୟ ସରାଗକୁ ଭୁଲି

ଜୀବନକୁ ନିବେଦିତ ଦେଇଥିଲେ କରି

ଚରଣ ପଙ୍କଜେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ

ପରମପୁରୁଷ ପତିତପାବନ ଯିଏ

ଏ ଜାତିର ଅଭ୍ୟୁଦୟ ପାଇଁ ସରବଦା

ସନାତନ ଧରମର ସୁରକ୍ଷା ପାଇଁକି

ଭୂୟୋବିକାଶ ସକାଶେ ପ୍ରଭୁ ଦର୍ଶନର ।

ଧର୍ମ ଧ୍ୱଜୀ ପଣ୍ଡିତମାନଙ୍କ ନିଷେଧକୁ

ପାଳି କ୍ରମେ ଜଗନ୍ନାଥ ଯେ ପ୍ରାଣ ସର୍ବସ୍ୱ

ରାମଚନ୍ଦ୍ର ଦେବ ନିତ୍ୟ ଦର୍ଶନ ଆଶାରେ

ପ୍ରତିଷ୍ଠା କରାଇଥିଲେ ଗୁମୁଟ ଦ୍ୱାରରେ

ଶ୍ରୀ ଶ୍ରୀ ପତିତପାବନ ପ୍ରଭୁ ଜଗନ୍ନାଥ

ଯାହାଙ୍କୁ ଦର୍ଶନ କରି ନିଜ ହୃଦୟର

ଭଗବତ ପିପାସାକୁ କରୁଥିଲେ ଦୂର ।

ଅଗଣିତ ପତିତ ଭକତ ମାନଙ୍କର

ଅନ୍ତରର ବ୍ୟଥିତ ଦର୍ଶନାଭିଳାଷକୁ

ହୃଦୟଙ୍ଗମ କରିଥିଲେ ବି ଗଜପତି

ଭକ୍ତ ରାମଚନ୍ଦ୍ର ଦେବ ସେ ହୃଦୟବାନ ।

ଏହା ହିଁ ତାଂକର ଜଗନ୍ନାଥ ପୀରତିର

ଚାକ୍ଷୁଷ ନିଦର୍ଶନ ଯା ଜାଣିଛନ୍ତି ଭକ୍ତେ ।

ଗୋପୀନାଥ ଦେବଙ୍କର ହତ୍ୟା ପରେ ତାଙ୍କ

ଅନୁଜ କେଶବ ରାଏ ରାମଚନ୍ଦ୍ର ଦେବ

ନାମରେ ଖୁରୁଧା ରାଜସିଂହାସନୋପରେ

ହେଲେ ଅଭିଷକ୍ତ, ଇତିହାସେ ଗଜପତି

ସେହି ରାମଚନ୍ଦ୍ର ଦେବ ଦ୍ୱିତୀୟ ନାମରେ

ବିଖ୍ୟାତ ହୋଇଲେ ପରେ ପରେ ଓଡିଶାରେ ।

ଦଶବର୍ଷ ବ୍ୟାପୀ ତାଂକ ରାଜତ୍ୱ କାଳରେ

ମୁସଲମାନଙ୍କ ଦ୍ୱାରା ବାରମ୍ବାର ଖୋର୍ଦ୍ଧା

ରାଜ୍ୟ ଆକ୍ରମଣ ଫଳେ ଏହା ନଷ୍ଟଭ୍ରଷ୍ଟ

ହୋଇଗଲା ହତଶିରୀ ବିକଳାଙ୍ଗ ଶୂନ୍ୟ ।

ନାଏବ ନଜିମ ହିନ୍ଦୁ ବିଦ୍ୱେଷୀ ତକୀଖାଁ

ସତରଶ ଏକତ୍ରିଶ ଅଦ୍ଦଡ଼ିସମ୍ବର

ଦୁଇ ତାରିଖରେ ଶିଶୁପାଳ ଗଡ ଧ୍ୱଂସ

କରିବା ପରେ ତା ସଂଗେ ସଂଧି ଉଦ୍ଦେଶ୍ୟରେ

ରାମଚନ୍ଦ୍ର ଦେବ ଏ ଜଟଣି ନିକଟସ୍ଥ

ରଥିପୁରଗଡେ ଯାଉଥିଲା ବେଳେ ବାଟେ

ତକିଖାଁ ବିଶ୍ୱାସ-ଘାତକତା କରି ବନ୍ଦୀ

କଲେ ଏ ଗଜପତିଙ୍କୁ ଅମାନୁଷି ଭାବେ ।

ତାପରେ ସେ ରଥିପୁର ଗଡରୁ ରାଜାଙ୍କୁ

କଟକ ନେଇଣ ବାରବାଟୀ ଦୁର୍ଗେ ରଖି

କାରାରୁଦ୍ଧ କରାଗଲା ତକୀଖାଁ ଆଦେଶେ ।

ଏହି ବାରବାଟୀ ଦୁର୍ଗେ ଥିବାବେଳେ ତାଂକୁ

ଇସ୍ଲାମ ଧର୍ମେ ଦୀକ୍ଷିତ କରାଯାଇଥିଲା ।

ପ୍ରଚଳିତ ଏକ କିମ୍ବଦନ୍ତୀ ଅନୁସାରେ

ରାମଚନ୍ଦ୍ର ଦେବ କଟକରେ ତେର ମାସ

ପର୍ଯ୍ୟନ୍ତ ବଂଦୀ ଜୀବନ କାଟିଥିଲେ ଦୁଃଖେ ।

ଏହା ପୂର୍ବରୁ ବି ବୀର ରାମଚନ୍ଦ୍ର ଦେବେ

ନଜର ବଂଦୀରେ ରଖିଥିଲେ ସେ ତକୀ ଖାଁ ।

ବାରମ୍ବାର ବଂଦୀ ଜୀବନକୁ ଭୋଗ କରି

ଇସଲାମ ଧର୍ମେ ଶେଷେ ହେଲେ ସେ ଦୀକ୍ଷିତ ।

ହାଫିଜ କାଦର ବେଗ ନାମକୁ ଧାରଣ

କରିଥିଲେ ମଧ୍ୟ ପ୍ରଭୁ ମାନ ରକ୍ଷା ପାଇଁ

ପ୍ରାଣପଣେ କରିଥିଲେ ଉଦ୍ୟମ ଜୀବନେ ।

ତାଙ୍କରି ପ୍ରଚ୍ଛନ୍ନ ଚେଷ୍ଟା କଳ୍ପନାନୁସାରେ

ଜଗନ୍ନାଥଙ୍କ ମଂଦିରାକ୍ରମଣ ଆଶଂକା

କରି କେତେବେଳେ ପ୍ରଭୁ ଜଗତନାଥଙ୍କୁ

ବାଣପୁର ନଇରି ହରିଶ୍ୱର ମଣ୍ଡପ

ଅବା କେତେବେଳେ ଚିଲିକାର ଗୁରୁବାଇ

ଦ୍ୱୀପ, ଅବା କେତେବେଳେ ଆଠଗଡ ରାଜ୍ୟ

ଗଂଜାମ ମାରଦା ବଣେ ସ୍ଥାନାନ୍ତର କରା-

ଯାଉଥିଲା ରାମଚନ୍ଦ୍ର ପରିକଳ୍ପନାରେ ।

ସବୁ ଯାଉ ପ୍ରଭୁ ଜଗତରନାଥ କିନ୍ତୁ

ମୋଗଲମାନଙ୍କ ହାବୁଡରେ ନ ପଡନ୍ତୁ

ଏହି ଚିନ୍ତା କରି କରି ରାମଚନ୍ଦ୍ର ଦେବ

ହନ୍ତସନ୍ତ ହୋଇଛନ୍ତି ସ୍ୱ ଜୀବନସାରା ।

ହୋଇଛନ୍ତି ଧର୍ମଛଡ଼ା, ସ୍ୱ ପାଟମହିଷୀ

ଲଳିତା ପାଲଟିଛନ୍ତି ଶତ୍ରୁ ଜୀବନରେ ।

ପଣ୍ଡାମାନେ ଜଗନ୍ନାଥ ମଂଦିରେ ପ୍ରବେଶ

କରାଇ ଦେଇ ନାହାନ୍ତି କ୍ରୁରାଚରଣରେ ।

ବାୟା ବାତୁଳ ହୋଇଣ କେବେ ବାଣପୁର

କେବେ ବୋଲଗଡ ଆଉ କେବେ ଚିଲିକାର

ଦ୍ୱୀପେ, ଆଉ କେତେବେଳେ ନରସିଂହପୁର

କେବେ ଗଂଜାମର ଆଠଗଡେ ବୁଲିଛଂତି

ମାତ୍ର ହିନ୍ଦୁ ଜଗତର ପ୍ରଧାନ ଆରାଧ୍ୟ

ଦେବତାଙ୍କର ସୁରକ୍ଷା ପାଇଁ ମୃତ୍ୟୁ ଯାଏଁ

ବାରମ୍ବାର ଯୁଦ୍ଧ ଆଉ ବିଦ୍ରୋହ କରିଣ

ଯେପରି ଅଶେଷ ନିର୍ଯ୍ୟାତନା ଜୀବନରେ

ଭୋଗ କରିଥିଲେ ତାହା ତାଂକର ପ୍ରଗାଢ଼

ସ୍ୱଧର୍ମ ନିଷ୍ଠାର ପରିଚାୟକ ପ୍ରମାଣ ।

ଆଜି ଯେତେବେଳେ ଧର୍ମ ପରିବରତନ

କରିଦେଲେ ମୂଳ ଧର୍ମେ ନିଂଦା ଆଉ ନଷ୍ଟ

କରିବା ଧରମନିରପେକ୍ଷତାର ସ୍ପଷ୍ଟ ।

ପରିଭାଷା ରୂପେ ପ୍ରକାଶାବେଗ ପାଉଛି

ସେତେବେଳେ ଗଜପତି ରାମଚନ୍ଦ୍ର ଦେବ

ଦ୍ୱିତୀୟଙ୍କ ଜୀବନର କାହାଣୀ ପଢ଼ିଲେ

ବିପୁଳ ପୁଲକ ଲାଗେ ବିସ୍ମୟ ଭାବରେ ।

ଅଗତ୍ୟା ଯବନୀ ସେହି ରେଜିୟା ଯିଏ କି

ନାଏବ ନଜୀମ କୁଲିଖାଁଙ୍କର ଦୁହିତା

ଥିଲେ ତାଂକୁ ରାମଚନ୍ଦ୍ର ଦେବ କଟକରେ

ବିବାହ କରିଣ ତାଂକ ନିବିଡ଼ ସଂପର୍କ

ସ୍ଥାପନ ବି କରିଥିଲେ କୁଲିଖାଁ ସହିତ

ଫଳରେ ତକୀଖାଁ ମୃତ୍ୟୁ ପରେ ଜଗନ୍ନାଥ

ମଂଦିର ଉପରେ ଆକ୍ରମଣ ଧିମେଇଲା ।

ତେଣୁ ମହାପ୍ରଭୁଙ୍କର ଯାନିଯାତ୍ରା ସବୁ ।

ପୂର୍ବପରି ନିର୍ଭୟରେ ଚାଲିଲା ପୁରୀରେ

ମାତ୍ର ଗଜପତି ରାଜା ରାମଚନ୍ଦ୍ର ଦେବ

ଯିଏକି ମୁସଲମାନ ହୋଇ ମଧ୍ୟ ହିନ୍ଦୁ,

ଧର୍ମର ଆରାଧ୍ୟ ଦେବ ଜଗନ୍ନାଥଙ୍କର

ପାଇଁ ଆଜୀବନ ଯୁଦ୍ଧ କରିଥିଲେ ଦୃଢ଼େ

ତାଂକର ଶେଷ ଜୀବନ ଶେଷ ହୋଇଥିଲା

କରୁଣ ଦୁଃଖଦ ପରିସ୍ଥିତିରେ ଉତ୍କଳେ ।

ମୋଗଲ ଶାସନ ବିରୁଦ୍ଧରେ ବାରଂବାର

ଯୁଦ୍ଧ ଓ ବିଦ୍ରୋହ କରି ନିଜ ଲୋକ ଦ୍ୱାରା

ଉପେକ୍ଷିତ ହୋଇ ଶେଷ ଜୀବନରେ ସ୍ୱୟଂ

ସିଂହାସନକୁ ହରାଇ ରେଜିୟାଙ୍କୁ ଧରି

ଯିଏ ସୂର୍ଯ୍ୟମଣି ମହାଦେବୀ ଅବା ସୌରୀ

ନାମେ ଖ୍ୟାତ ଥିଲେ ସେତେବେଳେ ଲୋକ ତୁଣ୍ଡେ

ନରସିଂହପୁର ରାଜା ଶ୍ରୀ ମନ୍ଦରଧର

ମାନସିଂହ ହରିଚନ୍ଦନ ମହାପାତ୍ରଙ୍କ

ଆଶ୍ରୟ ଗ୍ରହଣ କରିଥିଲେ ସ୍ୱଜୀବନେ

ରାଜା ତାଂକର ଖମାର ଘର ଥିବା ସେଇ ।

ଲାଖପଡାରେ ସମ୍ମାନେ ରଖିଥିଲେ ତାଂକୁ

ମାତ୍ର ଏକ ବର୍ଷ ସେଠି ଦୁଃଖ ନୈରାଶ୍ୟରେ

ରହିବାପରେ, କଥିତ ଅଛି ଗଜପତି

ପତ୍ନୀ ରେଜିୟା ସହିତ କଲେ ଆତ୍ମହତ୍ୟା +

ବିଷପାନ କରି ସତରଶ ସୈତ୍ରିଂଶରେ

ସେ ଦୁହିଁଙ୍କ ଶବ ସସମ୍ମାନ ସହକାରେ

ଘୋରଡ଼ିଆ ମହାନଦୀ କୂଳେ ଦାହକ୍ରିୟା

କରାଯାଉଥିଲା ଅତି ଦୁଃଖଦ ସଂଧ୍ୟାରେ ।

ଏସ୍ଥାନ ମହାଶ୍ମଶାନ ନାମରେ ପ୍ରସିଦ୍ଧ

ନାମକରଣ ହୋଇଛି ନରସିଂହପୁରେ ।

ନରସିଂହପୁର ରାଜା ଜଣେ ବ୍ୟକ୍ତି ରଖି

ଜାଗିରି ପ୍ରଦାନ କରି ପ୍ରତିଦିନ ଦୀପ

ଦେବାର ବ୍ୟବସ୍ଥା କରିଥିଲେ ଦାହପୀଠେ

ସେହିବାଟେ ଦେଇ ଗଲାବେଳେ ମଧ୍ୟ ଏବେ

ଏହି ପରଂପରା ଅବ୍ୟାହତ ରହିଅଛି

ବୋଲିଣ ସ୍ମୃତିଚାରଣ କରନ୍ତି ପଥିକେ ।

ନରସିଂହପୁର ଅଂଚଳରେ ଲାଖପଡା

ଗ୍ରାମେ ସ୍ମୃତି ପୀଠଟୀଏ ତିଆରି ହୋଇଲେ

ଗଜପତି ରାମଚନ୍ଦ୍ର ଦେବ ଦ୍ୱିତୀୟଙ୍କ

ତଥା ରେଜିୟାଙ୍କ ସ୍ମୃତି ଜାଗରିତ ହୋଇ

ସେ ମହାନ ପୁରୁଷଙ୍କ ଉତ୍ତର ପିଢ଼ିର

ଦାୟାଦେ ଅର୍ପଣ କରିପାରନ୍ତେ ସ୍ମୃତିରେ

ଶ୍ରଦ୍ଧାଂଜଳି, ଯତ୍ନବାନ ହେବେକି ସର୍କାର?

ଆଶ୍ରୟ କରିଛି, ଇତିହାସେ ଏହି କାବ୍ୟ

କିଂତୁ ଭିତ୍ତି କରିନାହଁ, ଏଥିରେ ବର୍ଣ୍ଣିତ

ହୁଏତ କେତେ ଚରିତ୍ର ଭେଟିବେ ପାଠକେ

ଇତିହାସ ଅଲିଖିତ ମଣିଷ ଏମାନେ

ଯେଉଁ ମାନେବି ବିଭିନ୍ନ ଭୁମିକାରେ ରାଜା

ଶ୍ରୀ ରାମଚନ୍ଦ୍ର ଦେବଙ୍କୁ ସ୍ୱ ରାଷ୍ଟ୍ର ଦେବତା

ରାଷ୍ଟ୍ର ଜୀବନ ସୁରକ୍ଷା ପାଇଁ ସହାୟତା

କରିଥିଲେ ରାଷ୍ଟ୍ର ଭୂୟୋବିକାଶ ନିମନ୍ତେ ।

ଇତିହାସର ପୃଷ୍ଠାରେ ଏ ଚରିତ୍ରମାନେ

ମୁଦ୍ରିତ ନ ହୋଇଥିଲେ ମଧ୍ୟ ଓଡିଶାର

ସମକାଳୀନ ଜୀବନେ ଜୀବନ୍ତ ବିଗ୍ରହ ।

ଚକଡ଼ା ଛଡ଼ା-ଭିଯାନ ଜଗନ୍ନାଥଙ୍କର

ଇତିବୃତ୍ତ ମଧ୍ୟେ ଗଜପତି ରାମଚନ୍ଦ୍ର

ଦେବଙ୍କର ଜାତୀୟତା ପ୍ରୀତି ଶ୍ରଦ୍ଧାଦର

ଅସ୍ମିତାବୋଧ ଓ ଜଗନ୍ନାଥ ଆତ୍ମୀୟତା

ପରାଣୟତା ହିଁ କାବ୍ୟ ଉପଜୀବ୍ୟ ବସ୍ତୁ

ରାମଚନ୍ଦ୍ର ଦେବଙ୍କର ଅନ୍ତରର ବାଣୀ

ଜୀବନରେ ଲକ୍ଷ ଆଉ ଓଡିଆ ଜାତିର

ଇଷ୍ଟଦେବ ଜଗନ୍ନାଥ ଅମିତ ଶକତି

ମାନବତାର ବ୍ୟଂଜନା, ବିଶ୍ୱ-ଜନୀନତା-

ଦ୍ୟୋତକ ଭାବରେ ଅନୁଭବ କରିହେବ ।

ଏହି କାବ୍ୟ ମାଧ୍ୟମରେ ଯା ଐତିହାସିକ

ସାମଗ୍ରୀକ ଭାବେ ରାମଚନ୍ଦ୍ର ଦେବଙ୍କର

“ନୀଳାଦ୍ରୀଶ” ରାଜକୀୟ ଜୀବନ କାହାଣୀ

ରାଷ୍ଟ୍ର ଦେବତା ଶ୍ରୀ ଜଗନ୍ନାଥ ମହିମାର

ଚକଡ଼ା ଛଡ଼ା ଲୀଳାର ବ୍ୟଂଜନା ଯନ୍ତ୍ରଣା

ସାମାଜିକ ଜୀବନରେ ଜାତୀୟତାବୋଧ

କଂଟକିତ ପ୍ରତିଲିପି ତଥ୍ୟ ଅନୈକ୍ୟର ।

ସ୍ୱୟଂ ନୀଳାଦ୍ରୀଶ ଯାହା କରିଛଂତି ଇଚ୍ଛା

ତାହାହିଁ ବ୍ୟଂଜିତ ହୋଇଅଛି ଏହି କାବ୍ୟେ ।

ସର୍ବମୂଳାଧାର ପ୍ରଭୁ ତୁମ୍ଭେ ବ୍ରହ୍ମାଣ୍ଡର

ସୃଷ୍ଟି ସ୍ଥିତି ପ୍ରଳୟର କରତା ହରତା

ତୁମ୍ଭରି ଶରଣ ପ୍ରଭୋ ହେ ମଂଗଳମୟ

ହେ ବୈକୁଣ୍ଠ ପତି ରକ୍ଷାକର ସର୍ବଜନେ ।

 

Unknown

୧ମ ସର୍ଗ

 

କଟକର ମଥା             ବାରବାଟୀ ଶିଖେ

ସକାଳ କୋମଳ କିରଣ ଝରି

ବିଚ୍ଛୁରିତ ଭାବେ            ଅଜାଡି ହୋଇଣ

ପଡିଥିଲା ସୂର୍ଯ୍ୟାଲୋକରେ ଝଳି ।

ମୃଦୁ ଉତ୍ତାପକୁ             ଉପଭୋଗ ପାଇଁ

ପରସ୍ପର ମଧ୍ୟେ ବିଚିତ୍ର ଭାବେ

ବାର୍ତ୍ତାଳାପ କରି             ବସି ରହିଥିଲେ

କେତୋଟି ଶାବକ ପକ୍ଷୀ ସ୍ୱଭାବେ ।

କେତୋଟି ତୁରଂଗ             ମୁକ୍ତ ପ୍ରାଂଗଣରେ

ତୃଣ କରୁ କରୁ ଭକ୍ଷଣ କ୍ଷଣେ

ହ୍ରେଷାରବ କରୁ            -ଥିଲେ ରହି ରହି

ବିଚାରିକି ଭୁତ ବାରତା ମନେ ।

ବିପର୍ଯ୍ୟୟାକୁଳ            ପୀଡିତ ପ୍ରାଣୀର

ଆରତ ଚିତ୍କାର ସମ ସମୀରେ

ଶୁଭୁଥିଲା ଭେଦି            ଚକ୍ରବାଳ ଛୁଇଁ

ହିଲ୍ଳୋଳେ ହିଲ୍ଲୋଳେ ଦୁର୍ଗ ନାସିରେ ।

ଗଜପତି ରାଜା            ରାମଚନ୍ଦ୍ର ଦେବ

ମୁକ୍ତ ବାତାୟନେ ଧାରେ ବାହାରେ

ଚାହୁଁଥିଲେ ରିକ୍ତ             ଦୃଷ୍ଟିରେ ତାଂକର

ଚାହାଣୀର ଜ୍ୟୋତି ବେଦନାଭାରେ ।

ଯେଉଁପରି ସତେ            ଘୋର ବେଦନାର

ଅନାହୁତ ମେଘଖଣ୍ଡ ଭିତରେ

ନିଷ୍ପ୍ରଭ ହୋଇଣ            ଯାଉଥିଲା ମିଶି

କାଳ କବଳିତ ଯାତନା ତଳେ ।

ନାଏବ ନଜୀମ             ତକୀଖାଁ ଦ୍ୱାରା ସେ

ଗଜପତି ରାମଚନ୍ଦର ଦେବ

କାରାଗୃହ ମଧ୍ୟେ             ହୋଇ ଅବରୁଦ୍ଧ

ବଂଦୀ ସତେ ସ୍ମରି ଜଗତ ଦେବ ।

ଏହି ଓଡିଶାର             ବୀର ଗଜପତି

ପରଂପରାରେ ମୋଗଲ ବାହିନୀ

ହାତରେ ବନ୍ଦୀର             ଜୀବନ ଯେପରି

ନିୟତି ଦାରୁଣାଭିଶାପ ଘେନି ।

ଅଭିଶାପ ମଧ୍ୟ            ହୋଇଥାଇ ପାରେ

ସେ ପରମ କାରୁଣିକ ପ୍ରଭୁଙ୍କ

ପତିତ ପାବନ             ଶ୍ରୀ ଶ୍ରୀ ଜଗନ୍ନାଥ

ଜଗତଜୀବନ ପ୍ରାଣ ସବୁଙ୍କ ।

ଶୀହରି ଉଠିଲେ            ରାମଚନ୍ଦ୍ର ଦେବ

ଭାବୁ ଭାବୁ ସବୁ ଏପରି କଥା

ତେବେକ’ଣ ପ୍ରଭୁ            ଜଗତଠାକୁର

ରୁଷ୍ଟ ହୋଇଛନ୍ତି, ତେଣୁ ଏବ୍ୟଥା ।

କେଉଁ ଅପରାଧେ             ଓଡିଶାର-ଭାଗ୍ୟ

ଆକାଶେ ଅଶୁଭ ଏ ଅଲକ୍ଷଣା

ଧୂମକେତୁ ଆଜି            ପୁଚ୍ଛକୁ ବିସ୍ତାର

କରି ଏ ଜାତିର ସୁ-ଉଦ୍ଦୀପନା

ଗୌରବ ରାଜିକୁ             କରି ଦେଇଅଛି

ସହସ୍ର ଲାଂଛିତ ଅପମାନରେ

ବ୍ୟଥାର କରୁଣା             ମୂର୍ଚ୍ଛନା ବାଜୁଛି

ରାମଚନ୍ଦ୍ର ଦେବ ହୃଦ ମଧ୍ୟରେ ।

ଯେପରି ତାଂକର             ପରାଣ ସତ୍ତାକୁ

କରିଦେଉଥିଲା ବିବଶ ହୃଦେ

ମିନତି ବିନତି            କରୁଥିଲେ ରାଜା

ଆଖି ବୁଜି ପ୍ରଭୁ ପଦାରବିନ୍ଦେ ।

କରୁଣା ବରୁଣା-            ଳୟ ଜଗନ୍ନାଥ

ଓଡିଆ ଜାତିର ତୁମେ କେବଳ

ପ୍ରାଣସଂଜୀବନୀ            ନୁହ, ଏ ବିଶ୍ୱର

ଜୀବନର ଜୀବନୀକା ସଂବଳ ।

ଓଡିଆ ଜାତିର             ଆତ୍ମୀୟ ସ୍ୱଜନ

ବଳ ଶୌର୍ଯ୍ୟ-ବୀର୍ଯ୍ୟ ଜ୍ୟୋତି-ନୟନ

ଯୁଗେ ଯୁଗେ ତୁମେ            ଏ ଜାତିକୁ କରି

ଉର୍ଜସ୍ୱଳ ଗଢ଼ି ତୋଳିଛ ପୁଣ ।

ଆଜି କିଂତୁ କ୍ରୁର-            କାଳ ପ୍ରେରଣାରେ

ସେ ଜାତିର ଭାଗ୍ୟାକାଶେ ମୋଗଲ

ଶାସନର କଳା-            ମେଘ ଘନଘଟା

ଗରଜେ ମନକୁ କରି ଚଂଚଳ ।

ଆଜି ସଂକୁଚିତ            ଏ ଜାତି ଗୌରବ

କ୍ରାନ୍ତିବାନା ଉଡୁନାହିଁ ପବନେ

କେବେ ଆଉ ପ୍ରଭୁ             କରିବ କରୁଣା

ଯାତନା ଭୋଗନ୍ତି ଓଡିଶା ଜନେ ।

ମୋଗଲର ବଜ୍ର-            ବାହୁ କବଳରୁ

ଆଉ ଦେଶ ହେବ ଉଦ୍ଧାର କେବେ?

ବୀରତ୍ୱର ସେଇ             ସଉଗଂଧ ମୟ

ଇତିହାସ ଜନେ ଲେଖିବେ କେବେ?

ମୁଦ୍ରିତ ନୟନ             କୋଣୁ ଦୁଇଧାର

ଅଶ୍ରୁ ନିଃଶଦ୍ଦରେ ପଡିଲା ଝରି

ଗଜପତି ରାଜା             ଭାବୁଛଂତି ଦୁଃଖ-

-ଚକ୍ରବାଳେ ଚକ୍ରଧାରୀଙ୍କୁ ସ୍ମରି ।

ପାଷାଣ ଚଟାଣ             ଉପରେ ଯେପରି

ମୌନ ହାହାକାର ଗୁଂଜନ ସୃଷ୍ଟି

କରି ଦେଉଥିଲା             ସେ ବଂଦୀଗୃହର

ମଧ୍ୟରେ କରାଳ-କାଳର ଦୃଷ୍ଟି ।

ଦୁର୍ଗ ଆର ପାଖ             ବିତଳ ପ୍ରସ୍ତରୁ

ମୋଗଲ ଲସକର ମାନଙ୍କର

ହାସ୍ୟରୋଳ ଭାସି             ଆସୁଥିଲା ଖରେ

ବାୟୁର ହିଲ୍ଲୋଳେ ହୋଇ ପ୍ରଖର ।

କାରୁଣ୍ୟ ଦାରୁଣ            କରି ଉପହାସ

ସେ କରାଗୃହର ଅନୁକୋଣରେ

ରାମଚନ୍ଦ୍ର ଦେବ            ଯାଇ ଛିଡା ହେଲେ

ଧିରେ ଧିରେ ବାତାୟନ ପାଶରେ ।

ମୁକ୍ତ ଜଗତର            ନିର୍ଭୟ ଜୀବନ-

-ଚର୍ଯ୍ୟା ସ୍ୱଚ୍ଛ ପ୍ରବାହରେ ବାୟୁର

ଖେଳି ବୁଲୁଥିଲା            ଗଡଖାଇ ପାଶେ

କେତେ ଚିତ୍ରାୟିତ ହରିଣ କୁଳ ।

ଡେଇଁ ଡେଇଁ ବୁଲୁ            ଥିଲେ କେତେ ପ୍ରାଣୀ

ଜୟଗାନ କରି ସ୍ୱ ଜୀବନରେ

ମୟୁର ମୟୁରୀ             ଖେଳି ବୁଲୁଥିଲେ

ପୁଚ୍ଛ ଟେକି ଟେକି କି ଆନନ୍ଦରେ ।

ସ୍ଥିର ହୋଇଗଲା            ସହସା ସେଠାରେ

ଗଜପତିଙ୍କର ଦୁଇ ନୟନ

ସମ୍ମୁଖରେ ଅବ-            ସ୍ଥିତ ବାଟିକାରେ

ଭେଦି ବଂଦୀଗୃହର ବାତାୟନ ।

କେହି ଜଣେ ବୁର୍ଖା-            ବୃତା ନାରୀ ମଥା

କେଶକୁ କୋମଳ ଖରାରେ ରଖି

ବିଂଛି ଦେଇ ବୁର୍ଖା             ସଚ୍ଛିଦ୍ର ପଥରେ

ଚାହୁଁଛି ପାଖରେ ନାହାଁନ୍ତି ସଖି ।

ଆଡ଼ ନୟନରେ             କଦବା ଦେଖେ ସେ

ଗୋଲାପ ବାଟିକା ଭେଦି କୁସୁମେ

ବାତାୟନ ଧାରେ             ସ୍ୱଭାବ ସୁଂଦରେ

ସେ ପ୍ରୀତି-ବତ୍ସଳା ସୌନ୍ଦର୍ଯ୍ୟ ଭ୍ରମେ ।

କେବେ କେବେ ମଧ୍ୟ             ଅବଗୁଣ୍ଠନର

ଭିତରେ ମୁଖକୁ ତୋଳି ଚାହୁଁଛି

କାରାଗୃହ ବଂଦୀ            ଗଜପତି ଆଡେ

ପ୍ରଚ୍ଛନ୍ନ ଭଂଗୀରେ ରୋମାଂଚ ସଂଚି ।

ତଡିତ ପ୍ରବାହ             ହେଲା ପ୍ରସାରିତ

ଗଜପତିଙ୍କର ଦେହ ଭିତରେ

ଏହି ଅଭାବିତ             ଦୃଶ୍ୟ ଅନୁଭବେ

ଠିଆ ହୋଇ ବାତାୟନ ପାଶରେ ।

ରୋମାଂଚର ଆତି-            ଶଯ୍ୟରେ ଅଥର୍ବ

ହୋଇ ପଡୁଥିଲେ ରାଜା ଯେପରି

ଭୀରୁ ଆଶଂକିତ             ଗବାକ୍ଷ ଧାରରେ

ବାରବାର ଦେଖୁଥିଲେ ସେପରି ।

କଅଁଳ ଖରାରେ            ତା କୃଷ୍ଣ କୁନ୍ତଳ

ରାଶି ନୀଳମେଘ ସମାନ ଭାସେ

ଏକାକୀ ରାଜନ             ଚକ୍ଷୁକୁ ପବିତ୍ର

କରୁଥିଲେ ଡରି ମଦନ-ତ୍ରାସେ ।

ଗୁଣୁ ଗୁଣୁ ସ୍ୱରେ            ସଂଗୀତ ଗୁଂଜନ

କରୁଥିଲା ବାଳା ତୋଳି କୁସୁମ

ସୃଷ୍ଟି କରୁଥିଲା            ଉନ୍ମାଦନା କ୍ଷିପ୍ରେ

ରାଜନ ମାନସେ ତୋଳି ସଂଭ୍ରମ ।

ସେ କାରାଗାରର             ନିର୍ମମ କୋଠରୀ

ମଧ୍ୟେ ଶତ କଦମ୍ବର ରୋମାଂଚ

ଯାଉଥିଲା ମାଡି             ପ୍ରମତ୍ତ ଆବେଗ

ସୃଷ୍ଟି କରି ପ୍ରେମ ବଳୟ-ଛାଂଚ ।

ଭାବୁଥିଲେ ରାଜା            ବିଶ୍ୱ-ଶିଳ୍ପୀ ବସି

କେତେ କଳପରେ ଏହି ଶୋଭାଂଗୀ

ଗଢ଼ିଥିବେ ବିଶ୍ୱ-            ଲୋଚନକୁ କବି

ବଚନେ ପବିତ୍ର କରିବା ଲାଗି ।

ପଦ୍ମଚନ୍ଦ୍ରେ ହାତ            ପଜାଇ ପ୍ରଥମେ

ବିଧି-ସାଧି ଥିବେ ଅନୁମାନରେ

ପାଟବ ଅରଜି             ପରଶି କୋମଳେ

ଗଡ଼ିଥିବେ ବାଳା ସ୍ୱ-ଅଭ୍ୟାସରେ ।

ଶୋଭାଂଗୀ ଶୋଭାକୁ            ଗୋଟିଏ ଶରୀରେ

ଦେଖିବାକୁ ବିଧି ଭାବି ଏପରି

ଖଂଜିଥିବେ ଉପ-            ମାର ସବୁ ଦ୍ରବ୍ୟ

ସୌନ୍ଦର୍ଯ୍ୟ-ଖଣିରୁ ବାହାର କରି ।

ବ୍ରହ୍ମାଣ୍ଡ ସୁନ୍ଦରୀ            ପରି କଳପନା

କରିଥିବେ ମନ ମଧ୍ୟେ ତାଂକର

ନହେଲେ ଏଶୋଭା            ଚକ୍ଷୁ ମନ ଲୋଭା

ନୋହିଥାନ୍ତା କେବେ ସତ୍ୟ ଏଗୀର ।

ସେ ପଟରୁ ମୁଖ            ଫେରାଇ ଆଣିଲେ

ଧିରେ ଗଜପତି ରାମଚନ୍ଦର

ସହସା ମାନସ             ଭିତରେ ମାରିଲା

ଉଂକି ଖୋର୍ଦ୍ଧାଗଡ ପ୍ରୀତି ସାଗର ।

ଖୋର୍ଦ୍ଧା-ବରୁଣେଇ            କଟକ ଅଳିନ୍ଦ

ଦୃଶ୍ୟ ରାଜରାଣୀ ଲଳିତା ପାଟ-

ମହାଦେବୀଙ୍କର            ଅଶ୍ରୃମୁଖୀ ମୁଖ

ବିଷର୍ଣ୍ଣ ବିବର୍ଣ୍ଣ ବିଦଗ୍ଧ ଘାତ ।

ତୁଳିତଳ୍ପୋପରେ            ବସିଥିବେ ପାଟ-

ମହାରାଣୀ ଚିନ୍ତାଚ୍ଛନ୍ନ ନୟନେ

କରୁଣ ପୁରବୀ            ସୃଷ୍ଟି କରିଥିବ

ଅସହାୟରେ ବିଧୁର ଜୀବନେ ।

ଚହଲି ଉଠିଲା            ବକ୍ଷ ଭେଦିକରି

ଏକ ଦୀର୍ଘଶ୍ୱାସ ଭାବନା ଧାରେ

ଭାଗ୍ୟର ଦାରୁଣ            ବିଡମ୍ବନା ଯୋଗୁଁ

ଆଜି ରାଜା ବଂଦୀ ବଂଦୀଶାଳାରେ ।

ଖୋର୍ଦ୍ଧା ପାଇକର            ଶୌର୍ଯ୍ୟ ବୀର୍ଯ୍ୟ ସତେ

ମୋଗଲଙ୍କ ଗୋଳ ନିକଟେ ଆଜି

କାରୁଣ୍ୟର ସାହା-            ନାଇର କରୁଣ

ବିଷାଦେ ଯେପରି ଯାଉଛି ବାଜି ।

ମୋଗଲ ଶାସକ            ମାନଙ୍କ ଯେପରି

ଏକ ପରଂପରାରେ ପରିଣତ

ହୋଇ ଯାଇଅଛି            ଇସଲାମ ଧର୍ମ

ଉପାସନା ପୀଠ ପ୍ରତିଷ୍ଠା ସତ୍ୟ ।

ତେଣୁ ଓଡିଶାର            କୀର୍ତ୍ତି କିରୀଟିକି

ନଷ୍ଟ ଭ୍ରଷ୍ଟ କରିବାକୁ ସଂକଳ୍ପ

ଅଖିଳ ଜଗତ            ଆତ୍ମା ଦର୍ଶନର

ତତ୍ୱ ଜଗନ୍ନାଥେ ଭାବନ୍ତି ଅଳ୍ପ ।

ଶ୍ରୀ ଜଗନ୍ନାଥଙ୍କୁ            ଭୁଲୁଣ୍ଠିତ କରି

ତାଂକରି ସ୍ଥାନରେ ଆଲ୍ଲା-ରୋପଣ

କରିବାକୁ ସଦା             ଚେଷ୍ଟିତ ମୋଗଲେ

କଳେ ବଳେ କଉଶଳେ କି ପଣ?

କର୍ମ ପ୍ରଚୋଦନା            ସଂସ୍କୃତି-କୌଳିନ୍ୟ

ମଣ୍ଡିତ ଓଡିଆର ପରିଚୟ

ଶ୍ରୀ ଜଗନ୍ନାଥଙ୍କୁ            କରି ଆକ୍ରମଣ

କରିବେ ଓଡିଆ ଜାତିର କ୍ଷୟ ।

ଏ ଜାତି ମହାର୍ଘ            ଧର୍ମ ଧାରଣାକୁ

କରି ତିରସ୍କାର ନାନା ଭାବରେ

ପ୍ରଭୁ ଜଗନ୍ନାଥ-             କୈନ୍ଦ୍ରିକ ଧର୍ମର

ଅବାଂଛିତ ଅପମାନ ଭାବରେ ।

ଧର୍ମାଂଧ ମୋଗଲ            ଶାସକ ମାନଙ୍କ

ଏହା ମଉଳିକ ନୀତି ହୋଇଛି

ସେ ନୀତି ବ୍ୟାପକ             ପ୍ରସାର ସକାଶେ

ସମ୍ରାଟଙ୍କ ଠାରୁ ସୃଷ୍ଟି ହୋଇଛି ।

ନିମ୍ନ ସ୍ତର ଲସ-            କର ପରିଯନ୍ତ

ମଧ୍ୟ ଜଗନ୍ନାଥ ପ୍ରତି ବିଦ୍ୱେଷ

ସନାତନ ଧର୍ମ            ପ୍ରତି ସବୁବେଳେ

ତୀବ୍ର ଭାବେ ଅସହିଷ୍ଣୁତା ଦ୍ୱେଷ ।

ଏହା କ’ଣ ସତେ            ସେ ପୟଗମ୍ବର

ହଜରତ ମହମ୍ମଦ ତାଂକର

ଅମୃତ ବାଣୀରେ            ଦେଇଥିଲେ ଶିକ୍ଷା

ଇସଲାମ୍‌ ଜଗତେ ବଡ ହୁନ୍ଦର ।

ଆଲ୍ଲା ଯଦି ସତେ             ଭଗବାନ ହ୍ୱନ୍ତି

ତାହାହେଲେ ଭଗବତ ଶକତି

ପରମାର୍ଥତା କି             କାଫେର ଦୋଷରେ

ଦୁଷିତ ହୋଇବ ଧର୍ମର ଗତି?

ଏହା ଯେଉଁପରି            ଆଲ୍ଲାଙ୍କ ନାମରେ

ନଗ୍ନ ପ୍ରହସନ ଧର୍ମାଂଧତାର

ଅଧର୍ମର ଅଂଧ            ଘଟାଟୋପ ଏହି

ନିଜ ଧରମର ନାମେ ପ୍ରସାର

ରୁଦ୍ଧ କାରାଗାର            ମଧ୍ୟରେ ରାଜନ

ଦୀର୍ଘଶ୍ୱାସ ଏକ କଲେ ନିକ୍ଷେପ

ମନେ ମନେ ଜପୁ-            ଥିଲେ ଜଗନ୍ନାଥ

ଭାବି ଏହା କେଉଁ ଯୁଗ ପ୍ରକ୍ଷେପ ।

ଗବାକ୍ଷ ଧାରରେ            ସେ କରାଗୃହର

ବାହାର ଆଲୋକ ପଶେ ଧସେଇ

ଦେଖୁଥିଲେ ପାଖୁ             ବୀର ରାମଚନ୍ଦ୍ର

ଦେବ ଆନମନା ବିବଶ ହୋଇ ।

ସେହି ନବତଳ             ବିଶିଷ୍ଟ ଦୁର୍ଗର

ଅନ୍ୟାନ୍ୟ ମହଲା ମାନଙ୍କରେ ବି

କୋଳାହଳ ସମା-            ରୋହ ମିଶ୍ରରାଗ

ସୃଷ୍ଟି କରୁଥିଲା ବିଚିତ୍ରେ ସେ ବି ।

ଓଡିଶା ଜୀବନ             ମହାର୍ଘ୍ୟ ଦେବତା

ପ୍ରଭୁ ଜଗନ୍ନାଥ ସେ ଚକା ଆଖି

ଭାଗ୍ୟେ ନିଷ୍କରୁଣ            ଭାବେ ଅନୈକ୍ୟର

କୃଷ୍ଣରେଖା ଆଙ୍କି ଦେଲେ କାହିଁକି?

ସ୍ମରଣ ଅତୀତ            ଅତୀତରୁ କରି

ପ୍ରାରମ୍ଭ ରାଜୁତି ପର୍ଯ୍ୟନ୍ତ ସ୍ମରେ

ଗଜପତି ହୋଇ-            ଚ୍ଛନ୍ତି ଭୁଲୁଣ୍ଠିତ

ଭେଦିଆ ମାନଙ୍କ ଷଡଯନ୍ତ୍ରରେ ।

ଓଡିଶାର ଦୀପ୍ତ             ଇତିହାସ ହୋଇ

ଅଛି ବିଡମ୍ବିତ କାଳରେ ପରା

ଆଉ ଜଗତର             କରତା କି ଦୋଷେ

ବୁଲିଛନ୍ତି ହୋଇ ଚକଡ଼ା ଛଡ଼ା ।

ବୁଲିଛନ୍ତି ଜନ             ପଥରୁ ସେ ବନ

ପଥ କାନ୍ତାରରୁ ମହାକାନ୍ତାର

ଏକ ଉର୍ଜସ୍ୱଳ            ଶୋର୍ଯ୍ୟ ଅସହାୟ

ଦୁର୍ବଳ ଭୀରୁତା ଦୁର୍ବଳତାର ।

ସେହି ଐକ୍ୟ ହୀନ            ଦୁରୁବଳତାର

ସୁଯୋଗରେ ସୁବାଦାର ନାଏବ

ନଜୀମ ତକୀଖାଁ            ସେ ଦିନାକ୍ରମଣେ

ଚୁରିଥିଲା ବରୁଣେଇ ଗୌରବ ।

ବରୁଣେଇ ରାଜ-            ଧାନୀ କଟକର

ଗୋ÷ରବ ଭିତରଗଡ ଉପରେ

ଅଧସ୍ତନ ପୌଂଜ-            ଦାରେ କରି ସଜ

ରଖିଣ ସୈନ୍ୟ ଘାଟିମାନଙ୍କରେ ।

କରିଣ ସ୍ଥାପନ            ନାଏବ ନଜୀମ

ଶ୍ରୀ ମଂଦିର ଆକ୍ରମଣ କରିବା

ଦୁରଭି ସଂଧିକୁ             ରଖି ଟାଣ ପଣେ

ସଇନ୍ୟ ଚାଳନା ବେଳେ ନିନ୍ଦିବା ।

ପାଇଁ ଜଗନ୍ନାଥ,            ଉଦଘୋଷ କରି

ଥିଲା “ଆଲ୍ଲା ହୋ ଆକବର” ବୋଲି

ଓଡିଶା ପାଇକ            ବାହିନୀ ସଜ୍ଜିତ

ହୋଇ ବୀର ବିକ୍ରମରେ ସଂଭାଳି ।

ଛାଡିଥିଲେ ଜୈତ୍ର            ଯାତ୍ରାର ଉଦ୍‌ଘୋଷ

ପହଳି ଫେରାଇଥିଲେ ବିକ୍ରମେ

ଜୟ ଜଗନ୍ନାଥ            ଜୟ ଜଗନ୍ନାଥ

ଧ୍ୱନିରେ କଂପାଇ ତିନି ଭୁବନେ ।

ପାଇକ ମାନଙ୍କ            ବଜ୍ର ନିର୍ଘୋଷର

ଜୟଧ୍ୱନିରେ ତକୀଖାଁର ସୈନ୍ୟ

ବହୁତ ସଂଖ୍ୟକ            ଲସ୍‌କର ବାହିନୀ

ହୋଇଯାଇଥିଲେ ସାହାସେ ଦୈନ୍ୟ ।

ସହସା ଶଂକାର            ଭଟ୍ଟା ପଡିଥିଲା

ମୋଗଲବାହିନୀ ହୃଦ ଭିତରେ

ଜୟ ଜଗନ୍ନାଥ             ଶବଦ ଶାଣିତ

ମନ୍ତ୍ର ପଶି ସର୍ବ କର୍ଣ୍ଣକୁହରେ ।

ସେ ଶାଣିତ ମନ୍ତ୍ର            କରିଥିଲା ସୃଷ୍ଟି

ସମ୍ମୋହନ ମାୟା ଭୀରୁ ଆଶଙ୍କା

ମୋଗଲଙ୍କ ମଧ୍ୟେ            ଶୟନେ ସପନେ

ଜାଗରଣେ କରି ତାଂକୁ ତାଟକା ।

କିଂତୁ ଜଗନ୍ନାଥ            ଓଡିଆ ଜାତିର

ସଂସ୍କୃତିକୁ ଉଜ୍ଜୀବିତ ରଖିବା

ଭିତରେ ଜୀବନ            କ୍ଷେତ୍ରରେ ଅନୈକ୍ୟ

ଯେଉଁ ଶାପ ଖଂଜିଛତି ପାଇବା ।

ତାହାରି ଗରଳ             ଜ୍ୱାଳାରେ ଏ ଜାତି

ଯୁଗେ ଯୁଗେ ଗୃହ ରିପୁର ଜାଲେ

ପଡି ଯାଇଛନ୍ତି            ହୋଇ ପରାହତ

ଷଡଯନ୍ତ୍ର ଭେଦ ପରଶି ଭାଲେ ।

ତାହା ହିଁ ହୋଇଲା            ମୋଗଲ ଯୁଦ୍ଧରେ

ଦେଖୁ ଦେଖୁ ଛତ୍ରହାର ଘାଟିରେ

ନିଯୁକ୍ତ ସେ ବକ୍ସି            ବିଶ୍ୱାସ ଘାତକ

ବେଣୁ ଭ୍ରମରବର ସଂପ୍ରୀତିରେ ।

ମୋଗଲ ଲସ୍‌କର            ବାହିନୀ ସକାଶେ

ପଥ ନିଷ୍କଂଟକ ଦେଲା କରାଇ

ଗଂଜାଗଡ ମାନ-             ସିଂହ ମଧ୍ୟ ଯୁଦେ୍ଧ

ସଂପୂର୍ଣ୍ଣ ମଉନ ହୋଇଲେ ଥାଇ ।

ଗୃହ ଶତୃଙ୍କର            ଷଡଯନ୍ତ୍ର ଫଳେ

ଇତିହାସ ପୁନରାବୃତ୍ତି କରି

ବଂଦୀ ହୋଇଥିଲେ            ତକୀଖାଁ ହାତରେ

ଖୋରଧା ରାଜନ ଭାଗ୍ୟ ଆଦରି ।

ସେତେବେଳେ ବକ୍ସି            ବେଣୁ ପଶାପାଲି

ଖେଳି ଷଡଯନ୍ତ୍ର ପରିଣାମରେ

ଦେଖିଥିଲେ କେତେ            ସବୁଜ ସପନ

ଖୋର୍ଦ୍ଧା ବରୁଣେଇ ସିଂହାସନରେ ।

ଓଡିଶାର- ଇତି-            ହାସେ କାଳେ କାଳେ

ଷଡଯନ୍ତ୍ର କରବାଳ କଳଙ୍କେ

ରକତ ରଂଜିତ            ହୋଇଛି ପ୍ରଭୁତ୍ୱ

ଆତ୍ମୀୟତା କ୍ଷମତାର ଚଡକେ ।

ଆତ୍ମୀୟତା - ବୋଧ            କ୍ଷମତାଂଧ ମୋହ

କେବେହେଲେ ମମତାର୍ଦ୍ର ହୋଇନି

ଏହି କଳଙ୍କର             ବାରମ୍ବାର ପୁନଃ

ଆବୃତି ଯୋଗୁହିଁ ମଥା ଉଠିନି ।

ଇତିହାସ କଳଂ-            କିତ କୃଷ୍ଣ ମସୀ

ମଣ୍ଡିତ ଲାଂଛିତ ସେଇଥିପାଇଁ

ଏ ଜାତି ଐତିହ୍ୟ            ମହନୀୟ କୃତି

ସଂହତି ବୋଧରେ ନିଂଦାକୁ ପାଇ ।

ଏକ ଦୀର୍ଘଶ୍ୱାସ            କରୁଣ ନିକ୍ଷେପ

କରି ରାମଚନ୍ଦ୍ର ଦେବ ଗବାକ୍ଷ-

ଧାରରେ ମୁକତ            ଗୋଲାପ ବାଟିକା

ଚାହିଁଲେ ଅପଲକରେ ପ୍ରତ୍ୟକ୍ଷ ।

ବିଗତ ଯୌବନା            ଗୋଲାପ ବିଦାୟ

ଅନୁକ୍ତ ଆରତ ଧ୍ୱନି ମଧ୍ୟରେ

ଖସି ପଡିଥିଲା             ହୋଇ ଅସହାୟ

ପରା ବୃନ୍ତୁ ଝଡି ଭୂମି ଉପରେ ।

କେତୋଟି ହଳଦୀ            ବସନ୍ତ ପକ୍ଷିଙ୍କ

କଂଠେ ପ୍ରଣୟର ମଧୁ ସଂଗୀତ

ଗାଇ ଗାଇ କେଉଁ             ଆଡେ ଉଡ଼ିଗଲେ

ଗୋଲାପ ବାଟିକା ଛାଡି ତଡିତ ।

ସେହି ବାଟିକାର            ବୁର୍ଖା ଧାରିଣୀଙ୍କ

ସଉନ୍ଦର୍ଯ୍ୟ ଆଉ ବଗିଚା ମଧ୍ୟେ

ଘୁମନ୍ତ ମାୟାର            ରଚନାକୁ କରୁ

ନଥିଲା ସେଠାରେ ହୁନ୍ଦର ମଧ୍ୟେ ।

ଦ୍ୱାର ଖୋଲିବାର            ଶବଦରେ ଧିରେ

ପ୍ରକୃତିସ୍ଥ ହୋଇ ଉଠିଲେ ରାଜା

ଅଷ୍ଟମ ମହଲା            ବଂଦୀ ଗୃହ ମଧ୍ୟେ

ପ୍ରବେଶ ମୋଗଲ ଲସ୍‌କର ତାଜା ।

ଠୁଙ୍କିଣ ସଲାମ            ରଜା ନିକଟରେ

ନୀରବରେ ହେଲେ ଦଣ୍ଡାୟମାନ

ପଚାରିଲେ ରଜା            ଅଛି କି ଖବର

ଖାସ ଖୋଲି କହ ମିଆଁ ଜବାନ ।

ବିନମ୍ର କଂଠରେ            ଲସ୍‌କର କହିଲା

ଅଛି ହେ ହଜୁର ଆପଣ ପାଇଁ

ସଲାମ ରେଜିଆ            କହିଛନ୍ତି ବେଟି

ରାଣୀ ଶୁଭ ବାର୍ତ୍ତାଛନ୍ତି ପଠାଇ ।

ଖୋର୍ଦ୍ଧାର ନବାବ            ଜଗନ୍ନାଥଙ୍କର

ପ୍ରଥମ ସେବକ ପରା ଆପଣ

ନିଶ୍ଚିତ ଭାବରେ            ଜାଣିଥିବେ ପଢ଼ି

ଜ୍ୟୋତିଷ ବିଦ୍ୟାକୁ କରି ମନନ ।

ସେହି ମରମରେ            ଆପଣ ଜନାନା

ମହଲକୁ ଗଲେ ବେଟିଆ ରାଣୀ

ରେଜିଆ ଭେଟିବେ,            ଚମକି କହିଲେ

ରଜା ଶୁଣି ସିଏ କା ବେଟି ରାଣୀ?

ସେ ଗୋଲାପ-କୁଂଜ-            ବାଟିକା ଭିତରେ

ଯେଉଁ ଚନ୍ଦ୍ର ଟୁକୁଡାକୁ ଆପଣ

ବାରମ୍ବାର ଦେଖୁ            ଥିଲେ ବାତାୟନେ

ପାଶୋରି ନଥିବେ କହୁଛି ମନ ।

ସେ ଚାନ୍ଦ ଟୁକୁଡା            ହେଉଛନ୍ତି ପରା

ନାଏବ ନଜୀମ ତକୀଖାଁ ଭଗ୍ନୀ

ରେଜିୟା ତାଙ୍କ ନା            ଜବାଧରୀ ବାଳା

ସର୍ବଗୁଣ ସଂପନ୍ନା ସେ ରମଣୀ ।

ଅନୁମତି ଲୋଡେ            ଆପଣଙ୍କର ମୁଁ

ନାଏବ ନଜୀମ ଦରବାରରେ

ସମ୍ମତି ପାଇଲେ            କରିବି ବ୍ୟବସ୍ଥା

ଆପଣଙ୍କ ହାଜିରର ସତ୍ୱରେ ।

କେତୋଟି ମୁହୁର୍ତ୍ତ            ମଉନ ରହିବା

ପରେ ରାମଚନ୍ଦ୍ର ଦେବ ଉଷତେ

କହିଲେ ଜ୍ୟୋତିଷ            ବିଦ୍ୟା ଜାଣେ ଲବେ

ଏଥିରେ ସଂଦେହ ନାହିଁଟି ସତେ ।

ଜ୍ୟୋତିଷକୁ ତୁମ             ରାଣୀ ବେଟିଆକି

ବିଶ୍ୱାସ କରିବେ ଜବାନ ମିଆଁ ?

ଉଜ୍ଜ୍ୱଳ ହୋଇଣ            ଉଠିଲା ନୟନ

ସସ୍ମିତ ମୁଖରେ ନାହିଁ ଛାନିଆ ।

ତୋବା ତୋବା ଶବ୍ଦେ            ଗୁଂଜରି ଉଠିଲା

ଲସ୍‌କର ମିଆଁ ହରଷ ଭରେ

ଜନାନା ମହଲେ            ଜ୍ୟୋତିଷ ଉପରେ

ଅଖଣ୍ଡ ବିଶ୍ୱାସ ଅଛି ହୃଦରେ ।

ଏପରିକି ଖୋଦ            ନାଏବ ନଜୀମ

ତକୀଖାଁ ଜ୍ୟୋତିଷ ବାଣୀ ବିଶ୍ୱାସ

କରନ୍ତି ମାନସେ            ଅତିଶୟ ଭାବେ

ଯେହ୍ନେ ଯାଏ ତାଂକ ଶ୍ୱାସ ପ୍ରଶ୍ୱାସ ।

ଆପଣଙ୍କ ବାର୍ତ୍ତା            ସ୍ୱୀକାରକୁ ଧରି

ଫେରିଯିବି ତାଂକୁ କହିବା ପାଇଁ

ହସି ହସି ରାଜା            କହିଲେ କହିବ

ଭାଗ୍ୟ ନିରିମାଣ ମୁଁ ଜାଣେ ନାହିଁ ।

ଜ୍ୟୋତିଷବିଦ୍ୟା ମୁଁ            ଜାଣେ ସତକଥା

ଭାଗ୍ୟର ନିର୍ମାତା ଜଗତ - ସ୍ୱାଇଁ

ପରମ ଆରାଧ୍ୟ            ପ୍ରଭୁ ଜଗନ୍ନାଥ

ବେଟିଆ ରାଣୀକୁ କହ ବୁଝାଇ ।

ଉପାସନା ନିତି            କରିବେ ମାନସେ

ଜଗତନାଥଙ୍କୁ ସହୃଦୟରେ

ସେ ସାଂପ୍ରଦାୟିକ             ମତ ବର୍ଣ୍ଣାତୀତ

ଜାତି ଚିନ୍ତା ତାଂକ ନାହିଁ ମନରେ ।

ଚିନ୍ତା - ଚିନ୍ତାମଣି            ଭକ୍ତ ଶିରୋମଣି

ମାନଙ୍କର ପରା ସେ ହିଁ ମାଲିକ

ନସୀବର ଶ୍ରେଷ୍ଠ            ନିର୍ମାତା ସେ ପ୍ରଭୁ

ଆଉ ଯେତେ ସବୁ ପୂର୍ଣ୍ଣ ଅଳୀକ ।

ସଲାମ ଜଣାଇ            ଗଲା ଅପସରି

ସେ କାରାଗୃହରୁ ମିଆ ଜବାନ

ରାମଚନ୍ଦ୍ର ଦେବ            ଗୋଲାପ ବାଟିକା

ଚାହିଁଲେ ଶ୍ରୀ ମୁଖ ଦିଶେ ଅମ୍ଳାନ ।

ମଧ୍ୟାହ୍ନ ଖରାରେ            କୋମଳ ଗୋଲାପ

ଫୁଲଚୟ ବ୍ୟଥା ଆତୁର ସତେ

ଏପଟ ସେପଟ              ହୋଇ ଦୋଳାୟିତ

ହେଉଥିଲେ ଭାବାଗତେ ପରତେ ।

ସେତେବେଳେ ଦୁର୍ଗ            କେଉଁ ମହଲାରୁ

ଭାସି ଭାସି ଆସୁଥିଲା ଖବର

ପ୍ରଭଂଜନେ ମୋଲ୍ଲା             ଡାକ ବାରମ୍ବାର

ଆସୁଥିଲା ଆଲ୍ଲା ହୋ ଆକବର ।

ଜନାନା ମହଲେ            ରାମଚନ୍ଦ୍ର ଦେବ

ପହଞ୍ଚିବା ମାତ୍ରେ ପ୍ରହରାରତ

ଜଗାଳୀ ଜବାନ            ସଲାମ ଠୁଙ୍କିଲେ

ସାମରିକ କାଇଦାରେ ଉଷତ ।

ନିଦ୍ୱନ୍ଦ୍ଵେ ଜନାନା             ମହଲକୁ ଯାଇ

ରାଜା ଅଳିନ୍ଦର ରୁପ ସଜ୍ଜାକୁ

ଚାହିଁଲେ ମୋଗଲ            ସୌନ୍ଦର୍ଯ୍ୟକୁ ଯାହା

କରେ ପରିହାସ ସ୍ୱର୍ଗ-ସଜ୍ଜାକୁ ।

ମୋଗଲ ବିଳାସ            ଭବ୍ୟ ଘଟାଟୋପ

ଯେପରି କକ୍ଷର କୋଣାନୁକୋଣେ

ଉତ୍‌କୀର୍ଣ୍ଣ ହୋଇଣ            ଥିଲା କାନ୍ଥ ବାଡେ

ପ୍ରସାରି ବିକ୍ଷିପ୍ତେ ପ୍ରାସାଦ କୋଣେ ।

ସୋଫାର ଉପରେ             ବସିଗଲା ପରେ

କୁର୍ଣ୍ଣିସ ଜଣାଇ ବୁର୍ଖା ଭିତରେ

ମୁଖଚନ୍ଦ୍ରାବୃତ            କରି ନୀରବରେ

ଯେ ତନ୍ୱୀ ଜଣକ ଆସିଲେ ଧିରେ ।

ବୋଧହୁଏ ସେହି            ବେଟିଆ ରେଜିୟା

ରାଣୀ ହୃଦୟର- ରାଣୀ ରାଜାଙ୍କ

ସୁଧିର କଂଠରେ            ଅବଗୁଣ୍ଠନରୁ

କୋକିଳର ବାଣୀ ଶୁଭିଲା ତାଂକ ।

ଖୋର୍ଦ୍ଧାର ନବାବ            ସାହେବ ପବିତ୍ର

ପାଦ ଆଜି ଜନାନା ମହଲାରେ

ପଡିଛି ଆମର            ଏହା ପୁଣ୍ୟ ଫଳ

ପ୍ରଭୁ ଜଗନ୍ନାଥଙ୍କର ଦୟାରେ ।

ଜଗତନାଥଙ୍କୁ            ଆପଣଙ୍କଠାରେ

କଲି ମହାରାଜା ଏଠି ଦର୍ଶନ

ମୋର ଅଭିଳାଷ            ବାଂଛିତ ସାର୍ଥକ

ଆଜି ହୋଇଗଲା ଏ ମୋର ପୁଣ୍ୟ ।

ଶୀହରି ଉଠିଲେ             ହୋଇ ରୋମାଂଚିତ

ବୀରବର ରାମଚନ୍ଦର ଦେବ

ମୋଗଲ ଦୁହିତା            ରେଜିୟା କଂଠରେ

ପୁଣି ଜୟଗାନ ଜଗତ ଦେବ ।

ଭବ୍ୟ ସମ୍ବର୍ଦ୍ଧନା            କାଫେର ଦେବର

ପୁଣି ସେ ଜନାନା ମହଲ ମଧ୍ୟେ ।

ଆଶ୍ଚର୍ଯ୍ୟ ଲାଗୁଛି            କାନକୁ ଏକଥା

ସତେ ଦେଖୁଛଂତି ସତ୍ୟର ମଧ୍ୟେ ।

ସୋଫାର ଅପର            ପାଶ୍ୱର୍ରେ ରେଜିୟା

କହିଲେ କରିଣ ଉପବେଶନ

ମୁଁ ବ୍ରାହ୍ମଣୀ କନ୍ୟା            ଜବାଧାରୀ ନାମେ

ଡାକନ୍ତି ସରବେ ଉଷତ ମନ ।

ନଗ୍ନ ଧର୍ମାଂଧତା             ନିଶା ଆଉ ପଶୁ

ବଳ ସ୍ୱେଚ୍ଛାଚାର ହୋଇ ଶିକାର

ମୁଁ ଆଜି ମୋଗଲ            ଦୁହିତା ରେଜିୟା

ଏ କଳି ଯୁଗରେ ହେଲି ବେକାର ।

ଯୁଗେ ଯୁଗେ ଆମ            ମୁକ୍ତିର ଦେବତା

ଜଗତର ପ୍ରଭୁ ଜଗତନାଥ

ମୁର୍ଶିଦାବାଦର             ମୁଁ ଦେବ ନର୍ତ୍ତକୀ

କାଂଚନବାଳାଙ୍କ କନ୍ୟା ଅନାଥ ।

ମୋ ବିଧବା ମାତା            କାଂଚନବାଳାଙ୍କୁ

ନବାବ ସୁଜାଖାଁ ସେ ଦୁରାଚାରୀ

ନେଇତା ହାରେମେ             ରଖିଥିଲା କ୍ରୃର

ଅପହରଣ କରିଣ ସଂଭାଳି ।

ଜବାଧରୀ ହତ-            ଭାଗିନୀ କନ୍ୟା ମୁଁ

କାଂଚନ ବେଗମ ମୋଗଲ ଧର୍ମେ

ହୋଇଲି ରେଜିୟା             ମୋ ପିତା ସୁଜାଖାଁ

ତକୀଖାଁର ପିତା ହେଲେ କରମେ ।

ଯୁଗେ ଯୁଗେ ହିଂଦୁ            ସନାତନ ଧର୍ମ

ନବାବ ସାହେବ ମୁଁ ପୂଜାରିଣୀ

ମୋର ମା ଜଗତ-             ନାଥ ଉପାସିକା

କଟକର ଲାଲବାଗ ବାସିନୀ ।

କରିବା ପୂର୍ବରୁ             ସେ ଶେଷ ନିଶ୍ୱାସ

ତ୍ୟାଗ ଥରେ ଯାଇ ଜଗନ୍ନାଥଙ୍କୁ

ଦରଶନ କରି             ପାରି ନଥିଲେ ସେ

ଦୋଷ ଦେଉଥିଲେ ସ୍ୱ ନସୀବକୁ ।

ରାମଚନ୍ଦ୍ର ଦେବ             ଭୀମ ଭାରାକ୍ରାନ୍ତ

ମନ ନେଇ ମୋ÷ନ ଭାବରେ ବସି

ଚାହିଁଥିଲେ ବୁର୍ଖା-            ବୃତ୍ତା ରେଜିୟାଙ୍କୁ

ରୋମାଂଚିତ ଉତ୍ତେଜନା ପରଶି ।

ସ୍ୱଧୀର କଂଠରେ            କହିଲେ ରାଜନ

ଖୋର୍ଦ୍ଧା ଭାଗ୍ୟହୀନ ନବାବ ଆଜି

ଘଟଣା ଚକ୍ରରେ            ଜ୍ୟୋତିଷ ହୋଇଛି

ବେଟୀରାଣୀ ରେଜିୟା ଗୋ ବିରାଜି ।

ଧର୍ମାଂଧ ତକୀଖାଁ            ତୁମର ଭାଇ ଗୋ

ମୋତେ କରି ବଂଦୀ ରାଷ୍ଟ୍ର ଦେବତା

ଶ୍ରୀ ଜଗନ୍ନାଥଙ୍କୁ             ଭୁଲୁଣ୍ଠିତ କରି

-ବାର ହୀନ ଚିନ୍ତା କରି ବ୍ୟବସ୍ଥା ।

କରିଛନ୍ତି ଇଚ୍ଛା            ପୋଷଣ ମାନସେ

କିଂତୁ ତୁମେ ଅଟ ସେ ପ୍ରଭୁଙ୍କର

ମୋ÷ନ ଉପାସିକା            ସର୍ବଦା ଜୀବନେ

ଭକତ ଅନୁରାଗିଣୀ ତାଂକର ।

ତେବେ ଏ ନାଏବ            ନଜୀମ ସାହେବ

ତକୀଖାଁ ଏ ହୀନ ଉଦ୍ୟମୁ କ’ଣ

ବିରତ ହେବେନି            କି ରେଜିୟା ରାଣୀ

ସଂଦେହ ଆସୁଛି କ୍ଷଣ କୁ କ୍ଷଣ ।

ଏଥର ସ୍ୱମୁଖ-            ମଣ୍ଡଳ ଉପରୁ

ବୁର୍ଖାପସାରଣ ରେଜିୟା କରି

ସନ୍ତରପଣରେ            ଚାହିଁ ଚାରିଦିଗେ

କହିଲେ ଚାରୁ ଭାଷିଣୀ ସୁଂଦରୀ ।

“ଉଦାସ ମନର            ବ୍ୟଥାତୁର ଭାବ

ଆପଣଙ୍କ, ଗୁଲାବ ବାଟିକାରେ

ଇତିହାସ ଲକ୍ଷ୍ୟ            କରି ଅଧ୍ୟୟନ

କରିଛି ନାଏବ ସାହେବ ବାରେ ।

ପ୍ରବୀଣ ଜ୍ୟୋତିଷ             ବୋଲି ସବୁବେଳେ

କରିବେ ଜାହିର ନିଜେ ଆପଣ

ନାଏବ ନଜୀମ             ନିକଟେ ଏକଥା

ପେଶ କରିବି ମୁଁ ଦୃଢ଼ କଥନ ।

ହୁଏତ ନାଏବ            ନଜିମ ଚିନ୍ତାରେ

ପରିବରତନ କିବା ଆସିବ

ଶ୍ରୀ ଜଗନ୍ନାଥଙ୍କୁ             ଭୁଲୁଣ୍ଠିତ ଚିନ୍ତା

ବ୍ୟବସ୍ଥା ହୁଏତ ବଦଳି ଯିବ ।

“ଜ୍ୟୋତିଷ ବିଜ୍ଞାନେ            କୌଣସି ପ୍ରବେଶ

କିଂତୁ ମୋର କେବେ ନଥାଇ ସୁଦ୍ଧା

ଡକାଇବାର କି             ଉଦ୍ଦେଶ୍ୟ ରିଜିୟା

ମୋତେ ଏ ଜନାନା ମହଲେ ଦ୍ୱିଧା?”

ଏହି ଅଭାବିତ             ପ୍ରଶ୍ନରେ ରିଜିୟା

ଶୀହରି ଉଠିଳେ କି ପୁଲକରେ

ପୁଲକର ରାଜ -            ହଂସ ପାଣି କାଟେ

ସେ କଳା ଘୁମର ଆଖି ଉପରେ ।

ଶ୍ରୀ ଜଗନ୍ନାଥଙ୍କ             ରାଜ୍ୟର ନବାବ

ରାଜ ବଂଦୀ ହେବା ଜାଣି ଏଠାରେ

ଗଭୀର ଭାବରେ            ବ୍ୟଥିତ ମୁଁ ଥିଲି

ହେ ରାଜା ସାହେବ ବଂଦୀଶାଳାରେ ।

ଆପଣଙ୍କୁ ବାରେ            ଦେଖିଲେ ପାଶରେ

ପ୍ରଭୁ ଦରଶନ କରିବି ବୋଲି

ଗଭୀର ବିଶ୍ୱାସ            ମୋର ସେଥିପାଇଁ

ଏକାନ୍ତେ ସଦନେ ଭେଟିବି ବୋଲି ।

ଏହି ନାଟକର            ଏ ଅବତାରଣା

ତେଣୁ ଜଣେ ମାତ୍ର ଦେବ ଦାସୀର

ଆତ୍ମ ସମର୍ପଣ            ପବିତ୍ର ଭାବନା

ଉଜ୍ଜୀବିତ ପ୍ରାଣ ତନ୍ତୁରାଶିର ।

ସେହି ସମର୍ପଣ            ଭାବନା ନେଇ ମୋ

ଆପଣଙ୍କ ସହ ମୁଲାକାତର

ଅଭିପ୍ରାୟ ରାଜା            ସାହେବ ଏଠାରେ

ଜନାନା ମହଲେ ମୂଳ-ମନ୍ତର ।

ଅବ୍ୟକ୍ତ ପ୍ରଣୟ            ଗୀତିର ଯେପରି

ମୂର୍ଚ୍ଛିତ ହୋଇଲା ମୃଦୁ ଝଂକାର

ସହସା ସେଠାରେ            ନୀରବତା ମଧ୍ୟେ

ପ୍ରୀତି-ଜଳଧର-ସୁଖ ଅପାର ।

ମହଲ ସମ୍ମୁଖ            ପ୍ରାଙ୍ଗଣ ଦଂପତ୍ତି

ପାରୀବତ କଉତୁକେ ସେଠାରେ

ଥିଲେ ବ୍ୟସ୍ତ ଚଂଚୁ            ଚୁଂବନେ ଦୁଇଟି

ନଚାହିଁ କାହାକୁ ପରସ୍ପରରେ ।

ନିଷ୍ପଲକ ଦୃଷ୍ଟି            ନିର୍ବାକ ରାଜନ

ରାମଚନ୍ଦ୍ର ଦେବ ଏଣୀ ନୟନା

ନିବେଦିତା ପ୍ରିୟା            ରିଜିୟାଙ୍କୁ ଚାହିଁ

ରହିଥିଲେ ରସିକର ଭାବନା ।

ରିଜିୟା ବି ନିଜେ            ସ୍ୱ କଳାଘୁମର

ଆଖିରେ ପରଖି ବୀର-ରାଜନେ

ଦେଖୁଥିଲେ ଆଦ୍ୟ             ସେବକ ପ୍ରଭୁଙ୍କ

ପ୍ରେମ ଭାବନାରେ ମଜ୍ଜି ମଉନେ ।

ଫୁଟନ୍ତା ଗୋଲାପ            ଫୁଲଟିଏ ଦେଇ

ରାଜାଙ୍କୁ ରିଜିୟା ମୃଦୁ ମଧୁରେ

କୁଣ୍ଠିତ ଭଂଗୀରେ            କହିଲେ ହେ ରାଜା

ଘେନନ୍ତୁ ଏ ନାରୀ ହୃଦ ମଧୁରେ ।

ଆପଣଙ୍କ ରାଜ୍ୟ            ଲକ୍ଷ ଲକ୍ଷ ପ୍ରଜା

ମାନଙ୍କ ମଧ୍ୟରେ ମୁଁ ମଧ୍ୟ ଜଣେ

ନାରୀ ପରଜାର            ଅଧିକାର ଇଚ୍ଛେ

ଆହେ ଖୋଦାବଂଦ ଘେନନ୍ତୁ ମନେ ।

ସେହି ଅଧିକାର            ଦରକାର ମୋର

ଘେନନ୍ତୁ ଏ ହତ ଭାଗିନୀ କର

ଆପଣଙ୍କ ମନ-            ରାଜ୍ୟର-ନିଭୃତ

ଇଲାକାରେ ସ୍ଥାନ ଦେଇ ସତ୍ୱର ।

ପର ମୁହୁର୍ତ୍ତରେ             ଜଣାଇ କୁର୍ଣ୍ଣିସ

ରିଜିୟା ଅଂଦର ମହଲେ ଗଲେ

ଅସମାପ୍ତ ରହି            ଗଲା କଥା ସେଠି

ଫେରିଲେ ରାଜନ ଘେନି ଲସ୍‌କରେ ।

ବାରବାଟୀ ଦୁର୍ଗ            ଅଷ୍ଟମ ପ୍ରସ୍ତର

କାରା କକ୍ଷେ ଯାଇ ହେଲେ ପ୍ରବେଶ

ଯେପରି ପ୍ରୀତିର            ମେଂଚା ମେଂଚା ଫୁଲ

କିଏ ବିଂଛି ଦେଇଥିଲା ବିଶେଷ ।

କୁଲାୟ ପ୍ରତ୍ୟାଶୀ            ପକ୍ଷୀ ଦଳ ଦଳ

ବିଚିତ୍ର କାକଳୀ କରିଣ ସୃଷ୍ଟି

ମହାନଦୀ ବକ୍ଷ            ଉପରୁ ନଗର

ମୁଖେ କରୁଥିଲେ ଅମୃତ ବୃଷ୍ଟି ।

ଗୋଲାପ ବାଟିକା            ଭିତରେ ଦୁଇଟି

ହଳଦୀ ବସନ୍ତ ପକ୍ଷୀ ସ୍ୱନୀଡେ

ଫେରି ଯିବା ପାଇଁ            ହେଉଥିଲେ ସଜ

-ବାଜ ପ୍ରକୃତିର ଜନତା ଭିଡେ ।

ମହଲ ସମ୍ମୁଖ            ଅଗଣାରେ ବସି

ପାରାବତ ଚଂଚୁ ଚୁମ୍ବନେ ଛୁଇଁ

କରୁଥିଲେ ସତେ            ପ୍ରେମାଳାପ କେତେ

ପରସ୍ପରେ ପ୍ରେମ-ରସରେ ଦୁଇ ।

ରାମଚନ୍ଦ୍ର ଦେବ            ଭୀମ ଭାରାକ୍ରାନ୍ତ

ମନ ନେଇ ଏକ ଗବାକ୍ଷ ଧାରେ

ଚାହିଁ ରହିଥିଲେ            ସେହି ଫଲ୍ଗୁ ବନ୍ୟା

ପ୍ରକୃତିର ପ୍ରୀତି-ରସ ସଂଭାରେ ।

ଯବନୀ ରିଜିୟା            ଇଚ୍ଛେ ହିଂଦୁ ନାରୀ

ମାନ୍ୟତା ମନରେ ଜଗନ୍ନାଥରେ

ତା ପୁଣି ମନର            ଇଲାକାରେ ଚୁମ୍ବି

ରହିବାକୁ ରାଜା-ହୃଦ ରାଜ୍ୟରେ ।

ରେଜିୟାଙ୍କ କମ୍ର            ଗୌର-ମୁଖ-ଜ୍ୟୋତି

ମଣ୍ଡଳେ ବେଦନା କୁଂଚିତ ରେଖା

ରାଜି ଯେଉଁପରି            ଅସହାୟ ଭାବେ

ବ୍ୟର୍ଥ-ବିଦ୍ରୋହରେ ସେ ଦିନ ଦେଖା ।

ଦେଇ କରୁଥିଲେ             ଘୋଷଣା ଦର୍ପରେ

ନ ହୋଇବାକୁ ମୋଗଲ ଗୁଲାମ

କୁଳୋଦ୍ଭଦ ହେଲେ             ମଧ୍ୟ ଯବନର

ହିଂଦୁ ମାତୃ ରକ୍ତ ପୁଷ୍ଟ ମହାନ ।

ସେ ପୁଷ୍ଟ ଶରୀର            ମଧ୍ୟରେ ରହିଛି

ସନାତନ ଧର୍ମର ପ୍ରେମଧାରା

ରିଜିୟାର ହୃଦେ             ହିଂଦୁ ଦେବପ୍ରତି

ଅକଳନ ଭକ୍ତି ଉଛ୍ୱାସ ଧାରା ।

ଭର୍ତ୍ତି ହୋଇଅଛି            ସେଥିପାଇଁ ଖୋର୍ଦ୍ଧା

ରାଜ୍ୟର ରାଜନ ସାନିଧ୍ୟ ଲାଭ

କରି ଜଗନ୍ନାଥ            କରୁଣା-ପ୍ରାର୍ଥିନୀ

ହୋଇଛି ତରୁଣୀ ବଢ଼ାଇ ଭାବ ।

ପ୍ରଭୁ କରୁଣାର            ଅମୀୟ ସ୍ପର୍ଶକୁ

ପାଇବାକୁ ଇଚ୍ଛା ରମଣୀ ମନେ

କାରାଗାର ରୁଦ୍ଧ            କୋଠରୀ ରାଜାଙ୍କ

ବାରବାଂର ପଡିଥିଲା କି ମନେ?

ଅବଶ୍ୟ ଯଥେଷ୍ଟ            ପରିବରତନ

କରାଯାଇଅଛି ଏଥି ମଧ୍ୟରେ

ହୋଇଛି ପ୍ରହରୀ             ବ୍ୟବସ୍ଥାର ଅପ-

-ସାରଣ ଯା ଥିଲା ଦ୍ୱାର ଦେଶରେ ।

ସୁସ୍ୱାଦୁ ଖାଦ୍ୟର            ସହ ସୁମଧୁର

ପାନୀୟ ବ୍ୟବସ୍ଥା ସାଂଗକୁ ଘର

ମଧ୍ୟେ ରାଜକୀୟ            ସମସ୍ତ ବ୍ୟବସ୍ଥା

ହୋଇ ଯାଇଅଛି ବଡ଼ ସୁଂଦର ।

ନାଏବ ନଜୀମ            ତକୀଖାଁ ଅପାର

କରୁଣାରୁ ଦେବ ରାମଚନ୍ଦର

ମନେ ମନେ ହସି             ଦେଲେ ନିଃଶବ୍ଦରେ

ଭାବି ଭବିଷ୍ୟତ ସର୍ବ କୌଶଳ ।

ଭଗିନୀ ରିଜିୟା            ପରାମର୍ଶ କ୍ରମେ

ତକୀଖାଁ କାଫେର ଭାବ ବଦଳେ

ପୋଷଣ କରୁଛି            ଉତ୍ତମ ବଂଧୁତ୍ୱ

ଯୋଜନା ନକରି ତା କଉଶଳେ ।

ଆଉ ଯଦି ସେହି            ବଂଧୁତ୍ୱ ଭାବନା

ହୋଇଯାନ୍ତା ରାଜ୍ୟେ ସଂପ୍ରସାରିତ

ତେବେ ଏ ଓଡିଶା            ଅକାରଣେ ଲବେ

ହୁଅନ୍ତାନି କେବେ ରକ୍ତ ରଂଜିତ ।

ଯବନୀ ରିଜିୟା            ନୀଳ ନୟନର

ଯେ କଳାଘୁମର ଚାହାଣୀ ତଳେ

ଆବେଦନ ଭ୍ରାନ୍ତି            ଝଲକ ଚମକୁ

ନାହିଁକି ତାହାର ସମର୍ପଣରେ?

ଅଳସକୁ ଭାଂଗି            ରାମଚନ୍ଦ୍ର ଦେବ

ଦୀର୍ଘଶ୍ୱାସ ଏକ କଲେ ନିକ୍ଷେପ

ଆଖି ବୁଜି ବୁଜି            ରିଜିୟାର ଆତ୍ମ-

ନିବେଦନ ହୃଦୟର ପ୍ରଲେପ ।

ଏହି ନିବେଦନ            ଯଦି ଓଡିଶାର

ଇତିହାସେ ଏକ ରକତହୀନ

ପ୍ରେମାର୍ଦ୍ର ଅଧ୍ୟାୟ            ରଚନା କରିବା

ବାରତାବହନ କରେ ସେ ଦିନ

ଫେରିବ ରାଜନ            ଅଳିନ୍ଦେ ଯବନୀ

ରିଜିୟା ବରୁଣେଇ କଟକରେ

ରାଣୀପଦ ମଣ୍ଡି-            ବାରେ ବା କାହିଁକି

ରହିବ ପ୍ରତିବଂଧକ ରାଜ୍ୟରେ ।

ଆଉ ଓଡିଶାର            ପ୍ରାଣବିନ୍ଦୁ ଯଦି

ଶ୍ରୀ ଜଗନ୍ନାଥଙ୍କ ସୁରକ୍ଷା ପାଇଁ

ଓଡିଶାର ଧର୍ମ            ଧାରାରେ ସ୍ୱଚ୍ଛନ୍ଦ

ପ୍ରବାହେ ତାହାଙ୍କୁ ପତିତ ପାଇଁ ।

ଜାତିଚ୍ୟୁତ ଅପ-            ଯଶ ପତିତର

ମିଳେ ସ୍ୱୟଂ ପ୍ରଭୁ ଜଗତନାଥ

ପତିତ ପାବନ             ବାନା ସାର୍ଥକତା

ପ୍ରତିପାଦନ କରିବେ ଯଥାର୍ଥ ।

ଧର୍ମ ସଂକଟର            ଗ୍ଲାନିରେ ଅତି ଷ୍ଠ

ହୋଇ ପଡୁଥିଲେ ନିଜେ ରାଜନ

ତାଂକ ଚିତ୍ତ ନଭେ            ବାନା ଫରଫର

ଉଡୁଥିଲେ ସେ ପତିତପାବନ ।

ମାଆ ଭୈ ମାଆ ଭୈ             ନିର୍ଘୋଷରେ ହୋଇ

ଦୃଢ଼େ ଦେଉଥିଲା କରି ମୁଖର

ମୁଖରିତ କରି            ଚତୁର୍ଦ୍ଦିଗ ଭେଦି

ପବନ ହିଲ୍ଲୋଳେ ଥିଲା ଚଂଚଳ ।

ସହସା କୋଠରୀ             ମଧ୍ୟକୁ ପ୍ରବେଶ

କଲେ ଦ୍ୱାର ଖୋଲି ପ୍ରୋ÷ଢ଼ ମୋ÷ଲବୀ

ଗଜପତି ଉଠି            ପଡି ଦେଖି କରି

ସଂଭ୍ରମତା ରଖି ଭାଷିଲେ ଭାବି ।

ତସ୍‌ରିଫ ରଖନ୍ତୁ            ମୋ÷ଲବୀ ସାହେବ

କହନ୍ତୁ କିପରି ଆପଣଙ୍କର

ଆଗମନ ହେଲା            ଏହି କୋଠରୀକୁ

ଅସମୟରେ କି ଦେବେ ଖବର ।

ମୌଲବୀ ଗୋଟିଏ            ଚଉକି ଉପରେ

ବସିପଡି ଭାଷି ହେ ମହାଶୟ

ଜାଣି ନ ପାରନ୍ତି            ଆପଣ ହେ ଛାମୁଁ

ମୋତେ, ସବୁ ଜାଣିଛଂତି ନିଶ୍ଚୟ ।

ଓଡିଶା ମୁଲକେ            ଆପଣଙ୍କୁ କିଏ

ନ ଜାଣେ ଏମିତି ପ୍ରଜାକି ଅଛି?

ମୁଁ ଅଟେ କଟକ            ମୋ÷ଲବୀ ସାହେବ

କଦମରସୁଲରୁ ଆସିଅଛି

ବଂଧୁତ୍ୱର ବାର୍ତ୍ତା            ବହନ କରିଣ

ତହିଁ ରାମଚନ୍ଦ୍ର ଦେବ କହିଲେ

ବଂଧୁତ୍ୱର ବାର୍ତ୍ତା            ଆପଣଙ୍କ ଠାରୁ

ଆଶା କରାଯାଏ କି ନା ପହିଲେ ।

ପୂଜ୍ୟ ପରମାର୍ଥ            ପୁରୁଷ ଆପଣ

ଏପରିକି ଇସଲାମ ଧର୍ମର

ପଥଶ୍ରମ କରି             ଆସିଲେ ଏଠାକୁ

ଘେନି କାହାଠୁ ବିଶେଷ ଖବର ।

“ନାଏବ ନଜୀମ            ତକୀଖାଁ ପଠାଇ

ଅଛନ୍ତି ଶ୍ରୀ ଛାମୁଁ ହେ ମହାରାଜ

ବଂଧୁତା ବଂଧନେ            ବାଂଧି ରଖିବାକୁ

ଆପଣଙ୍କୁ ଚିରଦିନ ସମାଜ ।

ଆହେ ଇନସାଲା            ଆପଣଙ୍କ ପାଇଁ

ରିଜିୟା ଦେବୀଙ୍କ ମନେ ଯେ ପ୍ରୀତି

ଚିରାଗ ଜଳୁଛି            ସେଇ ଚିରାଗକୁ

ପ୍ରଜ୍ଜ୍ୱଳିତ କରାଯିବା ଚାହାଁନ୍ତି ।

ଏଥିପାଇଁ ଯାହା            ହେବ ଫରମାସ

ଆପଣଙ୍କର ହେ ନିର୍ବିବାଦରେ

ତକୀଖାଁ ମଂଜୁର            କରିବେ ସହସା

ରେଜିୟା ବେଟିକୁ ବିବାହ କଲେ ।

ଜଗନ୍ନାଥ ଆଲ୍ଲା            ହୋଇଯିବେ ଏକ

ଏହି ପ୍ରସ୍ତାବରେ କଲେ ସ୍ୱୀକାର

ଆଉ ମହାରାଜ            ରେଜିୟା ବେଟୀଙ୍କୁ

ହିନ୍ଦୁରାଣୀ ରୂପେ ବି ରଖିପାର ।

ଏଥିପାଇଁ ଯଦି            ଏହିନ୍ଦୁ ସମାଜ

ବିରୋଧ କରିବ ତେବେ ସ୍ୱାଗତ

କରିବ ଇସଲାମ୍‌            ଧରମ ଛାମୁଙ୍କୁ

ସେଥିପାଇଁ ହେବୁ ଆମେ ଉଷତ ।

ଚାହିଁଥିଲେ ଅପ-            ଲକ ନୟନରେ

ମୌଲବୀଙ୍କୁ ରାମଚନ୍ଦର ଦେବ

ଭାବୁଥିଲେ ଏହି             ଅମାନୁଷୀ ଲୀଳା

ଜାଣିଥିବେ ସେହି ଦେବାଧିଦେବ ।

ତାଂକର ପ୍ରଥମ            ସେବକ ସକାଶେ

ଯେପରି ଜଗତନାଥଙ୍କ ଏହା

ଏକ ନିଦାରୁଣ            ଅଗ୍ନିର ପରୀକ୍ଷା

କାଳର କରାଳ ଗତି କି ଏହା?

ଜଣାଇବ ମୋର            ଶୁଭେଚ୍ଛା ନଜୀମ

ତକୀଖାଁକୁ ଖୋଦାବଂଦ ନାଏବ

ଏହି ବିଷୟରେ            ପଚାରି ପାରେକି

ରେଜିୟାଙ୍କୁ ଟିକେ ପଠାଇ ଦେବ ।

ଅଲବତ ଅଲ-            ବତ ମୋ÷ଲବୀଙ୍କ

କଥା ନସରୁଣୁ ସେହି କୋଠରୀ

ମଧ୍ୟକୁ ନୂପୁର            ସିଂଚନେ ଚୌଦିଗେ

ନିକ୍ୱଣିତ ଧିରେ ଧିରେ ସେ କରି ।

ଯେଉଁ ବୁର୍ଖାବତୀ            ରମଣୀ ଜଣକ

ସହସା ପ୍ରବେଶ କଲେ ତାଂକର

କାନ୍ତି ଆଲୋକରେ             କୋଠରୀ ଝଲକେ

ହୋଇ ଦାଉ ଦାଉ ଗଲା ଅଂଧାର ।

ସେ ଅବଗୁଣ୍ଠନ-            ବତୀ ପ୍ରୀତି-ଲତା

ରେଜିୟାଙ୍କୁ ସମ୍ମୋହିତ ଦୃଷ୍ଟିରେ

ଚାହିଁଥିଲେ ବୀର            ରାମଚନ୍ଦ୍ର ଦେବ

ମଉଲବୀ ପ୍ରତୀକ୍ଷା କରିଥିଲେ ।

ମଧୁର କଂଠରେ            କହିଲେ ରାଜନ

ତସ୍‌ରିଫ ରଖନ୍ତୁ ରିଜିୟା ଦେବୀ

ଲାଲବାଗ କଟ-            କର ହାରେମର-

ଚାନ୍ଦ ବଂଦୀ ଘରେ ମୋଗଲବେବି ।

ଅଧିନର ଆଦୋ÷            ନଥିଲା ଧାରଣା

ବଂଦୀ କୋଠରୀରେ ହେବ ଉଦୟ

ମୋଗଲ ହାରେମ            ଚାନ୍ଦ ତକୀଖାଁର

ଭଗିନୀ ମୋ ପ୍ରତି ହୋଇ ସଦୟ ।

ଧିରେ ଧିରେ ବୁର୍ଖା            ଚାରୁ ଚନ୍ଦ୍ରମୁଖି

ଖୋଲିଣ ପାଟଳାଧରେ ସଲ୍ଲଜ

ହସର ପାଖୁଡା            ଫୁଟାଇ ଚଉକି

ଉପରେ ବସିଣ ହୋଇ ସଲ୍ଲଜ ।

ରାମଚନ୍ଦ୍ର ଦେବେ            କଲେ ନମସ୍କାର

ଯୁଗ୍ମେ ହସ୍ତେ ପ୍ରଫୁଲ୍ଲିତ ବଦନେ

ନତ ଭ୍ରୃ ଭଂଗୀରେ            ଚାହଁଲେ କଟାକ୍ଷେ

କରି ନିବେଦନ ପ୍ରଣାମ ମନେ ।

ବଂଦୀ ହୋଇଥିଲେ            ଖୋର୍ଦ୍ଧା ଗଜପତି

ରାମଚନ୍ଦ୍ର ଦେବ ଏ ଓଡିଶାର

ନାଏବ ନଜିମ            ତକୀଖାଁର ବଂଦୀ

ଶାଳାରେ ଯେଉଁଠି ଥିଲା ଅଂଧାର ।

ବର୍ତ୍ତମାନ ଠାରୁ            ହୋଇଗଲେ ବଂଦୀ

ରିଜିୟା ସାହେବା ପ୍ରୀତି ନୟନେ

ଯେ ବଂଦୀଶାଳାରୁ            ଆଉ ଫିଟିବାର

ବାଟ ନାହିଁ ସତେ ତିନି ଭୁବନେ ।

ଏହି ପ୍ରଣୟର            ପଦେ ପଦେ ଥିଲା

ଯେ ବିପଦ ରାଜି ହୋଇଣ ଠୁଳ

ଧର୍ମାଂଧ ତକୀଖାଁ            ସୁବିଧାବାଦୀ ସେ

ଜାଣିଥିଲେ ରାଜା ତାହାର ମୂଳ ।

ପରିବରତନ-            ଶୀଳକ୍ଷଣୁ କ୍ଷଣେ

ଯାର ମନୋଭାବ ଜାଣନ୍ତି ରାଜା

ସାର୍ବଭୌମ ମୁକ୍ତି            ଓଡିଶାର ହେଉ

ଏ ଢ଼ୋଲେ ପରଜା ବଜାନ୍ତି ବାଜା ।

ରାଷ୍ଟ୍ର ଦେବତା ଶ୍ରୀ            ଜଗନ୍ନାଥଙ୍କର

ମୁକ୍ତ ରତ୍ନ ସିଂହାସନ ସକାଶେ

ପ୍ରାଣପାତ କରି-             ବାକୁ ଗଜପତି

ପ୍ରସ୍ତୁତ ସର୍ବଦା ହୃଦ-ବିଶ୍ୱାସେ ।

ଏଥିପାଇଁ ଗଜ-            ପତି ସିଂହାସନ

ଆରୋହଣ କରିଛି ମୁଁ ରିଜିୟା

ସେହି ମର୍ମେ ତୁମେ            ହେବ ଗଜପତି

ରାଣୀ ଅନ୍ୟତମା ସେବିକା ପ୍ରିୟା ।

ତୁମ ଇଷ୍ଟ ଦେବ            ହେବେ ଜଗନ୍ନାଥ

ତୁମର ମୁକ୍ତିର ବୈକୁଣ୍ଠ ଧାମ

ଏ ଓଡିଆ ଜାତି            ଖାଏ ଗୋ ପଖାଳ

ସେ ପ୍ରୀତି ପଖାଳେ ଲେଖିବ ନାମ ।

ସେହି ପୀରତିରେ             ମଣିଷ ଜାତିକୁ

ଅନ୍ତରରେ ପଖାଳିବ ଓଡିଆ

ଜାତି ପରା ଚିର            ମହନୀୟ ଚିର

ମହେଜ୍ୟ ଜଗତେ ଅଟେ ବଢ଼ିଆ ।

ଏହା ଭାବୁଥିଲେ             ରାମଚନ୍ଦ୍ର ଦେବ

ଦେଖୁ ଦେଖୁ ବାଳାବର ବଦନେ

ନିଜ ଚଂପାକଢ଼ି             ଅଂଗୁଳିରୁ ଏକ

ରତନ ମୁଦ୍ରିକା କାଢିÿ ବହନେ ।

ରାମଚନ୍ଦ୍ର ଦେବ -            ଙ୍କର ଅନାମିକା

ଅଂଗୁଳିରେ ଦେଲେ ସ୍ନେହେ ପିନ୍ଧାଇ

କୋମଳ କଂଠରେ            କହିଲେ ହେ ଛାମୁଁ

ମୁଁ ବ୍ରାହ୍ମଣୀ କନ୍ୟା ଛାମୁଁଙ୍କ ପାଇଁ ।

ବୋଧହୁଏ ଖଂଜି-            ଛନ୍ତି ପ୍ରଜାପତି

ତେଣୁ ମୁଁ ହୋଇଲି ଆପଣଙ୍କର

ଆଜିଠାରୁ ଏହି            ମୁଦ୍ରିକା ପିନ୍ଧାଇ

ବରି ନେଲି ସ୍ୱାମୀ ଚିରକାଳର ।

ମୋ ଆରାଧନାର            ସର୍ବସ୍ୱ ଦେବତା

ନାମ ମୋର ଜବାଧରୀ ଡାକନ୍ତି

ଆପଣଙ୍କ ପାଦ            ସେବିକା ମୁଁ ସେହି

ହିନ୍ଦୁ ଧର୍ମ ପରଂପରାରେ ବ୍ରତୀ ।

ଦୁର୍ଯୋଗ ବଶତଃ            ସ୍ୱର୍ଣ୍ଣଧାତୁ କେବେ

କର୍ଦମାକ୍ତ ହୋଇଲେ ବି ଏହାର

ଥିବା ବିଶୁଦ୍ଧତା            ସୁବର୍ଣ୍ଣତ୍ୱ କେବେ

କଳୁଷିତ ହୁଏ ନାହିଁ ତାହାର ।

ଦୀନ ଦୁନିଆର            ମାଲିକ ମୋ ଚିତ୍ତ

ଇଷ୍ଟ ଦେବ ପ୍ରଭୁ ଜଗତନାଥ

ସାରାଜଗତର            ସର୍ବଶକ୍ତିମାନ

ଦେବତା ଅଟନ୍ତି ସେ ପ୍ରାଣନାଥ ।

ସେବା ସୁରକ୍ଷାରେ            ତାଂକର ମାତର

ଓଡିଶାର ଅଖଣ୍ଡତା ପାଇଁ କି

ଚିରଦିନ ମୁହିଁ            ଛାମୁଙ୍କ ସାଥିରେ

ଅବିଛିନ୍ନେ ରହିବାର ପାଇଁକି ।

ଜୀବନର ସାଥି            ହେଲି ଆଜିଠାରୁ

ଶ୍ରୀ ଚରଣେ ସ୍ଥାନ ଦିଅନ୍ତୁ ଛାମୁଁ

ପ୍ରଭୁ ଜଗନ୍ନାଥ             କରନ୍ତୁ କଲ୍ୟାଣ

ଏତିକି ମିନତି ଘେନନ୍ତୁ ଛାମୁଁ ।

ଆଭୂମି ପ୍ରଣାମ            ଢ଼ାଳିଲେ ରେଜିୟା

ମୋଗଲ ଦୁହିତା ଶ୍ରଦ୍ଧାରେ ପଦେ

ପର ମୁହୁର୍ତ୍ତରେ            ନୟନ ଅଶ୍ରୃରେ

ଧୋଇଲେ ଆନଂଦେ ରାଜାଙ୍କ ପଦେ ।

ସକରୁଣ କଂଠେ            କହିଲେ ସାଥିରେ

ଘେନନ୍ତୁ ଏ ଦୀନା ହେ ମହାରାଜ

ଧରମ ସଂଗିନୀ            କରିଣ ନିଅନ୍ତୁ

ଏ ଜବାଧରୀଙ୍କୁ ଜାଣୁ ସମାଜ ।

ଅଧିର ଆବେଗେ            ରାମଚନ୍ଦ୍ର ଦେବ

ରିଜିୟାଙ୍କୁ ତଳୁ ଉଠାଇ ଆଣି

ତାଂକର ମସୃଣ            ଘନ କୁନ୍ତଳରେ

କର ସଂଚାଳନ କଲେ ସେ ଜାଣି ।

କହିଲେ ଗୋ ପ୍ରିୟା            ତୁମ ଅଭିଳାଷ

ପୁର୍ଣ୍ଣହେଉ ଜଗନ୍ନାଥ ଜଣାଣ

କଲ୍ୟାଣ ବିଭୁତି            ହେଉ ସଂଚାରିତ

ତାଂକର ଉତ୍କଳେ ହେଉ କଲ୍ୟାଣ ।

ପରମ ସୌଭାଗ୍ୟ            କଥା ହୁଏ ମନେ

କାମନାର ଅଗ୍ନିଶିଖା ଦୁର୍ବାର

ପ୍ରଶମନ ପାଇଁ            ନୁହେ ଓଡିଶାର

ପରାହତ ଇତିହାସ ସଂଭାର ।

ଉର୍ଜସ୍ୱଳ କରି-            ବାକୁ ତୁମେ ହେବ

ବରୁଣେଇ ରାଣୀ ହେ ଜବାଧରୀ

ନାଏବ ନଜୀମ            ତକୀଖାଁ ଧର୍ମାଂଧ

ଆକ୍ରମଣ ଦାଉରୁ ରକ୍ଷାକରି ।

ଶ୍ରୀ ଜଗନ୍ନାଥଙ୍କୁ            ଅବରୋଧ ମୁକ୍ତ

ରଖିବାକୁ ଜାତି ମୁଁ ହାରିପାରେ

କିଂତୁ ଜାତୀୟତା            ହାରି ପାରିବନି

ଏହାହିଁ ଶପଥ ଏ ଓଡିଶାରେ ।

ତୁମର ସାନ୍ନିଧ୍ୟ            ଜାତି ଇତିହାସେ

ସ୍ୱର୍ଣ୍ଣାଭ ଅଧ୍ୟାୟ ରଚନା କରୁ

କଲ୍ୟାଣୀ ରଜିୟା            ରଖିଥିବ ମନେ

ଆଜିଠାରୁ ଶୁଦ୍ଧ ତନୁ ଭିତରୁ ।

ରାଷ୍ଟ୍ର ଦେବତାଙ୍କ            ସେବାରେ ନିରତ

ଚିତ୍ତ ନିବେଦିତ ହେଉ ତୁମ୍ଭର

ଜବାଧରୀ ତୁମ୍ଭ            ମୁକ୍ତ ଆତ୍ମା ଚିତ୍ତ

ପ୍ରଭୁ କରୁଣାରେ ହେଉ ଭାସ୍ୱର ।

ଅଦୂରରେ କେଉଁ            ସଉଧର ତୁଙ୍ଗ

ଚୂଡାରେ ଯୁଗଳ ପାରାବତର

ପ୍ରେମାଳାପ ରତ            ବଂଦୀଙ୍କ କଂଠରୁ

ଭାସି ଆସୁଥିଲା ସ୍ୱ ପ୍ରଣୟର ।

ପୂତ ଅନୁରକ୍ତ            ମଂଗଳ ଗୁଜ୍ଜରୀ

ସମୀରଣେ ଭାସି ପଡ଼େ କର୍ଣ୍ଣରେ

ଚତୁର୍ଦ୍ଦିଗେ ଚାହିଁ             କହିଲେ ରିଜିୟା

ସନ୍ତରପଣରେ ଧିର କଂଠରେ ।

ସବୁ ବିବରଣୀ            ସଂଗ୍ରହ କରିବା

ପାଇଁ ଲାଲ କିଲ୍ଲା ସେ କଟକର

ସମୃଦ୍ଧ ଓଡିଶା-            ର ଅଖଣ୍ଡତାକୁ

ସାକାର କରିବା ପାଇଁ ନିଜର ।

ଜୀବନ ଉତ୍ସର୍ଗ            କରିବି ପବିତ୍ର

ହିଂଦୁ ଧରମର ଶରଣ ନେଇ

ପ୍ରଭୁ ପାଇଁ ପୁଣି            ଆପଣଙ୍କ ପାଇଁ

ଏ ମୋର ଶପଥ ନାଥ- ବଧେଇ ।

ମାତୃଋଣ ପରି-            ଶୋଧ କରିବି ମୁଁ

ଶ୍ରୀ ଜଗନ୍ନାଥଙ୍କୁ କରି ଦର୍ଶନ

ପୁରୀ ଶ୍ରୀ କ୍ଷେତ୍ରରେ             ଆପଣଙ୍କ ସଂଗେ

ଯେଣୁ ପ୍ରାଣନାଥ ମୋର ଆପଣ ।

ହିଂଦୁ ଧରମର            ମହାସ୍ରୋତେ ମୋତେ

କରି ଭାସମାନ ହେ ପ୍ରାଣନାଥ

ବେଗମ ଭାବରେ             ଗ୍ରହଣ କରନ୍ତୁ

ଆଶିଷ ଦିଅନ୍ତୁ ଶ୍ରୀ ଜଗନ୍ନାଥ ।

ହୋଇଗଲା ବାଷ୍ପ-            ରୁଦ୍ଧ ରିଜି ୟାଙ୍କ

କଂଠ ଚକ୍ଷୁ କଳାଘୁମର ଡୋଳା

ଚାହାଣୀ ଉପରେ             ଅଶ୍ରୁର ବାଦଲ

ସୃଜି ଅନୁରାଗ ସଉଧ-ତୋଳା ।

ମାଳାଳପ ଶେଷ             ହୋଇ ଯାଇଥିଲା

ମୋ÷ଲବୀ ସାହେବ ଧିର କଂଠରେ

ଡାକିଲେ ରେଜିୟା            ବେଟୀରେ ସମୟ

ହୋଇଗଲା ଯିବା ତକୀଖାଁ ଘରେ ।

କରିଥିବେ ଲବେ            ଅପେକ୍ଷା ଆମକୁ

ନାଏବ ନଜୀମ ମହଲେ ବେଟୀ

ଖୋଦାଙ୍କ ମେହେର-            ବାନୀ ଯେବେ ହେବ

ସଂବଧ ସ୍ଥାପିତ କେବଳ ସେଠି ।

ମଥା ଉପରକୁ            ଟେକିଣ ବୁର୍ଖାକୁ

ଫେରିଗଲେ ବାଳା ମୌଲବୀ ପଛେ

କିଂତୁ କାରାଗାର            ଦ୍ୱାର ଆଉ ଥରେ

ରୁଦ୍ଧ ହେଲା ନାହିଁ ଫେରିବା ପଛେ ।

ଗୋଲାପ ବାଟିକା            ଦୋଳାୟିତ କ୍ରୀଡା

ମହୋତ୍ସବ ବାତାୟନ ଧାରରେ

ଦିଶୁଥିଲା ଝଳି             ପବନର ମୃଦୁ

ଲହରୀରେ ହଲି ହଲି ସରଳେ ।

ଫୁଟନ୍ତା ଗୋଲାପ            ସବୁ ନାଚି ନାଚି

ଯେପରି ପ୍ରଣୟ ରସ ଗାଂଧାର

ତୋଳୁଥିଲେ ରାମ-            ଚନ୍ଦ୍ର ରିଜିୟାଙ୍କ

ଗଜଲର ଦୁଇ ସ୍ୱର-ଝଂକାର ।

କଦମରସୁଲ            ମସଜିଦ୍‌ ପୀଠରେ

ରାମଚନ୍ଦ୍ର ଦେବ ରିଜିୟା ବାହା

ସେ ଦିନ ବର୍ଣ୍ଣାଢ଼୍ୟ            ଏକ ଆସରରେ

ହୋଇଲା କୋରାନ ପଦ୍ଧତି ସାହା ।

କୋରାନ ପଦ୍ଧତି            ଅଧିଯୋଗ-ଯୋଗ

ହୋଇଥିଲା ମୁହୂର୍ତ୍ତେ ଅନୁଷ୍ଠିତ

ମୌଲବି ସାହେବ            ପବିତ୍ର କୋରାନ

ଆବୃତ୍ତି ମଧ୍ୟେ ନିକା ସମାହିତ ।

ଉପସ୍ଥିତ ପାରି-            ବାରିକ ସମସ୍ତ

ସଦସ୍ୟବୃନ୍ଦଙ୍କ ସହ ସଭାର

ସଭାସଦମାନେ            ଦେଇଥିଲେ କର

ତାଳି ଆନଂଦର ବିଭା-ସମ୍ଭାର ।

ନାଏବ ନଜୀମ            ତକୀଖାଁ ଖୁସିର

ଆତିଶଯ୍ୟେ ଧିରେ ଆଗେଇ ଆସି

ରାମଚନ୍ଦ୍ର ଦେବେ            ବକ୍ଷେ ଆଲିଙ୍ଗନ

କରି କହିଲେ ଆମି ଭାଲବାସି ।

ଭଗ୍ନିପତି ମୋର            ଆଜିଠୁ ଆପଣ

ବିରାଦର ହେ ଆତ୍ମୀୟ ସ୍ୱଜନ

ଓଡିଶାର ବୀର            ଗଜପତି ରାଜା

ବଂଧୁ ମୋର ପୁଣ୍ୟ କଲି ଅର୍ଜନ ।

ଓଡିଶାର ପ୍ରଜା            ବୃନ୍ଦ ପରିଜନ

ମୋହର ଆଜିଠୁ ସଂବଂଧ ବଳେ

ବଂଧୁତ୍ୱର ସ୍ଥାୟୀ            କରନ୍ତୁ ହେ ରାଜା

କାଳେ କାଳେ କଥା ଥାଉ ଏଠାରେ ।

ନାଏବ ନଜୀମ             ତକୀଖାଁ ମାଗିଲେ

ଦୁଆ ଆଣ୍ଠୁମାଡି ଆଲ୍ଲାଙ୍କ ଠାରୁ

ସେ ଦିନ ବିବାହ            ଭବ୍ୟ ଉତ୍ସବର

ସମାରୋହ ମହାର୍ଘ ସରିବାରୁ ।

ବିସ୍ମୟର ସୀମା            ଥିଲା ଅତିକ୍ରମି

ବିପୁଳ ସମ୍ଭାର ମହୋତ୍ସବର

କରି ଦେଇଥିଲା            ନିବିଡାଭିନ୍ନତା

ବିଧୁର ବିବାହ ସୁବଂଧନର ।

କଦମରସୁଲେ            ରିଜିୟାଙ୍କ ସହ

ପଡ଼ିଥିଲେ ନମାଜକୁ ରାଜନ

ନମାଜ ପଢ଼ିଲା            ବେଳେ ମନ ମଧ୍ୟେ

ଉଇଁ ଆସୁଥିଲେ ଜଗମୋହନ ।

କୋଟି ମାରତଣ୍ଡ            ତେଜୋଦୀପ୍ତ ପ୍ରଭୁ

କମଳନୟନ କରୁଣାଘନ

ପ୍ରଭୁ ଜଗନ୍ନାଥ            କରୁଣା ଜଳଧି

ପାଦପଦ୍ମେ ଥିଲା ରାଜାଙ୍କ ମନ ।

ନମାଜ ପୃଷ୍ଠାରେ            କରୁଥିଲେ ସ୍ତୁତି

ରାଜନ ମାନସେ ହେ ମହାବାହୁ

ଓଡିଶାର ସାର୍ବ-            ଭୋ÷ମତ୍ୱକୁ ଦୃଢ଼େ

ପ୍ରତିଷ୍ଠିତ କରନ୍ତୁ ରିଷ୍ଟ ଯାଉ ।

ରାଷ୍ଟ୍ର ଦେବତାଙ୍କ            ମୁକ୍ତ ଉପାସନା

ପାଇଁ ରିଜିୟାର ପାଣି ଗ୍ରହଣ

କଲି ପ୍ରଭୁ ଏକ            ନୂତନ ଅଧ୍ୟାୟ

ହେଲା ସୃଷ୍ଟି ଓଡିଶାରେ ପ୍ରଥମ ।

ନମ୍ର ଭାବେ ଅପ-            ବାଦକୁ ବରଣ

କରି ନେଉଛି ହେ ପ୍ରଭୁ ତୁମ୍ଭର

ମାନରକ୍ଷା ହେଉ            ଓଡିଆ ଜାତିର

ଗୋ÷ରବ ଅପ୍ରତିହତ ଉଜ୍ଜ୍ୱଳ ।

ନୀଳ ଚକ୍ରବାନା            ହେଉ ତରଂଗିତ

ପୁର୍ନବାର ହେଉ ତାର ଲହରୀ

ଜାତିର କଲ୍ୟାଣ            ହେଉ ଉତ୍ତରଣ

ଇତିହାସାଧ୍ୟାୟ ସଂଯୋଗ କରି ।

ନିକା ଉତ୍ସବାଦି            ହେଲା ସମାହିତ

ବାରବାଟୀ ଦୁର୍ଗ ନ ମହଲାରେ

ରାଜକୀୟାତିଥି            ରାମଚନ୍ଦ୍ର ଦେବ

ରାତ୍ରିର ଦ୍ୱିତୀୟ ପ୍ରହର କାଳେ ।

କୁମାରୀ ରିଜିୟା            ହୋଇଲେ ବେଗମ

ରିଜିୟା ତାଙ୍କର ସ୍ୱାମୀ ରାଜନ

ହାଫିଜ କାଦର            ବେଗ ବୋଲି ସର୍ବ

ସମକ୍ଷରେ ହେଲା ଘୋଷିତ ନାମ ।

ବାରବାଟୀର ସେ             ନବମ ପ୍ରସ୍ତରେ

ଚିତ୍ରାର୍ପିତ ପରି ପଲଙ୍କୋପରେ

ବସି ରହିଥିଲେ            ରାମଚନ୍ଦ୍ର ଦେବ

ଦ୍ୱିତୀୟା ଯାମିନୀ ସେ ପ୍ରହରରେ ।

ନିଶି ପ୍ରଦୀପର             ଚତୁର୍ଦ୍ଦିଗେ କେତେ

ପ୍ରମତ୍ତ ପତଙ୍ଗ ଡେଣାକୁ ପିଟି

କରୁଥିଲେ ଅଭି-            ନଂଦନାଲୋକର

ଡେଇଁ ସୁଶୋଭିତ ପଲଙ୍କେ ମାତି ।

ମହାନଦୀ ବକ୍ଷ            ଉପରୁ କାଣ୍ଡାରୀ

କେ ଏକ ନାମକୁ ବାହି କଂଠରେ

ସମ୍ଭବତଃ ଭରି            ଥିଲା ସୁଲଳିତ

ତାତ୍ତ୍ୱିକ ଭଜନ ମହାନଂଦରେ ।

ଧିରେ ହଂସ ଖେଳା            ଆରେ ବାଇମନ

ହଂସ ଉଡିଗଲେ ବୁଡିବ ଭେଳା

ଶୀହରି ଉଠିଲେ            ରାମଚନ୍ଦ୍ର ଦେବ

ବାଇମନ ଗୀତ ଔଷଧ ହେଲା ।

ଧିର ଭାବେହଂସ            ନ ଖେଳାଇ ଭେଳା

ବୁଡିଯିବା ଭଳି ଚତୁରତାର

ସହ ଧର୍ମ ଅଂଧ-            -ତକୀଖାଁର ମୁକା-

-ବିଲା ନକଲେ ଭେଳା ଓଡିଶାର ।

ବୁଡିଯିବ ଲବେ,            ପ୍ରଭୁ ଜଗନ୍ନାଥ

ପୁଣି ଥରେ ଶିଶୁ ଅନାଥ ପରି

ହୋଇଣ ଚକଡ଼ା-            ଛଡ଼ା ସେ ପ୍ରେରିତ

ହେବେ ହେବ ମହାକାନ୍ତାରେ ରଡି ।

ସୁସୂକ୍ଷ୍ମ ଉତ୍ତରୀ            ମଧ୍ୟରେ ଆବୃତ

କରି ମୁଖ ଚନ୍ଦ୍ରମାକୁ ବେଗମ

ରାଜା ନିକଟରେ            ଧିରେ ଭାଷିଲେ ସେ

ସଧିରେ କରିଣ ଉପବେଶନ ।

ଆଜିର ଏରାତି            ଆମ ଜୀବନରେ

ଚିର ସ୍ମରଣୀୟ ହୋଇବ ନାଥ

ଜୀବନ ଆଜି ମୋ            ହୋଇଛି ସାର୍ଥକ

ହିନ୍ଦୁନାରୀ ଜବାଧରୀ ସନାଥ ।

ଆପଣଂକ ସନ୍ନି-            ଧାନରେ ଜୀବନ

ସେବା ଚିନ୍ତନରେ ହେବ ନିଃଶେଷ

ମୋତେ କାଣିଚାଏ            ସ୍ନେହକୁ ପ୍ରଦାନ

କରନ୍ତୁ ଯା ଶ୍ରେଷ୍ଠ ଧନ-ବିଶେଷ ।

ରାମଚନ୍ଦ୍ର ଦେବ            ରିଜିୟା କପାଳେ

ଆଙ୍କି ଦେଇ ଉଷ୍ମ-ଚୁମ୍ବନ ଏକ

ଗମ୍ଭୀର କଂଠରେ            କହିଲେ ଗୋପ୍ରିୟା

ଏ ଅଧିଯୋଗରେ ଜୀବନେ ଏକ ।

“ନବ ଇତିହାସ            ଲେଖାହେବ ସ୍ପଷ୍ଟେ

ଇତିହାସ ହିଁ ଆମର ଜୀବନ

ଓଡିଶାର ଇତି-            ହାସର ଭାସ୍ୱର

ପୃଷ୍ଠା ହୋଇଣ ରହିବ ବନ୍ଦନ ।

ଭାସ୍ୱର ପୃଷ୍ଠାରେ            ଲେଖାେହେବ ବାଣୀ

ଲାଂଛନାର ମର୍ମନ୍ତୁଦ କାହାଣୀ

ଅପବାଦରେ ସେ             ନିନ୍ଦିତ ଭର୍ତ୍ସିତ

ପଦାବଳୀ ତୀବ୍ର କଟାକ୍ଷ ଠାଣି ।

ସେ ତୀବ୍ର କଟାକ୍ଷେ            କରିବାକୁ ସହ୍ୟ

ନିଜକୁ ଏବେଠୁ ପଥର କର

ଶ୍ରୀ ଜଗନ୍ନାଥଙ୍କ            ମାନ ରକ୍ଷାପାଇଁ

ପବିତ୍ର ବିବାହ ହେଲା ଆମର ।”

ଏ ଅନୁଚ୍ଚାରିତ            ଆଶୀର୍ବାଦ ପୂତ

ବିବାହ ଯେପରି ସତେ ଆମର

ହେଲା ସାକ୍ଷୀପରା            ସେଥିପାଇଁ ବିଶ୍ୱ

ମୋହନ ସେ ବିଜେ ନୀଳକନ୍ଦର ।

ନିଶି ପ୍ରଦୀପଟି            ଦକ୍ଷିଣା ପବନେ

ସହସା ନିଭିଲା ଶୟନ ସ୍ଥଳେ

ମନେ ହେଲା କୃଷ୍ଣ-            ମସୀ ଅପବାଦ

ନେସି ହୋଇଗଲା ମେଂଚାଏ ବଳେ ।

ରାତ୍ରିର ନିରଂଧ୍ର            ଅଂଧକାର ମଧ୍ୟେ

ହଜିଗଲେ ଗଜପତି ରାଜନ

ଘେନି ଜବାଧରୀ            ସୁନ୍ଦରୀ ପଲଙ୍କେ

ଶୁଦ୍ଧ ସଂସ୍କରଣ କନ୍ୟା-ଯବନ ।

ଖୋର୍ଦ୍ଧା ବରୁଣେଇ            କଟକେ ବାଜିଲା

ଘୋର ଘନ ଘଟା ଅପବାଦର

ରଜ ଡେଙ୍ଗୁରାକି            ବିଂଛି ହୋଇଗଲା

ଚାରିଦିଗେ ମାଡି ଦୁଆର ଘର ।

ବରୁଣେଇ କଟ-            କରେ ରାଜଗୁରୁ

ସେ ପରମଲକ୍ଷ୍ମୀ ମହାପାତର

ଗମ୍ଭୀର ଭାବରେ            ପରିଷଦ ଗୃହେ

ବସିଥିଲେ ପ୍ରତେ ସତେ ପଥର ।

ଗଡ଼ପତି ମାନେ            ବିଷର୍ଣ୍ଣ ବଦନେ

ବସିଶୂନ୍ୟ ସିଂହାସନ ଉପରେ

ମିଳିତ ନିବଦ୍ଧ            ଦୃଷ୍ଟି ରଖିଥିଲେ

ନୀରବ ସେ ପରିଷଦ ଗୃହରେ ।

କେତେ ପାରାବତ            ଦଂପତ୍ତିର କଳ

ଗୁଂଜନ ସର୍ଜନା ପରିବେଶକୁ

କରି ଦେଇଥିଲା            ଭାବରେ ଗମ୍ଭୀର

ପୋତିଥିଲେ ସର୍ବେ ମୁଖ ତଳକୁ ।

ସେ ରଥିଗଡର            ଦେୱାନ ବକସି

ବେଣୁ ଭ୍ରମରବର ନୀରବତା

ଭଂଗ କରି ପାଟି            ଖୋଲିଲେ ଓଡିଆ

ଜାତିର ଭାଗ୍ୟରେ କି ହଟ ହଟା ।

ଶତ ଅପମାନ            ଲାଂଛନା ଆସିଲା

ଉଇଁ ଜାଣ ଭାଗ୍ୟ ଚରକବାଳେ

ଗଜପତି ଜଗ-            ନ୍ନାଥଙ୍କୁ ଲଜ୍ଜିତ

କଲେ ଯବନର ସେ ଦରବାରେ ।

ମାଟିରେ ମିଶିଲା            ଆହେ ରାଜଗୁରୁ

ଓଡିଆ ଜାତିର ଏ ପରଂପରା

ଥରେ ହେଲେ କିଛି            କୌଶଳ ଭାବରେ

ବାର୍ତ୍ତା ଆସିଥାନ୍ତା ଯଦି ଡାକରା ।

ତେବେ କିଛି ଏକ            ଉପାୟ ବା ଥୟ

କରାଯାଇଥାନ୍ତା ସେ ଯବନୀର

ପ୍ରଣୟ ଲୀଳାରେ            ବିମୋହିତ ରାଜା

ଭୂଲିଲେ ମହିମା ପୂର୍ଣ୍ଣେ ଜାତିର ।

ସ୍ଖଳିତ କଂଠରେ            ଭାଷି ରାଜଗୁରୁ

ବାଦ ଅପବାଦ ଗୁରୁତ୍ୱ ଭଲେ

ଜାଣିଛଂତି ଗଜ-             ପତି ସ୍ୱ କର୍ତ୍ତବ୍ୟ

ଲବେ ତୁମ୍ଭଠାରୁ ଭଲଭାବରେ ।

ତୁମେ ତ ପାଳନ            କରିନ କର୍ତ୍ତବ୍ୟ

ତୁମର ହେ ବେଣୁ ଭ୍ରମରବର

ଏବେ ଏଠି ବସି            ଏ ପରିଷଦରେ

କହୁଅଛ କଥା ବଡ ଚାତର ।

ଗଜପତିଙ୍କର            ସୁରକ୍ଷା ସକାଶେ

ଯେ କର୍ତ୍ତବ୍ୟ ତୁମ ଉପରେ ନ୍ୟସ୍ତ

ଥିଲା ତାହା ତୁମେ            କେତେଦୂର ଅବା

ପାଳନ କରିଛ ହୋଇ ହେ ବ୍ୟସ୍ତ ।

ଦୁର୍ଯୋଗର ଅମା-            ରାତି ପାଇଁ ଖାଲି

ଏକା ଗଜପତି ନୁହଁନ୍ତି ଦାୟୀ

ତୁମେ ଯେତେ ସବୁ            ଗଡର ନାୟକ

ବୃଂନ୍ଦ ହୋଇଅଛ ଉତ୍ତରଦାୟୀ ।

କଉଣସି ସୂକ୍ଷ୍ମ            ସିଦ୍ଧାନ୍ତରେ ହୋଇ

ଉପନୀତ ଗଜପତି ଅବଶ୍ୟ

କରିଥିବେ ଲବେ            ଯବନୀର ପାଣି

ଗ୍ରହଣ ଯା ଲାଗେ ଭାବେ ମାନସ ।

ସଜ୍ଞାତ ସ୍ଖଳନ            ଗଜପତିଙ୍କର

ଲବେ ଓଡିଶାର ସୁରକ୍ଷା ପାଇଁ

ନିଶ୍ଚୟ ନିଶ୍ଚୟ            ମହାବାହୁଙ୍କର

ମାନ-ମହତର ସୁରକ୍ଷା ପାଇଁ ।

ବିନମ୍ର କଂଠରେ            କହିଲେ ସେ ବେଣୁ

ଭ୍ରମରବର ଉଦ୍ଦେଶ୍ୟ ମହତ

ଥିଲେ, ଆଦରଶ             ଆବଶ୍ୟକ ମଧ୍ୟ

ସମୁଚିତ ସବୁ ହେବ ମହତ ।

ଏହା ଦ୍ୱାରା ଲବେ            ଓଡିଆ ଜାତିର

ପ୍ରାଣେ ହାହାକାର ଝଡ ଉଠିବ

ପାଇକ ମାନଙ୍କ            ମନୋବଳ ସବୁ

ହାୟ ଦୀନ ବିଦୀର୍ଣ୍ଣ ହୋଇଯିବ ।

ବର୍ତ୍ତମାନ ଗ୍ରାମେ            ଗ୍ରାମେ ନୈରାଶ୍ୟର

ହାହାକାର ହାହାକାର କେବଳ

ପାଇକମାନଙ୍କ            ମଧ୍ୟେ ଅଶ୍ୱସ୍ତିର

ଦୀର୍ଘଶ୍ୱାସ ଦୀର୍ଘଶ୍ୱାସ ସଂବଳ ।

ସ୍ୱୟଂ ପାଟରାଣୀ            ଲଳିତା ଦୁଃଖରେ

ଭାଗିରଥି କୁମାରଙ୍କୁ ସାଥିରେ

ଧରି ପିତ୍ରାଳୟେ            ରମାନା ହୋଇଲେ

ଜାଣି ନାହାଁନ୍ତି କି ଆପଣ ତିଳେ?

ବିଷାଦର କଳା-            ଛାଇ ଆଚ୍ଛାଦିତ

ରାଜ ପରିଷଦ ଭାବନା ଭେଦି

ପୁରୀ ଶ୍ରୀ କ୍ଷେତ୍ରରେ            ପଡିଛି ଚହଳ

ସେବାୟତମାନେ ଯାଆନ୍ତି ଖେଦି ।

କେହି ଜଣେ କହୁ            ଥିଲା ନୀଳଚକ୍ର

ଉପରେ ଶାଗୁଣା ପକ୍ଷୀ ଆସିଣ

ବସି ପଡିଥିଲା            କାହୁଁ ଉଡିଆସି

ଆସିଲା ଓଡିଶା ଦୁର୍ଭାଗ୍ୟ ଦିନ ।

ଓଡିଶାର ଭାଗ୍ୟ            ଆକାଶେ ଦୁର୍ଭାଗ୍ୟ

ଗୃଧ୍ର ପକ୍ଷୀ ଉଡି ଉଡି ବୁଲୁଛି

କରି ପାରିବେକି            ୟାକୁ ଅସ୍ୱୀକାର

ଆପଣ କଅଣ ମନ ମୁରୁଛି ।

ଗମ୍ଭୀର କଂଠରେ            ରାଜଗୁରୁ ଭାଷା

ଏହାର ଉତ୍ତର ଦେବ ସମୟ

ଅପେକ୍ଷା କରିଥା            ଶୂନ୍ୟ ସିଂହାସନେ

ପରମଂଦ ପାଂଚିହେ ମହାଶୟ ।

ବାଳକ ନୁହଁନ୍ତି            ଗଜପତି ରାଜା

ନୁହଁନ୍ତି ବି କେବେ ଚପଳମତି

ବୃହତ୍ତର ସ୍ୱାର୍ଥ            ପାଇଁ କ୍ଷୁଦ୍ରତର

ସ୍ୱାର୍ଥକୁ ସେ ବଳି ଦେଇ କି ଛନ୍ତି ।

ଆଶୀବାଦ ଚିଠି            ପଠାଇଛି ଲାଲ-

ବାଗ କଟକକୁ ଭ୍ରମରବର

ବାର୍ତ୍ତାବହ ହସ୍ତେ            ଫେରସ୍ତ ଚିଟାଉ

ପ୍ରତୀକ୍ଷା କରିଛି ଏହି ଖବର ।

ସମ୍ମିଳିତ ଭାବେ            ସଭାସଦଙ୍କର

କଣ୍ଠୁ ବିସ୍ମୟରେକ କଂଟକିତ

ବାହାରି ଆସିଲା            ପ୍ରଶ୍ନ ଜ୍ୱାଳାମୁଖୀ

କରିଣ ପରିଷଦ ଆଚମ୍ବିତ ।

ପଠାଇ ଅଛନ୍ତି            ଆଶୀବାଦ ଚିଠି

କେଉଁ ଶୁଭକର୍ମ ମନାସି ମନେ

କି ଶୁଭ କାମନା            କରିଛନ୍ତି ଆଉ

ସବୁତ ଯାଇଛି ସରି ସରମେ ।

କି ବୁଝିବ ତୁମେ            ବିଶ୍ୱାସ ଘାତକ

ହେ ଗଡନାୟକ ମାନେ ମନରେ

ରାଷ୍ଟ୍ର ଦେବତା ଶ୍ରୀ            ଜଗନ୍ନାଥଙ୍କର

ମାନରକ୍ଷା ପାଇଁ ଏ ଉତ୍କଳରେ ।

ଓଡିଶା ସାମନ୍ତ            ସହାୟକ ରାଜ୍ୟ

ବୃନ୍ଦ ଯହିଁ ସ୍ୱାର୍ଥର ପଶାପାଲି

ଖେଳିଣ ନିର୍ଲ୍ଲଜ            ନଗ୍ନ ଅଭିଷେକ

ଦେଖନ୍ତି ସପନେ ଶେଯ ଅଣ୍ଡାଳି ।

ଅସହାୟ ବଂଦୀ            ସେଠି ଗଜପତି

ରାମଚନ୍ଦ୍ର ଦେବଙ୍କ ସୁଚିନ୍ତିତ

ଆତ୍ମ ବିସର୍ଜନ            କରମାନୁଷ୍ଠାନ

ଶ୍ମାଘ୍ୟ ବଂଦନୀୟ ବିଶ୍ୱ ବଂଦିତ ।

ଯବନ ହାତରେ            ଆତ୍ମ ସମର୍ପଣ

କରିତ ନାହାଁନ୍ତି କେବେ ରାଜନ

ବରଂ ଓଡିଶାର            ସୁରକ୍ଷା ସକାଶେ

ବଳି ଦେଲେ ନିଜ ସ୍ୱାର୍ଥ ସମ୍ମାନ ।

ଅପବାଦ ଶତ            ବୃଶ୍ଚିକ ଦଂଶନେ

କରି ଜର୍ଜରିତ ଆତ୍ମୋତ୍ସର୍ଗକୁ

କରିଛଂତି ରାଜା            ହୁଅନ୍ତୁ ସହାୟ

ପ୍ରଭୁ ବଢ଼ାଇଣ ମନୋବଳକୁ ।

ଉହାଡ କରନ୍ତୁ            ଚକ୍ର ପ୍ରଭୁ ତାଂକୁ

ଜୟ ହେଉ ଶ୍ରୀ ଗଜପତିଙ୍କର

ନିଜ କାର୍ଯ୍ୟେ ସଦା            ସଫଳ ହୁଅନ୍ତୁ

ସମ୍ଭାଳି ସମ୍ମାନ ଏ ଉତ୍କଳର ।

ପରମ ଗୁରୁଙ୍କ             ଭାଷଣେ ଗମ୍ଭୀର

ନିରବତା ଛାଇଗଲା ସେଠାରେ

ରାଜଗୁରୁ ଦୃଷ୍ଟି            ଫେରାଇ ଆଣିଲେ

ତୋଳି ଗରବିତ ଉଦ୍ଧ୍ୱର୍ମଥାରେ ।

ଆବଶ୍ୟକତା ବି             ନଥିଲା ସେଠାରେ

ଆଉ ଆଳାପର ସେହି ବିଷୟେ

ତେଣୁ ରାଜଗୁରୁ            ଘୋଷଣା ପ୍ରସଂଗେ

ସାଂଗ କଲେ ସଭା ମାନସ ଥୟେ ।

ଓଡିଶାର ଇତି-            ହାସକୁ ଅଧିକ

ଆଉ ଭାରାକ୍ରାନ୍ତ ନକରି କେବେ

ଧଇର୍ଯ୍ୟ ଧରନ୍ତୁ            ପ୍ରଜାକୁଳଙ୍କର

ମନରେ ଆଶ୍ୱସ୍ତି ସଂଚାରି ତେବେ ।

ପ୍ରତୀକ୍ଷା କରିବି            ଏଠାରେ ସଂଦେଶ

ପାଇଁ ପରବର୍ତ୍ତୀ ଯା’ନ୍ତୁ ସରବେ

ଶତ ଦୁର୍ଯୋଗର            କଳା ମେଘ ମଧ୍ୟେ

ଭାସ୍ୱର ରହିବ ଚିର ଗରବେ ।

ସୂର୍ଯ୍ୟବଂଶୀ ଗଜ-            ପତି ପରଂପରା

ଦୀପ୍ତ ବିବସ୍ୱାନ ଚକରକାଳେ

ବିରାଜିବ ସଦା            ଜଗନ୍ନାଥ କୃପା

ଓଡିଶାର ଯାହା ଅଛି କପାଳେ ।

ନିଷ୍କ୍ରାନ୍ତ ହୋଇଲେ            ଧିରେ ଧିରେ ଗଡ଼

ନାୟକେ ମୁହଁକୁ ପୋଛି କକ୍ଷରୁ

ଏକ ଦୁର୍ବିନୀତ             ସେନାପତି ସମ

ଗର୍ଜୁଥିଲେ ରାଜଗୁରୁ ପାଖରୁ ।

କୁଲାୟ ପ୍ରତ୍ୟାଶୀ            ପକ୍ଷୀମାନଙ୍କର

ଡେଣାରେ ବିଦାୟ ସମ୍ବର୍ଦ୍ଧନାର

ଫଲ୍ଗୁରାସ ସୃଷ୍ଟି            କରି ସେ ଗୋଧୁଳି

ନଇଁ ଆସୁଥିଲା ଛୁଇଁ ଅଂଧାର ।

କେଉଁ ଏକ ଗୋଠ            ବାହୁଡା ଗୋପାଳ

ବାଳକର ଗାଈ ପଲ ଭିତରୁ

ବଂଶୀର କରୁଣା            ମୂର୍ଚ୍ଛନା ପବନେ

ଭାସି ଆସୁଥିଲା ଛୁଇଁ ଅନ୍ତରୁ ।

ବିଡମ୍ବିତ ଇତି-            ହାସ ଅସହାୟ

ଆତ୍ମଗ୍ଲାନି ପରି ସେ ମୂର୍ଚ୍ଛନାରେ

ପରିଷଦ ଗୃହେ            ସେ ପରମ ଲକ୍ଷ୍ମୀ

ରାଜଗୁରୁ ବସିଥିଲେ ସମ୍ଭାରେ ।

ଇତିହାସର ଏ            ଅଚଳ ସ୍ମାରକୀ

ପରି ତାଂକ ନିକଟରେ ସଦେଇ

ମଉନ ଭାବରେ             ଏକ ସର୍ବହରା

ପାନ୍ଥପରି ବସିଥିଲା ଘୁମେଇ ।

ଚକ୍ଷୁରେ ଗମ୍ଭୀର            ଏକ ପରକାର

ଦୁଃସ୍ୱପ୍ନରେ ଥିଲା ହୋଇ ଚକିତ

ସହସା ପରମ            ଲକ୍ଷ୍ମୀ ଉଠିପଡି

ଗମ୍ଭୀର କଂଠରେ କହିଲେ କିତ ।

“ଗଜପତି ତାହା            ହେଲେ ଆଉ ଏଠି

ଆସିଲେ ନାହିଁକି ସଦେଇ ଆରେ

ଚମକି ସଦେଇ            ପାଇକ ସତ୍ୟର

ଭିତରକୁ ଫେରି ଆସିଲା ବାରେ ।

ଶ୍ରୀ ଛାମୁ ମଣିମା            ବିଜେ ହେବେ ଆଜି

ଆହେ ରାଜଗୁରୁ ମହାପ୍ରୁ ଶୁଣ

ଉଲ୍ଲସିତ ନୟ-            ନରେ ସଦେଇକୁ

ଚାହିଁ ରାଜଗୁରୁ ପଚାରିପୁଣ ।

ଦୁଇ ମୁଠା ରଖି            ଚାଉଳ ସକାଳେ

ମାନସିକେ ଖାଇବାକୁ କାଉକୁ

କହିଥିଲି, ଥଣ୍ଟ            ମୁନେଖୁଣ୍ଟି ଖାଇ

ମୋ ଦକ୍ଷିଣ ହାତର ଚାଉଳକୁ ।

ଉଡିଗଲା, ଆଜ୍ଞା             ସେ କାଉଟା ବେଗେ

ବାରବାଟୀ କଟକର ଦିଗରେ

ମାନସିକ କେବେ            ହୁଏ ନାହିଁ ମିଛ

ସାଆନ୍ତେ ସଂଦେଶ ଆସିବ ଖରେ ।

ନିଃଶବ୍ଦରେ ହସି            ଦେଲେ ରାଜଗୁରୁ

ଭାବି ଘୋର ଦୁର୍ଦ୍ଧିନରେ ଦେଶର

ନିରୀହ ପରାଣ            ସଦେଇ ପାଇକ

ପରି ଲକ୍ଷ ଲକ୍ଷ ପାଇକ ବର ।

ଶୁଭ ସଂଦେଶକୁ             ଆକୁଳ ପ୍ରାଣରେ

ଲବେ କରିଥିବେ ପ୍ରତୀକ୍ଷା ଘରେ

କେବେ ଫେରିବେ ସେ      ଗଜପତି ରାଜା

ଫେରିଲାନି ବାର୍ତ୍ତାବହ ସଅଳେ ।

ଫେରାଇଲେ ନାହିଁ            ରାମଚନ୍ଦ୍ର ଦେବ

ବାରତା ଲାଲକିଲ୍ଲା କଟକରୁ

କଲ୍ୟାଣର ବାର୍ତ୍ତା             ଥିଲା ସେ ପ୍ରେରିତ

ଚିଟାଉରେ ସାଙ୍କେତିକ ଅକ୍ଷରୁ ।

ଧର୍ମାଂଧ ତକୀଖାଁ            ତୀକ୍ଷ୍ଣ ଦୃଷ୍ଟିରେ ସେ

ଚିଟାଉର ମର୍ମ ଉଦଘାଟିତ

କିବା ହୋଇଗଲା            ପଡୁନାହିଁ ଜଣା

ଯିବା ପଥେ ହୋଇଗଲା ନାହିଁତ?

ତକୀଖାଁ ହୁକୁମେ            କିବା ବାର୍ତ୍ତାବହେ

ବଂଦୀ କରାଗଲା ସେ କଟକରେ?

ଆଉ ଗଜପତି             ରାମଚନ୍ଦ୍ର ଦେବ

ପାଇଲେକି ନାହିଁ ଚିଠି ହାତରେ?

ସଦେଇ ପାଇକ            ଚିନ୍ତା ଭଗ୍ନ କରି

କହିଲା ସାଆନ୍ତେ ପୁରସ୍ତମରୁ

କେତେ ଯାତ୍ରୀ ଏହି            ବାଟେ ଫେରୁଥିଲେ

ଚହଳ ପଡିଛି ଏ ସକାଳରୁ ।

ଗଜପତିଙ୍କର            ଧର୍ମଚ୍ୟୁତି ଫଳେ

ଗୋପ୍ୟ ହୋଇଯିବେ କୁଆଡେ ବିଭୁ

ପଶ୍ଚିମ କବାଟ            ମହାପାତରଙ୍କୁ

ସପନେଇ ଛଂତି କୁଆଡେ ପ୍ରଭୁ ।

ସେ କୁଆଡେ ଆଉ            ବଡ ଦେଉଳରେ

ରହିବେନି ଚାଲିଯିବେ ବାହାରେ

ପ୍ରାୟଶ୍ଚିତ କଲା            ପରେ ଗଜପତି

ଦିଅଁମାନେ ବିଜେ ହେବେ ଅଂଧାରେ ।

“ଆଉ ଯାତ୍ରୀମାନେ            କହୁଥିଲେ କ’ଣ

ବୃତ୍ତାନ୍ତ ସଦେଇ କହରେ ଖୋଲି

ପଣ୍ଡା ସେବାୟତେ            କିପରି ଭାବରେ

କାମ କରୁଛଂତି କହିକି ବୋଲି”

ପାଟ ମହାଦେଇ             ଲଳିତା ଖବର

କ’ଣ ଶୁଣିଛୁରେ ଯାତ୍ରୀଙ୍କଠାରୁ

କି ଶୁଣିବି ସାନ୍ତେ            ବୁଝାପଡୁ ନାହିଁ

ତାଂକ ଢ଼ଂଗ ଢାଂଗ କଥା ବାର୍ତ୍ତାରୁ ।

ମହାଦେଈଙ୍କର             ମନରେ ସରାଗ

ପରିବର୍ତ୍ତେ ଫଣା ତୋଳି ବିରାଗ

ନାଗ ସାପ ପରି            ଦଂଶନ ଉଦ୍ୟମ

କରିବାକୁ ଖୋଜେ ଉତ୍ତମ-ପାଗ ।

ଗୋଟିଏ କଥାକୁ             ଧରି ବସିଛନ୍ତି

ପାଟ ମହାଦେଈ ରକତ କାଂଦି

ଯବନୀ ରିଜିୟା            ହେବ ମହାରାଣୀ

ହୋଇଣ ମୋହର ସିନ୍ଦୁରେବାଦୀ ।

ଆଉ ମୁଁ ହେବିକି            ଯବନୀର ଦାସୀ

ବରୁଣେଇ କଟକରେ କି କେବେ?

ଚିର ବର୍ଜନୀୟ             ମୋ ପାଇଁ ବିପକ୍ଷ

- ଶିବିର ଯାଉ ସେ ଚୁଲିକି ତେବେ ।

ମୋ ପୁଅ କୁମାର            ଭାଗିରଥି ହେବ

ଓଡିଶାର ଗଜପତି, ମୁଁ ହେବି

ରାଜମାତା, ମୋର            ପଦବୀ ବଦଳି

ଯିବ, ଗଜପତି ରାଣୀ ନ ହେବି ।

ସୀମନ୍ତ ସିନ୍ଦୁରେ            ନିଭାଇ ଅଛଂତି

ମୋର ଗଜପତି ରାମଚନ୍ଦର

ତେଣୁ ତାଂକ ସଂଗେ            ମୋହର ସଂପର୍କ

କଟିଗଲା ପ୍ରଜାସାକ୍ଷୀ ଦେଶର ।

ନିର୍ମମ ଭାବରେ             ହାତ କାଚ ସବୁ

ଝଣ ଝଣ କରି ଭାଂଗି କ୍ରୋଧରେ

ଯୁବରାଜ ଧରି            ପାଇକ ସହିତେ

ଗଲାବେଳେ ବାପଘର କାନ୍ଦିଲେ ।

ପଦେ କଥା ମାତ୍ର            କହିଲେ କେବଳ

ବରୁଣେଇ ସୁହାଗର କଟକ

ମୋ ପାଇଁ ନୁହେରେ            ସଦେଇ ଜୀବନେ

ହୋଇଗଲା ବିରାଗର କଣ୍ଟକ ।

ସଦେଇର କଂଠ            ହେଲା ବାଷ୍ପାକୁଳ

ସଦେଇ କଂଠରୁ ସେ ରାଜଗୁରୁ

ବେଦନା ଜନିତ            ଜର୍ଜରିତ ଭାଷା

ରାଣୀଙ୍କର ଶୁଣୁଥିଲେ ଅଦୂରୁ ।

ଆସିଥିଲା ସଂଧ୍ୟା            ନଇ ଦେବାଳୟ

ମାନଙ୍କରେ ଶୁଭେ ଘଂଟାର ଧ୍ୱନି

ପ୍ରାୟାନ୍ଧ କୋଠରୀ            ମଧ୍ୟେ ସଂଧ୍ୟା ଦୀପ

ଜାଳିଲା ସଦେଇ ସମୟ ମଣି ।

କେତୋଟି ପତଙ୍ଗ             କାହୁଁ ଉଡିଆସି

ଶିଖା ଚତୁର୍ଦ୍ଦିଗେ ପକ୍ଷକୁ ପିଟି

ଯେପରି କାମନା            ସମ୍ଭୂତ ମୃତ୍ୟୁର

କରୁଥିଲେ ଅଭିନନ୍ଦନ ଚିନ୍ତି ।

ଆଲୋକ ଜ୍ୟୋତିରେ            ପ୍ରମତ୍ତାକର୍ଷଣ

କାମନାର ଜର୍ଜରିତ ମୋହରୁ

ମୃତ୍ୟୁର ନିୟମ            କଲ ପ୍ରଣୟନ

ତୁମ୍ଭେ ପ୍ରଭୁ କିଂପା କେଉଁ ଲକ୍ଷରୁ ।

ଜ୍ୟୋତି ଯେବେ ହୁଏ            ଉନ୍ମେଷ ସେଥିରେ

ଅନ୍ୱେଷଣ ପଥ ଉତ୍ତରଣର

କରି ଲକ୍ଷ୍ୟ ପ୍ରାପ୍ତି            ସୁରକ୍ଷା ସହିତ

ପହଂଚିବା ହିଁ ଜୀବନ ଜୀବର ।

ଆଉ ଜ୍ୟୋତି ଯଦି            କାମନାର ଅଗ୍ନି

କାମନା ମୋହରେ ହୁଅଇ ପୂତ

ତାଂକୁ ଆଲିଂଗନ            କରିବାହିଁ ମୃତ୍ୟୁ

ଦୁର୍ବାର ଭୋଗ ଆବେଗ ସହିତ ।

ନିଃସଙ୍ଗ ସଂଧ୍ୟାର            ତାରାଟା ଫୁଟିଲା

ବରୁଣେଇ ପାହାଡ଼ର ଚୁଡାରେ

ଅଜ୍ଞାତ ତିଥିରେ            କ୍ଷୀଣ ଚନ୍ଦ୍ରମାକୁ

ଉଦାସ ଦୃଷ୍ଟିରେ ଦେଖେ ବ୍ରୀଡାରେ ।

ଏପରି ବିଚିତ୍ର            ଲୀଳାମୟ ଏକ

ସଂସାର ରଚନା କରି ଭିତରେ

ମୌନ ସଂଚାଳକ            କେବଳ ହେ ତୁମ୍ଭେ

ହର୍ଷ ବିଷାଦର କାଳାତୀତରେ ।

ପ୍ରଦୀପର ଉଲ-            ମ୍ଫନକୁ ନୟନେ

ନିର୍ମିମେଷ ନୟନରେ ସେ ଚାହିଁ

ବସିଥିଲେ ରାଜ-            ଗୁରୁ କି ବିଚାରି

ରାତ୍ରି ଘନୀଭୂତ ଜାଣନ୍ତି ନାହିଁ ।

ବରୁଣେଇ କଟ-            କର ଅଳିନ୍ଦରେ

ଜୀବନରେ ନିର୍ଜନତା ଯେପରି

ସବୁ ସମ୍ଭାବନା             କରି ନେଉଥିଲା

ଅପହରଣ କି ଭବିଷ୍ୟେ ଧରି ।

ସଦେଇର ଧିର            କଂଠରୁ ଶୁଭିଲା

ଆପଣଙ୍କ ରାତ୍ରି ଭୋଜନ ପାଇଁ

କହି ଆସିଛି ମୁଁ            ସେ ପୁରୋହିତଙ୍କୁ

ମଂଦିରର ପାଶେ ସାଆନ୍ତେ ଯାଇ ।

କେତେ ସମୟବା            ଆପଣ ପ୍ରତୀକ୍ଷା

କରିବେ ଏ ପରିଷଦ ଗୃହରେ

ପ୍ରତୀକ୍ଷା ହଁ ଜୟ            ବିଜୟର ବାନା

ଉଡାଇବ ରାଜଗୁରୁ କହିଲେ ।

ଜୀବନରେ ଲାଭ             ସଫଳତା କରି

-ବାକୁ ହେଲେ ଲବେ ଅବଶ୍ୟମ୍ଭାବୀ

ପ୍ରତୀକ୍ଷା ଦର୍କାର             ନାହିଁ ପ୍ରତିକାର

ଏହାର ବିକଳ୍ପ ବସିଥା ଭାବି ।

ପ୍ରତିଜାତି ଇତି -            ହାସେ ପ୍ରତୀକ୍ଷାର

ଧଇର୍ଯ୍ୟ ଉପରେ ସେହି ଜାତିର

ଗଉରବ ପ୍ରତି-            ଷ୍ଠିତ ହୁଏ ଏଣୁ

ପ୍ରତୀକ୍ଷା ହିଁ ଅନ୍ୟନାମ ଧୃତିର ।

ଏହି ଜ୍ଞାନଗର୍ଭା            ସଂଭାଷଣ ଶୁଣି

ସଦେଇର ପାଟି ଫିଟିଲା ନାହିଁ

କେବଳ ମୁଖକୁ            ସଦେଇ ପାଇକ

ଏକ ଲୟେ ରହିଥିଲା ସେ ଚାହିଁ ।

ବାହାରେ ଶୁଭିଲା             ଅଶ୍ୱଖୁରା ଶବ୍ଦ

ରାଜଗୁରୁ ଉଚ୍ଚକିତ ହୋଇଲେ

ଉତ୍‌କର୍ଣ୍ଣ ସଦେଇ            ପାଟିକରି ଉଠେ

ରହି ରହି କିଛି ସମୟପରେ ।

ଗଜପତି ବିଜେ             ହେଲେ ରାଜଗୁରୁ

ଗଜପତିଙ୍କର ଘୋଡାର ଗତି ।

ଭଲଭାବେ ଜାଣେ             ଶୁଭକାଉ କେବେ

ସକାଳରେ ମିଛ କୁହେ ନି ଅତି ।

ପାଦେ ପାଦେ କରି            ଦୁଆର ଆଡକୁ

ଯାଉଥିଲେ ଆଗେଇ ରାଜଗୁରୁ ।

ପ୍ରଦୀପ ସ୍ତିମିତ             ଶିଖାକୁ ଚଂଚଳ

କରି କକ୍ଷ ଦିଗେ ଡେଇଁ ଘୋଡାରୁ ।

ପ୍ରବେଶିଲେ ରାଜା            ଏହି ସମୟରେ

ଗଜପତି ରାମଚନ୍ଦର ଦେବ

ତାଂକର ପଛରେ            ବିସୂକ୍ଷ୍ମ-ଉତ୍ତରୀ

ଆବୃତା ରମଣୀଥିଲେ ନୀରବ

ଅଧିରେ ଆବେଗେ            ରାଜଗୁରୁଙ୍କର

ପଦସ୍ପର୍ଶକରି ସେ ଗଜପତି

କହିଲେ ଆସିଛି            ଆହେ ମହୋଦୟ

ଆପଣଂକ ଆଶୀର୍ବାଦକୁ ଚିନ୍ତି ।

ଆଶୀର୍ବାଦ ଚିଠି            ମୋର ଯାତ୍ରାପଥ

କୁସୁମିତ କରିବା ସଂଗେ ସଂଗେ

ଆଭିଜାତ୍ୟ ମଧ୍ୟ            ମଣ୍ଡିତ କରିଛି

ରାଜଗୌରବକୁ ମୋଗଲ ସଂଗେ ।

ଦୁଆର ନିକଟେ            ପ୍ରହରାରତ ସେ

ମୋଗଲ ଲସ୍‌କରେ ସ୍ଥାନାନ୍ତରିତ

ହେ ବୀର ସୂଚନା            ଦେଇ ଗଜପତି

କହିଲେ ଏ ନାରୀବର ଚିନ୍ତିତ ।

ଓଡିଶାର ଇତି-            ହାସର ଏ ନାରୀ

ପ୍ରଶ୍ନବାଚୀ ବିଡମ୍ବିତ ଏଠାରେ

ଲାଂଛିତ ଅତୀତ            ଏହି ନିବେଦିତ

ଆତ୍ମା ଏ ବେଗମ ଭାବନ୍ତୁବାରେ ।

ଏ ହିନ୍ଦୁ ବ୍ରାହ୍ମଣୀ            ନିର୍ଯ୍ୟାତିତା କନ୍ୟା

ମୁର୍ଶିଦାବାଦଙ୍କ ଏ ଜବାଧରୀ

କାଳ ତାଡନାରେ            ଅଭିଶପ୍ତାବଳା

ସେ କାଂଚନବାଳା ନାମ ସୁନ୍ଦରୀ ।

ପ୍ରତାପୀ ସୁଜାଖାଁ            ଦ୍ୱାରା ଅପହୃତା

ହେଲାପରେ ମୁରଶିଦାବାଦର

ନବାବ ହାରେମେ            ଜନମ ଜାତକ

ଲେଖା ହୋଇଅଛି ଏ ରିଜିୟାର ।

ଏ ରିଜିୟା ଚାହେଁ            ସନାତନ ଧର୍ମ

ସ୍ରୋତେ କରିବ ଆତ୍ମ ନିବେଦନ

ରାଷ୍ଟ୍ର ଦେବତା ଶ୍ରୀ-            ଜଗନ୍ନାଥ ପଦ

ରେଣୁରେ କରିବ ଅବଗାହନ ।

ଆସନ ଗ୍ରହଣ             କରି ରାଜଗୁରୁ

ଗମ୍ଭୀର ଭାବରେ ରହିଲେ ଚାହିଁ

ଦୃଷ୍ଟି ପଡିଥିଲା            ରିଜିୟା ଉପରେ

ଅତିଥି ସେ ରାଜଗୁରୁଙ୍କ ପାଇଁ ।

ନମ୍ର ନିବେଦିତା            ରିଜିୟା ଆଭୂମ

ପ୍ରଣାମ ନିବେଦନ କରିସାରି

ମଥାତୋଳି ଧିର            କଂଠରେ କହିଲେ

ଆହେ ରାଜଗୁରୁ ଏ ଦୀନା ଭାଳି ।

ପ୍ରଭୁ ଜଗନ୍ନାଥ            ସିଂହଦ୍ୱାର ଖୋଲା

ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ

ସମସ୍ତଙ୍କ ପାଇଁ             ଉନ୍ମୁକ୍ତ ସର୍ବଦା

ଜଗନ୍ନାଥ ନାମ କହନ୍ତି ମରେ ।

ସେହି ମହାବାହୁ            ପତିତ ତାରଣ

ଉଡେ ପଂରପଂର ପତିତ ବାନା

ମୁଁ ସେହି ମର୍ମରେ            ଥରେ ଦରଶନ

କରିବି ମୋ ଇଚ୍ଛା ହେବକି ନା ନା ।

ଅସମାହିତ ଏ             ପ୍ରଶ୍ନ ରାଜଗୁରୁ

ରିଜିୟାଙ୍କ ଆଡୁ ଦୃଷ୍ଟି ଫେରେଇ

ସ୍ୱଗତୋକ୍ତି କଲେ             ଧର୍ମ ଅଧିଷ୍ଠାତା

ଜଗନ୍ନାଥେ ଚିରଦିନ ବଧେଇ ।

ଭକତ ବତ୍ସଳ            ସିନା ଜଗନ୍ନାଥ

ଉଦ୍ଧାର କରିବା ପାଇଁ ଜଗତେ

କିଂତୁ ଧରମର            ଜଟିଳ ତତ୍ୱରେ

ପଶିନ ହେ ତୁମେ ରିଜିୟା ସତେ ।

ପରମ ଲକ୍ଷ୍ମୀଙ୍କ            ମୁଖୁ ଖୋଜୁଥିଲେ

ରେଜିୟା ସ୍ୱାଭୀପ୍ସାର ଆର୍ଶୀବାଦ

କିଂତୁ ରାଜଗୁରୁ            ପାଷାଣ ପ୍ରତିମା

ନିର୍ବାକ ନିଷ୍ଠୁର ଉଦ୍ଧ୍ୱର୍ରେ ବାଦ ।

ଧର୍ମ ମୌଳିବାଦୀ            ମାନେ ସବୁଦିନେ

ଏମିତି ପାଷାଣ ବି ନିଷ୍କରୁଣ

ପ୍ରସଂଗ ଏଡାଇ            ବାକୁ ଯାଇ ରାଜା

ଭାଷିଲେ ଯାଥିଲା ସତେ କରୁଣ ।

“ନାଏବ ନଜୀମ            ତକୀଖାଁର କ୍ରୁର

ଦୃଷ୍ଟିରୁ ପ୍ରଭୁଙ୍କ ରାଇଜ ମାନ

ରକ୍ଷା ପାଇଁ ବାଧ୍ୟେ            ରିଜିୟା ସାନିଧ୍ୟ

ବରଣ କରିଛି ହରାଇ ମାନ ।

ଆହେ ରାଜଗୁରୁ            ମହୋଦୟ ଯହିଁ

ଆତ୍ମୀୟ ସ୍ୱଜନମାନେ ଭଗାରୀ

ସମଧର୍ମୀ ସମ -            ବର୍ଗୀୟ ସେ ଗଡ

ନାୟକେ ସ୍ୱାର୍ଥ - ସର୍ବସ୍ୱ ସଂସାରି ।

ସ୍ୱାର୍ଥ ଲାଳସାରେ            ଯେଉଁଠି ସ୍ୱଦେଶୀ

ଇତିହାସ ଉତ୍ପୀଡକ କର୍ମରେ

ସେଠାରେ ବିଧର୍ମୀ            ରିଜିୟାର ଧର୍ମ

ଧାରଣା ମାନସେ ତୁଳନା କଲେ ।

ଏକାନ୍ତ ଶ୍ଳାଶ୍ୟ ତା            ଆତ୍ମିୟତାର ସେ

ହେମ ନିଗଡ ତ ଧାରଣା ଧର୍ମ

ଧରମର ଗ୍ଳାନି             ରୋକିବା ପାଇଁକି

ରିଜିୟା ଦୀକ୍ଷିତା ଏ ହିନ୍ଦୁ ଧର୍ମ ।

ତାଙ୍କୁ ଶ୍ରୀ ମନ୍ଦିର            ଧାର୍ମିକ ମଣ୍ଡଳୀ

ସ୍ୱିକୃତି କି କଣ ଦେବ କି ନାହିଁ?

କୁହନ୍ତୁ ଏ ରାଜ-            ଗୁରୁ ଏହିଠାରେ

ଆପଣଙ୍କ ମନକଥା ଫିଟାଇ” ।

“ଧର୍ମର ବାଇଶି             ପାହାଚ ଅତୀବ

ଅଲଙ୍ଘ୍ୟ ଅଲଙ୍ଘ୍ୟ ହେ ମହାରାଜ

ଯେଉଁ ପାହାଚରେ             ସ୍ୱଧର୍ମର ପାପୀ

ଆରୋହଣ କରି ତୋଳେ ସାମ୍ରାଜ୍ୟ ।

କି ଅନାୟାସରେ            ଏଧର୍ମ ତତ୍ୱରେ

ଧାର୍ମିକଙ୍କ ପାଟି ଫିଟଇ ନାହିଁ

କିଂତୁ ବିଧରମୀ            ପୁଣ୍ୟାତ୍ମାର କେବେ

ସେଠାରେ ପ୍ରବେଶାଧିକାର ନାହିଁ ।”

ଅବରୁଦ୍ଧ ହୋଇ             ଆସୁଥିଲା କଂଠ

ରାଜଗୁରୁଙ୍କର ଆତ୍ମ ଗ୍ଲାନିରେ

ବାହାର ଅଂଧାର            ମଧ୍ୟେ ବୁଡିଥିଲେ

ମୁକ୍ତ ବାତାୟନ ଧାର ସଂଧିରେ ।

ଆହତ କଂଠରେ             କହିଲେ ରାଜନ

ଧର୍ମାଂଧ ତକୀଖାଁ ବିଷ ଦୃଷ୍ଟିରୁ

“ମହାବାହୁ ମାନ            ରକ୍ଷା ପାଇଁ ନିଜେ

ମାନକୁ ହାରିଲି ହେ ରାଜଗୁରୁ ।

ମୋର ମାନରକ୍ଷା             ପାଇଁ ଶ୍ରୀ ମଂଦିର

ଯଦି ଅବରୁଦ୍ଧ ପ୍ରବେଶ ଦ୍ୱାର

ହୋଇଯାଏ ତେବେ             କେଡେ ଅବିଚାର

ହୋଇବ ମୋ ପ୍ରତି କର ବିଚାର ।

ଆଉ ଏକ ହେବ            ଧର୍ମାଂଧ ବିଚାର

ନଗ୍ନ ନିଦର୍ଶନ ଅବିଚାରର

ଏ ଗୁମୁଟି ଦ୍ୱାର            ହେଉ ଜଗନ୍ନାଥ

ଏକ ପ୍ରତିରୂପ ସ୍ଥାପନ ସ୍ଥଳ ।

ପତିତ ପାବନ            ସ୍ୱୟଂ ପ୍ରତିଷ୍ଠିତ

ହୁଅନ୍ତୁ ଏଠାରେ ପତିତ ପାଇଁ

ସେହି ମହାବାହୁ            ଯୁଗେଯୁଗେ ହେବେ

ତତ୍ୱ ଚିନ୍ତାମଣି ବିଧର୍ମୀ ପାଇଁ ।

ପତିତ ଜନର            ମହେଜ୍ୟ ପାଇକ

ହେବ ଜଗତର ଜୀବନଧର୍ମ

ଏତିକି ମାତର            କରନ୍ତୁ ବ୍ୟବସ୍ଥା

ଆହେ ରାଜଗୁରୁ ରଖିଣ ମନ ।

“କେତୋଟି ମୁହୁର୍ତ୍ତ            ନିରବରେ ଅତି-

-ବାହିତ ହୋଇଲା ପରେ କହିଲେ”

ରେଜିୟାଙ୍କ ପାଣି -            ଗ୍ରହଣ ସରିଲା

ଆଉ କି ଯୋଜନା ଅଛି ପହିଲେ ।

ପ୍ରଜାଙ୍କ ମନରେ            ଘୋର ନଇରାଶ୍ୟ

ଆପଣଂକ ଧର୍ମାନ୍ତର ହେବାରୁ

ବର୍ତ୍ତମାନ ଏହି             ଓଡିଶାରେ କେତେ

ସ୍ୱାର୍ଥାନ୍ୱେଷୀ ଡେଇଁଲେଣି ପଦାରୁ ।

ଆକୁଳ ପ୍ରତ୍ୟାଶୀ            ପ୍ରତ୍ୟେକେ ହେବାକୁ

ମୋଡିଣ ନିଶକୁ ହେ ଗଜପତି

ଖୋର୍ଦ୍ଧା ବରୁଣେଇ            କଟକର ରାଜା

ବହୁ ଆଶା ପୋଷି ଚାହିଁ ଅଛନ୍ତି ।

ତକୀଖାଁକୁ ତୁଷ୍ଟ            କରି ଗଜପତି

ସିଂହାସନ ଆରୋହଣ କରିବା

ପାଇଁ ଏଣେ ପାଟ            ମହାଦେଇଙ୍କର

ପ୍ରବଳାଭିଳାଷ ଅଛି ଦେଖିବା ।

ରାଜ ସିଂହାସନ            ଏବେ ଅଛି ଶୂନ୍ୟ

ଓଡିଶାର ଏଜୀବନ ଧାରାରେ

ଅଥରବତାର            ସୁଶୀତଳ ଛାୟା

ସଂଚାରିତ ହୋଇଯାଇଛି ବାରେ ।

ଆଉଥରେ କ’ଣ            ଫେରିବେ ଆପଣ

ତକୀଖାଁଙ୍କର ସେ ଦରବାରକୁ

ଆହେ ମହାରାଜ            ଭବିଷ୍ୟତରେ କି

ଯୋଜନା କରିଛ କହ ମନକୁ ।

“ଏକ ଦୀର୍ଘଶ୍ୱାସ             କରିଣ ନିକ୍ଷେପ

ରାମଚନ୍ଦ୍ର ଦେବ କହିଲେ ଧିରେ

ଅବସ୍ଥାନ କରି            - ବାକୁ ବର୍ତ୍ତମାନ

ହେବ କିଛିଦିନ ବାରବାଟୀରେ ।

ସ୍ୱାଧୀନ ଭାବରେ            ବିଚରଣ ପାଇଁ

ସୁଯୋଗ ଦେବା ତକୀଖାଁ ଅରାଜି

ତାଂକର ଆଶଂକା            ରିଜିୟା ପ୍ରଭାବେ

ସହାୟତାରେ ମୁଁ ହୋଇଣ ରାଜି ।

କରି ନେଇପାରେ             କେତେକ ମୋଗଲ

ସୈନ୍ୟ ଅକ୍ତିଆର କଉଶଳରେ

ଏଣୁ କିଛିଦିନ            ହେବ ଅବସ୍ଥାନ

ମୋର ସେ ବାରବାଟି କଟକରେ ।

ଏକାକୀ କରିବି            ପ୍ରତ୍ୟାବରତନ

ତାହାପରେ ବରୁଣେଇ କଟକ

ତକୀଖାଁ ସାହାଯ୍ୟେ            ଗୃହଶତୃ ବୃନ୍ଦେ

ଆଗ କରିବାକୁ ହେବ ଅଟକ ।

ତାପରେ ବିଲୟ            କରିବାକୁ ହେବ

ପର୍ଯ୍ୟାୟକ୍ରମରେ କଉଶଳରେ

ସେମାନଙ୍କୁ ଧିରେ            ଧିରେ ଓଡିଶାର

ଦରକାର ଅନୁସାରେ ବଳରେ ।

କାଳେକାଳେ ଏହି            ଭେଦିଆ ମାନଙ୍କ

ଷଡଯନ୍ତ୍ର ଯୋଗୁଁ ଏ ଇତିହାସ

ରକତ ରଂଜିତ            ଆଉ କଳଂକିତ

ହୋଇଯାଇଅଛି ଯା ମନ ପ୍ରାସ” ।

“ବରୁଣେଇ କଟ-             କରେ ସାମୟିକ

ସୁବିଧା ଦେଖି ଅବସ୍ଥାନ ପରେ

ଆପଣ ଗୋପନେ            ଆସିବେ ଶ୍ରୀ କ୍ଷେତ୍ର

ପ୍ରଭୁ ଦରଶନ ଇଚ୍ଛା ମନରେ ।

ଏହାର ସୁଦୁର            ପ୍ରସାରୀ ପ୍ରଭାବ

ଅନୁକୂଳ ହେବ ପ୍ରତିକ୍ରିୟାରେ

ଓଡିଶାର ଜନ            ଜୀବନ ହୁଏତ

ପ୍ରାଣବନ୍ତ ସମ୍ଭବ ହୋଇପାରେ ।

କାଲି ସକାଳେ ମୁଁ            ପ୍ରସ୍ଥାନ କରୁଛି

ଶ୍ରୀ କ୍ଷେତ୍ରକୁ ବାର୍ତ୍ତା ପ୍ରଚାର ପାଇଁ

ବିଶୁଦ୍ଧ ସଂସ୍କୃତ             ହୋଇ ଗଜପତି

ଆସୁଛଂତି ପ୍ରଭୁ ଦର୍ଶନ ପାଇଁ”

“ରାମଚନ୍ଦ୍ର ଦେବ-            ଙ୍କର ସ୍ୱକଂଠରେ

କଂଟକିତ ପ୍ରଶ୍ନର ଉତ୍ପୀଡନ

ଆଉ ମୋ ବେଗମ            ରିଜିଆ କଥାକୁ

ଲାଗେ ଭୁଲିଗଲେ ବୋଲି ଆପଣ”

ଉପରକୁ ଚାହିଁ            ଗମ୍ଭୀର କଂଠରେ

କହିଲେ ପରମଲକ୍ଷ୍ମୀ ଗମ୍ଭୀରେ

ପ୍ରଭୁ ଦରଶନ            କରିବେ ରିଜିୟା

ଗୁମୁଟି ଦୁଆର ନିକଟେ ଭଲେ ।

ସେହି ବ୍ୟବସ୍ଥାକୁ             କରିବାକୁ ହେବ

ବୁଝେଇ ସୁଝେଇ ସେବାୟତଙ୍କୁ

କରି ଦରଶନ            ଉପାୟ ବିହିବା

ଦରଶନ ପତିତ ପାବନଙ୍କୁ” ।

ରାମଚନ୍ଦ୍ର ଦେବ             ରେଜିୟାଙ୍କ କମ୍ର

ମୁଖ - କମଳକୁ ଚାହିଁ କଣେଇ

ଲୀଳାୟିତ ମୁଖ-            ର କଳାଘୁମର

ଆଖି ଦୁଇଟିରେ ବେଦନା ନେଇ ।

ଲୋତକର ଧାର            ଘନୀଭୁତ ହୋଇ

ଆସୁଥିଲା ଧିରେ ଧିରେ ବଦନେ

ଏକ ଦୁର୍ବି ନୀତ             ସେନାପତି ପରି

ରାଜଗୁରୁ ଘରୁ ଗଲେ ବହନେ ।

ରାତ୍ରିର ବକ୍ଷକୁ            କରି ବିଦାରିତ

ଭିତରଗଡ ବାହାରେ ଝିଲ୍ଳୀର

ଝଂକାର କେବଳ            ଆସୁଥିଲା ଭାସି

ଧିରେ ଧିରେ ରହି ରହି ଅସ୍ଥିର ।

“ଧରମର ପଥ            ସବୁଦିନ ଏହି

ପରି କଂଟକିତ ରେଜିୟା ଜାଣ

ରିଜିୟା କହିଲେ            ତାହା ମୁଁ ଜାଣିଛି

ଆଉ କିଛି ନୂଆ ଅଛି “ବଖାଣ” ।

ଭଗବତ ଧର-            ମତ ହୃଦୟର

ଭୂଷଣ ଗଜପତି ମହାଶୟ

ପ୍ରଭୁ ଜଗନ୍ନାଥ            ରିଜିୟା ହୃଦୟେ

ଚିର ବିଦ୍ୟମାନ ହୋଇ ସଦୟ ।

ଧରମ ଦେଖନ୍ତି            ନାହିଁ କେବେ ପ୍ରଭୁ

କେବଳ ହୃଦୟକୁ ହିଁ ଦେଖାନ୍ତି

ତେଣୁ ଭକ୍ତିଭାବ            ହୃଦୟରେ ଥାଉ

ଗାଇ ଭକ୍ତି ଗୀତ ନିଶି ପାହାନ୍ତି ।

ରିଜିୟାଙ୍କ ଘନ            କୁନ୍ତଳ ଉପରେ

କର ସଂଚାଳନ କରି ପ୍ରେମରେ

ରାଜନ କହିଲେ            ସୁନ୍ଦରୀ ରିଜିୟା

ମହାବାହୁଙ୍କର ମାନ ଉଚ୍ଚରେ ।

ଅଛି ତେଣୁ ମାନ            ରକ୍ଷା ପାଇଁ ଯେଉଁ

ଧର୍ମ ଆଚରଣ କରିବା ଯାହା

ଭକତି ଧରମ            ପ୍ରୀତିର ଧରମ

ମାନବତା ଧର୍ମ ଅଟଇ ତାହା ।

ସକାଳ ମଂଗଳ            ଆଳତି ସରିଲା

ଗୀତ ଗୋବିନ୍ଦର ହୋଇଣଗାନ

ସୁଲଳିତ ପଦା-            ବଳୀ ଗାଉଥିଲେ

ବସିଣ ଭକତଗଣ ସମ୍ମାନ ।

କାମନାର ଅସ-            ରନ୍ତି ମାଗୁଣି କି

ଶ୍ରୀଜୀଉ ନିକଟେ ହୋଇ ଅଜାଡି ।

ପଡୁଥିଲା ସତେ            ଦେଉଳ ଭିତରେ

ଶୀରିବତ୍ସ-ଖଣ୍ଡଶାଳ ସଜାଡି ।

ସେ ବଡ ଦାଣ୍ଡରେ            ଧିରେ ଧିରେ ଧିରେ

ବାଂଧିଲା ଜମାଟ ଜନଗହଳି

ସକାଳ ସବିତା            ଉଦୟ ଅଚଳେ

ଉଷା ଦେଉଥିଲା ପୁଷ୍ପ ଅଞ୍ଜଳି ।

ଅଭ୍ୟର୍ଥନା ରାଗେ            ରଂଜିତ ପୁରୁବ

ଆକାଶ ରକତ-ବର୍ଣ୍ଣେ ଝୋଟିରେ

ଅରୁଣ ସ୍ତମ୍ଭର            ଚକଡ଼ା ନିକଟେ

ଭକତେ ଜଣାଣ ବୋଲୁଣ ଥିଲେ ।

ଆଭାସନ୍ତି ଚିତ୍ର            ପରି ଚିନ୍ତାମଣି

ପ୍ରଭୁଯଶ କ୍ଷାତି ହୋଇବ ବୋଲି

ପତିତ ଉଦ୍ଧାର            କର ଚକ୍ରଧର

ଯବନେ ଦେଉଳେ ନଯାନ୍ତି ବୋଲି ।

ନାଶିବାରେ କ୍ଷମ            ଭବ-ଦୁଃଖ-ରାଶି

ଯବନକବଳୁ ଏ ଓଡିଶାକୁ

ରକ୍ଷାକଲେ ପ୍ରଭୁ            ନ ହେଲେ ଗ୍ରାସିବ

ରାହୁ - ଗ୍ରହ ତକୀଖାଁ ଆସିବାକୁ

ଧିରେଧିରେ ଏକ            ଅଶ୍ୱର ପୃଷ୍ଠରୁ

କଲେ ଜଣେ ବୀର ଅବତରଣ

ତାଂକ ପଛେପଛେ            ତୁରଂଗୁ ଓହ୍ଲାଏ

ନାରୀ ଏ ଆବୃତ ଅଛି ବଦନ ।

ସେ ଅବଗୁଣ୍ଠନ-            ବତୀ ନାରୀ ନେତ୍ରୁ

ଝରେ ଧାରଧାର ଲୁହ ତରଳି

ସତେ ବା ହିମାଦ୍ରି            ଶିଖରୁ ଖସୁଛି

ଜଳଧାରା ପରବଳରେ ଗଳି ।

ନର କମରରେ            ଝୁଲୁଥିଲା ଏକ

ତରବାରୀ ତୀକ୍ଷ୍ଣ ତଳକୁ ଛୁଇଁ

ବୃତ୍ତାକାର ଉତ୍ତ-            ରୀକୁ ଆଭରଣ

କରିଣ ସତୃଷ୍ଣେ ଶୋଇଲେ ଭୂଇଁ

ବାଇଶି ପାହାଚ            ଆଡେ ଚାହୁଁଥିଲେ

ବାରମ୍ବାର ସତୃଷ୍ଣ ନୟନରେ

ଆଗନ୍ତୁକ ନାରୀ            ଦଣ୍ଡାୟମାନା ସେ

ଗୁମୁଟ ନିକଟରେ ନୀରବରେ ।

ମୁଷ୍ଟିମେୟ କେତେ            ଦର୍ଶନାର୍ଥୀ ଚଢ଼ି

ବାଇଶି ପାହାଚେ ଜଣାଣ ଗାଇ

ଯାଉଥିଲେ ଭିଡ            ଜମି ତ ନଥିଲା

ସକାଳ ଦର୍ଶନ ପାଇବା ପାଇଁ ।

ଗୁମୁଟି ଦୁଆର             ନିକଟେ ମୁଣ୍ଡିଆ

ମାରୁ ମାରୁ ଉଚ୍ଚ କଂଠରେ ଡାକ

ଛାଡୁଥିଲେ କେହି            ଭକତ ମଣିମା

ମହାବାହୁ ଶୁଣ ଦୀନଙ୍କ ଡାକ ।

ଓଡିଶାର ଗଜ-            ପତିକୁ ଉହାଡ

-କର ଚକ୍ରଧର ତୁମ୍ଭ ଚକ୍ରରେ

ମାନରକ୍ଷାକର            ଏହି ଓଡିଶାର

ତକୀଖାଁ କବଳୁ ଦୀନ ଜନରେ ।

ଗଜପତି ଗୌଡେ-            ଶ୍ୱର ରାମଚନ୍ଦ୍ରେ

କର କୀର୍ତ୍ତିମାନ ହେ ମହାବାହୁ

ଧର୍ମର ସୁରକ୍ଷା            ହେଉ ଆହେ ପ୍ରଭୁ

ଓଡିଶାର ଦୁଃଖ ସକଳ ଯାଉ ।

ମଥା ଉତ୍ତୋଳନ            କରି ସେବାୟତ

ଜଣକ ଅପେକ୍ଷାମାଣ ଉକ୍ତଙ୍କ

ଆଡେ ଚାହିଁ ହୋଇ            ଗଲେ ସ୍ତମ୍ଭୀଭୁତ

ସତେ ମୁଣ୍ଡେ ପଡିଗଲା ଚଡକ ।

ଅନୁଚ୍ଚ ବିହ୍ୱଳ            କଂଠେ ସେବାୟତ

ଜଣକ ଉଠିଲେ କହି ସହସା

ଗଜପତି ମହା-            ରାଜ ଏହିଠାରେ?

ଆମ୍ଭେମାନେ ହେଉଛୁ ଲୋକହସା ।

ଅରୁଣସ୍ତମ୍ଭର            ଚକଡ଼ାରେ ଠିଆ

ହୋଇ ଆପଣ ଆତ୍ମ ନିବେଦନ

କରୁଛଂତି ଛାମୁ            ଏକାକୀ ଆଉ ସେ

ଯବନୀ ଲଳନା ଠିକଣା କ’ଣ?

ଏ ଅପ୍ରତ୍ୟାଶିତ            କଂଟକିତ ପ୍ରଶ୍ନେ

ଅତିଷ୍ଠ ହୋଇଲେ ସେ ଗଜପତି

ଯେପରି ନଥିଲା            ଭାଷା ନିକଟରେ

ଉତ୍ତର ଦେବାକୁ ତାଂକର କତି ।

“ମହାରାଜ ବିଜେ            କରନ୍ତୁ ଆପଣ

ଭିତରକୁ ଏଇ ମାତ୍ର ସରିଛି ।

ମଙ୍ଗଳ ଆରତି            ଆପଣ କର୍ପୂର

ପ୍ରସାଦ ସେବା କରିବେ ରହିଛି”

ଗଜପତି ଥରେ            ରିଜିୟାଙ୍କ ଆଡେ

ଚାହିଁ ଉପରୁ ଦୁରୁବଳ କଂଠରେ

କହିଲେ ମୋ ସଂଗେ            ଅଛଂତି ଏ ରାଜ୍ୟ

ରାଣୀ ଜବାଧରୀ ଦେବୀ ଆଗରେ ।

ସେ ଆଉ ବେଗମ            କନ୍ୟା ନୁହଁନ୍ତି ହେ

ସୁଆରେ ପବିତ୍ର କର୍ମ ସଂସାରେ

ହୋଇ ଯାଇଛନ୍ତି            ପବିତ୍ର ବିଶୁଦ୍ଧା

ସନାତନ ହିଂଦୁ ଶାସ୍ତ୍ର ପ୍ରକାରେ ।

ବାଇଶି ପାହାଚ-            କୁ ଅବତରଣ

କରିଣ ଅରୁଣ ସ୍ତମ୍ବ ନିକଟେ ।

ଆସିହେଲେ ଠିଆ            ସେ ପରମ ଲକ୍ଷ୍ମୀ

ରାଜଗୁରୁ ମହାପାତ୍ର ସଂକଟେ

“ଗଜପତି ସ୍ମିତ             ହସିଣ କହିଲେ

ଆଜି ଶ୍ରୀ ମନ୍ଦିର ଦରଶନର

ଆଦ୍ୟ ପର୍ବ ଅବା            ଅନ୍ତିମ ସେ କଥା

ଜାଣେ ନା ହେ ରାଜଗୁରୁ ମୋହର ।

ଥରେ ଦରଶନ            ସାରି ଫେରିଯିବି

ବରୁଣେଇ କଟକ ମହାଶୟ

ତକୀଖାଁର ଗୁପ୍ତ-            ଚର ମାନେ ମୋର”

ଗତିବିଧି ଜାଣିବାକୁ ଅଥୟ ।

“କଲେନି ପ୍ରଦାନ            ଅନୁମତି ମୁକ୍ତି

ମଣ୍ଡପ ରିଜିୟା ପ୍ରବେଶ ପାଇଁ

ମଂଦିର ଭିତରେ            ଗୁମୁଟ ଦୁଆରେ

ତେଣୁ ଦୁଃଖ କରିବାର ହିଁ ନାହିଁ ।

କାରଣ ଗୁମୁଟ            ଦୁଆରେ ପତିତ

ପାବନଙ୍କୁ ଦରଶନ କରିଣ

ଦର୍ଶନାଭିଳାଷ            କରିବ ପୂରଣ

ଧର୍ମ ପଥ କଂଟକିତ ଜାଣିମ ।”

ସ୍ଖଳିତ କଂଠରେ            ଗଜପତି ଭାଷି

ରତ୍ନ ସିଂହାସନ ଅଭୟ ମୁକ୍ତି

ନିକଟରେ ଜାତି            ଧରମ ବରନ

ନିର୍ବିଶେଷେ ସବୁ ଭକ୍ତଙ୍କ ଭକ୍ତି ।

ନିବେଦନ ଅଧି-            କାର ଥିଲାବେଳେ

ମୁକ୍ତି ମଣ୍ଡପ ପଣ୍ଡିତ ମାନଙ୍କ

ଏଥିପ୍ରତି ପରାଂ-             ମୁଖତା କାହିଁକି

ରାଜଗୁରୁ ମହୋଦୟ ପରଖ ।

ଧର୍ମ ପରିଭାଷା            ସର୍ବଦା ଏମିତି

ବିତର୍କିତ ଆହେ ଶୀ ଗଜପତି

ଆପଣ ଏଇଠୁ             ବିଭୁ ଦରଶନ

କରି ଫେରିଯାନ୍ତୁ ନିବେଦନଟି ।

ଧର୍ମାଂଧ ତକୀଖାଁ            ଆପଣଙ୍କ ପିଛା

କରୁଛି ହିଁ ପ୍ରତି ପଦେ ପଦରେ

ନିର୍ଭର କରୁଛି            ପ୍ରଭୁ ନିରାପତ୍ତା

ଆପଣଙ୍କ ନିରାପତ୍ତା ଉପରେ ।

ମ୍ଳାନ ହସ ହସି            ଭାଷି ଗଜପତି

କହିଲେ ଏ ନୀଳଚକ୍ରେ ଦର୍ଶନ

କରିଣ ରିଜିୟା            ଆତ୍ମ ଆର୍ତ୍ତନାଦେ

ପ୍ରଶମିତ କର ଦୃଢ଼ ଚିନ୍ତନ ।

ଆଗାମୀ ସଂଗ୍ରାମୀ            ମୁହୂର୍ତ୍ତରେ ନେବ

ତୁମେ ବୈପ୍ଳବିକ ଭୂମିକା ଶ୍ରେଷ୍ଠ

ଏହିଠାରେ ତେଣୁ            ପ୍ରଭୁଙ୍କ କରୁଣା

ଭିକ୍ଷାକର ଯାହା ମାନୁଛ ଶ୍ରେଷ୍ଠ ।

ଧର୍ମର ସ୍ୱୟଂଭୁ            ସ୍ରଷ୍ଟା ସୂୟଂ ତୁମ

ହୃଦୟରେ ବିଦ୍ୟମାନ ଅଛଂତି

ପତିତ ପାବନ            ଜଗତର କର୍ତ୍ତା

ପରମକାରୁଣିକ ହେଉଛନ୍ତି ।

ଜାତି ଧର୍ମ ବର୍ଣ୍ଣ            ବିଚାର ଅତୀତ

ସେହି ଧରମର ପ୍ରତିଭୁ ଏହି

ନୀଳଚକ୍ରେ ମଧ୍ୟ            ମୂର୍ତ୍ତିମାନ ପ୍ରିୟା

ରିଜିୟା ଜଗତ କରତା ସେହି ।

ବଢ଼ୁଥିଲା ତହିଁ            ଜନ ସମାଗମ

ଧିରେ ଅରୁଣସ୍ତମ୍ଭ ନିକଟରେ

ଗୁଂଜରଣ ଖେଳି            ଯାଉଥିଲା କେନ୍ଦ୍ର

କରି ରିଜିୟାଙ୍କୁ ତାଙ୍କ ମଧ୍ୟରେ ।

ଦୁଇ ହାତ ଯୋଡି            ଆଖିରେ ଆଖିଏ

ଅଶ୍ରୃ ଅର୍ଘ୍ୟ ଭରି ଭୂମି ଉପରେ

ମଥାନତ କଲେ            ରେଜିୟା ସଂଗରେ

ଗଜପତି ଥିଲେ ନିବେଦନରେ ।

ଦୁଷ୍ଟିକୁ ଚକିତ             କରି ଜନତାଙ୍କ

କୌତୁହଳୀ ଏକ ମୁକ୍ତା ଖଚିତ

ରତ୍ନହାର ରାଜ            ଗୁରୁଙ୍କ ସମ୍ମୁଖେ

ରଖିଲେ ରେଜିୟା ଅଶ୍ରୁଳ ଚିତ୍ତ ।

କହିଲେ ମୁକ୍ତିର             ରତ୍ନ ସିଂହାସନ

ତଳେ ଜବାଧରୀର ଭକତିର

ନିବେଦନ ମାତ୍ର             ପ୍ରଣାମ ସଂଗରେ

ଘେନନ୍ତୁ ସରାଗେ ଅଭାଗିନୀର ।

ପର ମୁହୂର୍ତ୍ତରେ            ତୁରଂଗ ପୃଷ୍ଠରେ

ରିଜିୟାଙ୍କୁ ଧରି ଅଶ୍ୱାରୋହଣ

କଲେ ଗଜପତି            ଛୁଟାଇଲେ ଅଶ୍ୱ

ଖରାସ୍ନାତ ବଡଦାଣ୍ଡେ ଦି ଜଣ ।

ମୁକ୍ତି ବଂଧୁରିତ            ପଥରେ ଦଉଡୁ

ଥିଲା ଅଶ୍ୱବର ଆଗକୁ ଉଡି

ଶ୍ରୀବତ୍ସ ସେ ଖଣ୍ଡ-            ଶାଳ ଦେଉଳରେ

ଉଡୁଥିଲା ବାନା ପବନେ ହଲି ।

ଯେପରି ଯବନୀ            ରେଜିୟାର ମାନ

ଉଦ୍ଧାରଣ ପାଇଁ ଜଗତନାଥ

ପତିତ ପାବନ             ବାନାରେ ପ୍ରସାର

କରୁଥିଲେ ଖୋଲି ସ୍ୱ ଦୁଇହାତ ।

 

୨ୟ ସର୍ଗ

 

ଶାରଦୀୟ ନୀଳାଦ୍ରି ଆକାଶରେ,

କ୍ଷୀଣ ଚନ୍ଦ୍ରମା ଦୁଃଖ କାଳିମାରେ ।

ମୁହ୍ୟମାନ ସେ ଭସା ବାଦଲର,

ଚାହୁଁ ଚାହୁଁ ହେଉଥିଲା ଅନ୍ତର ।

ନୀଳାଦ୍ରି କ୍ଷେତ୍ରର ଉପରେ ଭୀରୁ,

ଜ୍ୟୋତ୍ସ୍ନାର ମଳିନ ଆସ୍ତରଣରୁ ।

ଯେପରି ବେଦନାର ହାହାକାରେ,

ଧ୍ୱନି ସୃଷ୍ଟିକରି ପ୍ରାଣମନରେ ।

ବିଷାଦର ଭାବ ଆସ୍ତୀର୍ଣ୍ଣ କରି,

ଦେଇଥିଲା ହୃଦୟେ ଦୁଃଖ ଭରି ।

ନୀଳାଦ୍ରି ବଡ ଦେଉଳ ଉପରେ,

ଉଡୁଥିଲା ବାନା ଫର ଫରରେ ।

ରାତ୍ରିର ସୁରଭୀର ସ୍ତବ୍ଧତାରେ,

ଅସ୍ମିତାବୋଧର ଉଦ୍‌ଘୋଷ କରେ ।

ନୀଳାଦ୍ରିର କୁଟୀର ମାନଙ୍କରେ,

ଗୃହାଲୋକ ନିଷ୍ପ୍ରଦୀପରେ ଜଳେ ।

ପୁରୁଷୋତ୍ତମ କ୍ଷେତ୍ର ଅଲକ୍ଷଣ,

ଧୂମକେତୁ ଉୀତିରେ ମ୍ରୀୟମାଣ ।

ହୋଇପଡି ଅରଣ୍ୟ ଅଜଗର,

ପରି ବିବଶତା ନିଦ୍ରିତ ଘୋର ।

ରତ୍ନଦୀପ ଦେଉଳର ମଧ୍ୟରେ,

ସୁଶଙ୍କିତ ସ୍ତିମିତ ଆଲୋକରେ ।

ଶଙ୍କିତ ଚିତ୍ତେ ପରସ୍ପର ଚାହିଁ,

ମୌନ ଭାବରେ ବସିଥିଲେ ରହି ।

ମଣିମା ମାନଙ୍କ ବଡ ଶୃଂଗାର,

ସମାପ୍ତି ପରେ ଗୀତଗୋବିନ୍ଦର

ଲଳିତ ପରିଗାନ ସେହିମାତ୍ର,

ସମାପ୍ତ ହୋଇଥିଲା ତା ବିଚିତ୍ର ।

ଆକୁଳ ଉଦାସର ନୟନରେ,

ରାଜଗୁରୁ ଶ୍ରୀ ଜୀଉଙ୍କୁ ଚାହିଁଲେ ।

ବଡ ଶୃଙ୍ଗାର ବେଶ ବିଭୂଷିତ,

ଜଗନ୍ନାଥ ମହାପ୍ରଭୁ ଭୂଷିତ ।

ପଦ୍ମ ପଲାଶ ନୟନେ ଚାହାନ୍ତି,

ଚିନ୍ତାକୁଳ ସେବାୟତେ ଦେଖନ୍ତି ।

ପ୍ରସାରଣ କରି ଅଭୟ ବାହୁ,

ଦେଖୁ ଅଛନ୍ତି ପ୍ରଭୁ ମହାବାହୁ ।

ପ୍ରଭୁଙ୍କର ନାକଚଣା ସାମାନ୍ୟ,

ଦୋଳାୟିତ ହୋଇ ଉଠିଲା ପୁଣ ।

ରାଜଗୁରୁ ବିଷ୍ଫାରିତ ନୟନେ,

ସେହିଆଡେ ଚାହିଁଦେଲେ ବହନେ ।

ଦୀର୍ଘଶ୍ୱାସ ଛାଡିଲେ କେତେ ଭୀରୁ,

ଉପବେଶନ ଥିଲେ ଯେ ଆଗରୁ ।

କେଉଁ ସତର୍କ ସଂକେତର ପ୍ରତି,

ଉତ୍କର୍ଣ୍ଣ ହୋଇ ସର୍ବେ ବସିଛଂତି ।

ହୋଇଗଲା ରାତ୍ରି ଦୁଇ ପ୍ରହର,

ଅପହଡ ଶ୍ରୀ ମଂଦିର ଭିତର ।

ଅତନ୍ଦ୍ର ଭାବରେ ସେ ରାଜଗୁରୁ,

ରତ୍ନସିଂହାସନର ନିକଟରୁ ।

ଜଗମୋହନ ପର୍ଯ୍ୟନ୍ତ ବିକ୍ଷିପ୍ତ,

ପଦଚାରଣା କରୁଥିଲେ ସତ୍ୟ ।

ସଂହଦ୍ୱାର ନିକଟରୁ ଶୁଭିଲା,

ଡାକ ହୁସିଆର କର୍ଣ୍ଣେ ପଡିଲା ।

ମଣିମାମାନେ ରତ୍ନ ପଲଙ୍କରେ,

ବିଜେ ହୁଅନ୍ତୁ ହୁସିଆର କରେ ।

ରାଜଗୁରୁ ପରମଲକ୍ଷ୍ମୀ ଆଖି,

ଦୁଇଟା ଜଳି ଉଠିଲା ପରଖି ।

ଉତ୍କଣ୍ଠିତ ଭାବରେ ସେବାୟତେ

ପରସ୍ପରକୁ ଚାହଁଲେ ଚକିତେ ।

ପାଳିଆ ଖୁଡିଆ ଛାମୁ ଗୁପ୍ତରେ,

ମଣିମା ସ୍ଥାନାନ୍ତର ପ୍ରସଂଗରେ ।

ଦେଲାଣି ସୂଚନା କରିବା ପାଇଁ,

ଆଉ ସମୟ ବି ହାତରେ ନାହିଁ ।

ରତ୍ନ ସିଂହାସନ ଚକଡ଼ାଛଡ଼ା,

କାହିଁ ଯିବେ ପ୍ରଭୁ, କେବେ ବାହୁଡା?

ଜୀଉମାନଙ୍କୁ ମୋଗଲ ଗୋଳରୁ,

ସୁରକ୍ଷିତ ରଖିବାର ଚିନ୍ତାରୁ ।

କରିବାକୁ ପଡିବ ଅତିକ୍ରମ,

ବହୁ ପଥ ସେଠି ନାହିଁ ବିଶ୍ରାମ ।

ରତ୍ନ ପଲଙ୍କରେ ଶ୍ରୀ ମନ୍ଦିରରେ,

ପହୁଡିବାର ମାହେନ୍ଦ୍ର ବେଳାରେ ।

ଆଉ ମଣିମାଙ୍କର ମଧୁମୟ,

ଭାବ ପାଇଁ କାହିଁ ଆଉ ସମୟ ।

ଯବନଙ୍କ ଭୟରେ ବିଚଳିତ,

ଶ୍ରୀ ମଂଦିରର ପ୍ରାଣ ସନ୍ତାପିତ ।

ନତ ଜାନୁ ହୋଇ ବସିପଡିଲେ,

ରାଜଗୁରୁ ସିଂହାସନ ପାଖରେ ।

ସ୍ତିମିତ ଶିଖାରେ ରତ୍ନଦୀପର,

ଜୀଉମାନେ ଦିଶୁଥିଲେ ସୁନ୍ଦର ।

ପଥଶ୍ରାନ୍ତିରେ ଅବସନ୍ନାଳସ,

ଜର୍ଜରିତ ତ୍ରୟୀ ସତେ ଉଦାସ ।

ରାଜଗୁରୁ ଅଶ୍ରୁଳ ନୟନରେ,

ଛାମୁ ମଣିମାଙ୍କୁ ଚାହିଁ କହିଲେ ।

ଆଜି ଦୁର୍ଦ୍ଦିନରେ ଏହି ଦେଶର,

ମଂଦିରତ୍ୟାଗ କରି ଦୁରାନ୍ତର ।

ଯିବାକୁ ପଡୁଛି ପ୍ରଭୋ ମଣିମା,

ଏକଥା କିପରି ଆମେ ଜାଣିମା ।

ଓଡିଶା ବୀରଭୋଗ୍ୟା ବସୁଂଧରା,

ମାଟି ପରାହତ ହୋଇଛି ପରା ।

ଜର୍ଜରିତ ଯନ୍ତ୍ରଣାରେ ଘାରିଛି,

ଗଜପତି ବଂଦୀ ବଂଧା ପଡିଛି ।

ଦୁର୍ଦ୍ଦାନ୍ତ ମୋଗଲ ତକୀଖାଁ ଦ୍ୱାରା,

ଦୁର୍ଭାଗ୍ୟ ଘୋଟିଛି ଏଦେଶ ସାରା ।

ହୀନବଳ ଏ ଓଡିଶା ମଧ୍ୟରେ,

ଆପଣଙ୍କର ସୁରକ୍ଷା କ୍ଷେତ୍ରରେ ।

ବର୍ତ୍ତମାନ କେହି ଯୋଦ୍ଧୃ ପୁରୁଷ,

ଜାଗ୍ରତ ନାହାଁନ୍ତି ସତ୍ୟ ଅବଶ୍ୟ ।

ଏଣୁ ଅନ୍ତରେ ଖେଦକୁ ନକରି,

ଆପଣହିଁ ଦୋଳାରେ ବିଜେକରି ।

ଚକଡ଼ା ଛାଡନ୍ତୁ ମଣିମା ବେଗେ,

ଭାଇ ଭଉଣୀଙ୍କୁ ଘେନିଣ ସଂଗେ ।

ସତ୍ୟେ ଆପଣଙ୍କର ଜୟ ହେଉ,

ଓଡିଶା ମାଟି ଉର୍ଜସ୍ୱଳ ହେଉ” ।

ମିନତିର ଗୁଂଜରଣ ହୋଇଲା,

ବଂଦ ସତର୍କ ଘଂଟି ବାଜିଗଲା ।

ଅନ୍ତରର କୋହ ଆଖିର ଲୁହ,

ସକରୁଣରେ ହୋଇଲା ପ୍ରବାହ ।

ରତ୍ନସିଂହାସନ ଚରଣ ପ୍ରାନ୍ତେ,

ଲୁହ ପୋଛିଲେ ରାଜଗୁରୁ ହାତେ ।

ସିଂହଦ୍ୱାର ପାଖେ ପ୍ରହରାରତ,

ଖୁଣ୍ଟିଆଙ୍କର ଭଜନ ସଂକେତ ।

ଭାସି ଭାସି ଆସୁଥିଲା ପ୍ରଖରେ,

ଜଳଧି ଶୀକର ବାୟୁ ହିଲ୍ଲୋଳେ ।

 

ଭଜନ

 

ପହଡ କରିଲେ            ରତ୍ନ ପଲଙ୍କରେ

ଚିନ୍ତାମଣି ଜଗତର

ତ୍ରିକୁଟ ଦ୍ୱାରକୁ             ଜଗିଥାରେ ମନ

ଚେତା ରହି ନିରନ୍ତର । (ଘୋଷ)

ଚେତା ନ ରହିଲେ            ଅଚେତ ହୋଇବୁ

ଜାଗ୍ରତ ପଣ ତୁଟିବ ।

ଜାଗ୍ରତ ନୋହିଲେ            ଜୀବ - ପରମାତ୍ମା

ଚକଡ଼ା ଛଡ଼ା ହୋଇବ ।

ସେ ଚକଡ଼ା ଛଡ଼ା            ନୁହେ ମନଗଢ଼ା

ଆଧାରିତ ସତ୍ୟ ସଂଗେ

ରତ୍ନ ସିଂହାସନ            ହୋଇବକି ଶୂନ୍ୟ

ବାଜୁବାନା କେବେ ସ୍ୱର୍ଗେ ।

ଆରେ ବାଇମନ            ନକର ଗୁମାନ

କର ପ୍ରଭୁ ପଦେ ଚିନ୍ତା

ସକଳ ଦୁଃଖାଦି             ହୋଇଯିବ ଦୂର ।

ହୋଇବୁ ବାବୁ ଅଚିନ୍ତା ।

 

ସେ ରତ୍ନ ସିଂହାସନ ଉପରକୁ,

ସେବାୟତେ ଯାଇ ଛାମୁମାନଙ୍କୁ ।

ଛନ୍ଦ ମୁକତେ ପହଣ୍ଡିରେ ଆଣି,

ଦୋଳାରେ ବିଜେ କରାଇଲେ ଆଣି ।

ମଣିମା ଚତୁର୍ଦ୍ଧା ମୂର୍ତ୍ତି ଚାରିଟି,

ହେଲାବେଳେ ବିଜେ ଦୋଳାରେ ସେଠି ।

ରତ୍ନ ଦୀପର ଭୀରୁ ଦୁରୁବଳ,

ଶିଖା ଯେପରି କଂପିତ ଚଂଚଳ ।

ପାରଂପରିକ ପହଣ୍ଡିରେ ଘଣ୍ଟ,

ଘଂଟା କାହାଳୀର ଦିବ୍ୟ ଧ୍ୱନିତ ।

ଦୈବୀ ଇଚ୍ଛା କ୍ରମେ ନିଷିଧହୋଇ,

ଯାଇଥିଲା ଯେପରି ସିଦ୍ଧ ହୋଇ ।

ଦେଉଳାଭ୍ୟନ୍ତରେ ପ୍ରାୟାନ୍ଧକାର,

ପରିବେଶରେ ପାରାବତ ଖେଳ ।

କଳ ଗୁଂଜରଣ ସୃଷ୍ଟି କରିଣ,

ମଣିମା ମାନଙ୍କର ସ୍ତୁତିଗାନ ।

କରୁଥିଲେ ହରଷରେ କେତେଟା,

ତ୍ରୃଟି ବିଚ୍ୟୁତ ନଥିଲା ସେତେଟା ।

ଦୋଳାରେ ଦୋଳାୟିତ ଛାମୁମାନେ,

ସ୍ୱୟଂ ଅନୁଭବରେ ସନମାନେ ।

ଅନୁଭବ ଏ ଜାଣ ମାଧୁରୀକୁ,

ତୃପ୍ତ ଚିତ୍ତରେ ପରିଗ୍ରହ ତାକୁ ।

କରୁଥିଲେ ମୁଗ୍ଧ ହୋଇ ସେଠାରେ,

ପଶ୍ଚିମ କବାଟ ବିଷ୍ଣୁ କହିଲେ ।

“ଚାରିଆଡେ ସତର୍କ ଦୃଷ୍ଟି ରଖି,

ମହାପାତ୍ରେ ଚାଲିଥିବ ପରଖି ।

ଶ୍ରୀ ଛାମୁମାନେ ଚାପ ଚିଲିକାରେ

ଚାପୋପରେ ଆସୀନ ହେବାପରେ ।

ବାହୁଡି ଆସିବେ ସେବକ ଗୋଷ୍ଟି,

ପୁରସ୍ତମେ ଛାମୁଙ୍କ ସମ୍ବାଦଟି ।

ଚକଡ଼ାଛଡ଼ା ସଂବାଦ କୌଣସି,

ସୂତ୍ରରୁ ଯେପରି ବାହାରି ଖସି ।

ପ୍ରଘଟ ନ ହୁଏ କରି ବ୍ୟବସ୍ଥା,

ଗୁପ୍ତ କଥାରେ ନ ଭାବି ଅନ୍ୟଥା ।

ପ୍ରହରୀ ମାଳିଆ ଖୁଣ୍ଟିଆ ଖରେ,

ଅପସୂୟମାନ ଚୌଦୋଳା ଆଡ଼େ ।

ଗଭୀର ନିଶିଥରେ ଥିଲେ ଚାହିଁ,

ଆଉ ସମସ୍ତେ କ୍ଷେତ୍ରେ ଥିଲେ ଶୋଇ ।

ତାମସୀ ରାତ୍ରି କୁହୁକ ପଣତ,

ତଳେ ଗଭୀର ନିଦ୍ରାରେ ଅଚେତ ।

ହୋଇ ପଡିଥିଲା ପୁରୁଷୋତ୍ତମ,

କ୍ଷେତ୍ର ଯେପରି ହୋଇ ଜ୍ଞାନ ଶୂନ୍ୟ ।

କରୁଣ ରାଗିଣୀ ବିଳାପ ଆର୍ତ୍ତ,

ହୃଦୟର ତନ୍ତ୍ରୀକୁ ବ୍ୟଥାସିକ୍ତ ।

ଉଦ୍‌ବେଳିତ କରି ଦେଇଣ ଥିଲା,

ଝଂକୃତ ଝିଂକାରୀ ଝଂକାର ଥିଲା ।

ଦୟାନଦୀ ପାର ହୋଇବା ପରେ,

ଚିଲିକା ବକ୍ଷେ ଚାପର ଉପରେ ।

ଏକ ନିରାଡମ୍ବର ବ୍ୟବସ୍ଥାରେ,

ତତ୍ୱ ଚିନ୍ତାମଣି ବିଜେ ହୋଇଲେ ।

ବଳଭଦ୍ର ମା ସୁଭଦ୍ରାଙ୍କ ସଂଗେ,

ମହାୟୁଧ ଶ୍ରୀ ସୁଦର୍ଶନ ଆଗେ ।

ଅବତରଣ ସେ ସିଂହାସନରୁ,

ମଣିମାମାନେ ପ୍ରାତଃ ମୁହୂର୍ତ୍ତରୁ ।

ଚିଲିକା ବକ୍ଷରେ ବିଜେ ଚାପରେ,

ରକ୍ତିମାଭା ଦିଶେ ପୂର୍ବାକାଶରେ ।

ବିକୀରଣ ସେ କରି ସକାଳରେ,

ଅରୁଣୋଦୟ ଚିଲିକା ଉପରେ ।

ଏକପାଟଳ ଶଯ୍ୟାକୁ ବିଛାଇ,

ଦେଇଥିଲା ଉଷାରାଣୀ ସଜାଇ ।

ରକ୍ତାଭ ମଂଗଳ ଶିଖା ଆରତି,

ଯେପରି ଉଲମ୍ôଫତ ଚିତ୍ତକତି ।

ମଣିମାମାନଙ୍କ ସ୍ତୁତି ଗାନରେ,

ବିସ୍ତାରିତ ଜଳରାଶି ବକ୍ଷରେ ।

କେତୋଟି ଟିଟିଭ ଉଡିଣ ବୁଲି,

ମହାପ୍ରଭୁଙ୍କର ସ୍ତବକୁ ବୋଲି ।

ବିସ୍ତାରିତ ଜଳରାଶି ବକ୍ଷରେ,

ଡେଇଁ ଖେଳୁଥିଲେ ଟିଟିଭ ଖରେ ।

ସକାଳ ଶୁଭ ମଂଗଳାଚରଣ,

ଚିଲିକାର ଜଳବେଣୀ ସଂପୂର୍ଣ୍ଣ ।

ଲାସ୍ୟ ରଚନା କରି କଳକଳ,

କରୁଥିଲା ବୃତ୍ତି ଧ୍ୱନି ଚଂଚଳ ।

ତରଙ୍ଗିତ ଚିଲିକାର ବକ୍ଷରେ,

ଚାପ ଭାସିଚାଲିଥିଲା ସଲିଳେ ।

ଏକ ମଦାଳସା ଗ୍ରାମ୍ୟ ବଧୂକି,

ଯାଏ ବାଟରେ ବାଟକୁ ଝୁଣ୍ଟିକି ।

ଜୀଉମାନେ ପ୍ରସନ୍ନ ନୟନରେ,

ଚିଲିକାର ବକ୍ଷକୁ ଥରେ ଥରେ ।

ଚାହିଁ ଯେପରି ନୂତନ ଭ୍ରମଣ,

ବିଳାସରେ ହୋଇଛଂତି ମଗନ ।

ତୃପ୍ତ ହୋଇଣ ମଝିରେ ମଝିରେ,

ଉଦ୍‌ବେଳିତ ହୋଇଣ ପଡ଼ୁଥିଲେ ।

ପରମ ଲକ୍ଷ୍ମୀ ରାଜଗୁରୁ ଭାଷା,

ଶୁଣ ମହାପାତ୍ରେ ଅଛି କି ଆଶା ।

ମଂଗଳଆଳତି ସମୟାସନ୍ନ,

ହେଲାନାହିଁ ଯାତ୍ରା ସଂପନ୍ନ ଆମ ।

କାନ୍ତାର ମଧ୍ୟରେ କାହୁଁ ମିଳିବ,

ଆରତି ସାମଗ୍ରୀ କିଏ ବା ଦେବ?

କଂଠସ୍ୱର ବାଷ୍ପାକୁଳ ହୋଇଲା,

ରାଜଗୁରୁଙ୍କର ଲୁହ ଝରିଲା ।

ସେବାୟତ ପତି ମହାପାତର,

ଦୁଇଜଣ ବିଷର୍ଣ୍ଣ ଚିତ୍ତାନ୍ତର ।

ପରିବ୍ୟାପ୍ତ ସେ ଚିଲିକା ବକ୍ଷକୁ,

ଚାହିଁ ଚାହିଁ ଗଭୀର ଚିନ୍ତା ଦୁକୁ ।

ଦୁହେଁ ଚିନ୍ତାରେ ନିମଗ୍ନ ହୋଇଲେ,

ପଶ୍ଚିମ କବାଟ ଉଠି କହିଲେ ।

ଅଛି ଆଳତି ସଂରଞ୍ଜାମ ଏଠି

ଆସିଲା ବେଳେ ଘେନି ଘୃତବତୀ ।

ଧରି ଆସିଥିଲି ଏ ପୁଡିଆରେ,

ଦେଖ ଖୋଲି ଭାଇନା ଧିରେଧିରେ ।

ଦୋ ବଂଧାରେ ରାତ୍ରିରେ ଚାପ ବିଜେ,

ବେଳେ ନଦୀ ହୁଡାରୁ ଏକ ସଜେ ।

ଅଜ୍ଞାତ ଫୁଲ ପେନ୍ଥାର ସ୍ତବକ,

କେତୋଟି ମଧ୍ୟ ଅଛି ଏଠି ଦେଖ ।

କିଂତୁ ପ୍ରସାଦ ଆଉ କ’ଣ ହେବ?

ଏ ଅପନ୍ତରା ଚିଲିକା କହିବ ।

ବଡ ପରୀକ୍ଷା ସେ ପରମାନଂଦ,

ମହାପାତର ହୋଇଣ ଆନଂଦ ।

କହିଲେ “ପ୍ରଥମ ମଂଗଳାଳତି,

କାର୍ଯ୍ୟ ସମାପନ କରିବା ଏଠି ।

ଲୁଗା ଖଣ୍ଡେ ପବନ ରୋକିବାକୁ,

ଘେରି ରଖ ମହାପାତ୍ରେ ପାଖକୁ ।

ଘିଅବତୀ ଧରି ମଂଗଳାଳତି,

କାମ ବଢ଼ାଇ ଦେବାହେ ଝଟତି ।

ଗିନି ହଳକ ଅଛି ସେ ମୁଣାରେ,

ବଜାଅ ସ୍ୱାଇଁ ମହାପାତ୍ରେ ଧିରେ ।”

ଚାପ ନାବିକ ଚିଲିକା ଗର୍ଭରେ,

ନାବକୁ ସ୍ଥିର କରି ରଖିଦେଲେ ।

ଚତୁର୍ଦିଗରେ ଲୁଗା ଘେରି ଦେଇ,

ସନ୍ତର୍ପଣରେ ଥରେହିଁ ଅନାଇ ।

ବିଷ୍ଣୁ ମହାପାତ୍ର ଚାରିଦିଗରେ,

ଦୃଷ୍ଟି ଘେରାଇଣ ନିରାଜନରେ ।

କଲେ ସମର୍ପଣ ମଂଗଳାଳତି,

ଧିରେ ଗିନିକୁ ବଜାଇ ଝଟତି ।

ଚିଲିକାର ବକ୍ଷ ତରଂଗାୟିତ,

ଉର୍ମିମାଳାରେ ନାବ ଚାଲିଛି ତ ।

ଗଜଗମନୀ ପଲ୍ଲୀ ବଧୂପରି,

ପକ୍ଷୀ ଉଡୁଣଥିଲେ ଅସୁମାରୀ ।

ନୀଳ ଜଳରାଶି ଉପତ୍ୟକାରେ,

ଆବେଗମୟ ନଦୀୟାର ଧାରେ ।

ସଂକୀର୍ତ୍ତନର ସେ ଅଖଣ୍ଡଧ୍ୱନି,

ସୃଷ୍ଟି କରି ଥରାଇଲା ଅବନୀ ।

ଚିନ୍ତା କଲେ ଯେବେ ବସି ସରବେ,

ଠାକୁର କେଉଁଠି ବିଜେ ହୋଇବେ ।

ରାଜମହଲରୁ ବାଣପୁରର,

ସଂଦେଶ ଆସିଲା ନାହିଁ ଚଂଚଳ ।

ଚିଲିକାରେ ଲକ୍ଷ୍ୟହୀନ ଭାବରେ,

ନାରଖାର ହୋଇ କେତେ କାଳରେ ।

ଚାପରେ ବିଜେ ସେ ମଣିମାମାନେ,

ହୋଇଥିବେ ମହାପାତ୍ରେ କେସନେ ।

ଏକ ଗଭୀର ଦୀର୍ଘଶ୍ୱାସ ତେଜି,

ବଡ଼ ପରୀକ୍ଷା କହିଥିଲେ ହେଜି ।

ସବୁ ଦିଗୁ ଯେପରି ବିପଦର,

କଳା ମେଘ ଘନୀଭୂତ ଚଂଚଳ ।

ବାଣପୁର ରାଜାଙ୍କ ନିକଟରୁ,

ସମ୍ବାଦ ପ୍ରେରିତ ବହୁ ପୂର୍ବରୁ ।

ଅଥଚ ଏ ପର୍ଯ୍ୟନ୍ତ କିଛି ତାର,

ସଂକେତ ମିଳୁନି ଏ ସତ୍ୟଗୀର ।

ଦଇତାପତିଏ ଚିତ୍କାର କରି,

ଉଠିଲେ ଏଯେ କଳାଛାଇ ପରି ।

ଖଣ୍ଡେ ଛୋଟ ପାହାଡ ଦିଶୁଅଛି,

ବେହେରାଏ ବାହି ନିଅ କହୁଛି ।

ସେହି ସ୍ଥାନକୁ ଚିଲିକା ମଧ୍ୟରେ,

ଅଧିକ ଆଶ୍ରୟହୀନ ଭାବରେ ।

ସମୟ ବିଚରଣ କରିବାର,

ନୁହେ କେବେହେଁ ଲବେ ଶୁଭଙ୍କର ।

ସହସା ଉଠିଲେ ସେ ପାଟିକରି,

ପରମଲକ୍ଷ୍ମୀ ରାଜଗୁରୁ ଭାଳି ।

ଏଇ ଯେ ସେଠାରେ ପାହାଡ ଟାଏ,

ସବୁଜିମା ମଣ୍ଡିତ ଦେଖାଯାଏ ।

ଦେଖାଯାଉଛି ଏକ ସ୍ତୂପ ପରି,

ଦୁଇଟି ନୌକା ବିଚରଣ କରି ।

ଖଣ୍ଡେ କପଡା ବାଂଧି ବେଳେବେଳେ,

କିଛି ସଂକେତ କରନ୍ତି କୌଶଳେ ।

ବାଣପୁରର ହୁଏତ ସେମାନେ,

ରାଜାଙ୍କର ଲୋକ ଆସଇ ମନେ ।

ଯଥା ସମୟେ ପହଂଚି ଆମକୁ,

ସଂକେତ ପ୍ରଦାନ କରନ୍ତି ପାଖୁ ।

ନାଆ ଧିରେ ଧିରେ ଯାଇ ସେଠାରେ,

ଲାଗିଲା କ୍ଷୁଦ୍ର ଗିରି ନିକଟରେ ।

ଦୁଇଟି ନାବରେ ପ୍ରତୀକ୍ଷମାଣ,

ହରିଚନ୍ଦନଙ୍କ କେତେକ ଜନ ।

ପ୍ରଣାମ ନିବେଦନ କରିସାରି,

ସେମାନଙ୍କ ନାବକୁ ନେଲେ ଧରି ।

“ଶ୍ରୀ ଜୀଉଙ୍କ ଚାପ ନିକଟେ ବାଂଧି,

ରଖିଲେ ସେମାନେ ଦଉଡି ଛଂଦି ।

ଏ କେଉଁ ସ୍ଥାନରେ ପୁଅ ଏଠାରେ,

ଠାକୁରମାନେକି ନିରାପଦରେ ।

କରିଣ ପାରିବେତ ଅବସ୍ଥାନ,

ପଚାରିଲେ ରାଜଗୁରୁ ପ୍ରଧାନ ।”

ଏ ଚିଲିକାର କାଙ୍କଣ ଶିଖରୀ

ରାଜାଙ୍କ ଲୋକେ କହିଲେ ସୁମରି ।

ଠାକୁରେ ନଇରୀ ହରିଶ୍ୱରଙ୍କ,

ମନ୍ଦିରେ ବିଜେ ହୋଇବେ ଏ ଠିକ୍‌ ।

ତାର ପୂର୍ବରୁ ଏଠି କିଛିଦିନ,

ଅବସ୍ଥାନ କରି ପର୍ଯ୍ୟବେକ୍ଷଣ ।

ଅବସ୍ଥା କରିବା ଅତ୍ୟାବଶ୍ୟକ,

ଯହିଁ ବୁଲନ୍ତି ମୋଗଲ ପାଇକ ।

ଚିଲିକା କୁଳେକୁଳେ ଜଗନ୍ନାଥ,

ପଥେ ପଇଁତରା ମାରୁଥିଲେ ତ ।

ସେଥିପାଇଁ ଏ କାଙ୍କଣ ଶିଖରୀ,

ପାହାଡରେ ଅଳ୍ପ ଦିନ ସଂଭାଳି ।

ଅବସ୍ଥାନର ବ୍ୟବସ୍ଥା ହୋଇଛି,

ବାଣପୁର ରାଜା ଆଦେଶ ଅଛି ।

ଚିଲିକା ଗରଭରୁ ଦିବସର,

ଅସ୍ତମିତ ସବିତା ଅସ୍ତାଚଳ ।

ହୋଇ ସାରିଥିଲେ, ଭସାବାଦଲେ,

ଭେଳା କେତେକ ଚିଲିକା ବକ୍ଷରେ ।

କରୁ ପ୍ରତିରୂପ ଅବଲୋକନ,

ଆକାଶରେ ଉଡୁଥିଲେ ବହନ ।

ଭାସି ଭାସିଣ ଯାଉଥିଲେ କାହିଁ,

ତାର ହିସାବ ଚିଲିକାର ନାହିଁ ।

କାଙ୍କଣ ଶିଖରୀକୁ ଜୀଉମାନେ,

ପହଣ୍ଡି କରିସାରି ସନମାନେ ।

ରାଜଗୁରୁ ନତଜାନୁ ହୋଇଣ,

ଜୀଉ ମାନଙ୍କୁ ଆଭୂମ ପ୍ରଣାମ ।

କରି ଅସ୍ଫଟ ସ୍ୱରରେ କହିଲେ,

ଓଡିଶାର ରାଷ୍ଟ୍ର ଦେବତା ହେଳେ ।

ସ୍ୱୟଂ ଆପଣ ବିଡମ୍ବିତ ଯେବେ,

ସେତେବେଳେ ଉପଚାରର କେବେ ।

ଆଶା କରନ୍ତୁ ନାହିଁ ମହାପ୍ରଭୁ,

ସମ୍ଭାବନାକୁ ଏଡିବାକୁ ସବୁ ।

ଆପଣ ହୋଇଲେ ସୁପ୍ରତିଷ୍ଠିତ,

ଓଡିଆ ଜାତି ହେବ ପ୍ରତିଷ୍ଠିତ ।

ବିଜେ କରିଏ ମହାକାନ୍ତାରରେ,

ମଣନ୍ତୁ ମଣିମା ସିଂହାସନରେ

ଭାଗ୍ୟ-ରବି ଉଦୟ ଓଡିଶାର,

ହେଉ କୃପାହେ କରନ୍ତୁ ଠାକୁର ।

ଏତିକିବେଳେ ହରିଚନ୍ଦନଙ୍କ

ଛାମୁଣିଆ ମଧ୍ୟରୁ ସେ ଯୁବକ ।

ପାଇକ ଶଂଖ ଫୁଙ୍କି ମୁହୁର୍ତ୍ତକ

-ପାଇଁ କଲା ଆକର୍ଷଣ ସବୁଙ୍କ

କରିଦେଖି ଚମକିତ ସେଠାରେ,

ରାଜଗୁରୁ ସେଇଠି ଆକଟିଲେ ।

ଏ ଶଂଖ ଫୁଙ୍କିବାର ସ୍ଥାନ ନୁହେ

ଭୋଗ ସଂଧାନ କରହେ ସଭିଏଁ ।

ଫୁଲ ଆବଶ୍ୟକ ଶୃଂଗାର ପାଇଁ

ସ୍ନାନ ପାନ ପାଇଁ ସଲିଳ କାହିଁ ।

ଏ ଯେ ଲବଣାକ୍ତ ହ୍ରଦ ଚିଲିକା

ପାଇକ ଯୁବକ ହେଲା ତାଟକା ।

ନାଆରେ ଆମେ ଚାଉଳକୁ ଧରି,

ଆସିଛୁ ସାଆନ୍ତେ ରାଂଧିବୁ ବୋଲି ।

ଡାଲି ପରିବାବି ଆସିଛୁ ଧରି,

ଚିଲିକାକୁ ଆମେ ନିର୍ଭର କରି ।

ପରମଲକ୍ଷ୍ମୀ ତା ପରେ ଭାଷିଲେ,

ଚିଲିକା ଜଳ ଆଣି ରାଂଧ ଭଲେ

ପାହାଡ ଉପରେ ପାକାୟୋଜନ,

କଷ୍ଟକର ହେବ ବହେ ପବନ ।

ଶ୍ରୀ ବତ୍ସ ଖଣ୍ଡଶାଳ ଦେଉଳର,

ମହାପ୍ରଭୁଙ୍କ ଭାଗ୍ୟରେ ଏଥର

କାଙ୍କଣ ଶିଖରେ ହେବ ଭୋଜନ,

ବଗଡ଼ା ଆଉ କାଂକଣ ବ୍ୟଂଜନ ।

ପାନ କରିବେ ଚିଲିକାର ଜଳ,

ସବୁ କରୁଣାମୟଙ୍କର ଖେଳ ।

“ଜଗମୋହନଙ୍କୁ ଛାଡି ସେଠାରେ

ବିଚରଣ କରୁଛୁ ଚିଲିକାରେ ।

ପଇଁତରା ମାରି ଅନୁସଂଧାନ,

ବାରି ପାରିଛନ୍ତି ମିଆଁ ସଇନ୍ୟ ।

ଆମେ ତ ଚିଲିକା ବକ୍ଷରେ ଘୁରି,

ଜାଣୁ ଗତିବିଥି ତାଂକ କିପରି ।

ଏହା କହିଲେ ହରିଚନ୍ଦନଙ୍କ,

ବାଣପୁରରୁ ଆସିଥିବା ଲୋକ ।

ସେହି ପ୍ରାକୃତିକ ଘଂଚ ଅରଣ୍ୟ,

ଉପବନରେ ମଣିମା କାଙ୍କଣ ।

ଶିଖରୀ ଶିଳାବଂଧୁର ପଥର,

ଚକଡ଼ା ଉପବେଶନ ତାଂକର ।

ସେବାୟତମାନେ ବ୍ୟଗ୍ର ଭାବରେ,

ସ୍ନାନ ପାଇଁ ପ୍ରସ୍ତୁତ ଚିଲିକାରେ ।

କେଉଁ ଏକ ପକ୍ଷୀ ବଡ଼ ଦ୍ରୃମରେ,

ବୋଲେ ସ୍ୱାଗତିକା ଶାଖା ଉପରେ ।

ଗାନ କରୁଥିଲା ଚିତ୍ତ ବିଳାସେ,

ମହାକାନ୍ତାର ଉପତ୍ୟକାରେ ସେ ।

 

Unknown

୩ୟ ସ୍ୱର୍ଗ

 

ଶ୍ରୀ ଜୀଉମାନଙ୍କ            ସକାଳର ଧୂପ

ସେହି ମାତ୍ର ନିବେଦିତ

ଚାଉଳରେ ଅନ୍ନ            ପ୍ରସ୍ତୁତି ପ୍ରାରମ୍ଭ

ବାଣପୁରରୁ ଆନୀତ ।

କାଙ୍କଣ ଶିଖରୀ            ଶିଖରେ ଜଂଗଲ

ମଧ୍ୟରୁ କାଷ୍ଠ ସଂଗ୍ରହ

କରି ଝକମକି            ପଥରରେ ଅଗ୍ନି

ସଂଯୋଗ ଯା ଗଂଧବହ ।

ତାପରେ ସେଠାରେ            ହେଲା ପାକାରମ୍ଭ

ବଡ ପରୀକ୍ଷା ନେତୃତ୍ୱେ

ଫୁଲ ଗୁନ୍ଥି ମାଳ            କଲେ ସମର୍ପଣ

ପୁଷ୍ପାଳକ ଜ୍ଞାନ-ତତ୍ୱେ ।

ସଂଗୃହୀତ ଫୁଲେ            ଶ୍ରୀ ଜୀଉମାନଙ୍କ

ଲାଗି କର ପଲ୍ଲବରେ

କଲାବେଳେ ବ୍ୟଥା-            ତୁର ପୁଷ୍ପାଳକ

ଅର୍ଘ୍ୟ ଅର୍ପଣ ଲୁହରେ ।

ମୋଟା ଚାଉଳର            ଅନ୍ନର ସହିତ

ସଂଗୃହୀତ କାଙ୍କଣରେ

କାଂକଣ ଶିଖରୀ            ଶିଖରୁ ବ୍ୟଂଜନ

ପ୍ରସ୍ତୁତ ହେବ ଭୋଜ୍ୟରେ ।

କାଙ୍କଣ ନିଷିଦ୍ଧ            ଦେବଭୋଜ୍ୟ ଶାକ

ବୋଲିଯୁକ୍ତି ଯେତେବେଳେ

ବାଢ଼ିଲେ ସେ ସାନ            ପରୀକ୍ଷା ସୁଦୃଢ଼

ସେ ଅପନ୍ତରା ସ୍ଥାନରେ ।

ସେ ଯୁକ୍ତି ଲାଘବ            ହୋଇଗଲା ଯେବେ

ରାଜଗୁରୁ ଦୃଢ଼ ସ୍ୱରେ ।

କହିଲେ ଅକାଳେ            ନିୟମ ହିଁ ନାସ୍ତି

ପରୀକ୍ଷା ଜାଣିଛ ଭଲେ ।

ଚିଲିକା ଗର୍ଭରେ            ଏହି ଅପାଂକ୍ତେୟ

କାଂକଣ ଶିଖରୀ ଶିଖେ

କେତେଦିନ ପ୍ରଭୁ            ବିଜେ କରିବ ହେ

କହ ପ୍ରଭୁ ଖୋଲି ଟିକେ ।

ତାଙ୍କ ଦୈବୀ ଇଚ୍ଛା            ମଣୋହି ପ୍ରସାଦେ

କାଙ୍କଣ ଭୋଜନ ସିନା

ସେହିପରି ଦୈବୀ            ଅଭିପ୍ରେତ ସତ୍ୟ

ଆଉ ସବୁ ମିଥ୍ୟା କି ନା?

କାଙ୍କଣ ବ୍ୟଂଜନ            ପ୍ରସ୍ତୁତ କରିଣ

ଧୂପକୁ ପରଷି ଦିଅ ।

ଭାବ ତୁଳସୀ-ମା-            ଧ୍ୟମେ ପ୍ରସାଦକୁ

ବିମଳେ ସମର୍ପି ଦିଅ ।

ତୋଳିଧରି ୟାକୁ            କରିଦିଅ ଭବ୍ୟେ

ମହାପ୍ରସାଦ ମନରେ

ସମସ୍ତ ପ୍ରସାଦ             ମହାପ୍ରସାଦ ହିଁ

ନିବେଦିତ ହେଲେ ଥରେ ।

ଠାକୁର ମାନଙ୍କ            ସମ୍ମୁଖରେ ଲୁଗା

ଖଣ୍ଡେ ଟାଣି ସେ ଦଇତା

ଦୁଇ ଜଣ ନୀର-            ବରେ ଠିଆ ହୋଇ

ଥିଲେ ଯା ପ୍ରତିବଦ୍ଧିତା ।

ଜଣେ ସେବାୟତ            ଧିର ତାଳେ ଘଂଟା

ବଜାଇଣ ମନେ ମନେ

କରୁଥିଲା ହର୍ଷେ            ମିନତି ହେ ପ୍ରଭୁ

ହୃଦୟର ଆକର୍ଷଣେ ।

“ଶିଶୁ ଅବସ୍ଥାରୁ            ଆପଣଙ୍କୁ ପରା

ଦରଶନ ସେବା ପାଇଁ

ଇଚ୍ଛା ଥିଲାମୋର            ପୋଷିତ ଆକାଂକ୍ଷା

ପୂରଣ କଲ ଗୋସାଇଁ

ସେବା ଅଧିକାର            ମଧ୍ୟ ପରଦାନ

କଲହେ ମଣିମା ପ୍ରଭୁ

ପୁଣି ଅପାଂକ୍ତେୟ            ସ୍ଥାନରେ ଏପରି

ମିଳିଗଲା ମୋତେ ସବୁ ।

ମୋଗଲାକ୍ରମଣ             ପାଇଁ ନୁହେଁ କେବେ

ମୋ ପରି ଦୀନ ଜନର

ବଂଞ୍ଛାକୁ ପୂରଣ            କରିବାକୁ ପ୍ରଭୁ

ଏ ଆଗମନ ତୁମ୍ଭର ।

ଲଉକିକ ଇତି-            ହାସରେ ମୋଗଲ

ପାଇକଙ୍କ ଆକ୍ରମଣ

ବିଜୟ ଘୋଷିତ            ହେଲେ ମଧ୍ୟ ମୋର

ଭାବନା ପାଇଁ ଆପଣ ।

କାଙ୍କଣ ଶିଖରୀ            ଅବସ୍ଥାନ କଲେ

ଅଘୋଷିତ ଅଲୌକିକ

ତାହା ହିଁ ହେ ପ୍ରଭୁ            ସତ୍ୟ ଗାଥା ଭବେ

ଆଉ ସବୁ ସାମୟିକ ।

ଏ ସେବାୟତକୁ            କରନ୍ତୁ କୃତାର୍ଥ

ଏହି ମାତ୍ର ମୋର ଅଳି

ଆପଣଙ୍କ ପଦେ            ରହୁ ମନ ତାର

ସଦା ଅର୍ପି ଶ୍ରଦ୍ଧାଞ୍ଜଳି ।”

ଭୋଗ ପରେ ପରେ            ପ୍ରସାଦ ସେବନ

କରିଣ ସମସ୍ତେ ସେଠି

ହୋଇଥିଲେ ସତେ            କୃତାର୍ଥ ସାମନ୍ତ

ଭାବେ ସେହି ପରମେଷ୍ଟି ।

ଶ୍ରୀ ବତ୍ସ ସେ ଖଣ୍ଡ-            ଶାଳ ଦେଉଳର

ଏକକ ସମାରୋହର

ଅଧିପତି ଆଜି            ସରଳ ଭାବରେ

ଭବ୍ୟ ସେ ନିରାଡମ୍ବର ।

ସେବା କରିଥିଲେ            ସେଇ ଶିଖରୀରେ

ବଗଡା ଅନ୍ନର ଭୋଗ

ସମେତ କାଙ୍କଣ            ସାତ୍ତ୍ୱିକ ବ୍ୟଂଜନ

ଯା ହୋଇଥିଲା ସଂଯୋଗ ।

ଶାରଦୀୟ ନଭେ            ଶୁଭ୍ର ବାଦଲର

କେତେଖଣ୍ଡ ଅପରାହ୍ନ-

କ୍ଳାନ୍ତ ହୋଇଥିବା            ଖରାକୁ ଶୀତଳ

କରିଣ ହେଲେ ଉଭାନ ।

ମୃଦୁ ବର୍ଷାଧାର            ଝରାଇ ଚିଲିକା

ବକ୍ଷର ଉପରେ ଭାସି

ଯାଉଥିଲେ ଯେହ୍ନେ            ଚିଲିକା ଜଳରେ

ମୃଣାଳୀ ମୃଣାଳ ଭାସି ।

କେତେ ଅନାମିକା            ବୃକ୍ଷ ତଳେ ବସି

ରହି ସେବାୟତମାନେ

ଚିଲିକା ବିସ୍ତୀର୍ଣ୍ଣ             ସଲିଳ ରାଶିକୁ

ଚାହିଁ ରହିଥିଲେ ଧ୍ୟାନେ ।

ନିକ୍ଷେପ କରିଣ            ଗଭୀର ଶ୍ୱାସକୁ

କହିଲେ ଭାରି ଗଳାରେ

ରାଜଗୁରୁ ଧିରେ            ଆଜି ତ ଠାକୁର

ଅବସ୍ଥାନ ଏହିଠାରେ ।

ଆମ ଲୋକମାନେ            ସଂଦେଶ ଆଣିଲେ

ନାହିଁ ଏପର୍ଯ୍ୟନ୍ତ କିଛି

ଏହି କଥା ଭାବି            ଭାବି ମନ ମୋର

ହୋଇଯାଏ ଛି ଛି ଛି ଛି ।

ହରିଶ୍ୱରଙ୍କର            ମଂଦିର ମଧ୍ୟରେ

ପ୍ରଭୁ କେବେ ବିଜେ ହେବେ

ତାଙ୍କୁ ହିଁ ତ ଜଣା            ଏକଥା କେବଳ

ଆଉ କେ କହିବ ତେବେ ।

ହରି ଧିର କଂଠେ            କହିଲା “ମାହାପ୍ରୃ

ହରିଶ୍ୱର ମଂଦିରରେ

କରାଯାଇଥିଲା            ସଂସ୍କାର ଆଗରୁ

ଜାଣିଛଂତି ସର୍ବେ ଭଲେ ।

ହେଉଥିଲା ଚକା-            ଆସନ ପ୍ରସ୍ତରେ

ନିର୍ମିତ ଉପବେଶନ

ଠାକୁରଙ୍କ ପାଇଁ            ଅଛି ଗୋପନରେ

ନ ଜାଣନ୍ତି ରାଜ୍ୟ ଜନ ।

ମୋଗଲ ଲସ୍କର            ବିଚରଣ ଯୋଗୁଁ

ପ୍ରଭୁଙ୍କୁ ଅଳ୍ପ ବିଳମ୍ବେ

ବାଣପୁର ଛାମୁଁ            କରନ୍ତି ବ୍ୟବସ୍ଥା

ଧୈର୍ଯ୍ୟ ଧରନ୍ତୁ ସରବେ ।

ଆଉ ଦିନେ କିମ୍ବା            ଓଳିଏ ମଧ୍ୟରେ

ହରିଶ୍ୱର ମନ୍ଦିରକୁ

ଘେନି ଯିବା ବୋଲି            ବିଶ୍ୱାସ ହେଉଛି

ଆମର ଜଗନ୍ନାଥଙ୍କୁ ।

ଚଢ଼ାଗଳା ବଡ଼             ପରୀକ୍ଷା କହିଲେ

ସଂଧ୍ୟାରେ କି ଧୂପ ପୁଣି

ବଢ଼ା ହେବ ରାଜ-            ଗୁରୁ ବଖାଣନ୍ତୁ

ସଂଧ୍ୟାରତ୍ୟାସନ୍ନ ପୁଣି ।

ଠାକୁରଙ୍କ ବେଶ            ପାଇଁ ଆଉ କିଛି

ଫୁଲ ଏହି ଜଂଗଲରୁ

ପୁଷ୍ପାଳକ କର            ସଂଗ୍ରହ ସହସା

ସଂଧ୍ୟା ହୋଇବା ପୂର୍ବରୁ ।

ଆରେ ହରି ଅଛି            ଆଉ କେତେ ଅବା

ଚାଉଳ ଆମ ପାଖରେ?

ପାଂଚ ସେର ପରି-            ଯନ୍ତ ଅଛି ବାବୁ

ଏ ଆମ ନାଆ ଭିତରେ ।

କଦଳୀ ଦି ଫେଣା            ଡାଲି ଦି ପା ଆଜି

ଭୋଗରେ ରାତିକ ପାଇଁ

ଲାଗିଯିବ, କାଲି            ସକାଳେ ନାଆରେ

ପେଣ୍ଠେଯୋଗାଡିବି ଯାଇ ।

ବିଜେ ହେବା ଯାଏ            ଠାକୁର ମଂଦିରେ

ବ୍ୟବସ୍ଥା ହେବ ନୀତିର

ଉପବାସେ କେବେ            ରହିବେ ନି ପ୍ରଭୁ

ଏହି ଦୃଢ଼ ଉକ୍ତି ମୋର ।

ମଣିମାମାନଙ୍କୁ            ଚାହିଁଲେ ସରବେ

ପରିଧାନ ବନମାଳା

କରି ବଣଭୋଜି             ସୁବେଶ ଠାଣିରେ

ଖସିଆସେ ପ୍ରୀତିଧାରା ।

ଚକାନୟନରୁ             ଯେପରି ଝରୁଛି

ପ୍ରଶାନ୍ତିର କରୁଣାର

ମହାର୍ଘ ଅଖଣ୍ଡ            ପ୍ରେମ- ପ୍ରୀତିଧାରା

ପାଇ ପ୍ରେମ ଅକୂପାର ।

ଠାକୁରଙ୍କୁ ବେଶ            କର ପୁଷ୍ପାଳକ

ଦୀପ-ଜାଳି ଚାରିଦିଗେ

ବସ୍ତ୍ର ବେହରଣ            ଢ଼ାଙ୍କି ଦିଅ ନେଇ

ଶତ୍ରୃ ଆଖି ଚର୍ତୁଦିଗେ ।

ଦିଅଁଙ୍କ ପହଡ            ଅବସ୍ଥାନ କାଳେ

ସାରା ରାତ୍ରି ଅନିଦ୍ରାରେ

ରହିବାକୁ ହେବ            ଏ ବଡ଼ ପରୀକ୍ଷା

ମହାପାତ୍ରେ ସବୁକାଳେ ।

ବଡ ପ୍ରତିକୂଳ            ସମୟ ଆସିଛି

ଧର୍ମର ସୁରକ୍ଷା ପାଇଁ

ସବୁଦିନ ଏହି            ପରି ବିପର୍ଯ୍ୟୟ

ଶଂକୁଳ ବିକଳ୍ପ ନାହଁ ।

ଚିଲିକା ବକ୍ଷରେ            ଧିରେ ଧିରେ ନଇ

ଆସିଲା ସଂଧ୍ୟା ସେ କାଳେ

ଆଲୋଡନ ଦ୍ୱିଜ            କୂଜନ ଯେପରି

ଅଜାଡ଼ୁଛି ଢ଼ାଳେ ଢ଼ାଳେ ।

ଅଜାଡି ହୋଇଣ            କାଙ୍କଣ ଶିଖରୀ

ଶିଖରେ ତଣ୍ଡୁଳ-ତିଳ

ଡୁବୁରୀ ପାହାଡ            ଉପରେ ଆସ୍ତୀର୍ଣ୍ଣ

କୃଷ୍ଣ - ପଣତ ରାତ୍ରିର ।

ଶାରଦୀୟ ଆକା-            ଶରେ ତାରାପନ୍ତି

ଫୁଟି ଉଠୁଥିଲେ ଥରି

ବୈରାଗ୍ୟାନ୍ଧକାର            ମଧ୍ୟରେ ଆଶାର

ନିଷ୍ପଭ୍ର ଦିହୁଡି ପରି ।

ଠାକୁରଙ୍କୁ ବନ-             ମାଳରେ ଶୃଙ୍ଗାର

କରି ପୁଷ୍ପାଳକ ମାରି-

- ମୁଣ୍ଡିଆ, ଆସିଲେ            ଅପସରି ହରି

ଘଂଟି କରତାଳ ଧରି ।

ପରମାନଂଦ ସେ            ମହାପାତ୍ରେ ଏକ

ଦୀପରେ ବର୍ତ୍ତିକା ଘୃତ

ଜାଳି ତିନିବାର            ବଂଦାପନା କରି

ଆଣିଲେ ସେବି ଅମୃତ ।

ଶ୍ରୀ ଜୀଉମାନଙ୍କ            ଶ୍ରୀ ମୁଖ ସମ୍ମୁଖେ

ନୀଳଶିଖା ଆରତିର

ରାହୁମୁକ୍ତ ଚନ୍ଦ୍ର            ପରି ବେଳେବେଳେ

ଝଲସୁ ଥିଲା ରୁଚିର ।

କେ ଏକ କାଣ୍ଡାରୀ            ଚିଲିକା ବକ୍ଷରେ

ତାର ମତ୍ସପୋତୋପରେ

ଏକ ରସ ଗ୍ରାହୀ            ଭଜନ ମୁଖରେ

ଭରିଥିଲା ଅଳସରେ ।

 

ଭଜନ ଏକ କାଣ୍ଡାରୀର

 

ପ୍ରାଣ ବାଂଧବ ହେ,

ପ୍ରାଣ ରଖ ଦୁର୍ଦ୍ଦିନରେ

ପ୍ରଥମେ ନିଜକୁ ରକ୍ଷାକର ପ୍ରଭୁ

ମୋଗଲଗୋଳୁ ପ୍ରଖରେ (ଘୋଷା)

ପାରିଲୁନି ବୋଲି ମୋଗଲମାନଙ୍କୁ

ବଳରେ ଏ ଚିଲିକାରେ

ପଶି ଯାଇଅଛୁ ପ୍ରାଣ ବିକଳରେ

ତୁମ୍ଭଙ୍କୁ ଧରି ନାବରେ । (୧)

ପରପଞ୍ଚ ମାର ପେଞ୍ଚ ବୁଦ୍ଧିଯାର

ହାଇଗଲେଣି ପ୍ରବଳ

ପରଧନ ଗ୍ରାସିବାକୁ ରାହୁସମ

ଦୁର୍ଦ୍ଦାନ୍ତ ସେ କ୍ରୃର ବଳ (୨)

ପରମ ପଦରେ ଧ୍ୟାନ ରହୁ ଆମ୍ଭ

ମୁଁ କାଣ୍ଡାରୀ ଚିଲିକାରେ

ପେଷିହୋଇଲୁଣି ଦିନରାତି ପ୍ରଭୁ

ଏହି ସଂସାର ଧଂଧାରେ (୩)

ପର ପରିବାଦ ନ ଆସୁ ମୁଣ୍ଡକୁ

ଯାଉ ଆମ୍ଭ ଦିନକଟି

ପରଶି ପଦକୁ ତୁମ୍ଭର ପ୍ରଭୁହେ

ତୁମ୍ଭ ନାମ ରଟି ରଟି । (୪)

***

 

ଅପରାହ୍ନ କ୍ଲାନ୍ତ             ଡାହାଣିଆ ଖରା

ଚିଲିକା ବକ୍ଷ ଉପରେ

ଏକ ଉଦାସର            କାରୁଣ୍ୟ ସର୍ଜ୍ଜନା

କରୁଥିଲା ଅଲକ୍ଷରେ ।

ଆସୁଥିଲା ହୋଇ            ଅବଶ ଦିବସ -

ପତିଙ୍କ ଅସ୍ତ୍ରାଚଳକୁ

ଗମନ, କୁଲାୟ            ସେ ପ୍ରତ୍ୟାଶୀଦଳ

ଦଳ ଜଳଚର ପକ୍ଷୁ ।

ପକ୍ଷୀ ଦିବସାନ୍ତ             ଗୋଧୂଳି ଡେଣାରେ

ଫୁଲ୍ଗୁମୟ କରି ନୀଳ

ଜଳ ଉପତ୍ୟକା            ଉପରେ ବିଚିତ୍ର

କାକଳି ସରଜି ସ୍ଥିର ।

ମନୋଭାବେ, ଉଡି            ଯାଉଥିଲେ ହର୍ଷେ

ପ୍ରସନ୍ନ ଉଲ୍ଲାସେ ଖେଳି

ଜଗତ କର୍ତ୍ତାଙ୍କ            ସୃଷ୍ଟିକୁ ବଂଦନା

କରି ପରା ହୋଇ ମେଳି ।

ପ୍ରସାଦ ସେବନ            ପରେ ଠାକୁରଙ୍କ

ସମ୍ମୁଖରେ ବସ୍ତ୍ର ଖଣ୍ଡେ ।

ଟାଣି ଦେଇ ବସି-            ଥିଲେ ସେବାୟତେ

ସମୟର ମାପ ଦଣ୍ଡେ ।

ନିଃସହାୟ ଜଳ-            ବଂଦୀ ପରି ସେଠି

ପ୍ରସ୍ତର ଆସନୋପରେ

ମନେ ହେଉଥିଲା            ସେ ଅପନ୍ତରାରେ

କଳାପାଣିର ଭାବରେ ।

ଏ ପର୍ଯ୍ୟନ୍ତ ବାଣ-            ପୁରରୁ ଖବର

ଆସି ପହଂଚିଲା ନାହିଁ ।

ଅପଲକ ନୟ-            ନରେ ସର୍ବେ ତହିଁ

ବସି ରହିଥିଲେ ଚାହିଁ ।

କାଙ୍କଣ ଶିଖରୀ            କାନ୍ତାର ଭୂମିରେ

ଅନାଇ ଠାକୁରମାନେ

ପଡି ରହିଥିଲେ            ବଗଡା ଚାଉଳ

ଅନ୍ନ କାଙ୍କଣ ବ୍ୟଂଜନେ ।

ଦିଅଁ ମାନଙ୍କର            କି ଶ୍ରଦ୍ଧା ରହିଛି

ସେପରି ବ୍ୟଂଜନ ପାଇଁ

ତାହା ସେ କେବଳ            ଜାଣିଥିବେ ପରା

ଅନ୍ୟ କେ ଜାଣନ୍ତି ନାହିଁ ।

ଏଣେ ଗଜପତି            ବରୁଣେଇ ବାଧ୍ୟେ

ନଜର ବଂଦୀ କଟକେ

ଓଡିଶାର ଭାଗ୍ୟ            ଆକାଶେ ମଂଗଳ

ସୂଚନା ମିଳୁନି ଟିକେ ।

ପୁଚ୍ଛକୁ ବିସ୍ତାର            କରି ଅମଙ୍ଗଳ

ଧୂମକେତୁ ଯେଉଁପରି

ସୃଷ୍ଟି କରିଅଛି            ଆତଙ୍କ ମଡ଼କ

ଜନତାଙ୍କ ମନ ଭରି ।

ଏକ ସୁଗଭୀର            ଦୀର୍ଘଶ୍ୱାସ ମାରି

ଚିତ୍‌କାର କଲା ସେ ହରି ।

ଦେଖ ରାଜଗୁରୁ             ଆପଣେ ନାବିକ

ଆସୁଛି ଜଳେ ପହଁରି ।

ବେଦନାର ପୁଂଜୀ-             ଭୂତ ଦମକାଏ

ଯେପରି ଭାରି ଉଲ୍ଲାସ

ଅନ୍ତରୀକ୍ଷେ ଲୀନ            ହୋଇଗଲା କାହିଁ

ତୁଟିଲା ମାନସ ପ୍ରାସ ।

ଆମ ଲୋକେ ସେଇ            ନାବରେ ଦେଖନ୍ତୁ

କେହି ଜଣେ ଯେଉଁ ପରି ।

ନାଲି ଗାମୁଛାକୁ            ଉଡାଇ ସୂଚନା

କରୁଛି କିଛି ବିଚାରି ।

ଉତ୍ସୁକୀ ନୟନେ             ରହିଥିଲେ ଚାହିଁ

ସେହିଆଡେ ସମବେତ

ସେବାୟତମାନେ            ବିଷାଦ ଉଲ୍ଲାସେ

ନୀରବ ନିଶ୍ଚଳ ସେତ ।

ଆସୁଅଛି ଭାସି            ନାଆଟି କାଙ୍କଣ

ଶିଖରୀର ଅଭିମୁଖେ

ଆଶା - ବୈତରଣୀ            ସାଫଲ୍ୟ - କନକ

ତରୀ-ପରି ପ୍ରୀତି ମୁଖେ ।

କେତୋଟି ମୂହୂର୍ତ୍ତେ            ନାଆ ଆସି କୁଳେ

ଭିଡିଲା ଧିର ପବନେ

ଚାରିଜଣ ଲୋକ            ନାବରୁ ଓହ୍ଲାଇ

ଓଳିଗିଲେ ଶ୍ୟାମ ଘନେ ।

ତାପରେ କହିଲେ            ଆଜିର ରାତ୍ରିରେ

ଠାକୁରମାନେ ନଇରୀ

ହରିଶ୍ୱରଙ୍କର             ମଂଦିରକୁ ବିଜେ

ହେବେ, ନଜାଣେ ବଇରୀ ।

ସେଠାରେ ପ୍ରଭୁଙ୍କ            ପୂଜା ଉପାସନା

ପାଇଁ ସମସ୍ତ ବ୍ୟବସ୍ଥା

କରାଯାଇଅଛି            ରାଜ ଅନୁଗ୍ରହେ

ଛାଡନ୍ତୁ ମନରୁ ବ୍ୟଥା ।

ପାତଳ ଅଂଧାର            ଚିଲିକାର ଜଳ

ବକ୍ଷୋପରେକ ଗଭୀର

ନିଃସଂଗତା ଛାଇ             ହୋଇଥିଲା ସେଠି

ଉପତ୍ୟକା ଜଳନୀଳ ।

ସଂଧ୍ୟାର ତରାଟା            ଯେପରି ସ୍ୱତନ୍ତ୍ର

ଏକ ସ୍ୱରର ସାଧନା

କରୁଥିଲା ଆଖି            ମିଟି ମିଟି ହସି

ସାରିଗାମା ସାରିଗାମା ।

ଠାକୁରଙ୍କ ନୀତି            ସରିଗଲା ପରେ

ରାତ୍ରି ଦ୍ୱିପହର ବେଳେ

ଚାପରେ କରିବେ            ବିଜେ ଯିବେ ଶୀଘ୍ର

ସକାଳ ସୁଦ୍ଧା ସଅଳେ ।

ଠାକୁରଙ୍କ ନୀତି             ସରଞ୍ଜାମ ସବୁ

ସଜାଡି ବଡ ପରୀକ୍ଷା

ଦେଖୁଥିଲେ ରୋଷ            ଚୂଲିରେ ସଂଯୋଗେ

ବ୍ୟସ୍ତ ସେ ସାନ ପରୀକ୍ଷା ।

ଦଇତା ପ୍ରସ୍ତୁତ             କରୁଥିଲେ ପାଟ

ଦଉଡି ପହଣ୍ଡି ପାଇଁ

ଚାପର ନାଉରୀ             କାଙ୍କଣ ଶିଖରୀ

ଡୁବୁରି ପାହାଡେ ଥାଇ ।

ଅନୁଚ୍ଚ କଂଠରେ            ନାଆ ଭିଡିବାରେ

ଗାଉଥିଲା ପ୍ରଭୁଙ୍କର

ଏକ ମନଭେଦୀ             ଜଣାଣ ମନରେ

ଭେଦୁଥିଲା ସବୁଙ୍କର ।

ଚିଲିକାର ବକ୍ଷ             ଉପରେ ଗଭୀର

ନିଶିଥର ତାରାପନ୍ତି ।

ପ୍ରତିବିମ୍ବ ଜଳ            ରାଶିରେ ବିକ୍ଷୁବ୍ଧ

କଲ୍ଳୋଳିତ ହୋଇଛନ୍ତି ।

ଅଜ୍ଞାତ ତିଥିର            କ୍ଷୀଣଚନ୍ଦ୍ର କେତେ

ବେଳରୁ ମହାକାଶରେ

ଯାଇଥିଲା ହୋଇ            ଲୀନ କେତେ ରାତ୍ରି-

-ଚର ପକ୍ଷୀ ପାହାଡରେ ।

ବୃକ୍ଷରେକ କେଉଁ            ଡାଳରେ ବସିଣ

ସ୍ୱକାତର କାକଳିରେ

ମୁଖରିତ କରି            ଦେଉଥିଲେ ପକ୍ଷୀ

ଗଭୀରତର ରାତ୍ରିରେ ।

ରାତ୍ରିର ପହଣ୍ଡି            ପାଇଁ ନାହିଁ ତୈଳ

ମଶାଲ କାହାରି ହାତେ

ନାହିଁ ମଧ୍ୟ ବାଦ୍ୟ            ସମନ୍ୱିତ ତାଳ

ବିଜେ ହେବେ ଜଗନ୍ନାଥେ ।

ଲାଗି ହେବା ପାଇଁ            ଶିରେ ଶୋଲଛତି

ଆଶା ଏଠି ବିଡମ୍ବନା ।

ବଡ ଦେଉଳ ହିଁ            କାଙ୍କଣ ଶିଖରୀ

ମହୋଦଧି ବକ୍ଷ ଅନା ।

ଆଉ ଦ୍ରୃମୋ-ପରେ            ଲତାୟିତ କେତେ

ଅନାବନା ବ୍ରତତୀର

ଲହରିତ ଦୋଳା-            ୟନ ହେଉଛି କି

ନୀଳାଦ୍ରି କେତନ ନୀଳ ।

ସେବାୟତମାନେ            ସ୍ୱପ୍ରଣତି ଢ଼ାଳି

ମଣିମାମାନଙ୍କୁ ଧିରେ ।

କରୁଥିଲେ ବିଜେ             ଅସ୍ପଷ୍ଟ ଭାଷାରେ

ବୋଲ ବୋଲି ପହଣ୍ଡିରେ ।

ଘନୀଭୂତ ଅଂଧ -            କାର ବକ୍ଷତଳେ

ପ୍ରତୀକ୍ଷମାଣ ଚାପରେ

ପ୍ରଦର୍ଶନ କରୁ -            ଥିଲା ଆଲୋକକୁ

ହରି ନିଆଁ ଖୁଣ୍ଟା କରେ ।

ଦୁର୍ବିପାକ ହାହା             -କାର କାରୁଣ୍ୟରେ

ଅଜ୍ଞାତ ପଥୁକୀ ପରି ।

ବିଜେ କରୁଥିଲେ            ସେ ବିଶ୍ୱ ପୁରୁଷ

ବିଶ୍ୱମୋହନ ଶ୍ରୀ ହରି ।

ନିଆଁଖୁଣ୍ଟା ମ୍ଳାନ-            ଆଲୋକର ରଶ୍ମି-

-ରେଖା ପଡୁଥିଲା ମୁଖେ ।

ସେ ଗୋଲ ଆଖିରେ            ଆଖି ଲାଖିଥିଲା

ସରବ ଆଖି ସମ୍ମୁଖେ ।

ଆସୀନ ହୋଇଣ            ପରେ ଚାପୋପରେ

ମଣିମା ମାନେ ଧାଡିରେ

ମଦାଳସୀ ଗ୍ରାମ୍ୟ -            ବଧୂପରି ଚାଲେ

ନଉକା ନୀଳ ସଲିଳେ ।

ଶାରଦୀୟ ରାତ୍ରି            ଘୁମନ୍ତ ବାଦଲ

ତଳେ କେତେ ରାତ୍ରି ଚର-

ପକ୍ଷୀ ବିକଳରେ            ଆଳାପେ ଯେପରି

ବଜାଇ କାହାଳୀ ସ୍ୱର ।

କରୁଥିଲେ ସେଠି             ନିନାଦ ମଣିମା

ମାନଙ୍କ ବିଜେଯାତ୍ରାରେ

କରୁଣ ଆଖିରେ             କମଳ ମୁଖକୁ

ହରି ଦେଖେ ବାରେ ବାରେ ।

ମନେମନେ କେତେ             ମିନତି ପ୍ରଣତି

କରୁଥିଲା ନାହିଁ ସୀମା

ଜାଣିଥିବେ ଅବା             ପତିତ ପାବନ

ଜଗନ୍ନାଥ ଶ୍ରୀ ମଣିମା ।

“ଅଳପ ବୁଦ୍ଧିରେ            କି କହିବି ପ୍ରଭୁ

ସବୁ ତ ଜାଣିଛ ତୁମ୍ଭେ

ଏ ଭବ ସାଗରୁ             ପାରିକର ପ୍ରଭୁ

ଆଉ କି କହିବୁ ଆମ୍ଭେ ।

ବିଡମ୍ବିତ ଇତି-            ହାସ ଅଂଧକାରେ

ତୁମ୍ଭଙ୍କୁ ଏ ଚିଲିକାରେ

ପାରି କରିବାକୁ            କରୁଅଛୁ ଚେଷ୍ଟା”

କାଠପଟା ନଉକାରେ ।

ଏକ ତପଃ ସିଦ୍ଧ            ଯୋଗୀ ଜନ ପରି

ବସିଥିଲେ ରାଜଗୁରୁ

ମଂଗଳ ଆଳତୀ            ହୋଇ ସାରିଥିଲା

ମଂଦିର ଦିଶେ ଅଦୂରୁ ।

ଜଗଦ୍ଦିଶ ହରି             ପ୍ରଭୁଙ୍କୁ ସୁମରି

ମନ ପ୍ରାଣେ ହୃଦୟରେ

ବାଣପୁର ରାଜା            ଜଗି ବସିଥିଲେ

ମଂଦିରର ପ୍ରାଙ୍ଗଣରେ ।

ସ୍ୱଜନ ଭକତ            ଗଣ ଗହଣରେ

ହୋଇଣ ପରିବେଷ୍ଟିତ

ନିଶାନ୍ତର ଉଷା -            ଲୋକକୁ ସ୍ୱାଗତ

କରି ମୌନ ଭାବେ ପ୍ରୀତ ।

ନିଶିଥିନୀ ହୋଇ             ଆସୁଥିଲା ଧିରେ

ନିଃଶେଷ ସେହି ସ୍ଥାନରେ

ପ୍ରୟୋଜନୀୟତା            ବିଶେଷ କାରଣୁ

ରାତି ପାହାନ୍ତି ପ୍ରହରେ ।

ପ୍ରସାରିତ ହୋଇ            ସାରିଥିଲା ସିନା

ମଂଦିରାଳତି ମଂଗଳ

ସମ୍ବର୍ଦ୍ଧନା ପାଇଁ            ସଜ୍ଜ୍ୱିତ ପ୍ରସ୍ତର

ଚକାସନ ଅଭ୍ୟନ୍ତର ।

ମହାମାନ୍ୟ ମହା-            ଦେବତା ମହାର୍ଘ

ବିଶ୍ୱବନ୍ଦ୍ୟ ଜଗନ୍ନାଥ

ପାହାଚ ଯିବାର             କଥା ଏତେବେଳେ

କାହାନ୍ତି ସେ ବିଶ୍ୱନାଥ ।

କହି ପକାଇଲେ            ବାଣପୁର ରାଜା

ଶୁଣ ତ୍ରିପାଠୀ ଆପଣେ

ଉଷାଲୋକ ବିଂଛି             ହୋଇ ପଡୁଅଛି

ଚତୁର୍ଦ୍ଦିଗେ ପ୍ରତିକ୍ଷଣେ ।

କିଂତୁ କରାନ୍ତିସେ            ଜ୍ୟୋତିର୍ମୟ ମହା

- ବାହୁ ପତିତ-ପାବନ

ପ୍ରତୀକ୍ଷା ପରମ -            କାରୁଣିକ ଖଣ୍ଡ

- ପୂଜ୍ୟ ଜଗତ ଜୀବନ ।

ଦୂର ଦିଗ୍‌ବଳୟ            ଧାରରେ ଲୋହିତ

ଏକ ପତାକା ଧ୍ୱଜାଗ୍ର

ସହସା ଉଷାର             ଅରୁଣିମା ଭେଦି

ପ୍ରଗାଢେ ମାଜିଲା ଅଗ୍ର ।

ସମବେତ ଭକ୍ତ             ଜନଙ୍କ ସହିତ

ସେ ରାଜା ହରିଚନ୍ଦନ

ନିର୍ନିମେଷ ନୟ-            ନରେ ସେହି ଆଡ଼େ

ଚାହିଁଲେ ଆନନ୍ଦ ମନ ।

ଉଷା ଶୁଭ ଅରୁ-            ଣିମା କରୁଣାର

କାନ୍ତିରେ ଏକାନ୍ତ କରି

କରୁଣା ବରୁଣା-             ଳୟ କମନୀୟ

ପ୍ରଭୁ ବିଜେ ହଲି ହଲି ।

ବାଣପୁର ମାଟି             ମଟାଳ ବୈକୁଣ୍ଠ

ପୁରକୁ ଛୁଇଁବେ ହରି

କି ଭାଗ୍ୟ ରାଜ୍ୟର             ଭକତ ସକଳ

ଡ଼େଉଁ ଥିଲେ ବୋଲି ହରି ।

ଅଗ୍ରସର ହେଲା             ମଂଦିରାଭିମୁଖେ

ଚଉଦୋଳା ଧିରେ ଧିରେ

ଉଷାର କାକଳି            ହେଲା ମୁଖରିତ

ସକଳାନଂଦ ପ୍ରୀତିରେ ।

ରକ୍ତିମାଭା ପଡି-             ଥିଲା ଠାବେ ଠାବେ

ବିକୀର୍ଣ୍ଣ ଚକ୍ରବାଳରେ

ମଂଦିର ସମ୍ମୁଖେ            ଚଉଦୋଳା ରଖି

ବାହକେ ନିକ୍ଷେପ କଲେ ।

ଦୀର୍ଘଶ୍ୱାସ, ତହିଁ             ଆନଂଦ ଉତ୍ସବ

ହରିବୋଲ ହୁଳହୁଳି

ଧ୍ୱନିରେ ମଂଦିର            ପ୍ରାଂଗଣ କଂପିଲା

ପୁର ଉଠିଲା ଉଛୁଳି ।

ବିଳମ୍ବ କରନି            ଆହେ ମହାପାତ୍ରେ

ଦିଅଁଙ୍କ ପହଣ୍ଡିକର

ଚକାସନେ ନେଇ            ବସାଇ ତାହାଙ୍କୁ

ଆଉ ହେ ଡେରି ନ କର ।

ମଂଗଳ ଆରତି            ସମୟ ଉତ୍ତୀର୍ଣ୍ଣ

ହୋଇ ଯାଉଅଛି ବେଗେ

ଏହାପରେ ପୁଣି             ହୋମ ଅବକାଶ

ବିଧାନ ବଢ଼ିବ ବେଗେ ।

ବପଦ ସଂକୁଳ            ସମୟ ସର୍ବଦା

ପରମଲକ୍ଷ୍ମୀ କହିଲେ

ଏଥିକୁ ତୁରନ୍ତ             ଚେତା ରଖି କାର୍ଯ୍ୟ

ବଢ଼ାଅ ସବୁ ପହିଲେ ।

ଆନଂଦାଶ୍ରୁ ଧାର             ଧାର ଖସି ପଡେ

ପରମ ଲକ୍ଷ୍ମୀ ଆଖିରୁ

ସକାଳର ମୁଖ             ପଖଳାଦ୍ୟ ଅର୍ଘ୍ୟ

ସୁବାସିତ କି ସୁଖରୁ ।

ବ୍ରହ୍ମାଣ୍ଡ ପତିଙ୍କ            କରି ଜୟଗାନ

କରୁଥିଲା ପରିକ୍ରମା

ପବିତ୍ର ମଂଗଳ            ଆରତି ମୟୁରୀ

ସୁବାସିତ ଶ୍ରୀ ସୁଷମା ।

ବଜାଉ ବଜାଉ             ଘଂଟ ଉଚ୍ଚସ୍ୱରେ

ଅଶ୍ରୁଳ ନୟନେ ହରି

ଗାଉଥିଲା ଗୀତ            ମହାବାବୁଙ୍କର

ସୁଲଳିତ ପଦାବଳୀ ।

 

Unknown

ଭଜନ

 

ଦୀନବାନ୍ଧବ ହେ

କରୁଛି ଦୂରୁ ପ୍ରଣାମ

ଦରଦୀ ହୃଦୟେଡର ମାଡୁ ଅଛ

କରିନି କେବେ ଜଣାଣ       (ଘୋଷା)

ଦୟା ଅଛି ତୁମ୍ଭ ମାନୁଛି ନିଶ୍ଚୟ

ନ ହେଲେ କି ବଂଚିଥାନ୍ତି

ଦମ୍ଭ କରି ମନକୂପରେ ପଡିବି

ଧିରେ ଧିରେ ଆସିଥାନ୍ତି       (୧)+

ଦୂରେ କେତେ ଦୂରେ ଅଛ ପ୍ରଭୁ

ତୁମ୍ଭେ ତାହା ମାପିବାକୁ ମନ

ଦୁର୍ବାର ହୋଇନି କେବେ ହେଁ

ଅଦୂରେ ଲଭି ମୁଁ ନବଜୀବନ (୨)

ଦେଖିଲି ଯାହା ମୁଁ ଅତିପାଖେ

ମୋର ତୁମର କୃପାସମ୍ଭାର

ଦିନରାତି ବର୍ଷା ହେଉଛି ପ୍ରାଣୀଙ୍କ

ଉପରେ ହିଁ ନିରନ୍ତର       (୩)

ଦୀନବଂଧୁ ଦୟା ଥାଉ ଦୀନ

ଜନେ ଦୟାର୍ଦ ହୃଦୟେ ତୁମ୍ଭ

ଦଇବ ଦଉଡି ଗୁଡ଼େଇ ହେଉଛି

କର ଶାସନ ଆରମ୍ଭ       (୪)

 

୪ର୍ଥ ସର୍ଗ

 

ଗୋଧୂଳି କ୍ଳାନ୍ତ ଡେଣାରେ             ବିଦାୟର ଫଲଗୁରେ

ନେସି ହୋଇ ବହଳରେ ପଶ୍ଚିମାକାଶେ

ରକ୍ତିମା ଆଭା ପ୍ରକୀର୍ଣ୍ଣ             କରି ଦିବସର ସ୍ୱର୍ଣ୍ଣ

ସୂର୍ଯ୍ୟ ଢ଼ଳି ଅବସନ୍ନ କିବା ହତାଶେ

ଢ଼ଳି ପଡ଼ି ଆରପଟକୁ

ଅବା ପୃଥିବୀର କକ୍ଷେ ଘୂରି ଆଗକୁ ।।୧।।

ମଧୁ ସଂଧ୍ୟା ମୁହୂର୍ତ୍ତରେ             ପ୍ରିୟସାଥି ଭେଟିବାରେ

କୁଲାୟ ପ୍ରତ୍ୟାଶା-ଆଳେ କି ଆବେଗରେ

ବିହଙ୍ଗମ-କୁଳାଧିର             କଳରବ ଆନଂଦର

ଫେରି ଆସୁଥିଲେ ନୀଡ଼ ସ୍ୱସରଣୀରେ

ନିଜ ନିଜ ନୀଡାଭିମୁଖେ

ଛୋଟ ଶାବକ ଆନଂଦ ବଢ଼ାଇ ସୁଖେ       ।।୨।।

ହରିଶ୍ୱରଙ୍କ ମଂନ୍ଦିର             ପ୍ରାଂଗଣରେ ସୁଗଭୀର

ନୀରବତା ଅଜଗର ମାରଇ ହାଇ

ଚକଡ଼ା ଛଡ଼ା ଜୀଉଙ୍କୁ             ଦେଖୁଥିଲେ ବସି ପାଖୁ

ବଡପରୀକ୍ଷା ମନକୁ ସମର୍ପି ଦେଇ

ସେହି ପରମାତ୍ମାଙ୍କ ପଦେ

ଭାରାକ୍ରାନ୍ତ ହୃଦୟରେ ସ୍ମରି ବିପଦେ ।। ୩।।

ସଂଧ୍ୟା କାକଳି ହକଳା             ଧିରେ ଧିରେ ଆସୁଥିଲା

ନୀରବ ହୋଇ ଶୃଙ୍ଖଳା ସେ ପରିବେଶେ

ପରିଚ୍ଛା ପରମାନନ୍ଦ             ମହାପାତ୍ର ନିରାନଂଦ

ଭଜି ମନେ ଆଦିକଂଦ ବସିଥିଲେ ସେ

ଉଠି ପାରୁ ନଥିଲେ ସତେ

ଯେପରି ବସିବା ସ୍ଥାନୁ ବିଷାଦ ଗ୍ରସ୍ତେ ।।୪।।

ତାଙ୍କର ଶକ୍ତି କୌଣସି             ଅପଦେବତା ଭରସି

ଯେପରି ନେଲା ପରଶି କାଉଁରିକାଠି ।

ସୁଗଭୀର ବିଷାଦର             କଳାଛାଇ ବାଦଲର

ଭରି ଯାଇଥିଲା ପରମାନଂଦ ଅତି

ତାଙ୍କ ମୁଖ ଉପରେ ପଡି

ସଦ୍ୟ ବେଦନାର ମୁଦ୍ରାଂକନ ଯେପରି       ।।୫।।

କଠୋଉ ଭାରି ଶବ୍ଦରେ             ଧିର ଗମ୍ଭୀର ଭାବରେ

ରାଜଗୁରୁ ପ୍ରବେଶିଲେ ନିକଟେ ଆସି

ଉଦାସ ଅପରାହ୍ନର             ଛାୟା ରାଜଗୁରୁଙ୍କର

ଆଛାଦି ମୁଖମଣ୍ଡଳ ଜ୍ୱାଳା ପ୍ରକାଶି

ବେଦନାର ବଳିରେଖାରେ

ଆଙ୍କି ଦେଇଥିଲା କେତେ ରେଖା ବଙ୍କାରେ       ।।୬।।

ହରି ତ୍ରସ୍ତ ଉତ୍କଣ୍ଠିତ             ଭାବରେ ବେଦନାହତ

ଚାହୁଁଥିଲା ଅତର୍କିତ ରାଜଗୁରୁଙ୍କୁ

ବିଦଗ୍ଧ ଦର୍ଶକ ପରି             ଭାଜଗୁରୁ ନରହରି

ସ୍ମରୁଥିଲେ ଥରି ଥରି ଜଗନ୍ନାଥଙ୍କୁ

ସରଂଜାମ ପ୍ରସ୍ଫୁତାଳତି

କରି ପଶ୍ଚିମ କବାଟ ଆସିଲେ କତି ।।୭।।

ଡ଼ାକିଲେ ଆରେ ଜଗୁଆ             କେଉଁଠି ବସିଛୁରେ ଆ

ଆଳତି ପାଇଁରେ ତାହା ସଜାଡକର

ଘଂଟ ଘଂଟା ସଜ କର             ଆଜି ଏ ବଡ ଶିଙ୍ଘାର

ବେଶ ପାଇଁ ତିନି ହଳ ଗଜରା ମାଳ

ସଜ କରିଥିବୁ ଆଗରୁ

ଏକାଦଶୀ ବରତରେ ଜାଗି ପାଖରୁ ।।୮।।

ମଂଦିରରେ ଆଜି ଭକ୍ତ             ଥାଟ ପଟାଳି ସମସ୍ତ

ଭାସୁଥାନ୍ତେ ହୋଇ ମସ୍ତ ସେ ଦୃଶ୍ୟ କାହିଁ

ବିଧିର କି ବିଡମ୍ବନା             ଆଜି ମହାବାହୁ କି ନା

ଭୋଗୁଛଂତି ନିର୍ଯ୍ୟାତନା ଦୁର୍ଭାଗ୍ୟ ଏହି

ଏ ମହାକାନ୍ତାର ଅଂଚଳେ

ବହୁ ଦୂର ଦୂରାନ୍ତର ଜଳାଶୟରେ ।।୯।।

ଚମକି ଉଠିଲେ ସେତ             ପରମଲକ୍ଷ୍ମୀ ମହତ

ମହାକାନ୍ତାର ନୁହେ ତ ଆଉ ଏ କ’ଣ ?

ରତ୍ନସିଂହାସନ ଅଧି-             ପତି ଶ୍ରୀ ମଣିମା ବିଧି

ନୋହିଲେ କି ଏ ଅବଧି ଏଠି କଠିନ

ପାଷାଣର ଚକ୍ର ଚକଡ଼ା

ଉପରେ ବସିଣ ଆଜି ମଂଦିର ଛଡ଼ା ।।୧୦।।

କରୁଛଂତି ଆସ୍ୱାଦନ             ତିକ୍ତ ଅନୁଭୂତି ମାନ

ହାରି କି ମାନ ସମ୍ମାନ ମୋଗଲ ଗୋଳେ

ପାଟପତନି ବଦଳେ             ଛାଡି ବହୁ ଉପଚାରେ

ଛତ୍ର ଚାମର ଆଦିରେ ବଡ ଦେଉଳେ

ମୌଳିକ କେତୋଟି କେବଳ

ନିତ୍ୟ ସେବା ସର୍ବନିମ୍ନ ଉପଚାରର ।।୧୧।।

ହେଉଅଛି ସମାହିତ             ମାତର ଏଠାରେ ସତ

ମହାବାହୁଙ୍କ ମହତ ରଖିବା ପାଇଁ

ଅଭୟ ଚକର ବାହୁ             ଚାରିପଟେ ଘେରି ଥାଉ

ଯବନର ହିଂସ୍ର ଦାଉ ନାଶିବା ପାଇଁ

ସତେ କିବା ପ୍ରଭୁଙ୍କ ମାୟା

ପାଶବିକ ଆତଙ୍କର କରାଳ ଛାୟା ।।୧୨।।

ମୋଗଲ-ଦୌରାତ୍ମ୍ୟ-ଭୀତି             ସ୍ୱଜନ ଓଡିଆ ଜାତି

ପ୍ରାଣରେ କରେ ଭରତି ବୈରାଗ୍ୟ ରାଶି

ଗଜପତି ବାରବାଟି             କଟକରୁ ଆସି ଏଠି

ବରୁଣେଇଗଡ ମାଟି ମାଡି ଭରସି

ଭିତର ଗଡ଼ରେ ଲାଂଛିତ

ହୋଇ ବିଶ୍ଲେଷଣ କରୁଛନ୍ତି ଅତୀତ ।।୧୩।।

ଓଡିଆ ପାଇକ ଶୌର୍ଯ୍ୟ             ଆଜି ମର୍ମନ୍ତୁଦାଧୈର୍ଯ୍ୟ

ଭାବରେ ମୁମୂର୍ଷୁ ବର୍ଜ୍ୟ ହୋଇ ପଡିଛି

ଗଜପତିଙ୍କର ପାଶ୍ୱର୍             ଗଡ଼ପତିଏ ଅବଶ୍ୟ

ରଣଭୀରୁ ଅପଯଶ ଅଛନ୍ତି ବାଛି

କଟକର ସ୍ୱର୍ଣ୍ଣାଭି ଗାଦି

ମୋହରେ ନିର୍ଲ୍ଲଜ ଭୀରୁ ବାଦୀ ବିବାଦୀ ।।୧୪।।

ସହସାସେ ରାଜଗୁୁରୁ             ସ୍ତବ୍ଧ ହୋଇଲେ ଅଦୂରୁ

ମନେ ପଡିଗଲା ଦୂରୁ ଗଜପତିଙ୍କ

ପାଣିଗ୍ରହଣ ବ୍ୟବସ୍ଥା             ଯବନୀ ରିଜିୟାବସ୍ଥା

ହୋଇ କରିକି ହିନସ୍ଥା ଜୀବନଯାକ

ସେ ପବିତ୍ର ହିନ୍ଦୁ ଧର୍ମର

ଗ୍ଲାନି ଘଟାଇ ଅଛଂତି ନିଜ ଧର୍ମର ।।୧୫।।

ଆଜି ମୋଗଲ ଧର୍ମରେ             ଆତ୍ମସାତ କରମରେ

ଏ ଓଡିଶା ଭୂଖଣ୍ଡରେ ଆତ୍ମ ନିନ୍ଦାର

ଗୁଂଜରଣ ଖୋଜିବୁଲେ             ଜର୍ଜରିତ ନୈରାଶ୍ୟରେ

ଦୀର୍ଘଶ୍ୱାସ ଭେଦି ଖରେ ଅହଂ ଭାବର

ସେ ଦୁଃଖର ଆତିଶଯ୍ୟରେ

ରାଜଗୁରୁ ଚାପି ମଥା ଦୁଇ ହାତରେ ।।୧୬।।

ଅତି ଗଭୀର ଦୁଃଖଦ            ସେ ଅସ୍ଫୁଟ ଆର୍ତ୍ତନାଦ

ଭାବି କେତେ ବିସମ୍ବାଦ ପରମ ଗୁରୁ

ଶୁଣିଲେ ଆଳତି ଘଂଟା            ଚମକିଲେ ଚମଚଟା

ଉଡିଗଲେ ହଟହଟା ହୋଇ ଅଦୂରୁ

ସେ ଚିଲିକା ବକ୍ଷ ଉପରେ

ସାଂଧ୍ୟା ଆଳତି ସେବାର ପ୍ରାରମ୍ଭ ପରେ ।।୧୭।।

ହରି ନିଜେ ନୈମିତ୍ତିକ            ଭଂଗୀରେ ଭାଂଗି ମସ୍ତକ

ଘଂଟ ବଜାଇ ଚମକ କରେ ଆବୃତ୍ତି

ସୁମଧୁର ପଦାବଳୀ            ଗୀତ ଗୋବିନ୍ଦକୁ ବୋଲି

ବିହ୍ୱଳ ଚିତ୍ତରେ ଢ଼ଳି ବିଚିତ୍ର ମସ୍ତି

ହରୀଶ୍ୱର ମଂଦିର ଆଜି

ଉଠୁଛି ପଡ଼ୁଛି ଆଳତିରେ କି ମଜ୍ଜି ।।୧୮।।

ଭକ୍ତି ନିର୍ଯ୍ୟାସର ଧାରା            ବହୁଅଛି କେରା କେରା

ନୟନୁ ଲୋତକ ଧାରା ପଡ଼ୁଛି ଝରି

ସବୁ ସେବକ ମାନଂକ            ଭାବ ଏଧାରା ଆତଂକ

ବିପତ୍ତି ଗଜପତିଙ୍କ ବ୍ୟବସ୍ଥା ଝୁରି

ଆହେ ଜଗନ୍ନାଥ କିପରି

ଓଡ଼ିଶାକୁ ତାରିବହେ, ଦେଉଳ ଛାଡ଼ି ।।୧୯।।

ନିରେଖି ଚାହିଁଲେ ରାଜ-            ଗୁରୁ ନୋହି ସଜବାଜ

ସଂଧ୍ୟାର ପ୍ରାୟାଂଧ ରାଜ୍ୟ ମଧ୍ୟରେ ରହି

ପ୍ରଜ୍ଜ୍ୱଳିତ ଆଳତିର            ଉଲମ୍ପନେ ଜଗତର

କର୍ତ୍ତା ରହନ୍ତି ପ୍ରଖର ସଂକେତ ଦେଇ

ସେ ସଂକେତ ଉଦଘୋଷିତ

ହେଉଛି ଯେପରି ଦୈବୀବାଣୀ ଭାଷିତ ।।୨୦।।

“ମା ଭୈ ଆହ୍ୱାନ ଉଦାତ୍ତ            ଦୈବୀବାଣୀ ଧର୍ମପଥ

ସବୁଦିନ କଂଟକିତ ସବୁକାଳରେ

ଏମିତି କୂଚ୍ଛ୍ର୍ର ସାଧନ            ନିଷ୍ଠାଧାର ଅଭିମାନ

ଧର୍ମ ପ୍ରତୀକ ସଗୁଣ ବ୍ରହ୍ମଙ୍କୁ ବେଳେ

ଅହେତୁକୀ ଏପରି କଷ୍ଟ

କରିବାକୁ ପଡ଼େ ଦିନେ ସ୍ୱୀକାର ସ୍ପଷ୍ଟ ।।୨୧।।

ଜଗତର ଅଗଣିତ             ଜୀବଗଣ କର୍ମାଶ୍ରିତ

ପାଇଁ ଆଦର୍ଶ ବିହିତ ସୁଆଚରିତ

କୋ÷ଣସି ପ୍ରତିରୋଧରେ            ନହେବା ହୀନ ବୀର୍ଯ୍ୟରେ

ଭଗବତ ସାଧନରେ ଏ ସିଦ୍ଧବଟ

ଉକ୍ତି ଭାବନାକୁ ଉଜ୍ଜ୍ୱଳ

କରିବାକୁ ଅବତାରେ ରଚଇ ଖେଳ      ।।୨୨।।

ଖେଳି ଥିଲି-ବି-ଦ୍ୱାପରେ             ଏହି ହର୍ଷ ବିଷାଦରେ

ଯୁଗେ ଯୁଗେ ମହୀତଳେ ଏ ମିଶ୍ର ରାଗ

ରାଗ ଓ ବୀତରାଗର            ମିଳିତ ଆସ୍ୱାଦନର

ଆତ୍ମାରାମ ଜୀବନର ଏଇତ ଭୋଗ”

ପୁଲକି ଉଠିଲେ ପାଖରୁ

ଡ଼େଇଁପଡିÿ ସେତେବେଳେ ସେ ରାଜଗୁରୁ      ।।୨୩।।

ସେତେବେଳେକୁ ଆରତି             ସେବା ସମାପ୍ତ ବେଳାଟି

ହୋଇଯାଉଥିଲା ଅତିବାହିତ ସେଠି

ମଂଦିର ଗର୍ଭଗୃହରେ             ଦୀପର ମ୍ଳାନ ଶିଖାରେ

ହଲି ହଲି ନାଚେ ଧିରେ ଜ୍ୱଳନ୍ତ ବତି

ଆଶା ଆଶଙ୍କାର କି ସ୍ଥିତି

ପରି ମନେହେଉଥିଲା ଆହା ସଂପ୍ରତି ।।୨୪।।

ସେହି ମ୍ଳାନ ଆଲୋକରେ            ମଣିମା କି ନିର୍ବିକାରେ

ଅଖଣ୍ଡ ସ୍ତୈର୍ଯ୍ୟରାଟଳେ ସିଂହାସନରେ

ଛଳ ଛଳ ନୟନରେ            ମଣିମାଙ୍କୁ ଚାହିଁଥିଲେ

ସ୍ୱ ଅପଲକ ହୃଷ୍ଟିରେ ଭକତିଭରେ ।

କେଉଁ ମନ୍ୱନ୍ତର ପରମ

ରହସ୍ୟାନିର୍ବଚନୀୟ ବିଧାତା ଭ୍ରମ ।।୨।୫।।

ପ୍ରଳୟ ମହାସ୍ରୋତରେ             ସର୍ଜନା ଶଂଖ ଧ୍ୱନିରେ

କେଉଁ ପୂତ ପ୍ରଭାତରେ ଭାସି ଆସିଲ

ବ୍ରହ୍ମାଣ୍ଡର ରୂପକାର             ଆଦି ମହାଦାରୁ କ୍ଷିର

ସିଂଧୁଭେଦି ଛେଦିଶିର ଶଂଖ ଅସୁଭ

ସବୁ ବିତର୍କର ତୁମେ ହିଁ

ସମାଧାନ ସବୁ ଜିଜ୍ଞାସାର ହୃଦ୍ୟ ହିଁ ।।୨୬।।

ପୁରୁଷୋତ୍ତମ ଖଣ୍ଡରେ             ଅରୂପର ରୂପକାରେ

ପ୍ରଣତି ପ୍ରବିତ୍ର ଧାରେ ବେଦ୍ୟ ବେଦର

ବ୍ୟଂଜନା ସୁସଂସ୍କୃତିର            ପ୍ଳାବିତ ଏ ଜୀବନର

ଉରୁକ୍ଷୟ ଅକ୍ଷୟର ଜୀବନୀକାର

ଆଜିର ଏ ରହସ୍ୟମୟ

ତୁମେ ହିଁ କର୍ତ୍ତା ଲୀଳାରେ ହେ ଲୀଳାମୟ ।।୨୭।।

ଏ ରହସ୍ୟ ଉନ୍ମୋଚନ             କରି ପୁରୁଷ ଉତ୍ତମ

କ୍ଷେତ୍ରେ ପୁନରାବର୍ତ୍ତନ ଇଛା କି କେବେ

ଜାଗରିତ ହେବ ପ୍ରଭୁ            ମିନତି କରୁଛୁ ସବୁ

ସେବାୟତ ମିଳି ଭାବୁ ଭାବନା ଯେବେ

ଆସେ ଏହି ଅନ୍ତର ମଧ୍ୟେ

ଥଳକୂଳ ପାଉ ନାହୁଁ ଭାବୁଛୁ ବାଧ୍ୟେ ।।୨୮।।

ଅଭିନିବିଷ୍ଟ ହୋଇଣ            ଯାଉଥିଲେ ସେ ପରମ

ଲକ୍ଷ୍ମୀ ରାଜଗୁରୁ ଭ୍ରମ ଭକତି ଭାବେ

ମହାବାହୁ ମଣିମାଙ୍କ            ପାଟଳ ଅଧର ପାଖ

କେରା କେରା ତୃପ୍ତିପକ୍ୱ ହସ ସ୍ୱଭାବେ

ଯେପରି ପାତଳ ଅଂଧାର

ମଧ୍ୟେ ଆଶାର ଆଲୋକ ପାଖୁଡ଼ା ଝର ।।୨୯।।

ବିଜ୍ଞାସୁ ଦୃଷ୍ଟିରେ ଚାହିଁ             ରହିଥିଲା ହରି ତହିଁ

ରାଜଗୁରୁ ମୁଖେ କହି ଯେପରି ପରା

ଆପଣେ ଶ୍ରୀମଣିମାଙ୍କୁ             ପଚାରୁଛନ୍ତି ମନକୁ

କେଉଁ ଆଦିମ ସୃଷ୍ଟିକୁ ବିଚାରି ପରା

ରହସ୍ୟର ଅସମାହିତ

ପ୍ରଶ୍ନ ଭାବ ଗମ୍ଭୀର ଯା ଏହି ଜଗତ ।।୩୦।।

ରାଜଗୁରୁ ମହାପୁରୁ            ହରି ଡ଼ାକିଲା ଅଦୂରୁ

ଚମକିଲେ ରାଜଗୁରୁ ତନ୍ଦ୍ରା ଭାଂଗିଲା

ଶ୍ରୀଛାମୁଙ୍କର ଛାମୁରେ            ଆଭୂମ ପ୍ରଣାମ କଲେ

ଦୀର୍ଘଶ୍ୱାସକୁ ଛାଡ଼ିଲେ ସତେକିହେଲା

ଆରେ ବାବୁ ହରି ତୁ ଶୁଣୁ

ଯୁଗେ ଯୁଗେ ଅବତାର ମାନକୁ ଗୁଣୁ ।।୩୧।।

ଯୁଗେ ଯୁଗେ ଅବତାର             ବୁଝି ହୁଏ ଯା ସୁଂଦର

କିଂତୁ ଅସୁମାରୀ ଖେଳ ତାଂକର ସବୁ

କହିବା ବହୁତ କଷ୍ଟ            ଲୀଳା ବିଚିତ୍ର ବହୁତ

କେତେ ମିଛ କେତେ ସତ ଭାବରେ ବିଭୁ

ତଥାପି ଆବେଶ ନକଟି

ଥିଲା ତାଂକ ମନ ହୃଦ-ମଧ୍ୟରେ ଭର୍ତ୍ତି ।।୩୨।।

ସେ ଜ୍ଞାନଗର୍ତ୍ତା ବ୍ୟାଖ୍ୟାନ            ଶୁଣି ହରି ମନ ଛନ୍ନ

କହିଲା ମହାପ୍ରୁ କ’ଣ ବୁଝି ହୁଏ ନା ?

ଭକତ ଜନ କେବଳ             ସବୁ ବୁଝଇ ତାଂକର

ବିଚିତ୍ର ଲୀଳା ସଂଭାର ଉକ୍ତି ଭାବନା -

ଭକ୍ତ ପାଇଁ ଭଗବାନଂକ

ଏ ଲୀଳା ବିଚିତ୍ରା ଆୟୋଜନ ପ୍ରତ୍ୟେକ ।।୩୩।।

ଗଭୀର ଦୃଷ୍ଟିରେ ତାକୁ            ଚାହିଁ ରାଜଗୁରୁ ପାଖୁ

ବିଚାରୁଥିଲେ ମନକୁ ଏହି ଦୁର୍ଦ୍ଦିନେ

ଏହି ତାମସୀ ରାତ୍ରୀରେ            ଏ କାଙ୍କଣ ଶିଖରୀରେ

ମହା ପ୍ରଭୁଙ୍କ ପାଖରେ ଯାମିନା ଦିନେ

ଜୀଉ ଅବସ୍ଥାନ କାଳରୁ

ସହଯାତ୍ରୀ ପାଲଟିଛି ହରି ଅଦୂରୁ ।।୩୪।।

ତାଂକ ଆତ୍ମୀୟ ସ୍ୱଜନ            ପରା ଲାଗୁଛି ଏ ଜନ

ଗ୍ରାମରେ ସ୍ୱଚ୍ଛ ଜୀବନ ନିର୍ବାହ କରି

ଆଜି ପ୍ରେମଭକତିର             ଅଭିକର୍ଷଣ ଜର୍ଜର

ସେବାରେ ଶ୍ରୀ ଜୀଉଙ୍କର ମଜ୍ଜିଛି ହରି

ପାଶୋରିଛି ଗୃହ ସଂସାର

ପ୍ରଭୁ ବଶମ୍ବଦ ଭକ୍ତି ଗର୍ଭା - ଉଦର ।।୩୫।।

ହରି ସଠିକ କହିଛି             ଜ୍ଞାନ ଜିଜ୍ଞାସାରେ କିଛି

ଜାଣି ହୁଏ ନାହିଁ ବାଛି ହରି କରୁଣା

ଭକତିର ପ୍ଳାବନରେ             ଅନୁଭବ ଜୀବନରେ

କରିହୁଏ କରୁଣାରେ ଭକ୍ତ ଭାବନା

ଯେତିକି ଆତ୍ମୀୟ ବେଣୁରେ

ସେତିକି ରହସ୍ୟମୟ ସ୍ୱାଜିଜ୍ଞାସାରେ ।।୩୬।।

ମହାପ୍ରଭୁ ଜିଜ୍ଞାସାର            ସେ ପ୍ରଣବ ତନୁଧର

ଜଗନ୍ନାଥ ଜଗତର ବଂଧୁ ଠାକୁର

ଜୀବନର ମହାଶ୍ରୟ            ବାଂଧବଙ୍କର ଆଳୟ

ଦେବତା ରହସ୍ୟମୟ ପ୍ରଭୁ ପ୍ରାଣର

ସିଂହ ଦ୍ୱାରେ ବିଜେ ହୋଇଣ

ଆଭାସନ୍ତି ଚିତ୍ର ପରି ପଦ୍ମ ଲୋଚନ      ।।୩୭।।

ହରି ଦେବା ତୁଳସୀକୁ            ମୁଖରେ ଦେଇ ଆଖିକୁ

ବୁଜି ସେ ମହାବାହୁଙ୍କୁ ମୁହୂର୍ତ୍ତେ ଧ୍ୟାନ

କରି କହିଲେ ପରମ            ଲକ୍ଷ୍ମୀ ରାଜଗୁରୁ କ’ଣ

ତୋର ଘର କଥା ମାନ ପଡ଼େ କି ମନ ?

ଘରେ ପରିବାର ତ ଥିବେ

ତାଙ୍କୁ ଥରେ ଦେଖିବାକୁ ଯିବୁକି କେବେ?       ।।୩୮।।

ଏକ ବିକଳ ନିଃଶ୍ୱାସ            ନିକ୍ଷେପ କରି ସଂତୋଷ

ଶ୍ରୀ ଜୀଉଙ୍କ ହସ ହସ ବଦନ ଚାହିଁ

ମୁହୂର୍ତ୍ତେ ମଉନ ରହି             କହିଲା ହରି ଗୋସାଇଁ

ଘରେ ମୋର କେହି ନାହିଁ ବୁଢ଼ୀମା ପାଇଁ

କେବଳ ମୁଁ ଯାଏ ଘରକୁ

ମଝିରେ ମଝିରେ ଦେଖିବାକୁ ତାହାଙ୍କୁ        ।।୩୯।।

ଆମରି ପାଇକ ଘରେ            କୋ÷ଳିକ ରୀତି ପ୍ରକାରେ

ବାପା ହିଁ ପାଇକ ହେଲେ ଫେରିଲେନାହିଁ

ଯୁଦ୍ଧରୁ ଆଉ ଘରକୁ             ଆମ ଦୁଃଖ ଦେଖିବାକୁ

ହେଲି ଅଭାଗା ଗାଆଁକୁ ଦୁଃଖକୁ ସହି

ବୁଢ଼ୀମା ମୋ ଦେବାଳୟରେ

ନିତି ଯାଇ ସେବାକରେ ଭକତି ଭରେ       ।।୪୦।।

ଠାକୁରଙ୍କ ପ୍ରସାଦରେ             ଜୀବନ ନିର୍ବାହ କରେ

ଥିଲି ମୁଁ କୃଷିକାର୍ଯ୍ୟରେ ଭାଗ ଜମିରେ

ମରୁଡ଼ି ପଡ଼ିବା ଫଳେ             ଲଗାତର ଆମ ଗାଁରେ

ବିଧ୍ୱଂସ ହେଲେ ଫସଲେ ମୋ କରମରେ

କେହି ନାହିଁ ଅବଲମ୍ବନ

ଅବଲମ୍ବିତ ବି କେହି ନାହାନ୍ତି ମମ       ।।୪୧।।

ଶୈଶବେ ବାପାଙ୍କ ଠାରୁ             ନୀଳାଦ୍ରି କ୍ଷେତ୍ରର ଚାରୁ

ମଣିମାଙ୍କ କରୁଣାରୁ ବହୁ କାହାଣୀ

ଶୁଣିଥିଲି, ଦରଶନ            କରିବାକୁ ଉଚ୍ଛା ମନ

ଥିଲା ବ୍ୟାକୁଳତା ଘନ ଏ ସତ୍ୟବାଣୀ

ତହୁଁ ବଳି ମୋ ଅଭିଳାଷ

ଥିଲା କାଣିଚାଏ ସେବା ସେ ପଦ-ରସ      ।।୪୨।।

ମୁଁ ବାଣପୁର ଗଡ଼ରେ             ରାଜାଙ୍କର ଉଆସରେ

ଜୀବିକା ପାଇଁ ଜୀବରେ କୋ÷ଣସି ମତେ

ଗଡ଼ରକ୍ଷୀ ଭାବେ ଯୋଗ            ଦେଇଥିଲି ମହାଭାଗ

ଜାଣି ନଥିଲି ସୁଯୋଗ ମିଳିବ ମୋତେ

ଶେଷରେ ଶ୍ରୀମଣିମା ମାନେ

ଆମ ରାଜ୍ୟେ ଆସୁଥିବା ଜାଣି ମୁଁ ମନେ       ।।୪୩।।

ବୁଝି ଗଲି, ଜୀଉ କୃପା            କରି ବହି ଅନୁକଂପା

ଲବେ ଆସିଛଂତି କିପାଁ ଏ ଦୀନ ପାଇଁ

ମୋଗଲ ଗୋଳ ଆଳରେ            ମୋରି ପାଇଁ ବାଣପୁରେ

ବିଜୟ ଏହି ରାଜ୍ୟରେ ସେଇଥି ପାଇଁ

ଆପଣଂକୁ ମୁଁ କହୁଥିଲି

ଶ୍ରୀ ମଣିମା ସ୍ୱୟଂ ବାଂଛାନିଧି ପାଇଲି ।।୪୪।।

ତାଂକୁ ମଧ୍ୟ ବୁଝିହୁଏ            ସେ ମଧ୍ୟ ବୁଝନ୍ତି, ଭୟେ

ଶ୍ରୀ ବତ୍ସ ଲାଂଛନ ମୋହେ ଏ କଥାସତ

ନୁହଁନ୍ତି ମଧ୍ୟ ଅବୋଧ            ବୋଧ୍ୟ ସେ ବୋଧକ ମଧ୍ୟ

ଭକତ ହୃଦୟ ସାଧ୍ୟ ଜାଣେ ଜଗତ

ମାନସେ ଉଠିଲେ ଶୀହରି

ହରି ରାଜଗୁରୁ ଚାହିଁ ସ୍ମରି ଶ୍ରୀ ହରି ।।୪୫।।

ରତ୍ନ ସିଂହାସନ ଛାଡି            ଚକଡ଼ା ଛଡ଼ା ମୁରାରି

ମହାବାହୁ ଗିରିଧାରି ଭକତ ପ୍ରାଣେ

ବିଳାସ କରିବା ପାଇଁ            ସତେ ଆସିଛଂତି ଧାଇଁ

ସେ କଥା କିଏ ବା କହି ପାରିବ ଜଣେ

ମୋଗଲାକ୍ରମଣ ଆଳରେ

ରାଜ୍ୟାନ୍ତର ତାଂକ ରାଜଗୁରୁ ଭାବିଲେ ।।୪୬।।

ଅଦୂରରେ ବା କେଉଁଠି            ତୁରଙ୍ଗ-ଖୁରା-ଶଦ୍ଦଟି

ଶୁଣି ରାଜଗୁରୁ ଉଠି ସହସା ଛିଡା

ହୋଇଗଲେ, ସ୍ତମ୍ଭୀଭୂତ             ହରି ଉତ୍‌କର୍ଣ୍ଣ ଉଷତ

ହୋଇ ସେହି ଆଡେ ସେତ ଚାହିଁଲା ପରା

ଚିଲିକା ନଇରୀ ଗ୍ରାମରେ

କିଏ ଅଶ୍ୱାରୋହୀ ଆସେ ଏହି ରାତ୍ରିରେ       ।।୪୭।।

ଆକାଶ ଚତୁର୍ଥୀ ଜହ୍ନ            ନିଭି ଗଲାଣି, ଗଗନ

ଅଛି ଅଂଧକାରାଚ୍ଛନ୍ନ କେତେ ବେଳରୁ

ସେ ଅଂଧକାର ମଧ୍ୟରେ            ଘୁମନ୍ତ ବାଦଲ ତଳେ

ହେଉ ନଥିଲା ସରଳେ ବାରି ମେଘରୁ

ପ୍ରତିଭାତ ପ୍ରଦୀପ ଭଳି

ନିଷ୍ପ୍ରଭ ନକ୍ଷତ୍ର କିଛି କିଛି ଓହଳି ।।୪୮।।

କେହି ଲସ୍‌କର ରାତ୍ରିରେ            ଆସୁ ନାହାଁନ୍ତି ଏଠାରେ

ଠାବ କରିବ ଠାକୁରେ ମୋଗଲ ଗୋଳେ

ଆଖି ରାଜଗୁରୁଙ୍କର            ଜଳିଉଠିଲା ପ୍ରଖର

ହୋଇନି ବେଦନାଦୂର ପଥଶ୍ରାନ୍ତିରେ

ଆଉ ଥରେ ପୁଣି ଅବଧି

ଘୋଷ ଯାତ୍ରା ଆୟୋଜନ କାହିଁକି ବିଧି?      ।। ୪୯।।

କାହିଁକି ହେ ମହାବାହୁ            କରୁଛ ଏ କଥା ଆଉ

ଆଉ କିଛି ଦିନଯାଉ ଯିବା ଏଠାରୁ

ବାଂଞ୍ଛାନିଧି ତବ ବାଂଞ୍ଛା            ପୁରୁ ଆମର ବି ଇଚ୍ଛା

ସବୁ ସିନା ତୁମ୍ଭ ଇଚ୍ଛା ହେ କଳ୍ପତରୁ

ରୋଷ ଘରେ ମହାପାତରେ

ରାତ୍ରିଧୂପକୁ ପ୍ରସ୍ତୁତ ସେ କରୁଥିଲେ       ।୫୦ ।

ହରିଶ୍ୱରଙ୍କ ମଂଦିର             ଚତୁଃପାର୍ଶ୍ୱେ ଝିଙ୍କାରିର

ଝିଲ୍ଲୀରବ ଝିଂ ଝିଂ ସ୍ୱର ପରିବେଶକୁ

ସୁଗଭୀର ଆତଙ୍କିତ             କରି ଦେଉଥିଲା ସତ୍ୟ

କେତେଜଣ ସେବାୟତ ଭାଂଗ ନିଶାରୁ

ମଂଦିର ଚଟାଣ ଉପରେ

ଢ଼ଳିପଡି ଗଡୁଥିଲେ ଭାଂଗ ନିଶାରେ ।।୫୧।।

ଅଭିନିବିଷ୍ଠ ସମାଧି            ଯେଉଁପରି ଥିଲା ବାଦୀ

ଅଶ୍ୱଟାପୁର ଶବ୍ଦାଦି ହୋଇଲା ପାଖ

ସେ ମଂଦିର ସମ୍ମୁଖରେ            ଅଶ୍ୱପୃଷ୍ଠୁ ଓହ୍ଲାଇଲେ

ଧିରେ ଅଗ୍ରସର ହେଲେ ରାଜଗୁରୁଙ୍କ

ପାଦ ଛୁଇଁ ମଥାରେ ହାତ

ଦେଇ ଜରୂରୀ ବାରତା କହିଲେ ସତ      ।।୫୨।।

ମୁଁ ବାଣପୁର ରାଜନ            ଗୋବିନ୍ଦ ହରିଚନ୍ଦନ

ପାଇକ ସର୍ଦ୍ଦାର ଜାଣ ମରଦରାଜ

ଆପଣଙ୍କ ନିକଟକୁ            ଧରି ଜରୂରୀ ବାର୍ତ୍ତାକୁ

ନେଇ ଆସିଛି ଏଠାକୁ ଶୁଣନ୍ତୁ ସଜ

ଆଶଙ୍କା ମୁଦ୍ଗୁର ପ୍ରହାର

ପଡିଗଲା ରାଜଗୁରୁ ଶିରେ ପ୍ରଚୁର       ।।୫୩।।

ପଚାରି ଶଙ୍କିତ କଂଠେ            ରାଜଗୁରୁ ସ୍ତମ୍ଭୀଭୂତେ

କାହାର ଚିଟାଉ ହାତେ ଆଣିଛ କହ

କିଛି ବିଶିଷ୍ଟ ଖବର            ଅଛି କି ବିଷ୍ଣୁ ସର୍ଦ୍ଦାର

ଚତୁର୍ଦିଗେ ବାରବାର ବାରି ସଂଦେହ

ଚିଟାଉକୁ ସଂତର୍ପଣରେ

ରାଜଗୁରୁଙ୍କ ହାତକୁ ବଢ଼ାଇ ଦେଲେ ।।୫୪।।

ପଢ଼ିଲେ ଦୀପାଲୋକରେ             ରାଜଗୁରୁ ତରତରେ

ସେ ବାଣପୁର ରାଜ୍ୟରେ ଶ୍ରୀ ଜୀଉମାନେ

ବିଜେ କରିବା ଖବର            ହୋଇଗଲାଣି ପ୍ରଚାର

ସେ ଭେଦିଆ ମାନଙ୍କର ସୂତ୍ରରୁ କାନେ

ତକୀଖାଁ ତା ଜାଣି ପାରିଛି

ଆକ୍ରମଣ ଅଭିପ୍ରାୟ ତାହାର ଅଛି       ।।୫୫।।

ମହାପ୍ରଭୁ ଆକ୍ରମଣ             କରି ନିଜର ପ୍ରାଧାନ୍ୟ

ବଢ଼ାଇବାକୁ ସ୍ୱଧର୍ମ କରିବା ବାଂଞ୍ଛା

ଅଛିତାର ତେଣୁ ଯୁଦ୍ଧ            କରିପାରେ ସେ ଧର୍ମାଂଧ

କୌଣସି ସମୟାବଦ୍ଧ ନୁହେ ତା ଇଚ୍ଛା

ମହାବାହୁ ଆଉ ସେଠାରେ

ନିରାପଦ ନୁହେ ଆଉ ସେ ବାଣପୁରେ ।।୫୬୧।।

ଚିଟାଉ ପାଇବା ପରେ            ତୁରନ୍ତ ସେଠାରୁ ଖରେ

ଠାକୁରଙ୍କୁ ଗୋପନରେ ଚକଡ଼ା ଛଡ଼ା

ଶୀଘ୍ର କରିବାକୁ ହେବ            ରାଜା ରାମଚନ୍ଦ୍ର ଦେବ

ଲେଖିଛନ୍ତି ଅନୁଭବ ଭାବନା ପୀଡା

ତଳେ ଗଜପତି ସ୍ୱାକ୍ଷର

ଦେଖି ନିର୍ବାକ ସରବେ ହୋଇ କାତର       ।।୫୭।।

ଦୀପଶିଖା ଉଲମ୍ଫନ            ଯେଉଁପରି ଦିଶେ ମ୍ଳାନ

ରହିରହି ତ୍ରସ୍ତମନ ଆଶା ସଂଚାର

କରୁଥିଲା ଧିରେ ଧିରେ            ରାଜଗୁରୁ ପଚାରିଲେ

ଆସିଲା ଚିଠି ଏଠାରେ କିପରି ଖେଳ

ଗଜପତି ବରୁଣେଇରେ

ନଜରବଂଦୀ ତକୀଖାଁ ଦ୍ୱାରା ସେଠାରେ       ।।୫୮।।

ସେ ସଂବାଦ ବାର୍ତ୍ତାବହ            କହିଛି ହେ ମହାଶୟ

ଗଜପତି ଅତିଶୟ ବିଚଳିତରେ

ସେ ଯବନୀ ରିଜିୟାକୁ            ବିବାହ କରି ପାଶକୁ

ନେବାରୁ କଟକଣାକୁ ଉଣା ସେଠାରେ

ଏ ସୁଯୋଗ ପାଇ ରାଜନ

ରିଜିୟା ଅନୁଚରଠୁ ପାଇ ସଂଧାନ       ।।୫୯।।

ଏ ଆକ୍ରମଣ ବାରତା            ପାଇ ଚିଟାଉ ବ୍ୟବସ୍ଥା

କରିଛଂତି ରାଜା ଚିନ୍ତା ବରୁଣେଇରେ

ଗଡ ପାଇକ ହାତରେ             ବିଶ୍ୱସ୍ତ ଯେ ବିଚାରରେ

ତାକୁ ଡାକି ଗୋପନରେ ଡାକି ପାଖରେ

କରିଛଂତି ଚିଠି ପ୍ରେରଣ

ପଢ଼ନ୍ତୁ ହେ ରାଜଗୁରୁ ନୋହି ବିମନ       ।।୬୦।।

ଶ୍ରୀ ଜୀଉମାନେ ଯେଉଁଠି            ବିଜେ କରିଥିବେ ସେଠି

କା ପ୍ରବେଶ ନ ହେବଟି ଗୋପନାଦେଶ

କରିଛଂତି ମାନନୀୟା            ଯବନୀରାଣୀ ରିଜିୟା

କଟିଯିବ ଶିର ହିୟା ନ ହେବ କ୍ଳେଶ

କେବଳ ସେ ବାଣପୁରର

ବିଶ୍ୱସ୍ତଙ୍କ ହେବ ମାତ୍ର ଚଳପ୍ରଚଳ       ।।୬୧।।

ଆଗନ୍ତୁକ ରାଜ ଦୂତେ             ଚିତ୍ରାର୍ପିତ ପରି କେତେ

ମୁହୂର୍ତ୍ତ ବିଲୋକି ସତ୍ୟେ ସେ ରାଜଗୁରୁ

କରୁଥିଲେ ଅନ୍ୱେଷଣ             ଯବନୀ ରେଜିୟା ଗୁଣ

ଦେଇଣ ମନେ ସମ୍ମାନ ରହିଣ ଦୂରୁ

ରିଜିୟାଙ୍କ କାନ୍ତ ସୋହାଗ

ଭାଗବତ ଭାବ କ୍ରମ ମୁଖାନୁରାଗ       ।।୬୨।।

ତାହେଲେ ଜ୍ଞାତ ଭାବରେ            ପ୍ରଭୁଙ୍କ ମାନରକ୍ଷାରେ

ଯବନୀ ରିଜିୟା କରେ ଧଇଲେ ରାଜା

ଏ ଜାତିର ଗୌରବକୁ            ଅମ୍ଳାନ କି ରଖିବାକୁ

କଥା କିକାଳ କାଳକୁ ବାଜିବ ବାଜା

ଦୁର୍ନାମର ଅଥଳ ଜଳେ

ନିଜକୁ ବୁଡାଇ ଦେଲେ ରାଜା ସାଦରେ ।।୬୩।।

ନୀରବତା ଭଂଗ କରି             ରାଜଦୂତ ଭାସି କରି

କହିଲେ ଏଠାରୁ ଫେରି ଯିବାର ପରେ

ଜୀଉମାନଙ୍କ ନୂତନ            ବିଜେ ସ୍ଥଳି ଆୟୋଜନ

ଚୂଡାନ୍ତ ହେବ ରାଜନ ମନ୍ତ୍ରଣା ପରେ

କାଲି ପ୍ରତ୍ୟୁଷରେ ରାଜନ

ବିଜେ ହେବେ ଏହି ସ୍ଥାନେ ଏ ନିବେଦନ       ।।୬୪।।

ସେତେବେଳକୁ ସେବକ            ମହାପାତ୍ରମାନେ ବେକ

ଟେକି ଉଠିଲେଣି ଠେକ ଶେଯ ଉପରୁ

ସେ ମଂଦିର ପ୍ରାଙ୍ଗଣରେ            ଉପସ୍ଥିତ ଉଦ୍‌ବେଗରେ

ଦଣ୍ଡାୟମାନ ସେ ଥିଲେ ଭାଂଗ ନିଦ୍ରାରୁ

ପ୍ରତ୍ୟାନ୍ତର କେତେ ଜଣଙ୍କୁ

କରିବାକୁ ହରି ଜଳ ସିଂଚେ ମୁହଁକୁ ।।୬୫।।

ସହସା ଉଠି ପଡିଣ            ଦଇତା ହିଁ ଦୁଇଜଣ

ଆଖି ମଳି ମଳି ପୁଣ ପରସ୍ପରକୁ

ଭାବି ଚାହିଁଲେ ପାଖରେ            ବିଳିବିଳେଇ ଉଠିଲେ

ମାକେ-ରେ- ଆମ ଉପରେ କିଆଁ ପାଣିକୁ

ସିଂଚି ଅପରାଧ ଅର୍ଜିଲୁ

ରେ ମଣି ଆମ ସପନ କିଆଁ ଭାଂଗିଲୁ       ।।୬୬।।

ଆମେ ଖୋଦ ଜଗନ୍ନାଥ            ଆତ୍ମୀୟ ଜନ ଯଥାର୍ଥ

ଜାଣିନାହୁଁ ଅପଦାର୍ଥ କଲୁ ବିଅର୍ଥ

ଶଳାଟା ଭାଂଗ ମଉଜ            ଭାଂଗିଦେଲୁ ରାତ୍ରି ସଜ

ଆଉ କି ହେବ ମଉଜ ରାତିଟା ବ୍ୟର୍ଥ

ଚାରିଗୁଣ ମାଫ ଆମ୍ଭଙ୍କୁ

ଯାହାକଲେ ଜାଣିନାହୁଁ ଆସି ଏଠାକୁ ।।୬୭।।

ଯଦି କ୍ଷେତ୍ରରେ ଥାଆନ୍ତୁ            କେତେ ମାଡ଼ ଖାଇଥାନ୍ତୁ

କେତେ ଗାଳି ଶୁଣିଥାନ୍ତୁ ଫିଟିଲୁ ଆଜି

ପରୀକ୍ଷା ପରମାନଂଦ            ଚିହିଁକି ଆସି ସାନଂଦ

ନିଶାମଗ୍ନ ଦଇତାଂଧ ମଥାକୁ ମାଜି

କହିଲେ ଏ ନିଶା ବୋଲିକୁ

ବଂଦକର ଶୀଘ୍ର ତେଜି ନିଶା ଧ୍ୱନିକୁ ।।୬୮।।

ଏଣେ ଘଡିରେ ପନ୍ଦର            ନାଡ଼ି ହେଲାଣି ଚନ୍ଦର

ପୁଅମାନେ ଭାଂଗ ଖୋର ଉପରେ ବ୍ୟାଖ୍ୟା

ଝାଡୁଛଂତି, ନିଶାଗ୍ରସ୍ତ             ସେ ଦୁଇଜଣ ହଠାତ୍‌

ଉଠିପଡି ହନ୍ତସନ୍ତ କେଦେବ ରକ୍ଷା

ସେ ଗମ୍ଭୀର ପରିବେଶରେ

ଆଖିମଳିମଳି ମହାପାତ୍ରେ ଚାହିଁଲେ ।।୬୯।।

ହରି କୋମଳ କଂଠରେ             କହିଲା ତାଂକ କାନରେ

ଉଠ ଭାଇନା ଭାଂଗରେ ନିଶା ଶେଷରେ

ଏଥରକ ଅନିର୍ଦ୍ଦିଷ୍ଟ            ପୁଣି ଯାତ୍ରା ହେବ କଷ୍ଟ

ଗମିବେ କେଉଁ ଅଜ୍ଞାତ ମହାକାନ୍ତାରେ

ଶିରୀ ଛାମୁମାନେ ଏଠାରୁ

ଚକଡ଼ା ଛଡ଼ା ହୋଇବେ କି ଦୁର୍ଭାଗ୍ୟରୁ       ।।୭୦।।

ରାଜଗୁରୁ ବିରସରେ            ମର୍ଦ୍ଦରାଜଙ୍କୁ କହିଲେ

ମହାବାହୁ କେଉଁ ଆଡେ ଯାତ୍ରା କରିବେ

ମୋଗଲ ଲସ୍କର ମାନେ             ଚିଲିକା ମଧ୍ୟେ ଗୋପନେ

ପଇଁତରା ମାରି ଦିନେ ରାତ୍ରି ଜଗିବେ

ମାଲୁଦର ଫଉଜଦାର

ସତର୍କ ଦୃଷ୍ଟି ରଖିଛି ଏହି ସ୍ଥାନର       ।।୭୧।।

ବିଷ୍ଣୁ ସର୍ଦ୍ଦାର କହିଲେ            ଆଉ ଚିଲିକା ବକ୍ଷରେ

ନିରାପଦ ନୁହେବାରେ କରିବା ଚେଷ୍ଟା

କେଉଁ ନିବିଡ ଅରଣ୍ୟ              ହେବ ଶ୍ରୀ ଜୀଉଙ୍କ ସ୍ଥାନ

ଆଶ୍ରୟ ସ୍ଥଳି ସମ୍ମାନ ଏ ସତ୍ୟ କଥା

ଆରଣ୍ୟକ ସବୁଜିମାରେ

ପ୍ରଭୁ ଦିନକୁ କାଟିବେ ଚାହିଁ ଶୂନ୍ୟରେ ।।୭୨।।

ଜାଂଗଳିକ ଫଳମୂଳ            ଭକ୍ଷଣ କରିବେ ମୂଳ

ଆଧାର ଏ ଜଗତର ଏହି ଦଶାରେ

ପିଇବେ ଝରଣା ଜଳ            ଅଶୁଭ କେତୁ ପ୍ରବଳ

କରିଛି ଛାୟା ବିସ୍ତାର ଭାଗ୍ୟାକାଶରେ

ଓଡିଆ ଜାତିର ଦୁର୍ଦ୍ଦିନେ

ହେବ ପ୍ରଶମିତ କି ଯନ୍ତ୍ରଣା, କେ ଜାଣେ       ।।୭୩।।

ହୋଇ ସାରିଥିଲା ଟେରା-            ବଂଧା ଶ୍ରୀ ଛାମୁରେ ପରା

ରାଜଗୁରୁଙ୍କ ଡାକରା ମହାପାତରେ

ଠାକୁର ପହଡ କର            ଧୂପ ଭୋଗକୁ ସହଳ

ସାରି ସେ କଳାମେଘର ଘନଘଟାରେ

ଶ୍ରୀ ଛାମୁଙ୍କ ସନ୍ନିକଟରେ

ମହାପାତ୍ରେ ଆସନରେ ଚଳୁ ଧରିଲେ ।।୭୪।।

ଆ ଭୂମି ପ୍ରଣାମ ବାଢ଼ି             ବିଷ୍ଣୁ ସର୍ଦ୍ଦାର ବାହାରି

ମେଲାଣି ମାଗିଲେ କାଲି ହରିଚନ୍ଦନ

ରାଜା ବିଜେ ଆପଣଙ୍କ            ପାଖକୁ ହେବେ ନିଃଶଙ୍କ

ବର୍ତ୍ତମାନ ଆପଣଙ୍କ ଠାରୁ ଗମନ

କରୁଛି ମୁଁ ଆହେ ସାଆନ୍ତେ

ପ୍ରହରାରତ ଅଛନ୍ତି ପାଇକ କେତେ ।।୭୫।।

ବସିଣ ଅଶ୍ୱ ପୃଷ୍ଠରେ             ଗଲେ ସେ ଧିର ଗତିରେ

ରାତ୍ରି ଗହନାଧଂକାରେ ହେଲେ ଅଦୃଶ୍ୟ

ଦ୍ୱିତୀୟ ପ୍ରହର ଝିଲ୍ଲୀ            ରବରେ ଉଠିଲା ପୁରି

ମଂଦିର ଗାତ୍ରେ ଯେପରି ଅଂଧାର ଦୃଶ୍ୟ

ପ୍ରତିସ୍ୱନ ପିଟିଲା ମଥା

ଅସହ୍ୟ ଯନ୍ତ୍ରଣାକୁଳ ଆର୍ତ୍ତନାଦଟା ।।୭୬।।

ଧିର କଂଠେ ଲାଗି ଆସି             ହରି କହିଲା ଭରସି

ମହାପ୍ରୁ ବିଶ୍ରାମ ବସି କରନ୍ତୁ ଏଠି

ସାରା ରାତି ମୁଁ ଜଗିବି            ମଣ୍ଡପେ ପହରା ଦେବି

ଜଗତନାଥଙ୍କୁ ଭାବି ମୋ ପୁଣ୍ଣ୍ୟ ସେଠି

ସାଂସ୍କୃତିକ ପବିତ୍ରତାକୁ

ଅମ୍ଳାନ ରଖିବାପାଇଁ ଧରି ପଣକୁ ।।୭୭।।

ମଥାରେ ହାତ ବୁଲାଇ            ପରମଲକ୍ଷ୍ମୀ ବଧାଇ

ଦେଲେ ହରିକୁ ବଢାଇ ବାବୁରେ ଶୁଣ ।

ଜଗନ୍ନାଥ ଇତିହାସ            ନାୟକ ସେ ସର୍ବଶେଷ

ତୁହି ହେବୁ ଇତିହାସ ପୃଷ୍ଠା ଅମ୍ଳାନ

ଯେ ପଢ଼ିବ ଦେଖିବ ତୋତେ

ଜଗନ୍ନାଥ ପାଖେ ପାଖେ ଥିବୁରେ ସତେ ।।୭୮।।

ସବୁ ରାତ୍ରିର ସକାଳ,             ଅଛି ଓଡିଆ ଜାତିର

ଭାଗ୍ୟାକାଶରେ ଶୁକଳ ଜହ୍ନରାତିର

ସବୁ ଅମାବାସ୍ୟା ପରେ            ଚନ୍ଦ୍ର ଉଠେ ଆକାଶରେ

ଏଥିପାଇଁ ହିଁ ଧୈର୍ଯ୍ୟରେ ପ୍ରତୀକ୍ଷାକର

ରାଜଗୁରୁ ଦୃଢ଼େ କହିଲେ

ମନ ରଖିଥାରେ ହରି ହୃଦ ମଧ୍ୟରେ ।।୭୯।।

ଚିଲିକା ବକ୍ଷ ଫେନୀଳ            ଆଡୁ କେଉଁ କାଣ୍ଡାରୀର

ଲଳିତ ଭଜନ ସ୍ୱର ମଧୁରତର

ପଦାବଳୀ ପବନରେ            ଭାସି ଭାସି ଆସେ ଧିରେ

ଘେନିଯାଉଛ କୁଆଡେ ମୂରଲିଧର

କାହାକୁ କରିବୁ ଦର୍ଶନ

ଆମ୍ଭେ ଏହିଠାରେ ହେବୁ କି ହୀନମାନ ।।୮୦।।

 

ଭଜନ

 

ଆହେ କରୁଣା ନିଧି,

କରୁଣା ଉଣା ହେଲା କାହିଁକି

କିକରି ଥିଲେ ସେ ପଂଡ଼ୁରାଜାସୁତେ ବଂଚେଇଲ ତାଂକୁ ଜଗିକି (ଘୋଷା)

କଦଳୀର ଚୋପା ଖାଇଲ ଖୁସିରେ ବିଦୁର ଗୃହରେ ବସିକି

 

କାହାକୁ ମାରୁଛ କାହାକୁ ତାରୁଛ ଏ ଲୀଳା କରୁଛ କାହିଁକି ।।୧।।

କେଉଁ ହିସାବରୁ ରଖିଛ ତକୀଖାଁ ବଂଚାଇ ସେ ବାରବାଟିକି

କହିଲେ ହୋଇବ ପୋଥିଏ ସକଳ ତୁମ ଗୁଣ ଗ୍ରାମ ସବୁ କି ।।୨।।

କେତେ ଖାଇବ ହେ କଦଳୀ ନାରଂଗ ଛେନା ପୋଡ଼ ଖଣ୍ଡ ଖଇକି

କେଉଁ ଦୋଷ ହେତୁ ହୋଇଛ ଚକଡ଼ା ଛଡ଼ା ତା ଜାଣିଅଛ କି ।। ୩।।

 

୫ମ ସ୍ୱର୍ଗ

 

ପରମଲକ୍ଷ୍ମୀ ରାଜଗୁରୁ

ମାଟି ଆଟୁ ଛାତକୁ

ଚାହିଁ ବସିଥିଲେ ଏକାକୀ

ପାଟି କି ପାକୁପାକୁ ।

କରି ସେ ନଇରୀ ଗ୍ରମରେ

ମଂଦିର ମେଲାଘରେ

ପୁରୋହିତଙ୍କର ଗମ୍ଭୀର

ଏକ ପରିବେଶରେ ।

ବାଣପୁର ରାଜା ଗୋବିନ୍ଦ

ବୀର ହରିଚନ୍ଦନ

ଅର୍ଦ୍ଧୋନ୍ମୁକ୍ତ ଦ୍ୱାର ବାଟରେ

ଅନିମେଷ ନୟନ ।

ଚିଲିକା ରଜତ ପ୍ଳାବିତ

ବକ୍ଷେ ଚାହିଁ ଚିନ୍ତାରେ

ହୋଇଯାଇଥିଲେ ନିମଗ୍ନ

ସ୍ୱଭାବ ସମାଧିରେ ।

ପଶ୍ଚିମ କବାଟ ସାଆନ୍ତ

ମହାପାତ୍ରଙ୍କ ସହ

ଦଇତା ନିର୍ବାକ ଭାବରେ

ଥିଲେ ହୋଇ ସମ୍ମୋହ ।

ଏକ କାରୁଣ୍ୟର ଆବେଗେ

ଥିଲେ ସେ ମୂହ୍ୟମାନ

ଦ୍ୱାର ନିକଟରେ ଜାଗ୍ରତ

ହରି ଦଣ୍ଡାୟମାନ ।

ଦୃଷ୍ଟିପାତ କରୁଥିଲା ସେ

ବୀର ପ୍ରହରୀ ପରି

ଚାରିଦିଗେ ତାର ନୟନ

ଖେଳେ ଯେହ୍ନେ ସଫରି ।

ଉତ୍ତଳ ପବନ ପ୍ରବାହ

ଚିଲିକାର ବକ୍ଷରେ

ମାଡି ଆସୁଥିଲା ଗ୍ରାମକୁ

ଅମାନିଆ ଭାବରେ ।

ମହାକାଳ ଦୀର୍ଘଶ୍ୱାସ କି

ଲାଗୁଥିଲା ମନକୁ

କହି ହେଉନାହିଁ କି ହେବ

ଅଛି କିବା ଆଗକୁ ।

ରୁଦ୍ଧ କୋଠରୀରେ ଦୀପର

ଉଲମ୍ପଂନ ଦୋହଲି

ଉଠୁଥିଲା ପ୍ରଜ୍ଜ୍ୱଳିତରେ

ମହାବେଗରେ ଜଳି ।

ଆଶା ନୈରାଶ୍ୟର ଖେଳ କି

ଲୁଚକାଳି ଖେଳରେ

ଉଡି ବୁଲୁଥିଲେ ପତଂଗ

ଦୀପ ଚାରି ପାଖରେ ।

ଉଷ୍ଣ ଆମନ୍ତ୍ରଣ ବହ୍ନିର

ପାଇଁ ନିଜ ଅଜ୍ଞାତ

ଆତ୍ମାହୁତି ପାଇଁ ଯେପରି

ହେଉଥିଲେ ପ୍ରସ୍ତୁତ ।

ସୁଗଭୀର ଦୀର୍ଘ ନିଶ୍ୱାସ

ଛାଡି ସେ ରାଜଗୁରୁ

କହିଲେ ଏ ପଟେ ଶ୍ରୀ ଜୀଉ

ଚିନ୍ତାକୁ କରୁକରୁ ।

ଗଜପତି ଅସହାୟତା

ଗୁରୁଭାର ଚିନ୍ତାର

ବ୍ୟଥିତ କରୁଛି ସେପଟେ

ନାହିଁଉପାୟ ତାର ।

ଗଜପତି ବରୁଣେଇରେ

ପରା ନଜରବଂଦୀ

ହୋଇ ନିର୍ବାସିତ ଜୀବନ

କାଟୁଛଂତି ଅବଧି ।

ଶ୍ରୀ ମଣିମାମାନେ ଯେପରି

ସତେ ଦରଦୀ ପ୍ରାଣେ

ତୁଚ୍ଛ କରିଛନ୍ତି ସୁସ୍ୱାଦୁ

ଭୋଗ ସ୍ୱ ସିଂହାସନେ ।

ରାଜବଂଦୀ ବେଳେ କୌଣସି

ଗଡ଼ପତି ଆଗେଇ

ଗଜପତିଙ୍କର ମୁକତି

ପାଇଁ ନୁହେଁ ଆଗ୍ରହୀ ।

ଓଡିଶାର ସ୍ୱାଭିମାନକୁ

ଶୌର୍ଯ୍ୟ ପରାକାଷ୍ଠାକୁ

ଆଡେଇ ଦେଲେଣି ଗୋଡରେ

ଭାବି କିସ ମନକୁ ।

ଏ ଦାରୁଣ ଦୁର୍ବିପାକରେ

ତକୀଖାଁ ସେ ପଠାଣ

ମସୁଧା କଲାଣି କରିବ

ପୁଣି ସେ ଆକ୍ରମଣ ।

ଗ୍ରାମ ଅଂଚଳର ପାଇକେ

ଗ୍ରାମାଧିବାସୀ ମାନେ

ସାଜିଛନ୍ତି ପଳାତକ ସେ

ଗୋଳ -ମୋଗଲ-ଭ୍ରମେ ।

ଏ ଦେଶର ରାଷ୍ଟ୍ର ଦେବତା

ହେଲେ ମଂଦିର ଚ୍ୟୁତ

ହୀନପ୍ରଭ ସେନା ବାହିନୀ

ରାଜବଂଦୀ ରଜା ତ ।

ଲାଂଛନାର ଧୂମକେତୁ କି

ରାଜ୍ୟ ଭାଗ୍ୟାକାଶରେ

ଆହେ ବାଣପୁର ରାଜନ

କି କରିବା ଏଥିରେ ।

ଶ୍ରୀ ମଣିମାମାନେ କରିବେ

କାହିଁ ଆତ୍ମ ଗୋପନ

ବୁଦ୍ଧି ଦିଶୁନାହିଁ ଜେଲରେ

ଗଜପତି ରାଜନ ।

ରାଜଗୁରୁଙ୍କର ଆବେଗ-

ମୟ ପ୍ରଶ୍ନ - ଉତ୍ତର

ଖୋଜୁଥିଲେ ରାଜା ଗୋବିନ୍ଦ

ହରିଚନ୍ଦନ ବୀର ।

କରି ଦେଇଥିଲା ବିଷର୍ଣ୍ଣ

ପରିସ୍ଥିତିକୁ ସେଠି

ପରିବେଶ ଏକ ଗଭୀର

କକ୍ଷ ମଧ୍ୟ ଅଶାନ୍ତି ।

ପରୀକ୍ଷା ପରମାନଂଦ ସେ

ମହାପାତ୍ର କହିଲେ

ଚିଲିକା ବକ୍ଷସ୍ଥ କାଂକଣ

ଯିବା କି ଆଉଥରେ?

ଉତ୍ତେଜିତ କଂଠେ କହିଲେ

ରାଜଗୁରୁ ସହସା

ଚିଲିକା ବକ୍ଷରେ ହେବନି

ଆଉ ଜୀଉଙ୍କ ବସା ।

ଗୁରୁବାଲ ଆଉ ହେନ୍ତାଳ

ବନ ପ୍ରଭୃତି ଯେତେ

ନୁହେ ସୁରକ୍ଷିତ ପରୀକ୍ଷା

ସେ କାଂକଣ ସହିତେ ।

ଚିଲିକା ଗର୍ଭରେ ସର୍ବଦା

ମାଲୁଦ ଫୌଜଦାର

ଦୃଷ୍ଟି ରଖିଅଛି ଗୁପତେ

ସେଠି ନାହିଁ ନିସ୍ତାର ।

ଖୁରୁଧା କଟକ ଲସ୍କର

ମାନେ ବହୁ ସମୟେ

ପଇଁତରା ମାରୁ ଅଛନ୍ତି

ଅଶ୍ୱପୃଷ୍ଠେ ନିର୍ଭୟେ ।

ଏଣୁ ଯେ କୌଣସି ସମୟେ

ଚିଲିକାର ମଧ୍ୟରେ

ଆକ୍ରମଣ ହେବା ବିଚିତ୍ର

ନୁହେଁ ଅତର୍କିତରେ ।

ତେଣୁ ଶ୍ରୀ ଜୀଉଙ୍କୁ ନେବାକୁ

ନିରାପଦ ସ୍ଥାନକୁ

ହେବ ଯେ କୌଣସି ପ୍ରକାରେ

ବାଟ ନାହିଁ ଆମକୁ ।

କିଂତୁ ସେ ସ୍ଥାନଟି କେଉଁଠି

କାରେ ନପଡ଼େ ଜଣା

କେଉଁଠିଯାଇଣ ରହିବେ

ଏଠୁ ଯାଇ ମଣିମା ।

ବାଣପୁର ରାଜା ମଉନ

ଅସହାୟ ଦୃଷ୍ଟିରେ

ରାଜଗୁରୁ ବସି ଚାହିଁଲେ

ସ୍ତବ୍ଧ ନୀରବତାରେ ।

ଚିନ୍ତା ରେଖା ରାଶି ସୁସ୍ପଷ୍ଟ

ଥିଲା ସବୁଙ୍କ ମୁଖେ

ସମାଧାନ କିଏ କରିବ

ସର୍ବେ ବିରସ ଦୁଃଖେ ।

ବିଷ୍ଣୁ ସର୍ଦ୍ଧାରଙ୍କ ଆଡକୁ

ସମାଧାନ ଆଶାରେ

ଚାହୁଁଥିଲେ ସର୍ବେ ନିକ୍ଷେପ

କରି ଦୀର୍ଘଶ୍ୱାସରେ ।

ସଂଧ୍ୟା ଭଂଗ କରି ସେବକ

ଆଲୋଚନା କକ୍ଷରେ

ସେଠି ଥିବା ରାମଚରଣ

ସ୍ୱାଇଁ ନାଲି ଆଖିରେ ।

ଚିଲିକା ଶୀତଳ ପବନ

ମାଦକତାରେ ଭରି

ଆସୁଥିଲା କେବେ ଢ଼ୁଳାଇ

ପଡୁ ପଡୁ ବାହାରି ।

ସେ ଦଇତା କହି ଉଠିଲା

ଗଣ ଗଣିଆ ସ୍ୱରେ

ତକୀଖାଁର ଏବେ ଭେଣୋଇ

ଗଜପତି ଲେଖାରେ ।

ସେହି ଭେଣୋଇର ଲେଖାରେ

ଆମେବି ତକୀଖାଁର

ରାଜ୍ୟବାସୀ ହେଲେ ଭେଣୋଇ

ଜାଣୁ ସେହି ମୋଗଲ ।

କି ପ୍ରକାର ସେଠି ବଂଧୁତା

ସେ ମୋଗଲ ଜାତିରେ

ଆକ୍ରମଣ କରେ ଭେଣୋଇ

ବଂଦୀ କରି ଜେଲରେ ।

ମାକେ ଯଦି କ୍ଷେତ୍ରେ ଥାଆନ୍ତା

ଶଳା ତାକୁ ଖଣ୍ଡାରେ

ଲଣ୍ଡା କରିଥାନ୍ତି ମୁଣ୍ଡକୁ

ଗଣ୍ଡି ଫିଙ୍ଗି ବାହାରେ ।

ଭାଂଗ ବିଳାସର ଏସ୍ଥାନ

ନୁହେ ରାମ ଚରଣ

“ଜାଗାଘର ନୁହେ ଏଇଟା

ଖଣ୍ଡା ଆଣିବୁ କ’ଣ ।”

ଓଡିଶାର ଭାଗ୍ୟାକାଶରେ

ଆତଙ୍କର ଖଡଗ

ଝୁଲୁଛି ଏବକୁ କଳଂକି

ଲାଗିଯାଇଛି ଆଗ ।

ଭାଂଗ ନିଶା ଭାଂଗି ହୃଦୟଂ-

-ଗମ ପରିସ୍ଥିତିକୁ

କର ଯଥା ଶୀଘ୍ର ମେଘରେ

ବେଳ ନାହିଁ ଆଗକୁ ।

ସମୁଦ୍ର ମଝିରେ ହେଲାଣି

ଟଳମଳ ଏ ନାବ

ଅଥଚ ନିଶାରେ ଖେଳୁଛ

ତୁମେ ଛାଡ଼ ଗରବ ।

ଏହାଠୁ ଦୁର୍ଭାଗ୍ୟ ଆଉ କି

ଅଛି ଆମ ଭାଗ୍ୟରେ

ରାଜଗୁରୁ କଲେ ଟିପ୍ପଣୀ

ବିରକ୍ତିର ଭାଷାରେ ।

ମୁହୂର୍ତ୍ତେ ରହିଣ ଗୋବିନ୍ଦ

ହରିଚନ୍ଦନ କହି

ଉଠିଲେ ଶୁଣନ୍ତୁ ହେ ରାଜ

ଗୁରୁ ବେଦନା ସହି ।

ବର୍ତ୍ତମାନ ଗଜପତିଙ୍କ

ପୁତ୍ର ଯୁବରାଜା ଏ

ଆଠଗଡ ରାଜା ନିକଟେ

ଆତ୍ମଗୋପନ ଭୟେ ।

ତକୀଖାଁ ରାଜାଙ୍କୁ ଜେଲରେ

ରଖି ଦୃଷ୍ଟି ତାହାର

ମଣିମାମାନଙ୍କ ଉପରେ

କରେ ରାଗ ପ୍ରବଳ ।

ତତୁଲ୍ୟ ଭାବରେ ସେ ମଧ୍ୟ

ଯୁବରାଜ ମାନଙ୍କ

ଅନ୍ୱେଷଣ ରତ ରହିଣ

ସ୍ଥାନ ଖୋଜେ ତାହାଙ୍କ ।

ଏହି ମୁହୂର୍ତ୍ତରେ ତକୀଖାଁ

ଦୃଷ୍ଟି ବିଭ୍ରାନ୍ତ ପାଇଁ

ମଣିମାମାନଙ୍କୁ ଏଠାରୁ

ନିଆଯାଉ ହେ ଭାଇ ।

ଖଲ୍ଲିକୋଟ ବାଟେ ସୀମାନ୍ତ-

ବର୍ତ୍ତୀ ଘନ ଅରଣ୍ୟେ

କରାଯାଉ ସ୍ଥାନାନ୍ତରିତ

ବଣ - ବେଷ୍ଟିତ ଗ୍ରାମେ ।

ନିରାପଦେ ତାଙ୍କାବସ୍ଥାନ

କରିବା ସଂଗେ ସଂଗେ

ଗଜପତିଙ୍କର ଉଦ୍ଧାର

ଚିନ୍ତା କରିବା ବେଗେ ।

ମନ୍ତ୍ରଣାଳୟରେ ଗଭୀର

ନୀରବତା ରାଜିଲା

ହରିଚନ୍ଦନଙ୍କ ପ୍ରସ୍ତାବେ

ସର୍ବେ ଚିନ୍ତି ବାଉଳା ।

ଟିକିନିଖି ଭାବେ ତାହାକୁ

କଲେ ସ୍ୱ - ଅଧ୍ୟୟନ

ରାଜଗୁରୁ ଭୂତ ଭବିଷ୍ୟ

ଚିନ୍ତି ବରତମାନ ।

ଦୁଃସାହସ କରିପାରିବ

ନାହିଁ ତକୀଖାଁ ଭଲେ ।

ପାଇକ ସର୍ଦ୍ଦାର ଶ୍ରୀବିଷ୍ଣୁ

ଦୃଢ଼ କରି କହିଲେ ।

ଅତିକ୍ରମ ଘନ ଅରଣ୍ୟ

ତାର ଜାତକେ ନାହିଁ ।

ଖଲ୍ଲିକୋଟ ସୀମା ଟିକାଲି

ଗଡ ଛାମୁଁଙ୍କ ପାଇଁ ।

ନିରାପଦ ହେବ ବଳୟ

ଉପଯୁକ୍ତ ନିଶ୍ଚୟ ।

ଅଧିକନ୍ତୁ ଖଲ୍ଲିକୋଟର

ସୈନ୍ୟ ସାମନ୍ତ - ଚୟ

କନ୍ଧ ସୈନ୍ୟମାନେ ଅତ୍ୟନ୍ତ

ବୀର ଧନୁର୍ବିଦ୍ୟାରେ

ପ୍ରବୀଣ ଦୁର୍ଦ୍ଧାନ୍ତ ଶକତି-

ଶାଳୀ ବାହୁବଳରେ ।

ଦକ୍ଷିଣର କେଉଁ ରାଜ୍ୟକୁ

ଆକ୍ରମଣ କରିବା

ଦୁଃସାହାସ ନାହିଁ ତକୀଖାଁ

ମନେ ଆଜି ଯାଏଁ ବା ।

ସେଥିପାଇଁ ଜୀଉମାନଙ୍କୁ

ଖଲ୍ଲିକୋଟ ଟିକିଲି

ଅରଣ୍ୟାଂଚଳକୁ କରିବା

ସ୍ଥାନାନ୍ତର କହିଲି ।

ବାସ୍ତବରେ ବୁଦ୍ଧି-ମତ୍ତାର

କାମ ଏ ହୋଇପାରେ

ଆଶାର ଆଲୋକ ଝଲସେ

ରାଜଗୁରୁ ଆଖିରେ ।

ଆଶାୟୀ ନୟନେ ଚାହିଁଲେ

ବାଣପୁର ରାଜାଙ୍କୁ

ସେବାୟତ ମାନେ ପ୍ରତୀକ୍ଷା

କଲେ ସେ ନିଷ୍ପତ୍ତିକୁ ।

ଅବଶେଷେ ଭାଷି ପରମ

ଲକ୍ଷ୍ମୀ ଆଜି ତା ହେଲେ

ରାତ୍ରିରେ ହିଁ ଜୀଉମାନଙ୍କୁ

ନେଇ ଯିବା ଚାପରେ ।

ବିଜେକରି ଖଲିକୋଟର

ତ୍ରିସମାଳି ନିକଟେ

ପହଂଚାଇବାର ବ୍ୟବସ୍ଥା

କରନ୍ତୁ ହେ ଆକଟେ ।

ସେଇଠାରୁ ଚଉ ଦୋଳାରେ

ଜୀଉମାନେ ଯାତରା

କରିବେ ଅରଣ୍ୟ ଭିତରେ

ଟିକାଲିକୁ ହେ ପରା ।

ସେହି ଅରଣ୍ୟର ଆଦିମ

ସଂସ୍କୃତିରେ ପୁଣି କି

କରିବାକୁ ଅବଗାହନ

ମନ ଅଛି ବଳିକି ।

ଶ୍ରୀ ଜୀଉମାନଙ୍କ ଯେବେ ହେ,

ଆଜି ବିଜେ ରାତ୍ରିରେ

ହୁଅନ୍ତୁ ଯୋଗାଡ କରହେ

ସେ ଚିଲିକା ବକ୍ଷରେ ।

ମହାରାଜା ମଧ୍ୟେ କେତେକ,

ଘୋଡା ସବାର କରି

ଜଗାଇବେ ଯାତ୍ରା ପଥରେ

ସୁଜାଗ୍ରତ ପ୍ରହରୀ ।

ନିଭି ଆସୁଥିଲା ଦୀପର

ବର୍ତ୍ତିକାଟିକୁ ଟିକେ

ତେଜି ଦେଲେ ହାତେ ପରମ,

ଲକ୍ଷ୍ମୀ ଆଖି ପଲକେ ।

ପୁଣି ଥରେ ହୋଇ ଉଠିଲା

ଜ୍ୟୋତିର୍ମୟ ସେସ୍ଥାନ

ମ୍ଳାନ ଆଶା ଜାଗି ଉଠିଲା

ହୋଇ ସେ ତେଜିୟାନ ।

ପ୍ରଦୀପର ଚାରିପଟରେ

କେତେ ପତଙ୍ଗ ଘୂରି

ବୁଲୁଥିଲେ କକ୍ଷ ମଧ୍ୟରେ

ଡ଼େଣା ହଲାଇ କରି ।

ବୃଦ୍ଧି ପାଉଥିଲା ଉତ୍ସାହ

ଗୁଂଜରଣା-ଶାନ୍ୱିତ

ରାଜଗୁରୁ ଉଠି ଡ଼ାକିଲେ

ହେ ପଶ୍ଚିମ କବାଟ ।

ମହାପାତ୍ରେ, ଆଜି ବିନିଦ୍ର

ରଜନୀରେ ମଣିମା

ଜୀଉମାନେ ବିଜେ କରିବେ

ଚାପେ ବେଳକୁ ଅନା ।

ବେଳ ନାହିଁ ଶୀଘ୍ର ଠାକୁର

ନୀତିକୁ ସଂପାଦନ

କଲେ ଯାତ୍ରା ପଥେ କରିବେ

ମଣିମା ଅଭିଯାନ ।

ନବଯାତ୍ରା ନୂଆ ଜୀବନ

ଏଥରକ ହୋଇବ

କାଳେ କାଳେ ଏହି ଯାତରା

ଚିର ଜୀବନ୍ତ ହେବ ।

ମଂଦିରକୁ ପ୍ରତ୍ୟାବର୍ତ୍ତନ

କରୁଥିବା ସମୟେ

ସ୍ୱଗତୋକ୍ତି କରି କହିଲେ

ରାଜଗୁରୁ ଅଭୟେ ।

“ପ୍ରଳୟ ପୟୋଧି ଜଳରେ

ସର୍ଜନାର ଏ ଦାରୁ

ଖଣ୍ଡେ ଭାସି ଆସି ଶ୍ରୀ କ୍ଷେତ୍ରେ

ଲାଗିଗଲା ଉତ୍ତାରୁ ।

ପରମାର୍ଥ ମୁକ୍ତ ବୈକୁଣ୍ଠ

ଯା କରିଛ ସ୍ଥାପନା

ସେ ପରମାର୍ଥର ହେଉହେ

ଭୂୟୋବିକାଶ କି ନା ।

ଉତ୍ତରଣ ହେଉ ଜୀବନ

ମହାବାହୁ ଭୂତଳେ

କଥା ରହୁ କାଳକାଳକୁ

ଭକ୍ତ-ଜନ-ମଣ୍ଡଳେ” ।

ଖଲିକୋଟ ରାଜ୍ୟାନ୍ତର୍ଗତ

ଘଂଚ-ବଣ-ବେଷ୍ଟିତ

ଟିକାଲି ଗ୍ରାମରେ ମଣିମା

ହେଲେଣି ଉପଗତ ।

ସକାଳ ସୂର୍ଯ୍ୟର ଲୋହିତ-

କର-ରାଶି ବିକୀର୍ଣ୍ଣ

କରି ଶ୍ରୀଜୀଉଙ୍କୁ ମଂଗଳ

ଆରତିରେ ବଂଦନ ।

ଟିକାଲିର ଏକ ବିଶାଳ

ମହୀରୁହର ତଳେ

ସଜ୍ଜିତ ତିନୋଟି ପଥର

ଚକାସନ ଉପରେ ।

ମଣିମାମାନଂକୁ ସେବକେ

ବିଜେକରି ଖୁସିରେ

କରୁଥିଲେ ଅପନୋଦନ

କ୍ଳାନ୍ତି ବସି ଅଦୂରେ ।

ସକାଳ କୋମଳ ଖରାରେ

ଗ୍ରାମବଧୂ କେତେକ

ଚାହାଣୀରେ ଥିଲା ଉତ୍ସୁକୀ

କୌତୂହଳ ଅନେକ ।

ଚାଲିଯାଉଥିଲେ କଳସୀ

-କାଖେ ଧରିଣ ଧିରେ

ଜୟଗାନ କରି ପ୍ରଭୁଙ୍କ

ମନେ ମନେ ବାଟରେ ।

ସକାଳର ଆଦ୍ୟ ପ୍ରହରେ

କେତେକ ପ୍ଳଲୀବାଳା

ମହୁଲ ଗଛର ମହୁଲ

ତୋଳୁ ତୋଳୁ ବାଉଳା ।

ହୋଇ ଅଟକିଲେ ବିଶ୍ରାମ-

ରତ ସେବାୟତଙ୍କ

ନିକଟରେ କୌତୂହଳରେ

ଦୃଷ୍ଟି ଜୀଉମାନଙ୍କ ।

ଉପରେ ବିସ୍ମୟ ଦୃଷ୍ଟିରେ

ଆସୀନ ଶ୍ରୀ ମଣିମା

ମାନଂକୁ ଚାହିଁଣ ନୀରବେ

କଲେ କେତେ ବଂଦନା ।

କେତେ ନୀରବରେ ଦଣ୍ଡାୟ-

-ମାନ ହୋଇ ବିଚାରି

ଚକିତ ଦୃଷ୍ଟିରେ ଅଶେଷ

ପ୍ରୀତି ଚାହାଣୀ ଢ଼ାଳି ।

କରୁଥିଲେ ଅବଲୋକନ

ଶ୍ରୀ ମଣିମା ପାଖରେ

ସ୍ତବ୍ଧଭାବେ ମାରି ମୁଣ୍ଡିଆ

ହାତ ମାରି ବୁକୁରେ ।

ଏଥିପରେ ଜୀଉମାନଙ୍କ

ଅତି ପାଖକୁ ଯାଇ

ପରସ୍ପର ମଧ୍ୟେ ଆଳାପ

କରି ଶ୍ରୀ ମୁଖେ ଚାହିଁ ।

ଜଗନ୍ତା ଜଗନ୍ତା ଜଗନ୍ତା

ଆଜିଏ ଗାଁ ଜଂଗଲେ

କରିଛନ୍ତି ବିଜେ କପିରି

ଦେଖ ଅସମୟରେ ।

ହରି ଉଠି ପଡ଼ି ସହସ୍ର

ପଲ୍ଲୀବାଳାମାନଙ୍କ

ଆଡ଼କୁ ଝପଟି ସ୍ପରଶ

ଉଦ୍ୟମକୁ ତାହାଙ୍କ ।

ନିବାରଣ କରିବାକୁ ସେ

କରୁଥିଲା ଉଦ୍ୟମ

ରାଜଗୁରୁ ହସି କହିଲେ,

“ଥାଉ ମଣି” ତୁ ଶୁଣ ।

“ସେମାନେ ଆତ୍ମୀୟ ସଂଗରେ

କରୁଛନ୍ତି ଆଳାପ

ବହୁବରଷର ପୂର୍ବରୁ

ପରଂପରା ପ୍ରଳାପ ।

ଏହି ପଲ୍ଲୀବାସୀ ଦ୍ୱାରାହିଁ

ଆଗେ ଗିରି କଂଦରେ

ଶ୍ରୀ ମଣିଆ-ମାନେ ପୂଜିତ

ହେଉଥିଲେ ସାଦରେ ।

ମହିମ୍ନ ସେ ମହାବାହୁଙ୍କ

ସ୍ୱଇଚ୍ଛାରେ ଏଠାରେ

ସିଂହାସନ ଛାଡ଼ି ଚକଡ଼ା

ଛଡ଼ା ହେଲେ ଭାଗ୍ୟରେ ।

ଯେତେ ବିଳମ୍ବିତ ହେଲେ ବି

ଆତ୍ମୀୟ ସ୍ୱଜନଙ୍କ

ସାନିଧ୍ୟ ମଧୁର ସର୍ବଦା

ଅତି ଜାଣିଥା ତାଙ୍କ ।

ସେହି ଅନାବିଳ ନିଷ୍କାମ

ଆତ୍ମୀୟତା ମଧ୍ୟରେ

କଲ୍ଳୋଳିତ ଭକ୍ତି ମଧୁର

ପ୍ରେମଧାରା ସଂଚରେ ।

ଅଫୁରନ୍ତ ପ୍ରୀତି ମାର୍ମିକ

ସମର୍ପଣ ଭାବରେ

ବହୁଦିନପରେ ଏଠାରେ

ହରି ଦେଖ ଚଂଚଳେ ।

ଅବସ୍ତା ଚକ୍ରରେ ରଚନା

କରି ଇତିହାସକୁ

ଆସିଛଂତି ବନ ବିଳାସେ

ସ୍ୱ ଆଦିମ ପୀଠକୁ ।

ଏହାହିଁ କେବଳ ତାଂକରି

ଇଚ୍ଛା ଜାଣିଥା ହରି

ତକୀଖାଁର ଆକ୍ରମଣକୁ

ପ୍ରଭୁ ନିମିତ୍ତ କରି” ।

ବିସ୍ମୟ ବିହ୍ୱଳ ଚଂଚଳ

ବିସ୍ଫାରିତ ନୟନେ

ସେହି ପଲ୍ଳୀବାଳା ମାନଂକୁ

ହରି ଚାହେଁ ଯତନେ ।

ସେ ବନେ ପାଶୋରି କ୍ଳାନ୍ତିକୁ

ବିମୁଗ୍ଧ ନୟନରେ

ପଲ୍ଲୀବାଳାଙ୍କର ମଧୁର

ସମ୍ଭାଷଣ ମୁଗ୍ଧରେ ।

କରୁଥିଲେ ଉପଭୋଗ ସେ

ଭକ୍ତିଭାବେ ସମୁଦ୍ରେ

ଚାହିଁ ଚାହିଁ କେବେ କେବେ ସେ

ମା ଜନନୀ ସୁଭଦ୍ରେ ।

ସହସା ଯୁବତୀ ସୁନ୍ଦରୀ

ମହୁଲରୁ ମେଂଚାଏ

ଧରି ଶ୍ରୀଜୀଉଙ୍କ ଅଧର

ଛୁଇଁକରି ଖୁଆଏ ।

ଗୁଣୁଗୁଣୁ ସ୍ୱରେ ଗାଇଣ

ଉକ୍ତି ଗୀତ ମଧୁରେ

ପରେ ପରେ ସେହି ମହୁଲ

ପ୍ରସାଦକୁ ପାଟିରେ ।

ଦେଇ ଉଦ୍‌ବେଳିତ ଆନଂଦେ

ଶ୍ରୀଛାମୁଙ୍କ ସମ୍ମୁଖେ

ନିବେଦନ କଲେ ପ୍ରଣାମ

ଆହା ଭୂମିଷ୍ଠ ସୁଖେ ।

ଏହା ଯେଉଁପରି ଶାଶ୍ୱତ

ସହ ସେ ନଶ୍ୱରର

ଦିବ୍ୟସଂଭାଷଣ ଆରାଧ୍ୟ

ସହ ଆରାଧିକାର ।

ମହାମିଳନର ମଧୁର

ସ୍ମୃତି ସେ ଟିକାଲିରେ

ହୋଇଗଲା ଅତି ବିଚିତ୍ରେ

ସେବାୟତେ ଦେଖିଲେ ।

ଏ ମଧୁର ନିବେଦନର

ଆତ୍ମ ଦିବ୍ୟ ଦୃଶ୍ୟକୁ

କରୁଥିଲେ ଅବଲୋକନ

ରାଜଗୁରୁ ହିଁ ପାଖୁ ।

ପ୍ରେମାଶ୍ରୁର ଧାରା ସଂଚରି

ଯାଇଥିଲା ନୟନେ

ଭକ୍ତି ନିବେଦନ ପ୍ରୀତିର

ପଖାଳ ସଂଦର୍ଶନେ ।

ବାଷ୍ପାକୁଳ ଧିର କଂଠରେ

ରାଜଗୁରୁ କହିଲେ

ଏଠାକୁରେ ଦିନେ ତୁମରି

ପାଖେ ଏହି ରାଜ୍ୟରେ ।

ତୁମ ପ୍ରୀତି ଉପଚାରରେ

ପାଉଥିଲେ ସେ ପୂଜା

ଆରେ କନ୍ୟାଗଣ ସେକଥା

ଇତିହାସର ମଜା ।

ଆଜି ମହାପ୍ରଭୁ ନିଳାଦ୍ରି

ମଣ୍ଡପରୁ ତୁମକୁ

ଜଗାଇବା ପାଇଁ ସ୍ୱତ୍ସଂଭା -

-ଷଣ ବିଜେ ଏଠାକୁ ।

ପ୍ରତିଦିନ ତୁମେ ସରବେ

ମଣ୍ଡପକୁ ଆସିବ

ଦର୍ଶନ କରିବା ନୈବେଦ୍ୟ

ସମର୍ପଣ କରିବ ।

ଜାତିଧର୍ମ ନିର୍ବିଶେଷରେ

ସେ ହୃଦୟ ବିହାରୀ

ସମଗ୍ର ଜଗତ ପାଳନ

କର୍ତ୍ତା କଲୁଷ ହାରି ।

ସେ ତୁମ୍ଭମାନଙ୍କ ଆତ୍ମୀୟ

ଜଗନ୍ନାଥ ଜଗନ୍ତା

ଯେଉଁ ନାମେ ଡ଼ାକି ଦେଲେ ବି

ହଁ କରିବେ ସର୍ବଥା ।

ବନବାସୀ ପଲ୍ଲୀରମଣୀ

କରି ସମ୍ମତି ଦାନ

ଗ୍ରାମ ତୋଟା ମଧ୍ୟେ ଅଦୃଶ୍ୟ

ହେଲେ ଜଣକୁ ଜଣ ।

ପଦାର୍ପଣ କରି କୈଶୋର

ସକାଳର ଲୋହିତ

-ଖରା ଗଛ ପତ୍ର ଫାଙ୍କରେ

ତିଳ ସେ ତଣ୍ଡୁଳିତ ।

ପଡ଼ିଥିଲା ବିଂଛି ହୋଇଣ

ପ୍ରାକୃତିକ ବିଭାରେ

ସେବାୟତେ ସ୍ନାନ ସାରିବା

ପାଇଁ ପୋଖରୀ ଗଲେ ।

ଉପବନାଚିହ୍ନା ସୁରଭି

ପୁଷ୍ପ ଚୟନ କରି

ଶ୍ରୀଜୀଉମାନଂକ ନିମନ୍ତେ

ଆଣୁଥିଲା ଶ୍ରୀହରି ।

ପଥର ଚକଡ଼ା ନିକଟେ

ରଖୁଥିଲା ସୁମନେ

ଲାଗି ସେବା ପାଇଁ ପ୍ରଭୁଙ୍କ

ଶରୀରରେ ଯତନେ ।

କଟିତ ନଥିଲା ଆବେଗ

ସେତେବେଳ ପର୍ଯ୍ୟନ୍ତ

ରାଜଗୁରୁଙ୍କର, ସେ ବସି

ଥିଲେ କି ସମ୍ମୋହିତ ।

ଝଂକା ବରଗଛ ମୂଳରେ

ମନ୍ତ୍ରମୁଗ୍ଧ ପ୍ରାଣୀକି

ସମଥିଲେ ମନ୍ତ୍ର ବିମୁଗ୍ଧ

ଦେଖି ବେଣୁ ପାଣିକି,

ହରି ଭାଷେ ଆହେ ସାଆନ୍ତେ

ବେଳ ଯାଉଛି ଗଡ଼ି

କଅଁଳ ଗାଧୁଆ ହେଲାଣି

ବେଳ ଆସନ୍ତୁ ମାଡ଼ି ।

ଅବକାଶ ନୀତି ହୋଇନି

ଏ ପର୍ଯ୍ୟନ୍ତ ଦିଅଁକ

ସାରାରାତି ପଥ ଯାତ୍ରାରେ

ସେ ଆଖିରେ ପଲକ-

ପକାଇ ନାହାନ୍ତି ଠାକୁରେ

ଅବକାଶର ଘରେ

ମଧ୍ୟାହ୍ନ ଧୂପର ସମାପ୍ତି

ହେଲେ ଶୀଘ୍ର ଶରୀରେ ।

ନିଝୁମ ନିଦରେ କ୍ଲାନ୍ତିର

ଅପନୋଦନ ତାଂକ

ହୋଇବ ସେ କଥା ବିଚାର

କର ହୋଇ ନିଃଶଂକ ।

ଆପଣ ବିଷର୍ଣ୍ଣ କାହିଁକି

ଆଜି ନପଡ଼େ ଜଣା

ବିବର୍ଣ୍ଣ ଦିଶୁଛି ବଦନ

କରନ୍ତୁ ଜଣାମଣା ।”

ଏକ ମ୍ଳାନ ହସ ହସିଣ

ରାଜଗୁରୁ କହିଲେ,

“ଅଖଣ୍ଡ ପ୍ରୀତିର ପୃଥିବୀ

ଛାଡ଼ି କେଉଁ ଆଶାରେ ।

ମଣିମା ଐଶ୍ୱର୍ଯ୍ୟ ମୋହରେ

ଶ୍ରୀବତ୍ସ ଖଣ୍ଡଶାଳ

ଦେଉଳକୁ ବିଜେ ହୋଇଣ

ଆଜି କି ଯାଯାବର -

-ପରି ବାରମ୍ବାର ଚକଡ଼ା

ଛଡ଼ା ହେଉଣ ଛନ୍ତି

ଆଚମ୍ବିତ ତାହା ଲାଗୁଛି

ୟାର କି ପରିଣତି ।

ପ୍ରେମ ଉପଚାର ପ୍ରୀତିର

ସମ୍ଭାଷଣ ଅପେକ୍ଷା

ନୈମିଭିକ ଭବ୍ୟ ଭୋଗରେ

କିବା ସୁଖ ପରୀକ୍ଷା ?

ପାଇଲେ ମଣିମା? କିପାଁଇ

ଜଗତର ଭୂଷଣ

ମହାପ୍ରଭୁ ଆଜି ମୋଗଲ

ଗୋଳୁ ନିଜ ରକ୍ଷଣ ।

କରିବାକୁ ଯାଇ ଅରଣ୍ୟୁ

ମହାକାନ୍ତାର ଯାଏ

ଘୂରି ବୁଲୁଛନ୍ତି ଅନାଥ

ପରି ଜଗତ କହେ ।

ଏମିତି ଅବୋଧ୍ୟ ପ୍ରଭୁଙ୍କ

ଲୀଳା ଯୁଗଯୁଗର

ରହସ୍ୟ ଆବୃତି ସବୁଠି

ଜଣାପଡ଼େନି ଖେଳ” ।

ରାଜଗୁରୁ ଜୁଡ଼ା-ବଂଧିତ-

-କେଶ ମୁକୁଳା କରି

ଗଲେ ପୁଷ୍କରିଣୀ ଆଡ଼କୁ

ସ୍ନାନପାଇଁ ବାହାରି ।

ସ୍ନାନ ସମାପନ କରିଣ

କେତେ ମୁହୂର୍ତ୍ତ ପରେ

ଦିଅଁ ଅବକାଶ ତୁରନ୍ତ

କର ସେ କୁହାଟିଲେ ।

ଧୂପ ଅବାକାଶ ବଢ଼ିଲା

ଜାଂଗଳିକୋପଚାରେ

ମଣିମାଙ୍କୁ ଭୋଗ ନୈବେଦ୍ୟ

ହେଲା ସେ ଉପଚାରେ ।

ଘଂଟ ଧ୍ୱନି ମଧ୍ୟେ ସେବାରେ

ନିରାଜନା ବଡ଼ିଲା

ଗ୍ରାମାଂଚଳ ଅଧିବାସୀଙ୍କ

କୋ÷ତୂହଳ ତୁଟିଲା ।

ଚିତ୍କାର ଶୁଭିଲା ସହସା

ଜୟ ଜଗନ୍ତା ବୋଲି

ଉପବନେ ପ୍ରତିଧୂନିତ

ପତ୍ର ମର୍ମର ହୋଲି ।

ଟିକାଲିର ଏକ ଅସ୍ଥାୟୀ

ପର୍ଣ୍ଣକୁଟୀର ମଧ୍ୟେ

ରାଜଗୁରୁ କାଷ୍ଠାସନରେ

ବସି ଗଭୀର ସାଧ୍ୟେ ।

ଚିନ୍ତାରେ ନିମଗ୍ନ ହୋଇଣ

ଯାଇଥିଲେ ସମାଧି

ମଧ୍ୟାହ୍ନର ଧୂପ ସମାପ୍ତ

ହୋଇଥିଲା ଅବଧି ।

କେତେ ସେବାୟତ ପ୍ରସାଦ

କଲାପରେ ସେବନ

ଅଚିନ୍ତାରେ ବୃକ୍ଷମୂଳରେ

କରିଥିଲେ ଶୟନ ।

ଅରଣ୍ୟର ଗଛ ପତର

ମର୍ମରଣ ମଧ୍ୟରେ

ମହାକାଳ ଦୀର୍ଘନିଶ୍ୱାସ

ଛାଡ଼ୁଥିଲା ପ୍ରଖରେ ।

ଗଜପତିଙ୍କର ଚିଟାଉ

ରାଜଗୁରୁ ପାଶରେ

ରଖାଯାଇଥିଲା ଦର୍ଶନେ

ସୁରକ୍ଷିତ ଭାବରେ ।

ପ୍ରତ୍ୟାଗତ ହୋଇ ଚିନ୍ତାରୁ

ପଚାରିଲେ ବିରସେ

ବରୁଣେଇ କଟକରେ କି

ଗଜପତି ବିଜେ ସେ ।

ସମ୍ଭ୍ରମ କଂଠରେ ସଦେଇ

ଗଡ଼ ପାଇକ କହେ

ବର୍ତ୍ତମାନ ପରା ଅଛନ୍ତି

ନୟାଗଡ଼େ ବିରହେ ।

ଶ୍ରୀଜୀଉମାନଂକୁ ମୋଗଲ

ଗୋଳୁ ସୁରକ୍ଷା ପାଇଁ

ବାଣପୁର ଜୀଉ ପ୍ରେରଣ

ହେବା ସଂବାଦ ପାଇ ।

ନାଏବ ନଜିମ୍‌ ତକୀଖାଁ

ଆଉ ଥରେ ପ୍ରେରଣ

କରିଥିଲେ ପୁଣି କଟକେ

ବରୁଣେଇକୁ ସୈନ୍ୟ ।

ସାମର୍ଥ୍ୟାଭାବରୁ ତାଂକର

ଏଠି ପ୍ରତିରକ୍ଷାର

ନୟାଗଡ଼େ ଅବସ୍ଥିତ ସେ

ବର୍ତ୍ତମାନ ଖବର ।

ଖଣ୍ଡପଡ଼ା ବୋଲଗଡ଼କୁ

ଯିବେ ଲୁଚି ତାପରେ

ସାମନ୍ତ ରାଜାଙ୍କ ସାହାଯ୍ୟ

ମାଗିବାକୁ ଆଗରେ ।

ଏଥିମଧ୍ୟେ ଯୁବରାଜ ସେ

ଭାଗିରଥି କୁମାରେ

ନାଏବ ନଜୀମ ତକୀଖାଁ

ଡକାଇଣ ପ୍ରଖରେ ।

ବରୁଣେଇ କଟକରେ ସେ

ରାଜପଦ ଅର୍ପଣ

କରିଛଂତି, ତାଂକ ସୁରକ୍ଷା

ପାଇଁ ଦେଇଣ ଧ୍ୟାନ ।

ଭ୍ରୃକୁଂଚିତ କରି କହିଲେ

ରାଜଗୁରୁ ତାପରେ

ରାଣୀ ରେଜିୟାଙ୍କ ଖବର

କ’ଣ ଜାଣିଛୁ କିରେ ।

“ରାଣୀ ରେଜିୟାଙ୍କ ପାଇଁ ହିଁ

ବରୁଣେଇ କଟକେ

ଗଜପତିଙ୍କର ପ୍ରାଧାନ୍ୟ

ଅଛି ଜାଣନ୍ତି ଲୋକେ ।

ଗୋପନେ ବେଗମ ରେଜିୟା

ବାରବାଟୀ କଟକେ

ଥାଇ ମଧ୍ୟ ଗଜପତିଙ୍କ

ସବୁ ସଂବାଦ ପାଖେ ।

ରଖୁଛଂତି କରି ବ୍ୟବସ୍ଥା

ସୁରକ୍ଷାରେ ତାଂକର

ପଠାଉ ଅଛନ୍ତି ଖବର

ପେଷି ଗୁପତଚର ।

ଗଜପତିଙ୍କର ଚିଟାଉ

ଆଣିବାକୁ ବେଗମ

ରେଜିୟାହିଁ ଖାସ ପତର

ପରିଚୟ କଲ୍ୟାଣ ।

ସୁପାରିଶ ଦେଇ ଆମର

ଯାତ୍ରା ସୁଫଳ ପାଇଁ

ସମସ୍ତ ପ୍ରକାର ବ୍ୟବସ୍ଥା

କରିଛନ୍ତି ଲୁଚାଇ ।

ସଂଦେହୀ ତକୀଖାଁ ସର୍ବଦା

ରେଜିୟାଙ୍କ ଉପରେ

ଛଂଚାଣ ଦୃଷ୍ଟିକୁ ରଖିଛି

ଲୋକ ରଖି ଗୁପ୍ତରେ ।

ତା ମତେ ରେଜିୟା କୁଆଡେ

ଅନ୍ତରଂଗ ଶତ୍ରୃର

ବିବି ହେଲା, ସଚ୍ଚା ବହେନ

ହେଲା ନାହିଁ ଭାଇର ।

ଗମ୍ଭୀର ହୋଇଣ ବାରତା

ଶୁଣି ସେ ରାଜଗୁରୁ

ଭାବୁଥିଲେ ସବୁ ସମସ୍ୟା

କେଡେ ହେଲାଣି ଗୁରୁ ।

ଅପରାହ୍ନ କ୍ଳାନ୍ତ ବିଶ୍ରାମ

ଖରା ସଧିରେ ଧିରେ

ମହଳଣ ପଡି ଆସିଲା

ଟିକାଲିର ବାଟରେ ।

ଉପବନ ମଧ୍ୟୁ କେଉଁଠୁ

ଏକ କୁମ୍ଭାଟୁଆର

ଭାସି ଆସୁଥିଲା କୁହାଟ

ଘନ ଘନ ଭାଟର ।

ସ୍ତବଗାନ ପରି ସେଠାରେ

ଶୁଣୁଥିଲେ ସରବେ

ଶ୍ରୀ ଜୀଉମାନଙ୍କ ନିକଟେ

ଗଲେ ସର୍ବେ ନୀରବେ ।

ସେବେଳେ ସେ ମହାପାତରେ

ସଂଧ୍ୟା ନୀତି ନିମନ୍ତେ

ବ୍ୟବସ୍ଥା କରିବା ସକାଶେ

ବାହାରିଲେ ବନସ୍ତେ ।

ମନେପଡେ ରାଜଗୁରୁଙ୍କ

ଗଜପତି ମୋଗଲ-

-ବଂଦୀରୁ ମୁକ୍ତିର ବ୍ୟବସ୍ଥା

ବିବରଣୀ ସକଳ ।

ସେ ଦିନ ସେ ଭରା ସଭାରେ

ତକୀଖାଁ ଙ୍କ ସାନ୍ନିଧ୍ୟେ

ପଂଜରାବଦ୍ଧେକ ଶାବକ

ସମ ହୋଇଣ ବାଧ୍ୟେ ।

ଇସଲାମ ଧର୍ମ ଗ୍ରହଣ

ପରେ ହିଁ ଗଜପତି ।

ହାଫିଜ କାଦର ହୋଇଣ

ନିଜ ମୁଣ୍ଡକୁ ପୋତି ।

ଦରବାରୀ ସଭ୍ୟ ଭାବରେ

କଲେ ଉପବେଶନ

ଲାଲବାଗ ଦରବାରରେ

କରି ସ୍ୱ ସମର୍ପଣ ।

କଂଠଭାର ବଜ୍ରଧ୍ୱନିରେ

ରାଜ ପରିଷଦକୁ

ଚକିତ କରିଣ ଆଗେଇ

ଯାଇଥିଲେ ପାଦକୁ ।

ମୋଗଲ ପ୍ରହରୀ ଆଗୋଳି

ପଥ ଅନୁମତିର

ପରିଚୟ ପତ୍ର ତଲବ

କରିଥିଲା ପ୍ରବଳ ।

“ହିଂଦୁ ରାଜା ରାଜଗୁରୁଙ୍କ

ପରିଚୟ ପତର ।

କୌଣସି ନଥାଏ ପ୍ରହରୀ

ଜାଣିନୁ କି ଚଣ୍ଡାଳ

ରାଜଗୁରୁଙ୍କର ପୌରୁଷ

ପରିଚୟ ହିଁ ତାଙ୍କ ।

ରେ ମୂର୍ଖ କେବେହେଁ ଆଗୁଳି-

-ବୁନି ଗତିକୁ ତାଂକ” ।

ଛାଡି ଦେଲା ପଥ ପ୍ରହରୀ

ସମ୍ଭ୍ରମତାର ସହ

ରାଜଗୁରୁଙ୍କର ଭାଷଣ

ଶୁଣି କରିଣ ଭୟ ।

ତକୀଖାଁର ଦରବାରରେ

ଭରପୁର ବୈଠକେ

ଦଣ୍ଡାୟମାନ ସେ ହୋଇଣ

ଭଟ୍ଟି କାବ୍ୟର ଶ୍ଳୋକେ ।

-କାବ୍ୟର ଆରବୀ କେତୋଟି

ଅନୁବାଦର ପଦ

ଗମ୍ଭୀର କଂଠରେ ଆବୃତ୍ତି

କଲେ ଚକିତ ସ୍ତବ୍ଧ ।

ସଭାସଦବର୍ଗ ଆଶ୍ଚର୍ଯ୍ୟ

ପାଟି ନଫିଟେ କାର

ଚମକି ପଡିଲା ତକୀଖାଁ

କହିଥିଲା କେବଳ ।

ତସରିଫ୍‌ ରଖନ୍ତୁ ପଣ୍ଡିତ

ମହାଶୟ ଏଠାରେ

ଦେଇ ପରିଚୟ ମୌଖିକ

ଆପଣଙ୍କ ସଭାରେ ।

“କାବ୍ୟର କୌଳିନ୍ୟ ବଚନ

ଶୁଦ୍ଧି ପଉରୁଷର

ଶାଣିତ ବ୍ୟଂଜନା ଦେଖିଣ

ଜାଣିବାବି ଦର୍କାର ।

ହେଉଛନ୍ତି ଏହି କଥକ

ଖୋଦ ଗଜପତିଙ୍କ ।

ଚିରମାନ୍ୟ ଓଡିଶାର ସେ

ରାଜଗୁରୁ ନିଃଶଙ୍କ” ।

ହୋଇ ପଡି ସମ୍ଭ୍ରମତାରେ

ସେଠି ଦଣ୍ଡାୟମାନ

ତକୀଖାଁ କହିଲେ ସ୍ୱାଗତ

ଘେନ ଅଭିନନ୍ଦନ ।

କରିଣ ମେହେରବାନି ହେ

ତସରିଫ ରଖନ୍ତୁ

ଆହେ ମହୋଦୟ କି ସେବା

କରିବି ହେ ଭାଷନ୍ତୁ ।

“ ଏ ସଭାରେ ଉପଯୁକତ

ସ୍ଥାନ ମୋହର ନାହିଁ

ମୁଁ ଆସିଛି ଗଜପତିଙ୍କୁ

ସାଥିରେ ନେବା ପାଇଁ ।

ଓଡିଶାର ଗଜପତିଙ୍କ

କ୍ଷୀଣ ଅବର୍ତ୍ତମାନେ

ଶାସନ ଅଚଳ ହୋଇଣ

ପଡିଅଛି ସଂପୂର୍ଣ୍ଣେ ।

ଏଣୁ ଗଜପତି ସାଥିରେ

ଧରି ମୁଁ ନେଇଯିବି

ଏହି ମୁହୂର୍ତ୍ତରେ ଟିକିଏ

ବିଳମ୍ବ ନ କରିବି ।

ମନ୍ତର ଚାଳିତ ସମାନ

ରାଜଗୁରୁଙ୍କ ପଛେ

ଚାଲି ଆସିଥିଲେ ରାଜନ

ଟିକେ ନଚାହିଁ ପଛେ ।

ନାଏବ ନଜୀବ ତକୀଖାଁ

ସଭାସଦ ବୁରୁଂଦ

କେବଳ ଦଣ୍ଡାୟମାନରେ

ହୋଇଣ ସେ ଆନଂଦ ।

ରାଜଗୁରୁଙ୍କର ଗର୍ବିତ

ପୋ÷ରୁଷକୁ ଦେଖିଲେ

ଅଦୃଶ୍ୟ ହୋଇବା ଯାଏଁସେ

ଚାହିଁଣ ରହିଥିଲେ ।

ଗଜପତି ରାମଚନ୍ଦର

ଦେବ ରେଜିୟା ସହ

ଏଥିପରେ ବରୁଣେଇକୁ

ଆସିଥିଲେ ସସ୍ନେହ ।

ଚତୁର ତକୀଖାଁ ନଜର

ବଂଦୀ ରଖି ରାଜାଙ୍କୁ

ଅଘୋଷିତ ଭାବେ ଅବଶ୍ୟ

ଘେରି ବରୁଣେଇକୁ ।

ପରାସ୍ତ କରିଣ ଚତୁରେ

ଭାଗିରଥି କୁମାରେ

ରଥିପୁର ଗଡ଼ୁ ବିଦାୟ

ଦେଲେ କଉଶଳରେ ।

ଇତିହାସ ପୃଷ୍ଠା ଓଲଟି

ଗଲା ତା ପରେ ପରେ

ଆକାଶର ବହୁରୂପୀର

ଦୃଶ୍ୟ ସମାନ ମରେ ।

ପୁଣିଥରେ ରାଜା ହୋଇଲେ

ଭାଗିରଥି କୁମାର

ସେଇ ବରୁଣେଇ କଟକେ

ଗଜପତି ବାହାର ।

ପଳାତକ ଗାଦିଚ୍ୟୁତ ସେ

କପାଳର ମଂଦରେ

ଭାଗ୍ୟ ବିଡ଼ମ୍ବନା ୟାକୁହିଁ

କୁହାଯାଏ ସଂସାରେ ।

ଯବନୀର ପାଣିଗ୍ରହଣ

କରି ମଧ୍ୟ ରାଜନ

ହିନ୍ଦୁଧର୍ମ ପ୍ରାଣ ସର୍ବସ୍ୱ

ନରପତି ପ୍ରମାଣ ।

ଶ୍ରୀ ଜୀଉ ମଣିମା ସୁରକ୍ଷା

ଓଡ଼ିଶାର ଗୋ÷ରବ

ଭୂୟୋବିକାଶର ନିମନ୍ତେ

ରାମଚଂଦର ଦେବ

ଉତ୍ପୀଡ଼ିତ ତ୍ୟାଗ ଜୀବନ

ତାଂକ ସ୍ୱ ମହିମାର

ପ୍ରତିଲିପି ପରା ଅମ୍ଳାନ

ଘୋଷେ ଏହି ସଂସାର ।

ଏକ ଦୀର୍ଘଶ୍ୱାସ ନିକ୍ଷେପ

କରି ସେ ରାଜଗୁରୁ

ମୁହଁ ବୁଲାଇଲେ ଜୀଉଙ୍କ

ଆଡ଼େ ରହି ଅଦୂରୁ ।

ଆକାଶରେ ନୀଡ଼ ପ୍ରତ୍ୟାଶା

ପକ୍ଷୀମାନଂକ ଡ଼େଣା

ଗୋଧୂଳିର ଫଲ୍‌ଗୁ ଟିକାଲି -

ଉପବନର ବେଣା ।

ଗହଳ ପତର ଫାଙ୍କରେ

ସଂଧ୍ୟା ରୋଷଣି ସୁନା

ଶ୍ରୀ ଜୀଉମାନଙ୍କ ନିକଟେ

ନୀରାଜନା - ବଂଦନା ।

ଧରିଥିଲେ ବଡ଼ ପରୀକ୍ଷା

ସେହି ପରମାନଂଦ

ମହାପାତ୍ର, ଘଂଟ ଧ୍ୱନିକୁ

ହରି କରି ଆନଂଦ ।

ମତ୍ତ ଆବେଗରେ ଦଇତା

ସ୍ୱାଇଁ ଶ୍ରୀ ରଘୁୁନାଥ

ଉଚ୍ଚକଂଠେ ମାଗୁଥିଲେ ସେ

ରଖ ହେ ଜଗନ୍ନାଥ ।

ରାମଚନ୍ଦ୍ର ଦେବେ ଶଂଖରେ

ପୁରାଇଣ ଚକର-

-ଉହାଡ଼ କରିବା ଆଜ୍ଞାହେ

ହେଉ କର୍ଣ୍ଣାଟୋତ୍କଳ ।

-ରାଜ୍ୟର କଲ୍ୟାଣ ଜଗତ-

କଲ୍ୟାଣକୁ ହେ କର

ବିନତି ମିନତି କାକୁତି

ଏହିମାତ୍ର ଆମ୍ଭର ।

ନବକଳେବର ଆଗରେ

ଯୋଡ଼ା ଆଷାଢ଼ ଶୁଭ

ଅବସରେ ଜୀଉମାନଂକ

ଶାସ୍ତ୍ର ନିର୍ଣ୍ଣିତ ପର୍ବ ।

ଆବହମାନର କାଳରୁ

ଶାସ୍ତ୍ରୀୟ ପଦ୍ଧତିରେ

ନବକଳେବର ଉତ୍ସବ

ପାଳନୀୟ ବିଧିରେ ।

ଶ୍ରୀ ଜୀଉମାନଂକ କେବଳ

ବ୍ରହ୍ମ ସ୍ତାନାନ୍ତରିତ

ହୁଅନ୍ତି ଏଥର ପାଳନ

କରିବକେ ଏ କୃତ୍ୟ ।

ରାଜା ଭାଗିରଥି କୁମାର

ମନେନୀତ ଏଥିରେ

ତକୀଖାଁର ସଖି କଣ୍ଢେଇ

ଅର୍ବାଚୀନ କାଳରେ ।

ନବକଳେବର ନିମନ୍ତେ

ବରୁଣେଇ କଟକେ

କରିଛନ୍ତି କାର୍ଯ୍ୟ ଆରମ୍ଭ

ଦାରୁ ସମ୍ଭାଳିବ କେ ।

ଆଷାଢ଼ ଦ୍ୱିତୀୟା ତିଥିରେ

ନବନିର୍ମିତ ହୋଇ

ଶ୍ରୀ ବିଗ୍ରହମାନେ ରଥରେ

ବିଜେ ହେବେ ଗୋସାଇଁ ।

ରାଜନୀତି ପଶାପାଲିରେ

ପରଂପରା ଧର୍ମର

ଶାସ୍ତ୍ର ଚିରନ୍ତନ ରୀତିକୁ

ଜଳାଞ୍ଜଳି କେବଳ ।

ଦିଆ ଯାଉଅଛି ରାଜନ

ସ୍ୱର୍ଣ୍ଣ ସିଂହାସନର

କନକ କିରୀଟି ଦୁର୍ବାର

ମୋହ କୁ ଲାଳସାର ।

ବୋଲଗଡ଼ ରାଜମହଲେ

ଅତିଥି ଭବନରେ

ଇତସ୍ତତଃ ପଦଚାରଣ

କରୁକରୁ ଗଭୀରେ ।

ଦୀର୍ଘଶ୍ୱାସ କରି ନିକ୍ଷେପ

ଚିନ୍ତାକୁଳ ମାନସେ

ରାମଚନ୍ଦ୍ର ଦେବ ସମସ୍ୟା

ସମାଧାନ ଆବେଶେ ।

ପାଖରେ ନାହାନ୍ତି ସେ ମୁଖ୍ୟ

ଉପଦେଷ୍ଟା ତାଂକର

ପରମଲକ୍ଷ୍ମୀ ରାଜଗୁରୁ

ଶୁଭାକାଂକ୍ଷୀ କେବଳ ।

ନିର୍ଦ୍ଦିଷ୍ଟ ସଂବାଦ ମିଳିନି

ପ୍ରଭୁ ଚକଡ଼ାଛଡ଼ା

କଲା ପରଠାରୁ ସଠିକେ

ଧିକ ଜୀବନାଲୋଡ଼ା ।

ଏ ପର୍ଯ୍ୟନ୍ତ ଗଡ଼ ପାଇକ

ବରୁଣେଇ କଟକ

ଫେରି ନାହିଁ ଧରି ଚିଟାଉ

କାହିଁ ହେଲା ଅଟକ ।

ଆଷାଢ଼ ବରଷା ସମାନ

ଅତିକ୍ରାନ୍ତ ସମୟ

ପାଖେଇ ଆସୁଛି ଶ୍ରୀ ଶୁଭ

ଦିନ ଲାଗେ ଅଥୟ ।

ନବକଳେବର ଯେପରି

ଏହି ଇତିହାସର

ପ୍ରବାହ ଆହ୍ୱାନ କରିଣ

ଦେବ ସୁସମାଚାର ।

ରାମଚନ୍ଦ୍ର ଦେବ ଆସନୋ

- ପରେ ପଡ଼ିଲେ ବସି

ସେ ଅପରାହ୍ନର ଶତାୟୁ

ପରେ ଶୁଭ ମନାସି ।

ସଂଧ୍ୟା ଶୀତଳତା ସଧିରେ

ପ୍ରକାଶିତ ହେଉଛି

ଗୋଧୂଳି ପଂଲଗୁ ଧାରକି

ସବିତାକୁ ମୁରୁଛି ।

ଯେପରି ବିଦାୟୀ ବିଦାୟ

ସମ୍ବର୍ଦ୍ଧନା ଉଦ୍ଦେଶ୍ୟେ

ପଶ୍ଚିମ ଆକାଶେ ପ୍ରୀତିର

ହୋଲିଖେଳ ବିଶେଷେ ।

ସମ୍ଭାର ରଚନା କରିଛି

ଖେଦି ଚକରବାଳ

ଲାଲ ଲାଲ ଝୋଟି ଚିତାରେ

ସଜାଇଛି ଶରୀର ।

ଉଦୟାଚଳରୁ ତପନ

ଅସ୍ତାଚଳକୁ ଫେରି

ଗଲେ, ଗଜପତି ପାରିଲେ

ନାହିଁ ସ୍ୱସ୍ଥାନେ ଫେରି ।

ଏକ ଦୀର୍ଘଶ୍ୱାସ ନିକ୍ଷେପ

କରି ଦଣ୍ଡାୟମାନ

କଲେ ଥରେ ବ୍ୟସ୍ତ ଭାବରେ

ପୁଣି ପଦଚାରଣ ।

ସମସ୍ତ ଶକତି କୌଶଳ

ଦୃଢ଼ ପ୍ରୟୋଗ କରି

ହଟାଇ ଦେବାକୁ ପଡ଼ିବ

କୁମାରଙ୍କୁ ଘଉଡ଼ି ।

ସେ ହି ବରୁଣାଇ ଗଡ଼ରୁ

ଚିର ଦିନ ସକାଶେ

ବଡ଼କଥା ନୁହେ ସେ ରାଜ-

ସିଂହାସନ ବିଶେଷେ ।

ବଡ଼ କଥା ହେଲା ଓଡ଼ିଶା

ସାର୍ବଭୈମ ହୋଇବ

ଅଖଣ୍ଡତା ଶକ୍ତି ସର୍ବଦା

ରାଜ୍ୟରେ ବିରାଜିବ ।

ମଣିମା ମାନଂକ ସ୍ୱଚ୍ଛଂଦ

ସ୍ୱାଧିନତା ଧାର୍ମିକ

ଅବାଧ ରହିବ ସର୍ବଦା

ରଖି ଠାକୁର ଟେକ ।

କିନ୍ତୁ ଭାଗିରଥି କୁମାର

ରାଜାରୁପେ ସେଠାରେ

ଅବସ୍ଥାନ କଲେ ସେ ହେବେ

ଦୁର୍ଭାଗ୍ୟର ବଳରେ ।

ଦୁର୍ଦ୍ଦାନ୍ତ ତକୀଖାଁ ବିଶ୍ୱସ୍ତ

ବଶମ୍ବଦ ମୋଗଲ

ଶାସନ ଅଧିନ ଓଡ଼ିଶା

ହୋଇଯିବ କେବଳ ।

ଜଗନ୍ନାଥ ଭୂମି ହୋଇବ

ହୀନବଳ ନିଷ୍ପ୍ରଭ

ତକୀଖାଁ ପ୍ରଭାବ ଏଠାରେ

ସବୁବେଳେ ରହିବ ।

ଗଡ଼ ପାଇକକୁ ସହସା

ଦେଖି ଦ୍ୱାର ନିକଟେ

ଆଖିରେ ଆଶାର ବିଜୁଳି

ଜଳି ଉଠେ ବିଶ୍ୱସ୍ତେ ।

ଦ୍ୱାର ନିକଟକୁ ଆଗେଇ

ପଚାରିଲେ ଅଧିରେ ।

ସବୁ କୁଶଳତ ସଦେଇ ?

ଛାମୁ ନିରାପଦରେ -

ଅଛନ୍ତି ତ? ଆଉ ସଂବାଦ

ଅଛି ପାଖରେ କିଛି ।

କିପରି ଅଛନ୍ତି କୁମାର

କିଶାସନ ଚାଲିଛି ।

ସଦେଇ କହିଲା ମଣିମା -

ମାନେ ବରତମାନ

ଖଲିକୋଟ ସୀମା ଟିକାଲି

ଗ୍ରାମେ ସ୍ୱଅବସ୍ଥାନ ।

କରିଛନ୍ତି ଉପବନରେ,

ଆତ୍ମ ଗୋପନ କରି

ଝୁରୁଛନ୍ତି ପ୍ରଭୁ ସର୍ବଦା

ଯିବେ କିପରି ପୁରୀ ।

ହାତ ପାହାନ୍ତାକୁ ଆସିଛି

ଏକ ସୁବର୍ଣ୍ଣ ଯୋଗ

କୁମାରଙ୍କ ସହ ସମର

ପାଇଁ ପ୍ରକୃଷ୍ଟ ଯୋଗ ।

“ଏ ଯୁଦ୍ଧରେ ହେବା ବିଜୟୀ

ଆମେ ଏ ସମ୍ଭାବନା

କିପରି ଜାଣି ବି ସଦେଇ

ଏଇତ ବିଡ଼ମ୍ବନା” ।

ଏ ବୋଲଗଡ଼ର ପାଇକେ

ଏ ସମରେ ଅଶେଷ

ଲବେ ସହାୟତା କରିବେ

ଏହା ଅଟେ ଅବଶ୍ୟ ।

ତକୀଖାଁ ମୋଗଲ ନିକଟେ

ଆମ ବାହିନୀ ବଳ

ଦୁର୍ବଳ ସଦେଇ ଅପେକ୍ଷା -

କୃତ - ଏହା କେବଳ ।

ଅସ୍ତ୍ର ଶସ୍ତ୍ର ଧନ ଅଭାବ

ଯୋଗୁଁ ନୁହଇ ଖାଲି

ମନୋବଳ ମଧ୍ୟ ଦୁର୍ବଳ

ହୋଇଅଛି ଆମରି ।

ସଧିର କଂଠରେ ସଦେଇ

ଗଡ଼ ପାଇକ କହେ

ଛାମୁ ଏକ ଶୁଭ ସଂବାଦ

ଅଛି ଅଳ୍ପ ଟିକିଏ ।

ମୋଗଲ ସେନାନୀ ଏ ଯୁଦେ୍ଧ

ଯୁଦ୍ଧ କରିବେ ନାହିଁ

ଯୁଦ୍ଧକୁ ଆସିଲେ ସକ୍ରିୟ

ଅଂଶ ନେବେ ବି ନାହିଁ ।

ବେଗମ ରେଜିୟା ତାଂକର

ଅନୁଚର ହାତରେ

ସମ୍ବାଦ ଦେଇଣ ସେନାଙ୍କୁ

ସ୍ୱ କୌଶଳ ଚାଲରେ ।

ପ୍ରଭାବିତ କରି ଅଛନ୍ତି

ଯାହା ପଡ଼ୁଛି ଜଣା

ତେଣୁ ଛାମୁ କେବେ ମନକୁ

ନକରନ୍ତୁ ହେ ଉଣା ।

ମୋଗଲଙ୍କ ସେନା ସର୍ଦ୍ଦାର

ବରୁଣେଇ କଟକେ

ମକରମଖାଁକୁ ଗୋପନେ

ଭେଟି ଛାମୁ ଛଟକେ ।

ସଂବାଦ ସଂଗ୍ରହ କରିଛି

ଛାମୁ ପଚାରି ତାଂକୁ

ସାହେବଙ୍କ ଇଚ୍ଛାନୁଯାୟୀ

ସେନା ଚଳାଇବାକୁ ।

ରାଜି ହୋଇଛନ୍ତି ଏଥିରେ

ମକରମ ଖାଁ ଏବେ

ସେନା ବରୁଣେଇ କଟକେ

ରହି ପହରା ଦେବେ ।

ଅସୀମ ଭକତି ଶରଧା

ମଧ୍ୟ ସୈନ୍ୟମାନଂକ

ରେଜିୟାଙ୍କ ପ୍ରତି ଏଥିରେ

ଛାମୁଁ ଆମେ ନିଃଶଙ୍କ ।

ବାଦସାହୀଙ୍କର ରାଜ୍ୟକୁ

ସେ ମୋଗଲ ବାହିନୀ

ଧରମବିରୁଦ୍ଧାକ୍ରମଣ

ବୋଲି ଭାବନ୍ତି ମାନି ।

ଗଜପତିଙ୍କର ଉଦାସ

ଚିତ୍ତେ ଉଠିଲା ଫୁଟି

ନିବେଦିତ ଭରାକାହାଣୀ

ଆଖି କଳା ଦୁଇଟି ।

ଥର ଥର ଭରା ଅଧରେ

କେତେ ଅନୁକ୍ତ ଭାଷା

ନାସିକାରେ ଅଭିମାନର

ଅସୁମାରି ଜିଜ୍ଞାସା ।

କେତେ ଦୀର୍ଘଶ୍ୱାସ କଳନା

କରାଯାଇ ନପାରେ

ହିନ୍ଦୁରାଣୀ ସେଇ ବେଗମ

ରେଜିୟାଙ୍କ ହୃଦରେ ।

ଦୀର୍ଘଶ୍ୱାସ କଲେ ନିକ୍ଷେପ

ରାମଚନ୍ଦର ଦେବ

ତା ହେଲେ ପ୍ରକୃଷ୍ଟ ସମୟ

ବର୍ତ୍ତମାନ ସମ୍ଭବ ।

ପୁନଃ ଅଧିକାର କରିବା

ବରୁଣେଇ କଟକ

ବ୍ରହ୍ମଗର୍ଭିତ ଶ୍ରୀ ଜୀଉଙ୍କ

ଫେରିବାର ନାଟକ ।

ପୁଣି ଅଭିନୟ ହୋଇବ

ଏହି ଧରାଧାମରେ

ଦେଖିବେ ସରବ ଜନତା

ଅଧିକାର ଭିତ୍ତିରେ ।

ବଡ଼ ଦେଉଳରେ ଉଡ଼ିବ

ଗର୍ବ-ଉନ୍ନତ ବାନା

ନବକଳେବର ହୋଇବ

ପୁଣ୍ୟ ଏହି ଭାବନା ।

ଆଗୋ ପ୍ରିୟତମା ରେଜିୟା

ଧନ୍ୟ ତୁମ୍ଭ ଜୀବନ

ଭାବୁଥିଲେ ରାମଚନ୍ଦର

ଦେବ ଫେଡ଼ି ଗୁମାନ ।

ହିନ୍ଦୁ ରମଣୀର ଯବନ

ଧରଷିତା ସେ କନ୍ୟା

ହୋଇ ମଧ୍ୟ ସ୍ୱାଭିମାନକୁ

ସ୍ୱଧର୍ମରେ ପ୍ରେରଣା ।

ରଖିଛି ଅଟଳ ନିଷ୍ଠାରେ

ଫଳଶ୍ରୁତି ହିଁ ତାର

ତୁମେ ଜବାଧରୀ ଅନ୍ତରେ

ତୁଳା ଠାରୁ କୋମଳ ।

ତୁମ ଅଲିଖିତ ତ୍ୟାଗର

ଏଇ ଇତିହାସକୁ

ଆଗାମୀ ପିଢ଼ିର ବଂଶଜ

ପାଠ କରିବେ ତାକୁ ।

ପାଠ ନକଲେ ବି ତୁମର

କିଛି ଯାଏ ଆସେନା

ତୁମେ ଯୁଗେ ଯୁଗେ ଜାତିର

ବଂଦନୀୟା ଲଳନା ।

ମହନୀୟା ତୁମେ ମୋ ପ୍ରିୟା

ପାଟରାଣୀ ମୋହର

ମୁକୁଟ ବିହୀନା ଦେଖଗୋ

ଆଜି ଗାଏ ଉତ୍କଳ ।

ତୁମ୍ଭ ଐକାନ୍ତ୍ରିକ ନିଷ୍ଠାକୁ

ପ୍ରଭୁଲବେ ଜାଣିବେ

ଆଉ କିଏ ଜାଣୁ ନଜାଣୁ

ଚିନ୍ତା ନାହିଁଗୋ କେବେ ।

କଲ୍ୟାଣ ହେଉ ହେ ତୁମ୍ଭର

ଏଇ ମୋର କାମନା

ତୁମ ପ୍ରୀତିରସ ଚାଖି ମୁଁ

ଧନ୍ୟ ଶୁଭ କାମନା ।

ପ୍ରତୀକ୍ଷାରତ ସେ ପାଇକ

ସଦେଇକୁ ରାଜନ

ଯୁଦ୍ଧ ଅନିବାର୍ଯ୍ୟ କହିଲେ

ଲେଖି ରଖ ମୋ ପଣ ।

ଏହା ଶେଷ ଯୁଦ୍ଧ ଚଳିତ

ନବକଳେବର-ର

ପ୍ରସ୍ତୁତ ହୁଅରେ ଶୁଭର

ଉଦ୍‌ଯାପନା-ବସର ।

ମଧ୍ୟାହ୍ନ ପ୍ରଚଣ୍ଡ ସୂର୍ଯ୍ୟର

ଆଲୋକ ଅବସନ୍ନ

ହୋଇ ଯାଇଥିଲା ଝାଉଁଳି

ସେଇ ଟିକିଲି ଗ୍ରାମ ।

ଗଛପତ୍ର ମର୍ମରଣରେ

କେଉଁ ଏକ ଅଜ୍ଞାତ

ବିରହୀ ଦରଦୀ ସଂଗୀତ

କାରୁଣ୍ୟର ମୂର୍ଚ୍ଛିତ ।

ବିକଳ ମୂର୍ଚ୍ଛନା ତୋଳିଣ

ଥିଲା ଲଗାଇ ସ୍ୱର

ମାନବ ତନ୍ତ୍ରୀରେ ଭେଦିଣ

ପଶୁଥିଲା ଅନ୍ତର ।

ଗହନ ଡ଼ାଳର ଶାଖାରେ

ବସି ଏକ କପୋତ

କେଉଁଠି ଆକୁଳ କଂଠରେ

ଡ଼ାକୁଥିଲା ସତତ ।

ଆବାହନ କରୁଥିଲା ସେ

ପ୍ରିୟ ସାଥି ବାଂଛିତ

ପୀରତି ମୂହୂର୍ତ୍ତ ପାଇଁକି

ହୋଇ ସେ ଦୋଳାୟିତ ।

ତିଳ ତଣ୍ଡୁଳିତ ପଥରେ

ଗ୍ରାମେ ଏକ ଗଭୀର

ଯାଇଥିଲା ଘରେ ପ୍ରସରି

ନିର୍ଜନତା ମାତର ।

ସନ୍ନିକଟବର୍ତ୍ତୀ ଗ୍ରାମରୁ

ସମ୍ମିଳିତ କଂଠର

ପ୍ରମତ୍ତ ସଂଗୀତ ଭାସିଣ

ଆସୁଥିଲା ପ୍ରଖର ।

କଉଣସି ଏକ ଉତ୍ସବ

ପାରଂପରିକ ଯାହା

ସୂଚନା କରିଣ ବହନ

ପ୍ରଭୁ ତାହାଙ୍କ ସାହା ।

ହୋଇଥିଲା ନୀତି ସମାପ୍ତ

ଶ୍ରୀ ମଣିମା ମାନଂକ

ସରିଥିଲା ସେବା ପ୍ରସାଦ

ସେବାୟତ ସବୁଙ୍କ ।

ପର୍ଣ୍ଣକୁଟୀରରେ ଏକାକୀ

କରି ଉପବେଶନ

ରାଜଗୁରୁଥିଲେ ଚିନ୍ତାରେ

ଏକାନ୍ତରେ ନିମଗ୍ନ ।

ବେଳେ ବେଳେ ବୁକୁ ଥରାଇ

ଦୀର୍ଘଶ୍ୱାସ ଗଭୀର

ଛାଡ଼ୁଥିଲେ ବସି ସେଠାରେ

ଥରେ ପର୍ଣ୍ଣକୁଟୀର ।

ଲାଗେ ପତ୍ର ମର୍ମରଣରେ

ବେଦନାର କାରୁଣ୍ୟ

ତୋଳୁଥିଲା ଅନୁରଣିତ

କରି ଉଚ୍ଛନ୍ନ ମନ ।

ନବକଳେବର ଆସନ୍ନ

ଆଉ କେତେଟା ଦିନ

ନବ କଳେବରେ ହୋଇବେ

ସଂସ୍ଥାପିତ ସେ ବ୍ରହ୍ମ ।

ନବ ଯଉବନ ବେଶରେ

ଦରଶନ ଦେବାର

କଥା କିଂତୁ ସେଇ ଠାକୁରେ

ଟିକିଲିର କାନ୍ତାର ।

ମଧ୍ୟେ ନିର୍ବାସନ କଷଣ

ଭୋଗ କରୁ ଅଛନ୍ତି

କର୍ଣ୍ଣଧାର ରାଜ୍ୟ ପ୍ରମୁଖ

ଗଜପତି ବୁଲନ୍ତି ।

ଅନାଥ ବାଳକ ସମାନ

ସେ ପ୍ରଥମ ସେବକ

ରାଜ୍ୟୁ ରାଜ୍ୟାନ୍ତର ହୋଇଣ

ରାହା ଖୋଜନ୍ତି ଏକ ।

ଓଡ଼ିଶାର ଭାଗ୍ୟାକାଶରେ

ସେ ମୋଗଲ ଗୋଳର

ଧୂମକେତୁ ପୁଛ ତୋଳିଣ

ନାଚେ ଥରକୁ ଥର ।

ଅପଦେବତାର ଦାରୁଣ

କେଉଁ ଅଭିଶାପକୁ

ଅତି ନିଷ୍କରୁଣ ଭାବରେ

କରେ ବର୍ଷଣ ପାଖୁ ।

ଘରେ ଘରେ ଆଜି ନୈରାଶ୍ୟ

ଓଡିଶାର ସବୁଠି

ସର୍ବେ ଆଜି ଖୋଜି ବୁଲନ୍ତି

ଗଜପତି କେଉଁଠି?

ସେ କୋମଳମତି କିଶୋରେ

ରାଜା ଅବର୍ତ୍ତମାନ

ଅନିଶ୍ଚିତ ଭାଗ୍ୟେ ଖୋଜନ୍ତି

ବନଗିରି ବୁଲିଣ ।

ସଂଯୋଜିତ କରି ବୋଲନ୍ତି

ଗୀତ ବିଡମ୍ବନାରେ

ଫାଟୁଛି ହୃଦୟ ସବୁଙ୍କ

ଶୁଣି ସେ ଗୀତ ସ୍ୱରେ ।

 

ପିଲାଙ୍କ ଗୀତ

 

ଟପର ଟପର ପକାଇଲା ମେଘ ମାଇଲା ଗଜା କେଶର

ରହିଲେ ରାଜାଲୋ କେଉଁ ରାଇଜରେ ବଜା ବାଦ୍ୟ ତେଲିଙ୍ଗିର ।

ଏକ ବିଡମ୍ବିତ ଦାରୁଣ ଦୁଃସ୍ଥିତି ଏହି ଓଡିଶା ରାଜ୍ୟର

ସଂଗୀତ ଯେପରି ଇତିହାସପରି ଳାଂଛିତ ଲୋକ ମୁଖର ।

ସିଂହାସନେ ହୋଇ ଯବନ ପ୍ରେରିତ ରାମଚନ୍ଦ୍ର ଦେବଙ୍କର

ନବଗଜପତି ହୋଇଛନ୍ତି ଆଜି ସେ ଭାଗିରଥି କୁମାର ।

ଆୟୋଜନ କରୁଛନ୍ତି କରିବେ ସେ ପ୍ରଭୁ ନବକଳେବର

ତାହା ପୁଣି ବ୍ରହ୍ମ ବିହୀନ ନୂତନ ବିଗ୍ରହ ପ୍ରତିଷ୍ଠା ସାର ।

 

ଏହି ବିଡମ୍ବିତ ଦାରୁଣ

ଦୁଃସ୍ଥିତିରେ ରାଜ୍ୟର

ସଂଗୀତ ଯେପରି ଲାଂଛିତ

ଇତିହାସ ମୁଖର ।

ଆଣିଥିଲା ଯେଉଁ ଚିଟାଉ

ବରୁଣେଇ କଟକୁ

ସଦେଇ ସଂବାଦ, କୁମାର

ଭଗୀରଥି ବାବୁଙ୍କୁ ।

ଯବନ ପ୍ରେରିତ ଗ୍ରହଣ

ରାଜଦଣ୍ଡ ତାଂକର

ଗଜପତି ସିଂହାସନରେ

ଧରି ଦଣ୍ଡକୁ କର ।

ନବଗଜପତି ଭାବରେ

କରନ୍ତି ଅୟୋଜନ

ନବକଳେବର ତାହା ବି

ଅଟେ ବ୍ରହ୍ମ ବିହୀନ ।

ନୂତନ ବିଗ୍ରହ ପ୍ରତିଷ୍ଠା

ମାଧ୍ୟମରେ ହେଉଛି

ତକୀଖାଁର ସହଯୋଗରେ

ପୂର୍ଣ୍ଣ ଆଶିଷ ଅଛି ।

ଓଡିଶାର ସ୍ଥିତାବସ୍ଥାକୁ

ଚିନ୍ତାକରି ଉଦ୍‌ବିଗ୍ନ

ହେଉ ହେଉ ରାଜଗୁରୁ ସେ

ହେଲେ ଧ୍ୟାନ ମଗନ ।

ଉତ୍ସୁକୀ ନୟନେ ଚାହିଁଲେ

ଗ୍ରାମ ସୀମାକୁ ବସି

ବାର୍ତ୍ତାବହ କେହି ସ୍ୱତନ୍ତ୍ର

ଆସିପାରେ ଭରସି ।

ବିରହୀ ବିଦଗ୍ଧ କପୋତ-

ଟାର ବିଳାପ କେତେ-

-ବେଳଠାରୁ ବଂଦ ହେଲାଣି

ଧକାଉଛି ସଂକଟେ ।

ହୋଇ ଆସିଲେଣି ଶୀତଳ

ମଧ୍ୟାହ୍ନର ସବିତା

କେଉଁ ଦୁର ପଥୁ ଶୁଭୁଛି

ପକ୍ଷୀ-କାକଳି-ବ୍ୟଥା ।

ମିଶ୍ରରାଗ ଭରି ରହିଛି

କି ବିଚିତ୍ର ଭାବରେ

ସନ୍ନିକଟ- ବର୍ତ୍ତୀ ଗ୍ରାମର

ନୃତ୍ୟ ମଦମତ୍ତରେ ।

ସଂଗୀତ ଆସର ଧ୍ୱନିରେ

ସମୁତ୍ତାଳ ଆହୁରି

ଭାସିଭାସି ମୃଦୁ ପବନେ

ଆସୁଅଛି ପହଁରି ।

ସ୍ୱଗତୋକ୍ତି କରି କହିଲେ

ରାଜଗୁରୁ ସେଠାରେ

“କୃଚ୍ଛ ସାଧନାରେ ପ୍ରସ୍ତୁତି

ପର୍ବ ଛାଡ ଏଠାରେ ।

କେବଳ କ୍ଷମତା ଲୋଭରେ

ରାଜପଦ ମଣ୍ଡନ

ପାଇଁ ଭାଗିରଥି କୁମାର-

ଙ୍କର ସତୃଷ୍ଣ ମନ ।

ଶୁଭଙ୍କର ନୁହେଁ ଓଡିଶା

ପାଇଁ ହେ ମହାପ୍ରଭୁ

ଜାଣିଛତ ତୁମେ ଅନ୍ତର

ଭାବ ସେକଥା ସବୁ ।

ନିବେଦିତ କରି ନିଜକୁ

ନିଃସ୍ୱଭାବେ ଚରଣେ

ରାଷ୍ଟ୍ର ଦେବତାଙ୍କ, ସରଳେ

ଓଡିଶାର କଲ୍ୟାଣେ ।

ଉର୍ଜସ୍ୱଳ ଶୌର୍ଯ୍ୟ ଧଇର୍ଯ୍ୟ

ପରଂପରାକୁ ଚିର

ଉଜ୍ଜୀବିତ ସଂରକ୍ଷଣରେ,

ନିଷ୍ଠାପର ରଜାର ।

ଦରକାର କରେ ଓଡିଶା

ଏହି ଘଡି ସଂଧିରେ

ସେଥିପାଇଁ ଗଜପତିଙ୍କୁ

ପୁରାଇଣ ଶଂଖରେ ।

ଚକର ଉହାଡ କରନ୍ତୁ

ହେ ମଣିମା ମଣିମା

ଜୟ ହେଉ ରାମଚନ୍ଦର

ଦେବଙ୍କର ଶୁଣିମା ।

ରହିଗଲେ ସ୍ତବ୍ଧ ହୋଇଣ

ରାଜଗୁରୁ ସେଠାରେ

ଅଶ୍ୱଖୁରା ଶବ୍ଦ ନିକଟ

-ତର ଶୁଣି କାନରେ ।

ଉତ୍କର୍ଣ୍ଣ ହୋଇଣ ପରମ

ଲକ୍ଷ୍ମୀ ସେଇ ଆଡକୁ

ଚାହିଁଥିଲେ ଧାଇଁ ଆସିଣ

ଭାଷେ ସଦେଇ ପାଖୁ ।

“ଗଜପତିଙ୍କର ପ୍ରେରିତ

ରାଜଦୂତ କୌଣସି

ବିଶେଷ ସଂବାଦ ନେଇଣ

ଆସୁଛନ୍ତି - ଭରସି ।

ଘୋଡା ଟାପୁ ଶବ୍ଦ ଶୁଣିଣ

ସେବାୟତ ସକଳ

ଉତ୍‌କର୍ଣ୍ଣ ହୋଇଣ ଚାହିଁଲେ

ସେଇ ଆଡେ ଚଂଚଳ ।

ଆଶଙ୍କିତ ଚିତ୍ତ ତଳରେ

ମୁକ୍ତି ମଶାଲ ତେଜି

ଉଠୁଥିଲା ଦୀପ୍ତ ମୟୂଖ

ଯେଉଁପରି ବିରାଜି ।

ଧିରେଧିରେ ଅଶ୍ୱ ପୃଷ୍ଠରୁ

କରି ଅବତରଣ

ସେ ବିଷ୍ଣୁ ପାଇକ ସର୍ଦ୍ଦାର

ପାଦ ଛୁଇଁ ପ୍ରଣାମ ।

କଲେ, ରାଜଗୁରୁ ଜିଜ୍ଞାସା

ପୂରୁବରୁ ସଦେଇ

ଉଲମ୍ଫିତ କଂଠେ କହିଲା

ଶୁଭ ସଂବାଦ ପାଇ ।

“ପୁନଃ ଅଧିକୃତ ହୋଇଛି

ବରୁଣେଇ କଟକ

ପୁନର୍ବାର ସିଂହାସନରେ

ଗଜପତି ମାଲିକ ।”

ପଲକ ନୟନେ ପରମ

ଲକ୍ଷ୍ମୀ ଗଡ ପାଇକେ

ଚାହିଁ ବିହ୍ୱଳିତ କଂଠରେ

କହିଥିଲେ ଛଟକେ ।

“ତାହାହେଲେ ଗଲେ କୁଆଡେ

ଭାଗିରଥି କୁମାର

କୁହ ସବୁକଥା ଫିଟାଇ

ହେ ପାଇକ ସର୍ଦ୍ଦାର ।

“ମୋଗଲ ଫୌଜଙ୍କ ସହିତ

ବାରବାଟୀ କଟକେ

ପଳାୟନ କରିଅଛନ୍ତି

ଭାଗିରଥି ଛଟକେ ।

ପାଟ ମହାଦେଇ ଯୋଜନା

କରି ଭାଗିରଥିଙ୍କୁ

ଗଜପତିଙ୍କର ଆସନେ

ନେଲେ ବସାଇବାକୁ ।

ନବକଳେବରାନୁଷ୍ଠାନ

କରାଇବା ପାଇଁକି

ଆୟୋଜନ କରିଥିଲେ ସେ

ତାଂକ ଦ୍ୱାରା ପାଂଚିକି ।

ନବକଳେବର ମୂଳରେ

ଥିଲା ମଣିମାଙ୍କର

ଲୋକ ସମର୍ଥନ ବିପୁଳ

ପ୍ରତ୍ୟାଶାର ସମୂଳ ।

ଅଭିଷେକ ପ୍ରତି ସେ ଭାଗି-

ରଥି କୁମାରଙ୍କର

ଗଜପତି ସିଂହାସନରେ

ହୋଇଗଲା ବିଫଳ ।

ପାଟ ମହାଦେଇ ସମ୍ବାଦ

ଥିଲେ ପଠାଇ ଖରେ

ଆସନେ ଆସୀନ ହୋଇଲା

ପରେ ସିଂହାସନରେ ।

ପୁତ୍ର ଭାଗିରଥି କୁମାର

ରାଜମାତା ଭାବରେ

କରିବେ ସୁଆଗମନ ସେ

ଖୋରଧା କଟକରେ ।

ରାଜ ମହିଷୀର ପବିତ୍ର

କାଚ ସିଂଦୁର ଆଦି

ଆଗମନ ପରେ ଯବନୀ

କନ୍ୟା ରେଜିୟା ବାଦୀ ।

ହୋଇଛନ୍ତି ସମାଜରେ କି

ଅପବିତ୍ରୋପେକ୍ଷିତା

ପାଟ ମହାଦେଇ ନୁହନ୍ତି

ଏଣୁ ରାଣୀ ଲଳିତା ।

ହେବେ ମାନନୀୟା ଲଳିତା

ରାଜମାତା ମାତର

କିଂତୁ ମଣିମାଙ୍କ ଦୟାରୁ

ସବୁ ଆଶଙ୍କା ଦୂର ।

ହୋଇ ଯାଇଅଛି, ସେ ଗଜ-

ପତି ସିଂହାସନକୁ

ପୁନଃ ଅଧିକାର କରିବା

ପରେ କାଳକାଳକୁ ।

ଟିକାଲି ଛାମୁଙ୍କ ଦର୍ଶନ

ପାଇଁ ଶ୍ରୀ ଗଜପତି

ଆସୁଛନ୍ତି ଅତି ନିକଟେ

ନିଅ ଚିଟାଉ ଏଠି ।”

ଉଚ୍ଛୁଳି ଉଠିଲେ ଆନଂଦେ

ସେବାୟତେ ସକଳ

ଆନଂଦ ପ୍ରାଚୁର୍ଯ୍ୟେ ଡାକିଲେ

ରଖ ହେ ଆଦିମୂଳ ।

ଗଜପତି ରାମଚନ୍ଦର

“ଦେବଙ୍କ ଜୟ ହେଉ

ଜୟ ଜଗନ୍ନାଥ ପ୍ରଭୁଙ୍କ

ସଦା କୀରତି ରହୁ ।

ପାଠ କଲେ ବସି ଚିଟାଉ

ରାଜଗୁରୁ ଉଲ୍ଲାସେ

ସିଂହାସନଚ୍ୟୁତ କୁମାର

ପରେ ବହୁ ଆୟାସେ ।

ମୋଗଲ ସୈନ୍ୟଙ୍କ ସହିତ

ବାରବାଟି କଟକ

ପଳାୟନ କରି ଅଛନ୍ତି

ରଖି ମହତ ଟେକ ।

ଶ୍ରୀ ଜୀଉ ମଣିମା ରାଉତ-

ଙ୍କର ଅବଶେଷରେ

ହୋଇଲା ବିଜୟ ଉଡିଲା

ବାନା ଦେଉଳ ଚୁଳେ ।

ନବକଳେବର ନିମନ୍ତେ

ଭାଗିରଥି କୁମାର

ସେ ପାରଂପାରିକ ରୀତିରେ

ଯେଉଁ ଦାରୁ ସମ୍ଭାର ।

କରିଛନ୍ତି ଯାହା ଚୟନ

ତା ବିଧାନାନୁସାରେ

ନୂତନବିଗ୍ରହ ନିର୍ମାଣ

ହେବ ହିଁ ସେଇଥିରେ ।

ଭବ୍ୟ ଆଡମ୍ବରେ ଆସିବେ

ଟିକାଲିରୁ ବିଗ୍ରହେ

ନୀଳାଦ୍ରି ପହଂଚି ଅନବ-

ସର ପାଳିବେ ଗୃହେ ।

ଅବସ୍ଥାନ ଅବସରରେ

ବିଧି ପାଳିତ ହେବ

ନବକଳେବର ବିଧାନ

ତାଟି ମଧ୍ୟରେ ଲବ ।

ଚିଟାଉ ପ୍ରଥମୁ ପ୍ରେରଣ

କରିବାର କାରଣ

ଏହିକି ଯେ ବିଧି ବିଧାନ

କରିଥିବେ ଗ୍ରହଣ ।

ଉଲ୍ଲସିତ ହୋଇ ପଡିଲେ

ରାଜଗୁରୁ ସେଠାରେ

ଆସୁଅଛି ସ୍ନାନ ପୂର୍ଣ୍ଣିମା

ଆଉ ଦିନ ପନ୍ଦରେ ।

ସ୍ନାନ ମଣ୍ଡପରେ ସେବକ

ତାଙ୍କ ସ୍ନାନାଭିଷେକ

କିଂତୁ ଆଗମନ ହୋଇବ

କେବେ ଗଜପତିଙ୍କ?

“ପଶ୍ଛିମ କବାଟ ଭାଷିଲେ

ଆଉ ମଣିମାମାନେ

ଗୋପନୀୟ ଭାବେ ବାହୁଡା

ବିଜେ ନୋହିବେ ଜ୍ଞାନେ ।

ବନଯାତ୍ରା ଭାବ ବିଳାସ

ପରେ ଶ୍ରୀ ଛାମୁମାନେ

ପ୍ରସନ୍ନ ଚିତ୍ତରେ ସ୍ୱଚ୍ଛଂଦ

ଗତି କରିବେ ଦିନେ ।

ସ୍ୱତନ୍ତ୍ର ରଥରେ ହୋଇବେ

ବିଜେ ନୀଳାଦ୍ରି କ୍ଷେତ୍ରେ

ପବିତ୍ର ହୋଇବ ଜୀବନ

ଖେଦି ସେ ଅପବିତ୍ରେ ।

ଓଡିଶା ଆକାଶୁ ଆଶଙ୍କା

ମେଘ ଅପସରି କି

ଯାଇଛି ସୂର୍ଯ୍ୟର ଆଲୋକେ

ସୂର୍ଯ୍ୟ ସ୍ୱୟମ୍ବର କି ।

ସେହି ସୂର୍ଯ୍ୟାଲୋକ ମୁକତ

ଜନପଥେ ଉଲ୍ଲାସେ

ନୀଳାଦ୍ରି ବିଜୟ କରିବେ

ପ୍ରଭୁ ଧର୍ମ - ବିଳାସେ” ।

ଗାଇଲା ଭଜନ ସଦେଇ

ମନହରଷ ତାର

ଶୁଣୁଥିଲେ ହର୍ଷେ ଜନତା

ହୋଇ ଭାବ-ବିହ୍ୱଳ ।

 

Unknown

ଭଜନ

 

ବିଶ୍ୱ ବାଂଧବହେ

ତୁମ୍ଭଙ୍କୁ ଦୟା - ଜଳଧି

କିପରି ଡାକିବୁ କେଉଁ ପରକାରେ ଦିଅ ପ୍ରଭୁ ଟିକେ ବୁଦ୍ଧି (ଘୋଷା)

ସୁନାମିଆସୁଛି ତୋଫାନବହୁଛି ଏସଂସାରମଧ୍ୟେକେତେ

ତାର କଳପନା କେ କରିବ ଅବା ଥାଇ ସିଂଧୁ ସଇକତେ । ୧ ।

କେବେ ତାଲିବାନ ନେଇଯାଏ ପ୍ରାଣ ଧରମ ନାମକୁ ଧରି

ବଂଦୁକ ଧାରୀ ଏ ଗୁଳିକୁ ଫୁଟାନ୍ତି ମାରି ବହୁ ନର ନାରୀ ।୨ ।

ଲକ୍ଷ୍ମଣ ଆନଂଦ ରାମାନଂଦ କେତେ ଭକତ ଆନଂଦ ବଳି

ପଡୁଛଂତି ମତ୍ର୍ତ୍ୟେ ପ୍ରଭୁ ଡାକିଡାକି ଶୁଣକି ତାଂକ ଗୁହାରୀ ।୩ ।

ଲୁଚିଛଂତି କେତେ ପ୍ରାଣୀ ହତ୍ୟାକାରୀ ଧର୍ମ-ଧ୍ୱଜା ଧରିହାତେ

ଚକ୍ର ପେଷି ତାଂକୁ ନାଶକର ପ୍ରଭୁ କୀରତି ରଖି ଜଗତେ ।୪ ।

ତକୀଖାଁ ଗୁଡାକୁ କରହେ ବିନାଶ ଗଜପତି ଟେକରଖି

ଶଂଖରେ ପୁରାଇ ଚକର ଉହାଡ କର ଭକ୍ତେ ଚକାଆଖି ।୫ ।

 

ସୁସଜ୍ଜିତ ରଥ ଉପରେ

ମୁକ୍ତ ଶ୍ରୀ ଛାମୁମାନେ

ବିଜେ କରିଥିଲେ ବିଦେଶ

ବାହୁଡାର ଗୁମାନେ ।

ଗୃହ ଅଭିମୁଖୀ ଆତୁର

ପ୍ରତ୍ୟାଶୀ କି ପଥରେ

ଦେଖାଯାଉଥିଲା ଜୀଉଙ୍କ

ମୁଖ ଦେଖିଲା ବେଳେ ।

ଟିକାଲିରୁ ରଥାରୋହଣ

କଲାବେଳେ ସେଠାରେ

ହରିବୋଲ ହୁଳହୁଳିରେ

ପୁରିଥିଲା ପ୍ରବଳେ ।

ହୋଇଥିଲା ପ୍ରତିଧ୍ୱନିତ

ଟିକାଲିର ଅରଣ୍ୟ

ମଧୁତିକ୍ତ ଅବସାଦରେ

ପୂର୍ଣ୍ଣ ହୋଇଛି ଗ୍ରାମ ।

ବିହ୍ୱଳିତ ଗ୍ରାମ ବାସିଏ

ପାଦେ ପାଦ ମିଳାଇ

ବିପୁଳ ବାଇଦ ଧ୍ୱନିରେ

ରଥ ସମ୍ମୁଖେ ରହି ।

କରିଥିଲେ ନୃତ୍ୟ ପ୍ରାରମ୍ଭ

ପରଂପରା ରୀତିରେ

ବନବାସୀ ମାନେ ଧୋଇଲେ

ପଥ ନୟନ ଜଳେ ।

ପଚାରିଥିଲେ ସେ ଆସିଣ

ପାଶେ ରାଜଗୁରୁଙ୍କୁ

କୁଆଡେ ନେଇଣ ଯାଉଛ

ପ୍ରଭୁ ଜଗନ୍ନାଥଙ୍କୁ ।

ଫେରିବକି ନାହିଁ ଏଠାକୁ

ଆଉ ଜଗ ଜଗନ୍ତା

ଇଚ୍ଛାମୟ ଇଚ୍ଛା କଲେ ସେ

ଫେରିପାରେ ଅନନ୍ତା ।

ଯାଉଛଂତି ତାଂକ ମଂଦିରେ

ଦେଲେ ଉତ୍ତର ଗୁରୁ

ତାଂକ ଇଚ୍ଛା ଯାହା କରିବେ

ପରା ସେ ମହାମେରୁ ।

ବନବାସୀମାନେ ଆଖିରୁ

ନିଗାଡିଲେ ସଲିଳ

ଚାହିଁଥିଲେ ରଥମାନଙ୍କୁ

ଗତିଶୀଳ କେବଳ ।

ବିସ୍ମୟ ଚକିତ ଦୃଷ୍ଟିରେ

ରାମଚନ୍ଦର ଦେବ

ପ୍ରଭୁ ପ୍ରୀତି ସଂଦର୍ଶନ କୁ

ପାଇ ବିସ୍ମିତ ଭାବ ।

ଜୟଘୋଷ ରଥ ଚାଲିଲା

ଗଡି ଗଡି ଆଗକୁ

ଗ୍ରାମୁ ଗ୍ରାମାନ୍ତର ହୋଇଣ

ଚାହିଁ ନାହିଁ ପଛକୁ ।

ବିଜୟ ବାହୁଡା ରଥର

ଘରଘର ଧ୍ୱନିରେ

ଅଭୟର ମନ୍ଦ୍ରବାଣୀକୁ

କରି ପ୍ରଚାର ଖରେ ।

ପ୍ରପତ୍ତିର ବେଦ ଗାନ ହିଁ

ହେଉଥିଲା ଉଦ୍‌ଘୋଷ

ଜଗତନାଥଙ୍କ ସଡକେ

ଖଲିକୋଟେ ଅବଶ୍ୟ ।

ରଥର ସମ୍ମୁଖେ ରାଜନ

ରାମଚନ୍ଦର ଦେବ

ଅସୁମାରି ଉଦ୍ଦିପନାରେ

ଥିଳେ ଭାବ ଗରଭ ।

ଜାଗୃତି ଦୁର୍ବାର ପ୍ରଖର

ସିଂହନାଦ ପ୍ରବଳ

ଥିଲା ମନ ମଧ୍ୟେ ତାଂକର

ଭାବୁଥିଲେ କେବଳ ।

କିଂତୁ କେଉଁ ସୂକ୍ଷ୍ମ ଚେତନା

ଅଭାବିତ ନିଃସୃତ

ଥିଲା ସଂକୋଚରେ ମାନସେ

ହତପ୍ରଭ ଚକିତ ।

ଦୃପ୍ତ ପଦପାତି ପରମ

ଲକ୍ଷ୍ମୀ ସେ ରାଜଗୁରୁ

ମାଡି ଯାଉଥାନ୍ତି ଗର୍ବିତ

ମସ୍ତକରେ ଅଦୂରୁ ।

ଦଇତା ସେ ବଡ ପରୀକ୍ଷା

ସାନ ରଥ ଉପରେ

ମୁଖରିତ କରୁ ଅଛନ୍ତି

ଜଗନ୍ନାଥ ଧ୍ୱନିରେ ।

ଉଦାତ୍ତ କଂଠରେ ଉନ୍ମାଦ

ନାନ୍ଦୀଜନ ସମାନ

ମନ୍ତ୍ର ଅଭିଷିକ୍ତ ସଂପୂର୍ଣ୍ଣ

ପୁରିଅଛି ଗଗନ ।

ଗ୍ରାମାଞ୍ଚଳୁ ଉକ୍ତ ଜନଙ୍କ

ସ୍ରୋତ ଛୁଟୁଛି ପଥେ

ଜଗତନାଥଙ୍କ ସଡ଼କେ

ମାଡି ଗ୍ରାମୁ ଗ୍ରାମାନ୍ତେ ।

ବାରତା ରଟିଛି ମୋଗଲ

ବଳକୁ ପରାହତ

କରି ଗଜପତି ଦିଅଁଙ୍କୁ

କରି ପାତାଳି ମୁକ୍ତ ।

ଘେନି ଯାଉଛନ୍ତି ଶ୍ରୀ କ୍ଷେତ୍ର

ସିଂହାସନ ଉପରେ

ପୁଣି ବସାଇବେ ଗୌରବେ

ପୂଜି ଚରଣ ତଳେ ।

ଚକା ନୟନଙ୍କ ଅପୂର୍ବ

ଲୀଳା ଖେଳା ମରତେ

ସେହି ପରି ଭକ୍ତ ପରମ

କାରୁଣିକ ପରତେ ।

ପାତାଳି ବିଜୟ ଆଳରେ

ଆସିଥିଲେ କୁଟୀର-

-ବାସୀ ଠାରୁ ଶିରୀ ମୁକୁଟ-

ଧାରୀ ଭକ୍ତ ସକଳ ।

ଅଯାତିତ କୃପା ପ୍ରଦାନ

ଦରଶନ ପର୍ଯ୍ୟନ୍ତ

ପୁଣି ଅସହାୟ ସେମାନେ

ଅକ୍ଷମ ଓ ପତିତ ।

ଅଟକାଇ ରଥ ସେମାନେ

ଥାକେ ଥାକେ ମଣିମା

ଦର୍ଶନ କରିଣ ପ୍ରଭୁଙ୍କ

ଲୁହ ଝରାଇ ଜମା ।

ଭକ୍ତିର ଉଚ୍ଛନ୍ନ ଧାରାକୁ

କରି ପରବାହିତ

ଲଭୁଛନ୍ତି ପ୍ରୀତି ସଂତୋଷ

ଯାହା ଅଲଭ୍ୟ ପ୍ରାପ୍ତ ।

ଉନ୍ମାଦନା କାହୁଁ ଆସିଲା

ଏହା କେଉଁଠି ଥିଲା?

ଏହା ଜାଗୃତିକ ଝଲକ

କିବା ଜଣା ପଡିଲା?

ପ୍ରବଳ ବିଶାଳ ପ୍ରବାହ

ଜନସ୍ରୋତ ଆଗରେ

ସହସ୍ର ତକୀଖାଁ ବରତ

ମାନ ଧୂଳି ଅଣୁରେ ।

ହୋଇ ପରିଣତ ବିଦୀର୍ଣ୍ଣ

ହେବେ ପିମ୍ପୁଡି ପରି

ଏ ଜନ ସ୍ରୋତର ସମ୍ମୁଖେ

ଯାଏ ପ୍ରବଳେ ମାଡି ।

ଅଥଚ ଓଡିଆ ଜାତିର

ଉଦାମତା କେଉଁଠି?

ଶୋଇଥିଲା ଏବେ ପଦାକୁ

ବାହାରିଲା ଏଇଠି ।

ଘୁମନ୍ତ ନିଦ୍ରାକୁ ନେଇକି

ଏକ ଅଜଗରର

ନିଦ୍ରାଯାଉଥିଲା ଅଳସେ

ଭାଂଗି ନିଦ୍ରାକି ତାର?

ଜନତା ଓ ଜନାର୍ଦ୍ଦନର

କୋଳାକୋଳି ଉତ୍ସବ

ଚକିତ ଚକ୍ଷୁରେ ପରଖୁ

ଥିଲେ ରାଜା ସରବ ।

ଜାତୀୟ ଜୀବନ ସାଗର

ବିକ୍ଷୋଭିତ ହୋଇଛି

ସେହି ହିଲ୍ଲୋଳରେ ତଲ୍ଲୀନ

ହେବା ପାଇଁ ଧାଇଁଛି ।

ଅସୁମାରି ବିଂଦୁ ଜୀବନ

ଆବେଗରେ ଅଧିର

ଶ୍ରୀବଣୀ ପ୍ରବହମାନକି

ଜଳଧାରା ପ୍ରବଳ ।

ରଥ ଚାଲିଥିଲା ଆଗକୁ

ନିର୍ବିକାର ନିଦ୍ୱର୍ନ୍ଦେ

ଜନ ଶୃଙ୍ଖଳିତ କରିବା

ପାଇଁ ସଦେଇ ପଦେ ।

ବୋଲି ଦେଉଥିଲା ଲୋହିତ

ପତାକାରେ ଚିତ୍କାର

କରି ଦଣ୍ଡ ଧରି ଛଟକେ

ରଥ ସମ୍ମୁଖେ ତାର ।

“ସାବଧାନ ହୁସିଆର ହୋ

ତଫାତ କି ତଫାତ

ମୁଗ୍ଧ ନୟନରେ ରାଜନ

ଦେଖୁଥିଲେ ଜଗତ ।

ସଂସାରର ମୋହ ବରଜି

ଆସକତିର କ୍ଷୀଣ-

-ତନ୍ତକୁ ବିଚ୍ଛିନ୍ନ କରିଣ

ସ୍ମରି ଜଗମୋହନ ।

ସଦେଇ ଯେପରି ଅଥଚ

ଜୀବନ୍ମୁକ୍ତ ଜୀବନ

ହୋଇ ପଡୁଥିଲା ଅହଲ୍ୟା

ଅଭିଶପ୍ତା ପାଷାଣ ।

ଅଂଧାର କାନ୍ତାରେ କେଉଁଠି

ବାଣପୁର ରାଇଜେ

ଜାଣି ନାହାଁନ୍ତି କେ ତାହାକୁ

ଆଜିଯାଏ ସହଜେ ।

ଶ୍ରୀ ଜଗନ୍ନାଥଙ୍କ ସୁଦୀବ୍ୟ

ସ୍ପର୍ଶେ ପାଷାଣୀ କନ୍ୟା-

-ଅହଲ୍ୟା ପାଇଛି ଜୀବନ

ହୋଇ ଜଗତେ ଧନ୍ୟା ।

ଜଗନ୍ନାଥଙ୍କର ଆତ୍ମୀୟ

ବଶମ୍ବଦ ହୋଇଛି

ଅନ୍ତରଂଗ ପରିଜନ କି

ସଦେଇ ପାଲଟିଛି ।

ସହସା ଚିତ୍କାର ଉଠିଲା

ହରିହରି ସେ କାଳେ

ସାବଧାନ ସାବଧାନ ହୋ

ରଥ ଅଟକେ ଖରେ ।

ହରି ସାବଧାନୀ ବାଣୀରେ

ରଥ ଟଣା ରହିଲା

ଉତ୍କଣ୍ଠିତ ସର୍ବ ଜନତା

ମଧ୍ୟ ଠିଆ ହୋଇଲା ।

ଜୀର୍ଣ୍ଣ ଅବୟବ କ୍ରୋଟର

ଗତ ନୟନ, ଶୀର୍ଣ୍ଣ

ବସ୍ତ୍ର ପରିହତା ରମଣୀ

ବୃଦ୍ଧା ଆସେ ବହନ ।

ରଥ ଦଉଡିକୁ ଲଙ୍ଘିଣ

ଆସୁଥିଲା ସେ ମାଡି

ପଛେ ପଛେ ପରିଜନ ତା

ଆସୁଥିଲେ ଦଉଡି ।

ରଥ ସମ୍ମୁଖକୁ ସହସା

ଆସିବାକୁ ସାହାସ

କରୁ ତ ନଥିଲେ ସେମାନେ,

ନୟନର ନିର୍ମେଷ ।

ଏହି ସମୟରେ ହରିର

ସାବଧାନ ଡାକରା

ରୋକିଦେଲା ରଥ ଗତିକୁ

ଧାଏଁ ବୃଦ୍ଧା ଆଢ଼ୁରା ।

ଅଧିରାବେଗରେ ଧାଇଁଣ

ରଥ ଚକ୍ରରେ ମଥା

ଲଗାଇ ପ୍ରଣାମ ଜଣାଣ

କରୁ କରୁ କି କଥା ।

କହୁଥିଲା “ ବଳିଆର ହେ

ଭୁଜ ଶ୍ରୀ ଦୀନବଂଧୁ

ପୂର୍ଣ୍ଣ ହେଲା ମୋର କାମନା

ଆହେ ଜଗତ ବଂଧୁ ।

ଏକୋଇର ବିଶିକେଶନ

ବଳାକୁ ମୋର ଟିକେ

ରଖିଥିବ ଚକ୍ର ଉହାଡେ

ଧିରେ ପୁରାଇ ଶଂଖେ” ।

ରଥ ସମ୍ମୁଖରେ ଭୂମିଷ୍ଠ

ହୋଇ ପଡିଲା ଶୋଇ

ଦୁର୍ବାଦଳ ପରି ସେଠାରେ

ବୃଦ୍ଧା ଧରଣୀ ଛୁଇଁ ।

ରାମଚନ୍ଦ୍ରଦେବ ଚକିତ

ନୟନରେ ଚାହିଁଲେ

ନିବେଦିତା ଅବଲୁଣ୍ଠିତା

ପଦାଶ୍ରିତା ମୁଖରେ ।

ସ୍ତବଧ ଜନତା ଚାହିଁଲା

ଅନିମେଷ ନୟନେ

ଏହି ବିଗଳିତ ପରାଣ

ଜୀର୍ଣ୍ଣାବୟବ ଧ୍ୟାନେ ।

ଏହା ଯେଉଁପରି କାମନା

ସହ କାମ୍ୟ ମିଳନ

ଅଭୀପ୍ସା ସହିତ ଅଭୀଷ୍ଟ

ଯୁକ୍ତ ମହାମିଳନ ।

ବୃଦ୍ଧା ନିବେଦନ ଯେପରି

ଯୁଗାନ୍ତର ଅନନ୍ତ

ସେହି ପ୍ରପତ୍ତିରୁ ଉଠିବା

ଇଚ୍ଛା ନଥିଲା କିତ?

ରଥ ଚଲାପଥ କରିବା

ନିରଙ୍କୁଶ ଇଚ୍ଛାରେ

ତଳୁ ଉଠାଇଣ ବୃଦ୍ଧାକୁ

ହରି ଧରିଲା ଧିରେ

ଧରୁ ଧରୁ ହରି ଚିତ୍କାର

କରି ଉଠିଲା “ବୋଉ”

କିପରି ଆସିଲୁ ଏଠାକୁ

କିଏ ନ ଜାଣେ ଆଉ ।

ରାଜା ଗଜପତି ହୋଇଲେ

ସ୍ତମ୍ଭୀଭୂତ ସେଠାରେ

ସେବାୟତ ବୃଂଦ ମାନସେ

ସ୍ତବ୍ଧ ହୋଇଣ ଗଲେ ।

ସ୍ୱୟଂ ଚକାଆଖି ବିମୁଗ୍ଧ

ନୟନରେ ଚାହିଁଣ

ମିଳନର ମହାଦୃଶ୍ୟକୁ

କରୁଥିଲେ ମଣ୍ଡନ ।

ହରି ବୃଦ୍ଧାମାତା ସହିତ

ମିଳନ ସୁ-ମଧୁର

ଇଚ୍ଛାକୃତ ଭବ୍ୟ ଉତ୍ସବ

ବିରଚିଲେ ଠାକୁର ।

ଅଶ୍ରୃଳ ଆଖିରେ ଚାହିଁଲା

ବୃଦ୍ଧା ହରିକୁ ସେଠି

ଢ଼ଳିପଡି ବକ୍ଷ ଉପରେ

ଲଭେ ପରମ ତୃପ୍ତି ।

ମଥାରଖି ମମତାର ସେ

ଅଶ୍ରୃଧାର ଅଜାଡି

ଦେଲା ଅବାରିତ ଭାବରେ

କେଶ ହାତେ ସଜାଡି ।

ଧିରେ ଧିରେ ହରି କହିଲା

“ବୋଉ ଦେଖ ଏଇ ଯେ

ସ୍ୱୟଂ ଗଜପତି ଆମର

ଏଠି ପରା ସେ ବିଜେ ।

ଏଇଠି ମଧ୍ୟ ଲୋ ଅଛନ୍ତି

ମାନ୍ୟ ଶ୍ରୀ ରାଜଗୁରୁ

ଶ୍ରୀ ଜୀଉ ମଣିମା ସେବକେ

ସେବା ସାରି ଅଦୂରୁ ।

ଶ୍ରୀ ଜୀଉଙ୍କ ଦୁଃଖ ବେଳରେ

ତାଂକୁ ଛାଡି କିପରି

ଯାଇଥାନ୍ତି ତୋର ପାଖକୁ

ହେଲୁ ତୁ ଏତେ ସରି ।

ମୋର ଅପରାଧ ମାର୍ଜନା

କରିବୁ ଲୋ ମନରେ

କଲ୍ୟାଣ କରିବୁ ବୋଉଲୋ

ଦିନ ଯାଉ ସେବାରେ ।

ପଳିତ ମଥାରେ ହାତକୁ

ଥର ଥର ବୁଲାଇ

ବୃଦ୍ଧା ଉଦ୍ଧ୍ୱର୍ଗତି ହୋଇଲା

ଥରେ ପ୍ରଭୁଙ୍କୁ ଚାହିଁ ।

ତା ପୁଅର ବକ୍ଷ ଉପରେ

ଚାହିଁ ଛାମୁଙ୍କୁ ଥରେ

ପଡିଯାଉଥିଲା ଆଖିତା

ରାଜଗୁରୁ ମୁଖରେ ।

ଛଳ ଛଳ ଆଖି ହୋଇଲା

ଉପସ୍ଥିତ ସବୁଙ୍କ

ହରି ମାଆ ତୁଣ୍ଡେ ତୁଳସୀ

ଦେଲା ସଜାଡି ବେକ ।

ସଂସାର ନିବିଡ ମୋହର

ଫାଶ ଆତ୍ମା ନିର୍ମୋହ

ଉଦ୍ଧ୍ୱର୍ଗତି ହୋଇ ସହସା

ଆତ୍ମସାତ ସମ୍ମୋହ ।

ରଥ ଉପବିଷ୍ଟ ଶ୍ରୀ ଜୀଉ

ଅଂଗେ ପଶିଲା ଯାଇ

ବୋଉ ବୋଉ ଡାକି ଗଡିଲା

ହରି ଭୂମିରେ ଶୋଇ ।

ଚିଲିକାର ବକ୍ଷ ଉପରୁ

ପକ୍ଷଝାଡି ଉଦ୍ଧ୍ୱର୍କୁ

ଉଡିଯାଉଥିଲେ କେତେକ

ପକ୍ଷୀ ଚାହିଁ ଉର୍ଦ୍ଧ୍ୱକୁ ।

ଦଳବଦ୍ଧ ହୋଇ କେତେକ

ବିହଂଗମ ମରାଳ

ଉଡିଯାଉଥିଲେ ମରାଳୀ

ସଂଗେ ଧରି ମୃଣାଳ ।

ବିସ୍ତାରିତ ନଭ ବକ୍ଷରେ

ନୀଳ ଉପତ୍ୟକାରେ

ଭସା ବାଦଲର କେତେକ

ଭେଳା ବରଷୁଥିଲେ ।

ନିର୍ବାଣର ଶୁଭାର୍ଶୀବାଦ

ଧାରା ପଡେ କି ତଳେ

ଲାଗୁଥିଲା ସ୍ନାନ ପୂର୍ଣ୍ଣିମା

ଆଉ ଦିନକ ପରେ ।

ଚାଲିଥିଲା ରଥ ଭ୍ରମତ୍ତ

ଆବେଗରେ ଆଗରେ

ଶ୍ରୀ ମଂଦିର ଅଭିମୁଖରେ

ନରହିଣ ବାଟରେ ।

ପଥାଂଚଳ ଅଧିବାସୀ ଏ

ଅନାହୁତ ଭାବରେ

ସହସ୍ର ସହସ୍ର ସଂଖ୍ୟାରେ

ଆସି ମିଳି ପଥରେ ।

ବିପୁଳ ଉତ୍ସାହ କରିଣ

ସୃଷ୍ଟି ଦିଅଁମାନଙ୍କୁ

ଦରଶନ କରୁଥିଲେ ସେ

ଭେଟି ଦର୍ଶନାର୍ଥୀଙ୍କୁ ।

ବିଧର୍ମୀ ହେବାର ରାଜନ

ଦୁଃସମ୍ବାଦରେ ଲୋକେ

ଅନୁକ୍ତ ବ୍ୟଥାର ସଂଚାର

ହୋଇଥିଲା ଯା ଥୋକେ ।

ଗଜପତି ଦରଶନରେ

ଧର୍ମ ଜନିତ ଗ୍ଲାନି

ଅପସୃୟମାନ ଜନତା

ମନୁ ଧିରେ ହେଲାଣି ।

ପିପିଲି ନିକଟେ ପହଂଚି

ରଥ ପରେ ମୋଗଲ

ଥାନା ନିକଟରେ ଆରମ୍ଭ

ହେଲା ପ୍ରତିରୋଧର ।

କ୍ଷୀଣସ୍ୱର ମାତ୍ର ଦରଘା

ଠାରେ ସେ ପିପିଲିର

ଶୁଭିଥିଲା ଲସକରଙ୍କ

ଐକ୍ୟଧ୍ୱନି ପ୍ରବଳ ।

ସମ୍ମିଳିତ ପ୍ରତିରୋଧର

ଆଲ୍ଲା ହୋ ଆକବର-

-ଦୋହାରି ପହଳି ଫେରାଇ

ଥିଲେ ହିଂଦୁ ସକଳ ।

ସମ୍ମିଳିତ କଂଠ ନିଃସୃତ

ଜୟ ଉକ୍ତ ବତ୍ସଳ

ଶ୍ରୀ ଜଗନ୍ନାଥଙ୍କ ଜୟହୋ

ଗଜପତି ଆମର ।

ଜୟଧ୍ୱନି ମଂଦ୍ର ନିନାଦେ

ହରିବୋଲ ଅଜସ୍ର

ହୁଳହୁଳି ଧ୍ୱନି ପଥରେ

ଭକ୍ତ ଥିଲେ ସହସ୍ର ।

ଗଡୁଥିଲା ରଥ ଆଗକୁ

ପ୍ରମତ୍ତ ଆବେଗରେ

ପିପିଲି ଦରଘା ନିକଟେ

ପହଂଚିଲେ ମୋଗଲେ ।

ଅଶ୍ୱକୁ ଛୁଟାଇ ମୋଗଲ

ଘୋଡା ସବାରମାନେ

ରଥ ପଛେ ପଛେ କରିଣ

ଅନୁସରଣ ଧ୍ୟାନେ ।

କରୁଥିଲେ କଂଠେ ଚିତ୍କାର

ତଫାତ୍‌ ଓ ତଫାତ

ଘୋଡା ସବାରଙ୍କ ମଧ୍ୟରେ

ବଳୟ ସୁରକ୍ଷିତ ।

ମଧ୍ୟେ ଅଶ୍ୱେ ଥିଲେ ରେଜିୟା

ବରୁଣେଇ କଟକ

ଅସ୍ୱୀକୃତା ରାଣୀ ଯବନୀ

ଜବାଧରୀ ଛଟକ ।

ରେଜିୟାଙ୍କୁ ଦେଖି ଅସୀମ

ଉଲ୍ଲାସ ଆଗ୍ରହରେ

ରଥ ଟାଣି ଟାଣି ଆଗକୁ

ନେଲେ ଜନତା ଖରେ ।

ସମ୍ମୁଖରେ ସ୍ୱୟଂ ଶ୍ରୀ ରାମ

ଚନ୍ଦର ଗଜପତି

ହରିବୋଲ ହୁଳହୁଳିରେ

ରଥ କରଇ ଗତି ।

ରଥ ପାରିହେଲା ଅଠର

ନଳା କେଡେ ବେଗରେ

ପହଂଚିଲା ଯାଇ ଗରବେ

ପୁରୀ ବଡ ଦାଣ୍ଡରେ ।

କିଛି କ୍ଷଣ ପାଇଁ ଅଟକି

ଥିବା ରଥୋପବିଷ୍ଟ-

-ଶ୍ରୀ ଜୀଉଙ୍କୁ ଚାହିଁ ପରମ

ଗୁରୁ ଅତି ସନ୍ତୁଷ୍ଟ ।

ଧୂଳି ଧୂସରିତ ମଣ୍ଡିତ

ଶତଚ୍ଛିନ୍ନ କୁସୁମ-

-ମାଳ ମ୍ଳାନ ବସ୍ତ୍ର ଶରୀରେ

ପ୍ରାଚୁର୍ଯ୍ୟରେ ଶ୍ରୀ ହୀନ ।

ହସ ହସୁଥିଲେ ଠାକୁରେ

ଅଫୁରନ୍ତ ପ୍ରାଚୁର୍ଯ୍ୟ ।

ରାଜଗୁରୁ ଦେଖି ଅଦୂରୁ

ଥିଲେ ବଢ଼ାଇ ଧୈର୍ଯ୍ୟ ।

କିଂତୁ କେଉଁ ଏକ ଅଜ୍ଞାତ

ଗୁରୁଚିନ୍ତା - ଜାଲରେ

ଛଂଦି ହୋଇଥିଲେ ଗମ୍ଭୀରେ

ମୁହ୍ୟମାନ ମୁଖରେ ।

କ୍ଳାନ୍ତଖରା ଅପରାହ୍ନର

ହେଉଥିଲା ଶୀତଳ

ପାରାବତାଜସ୍ର ଯେପରି

ସେ ବଡ ଦେଉଳର ।

ଚତୁପାଶ୍ୱେର୍ ମହାବାହୁଙ୍କ

ଭବ୍ୟ ସ୍ୱାଗତିକାରେ

ଉଡି ବୁଲୁଥିଲେ କରିଣ

କଳଗୁଂଜନ ସ୍ୱରେ ।

ବିପୁଳୋତ୍ସାହ ଉଦ୍ଦୀପନା

ମଧ୍ୟେ ଅଟକି ରଥ

ଥିଲା ଚକଡ଼ାର ଅରୁଣ

ସ୍ତମ୍ଭ ଅଦୂରେ ସତ୍ୟ ।

ବ୍ୟସ୍ତ କୋଳାହଳ ମଧ୍ୟରେ

ସଂଗେସଂଗେ ମଂଦିରେ

ମୁଖରତା ମଧ୍ୟେ ଆରମ୍ଭ

ଶୋଧକ୍ରିୟା ପ୍ରଖରେ ।

ଜୀଉମାନେ ହୋଇ ପହଣ୍ଡି

ରତ୍ନ ସିଂହାସନରେ

ବିଜେ କରିବାକୁ ସେବକେ

ନ ଥିଲା ଅବସରେ ।

ମୁକ୍ତି ମଣ୍ଡପରେ ଶାସନୀ

ବସି ପଣ୍ଡିତମାନେ

ଶ୍ରୀ ମଂଦିର ଗଜପତିଙ୍କ

ପରବେଶ ସମ୍ମାନେ ।

ପ୍ରସଂଗେ ଶାସ୍ତ୍ରୀୟ ବିଚାର

ନିମଜ୍ଜିତ ବିମର୍ଶେ

ହୋଇଯାଇଥିଲେ ଶାସ୍ତ୍ରକୁ

ଖୋଲି ମଂଦିରାଦର୍ଶେ ।

ବାଇଶି ପାହାଚ ଉପରେ

ବ୍ୟସ୍ତ କୋଳାହଳରେ

ଯେପରି ଘୁମନ୍ତ ପ୍ରଗଳ୍ଭ

ନୀରବତା ସେଠାରେ ।

ସଂଧ୍ୟାସନ୍ନ ନୀଡ ପ୍ରତ୍ୟାଶୀ

ପକ୍ଷୀମାନଂକ ଡେଣା

ଘରବାହୁଡାର ଶବଦେ

ଥିଲା କି ଉନ୍ମାଦନା ।

ଶ୍ରୀ ଜୀଉ ମଣିମା ମାନେ ବି

ଗୃହେ ଫେରିବା ପାଇଁ

ଉତ୍କଣ୍ଠିତ ଭାବେ ଯେପରି

ରହିଥିଲେ ଅନାଇ ।

ଦଇତାମାନଂକ ସେବାକୁ

ସହାୟତାକୁ ତାଂକ

କରି ରହିଥିଲେ ପ୍ରତୀକ୍ଷା

ଲାଗେ ହୋଇ ନିଶଂକ ।

ଶ୍ରୀ ମଣିମାମାନେ ବାଇଶି

ପାହାଚର ଉପରେ

ଢ଼ଳିଢ଼ଳିଢ଼ଳି ଶ୍ରୀ ବତ୍ସ

ଖଣ୍ଡଶାଳ ଦେଉଳେ ।

ଅନ୍ତବର୍ତ୍ତୀ ସିଂହାସନକୁ

ବିଜେ କରିବା ବେଳେ

ଅରୁଣସ୍ତମ୍ଭ ନିକଟରେ

ଆହା କି ନୀରବରେ ।

ଦଣ୍ଡାୟମାନ ଓଡିଶାର

ଗଜପତି ରାଜନ

ନବକୋଟି କର୍ଣ୍ଣାଟୋତ୍କଳ

ବର୍ଗେଶ୍ୱର ମହାନ ।

ଉଦାସ ଅଶ୍ରୃଳ ଦୃଷ୍ଟିରେ

ବାଇଶି ପାହାଚକୁ

ଚାହିଁ ରହିଥିଲେ ସନ୍ତୁଷ୍ଟ

ନୟନରେ ପ୍ରଭୁଙ୍କୁ ।

ସକାଳର ଉଷା ଲୋକରେ

ଶୁଭ କାଉର ରାବ

ଶୁଭିବା ପୂର୍ବରୁ ଦଣ୍ଡାୟ

ମାନ ଅରୁଣ ସ୍ତମ୍ଭ-

-ଚକଡ଼ାରେ ଆସି ରାଜନ

ଗଜପତି ଆତୁରେ

ନିରବରେ ତାଙ୍କ ସହିତ

ଓଢ଼ଣାକୁ ମଥାରେ ।

-ରଖି ଛିଡା ହୋଇଥିଲେ ସେ

ଶ୍ରୀ ମଂଦିର ଦର୍ଶନ

-ପ୍ରତ୍ୟାଶୀ ବେଗମ ରେଜିୟା

ଥିଲେ କନ୍ୟା ଯବନ ।

ମଂଗଳ ଆଳତି ମଂଦିର

ମଧ୍ୟେ ସମରପଣ

ହୋଇଥିଲା ଘଣ୍ଟା ଘଣ୍ଟାରେ

ଐକ୍ୟ କାହାଳୀ - ତାନ ।

ହୋଇ ଉଠିଥିଲା ଶ୍ରୀବତ୍ସ

ଖଣ୍ଡଶାଳ ଦେଉଳ

ମହାପ୍ରାଣବନ୍ତ ଯେପରି

ଆଜି ଚଳଚଂଚଳ ।

ଦର୍ଶନାର୍ଥୀ ସ୍ୱଳ୍ପ ସଂଖ୍ୟକ

ବାଇଶ ପାହାଚରେ

ମଂଦିର ମଧ୍ୟକୁ ଯିବାକୁ

ପରିଦୃଷ୍ଟ ସେ ଥିଲେ ।

ସହସା ବାଇଶ ପାହାଚ

ଆଡୁ ହରି ଧାଇଁଣ

ପହଂଚିଲା ଗଜପତିଙ୍କ

ନିକଟରେ ସଂପୂର୍ଣ୍ଣ ।

ଦୁଇ ହାତ ଯୋଡି ବିନମ୍ର

ଭାବେ କହିଲା ଧିରେ

ମଂଦିର ଭିତରେ ନ ଯାଇ

ବିଜେ ଏ ସଂହଦ୍ୱାରେ ।

କାହିଁକି ମଣିମା ଆପଣ,

ରାମଚନ୍ଦର ଦେବ

ରେଜିୟାଙ୍କ ଆଡେ ଚାହିଁଲେ

ହରି ଥିଲା ନୀରବ ।

ଏହି ମହନୀୟା ଯବନୀ

ଆଡେ ଚାହିଁଣ ଧ୍ୟାନେ

ନିବେଦନ କରୁଥିଲା ସେ

ଭକ୍ତି ପ୍ରଣାମ ମନେ ।

ବାଇଶ ପାହାଚୁ ଆସିଲେ

କରି ଅବତରଣ

ଲକ୍ଷ୍ମୀ ରାଜଗୁରୁ ସେ କାଳେ,

ପଚାରିଲେ ରାଜନ ।

ନୀତି ସବୁ ନିୟମରେ କି

ହେଲା ପରିଚାଳିତ

ଆହେ ରାଜଗୁରୁ କହନ୍ତୁ

ମୋହି ଆପଣା-ଚିତ୍ତ ।

ଜୀଉ ସବୁ ସିଂହାସନରେ

ବିଜେ ପରେ ଉଲ୍ଲାସେ

ସେବାୟତେ ସବୁ ଅଛନ୍ତି

କିବା ମନ ସଂତୋଷେ ।

ସବୁ ନୀତି ବଢ଼ି ଯାଇଛି

ନିୟମ ଅନୁସାରେ

କିଂତୁ ଏକନୀତି ନୋହିଲା

କାର୍ଯ୍ୟକାରୀ ଏଠାରେ ।

ପ୍ରବେଶାଧିକାର ମଂଦିର

ଆମ ଗଜପତିଙ୍କ

ହୋଇ ପାରିଲାନି ରହିଲା

ଏହା ମୋହର ଦୁଃଖ ।

ଅନୁମୋଦନକୁ କଲେନି

ମୁକ୍ତି ମଣ୍ଡପ ବସି

ବହୁ ଶାସ୍ତ୍ର ଖୋଲି ବସିଲେ

ବାଦାନୁବାଦ କସି ।

ସନାତନ ଧର୍ମ ପାପିଷ୍ଠ

ଏ ବାଇଶି ପାହାଚେ

ଆରୋହଣ କରି ପାରିବ

ମୁକ୍ତି ମଣ୍ଡପ ପାଂଚେ ।

କିଂତୁ ପୁଣ୍ୟବାନ ଭକତ

ଥିଲେ ବିଧର୍ମୀ ହୋଇ

ଅପାକୃତ ଆଗନ୍ତୁକ ସେ

ଶିରୀ ମଂଦିର ପାଇଁ ।

ଜାତି ଧର୍ମ ନିର୍ବିଶେଷରେ

ଶ୍ରୀ ମଂଦିର ମୁକତ

ଅଭୟ ଆସ୍ଥାନ ହେ ଗୁରୁ

ଏହା ମୁକ୍ତ ବୈକୁଣ୍ଠ ।

ତେବେ ଏହା କ’ଣ ମିଥ୍ୟାକି

ମହାଶୟ ଭାଷନ୍ତୁ

ବ୍ୟଥାତୁର କଣ୍ଠେ କହିଲେ

ରାଜଗୁରୁ ଭାବନ୍ତୁ ।

ଇତିହାସ ତାହା ନିର୍ଣ୍ଣୟ

କରିବ ମହାରାଜ

ଦର୍ଶନ କରନ୍ତୁ ମଣିମା

ମଣିମାଙ୍କୁ ସହଜ ।

ଆଜି ଏହିଠାରେ ଆହ୍ୱାନ

କରି ଇତିହାସକୁ

ଭବିଷ୍ୟତ ଛାଡି ସାନଂଦେ

ସେହି ଭବିଷ୍ୟତକୁ ।

ଅବୋଧ ଦୃଷ୍ଟିରେ ସେଠାରେ

ଅସହାୟ ଭାବରେ

ଚାହିଁ ଥିଲା ହରି ଦୁହିଁଙ୍କୁ

ପରା ସେ ନିର୍ବିକାରେ ।

କଲେ ନିବେଦନ ପ୍ରଣାମ

ନବଦଂମ୍ପତ୍ତି ସେଠି

ଅରୁଣ ସ୍ତମ୍ଭର ନିକଟେ

ଠିଆ ହୋଇ ସଂପ୍ରତି ।

ପରମୁହୂର୍ତ୍ତରେ ତୁରଂଗ

ପୃଷ୍ଠେ ବସି ରାଜନ

ରଜିୟାଙ୍କ ସହ ବାହୁଡା

ପଥେ କଲେ ଗମନ ।

ବିକଳ ଦୃଷ୍ଟିରେ ଏ ଦୃଶ୍ୟ

ଦେଖୁଥିଲେ ଅଦୂରୁ

ଅରୁଣ ସ୍ତମ୍ଭର ନିକଟେ

ଅଶ୍ରୁଳ ରାଜଗୁରୁ ।

ଲାଂଛିତ ଅତୀତ ନୂତନ-

ରାତ୍ରି ଶେଷ ପ୍ରହର

ତଥାପି ଯେପରି ନୂତନ

ସୂର୍ଯ୍ୟୋଦୟ ପ୍ରଖର ।

ଆବାହନ କରି ନଥିଲା

ଚକ୍ରବାଳ ପରଶି

ରାଜଗୁରୁ କଲେ ଚିତ୍କାର

ମନେମନେ ଭରସି ।

ଆହେ ଜଗନ୍ନାଥ ଏହିକି

ତମ ବିଚାର ଭାବ

କେଉଁ ଦୋଷୁ ହେଲେ ଦଣ୍ଡିତ

ରାମଚନ୍ଦର ଦେବ ।

ନୀଳଚକ୍ରବାନା ତଥାପି

ଉଡୁଥିଲା ଦେଉଳେ

ଫରଫର ହୋଇ ମୁକତ

ପବନର ହିଲ୍ଲୋଳେ ।

ଉଦ୍‌ଘୋଷଣ କରି ଧର୍ମର

ଜାତି ଆଭବର୍ଣ୍ଣର

ନିର୍ବିଶେଷ ହେବ କିପରି

କହ ଚକରଧର ।

 

Unknown

୬ଷ୍ଠ ସର୍ଗ

 

ବରୁଣେଇ କଟକର ଶୀର୍ଷ ଭାଲେ

ଗୋଧୂଳି ପାଟଳ ଆସ୍ତରଣ ଧିରେ ।।

ଧିରେ ଲେସି ହୋଇଯାଉଥିଲା ମିଶି

ବିହଙ୍ଗମ ମାନଙ୍କ ନୀଡ ପ୍ରତ୍ୟାଶୀ ।।

ମିଶ୍ରରାଗ କାକଳିରେ ଉପବନ

ବିଜନତା କୋଳାହଳ ସୁସଂପର୍ଣ୍ଣ ।।

ମୁଖରିତ ହୋଇ ଉଠୁଥିଲା କାଳେ

ସଂଧ୍ୟାର ରକ୍ତିମା ଆଭା ଗଛମୂଳେ ।।

ପତ୍ରମାନଙ୍କର ସବୁଜ ଫାଙ୍କରେ

ସୃଷ୍ଟି କରିଥିଲା ବର୍ଣ୍ଣବିଭା ଡୋଳେ ।।

ପରିଷଦ ଗୃହେ ଗମ୍ଭୀର ମୁଖରେ

ରାଜଗୁରୁ ମହାପାତ୍ର ବସିଥିଲେ ।।

ଏକ ତପଃ ସିଦ୍ଧ ମୁନି ଜନ ପରି

ଅଦୂରରେ ଗଡ଼ ପାଇକ ପ୍ରହରୀ ।।

ସଦେଇ ଦଣ୍ଡାୟମାନ ନିକଟରେ

ହୋଇ ନିୟନ୍ତ୍ରଣ କରୁଥିଲା ଦ୍ୱାରେ ।।

ଗଜପତି ରାମଚନ୍ଦ୍ର ଦେବ ଏକ

ମାନସେ ଅସ୍ତିର ସେ ପରିବ୍ରାଜକ ।।

ପରି କେତେବେଳେ ଆସନ ଉପରେ

କିଛିକ୍ଷଣ ଉପବେଶନ କାଳରେ ।।

ପର ମୁହୂର୍ତ୍ତରେ ଉଠିଣ ଗବାକ୍ଷ

ଫାଙ୍କାରେ ଫୁରନ୍ତ ଗୋ ଧୂଳିକୁ ଲକ୍ଷ୍ୟ ।।

ଉଦାସ ଦୃଷ୍ଟିରେ କେବେ ଚାହୁଁଥିଲେ

ଅସ୍ଥିର ପଦଚାରଣ କରୁଥିଲେ ।।

ସହସା କହିଲେ ବିଷର୍ଣ୍ଣ ଗମ୍ଭୀରେ

ଗଜପତିଙ୍କବଂଶ ପରଂପରାରେ ।।

ରାଷ୍ଟ୍ର ଦେବତା ଶ୍ରୀ ଜଗନ୍ନାଥ କ’ଣ

ଦେଇ ନାହାଁନ୍ତିକି ଐକ୍ୟ ସପ୍ରମାଣ ।।

ଆହେ ରାଜଗୁରୁ ମହାଶୟ କହ

ଗମ୍ଭୀର ଗଳାରେ ହୋଇଣ ସଦୟ ।।

କହିଲେ ପରମଲକ୍ଷ୍ମୀ ରାଜଗୁରୁ

ଶୁଣନ୍ତୁ ହେ ଗଜପତି ମହାମେରୁ ।।

କ୍ଷମତାର ଲୋଭ ଯୁଗେ ଯୁଗେ ପରା

ଏହିପରି ସର୍ବଗ୍ରାସୀ ବସୁନ୍ଧରା ।।

ପ୍ରବୃତ୍ତି ରାଜନ କ୍ଷମତା ମୋହରେ

ଇତିହାସ କି ଭାରତ ଭୂଖଣ୍ଡରେ ।।

ଯୁଗେଯୁଗେ ଷଡଯନ୍ତ୍ରର କାଳିମା

କଳଙ୍କିତ ହୋଇ ବିଦେଶୀ ଗାରିମା ।।

ବଢ଼ି କରାୟତ୍ତ ହୋଇଛି ଏ ମାଟି

ବିଦେଶୀଙ୍କ ଦ୍ୱାରା, ଏ ଇତିହାସଟି ।।

ସନାତନ ହିଂନ୍ଦୁ ରାଜ୍ୟ ଅଧ୍ୟ୍ୟୁଷିତ

ଭାରତ ଭୂଖଣ୍ଡେ ବିଦେଶୀ ରାଜତ୍ୱ ।।

ବିଧରମୀ ଶାସକର ଅଭ୍ୟୁଦୟ

ଘଟିଛି ତାମସୀ ରାତ୍ରିର ଉଦୟ ।।

ଯାତନା ପଡିଛି ବିଂଛି ହୋଇ କ୍ଳେଶେ

ଖୋଲି ଦେଖ ପୃଷ୍ଠା ଦେଶ ଇତିହାସେ ।।

ଏଥିପାଇଁ ଧର୍ମ ଭାବନା ମନନ

ଆବଶ୍ୟକ ଗଜପତି ହେ ରାଜନ ।।

କିଂତୁ କ୍ଷମତାର ଅଂଧମୋହେ ଧର୍ମ

ସଂକୁଚିତ ହୋଇଗଲେ ରାଷ୍ଟ୍ରଧର୍ମ ।।

ଧୂମକେତୁ ନିର୍ଯ୍ୟାତନା ହୋଇଯାଏ

ଯେ ଅବଶ୍ୟମ୍ଭାବୀ ଇତିହାସ କହେ ।।

ସଦେଇ ପ୍ରଦୀପ କଲା ପ୍ରଜ୍ଜ୍ୱଳନ

ଘୋର ନଇରାଶ୍ୟ ମଧ୍ୟେ ଆଶା କ୍ଷୀଣ ।।

“ଚମକ ପ୍ରଦୀପ ପରି ନିଶି ଭୀରୁ

ଶିଖା ପ୍ରଜ୍ଜ୍ୱଳନ କରିଣ ଅଦୂରୁ” ।।

ଉଲମ୍ଫିତ ଶିଖା ହେଲା ଧିରେ ଧିରେ

ଗଜପତି ଦେଖି ସଧିରେ କହିଲେ - ।।

“ନିଷ୍ଠୁର ତକୀଖାଁ କ୍ରୋଧୁ ରାଷ୍ଟ୍ରଦେବ

ଅକ୍ଷତ ରଖିବା ପାଇଁ ଧର୍ମ ଭାବ ।।

ଧର୍ମାନ୍ତର ଦୋଷେ ଦୂଷିତ ହୋଇଲି

ଯବନୀ କନ୍ୟା ପାଣିଗ୍ରହଣ କଲି ।।

କିଂତୁ ଧର୍ମ-ଅଂଧ ତକୀଖାଁର ଧର୍ମ

ବିଦ୍ୱେଷୀ ଦୃଷ୍ଟିରେ କ୍ରୃର ସନାତନ ।।

ଧରମର ରାଷ୍ଟ୍ର ଦେବତା ମଣିମା

ଯେପରି ଏକାନ୍ତ ଅସହ୍ୟ ଗାରିମା ।।

ଶ୍ରୀ ଜଗନ୍ନାଥଙ୍କ ବିଶାଳ ଧରମ

ସଂସ୍କୃତ ହୋଇଛି ଯେପରି ମରମ ।।

ତକୀଖାଁର ଆତଙ୍କର ଧୂମକେତୁ

ଆଉ ସେଥିପାଇଁ ମହାପାପୀ ହେତୁ ।।

ତକୀଖାଁର ବାରମ୍ବାର ଆକ୍ରମଣ

ଓଡିଶାର ଶିରୀମଂଦିର ଲୁଣ୍ଠନ ।।

ଦାରୁଣ ହୀନ ତା ପରିକଳପନା

ଏଥିପାଇଁ ଦିନରାତି ସେ ଯୋଜନା ।।

କରେ ବସି ଶୟନରେ ସ୍ୱପନରେ

ଶ୍ରୀ ଜୀଉ ସଂପତ୍ତି ଗ୍ରାସିବାକୁ ହେଳେ ।।”

ଗଜପତି ହାତ ମୁଠା ହେଲା ଟାଣ

ତକୀଖାଁ ସ୍ମୃତିରେ କ୍ରୋଧର ଗୁମାନ ।।

ପ୍ରଚଣ୍ଡ ଆବେଗ ଗଜପତିଙ୍କର

ଆସିଆସି ବନ୍ଧ ମୁଠିରେ ତାଂକର ।।

ସହସା ନିବଦ୍ଧ ହୋଇଗଲା ଆପେ

ରୋମ ଟାଙ୍କୁରିଲା ଥରିଗଲେ କୋପେ ।।

ପରମଲକ୍ଷ୍ମୀଙ୍କ ନିକଟରେ ଖୋଲା

ଚିଟାଉ ଯେପରି ରାତ୍ରି ଭ୍ରମ ହେଲା ।।

କ୍ରମ ଅଂଧକାର ମଧ୍ୟରେ ରାତ୍ରିର

ଔଜଲ୍ୟେ ଉକୁଟି ଉଠେ ବାରମ୍ବାର ।।

ରାମଚନ୍ଦ୍ର ଦେବ ପୁଣିଥରେ ମୁକ୍ତ

ବାତାୟନ ଧାରେ ଆସି ଉପଗତ ।।

ଚତୁର୍ଦ୍ଦିଗେ ଅଂଧକାର ଥିଲା ଘେରି

ବରୁଣେଇ କଟକରେ ଯେଉଁପରି ।।

ଦୀର୍ଘଶ୍ୱାସାକୁଳ ରାତ୍ରି ମର୍ମରଣ

ଆର୍ତ୍ତନାଦ ଧ୍ୱନି ସମ ଘନଘନ ।।

ଶୁଭୁଥିଲା, ମନେ ପଡିଲେ ରେଜିୟା

ସେ କଳାଘୁମର ନୟନ ବଢ଼ିଆ ।।

ଦୁଇଟିରେ ଭାବ ସମୁଦ୍ର ଗଭୀର

ଆକୁଳିତ କମ୍ର ମୁଖ ଶ୍ରୀ ଧବଳ ।।

ବଦନ ମଣ୍ଡଳେ ରେଜିୟା ଲଳିତ

ସ୍ମିତହାସେ ଚନ୍ଦ୍ର ଟୁକୁଡା କି ସେତ ।।

ନିକା ପରଠାରୁ ଆଉ କେତେଥର

ସାକ୍ଷାତ ହୋଇଛି ସେ ରେଜିୟାଙ୍କର ।।

ବାରବାଟି କଟକରେ କିଛି ଦିନ

ହୋଇଥିଲା ଅବିବାହିତ ସୁଦିନ ।।

ରେଜିୟାଙ୍କ ସନ୍ନିଧାନରେ କେବଳ

କଟିଲା ପାଣିକି ସେ ଛନ୍ଦ ଚପଳ ।।

କିଂତୁ ତକୀଖାଁଙ୍କ ଦରବାରୁ ମୁକ୍ତି

ପାଇଗଲା ପରେ ସେହି ବାରବାଟି ।।

କଟକରେ ଏକ ପ୍ରକାର ମହଲ

ବଂଦୀ ହୋଇଗଲେ ରେଜିୟା, ପାଗଳ- ।।

ତକୀଖାଁ ହାତରେ ଉତ୍କଟ ଗ୍ଳାନିରେ

ଧର୍ମ ସଂକଟର ପାବନ ବେଳାରେ ।।

ରାମଚନ୍ଦ୍ର ଦେବ ବିଧୂର ଜୀବନ

କାଟୁଛନ୍ତି ଏଣେତେଣେ ବୁଲି ବନ ।।

ବିଧୂର ପିଆସୀ ସମ କାରବାର

ଆଉନବନୀତା ରେଜିୟା ମହଲ ।।

ମଧ୍ୟରେ ତକୀଖାଁ ଉପରେ ଶିରକୁ

ରଖିଣ ଝରାଉଥିବେ ସେ ଲୁହକୁ ।।

ବନ୍ୟାଧାର ମହାନଦୀର ଉଚ୍ଛଳ

ଲକ୍ଷ୍ମୀ ରାଜଗୁରୁ କଂଠରେ ଗମ୍ଭୀର ।।

“କହିଲେ, ଆପଣ କେଉଁ ମୁହୂର୍ତ୍ତରେ

ଧରିଥିଲେ ହାତ ରେଜିୟାଙ୍କ ଥରେ ।।

ମହାରାଜ ମିଳନର ମହୋତ୍ସବ

ବିରହ -ବିଧୁର-ବିଷାଦ-ବିଭବ ।।

ରୂପାୟିତ ହୋଇଗଲା ଏ ଉଦ୍ୟମ

ଚିନ୍ତାକରି କି ନମିଳେ ସମାଧାନ ।।

ଓଡିଶାର ଭାଗ୍ୟାକାଶରେ କେବଳ

ଧୂମକେତୁ ଅମଙ୍ଗଳର ପ୍ରବଳ ।।

ସ୍ମୃତି ରୋମନ୍ଥନୁ ଫେରି ଗଜପତି

ଆସନ ଉପରେ ବସିଲେ ଝଟତି ।।

ଜ୍ୱଳନ୍ତ ପ୍ରଦୀପ ଶିଖାକୁ ଚାହିଁଲେ

ନିଶିଦୀପ ଶିଖା ଚାରିପଟେ ଖେଳେ ।।

କେତୋଟି ବିଚିତ୍ର ଶବ୍ଦକରି ସୃଷ୍ଟି

ଉଡନ୍ତା ପତଙ୍ଗେ ଦେଖି ଝିଟିପିଟି ।।

ପାଟି ପାକୁ ପାକୁ କରୁଥିଲେ ଚାହିଁ

ନିଶି ପ୍ରଦୀପର ଶିଖା ମଧ୍ୟେ ଧାଇଁ ।।

“ଆଲୋକର ପ୍ରମତ୍ତ ଆକର୍ଷଣରେ

ଉନ୍ମାଦନା ବିଡମ୍ବିତ ହୋଇଗଲେ ।।

କାହିଁକି ଏମିତି କଲ ଜଗନ୍ନାଥ

କାମନାର ପରିଣତ ବଂଧନ’ତ ।।

କିନ୍ତୁ ଆଲୋକର ଆବାହନ କାହିଁ

ପ୍ରଦୀପ ଭିତରେ ଲୁଚିଛି କି ଯାଇ?

“ଆଲୋକ ସଂଧାନ ପାଇଁ ତ ଆପଣ

ଯେଉଁ ତ୍ୟାଗ କଲେ ତାର ନିରମମ ।।

ପରିଣତ ବୁଝି ପାରିଲା ନାହିଁ ସେ

ଧର୍ମାଂଧ ତକୀଖାଁ ଇଚ୍ଛେ ଅବା କି ସେ ।।

ତକୀଖାଁର ଇଚ୍ଛା ବରଂ ବିରାଦର

ଗଜପତି ରାମଚନ୍ଦ୍ର ଦେବଙ୍କର ।।

ମାଧ୍ୟମରେ ଭୂୟୋବିକାଶ ଧର୍ମର

ହୋଇବ ଏ ଇସଲାମ ଧରମର ।।

ଧର୍ମାଂଧତାର ପ୍ଲାବନ ସେହି ଚାହେଁ

ଧର୍ମର ପବିତ୍ର ଆଚରଣ ନୁହେଁ ।।

ସ୍ଖଳିତ କଂଠରେ ରାମଚନ୍ଦ୍ରଦେବ

କହିଲେ ଶୁଣନ୍ତୁ ରାଜଗୁରୁ ସର୍ବ ।।

ଐକ୍ୟ ବଦ୍ଧ ଆମ ଗଡ଼ପତିମାନେ

ନୁହଁନ୍ତି ଏ କଥା ସେ ତକୀଖାଁ ଜାଣେ ।।

ଗଜପତି ସିଂହାସନେ ଅଧିଷ୍ଠିତ

ହେବାପାଇଁ ସଦା ସେମାନେ ଚିନ୍ତିତ ।।

ପରଚଣ୍ଡ ଆଶାବାଦୀ ସବୁବେଳେ

ସଜ୍ଞାତ ତକୀଖାଁ ଏହି ସଂବାଦରେ ।।

ସେହି ସୁଯୋଗରେ ଓଡିଶାର ମୁକ୍ତ

ସ୍ୱାଚ୍ଛନ୍ଦ୍ୟକୁ କରିବାରେ ପରାହତ ।।

ଆସ୍ପର୍ଦ୍ଧା ପୋଷଣ କରିଛି ମନରେ

ଅଥଚ ଆମର ସାମନ୍ତ ବେପାରେ ।।

ଗଡ଼ପତି ଗଜପତି ପରଂପରା

ଗୌରବ ଅକ୍ଷୁର୍ଣ୍ଣ ରଖିବାର ଧାରା ।।

ଆନୁଗତ୍ୟ ସାମାନ୍ୟତମ ପୋଷଣ

କରୁନାହାଁନ୍ତି ହେ ରାଜଗୁରୁ ଜାଣ ।”

“ବର୍ତ୍ତମାନ ଆଉ ଶୋଚନାର ବେଳ

ନାହିଁ ମହାରାଜ, ଧର କରବାଳ ।

ରେଜିଆ ଚିଟାଉ ପ୍ରାପ୍ତି ପରେ ଏବେ

ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହିଁ ଭାବେ ।

ତାହାହେଲେ ପ୍ରଭୁ ଜଗନ୍ନାଥ ପୁଣି

କେଉଁ ମହାକାନ୍ତାରରେ ଯିବେ ଜାଣି ।

ଗୋପନ ଅଜ୍ଞାତ ଅଧିବାସୀ ହେବେ

ଆପଣ କେଉଁଠି ଆଶ୍ରୟ ଲୋଡ଼ିବେ?”

ରାଜ ଗୁରୁଙ୍କର ପ୍ରଶ୍ନର ଉତ୍ତର

ଖୋଜିବାକୁ ଯାଇ ଦୀପ ଆଲୋକର ।

ସାହାଯ୍ୟ ଲୋଡିଲେ ରାଜା ଗଜପତି

ଖୋଲି ଧରିଲେ ରେଜିୟା ଚିଟାଉଟି ।

ପ୍ରତିଭାତ ହେଲା ସେ ଚିଠି ମଧ୍ୟରେ

ସଦ୍ୟ କୁସୁମିତ ଏକ ଶୁଭ୍ରକରେ ।

କୁମୁଦିନୀ ପରି ଦିଶିଲା ନୟନ

ଚିଠିରେ ଦେଖିଲେ ରେଜିୟା ବଦନ ।

ଲେଖିଥିଲେ ବାଳା ଆଗାମୀ କୌଣସି

ଦିନରେ ନାଏବ ତକୀଖାଁ ଭରସି ।

ବରୁଣେଇ କଟକ ଗଡ ଉପରେ

ଆକ୍ରମଣ କରିବା ଯୋଜନା କରେ ।

ଜୀଉଙ୍କର ନବ କଳେବର ପରେ

ଭାଗିରଥି କୁମାର ପ୍ରତିହିଂସାରେ ।

ଉଠିଛନ୍ତି ମାତି ତକୀଖାଁର ବଳେ

ସଂବାଦ ପଡିଛି ତକୀଖାଁ କାନରେ ।

ଏଣୁ ଯଥାଶୀଘ୍ର ଠାକୁର ମାନଙ୍କୁ

ଚକଡ଼ା ଛଡ଼ା କରିଣ ବି ନିଜକୁ

ସୁରକ୍ଷିତ ରଖନ୍ତୁ ହେ ମହାରାଜ

ରେଜିୟା ପ୍ରଣାମ ଏ ଖବର ସଜ ।

ଚିରଦିନ ଆପଣଙ୍କ ସୁହାଗିନୀ

ରହିବ ରେଜିୟା ହୋଇ ପୂଜାରିଣୀ”

ସ୍ୱେଦ ଜମି ଉଠିଲା ମଥା ଉପରେ

କପାଳର ରେଖା ସେ ଉତ୍ତେଜନାରେ

କୁଂଚିତ ହୋଇଣ ମୁଖମଣ୍ଡଳକୁ

ଚିନ୍ତାକୁଳ କରି ଦେଇଥିଲା ତାଂକୁ ।

****

ଦୃଷ୍ଟିକୁ ଫେରାଇ ବାତାୟନ ଧାରୁ

ରାମଚନ୍ଦ୍ର ଦେବଙ୍କୁ ଚାହିଁଲେ ଗୁରୁ ।

ଗଭୀର ପ୍ରତ୍ୟୟ ଔଜଲ୍ୟ ଭାବର

ଗଜପତିଙ୍କର ମୁଖ ଚିନ୍ତାକୁଳ ।

ଉଲ୍ଲାସ ଲହଡି ଭାଂଗୁଥିଲା ମୁଖେ

ଯେପରି ଦେଖିଲେ ରାଜଗୁରୁ ପାଖେ ।

ଅଥଳ ସାଗରେ ଥଳ ଯେଉଁପରି

ପାଇଲେ ପରମଲକ୍ଷ୍ମୀ ସେହିପରି ।

ତାଂଙ୍କର ଗମ୍ଭୀର ମୁଖ ମଣ୍ଡଳରେ

ଏକ ସ୍ନିଗ୍ଧ କୋମଳତା, ପ୍ରଶାନ୍ତିରେ ।

ଫୁଟି ଉଠୁଥିଲା, ପଚାରିଲେ ହସି

ତାହାହେଲେ ହେବା ଆଠଗଡ ବାସୀ ।

ରାଜା ହରିଚନ୍ଦନ ଜଗଦେବଙ୍କୁ

ବ୍ୟବସ୍ଥା ପ୍ରେରଣ ଶୀଘ୍ର ସଂବାଦକୁ ।

ହେଉ ମହାରାଜ, ଆଉ ଡେରିନାହିଁ

ଆଠଗଡ ନରପତି ବରୁଣେଇ ।

କଟକର ମଂଦଭାଗ୍ୟ ସମୟରେ

ବହୁବାର ସହାୟତା କରିବାରେ ।

ହେଳା ପ୍ରଦର୍ଶନ କରିତ ନାହାଁନ୍ତି

ବଂଧୁତ୍ୱ ହିଁ ପ୍ରସାରଣ କରିଛନ୍ତି ।

ବର୍ତ୍ତମାନ ଶ୍ରୀ ମଣିମାମାନେ ଯିବେ

ଗୁପତରେ ନିରାପଦେ ପଂହଚିବେ ।

ଆଠଗଡେ, ଗଂଜାମର ପୋଲସରା

ପାଖରେ ଯେଉଁଠି ନିଙ୍ଘଚ ସେ ଧରା ।

ପରିବର୍ଦ୍ଧିତ ବି ହୋଇବ ବଂଧୁତା

ଆଠଗଡ ସଂଗେ ହୋଇବ ବ୍ୟବସ୍ଥା ।

“ଗୋପନେ ଚକଡ଼ା ଛଡ଼ା କରିବାକୁ

ଗୋପନରେ ଶିରୀ ମଣିମା ମାଂନକୁ ।

ବିଜେକରି ଚଉଦୋଳାରେ ନେବାର

ବ୍ୟବସ୍ଥା ଆପଣ ସ୍ୱୟଂ କରିବାର ।

ଦାୟିତ୍ୱକୁ ପର୍ଯ୍ୟବେକ୍ଷଣ କରିବେ

ରାଜଗୁରୁ ମହାଶୟ ସଂଗେ ଯିବେ ।

ରତ୍ନ ସିଂହାସନୁ ଶ୍ରୀ ଠାକୁର ମାନେ

ଗୁପତେ ଚକଡ଼ା ଛଡ଼ା କରି ଧ୍ୟାନେ ।

ତାପରେ ମୁଁ ନିଜେ ନିଜ ବିଷୟରେ

ଚିନ୍ତା କରିବି ମୁଁ ଠିକ୍‌ ସମୟରେ ।

ଯାତରା କାଳରେ ଶ୍ରୀ ଜୀଉମାଂନକ

କେତେଜଣ ଯିବେ ସଂଗରେ ପାଇକ ।

ନିରାପତ୍ତା ପାଇଁ ସାଥିରେ ରହିବେ

କହ ଖୋଲି ତାହା ବରଗି କି ଏବେ ।

କେଉଁ ଅପଦେବତାର ଶାପ ଫଳୁ

ରେଜିୟାଙ୍କୁ ବିଭା ହେଲି ରାଜଗୁରୁ ।

ଆହେ ମହୋଦୟ ଜାତିଗଲା ସିନା”

ପେଟ ପୁରିଲାନି ଭୋଗୁଛି ଯାତନା” ।

“ଫେରିବନି ଆଉ ଜାତି ମହାରାଜ

କଠୋର ହୋଇଛି ଏ ହିନ୍ଦୁ ସମାଜ ।

ଏ ସମାଜର କଠୋର କାଠଗଡ

ମଧ୍ୟରୁ ଯେ ଥରେ ବହର୍ଭୂତ ତାର ।

ଚିର ଅବରୁଦ୍ଧ ତା ପ୍ରବେଶ ପଥ

ହିଂଦୁ ନଜରରେ ସେ ସଦା ପତିତ ।

ପତିତ ପାବନ ପ୍ରଭୁ ଜଗନ୍ନାଥ

ଉଦ୍ଧାର କରିବେ ତାକୁ ଏହା ସତ୍ୟ ।

ସେ ଚିର ଅସ୍ପୃଶ୍ୟ ଜାତି ନିକଟରେ

କିଂତୁ ଚିର ପ୍ରତ୍ୟାଖ୍ୟାତ ସମାଜରେ ।”

“ପତିତ ମାଂନକ ପାଇଁ ଶ୍ରୀ ମଂଦିର

ଦ୍ୱାର ଯେ ଉନ୍ମୁକ୍ତ ଏହା ଶଦ୍ଦସାର ।

କେବଳ କଥାହିଁ ଆହେ ରାଜଗୁରୁ

ପଚାରିଲେ ରାଜା ରହିଣ ଅଦୂରୁ ।”

ମହାପାତ୍ରେ ଭାରି ଗଳାରେ କହିଲେ

ଇତିହାସ ଦେବ ଉତ୍ତର ପଛରେ ।

“ଶାସ୍ତ୍ରୀୟ ପ୍ରମାଣରେ ପତିତଜନ

ବିଶୁଦ୍ଧ ସଂସ୍କୃତ ହୋଇଣ ମହାନ ।

ମଂଦିର ପ୍ରବେଶାଧିକାର ଥିଲେ ବି

ଧର୍ମାଚରଣର ଅଧିକାର ଭାବି ।

ତା ପ୍ରାପ୍ତି ନିମନ୍ତେ ହୋଇଥିଲେ ଯୋଗ୍ୟ

ମଧ୍ୟ ମୁକ୍ତି ମଣ୍ଡପର ଯଥା ଯୋଗ୍ୟ ।

ନିଷ୍ପତ୍ତି ଅଲଂଘନୀୟ ଗଜପତି

ମନେରଖିଥିବେ ତାଂକର ନିଷ୍ପତ୍ତି ।

ମୁକ୍ତିମଣ୍ଡପ ବିଚାରରେ ଯବନ

ହୋଇ ରହିବେ ଆପଣ ଆଜୀବନ ।

ଧର୍ମ ନିୟାତ୍ମକ ପଣ୍ଡିତ ସଭାର

ଅନତି ସିଦ୍ଧାନ୍ତ କ୍ରମଣୀୟ ତାର ।”

****

ଆଶାର ଦୀପାଳୀ ପଥ ଖୋଜୁଥିଲେ

ଉଠିଯାଇ ମୁକ୍ତ ବାତାୟନ ଧାରେ ।

ସହସା ରାଜନ ହେଲେ ଉଲ୍ଲସିତ

ଚିତ୍କାରେ ବସି ଉଠିଲେ ଅଛି ସତ୍ୟ ।

ଆହେ ରାଜଗୁରୁ ପ୍ରଭୁ ଏଥରକ

ଚିଲିକା ଅତିଥି ନୋହିବେ ଛଟକ ।

ଜଗନ୍ନାଥ ବିଜେ କରିବେ ଗଂଜାମ

କୋଦଳା ମାରଦା ଆଠଗଡ ଧାମ ।

ଆଠଗଡ ରାଜ୍ୟ ସେନାର ନିକଟେ

ନାଏବ ନଜୀମ ତକୀଖାଁ ହିଁ ହଟେ ।

ପାଇକ ଦୁର୍ଦ୍ଧର୍ଷ ଆଠଗଡ ମାଳ

ରଣକୁଶଳତା ସେହି ସେନାନୀର ।

ଯୋଗୁଁ ଆଠଗଡ ଏହି ପରିଯନ୍ତ

ମୋଗଲ ଆକ୍ରମଣରୁ ସୁରକ୍ଷିତ ।

ରାମଚନ୍ଦ୍ର ଦେବ କେତୋଟି ମୁହୂର୍ତ୍ତ

ମଉନ ହୋଇଣ ପ୍ରଦୀପେ ଜ୍ୱଳନ୍ତ ।

ଚାହିଁ ରହିଥିଲେ ସେ ଦୀପ ଶିଖାର

ସେତେବେଳେ ଆକର୍ଷଣରେ ଦୁର୍ବାର ।

ଉଡିଣ କେତୋଟି ନୀରବ ପତଂଗ

କରିସାରି ଥିଲେ ନିଜ ପ୍ରାଣତ୍ୟାଗ ।

ରାତ୍ରୀ ଗଭୀରତା ବୃଦ୍ଧି ପାଉଥିଲା

ଅଜ୍ଞାତ ତିଥିର ଜହ୍ନଟା ଦିଶିଲା ।

ଆସୁଥିଲା ଧିରେ ହୋଇ ଅସ୍ତମୁଖୀ

କ୍ଳାନ୍ତ ଘନରାତି ହୋଇଥିଲା ଦୁଃଖୀ ।

କେଉଁ ଏକ ବୃକ୍ଷ ଶାଖାର ମଧ୍ୟରୁ

ଗୋଟାଏ କପୋତ ରାତ୍ରି ଅନ୍ତରାଳୁ ।

ଅସହ୍ୟ ନିଃସଂଗତାକୁ କାକଳିରେ

କହୁଥିଲା ଆର୍ତ୍ତ କରୁଣ ଚିତ୍‌କାରେ ।

ରାମଚନ୍ଦ୍ର ଦେବ ନିକଟକୁ ଧିରେ

ଆଗେଇ ଆସି ରାଜଗୁରୁ କହିଲେ ।

“ତେବେ ପାହାନ୍ତାରୁ ମୁଁ ପୁରୁଷୋତ୍ତମ

କରିବି ଯାତରା ଶୁଣନ୍ତୁ ରାଜନ ।

କେତେକ ପାଇକ ଯିବାର ସାଥିରେ

କରନ୍ତୁ ବ୍ୟବସ୍ଥା ଅତି ଗୋପନରେ ।

ଗୋପନେ ବେଗମ ରେଜିୟା ନିକଟେ

ସମ୍ବାଦ ପ୍ରେରଣ କରନ୍ତୁ ଆକଟେ ।

ଶ୍ରୀ ଜୀଉ ଚକଡ଼ାଛଡ଼ା ହୋଇଛନ୍ତି

ଜଟିଳ ହୋଇଛି ଏବେ ପରିସ୍ଥିତି ।

କେବେ ଯଦି ଘଟେ ସୌଭାଗ୍ୟ ତାଂକର

ପୁରୁଷୋତ୍ତମକୁ ଗୁପତେ ଯିବାର ।

କପୋତ ତଥାପି ବାହୁନି ବାହୁନି

କାଂଦୁଥିଲା କାନ୍ତ କରୁଣ କାହାଣୀ ।

କରିବେ ଦର୍ଶନ ଅଭୀଷ୍ଟ ଦେବତା

ଲେଖିଦେବେ ଗୁପ୍ତେ ଖୋଲି ଏହି କଥା ।

“ରାଣୀ ଜବାଧରୀ ବୋଲନ୍ତୁ ତୁଣ୍ଡରେ

ନୁହଁନ୍ତି ରେଜିୟା ବିଭାହେବା ପରେ ।”

“ସ୍ମିତ ହସ ହସି ଭାଷି ରାଜଗୁରୁ

ଦୁର୍ବଳ ସାନ୍ତ୍ୱନା ଏହା ଏକ ଭୀରୁ ।

ଏହି ସାନ୍ତ୍ୱନାରେ ମାତ୍ର ମିଳେ ଶାନ୍ତି

କେବେହେଁ ମିଳେନା ପରମ ମୁକତି ।”

ସଦେଇ ସଧିର କଂଠରେ କହିଲା

ଛାମୁଁ ବର୍ତ୍ତମାନ ସମୟ ହୋଇଲା ।

ଭୋଜନ ଶାଳାରେ ପାଚକେ ଅପେକ୍ଷା

କରିଛଂତି ଛାମୁଁ କରିବେ ସେ ଦେଖା ।

ରାମଚନ୍ଦ୍ର ଦେବ କହିଲେ ତା’ ହେଲେ

ଆଠଗଡ ରାଜ୍ୟେ ଜୀଉ ବିଜେହେଲେ ।

ଓଡିଶାର ଭାଗ୍ୟାକାଶୁ ଯେତେ କ୍ଷଣ

ପର୍ଯ୍ୟନ୍ତ ତକୀଖାଁ ଧୂମକେତୁ ଭ୍ରମ ।

ପୁଚ୍ଛ ଅପସରି ନ ଯାଇଛି ତେବେ

ସେତେଦିନ ପରିଯନ୍ତ ଭାବ ଏବେ ।

ଶ୍ରୀ ମଣିମାମାନେ ସେଠି ଅବସ୍ଥାନ

କରିବେ ଏକଥା ନିଶ୍ଚୟ ପ୍ରଧାନ ।

ନିରଂକୁଶାଭୟ ସେ ଆଠଗଡ଼ରେ

“କରିବି ଘୋଷଣା ଯୁଦ୍ଧ ପୁଣିଥରେ ।

ଓଡିଶାର ସାର୍ବଭ୍ରୌମ ଶାସନର

ପ୍ରତିଷ୍ଠା ସକାଶେ ଏ ଶେଷ ସମର ।

ଏହାହିଁ ହୋଇବ ମୋର ଶେଷ ଯୁଦ୍ଧ

ଏଥିପାଇଁ ଗୁରୁ ମୁଁ ପ୍ରତିଜ୍ଞାବଦ୍ଧ ।

ଆଉ ଯନ୍ତ୍ରଣାର ଯା ଯୁଗ ଯୁଗର

ସାମରିକ ପରିସମାପ୍ତି ତାହାର ।

ବରୁଣେଇ କଟକରେ ନିଃସ୍ତବ୍ଧତା

ଛାଡି ଯାଇଥିଲା ଏକ ନିଃସଙ୍ଗତା ।

ପୁଣି ସେହି ହରୀଶ୍ୱର ମନ୍ଦିରରେ

ପୁରାତନ ପରିତ୍ୟକ୍ତ ଆସନରେ ।

ପ୍ରସ୍ତର ଚକାରେ ଠାକୁର ମାନଙ୍କ

ହେଲା ନିର୍ଦ୍ଧାରିତ ଆସନ ଛଟକ ।

ଏହାହିଁ ଶ୍ରୀଜୀଉଙ୍କର ଅଭିଳାଷ

ତାଙ୍କ ବିନା ଇଙ୍ଗିତରେ ଦୁବଘାସ ।

ଗଛର ପତର ପର୍ଯ୍ୟନ୍ତ ହଲେନା

ନହେଲେ କି ମିଆଁ ତକୀଖାଁ ବାହାନା ।

ଭଗ୍ନୀକୁ ବିବାହ ଦେଲା ପରେ ମଧ୍ୟ

ସଂଦେହ ଦୃଷ୍ଟିରେ ଦେଖେ ଯଥାସାଧ୍ୟ ।

ନଏକ ନଜୀମ ତକୀଖାଁକ୍ରମଣ

କରି ବିପର୍ଯ୍ୟସ୍ତ କରିବା କାରଣ ।

ସେପରି ବଧିର ନିର୍ଦ୍ଦେଶ ଲାଗୁଛି

ଘଟଣାକ୍ରମରେ ଜୀଉମାନେ ଇଛି ।

ହୋଇଣ ଚକଡ଼ା ଛଡ଼ା ପୁଣି ଥରେ

କରିବେ ପରିଭ୍ରମଣ ସ୍ଥାନାନ୍ତରେ ।

ତାଙ୍କର ହିଁ ଇଚ୍ଛା ଏସବୁ କେବଳ

ଦୈବ ବଳଠାରୁ ଅଧିକ କା ବଳ ।

ସେଦିନ ପ୍ରତ୍ୟୁଷେ ନଇରୀ ମଂଦିରେ

ଚକାସନୋପରେ ବିଜେହେଲା ପରେ ।

ମୁହୂର୍ତ୍ତ କେତୋଟି ପାଇଁ ଅବସରେ

ବସି ଯାଇଥିଲେ ଚତ୍ୱର ମଧ୍ୟରେ ।

ପରୀକ୍ଷା ପରମାନଂଦ ମହାପାତ୍ର

ପରୀକ୍ଷା ସେ ବିଷ୍ଣୁ ପଶ୍ଚିମ କବାଟ ।

କ୍ଳାନ୍ତି ଅପନୋଦନର କି ନିମନ୍ତେ

ବସିଥିଲେ ସର୍ବେ ନିତ୍ୟ ଅନୁଗତେ ।

ନିରାପଦ ନୁହେ ଅଧିକା ରହିବା

ଦିଅଁମାନେ ଏହିଠାରେ ସତେ ଅବା ।

ମୋଗଲ ଲସ୍‌କର ମାନେ ବାରମ୍ବାର

ଗସ୍ତକରୁଛନ୍ତି କହିଲେ ସର୍ଦ୍ଦାର ।

ଚିଲିକା ଗର୍ଭରେ ନୌକାଧରି ମଧ୍ୟ

କେତେବାର ପଇଁତରା ମାରି ସାଧ୍ୟ ।

କିଛିଦିନ ମଧ୍ୟରେ ଆଠଗଡ଼କୁ

ପ୍ରସ୍ଥାନ ନକଲେ ମଣିମାମାନଙ୍କୁ ।

ଏଠାରେ ରଖିବା ନୁହେ ନିରାପଦ

କହୁଥିଲେ ଦୁଃଖେ ସେ ପରମାନଂଦ ।

ସ୍ୱେଦ କଣିକାକୁ ପୋଛୁ ପୋଛୁ ଧିରେ

ଯାହା ଜମିଥିଲା ଉଦାସ ମଥାରେ ।

କହିଲେ ପରମଲକ୍ଷ୍ମୀ ରାଜଗୁରୁ

“ସବୁ ଅଧିକାର ଯାକ ସତେ ମେରୁ ।

ପରି ଓଡିଶାର ଭାଗ୍ୟ ଆକାଶରେ

ଘୋଟିଯାଇ ଭାଗ୍ୟ ରବିକୁ ଅଧାରେ ।

ରଖି ରାହୁଗ୍ରସ୍ତଦେଇ ଅଡ଼ି କରି

ଅବସାନ ନାହିଁ ଦୁଃଖର ଯେପରି ।

ଯୁଗ ଯୁଗ ଧରି ଓଡିଶା ଭାଗ୍ୟରେ

ଘନଘଟା ବଡ଼ମ୍ବନାର ମଧ୍ୟରେ ।

ଗଜପତି ରାଜ ସିଂହାସନ ପାଇଁ

ସ୍ୱଭ୍ରାତା କଂଦଳ ଅଛି ବାଂଧି ହୋଇ ।

ଷଡ଼ଯନ୍ତ୍ର ପାଇଁ ଛତ୍ର କ୍ଷମତାର

ଆଉ ସେହି ଘୋର ଅନ୍ତର ଦ୍ୱନ୍ଦ୍ୱର ।

ସୁବର୍ଣ୍ଣ ସୁଯୋଗ କରିଣ ଗ୍ରହଣ

ଓଡିଶାଗୌରବ କରିବାକୁ କ୍ଷୁର୍ଣ୍ଣ ।

ବିଦେଶୀଏ ତିଳ ତିଳ କରି କରି

କରି ଚାଲିଛନ୍ତି ଲୁଣ୍ଠନ ସବୁରି ।

ସତେ ଯେପରି ଏ ଜାତି ଇତିହାସେ

ଏକ୍ୟର ପ୍ରତିଷ୍ଠା ଯୋଗନାହିଁ ଦିଶେ ।

ଜାଣିକି ନାହାଁନ୍ତି ପ୍ରଭୁ ଜଗନ୍ନାଥ

ଏକଥାର ସବିଶେଷ ମୂଳତତ୍ତ୍ୱ ।”

ପରମ ଲକ୍ଷ୍ମୀଙ୍କ ଗଳା ବାଷ୍ପରୁଦ୍ଧ

ହୋଇ ଉଠିଥିଲା ଉତ୍କଣ୍ଠିତ ସାଧ୍ୟ ।

ସେବାୟତ ମାନେ ଗୁରୁଙ୍କ ବ୍ୟଥିତ

ବକ୍ତବ୍ୟକୁ ଚିତ୍ତେ ଯା ବେଦନାସିକ୍ତ ।

କରୁଥିଲେ ଅନୁଭବ ହାଡ଼େହାଡ଼େ

ସକାଳର ସୂର୍ଯ୍ୟ ଚକ୍ରବାଳ ଆଡେ ।

ଦିଗ୍‌ବଳୟ ଭେଦି ଚିଲିକା ଉତ୍ପଳ

ବକ୍ଷେ ବାୟୁ ବିକ୍ଷୋଭିତ ଉର୍ମିମାଳ ।

ଗର୍ଜନ କରିଣ ଯେପରି ଗଭୀର

ନିଃଶ୍ୱାସରେ କରୁଥିଲେ ହାହାକାର ।

“ଏ ପର୍ଯ୍ୟନ୍ତ ନୀତି ଆରମ୍ଭ ହୋଇନି

ହରି ଛିଡା, ହୋଇ କହିଲା ବଖାଣି ।

ତେଣେ ମଂନ୍ଦିରର ପୁରୋହିତ ନୀତି

ସାରି ସବୁ ଅପେକ୍ଷା କରିଅଛନ୍ତି ।

ପରମଲକ୍ଷ୍ମୀଙ୍କ ସ୍ୱ ପାଦ ଦୁଇଟା

ଯେପରି ଅବଶେ ଫୁଲି ଥଲା ମୋଟା ।

ଗ୍ଳାନି ଓ କ୍ଳାନ୍ତିରେ ତାଙ୍କର ଶରୀର

ହୋଇପଡିଥିଲା ଅଥର୍ବ ଅଚଳ ।

ଉଦାର କଂଠରେ ରାଜଗୁରୁ ଉାଷି

“ନୀତି ଆୟୋଜନ କର ସର୍ବେ ମିଶି ।

ଓଡିଶାର ରଷ୍ଟ୍ରଦେବତା ମଂଦିର

ତ୍ୟାଗୀହୋଇଛନ୍ତି ସତ୍ୟ ଏହି ଗିର ।

ତ୍ୟାଗୀ ହେବେ ନାହିଁ କେବେ କିନ୍ତୁନୀତି

ସମାପନକର ମଂଗଳ ଆଳତି ।

ପରବର୍ତ୍ତୀ ଆୟୋଜନର ଉଦ୍ୟମ

କରୁଛି ନୀତିର କର ଆୟୋଜନ ।

ତହିଁରେ ବି ବରୁଣେଇ କଟକକୁ

ପଡିବ ବାରତା ହିଁ ପଠାଇବାକୁ ।

“ରାମଚନ୍ଦ୍ର ଦେବ ଉତ୍କଣ୍ଠିତ ଭାବେ

ଆମ ବାର୍ତ୍ତାକୁ ପ୍ରତୀକ୍ଷା କରିଥିବେ ।”

ନିଜ ନିଜ ସ୍ନାନ ଶୌଚରେ ତତ୍ପର

ହୋଇଣ ପଡିଲେ ସେବାୟତ ଦଳ ।

ରାଜଗୁରୁ ସେହିଠାରେ ବସି ରହି

ଚଲିକାର ବିକ୍ଷୋଭିତ ବକ୍ଷେ ଚାହିଁ ।

ରହିଥିଲେ ପ୍ରାଣରେ ଦେଦନାସିକ୍ତ

ଭାବି ବହୁ କଥା ନ ପାଇଣ ଅନ୍ତ ।

ବାଣପୁର ରଜାଙ୍କ ହସ୍ତ ଲିଖିତ

ପତ୍ରଧରି ଯାଇଛଂତି ରାଜଦୂତ ।”

ଆଠଗଡ ରାଜ୍ୟେ, ରାଜଗୁରୁଙ୍କର

କେରାଏ ଉଠିଲା ଫୁଟିଣ ହସର ।

ଅବସାନ ପରେ ସକଳାତୁରତା

ହେବ ଗଜପତି ସୁରକ୍ଷା ବ୍ୟବସ୍ଥା ।

କହିଲେ ପରମଲକ୍ଷ୍ମୀ ରାଜଗୁରୁ

ଆରେ ହରି ଜୀଉମାନଙ୍କ କୃପାରୁ ।

“ତୋ ଜୀବନ ଧନ୍ୟ ହୋଇ ଯାଇଅଛି

ପ୍ରଭୁଙ୍କର ସେବା କରିବା ମିଳିଛି ।

ଓଡିଶାର କେଉଁ କୋଣେ ପ୍ରଭୁଙ୍କର

ସେବକ ହୋଇବା ନିମନ୍ତେ ତୁ ତୋର ।

ଚିହ୍ନିତ ହୋଇଣ ରହିଥିଲୁ ହରି

ଶ୍ରୀ ଜୀଉମଣିମାଙ୍କର ସେବାକରି ।

ଏ ଳୀଳାବିଳାସ ବେଳେ ମଣିମାଙ୍କ

ତୋର ଐକାନ୍ତ୍ରିକ ଦୃଢ଼ ନିଷ୍ଠା ଯାକ ।

ଏ ଜାତିର ମର୍ମ ଇତିହାସ ପୃଷ୍ଠା

ମଣ୍ଡନ କରିବ ବହି ତୋର ନିଷ୍ଠା

ସେହି ଇତିହାସ ପଣ୍ଡିତେ ଲେଖିବେ

ନାହିଁ, କେବେହେଲେ ଜାଣି ଜାଣି ଭବେ ।

ସେଇ ଇତିହାସ ରହିଥିବ ଖାଲି

ଜନତା ମାନସ ମନ୍ଥନରେ ଦଳି ।

ଭକ୍ତିର ଭାସ୍ୱର ଲିପିରେ ଦୃଢ଼ରେ

କାଳକାଳ ପାଇଁ ଅନ୍ତର ଭିତରେ ।”

ମୁଗ୍ଧ ନୟନରେ ପରମ ଗୁରୁଙ୍କୁ

ଚାହୁଁଥିଲା ହରି ମୁଖମଣ୍ଡଳକୁ ।

ସ୍ନାନାନ୍ତରେ ଜୀଉ ମାନଂକ ସମ୍ମୁଖେ

ଜଣ ଜଣ ହୋଇ ପ୍ରଣାମ ସେବକେ ।

ନିବେଦନ କରିଥିଲେ ପଦ୍ମପାଦେ

ପାଣିପାଦ ଯାର ନାହିଁ, ଜନ ହୃଦେ ।

ଗ୍ରାମଗ୍ରାମାନ୍ତରୁ ଅଗଣିତ ସ୍ରୋତ

ଜନତାର ଛୁଟିଥିଲା ବିଳମ୍ବିତ ।

ପ୍ରହରେ ମଂଦିର ହରିଶ୍ୱର ଆଡେ

ଦରଶନ ପାଇଁ ପାଦ ପଦ୍ମତଳେ ।

****

ବାଣପୁର ରାଜା ମନ୍ତ୍ରଣା କକ୍ଷରେ

ସେଦିନ ଗମ୍ଭୀରେକ ପରିବେଶରେ ।

ହୋଇଥିଲା ସଭା ମନ୍ତ୍ରଣାନୁଷ୍ଠିତ

ରାଜନ ହରିଚନ୍ଦନ ଜଗନ୍ନାଥ ।

ବିଷ୍ଣୁ ମର୍ଦ୍ଦରାଜ ଥିଲେ ସଭାସ୍ଥଳେ

ଉପସ୍ଥିତ ରହି ସେ ଆଲୋଚନାରେ ।

ଶାନ୍ତ ସ୍ଥବ୍ଧ ପରିବେଶରେ ଆରମ୍ଭ

କଲେ ମର୍ଦ୍ଦରାଜ ଦେଖାଇଣ ଦମ୍ଭ ।

“ଆଠଗଡ଼ ରାଜା ଶ୍ରୀ ହରିଚନ୍ଦନ

ଧନଂଜୟ ବାର୍ତ୍ତା ଦେଇଛନ୍ତି ଶୁଣ ।

ଶ୍ରୀ ମଣିମାମାନେ ଖୁରୁଧା ରାଜ୍ୟର

ନିରାପତ୍ତା ପ୍ରାପ୍ତି ଯାଏ ଆଠଗଡ ।

ରାଜ୍ୟେ ଅବସ୍ଥାନ କରିବେ ନିଶ୍ଚୟ

ଖୁରୁଧାର ରାଜ ପରିବାର ଚୟ ।

ସବୁ ଆଠଗଡେ ଅତିଥି ହୋଇବେ

ଆମନ୍ତ୍ରଣ ପତ୍ର ଯତନେ ପଢିବେ ।

ଏଥିମଧ୍ୟେ ହାତୀବାରୀ ପହାଡର

ସନ୍ନିକଟବର୍ତ୍ତୀ କୌଣସି ନିବିଡ ।

ଅରଣ୍ୟ ମାରଦା ଠାରେ ଶ୍ରୀ ମଣିମା

ମାନଙ୍କର ନିତ୍ୟ ପୂଜା ଅରଚନା-

ସକାଶେ ମନୋଜ୍ଞ ମନ୍ଦିର ନିର୍ମାଣ ।

-ଆରମ୍ଭ ହୋଇଛି କାର୍ଯ୍ୟ ସୁନିପୁଣ

ରାଜ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ନିର୍ମିତ ।

ହୋଇବ ମଂଦିର ନିର୍ମାଣ ଏ ସତ୍ୟ

****

ତତ୍ୱ ଅବଗତ କରୁଛଂତି ନର -

-ପତି ସ୍ୱୟଂ ଧନଂଜୟ ବୀରବର

ସଭାସ୍ଥଳରେ ନିରାବତା ଗଂଭୀର

ପ୍ରସରି ଯାଇଥିଲା ଆଶ୍ୱାସନାର ।

ବିଷ୍ଣୁ ମର୍ଦ୍ଦରାଜଙ୍କ ବକ୍ତବ୍ୟ ପରେ

ପ୍ରଶାନ୍ତ ପରିବେଶ କକ୍ଷ ମଧ୍ୟରେ

ରାଜା ଶ୍ରୀ ଜଗନ୍ନାଥ ହରିଚନ୍ଦନ

ପଚାରିଲେ ତାହାଙ୍କ ହରଷମନ

କେବେ ଶ୍ରୀ ମଣିମାଙ୍କ ବିଜେ ଉତ୍ସବ

ହୋଇବ ଅନୁଷ୍ଠିତ ହେ ଗୁରୁଦେବ ।

ବହୁତ ଚିନ୍ତାକରି ସେ ରାଜଗୁରୁ

କହିଲେ ଶ୍ରୀ ଜୀଉଙ୍କ ଦୟା କୃପାରୁ

ମଂଦିର କାର୍ଯ୍ୟ ହେବାପରେ ସଂପୂର୍ଣ୍ଣ

ଆଠଗଡ଼ରେ କାର୍ଯ୍ୟ ହୋଇବ ଭିନ୍ନ ।

ଚକଡ଼ା ଛଡ଼ା କଥା କରିବା ଚିନ୍ତା

ତକୀଖାଁ କରିଅଛି ବଡ ଅହନ୍ତା ।

ଯଦି ଆକ୍ରମଣର ମିଳେ ସୂଚନା

ଆବଶ୍ୟକ ପ୍ରସ୍ଥାନ ଏଠାରୁ କି ନା?

ଏଥି ଭିତରେ ବରୁଣେଇ କଟକ

ସହିତ କିଛି ଯୋଗସୂତ୍ର ସଂପର୍କ

ରଖିବା ହୋଇ ନାହିଁ ସମ୍ଭବପର

ସାମନ୍ତ ମହାଶୟ ଏ ସତ୍ୟ ଗିର ।

ଯୋଗ ସୂତ୍ର ରଖିବା ଉପାୟ ସ୍ଥିର

କରିବା ଜରୂରୀ ହେ ଖରାପ ବେଳ

ବରୁଣେଇକି ଯାତ୍ରାକରିବା ପାଇଁ

କାହାକୁ ପଠାଇବା ବିଚାର ଭାଇ

ରାଜା ଚାହିଁଲେ ଧିରେ ହରି ଆଡ଼କୁ

ବିଶ୍ୱସ୍ତ ପାଇକ ସେ ପାଏ ମନକୁ ।

ସମସ୍ତଙ୍କର ଦୃଷ୍ଟି ତାରି ଉପରେ

ଅଜାଡ଼ି ହୋଇ ପଡିଥିଲା ସେଠାରେ

ଆତଙ୍କିତ ଆସନ୍ନ ଆକ୍ରମଣର

ସ୍ଥିତି ବିପଦ ମଧ୍ୟରେ ଆଶଙ୍କାର

କିଏ କିପରି ଯିବେ ବରୁଣେଇକୁ

ଗଜପତି କେଉଁଠାରେ ଭେଟିବାକୁ

ବିଜେ ହୋଇ ପୂର୍ବରୁ ଆଠଗଡ଼କୁ

ମଣିମାମାନେ, ରାମଚନ୍ଦ୍ର ଦେବଙ୍କୁ

ଯୋଗାଯୋଗ ଜରୂରୀ ଅଟେ ଅତ୍ୟନ୍ତ

ତେଣୁ ବିଚାରୁଛନ୍ତି ସର୍ବ ମହତ

“ଆଶପାଶରେ ବର୍ତ୍ତମାନ ଖୁରୁଧା

ଯୁଦ୍ଧର ଘନଘଟା ବିରାଟ ଧଂଦା

ନାଏବ ନାଜୀମ ତକିଖାଁ ହୁଏତ

ବର୍ତ୍ତମାନ ସୈନ ଚାଳନା କରିତ

ବରୁଣେଇ କଟକରେ ଅବରୋଧ

କରିଥିବେ ଲବେ ହୋଇ ମୁଷ୍ଟିବଦ୍ଧ ।

ମୋଗଲ ଲସ୍‌କର ମାନଙ୍କ ଆଖିରୁ

ନିଜକୁ ସଂଦେହ ମୁକ୍ତ ରଖି ଦୂରୁ ।

କୁଶଳତା ସହ ପ୍ରତିବନ୍ଧକକୁ

ସବୁ ଅତିକ୍ରମ କରି ହରି ପାଖୁ

କେବଳ ନିର୍ବଘ୍ନେ ଏ ଗୁରୁ ଦାୟିତ୍ୱ

ସଂପନ୍ନ କରି ପାରିବ ଏହା ସତ

ଏଣୁ ହରି ଯିବସେ ବରୁଣେଇକୁ

ଗଜପତି ସହ ଦେଖାକରିବାକୁ

ଶ୍ରୀ ଜୀଉ ମଣିମା ମାନ ରକ୍ଷା ପାଇଁ

ରାଜାଙ୍କ ଗୌରବ ବରଧନ ପାଇଁ

ଓଡିଶା ଗର୍ବର ପ୍ରତିଷ୍ଠା କରିବା

ପାଇଁ ବରୁଣେଇ କଟକକୁ ଯିବା ।

କରିବି ହେ ରାଜଗୁରୁ ମହୋଦୟ

ଦିଅନ୍ତୁ ଆଶୀଷ ହରି କଲା ଥୟ”

ମହାପ୍ରଭୁ ଜଗନ୍ନାଥ ହିଁ ଭରସା

ମୋ ଫେରନ୍ତା ପଥେ କରିଥିବେ ଆଶା ।

ପ୍ରତୀକ୍ଷା କରିବେ ଫେରିବା ପର୍ଯ୍ୟନ୍ତ

ମଣିମା ମଂଦିରେ ଥିବେ ଅଧିଷ୍ଠିତ

ପ୍ରତ୍ୟୁଷେ ଆସନ୍ତା କାଲି ଯିବିତେବେ

ଗଜପତିଙ୍କର ସଂଧାନ ପାଇବେ

ଆଖିବୁଜି ଅଭିନିବିଷ୍ଟ ଭାବରେ

କେଉଁ ଏକ ସୁଗଭୀର ଭାବନାରେ ।

ରାଜଗୁରୁ ମହାପାତ୍ର ଚାହିଁଉଚ୍ଚେ

ଯାଇଥିଲା ନିସ୍ତବ୍ଧତା ମାଡ଼ି ସଚ୍ଚେ ।

ବରୁଣେଇ କଟକର ନିକଟରେ

ଅଶ୍ୱରୁ ଅବତରଣ କେତେ କଲେ ।

ମୋଗଲ ଲସ୍‌କର, ଲସକର ଜଣେ

ଅଶ୍ୱରୁ ପୃଷ୍ଠଭାଗୁ ଅବତରଣେ ।

ଜଣେ ବୃତ୍ତିଧାରୀ ମାଧୁକରୀ ଭୂମି -

-ଉପରେ ଦଣ୍ଡାୟମାନ ହେବାକ୍ଷଣି ।

କହିଣ ଉଠିଲେ ଜୟ ଜଗନ୍ନାଥ

ତୁମ୍ଭ ଇଚ୍ଛାପୂର୍ଣ୍ଣ ହେଉ ଆହେନାଥ ।

ଦରବେଶ ବାନା ଅଂଦରକୁ ଚାଲେ

ନାଏବ ନଜୀମ ଅଂଦର ମହଲେ ।

ସେଠି ତାହାକୁ ମୁଲାକାତକରିବ

ଯାହା କୁହା କଥା ସବୁ କହି ଦେବ ।

ନାଏବ ନଜୀମ ପାଶରେ ମୋ କାମ

କିଛି ନାହିଁ ସାଧୁକହି ଚମକିଣ ।

ଆସିଥିଲି ଗଜପତି ନିକଟକୁ

ଦୁଇ ପଦ କଥା କହିଥାନ୍ତି ତାଂକୁ ।

ଶ୍ରୀକ୍ଷେତ୍ର ପୁରୀକି ଯିବି ତାହାପରେ

ଦର୍ଶନ କରିବି ପ୍ରଭୁଙ୍କୁ ସେଠାରେ ।

ଦରବେଶ ସାଧୁ ଅଂଦର ମହଲେ

ଧିରେ ପରିବେଶ କରି ସାରିଥିଲେ ।

ପରିଷଦ ବୈଠକରେ ଗର୍ବୋନତ

ମଥାତୋଳିଣ ଯେଉଁ - ଶ୍ମଶ୍ରୁ-ମଣ୍ଡିତ ।

ସୌମ୍ୟ ପୁରୁଷ ଜଣେ ଅର୍ଦ୍ଧଶୀୟିତ

ବେପରୁଆ ଭଂଗୀରେ ସେ ଉପସ୍ଥିତ ।

ଲାଗିରହିଥିଲେ ଚଉକି ଉପରେ

ପହଂଚି ସର୍ଦ୍ଦାର ଲସ୍‌କର ସେଠାରେ ।

ସଲାମ୍‌ ଠୁଙ୍କିଲେ ଅତି ହରଷରେ

ତକିଖାଁ ବିସ୍ମୟ ଚକିତ ଦୃଷ୍ଟିରେ ।

ସହସା ପଚାରିଲେ ଚାହିଁ ସାଧୁଙ୍କୁ

ମକରମ ମିଆ ଏ କିଏ ଆମ୍ଭଂକୁ ।

କହ କିଏ ଏହି ସାଧୁ ଦରବେଶ

କେଉଁଠାରେ ଛନ୍ତି ତୁମ ହୃଷିକେଶ ।

କେଉଁଠି ରାଜନ ରାମଚନ୍ଦ୍ର ଦେବ

ପାଳୁଛନ୍ତି ଆତ୍ମଗୋପନ ପରବ?

ଗର୍ବିତ ଓ ଅବନମିତ ଭଂଗିରେ

ଦଣ୍ଡାୟମୀନ ରେ ସାଧୁକହିଥିଲେ ।

“ନାଏବ ନାଜୀବ ତକିଖାଁ ଆପଣ

ଯହିହୋଇଥାନ୍ତି, ତେବେସେହି ପ୍ରଶ୍ନ ।

ମୁଁ ଆପଣଙ୍କୁ ପଚାରିବାର କଥା

କେଉଁଠି ଅଛନ୍ତି ରଷ୍ଟ୍ରର ଦେବତା?

ଅଧିଷ୍ଟିତ ବିଧି ସଂଗତ ଶ୍ରୀକ୍ଷେତ୍ର

ଗଜପତି ରାମଚନ୍ଦ୍ରଙ୍କୁ ସାକ୍ଷାତ ।

କରିବାକୁ ଆସି ଭେଟୁଛି ନବାବ

ତକୀଖାଁକୁ ଏଠି ହେଲା ଉପଦ୍ରବ ।

ତାହା ହେଲେ ରାଜା ଏବରୁଣେଇରେ

ନାହାନ୍ତି ନବାବ ସାହେବ? କୋଠାରେ ।

ଗଜପତିଙ୍କର ଅବର୍ତ୍ତମାନରେ

ସୌନ୍ଦର୍ଯ୍ୟ ମଉଳି ପଡ଼େ ଏହିଠାରେ ।

ଶୋଭାପାଏ ଯିଏ ଯାହାକୁ ତାହାତ

ଭଗବାନଙ୍କର ଦ୍ୱାରା ନିରୁପିତ ।

“ତକିଖାଁ ଗମ୍ଭୀରେ ଗରଜି ଉଠିଲେ

ଏଠାକୁ କାହିଁକି ଆସିଥିଲ ଭଲେ ।

ସାଧୁ ଦରବେଶ ତୁମ ଗଜପତି

ରାମଚନ୍ଦ୍ର ଦେବ ବିଶ୍ୱାସୀ ନୁହନ୍ତି ।

ବିଶ୍ୱାସ ଘାତକ ଶବ୍ଦ ତାଙ୍କପାଇଁ

ଠିକ୍‌ ହେବ ସାଧୁ ଶୁଣ ମନ ଦେଇ ।

ଅପବିତ୍ର ସଂସ୍କରଣ ବିଧର୍ମୀର

କାଫେର ନାମରେ ବୋଲନ୍ତି ମୋଗଲ ।

ବର୍ତ୍ତମାନ ଖୋର୍ଦ୍ଧା ରାଜ୍ୟ ଅଧିପତି

ନାଏବ ନାଜୀମ ତକିଖାଁ ସଂପ୍ରତି

ଠାକୁର ଶ୍ରୀଜଗନ୍ନାଥ କେଉଁଆଡେ

ତୁମର ପଳାଇ ଅଛନ୍ତି କା ଡ଼ରେ?”

ଗର୍ବୋନତ ଭଂଗୀରେ ସାଧୁ କହିଲେ

ଆସିନାହିଁ କରି ଇଚ୍ଛା ଏ ସ୍ଥାନରେ ।

ଆପଣଙ୍କ ଲସକରମାନେ ମୋତେ

ଆଣିଛନ୍ତି ଧରି ଯାଉଥିଲି ବାଟେ ।

ସେ ବଳପୂର୍ବକ, ପଚାରନ୍ତୁ ତାଂକୁ

ଆସିଥିଲି ଭେଟିବାକୁ ରାଜନଙ୍କୁ ।

ବରୁଣେଇ କଟକରେ ଆପଣଙ୍କୁ

ଭେଟିବା ର୍ଦୁଭାଗ୍ୟ ମିଳିଛି ଆମ୍ଭଂକୁ ।

ଆଉମଧ୍ୟ ଶୁଣ ଆହେ ଗଡ ଗଡା

ଯଦିଶ୍ରୀ ଜଗନ୍ନାଥ ଚକଡ଼ା ଛଡ଼ା ।

ହୋଇଥାନ୍ତି ସ୍ଥାନାନ୍ତରୀତ ତେବେ ବି

ପରମ ସୋ÷ଭାଗ୍ୟ ହୋଇଛି ଭାବିବି ।

ଜଣେ ଧର୍ମଅଂଧ ବିଧରମୀ ଦ୍ୱାରା

ଅପବିତ୍ର ହୋଇ ନାହାଁନ୍ତି ସେ ପରା ।

ଯୁଗେଯୁଗେ ଧର୍ମ ଗ୍ଳାନି ନିବାରଣ

ପାଇଁ ଅବତାର କରନ୍ତି ଗ୍ରହଣ ।

ପ୍ରଭୁ ଭଗବାନ ପ୍ରାୟପ୍ରତି ଯୁଗେ

ବିଧର୍ମୀ ସଂହାର କରିଥାନ୍ତି ବେଗେ ।

ଦୁରାଚାରୀଙ୍କ ଦୌରାତ୍ମ୍ୟ ଦୁଃଖାବହ

ଖୋର୍ଦ୍ଧା ଆକ୍ରମଣ କରି ରାଜ୍ୟଜୟ ।

କରିଥାଇପାରି ଥାଆନ୍ତି ଆପଣ

କିନ୍ତୁ ହୃଦ ଜୟ ତୁମ୍ଭଙ୍କୁ ସପନ ।

କାମୋନ୍ମାଦ ହୋଇ ଧର୍ମାଂଧ ମୋଗଲ

କରିଛନ୍ତି ହିଂଦୁ ନାରୀ ବଳାତ୍କାର ।

କିଂତୁ ଦେଖ ଆଖି ଖୋଲି ହେ ନବାବ

ହିଂଦୁ ଗଜପତି ସେ ମହାନୁଭବ ।

ଉଦାର ଓ ମହନୀୟତାରେ ପ୍ରୀତେ

ଉଚ୍ଚରେ ଅଛନ୍ତି ତୁମଠାରୁ କେତେ ।

ଯବନ ଦୁହିତା ରେଜିୟା ସଦୟ

ହୃଦୟକୁ କରି ହୃଦୟରେ ଜୟ ।

ତାପରେ ସେକଲେ ତା ପାଣି ଗ୍ରହଣ

ଏହା ମୋଗଲଙ୍କ ଧର୍ମାଂଧ ସପନ ।

ଏହା ଅଟେ ହିଂଦୁତ୍ୱର ପାରାକାଷ୍ଠା

ମହାର୍ଘ ସଂସ୍କୃତି ଐତିହ୍ୟର ବାର୍ତ୍ତା ।

ମୋଗଲ ଧର୍ମାଂଧ ନଗ୍ନ ଆକ୍ରମଣ

ଫଳକୁ ଅବଶ୍ୟ ଭୋଗିବେ ଆପଣ ।

ନାଏବ ନଜୀମ ତକିଖାଁ ସାହେବ

ମନେ ରଖିଥାଅ ମୋର କଥା ସର୍ବ ।

ଧନ ଯଉବନ କ୍ଷମତା ପାଣିର

ଗାର ପରି ମିଥ୍ୟା, ସକାଳଶିଶିର ।

ପରି ସେ କ୍ଷଣିକ ଏ ଭବ ସଂସାରେ

ଏହା ପଢ଼ ଖୋଲି ଧରମ ଶାସ୍ତ୍ରରେ ।

ଆହତ ଶାର୍ଦ୍ଦୁଳ କରାଳ ଚକ୍ଷୁରେ

ଡ଼େଇଁ ପଡିଲେ କି ତକିଖାଁ ଉପରେ ।

କେତୋଟି ମୁହୂର୍ତ୍ତ ସାଧୁଙ୍କର ଆଡେ

ଚାହିଁ ବକିନେଲା ଇଚ୍ଛା ଅନୁସାରେ ।

ତୁମ ଧର୍ମ କ’ଣ ଅଂଧ ନୁହେ ସାଧୁ?

ଅଯଥା ଆମର ଧରମକୁ ନିଂଦୁ

“ସନାତନ ଧରମର କଣ ଅନ୍ୟ

ଧର୍ମ ପ୍ରତି ନାଉଁ ବିଦ୍ୱେଷ ଚିନ୍ତନ ।

ହାତ ଦେଇ ତୁମେ ଛାତିରେ ଏହାକି

ଦରବେଶ ସାଧୁ କହି ପାରିବକି?”

ସନାତନ ଧରମରୁ ସବୁ ଧର୍ମ

ସୃଷ୍ଟି ହୋଇଅଛି ଜାଣକି ନଜାଣ?

ଅନ୍ୟନାମ ହିଂଦୁ ଧରମ ଏହାର

ସନାତନୀ ଉପାସନା ମଧ୍ୟ ପୀର ।

କରେ, ଭଗବାନ ଉପାସନା ସଂଗେ

ଅସ୍ୱୀକାର କରି ପାରିବକି ଆଗେ ।

ପୀରଂକର ପ୍ରତି ଗଭୀର ଭକତି

କାରଣରୁ ହିଂଦୁ ସମାଜରେ ପ୍ରୀତି ।

ସତ୍ୟପୀର ପୂଜା ହୁଏ ଅନୁଷ୍ଠିତ

କିଂତୁ କେଉଁ ଧର୍ମେ ଅଛି ୟା କହତ ।

ଅନ୍ୟ ଧରମରେ ଧର୍ମ ସନାତନ

ପ୍ରତି ଦୃଷ୍ଟି ଭଂଗୀ ବିଚିତ୍ର ପ୍ରମାଣ,

ଦୃଷ୍ଟିଭଂଗୀ ଯେଉଁପରି ଲୁହାବାଡ଼

ଏହାହିଁ ସୂଚିତ କରେ ନି କି ବଡ଼?

ସନାତନ ଧରମର ବିଶାଳତା,

ଏପରି ନାଏବ ତକୀଖାଁ ଜାଣିଥା ।”

ତକିଖାଁ ମଉନ ସେଠି ହୋଇଗଲେ

ସାଧୁଙ୍କ ଅକାଟ୍ୟ ଯୁକ୍ତି ବକ୍ତବ୍ୟରେ ।

ସହସା ଦୁର୍ଭିକ୍ଷ ପ୍ରପୀଡ଼ିତ ହେଲା

ତାଙ୍କ ଭାଷା ଭାବ ଜଣାପଡୁଥିଲା ।

ତକିଖାଁ ବିବର୍ଣ୍ଣ ମୁଖ ମଣ୍ଡଳରେ

ଅସହାୟ ଭାବେ ଚାହିଁ ରହିଥିଲେ ।

ଗର୍ବିତ ମସ୍ତକ ଦୀପ୍ତ କାନ୍ତି ଏହି

ସାଧୁବର ବେଶେ ଛାନିଆ ସେ ହୋଇ ।

ସବୁ ମତ ସବୁ ପନ୍ଥର ଆଧାର

ପ୍ରଭୁ ଜଗନ୍ନାଥ ଅଟନ୍ତି ଆମର ।

ଧର୍ମଭାବନାର ବିଶ୍ୱଜନୀନହିଁ

ଅନନ୍ୟ ଚେତନା ତାଂକୁ ବିଷ୍ଣୁ କହି ।

କିବା କେବେ ଅବମାନନା କରିବା

ବିଶ୍ୱ ଦେବତାଂକୁ ଅପମାନ ଦେବା ।-

-ଅର୍ଥ ଆତ୍ମଘାତୀ ଅବଲମ୍ବନକୁ

ବରଣ କରିବା ମୃତ୍ୟୁହିଁ ପାଖକୁ ।

ଧର୍ମାଧଂତା ପରିହାର କରି ଦେଖ

ଓଡିଶାର ଏହି ଧର୍ମନିରପେକ୍ଷ ।

ଏ ରାଷ୍ଟ୍ର ଦେବତା ଶ୍ରୀ ଜଗନ୍ନାଥଙ୍କୁ

ସଲାମ କରନ୍ତି ଦିନରାତି ତାଙ୍କୁ ।

ବିଶ୍ୱପ୍ରେମୀ ଗଜପତିଙ୍କର ପ୍ରତି

ବୈରଭାବ ପରିହାର କରିବାଟି ।

ଏହା ଜୟଯାତ୍ରା ହେବ ଆପଣଙ୍କ

ଆଶଂକା ତୁଟିବ ହୋଇବ ନିଃଶଂକ ।

ପ୍ରତ୍ୟୁତ୍ତରେ ତାର ପ୍ରତୀକ୍ଷା ନ କରି

ଦୃପ୍ତ ପଦେ ଗଲେ ସେଠାରୁ ବାହାରି ।

ସ୍ତବଧ ଚକିତ ତକିଖାଁ ହୋଇଲା ।

ସାଧୁ ଦରବେଶେ ଖାଲି ଦେଖୁଥିଲା

ଦୃପ୍ତ ପ୍ରସ୍ଥାନର ଗତିକୁ କେବଳ ।

ଚାହିଁ ରହିଥିଲା ଜଳକା ପାଣ୍ଡୁର

ଉଦ୍ଦାମତା ପାଶ୍ୱର୍ ପରିକରଙ୍କର ।

କାଉଁରୀ ସ୍ପର୍ଶରେ ହୋଇଲା ଶୀତଳ

ଗଡସୀମା ବାହାରକୁ ସାଧୁ ଆସି ।

ଝଂକାଳିଆ ଆମ୍ବ ଗଛ ମୂଳେ ବସି

ଦୂର ଦିଗ୍‌ବଳୟ ଆଡ଼କୁ ଚାହିଁଲେ

ମଧ୍ୟାହ୍ନର ସୂର୍ଯ୍ୟ ଥିଲା ଶୀର୍ଷ ଚୁଳେ ।

ସହସା କାହାର ମୃଦୁ ସାଂକେତିକ ।

ଆହ୍ୱନରେ ସାଧୁ ହୋଇଲେ ସଶଂକ

ସ୍ତବଧ ଚକିତ ହୋଇଣ ଚାହିଁଲେ ।

ଗଡଖାଇ ଭେଦି ଅନତିଦୂରରେ

ଗୋପନୀୟ ରଖି ନିଜକୁ କେଜଣେ ।

ଅଜ୍ଞାତ ମାନବ ଡ଼ାକେ ପ୍ରତିକ୍ଷଣେ

ପାଦେ ପାଦେ କରି ଆଗେଇ ଆଗେଇ ।

ସାଧୁ ପଚାରିଲେ ନିକଟରେ ଯାଇ

ଆହ୍ୱାନ କାରୀର ପହଂଚି ନିକଟେ ।

ଉଲ୍ଲାସିତହୋଇ ଉଠିଲେ ତଟସ୍ଥେ

ଏଣେ ବରୁଣେଇ ଗଡ଼ର ପାଇକ ।

ଅନୁଚର ସେଇ ଶ୍ରୀଗଜପତିଙ୍କ

ସୁଦୀପ୍ତ ଦୃଷ୍ଟିରେ ସାଧୁଙ୍କୁ କେତୋଟି

ନିରୀକ୍ଷଣ କଲାପରେ ପାଇକଟି ।

କହିଲା ହେସାଧୁ ତୁମେ ସ୍ୱୟଂହରି

ବାକିନାହିଁ ଜାଣିବାକୁ ଏହିପରି ।

ଏ ସାଧୁବେଶରେ ଏ ବରୁଣେଇରେ

ନୁହେଁ ନିରାପଦ କେବେ ହେଁ ଏଠାରେ ।

ବର୍ତ୍ତମାନ କହ ହେ ସଦେଇ ଭାଇ

ଗଜପତିଙ୍କର ଖବର କି ନାହିଁ ।

କେଉଁଠି ଅଛନ୍ତି ଅଛନ୍ତି କିପରି

କେବେସେ ତକୀଖାଁ ଅକ୍ରମଣ କରି ।

ଗଡ ଅଧିକାର କରିନେଲା ମାରି

ସଦେଇ ନିର୍ଦ୍ଦେଶ କଲାତା ଅଂଗୁଳି ।

“ଗଜପତି ଏବେ ଖୁରୁଧା ଜଂଗଲେ

ବନବାସୀ ଏବେ ସ୍ୱ ମାତୃଭୂମିରେ ।

ସଂଗ୍ରାମରେ କୃଚ୍ଛ୍ର ସାଧନା ଅଖଣ୍ଡ

ସାଧକସେ ଏକ ନିଷ୍ଠ ପରଚଣ୍ଡ ।

ଆମେ କେତେଜଣ ବିଶ୍ୱସ୍ତ ପାଇକ

ନିବିଡ଼ ଅରଣ୍ୟେ ସେ ଗଜପତିଙ୍କ ।

ରହି ସୁଯୋଗର କରୁଛେ ଆହ୍ୱାନ

ପରବର୍ତ୍ତୀ ଯୋଜନାକୁ କରି ଧ୍ୟାନ ।

ଉଦାର ଆଖିରେ ହରି ବରୁଣେଇ

କଟକ ଗଡକୁ ଚାହିଁଲା ନିଠେଇ ।

ର୍ଦୁଭାଗ୍ୟ ପ୍ରତୀକ ଖଣ୍ଡିତ ବାଂଛିତ

ଚନ୍ଦର ଲୋହିତ ପତାକା ଲାଂଛିତ ।

ବରୁଣେଇ କଟକର ଅଂଗନରେ

ଫର ଫର ଉଡ଼ୁଥିଲା ପବନରେ ।

ଲ୍‌ତାଗୁଳ୍ମ ଆଛାଦିତ ମୁଣ୍ଡିଆରେ

ଗୋଟିଏ ପ୍ରଶସ୍ତ ଗୁଂଫାର ଦୁଆରେ ।

ଖୁରୁଧା ଜଂଗଲେ ବସି ଗଜପତି

ଚନ୍ତାକୁଳ ହୋଇ ଥିଲେ ମୁଣ୍ଡପୋତି ।

ଓଡିଶା ର୍ଦୁଭାଗ୍ୟ ରାହୁ ଗ୍ରସ୍ତ କ୍ଷୁର୍ଣ୍ଣ

ଗଜପତି ରାଜା ମୁଖଶ୍ରୀ ବିଷର୍ଣ୍ଣ ।

ଅଦୂରରେ କେତେକ ପାଇକ ଢ଼ାଲ

ତରବାରୀ ଧରି ଯୁଦ୍ଧ ପରସ୍ପର ।

କରୁଥିଲେ ଡେଇଁ ସମର ଅଭ୍ୟାସ

ବେଳେ ବେଳେ ତରବାରୀର ସଂଘର୍ଷ ।

ଝନତ୍‌କାର ଶବଦରେ ବନଭୂମି

ସ୍ପନ୍ଦିତ ହୋଇଣ ଉଠୁଥିଲା ଭ୍ରମି ।

ସେ ଶବ୍ଦ ସ୍ପନ୍ଦିତ ହୋଇଥିବା ବେଳେ

ଗଜପତି ରାମଚନ୍ଦ୍ର ଧମନୀରେ ।

ଶୋଣିତର ଧିର ସ୍ରୋତରେ ପ୍ରଖର

ହୋଇଉଠୁଥିଲା ଉଷ୍ଣ ପରବଳ ।

ସଦେଇ ସହିତ ସାଧୁବେଶୀ ହରି

ଦୂରୁ ଦେଖୁଥିଲେ ଗଜପତି ଖାଲି ।

ସ୍ତବ୍ଧ ହୋଇ ସେଇ ଆଡକୁ ଚାହିଁଲେ

ଅପଲକ ଦୃଷ୍ଟି ମୁଣ୍ଡିଆ ଉପରେ ।

ଗଜପତିଙ୍କର ନିକଟରେ ଯାଇ

ହରି ରାମଚନ୍ଦ୍ରଙ୍କର ପଦ ଛୁଇଁ ।

ନିବେଦନ କଲାବେଲେ ତା ପ୍ରଣାମ

ଅନ୍ତର ମଧ୍ୟରେ ଥିଲା ପ୍ରଭୁ ଧ୍ୟାନ ।

ଶୁଷ୍କ ଫଲଗୁର ଉଜ୍ଜଳ ଧାରକି

କଳ କଳ ଧ୍ୱନି ମଧ୍ୟେ ପ୍ଳାବିତକି ।

ହରିର ପିଠିରେ କର ସଂଚାଳନ

କରି ଗଜପତି କହିଲେ ବହନ ।

“କାହିଁକି ଏପରି ତୁମେ ସାଧୁବେଶେ

ଆସିଛ ଏଠାକୁ କେଉଁ ଲାଭ ଆଶେ ।

ମହାପ୍ରଭୁ ଜଗନ୍ନାଥ ବାଣପୁର

ଅବସ୍ଥାନ ହରୀଶ୍ୱରଙ୍କ ମଂଦିର ।

ବିଷୟେ ସମ୍ବାଦ ପୂର୍ବେ ପାଇଥିଲି

ବରୁଣେଇ କଟକରେ ଯେବେ ଥିଲି ।

ତା ପରେ ନବାବ ରସୁଣ ଖାଁ ସୈନ୍ୟ

ଖୋର୍ଦ୍ଧା କଟକରୁ ଆସିଲା ବହନ ।

ଫଳରେ ନିଘଂଚ ଅରଣ୍ୟ ଭୂମିରେ

ଆତ୍ମଗୋପନ କରିଲି ଏହିଠାରେ ।

ବରୁଣେଇ କଟକ ପୁନରୁଦ୍ଧାର

କରିବାକୁ ସପନକୁ ମୁଁ ସାକାର ।

ପ୍ରୟାସ କରୁଛି ପରାଣ ପଣରେ

ସବୁ ପ୍ରଭୁଙ୍କର ଇଚ୍ଛା ଜଗତରେ ।

ରାଜଗୁରୁ ମହୋଦୟ ଠାରୁ କିଛି

ସମ୍ବାଦ ଆଣିଛ କହ ଭଲ ବାଛି ।

ବାଷ୍ପାକୁଳ କଂଠେ ହରି କହି ନେଲା

ରାଜଗୁରୁ ମହାଶୟ ଚିନ୍ତାଧାରା ।

ଆପଣଙ୍କ ଚିନ୍ତା ପ୍ରଭୁଙ୍କ ସୁରକ୍ଷା

ଭାବନା ନିମଗ୍ନ ସର୍ବଦା ପରୀକ୍ଷା ।

ଏପରି ଗୋଟିଏ ଦିନ ଯାଇ ନାହିଁ

ଯେଉଁ ଦିନ ଆପଣଙ୍କ କଥା ନାହିଁ ।

ଆପଣଙ୍କ ନିକଟକୁ ଏ ଘେନନ୍ତୁ

ରାଜଗୁରୁଙ୍କର ଚିଟାଉ ପଢ଼ÿନ୍ତୁ ।

କିଂନ୍ତୁ ଏହି ଅପନ୍ତରା ଅରଣ୍ୟରେ

ଅଳପ ସଂଖ୍ୟକ ପାଇକ ସଂଗରେ ।

ଧରି କେଉଁ ପରି ବିଶାଳ ମୋଗଲ

ସେନା ମୁକାବିଲା କରିବେ ଏ ଡ଼ର?”

ହରିର କଥାର କୌଣସି ଉତ୍ତର

ନ ଦେଇ ପଢ଼ÿ ଲେ ଚିଟାଉ ପ୍ରଖର ।

ଏକା ନିଃଶ୍ୱାସରେ ପର ମୁହୁର୍ତ୍ତରେ

କ୍ଷତ୍ରିୟ ସୁଲଭ କଠୋର ଚିନ୍ତାରେ ।

ଚକ୍ଷୁ ଯୁଗଳରେ ଅଶ୍ରୁ ଗଲାଭରି

ମମତାର ଅଶ୍ରୁଝର ବହେ ଗଡ଼ି ।

ଲୋତକ ଖୁରୁଧା ଜଂଗଲର ସେଇ

ନିର୍ମମ ପାଷାଣ ଗାତ୍ରରେ ପଡଇ ।

କେତେବିଂଦୁ ଗଛ ପତ୍ରର ଯେପରି

ମର୍ମରଣ ବେଦନାର ଦୁଃଖଭରି ।

ହାହାକାର ଭରି ଦେଲା ଅନ୍ତରରେ

ଗଜପତିଙ୍କର ଲୁହର ସ୍ରୋତରେ ।

କେତେକ୍ଷଣ ପରେ ହୋଇ ଭାବମୁକ୍ତ

ରାମଚନ୍ଦ୍ର ଦେବ କହିଲେ ଶୁଣତ ।

“ପାପିଷ୍ଠ ଆସୁରୀ ପ୍ରବୃତ୍ତିକୁ ନିଜେ

ସୁରଖିତ ରଖିବାକୁ ଜୀଉ ଖୋଜେ ।

ଏ ରାଷ୍ଟ୍ର ଦେବତା ଅରଣ୍ୟ କାନ୍ତାର

ଯେତେବେଳେ ଘୂରେ ହୋଇ ଯାଯାବର ।

ସେତେବେଳେ ଏ ସେବକ ଗଜପତି

ଖୁରୁଧା କଟକେ ଅବସ୍ଥାନ ସ୍ଥିତି ।

କିଛି ମାନେ ତାର ହୁଏନାରେ ହରି

ଯାଉ ଦିନ ଆମ ତାଂକ ନାମ ସ୍ମରି ।

ଯେଉଁ ଦିନ ମହାବାହୁ ଅବସ୍ଥାନ

ରତ୍ନସିଂହାସନେ ପୁନରାଗମନ ।

କରିବେ ସେତିକି ବେଳେ ଗଜପତି

ସେବକ ଖୁରୁଧା ସିଂହାସନେ ମତି ।

ଲଗାଇ କରିବେ ନିଜେ ଆରୋହଣ

ସେତେ ଦିନ ଯାଏ ପୋଡ଼ୁ ଏ ଗୁମାନ ।

ରତ୍ନ ସିଂହାସନେ ପ୍ରଭୁ ଜଗନ୍ନାଥ

ଆସୀନ ନ ହେଲେ ସବୁ କଥା ବ୍ୟର୍ଥ ।

ରାଜସିଂହାସନ ଏକ ନିରର୍ଥକ

ସଉଖିନ ମଂଚ ମାତ୍ର ହରି ଦେଖ ।

ଆନଂଦର କୋଳାହଳର ମଧ୍ୟରେ

କରୁଣା ବାରିଧି ବଡ ଦେଉଳରେ ।

ପ୍ରତ୍ୟାବର୍ତ୍ତନ କରିବେ ତା କେବଳ

ତାଂକ ଇଚ୍ଛା ତାଂକ କରୁଣା ମାତର ।”

“ହରି କହେ ଛାମୁ ଠାରୁ ବାର୍ତ୍ତାପାଇ

ପରେ ଶ୍ରୀ ମଣିମା ମାନେ ଗୁପ୍ତେ ଯାଇ ।

ଆଠଗଡେ ବିଜେ କରିବେ ଗୌରବେ

ମୋଗଲ ନିରାଶ ହୋଇଣ ରହିବେ ।

ବାଣପୁର ଆକ୍ରମଣ କରିବାର

ଅପଯୋଜନା ପ୍ରସ୍ତୁତି ମୋଗଲର ।

ନବାବ ରସୁଣ ଖାଁ ଯେ ବାଣପୁରେ

ସୈନ୍ୟସଂଗତରେ କେବେ ଆସିପାରେ ।

ଯାହା କାର୍ଯ୍ୟ କ୍ରମ ଗ୍ରହଣ ହୋଇବ

ଆପଣଙ୍କ ବାର୍ତ୍ତା ଯେବେ ପ୍ରାପ୍ତ ହେବ ।

ସେଥିପାଇଁ ସାଧୁବେଶରେ ଆସିଛି

ଆସିଲାବେଳେ ହାବୁଡେ ପଡିଅଛି ।

ମହାବାହୁଙ୍କର ଅପାର କରୁଣା

ଲସକର ମାନେ ହୋଇଗଲେ ବଣା ।

ମୋତେ ଦେଖି ଅଶ୍ୱ ପୃଷ୍ଠରେ ବସାଇ

ନାଏବ ତକୀଖାଁ ନିକଟରେ ନେଇ ।

ହାଜର କରାଇ ଦେଲେ ସଂଦେହରେ

ମାତ୍ର ଥିଲା ମିଆଁ ସଂନ୍ଦେହର ଦୂରେ ।

ମନେକରି ମୋତେ ଅସଲ ସନ୍ୟାସୀ

ଦରବେଶ ଭାବି ବହୁହେଲା ଖୁସି ।

ରାଜବଂଦୀ କଲା ନାହିଁ ମହାରାଜ

ପ୍ରଭୁଙ୍କର କୃପା ଦେଲେ ମୋତେ ଧୈର୍ଯ୍ୟ ।

ପ୍ରଭୁଙ୍କ ଅପାର କରୁଣାହିଁ ଅଛି

ଛାମୁଙ୍କ ଦର୍ଶନ ସୌଭାଗ୍ୟ ମିଳିଛି” ।

“ଏଥିମଧ୍ୟେ ଖଣ୍ଡପଡା ନୟାଗଡ

ଗଡପତି ଆଦି ନରସିଂହପୁର ।

ନିକଟେ ଗୁପତ ସମ୍ବାଦ ପ୍ରେରଣ

କରିଛି, ଲବେ ସେ ପାଇବେ ତକ୍ଷଣ ।

ଏତେ ବେଳେ କିଂତୁ ସେ ଆଠଗଡର

ଅକୁଣ୍ଠ ସାହାଯ୍ୟ ଆମ ଦରକାର ।

ମନେକରି ରାଜଗୁରୁଙ୍କୁ କହିବ

କଥାକୁ ଗୁପତ ଆନେ ରଖିଥିବ ।

ଶ୍ରୀ ଜୀଉ ବିଜେ କରିବା ଅବସରେ

ଆଠଗଡକୁ ମୁକତି ସଂଗ୍ରାମରେ ।

ଓଡିଶା ରାଜ୍ୟର ବିଷୟେ ଯେପରି

ଆଠଗଡ ରାଜନଙ୍କୁ କହିକରି ।

ପ୍ରଭାବିତ କରି ପାରିବେ କୌଶଳେ

ଯାହା କଥା ଯୋଗ୍ୟ କହିବେ ସକଳେ ।

ରାଷ୍ଟ୍ର ଦେବତାଙ୍କ ରତ୍ନସିଂହାସନ

କାଳ କାଳ ଧରି ପଡିବାର ଶୂନ୍ୟ ।

ଏ ଜାତିର ଭାଗ୍ୟ ପ୍ରତି ନିଦାରୁଣ

ଅଭିଶାପ ହୋଇଯିବ କର ଧ୍ୟାନ ।

ଗଜପତି ଗଡପତି ପ୍ରଜା ମାନେ

ଉପଲବ୍ଧି କରି କରାଇବେ ଜନେ ।

ତେବେଯାଇ ପ୍ରଭୁ ଇଚ୍ଛା ପୁର୍ଣ୍ଣ ହେବ

ବିରାଜିବ ଶାନ୍ତି ଫେରିବେ ମାଧବ ।

ରାମଚନ୍ଦ୍ର ଦେବ ହୋଇଗଲେ ମୌନ

ଏକ ଅମାନିଆ ଖର ପ୍ରଭଂଜନ ।

ପ୍ରଖର ପ୍ରବାହ ଫଳରେ ଜଂଗଲି

ଶୁଷ୍କଝରା ପତ୍ର ସବୁ ଶଦ୍ଦକରି ।

ବିଚିତ୍ର ଭାବରେ ଉଡିଲେ ଆକାଶେ

ବୃକ୍ଷଲତା ସବୁ ଗଭୀର ନୈରାଶ୍ୟେ ।

ଭାବନାରେ ମଗ୍ନ ହୋଇଣ ଯେପରି

ମର୍ମରିତ ଦୀର୍ଘ ଶ୍ୱାସ ଦେଲେ ଛାଡ଼ି ।

ପରିବେଶ ଜାଂଗଲିକ ଖୁରୁଧାର

ଯେପରି କାରୁଣ୍ୟ ବିଷର୍ଣ୍ଣ ବିକଳ ।

ହୋଇପଡିଥିଲା କ୍ରନ୍ଦସୀ ସେକାଳେ

ରାମଚନ୍ଦ୍ର ଦେବକୁ ଶୁନ୍ୟ ଦୃଷ୍ଟିରେ ।

ଦିଗ୍‌ବଳୟ ଆଡେ ରହିଥିଲେ ଚାହିଁ

ସମର ଅଭ୍ୟାସୀ ପାଇକେ ପଳାଇ ।

ଆସିଲେ ସମାପ୍ତ କରି ନିକଟରେ

ସମର କୌଶଳ ଅଭ୍ୟାସ ଶେଷରେ ।

କରିଥିଲେ ଉପବେଶନ ନିକଟେ

ମଧ୍ୟାହ୍ନ ସବିତା ଆଖି ମଟମଟେ ।

ଘନବିପିନରେ ବନ ଭୂମି ଶାନ୍ତ

ଝରିପଡିଥିଲା ତିଳ ତଣ୍ଡୁଳିତ ।

ରାମଚନ୍ଦ୍ର ଦେବ କହିଲେ ହେ ହରି

ସଂବାଦ ମିଳିଛି ମୋଗଲେ ସେ ପୁରୀ ।

ମଂଦିରକୁ ଆକ୍ରମଣ କରିବାର

ଯୋଜନାକୁ ପରିବର୍ତ୍ତନ ସକଳ ।

କରି ବର୍ତ୍ତମାନ ନବାବ ରସୁଣ

ବାଣପୁର କରିବାର ଆକ୍ରମଣ ।

କୌଶଳ ପ୍ରସ୍ତୁତି କରୁଛି ଗୁପ୍ତରେ

ଏଣୁ ଯଥାଶୀଘ୍ର ଜରୁରୀ ବାର୍ତ୍ତାରେ ।

ଶ୍ରୀଘ୍ର ତୁମେ ପ୍ରତ୍ୟାବରତନ କର

ଶ୍ରୀଜୀଉଙ୍କୁ ଆଠଗଡେ ସ୍ଥାନାନ୍ତର ।

କରିବା ଜରୁରୀ ସେ ରାଜଗୁରୁଙ୍କୁ

କହିବ ସମୟ ଅଳପ ଆମକୁ ।

ଓଡିଶାର ଗଜପତି ଦୁର୍ଭାଗ୍ୟରେ

ବଡ଼ମ୍ବନାରୁ ଖୋରଧା ଜଂଗଲରେ ।

କରିଛଂତି ଆତ୍ମଗୋପନେ ନିଶ୍ଚୟ

ନୋହିଛଂତି ଆତ୍ôମବିସ୍ମୃତ ଏ ଥୟ ।

ଗଜପତି କରବାଳ ଯେଉଁଦିନ

ପୁରୁଷୋତ୍ତମର ପବିତ୍ର ମହାନ ।

ଜଳଧିରେ ରକ୍ତ ରଜିଂତ ଚିହ୍ନକୁ

ଧୋଇବ ସେଦିନ ସେ ବରୁଣେଇକୁ ।

କଟକରେ ରାଜ ସିଂହାସନ ଭାର

କୌଳିନ୍ୟ ସଂଭ୍ରାନ୍ତ ମଣ୍ଡନ ଭାବର ।

ମହାପ୍ରଭୁଙ୍କ ସ୍ତାନାନ୍ତରୀ କରଣ

ଓଡିଆ ଜାତିର କେବଳ ଦୁର୍ନାମ ।

ନୁହେ, ଗଜପତି ପରଂପରା ପ୍ରତି

ଏହି ଏକ ଅଭିଶାପ ଦୃଢ଼ ମତି ।

ଏହି ଜୀବନରେ ସେ ଅଭିଶାପକୁ

ଆର୍ଶୀବାଦେ ପରିଣତ କରିବାକୁ ।

ଗଜପତି ରାମଚନ୍ଦର ଦେବର

ସଂକଳପ ବଦ୍ଧ ବଜ୍ର କରବାଳ ।

ଚିର ଉତ୍ତୋଳିତ ହୋଇଣ ରହିବ

ଯେତେଦିନ ଯାଏ ଏହି ଜୀବ ଥିବ ।”

ରାମଚନ୍ଦ୍ର ଦେବଙ୍କର ମୁଖୋପରେ

ଦୃଢ଼ ପ୍ରତିଜ୍ଞାର ଲୋହିତ ଧାରରେ ।

ଏକ ଆସ୍ତରଣ ଥିଲା ଯେଉଁପରି

ଉତ୍ତେଜନାରେ ପ୍ରକୀର୍ଣ୍ଣ ହୋଇକରି ।

ରାମଚନ୍ଦ୍ରଦେବ ସମର ନିପୁଣ

ଯୋଦ୍ଧାପରିବୀର ସେ ଦଣ୍ଡାୟମାନ ।

ବୀର ଭଂଗୀ ଶୀଳା ସିଂହାସନୋପରେ

ଗରଜୁଣ ଥିଲେ ତକିଖାଁ ଉପରେ ।

ହରିଚିତ୍ରାପିତ ପରି ଗଜପତି

ଦୃପ୍ତ ମୁଖମଣ୍ଡଳକୁ ଦେଖେଅତି ।

ପାଖେ ଅପଲକ ନୟନରେ ଚାହିଁ

ରହିଥିଲା ଜଗନ୍ନାଥଙ୍କୁ ଜଣାଇ ।

ଖୁରୁଧା ଜଗଂଲ ପ୍ରଦେଶ ଗଭୀର

ଜାଗାଠାରୁ ଗୋଟିଏ କୁମ୍ଭାଟୁଆର ।

ଜାଗୃତିର ଅଗ୍ନିବାଣୀ ଯେଉଁପରି

ବନଭୂମି ସବୁ ମୁଖରିତ କରି ।

ଭାସିଆସୁଥିଲା ସେହି ଜାଗୃତିର

ଆଗ୍ନେୟ ଶପଥ ଜୀବନାଦର୍ଶର ।

କରି ଗଜପତି ରାମଗନ୍ଦ୍ର ଦେବ

ସହସା ତାଙ୍କର କରବାଳ ଭାବ ।

କରି କୋଷ ମୁକ୍ତ ସେ ନିକଟବର୍ତ୍ତୀ

ବୃକ୍ଷର ଗଣ୍ଡିରେ ବିଦ୍ଧ କଲେ ଅତି ।

ନାଏବ ନଜୀମ ତକିଖାଁ ଶରୀରେ

ଯେହ୍ନେ ହିଂସ୍ର ସିଂହ ଆକ୍ରମଣକରେ ।

ପାଦ ସ୍ପର୍ଶକରି ଗଜପତିଙ୍କର

ହରି ଭାଷେ ଶୀଘ୍ର ଯିବ ବାଣପୁର ।

“ସ୍ୱାଧୀନତା ସୂର୍ଯ୍ୟ ଉଦୟ ବେଳକୁ

ଯେତେ ବେଳେ ଜୀଉ ଫେରିବେ ଘରକୁ ।

ରତ୍ନସିଂହାସନେ ସେ ବିଜେ କରିବେ

ସେତେବେଳେ ଭକ୍ତେ ଆନନ୍ଦେ ଡେଇଁବେ ।

ବିଜୟର ଢ଼ୂର୍ଯ୍ୟନାଦ ବଜା ହେବ

ଫେରିବ ଓଡିଶା ହୃତ ଗଉରବ ।

କରିଥାନ୍ତୁ ଚକ୍ର ଉହାଡ ମଣିମା

ଆପଣଙ୍କୁ ସବୁବେଳେ ଏ ପ୍ରାର୍ଥନା ।”

ହୃତ ଗୌରବକୁ ପୁନରୁ ଜ୍ଜୀବିତ

ମହାବାହୁ ଦ୍ୟନ୍ତୁ ସର୍ବେ ବଜ୍ର ହାତ ।

ରାକା ରଜନୀର ଆଶା ସାଫଲ୍ୟର

ସ୍ୱପନ ସର୍ଜନା ହରିର ବିଚାର ।

*****

ଗଂଜାମର ଆଠଗଡ ରାଇଜର

ହାତୀବାରି ପାହାଡରେ ମଧ୍ୟାହ୍ନର ।

ଖରା ଯେଉଁପରି ଭୈରବ ତାଣ୍ଡବ

ନୃତ୍ୟ କରି ଥିଲା ରଚନା ସଂଭବ ।

ପାହାଡର ଚତୁପାଶ୍ୱେର୍ ପରିବ୍ୟାପ୍ତ

ଜଂଗଲରେ କାଉ କୋଇଲି ସମେତ ।

ଚିହ୍ନବର୍ଣ୍ଣ ଟିକେ ନ ଥିଲା କାହାର

ଗଛର ପତରେ ମୃଦୁ ପବନର ।

ମର୍ମରଣ ଛନ୍ଦେ କେଉଁ ଏକ ପାନ୍ଥ

ବେସୁରା ରାଗିଣୀ ବୋଲୁଥିଲା ଗୀତ ।

ଉଦାସ ବୈଶାଖେ ପରିକ୍ଳିଷ୍ଟ କରି

ମନପରାଣକୁ ନେଉ ଥିଲା ହରି ।

ବିଜେକରି ଚଉଦୋଳାରେ ମଣିମା

ମନ୍ଥର ଗତିରେ ଆଠଗଡ ସୀମା ।

ମାଡି ପରିବେଶ ରାଜ୍ୟ ଆଠଗଡେ

କିଛି ଦିନ ପାଇଁ ଅତିଥି ରାଜ୍ୟରେ ।

ଇଛାକୁ ପୋଷଣ କରିଣ ଯେପରି

ଉଲ୍ଲସିତ ଚିତ୍ତେ ଯାଉଛନ୍ତି ହଲି ।

ରାଜ୍ୟ ଆରଣ୍ୟକ ବିଳାସ ଭୂମିକୁ

ଭୁଲିଅବା ସତେ ମୋଗଲ ଗୋଳକୁ ।

ଏକ ଆମ୍ରବୃକ୍ଷ ଶୀତଳ ଛାୟାରେ

ଚଉଦୋଳା ରଖି ସେବାୟତ ଗଲେ ।

ବସିବାକୁ କ୍ଳାନ୍ତିର ଅପନୋଦନେ

କେତୋଟି ମୁହୂର୍ତ୍ତ ପାଇଁ ସେ କାନନେ ।

ମାରଦା ଜଂଗଲ ଘନସବୁଜିମା

ମାପିହୁଏ ନାହିଁ ଅଛିକିବା ସୀମା ।

ଭିତରୁ କେଉଁଠୁ ଏକ ପରଭୃତ

ମଧୁର କାକଳି ପ୍ରଭୁଙ୍କୁ ସ୍ୱାଗତ ।

ସଂଗୀତ ଗାୟନ କରେ ଆନନ୍ଦରେ

ଭାସି ଆସୁଥିଲା ମୃଦୁ ପବନରେ ।

ଯନ୍ତ୍ରଣାକୁ ଯୁଗ ଯୁଗର ଅଖଣ୍ଡ

ତୃପ୍ତି ଚେତନାରେ କରି ଖଣ୍ଡ ଖଣ୍ଡ ।

ଆତ୍ମସାତ କରି ସ୍ଥୈର୍ଯ୍ୟର ପ୍ରଜ୍ଞାକୁ

ଅନୁଚ୍ଛାରିତ ଉଦ୍‌ଘୋଷ କରିବାକୁ ।

ସଂଚାଳିତ କରୁଥିବ ପ୍ରଜ୍ଞାନର

ଜନମାନସେ ପ୍ରମୂର୍ତ୍ତ ଅବତାର ।

କିଏତୁମେ ସତେ କହ ଜଗନ୍ନାଥ

ରାଜ ଗୁରୁ ବସି ବିଚାରୁ ଥିଲେ ତ ।

ତୁମ ରୁପ ଅଛି, ରୂପ ଅରୂପର

ତାହା ବିଶ୍ଳେଷଣ କର ଜକ୍ରଧର

ତୁମ ଅବୟବ ଅଛି କିନ୍ତୁ ଭାବେ

ନିର୍ଗୁଣ ନିରବୟବ କି ସ୍ୱଭାବେ ।

ଅଛି ଦୃଶ୍ୟ ତୁମ, ତୁମେ ନିର୍ଗୁଣହିଁ

ପାର୍ଥିବ ଦୃଶ୍ୟର ପାରାକାଷ୍ଠା କାହିଁ?

ମହାକାରଣ ହିଁ ପାର୍ଥିବ ଦୃଶ୍ୟର

ଅଖଣ୍ଡ ଦର୍ଶନ ତୁମେ ବରାବର ।

କେଉଁ ବଇଦିକ ପବିତ୍ର ଋଷିର

ପ୍ରଣବ ଧ୍ୱନିର ମଧ୍ୟରୁ ତୁମର ।

ଖସି ପଡିଥିଲା ସେ ଔପଚାରିକ

ମହାସାଗରର କି ଉର୍ମିଳ ବକ୍ଷ ।

ଉପରେ, ତାହାହିଁ ଆହେ ମହାବାହୁ

ସେ ଇଜ୍ୟ ବିଶ୍ୱଦକ୍ଷିଣ ବଜ୍ରବାହୁ ।

ମହାଦାରୁର ମୂର୍ତ୍ତିମନ୍ତ ପ୍ରଜ୍ଞାର

ମହାଚେତନା ନିର୍ବିକଳ୍ପ ଜ୍ଞାନର ।

ବିଜ୍ଞାନ ଚିନ୍ମୟ ଭକ୍ତ ଚିନ୍ତାମଣି

ହେ ମହାଦେବତା ପ୍ରଭୁ ଚକ୍ରପାଣି ।

ତୁମେ କ’ଣ ପ୍ରଳୟର ମହାକାଳ

ଆଦି ପୁରୁଷର ସୃଷ୍ଟି ରହସ୍ୟର ।

ସବୁ ରହସ୍ୟ ନେତିର ଇତିକାର

ଜଗନ୍ନାଥ ଭାବତତ୍ୱ ହେ ଭକ୍ତିର ।

ତେବେତୁମେ କିଏ? କିଏ ତୁମେ କ’ଣ?

କିପରି ଜାଣିବୁ ହେ ଆଦି କାରଣ ।

ରାଜଗୁରୁ ଭାବନା ଗଭୀରତାରେ

ଅଭିନିବିଷ୍ଟ ହୋଇଣ ପଡିଥିଲେ ।

ମାରଦା ଜଂଗଲେ ଆନନ୍ଦ କୋମଳ

ଭାସି ଆସୁଥିଲା ଯେପରି ଗାଂଧାର ।

ପବିତ୍ର ଲହରୀରେ ସଂକୀର୍ତ୍ତନର

କେତେ ଦୂର ଦୂରୁପ୍ରାନ୍ତରୁ ଗୀତର ।

ସେବାୟତ ମାନେ ହୋଇଣ ଉତ୍କର୍ଣ୍ଣ

ସେହି ସଂକୀର୍ତ୍ତନେ ଡେରିଥିଲେ କାନ ।

ମାରଦା ବଣରେ ଶ୍ରୀହରି ପ୍ରେମର

ରସାଣିତ ଢ଼େଉ ସେ ବିରଚଂଚଳ ।

ଯେପରି ପୁରୁଷ ଉତ୍ତମ କ୍ଷେତ୍ରର

କୀର୍ତ୍ତନ ମୁଖରିତ ଚିତ୍ତ ଚଂଚଳ ।

ପବିତ୍ର ପରିବେଶକୁ ଉଜ୍ଜୀବୀତ

କରି ତୋଳିଥିଲା ହୋଇଣ ଭୂଷିତ ।

ସଂକୀର୍ତ୍ତନ ସୂର ଆସୁଥିଲା ଧିରେ

ଘଂଚ ଗଛ ପତ୍ରର ମର୍ମରଣରେ ।

ସୁଭବ୍ୟ ସ୍ୱାଗତିକାର ମଧୁଗୀତି

ଯେପରି ମୂର୍ଚ୍ଛିତ ହେଉଥିଲା ପ୍ରୀତି ।

ପାହାଡର ମଥା ଉପରେ ସୁନୀଳ

ଉପତ୍ୟକାରେ କେତେ ଭସା ବାଦଲ ।

ଖଣ୍ଡ ଭେଳା ଭେଳା ଯାଉଥିଲା ଭାସି

ହସୁଥିଲେ ମହାବାହୁଙ୍କୁ ପରଶି ।

କରି ସମର୍ପଣ ଛତର ଚାମର

ସେବା ଆଦିକଂଦ ମହାବାହୁଙ୍କର ।

ଗଗନ ପବନ କରି ମୁଖରିତ

ଶ୍ରୀଜୀଉଙ୍କ ନିକଟରେ ସମବେତ ।

ଅଖଣ୍ଡ କୀର୍ତ୍ତନ ସଂକୀର୍ତ୍ତନ ଧ୍ୱନି

କଂପୁଥିଲା ମାରଦାର ବନଭୂମି ।

ପ୍ରେମୋନ୍ମାଦରେ ଯେପରି ପ୍ରକଂପିତ

ହୋଇ ଉଠୁଥିଲା ବିଶ୍ୱଜନଚିତ୍ତ ।

ଶିରୀଜୀଉମାନେ ସତରେ ଯେପରି

ସେମାନଙ୍କ ପରିବ୍ରାଜନକୁ ପାଳି ।

ତାର ଉପଲକ୍ଷେ ଉବ୍ୟ ସ୍ୱାଗତିକା

ସମାରୋହେ ପ୍ରାଣ ଭରି ଏକା ଏକା ।

ଉପଭୋଗ କରୁଥିଲେ ହସି ହସି

ଭକତ ମଣ୍ଡଳି ଦେଖୁଥିଲେ ବସି ।

ଧନଂଜୟ ହରିଚନ୍ଦନ ରାଜନ

ଆଠଗଡ, ଆଜି ହରଷିତ ମନ ।

ଘେନି ପଟବସ୍ତ୍ର ସୁବର୍ଣ୍ଣ ଥାଳିରେ

ସୁସଜ୍ଜିତ କରି ଆସି ଧିରେ ଧିରେ ।

ଅର୍ପଣ କରି ମଣିମା ସମ୍ମୁଖରେ

ରାଜଗୁରୁ ମହାପାତ୍ରଙ୍କ ହାତରେ ।

ଭୂମିଷ୍ଟ ପ୍ରଣାମ କଲେ ନିବେଦନ

କେତେ ମୁହୂର୍ତ୍ତ ଅପଲକ ନୟନ ।

ମଣିମା ମାନଙ୍କୁ ଅଶ୍ରୁଳ ଆଖିରେ

ଠିଆ ହୋଇ ଦରଶନ କଲାପରେ ।

ଆକୁଳ ମିନତି ବାଢ଼ିଲେ ରାଜନ

“ଆହେ ମହାବାହୁ ଘେନ ନିବେଦନ ।

ଲୋକେ କହୁଛନ୍ତି ମୋଗଲଙ୍କ ଡରେ

ଆପଣତ ଲୁଚିଛନ୍ତି ଆଠଗଡେ ।

ମୋତେ ଲାଗେ ମିଥ୍ୟା ଏହି ଯୁକ୍ତି ତାଙ୍କ

ଉପରକୁ ଖାଲି ଦିସୁଛି ଆତଙ୍କ ।

ଦୀନ ଲୋକଙ୍କର ଭକ୍ତି ଭାବନାକୁ

କୁସୁମିତ କରିବାକୁ ପ୍ରାର୍ଥନାକୁ ।

ଆପଣଙ୍କ ଆଗମନ ହିଁ ସମ୍ଭବ

ଆଉସବୁ ଗୌଣ ଯାଦିଶେ ପାଟବ ।

ଦୀନ ଜନ ହେ ବତ୍ସଳ ମହା ବାହୁ

ଆଠ ଗଡ କୀର୍ତ୍ତି ସବୁଦିନ ରହୁ ।

ମହାଭାଗ୍ୟର ଆମ୍ଭର ଶୁଭୋଦୟ

ଏହା ମହା ନିର୍ବାଣର ପରିଚୟ ।

ସଂଜୀବନି ମହାଜୀବନ, ଏଠାରେ

ସଦା ବିଚରଣ ହେଉ କାଳେ କାଳେ ।”

ଅଭୟ ପଞ୍ଜରକଂଜ ପାଣିପାଦେ

ଧଂନଜୟ ହରିଚନ୍ଦନ ହିଁ ବନ୍ଦେ ।

ରାଜଗୁରୁ ପରମ ଲକ୍ଷ୍ମୀ କହିଲେ

“ଶ୍ରୀ ଜୀଉ ଆଠଗଡକୁ ବିଜେ କଲେ ।

ଏହା ଏକ ସ୍ମରଣୀୟ ଘଟଣାରେ

ଚିର ଦିନ ଥିବ ଏ ଇତିହାସରେ ।

ସ୍ୱର୍ଣ୍ଣାଭି ଅଧ୍ୟାୟ ହୋଇଣ ରହିବ

ଇତିହାସ ସ୍ୱର୍ଣ୍ଣାକ୍ଷରେ ଲେଖାଯିବ ।

ମାରଦା ମଧ୍ୟରେ ମଂଦିର ନିର୍ମାଣ

କରନ୍ତୁ ରାଜନ ହେ ହରିଚନ୍ଦନ ।

ଷୋଡଶୋପଚାର ପୂଜା ଅର୍ଚ୍ଚନାର

ବ୍ୟବସ୍ଥାକୁ କରାଯାଉ ଶୀଘ୍ରତର ।

ଆଜିଠାରୁ ପୁରୁଷୋତ୍ତମ କ୍ଷେତ୍ରର

ଅତ୍ମୀୟ ବଂଧୁ ଭାବେ ଆଠଗଡର ।

ରାଜା ଧନଂଜୟ ବନ୍ଦ୍ୟଯୋଗ୍ୟ ଚିର

କୀର୍ତ୍ତିତ ହୋଇ ରହିବେ କାଳ କାଳ ।

ଏ ବଂଧୁତା ଆମୀୟତାର ବଂଧୁତ୍ୱ

ଜଗତରେ ଜାତୀୟତାର ବଂଧୁତ୍ୱ ।

ସେହି ବଂଧୁତାକୁ ଓଡିଶାର ଐକ୍ୟ

ଚିରସ୍ଥାୟୀ ହେଉ ଏକାମନା ଲକ୍ଷ ।”

କୁହାଟିଲା ଉଚ୍ଚ କଂଠରେ ଶ୍ରୀହରି

“ଜୟ ହେଉ ଭକ୍ତ ବତ୍ସଳ ଶ୍ରୀହରି ।

ପରମକାରୁଣିକ ଜଗନ୍ନାଥଙ୍କ

ଜୟହେଉ ରାମଚନ୍ଦର ଦେବଙ୍କ ।

ରାଜା ଧନଂଜୟ ହରିଚନ୍ଦନଙ୍କ

ଜୟ ହେଉ ଜୟ ହେଉ ସର୍ବେ ଡ଼ାକ ।”

ସମବେତ ଜନତାଙ୍କର କଣ୍ଠରୁ

ଐକ୍ୟତାନ ଜୟ ଧ୍ୱନି ମାରଦାରୁ ।

ମନ୍ଦ୍ରିତ କରିଣ ପ୍ରତିସ୍ୱନ ଦୃଷ୍ଟି

ଜୟ ଜୟ ଶୁଭେ ପୁଷ୍ପ ହେଲା ବୃଷ୍ଟି ।”

ମରଦାରଣ୍ୟର ଗଛର ପତରୁ

ବିଂଦୁ ବିଂଦୁ ଖସେ ଶୀକର ଉପରୁ ।

ଯେହ୍ନେ ସ୍ୱାଗତିକା ଅର୍ଘ୍ୟଧାରା ହୋଇ

ଖସିପଡୁଥିଲେ ତଳକୁ ଅନାଇ ।

ଶୀତାର୍ତ୍ତ ମକର ମାସର ସକାଳେ

ହିମ ଶୀତ ସ୍ପର୍ଶ ମୃଦୁ ପବନରେ ।

ଦେହ ମାନସକୁ କି ବିବଶତାର

ଆଦେଶରେ ସ୍ଥାଣୁ କରିଥିଲା ଘୋର ।

ନବ ନିରିମିତ ମଣିମା ମଂଦିର

ନିକଟ ବିଶାଳ ଅଶୋକ ବୃକ୍ଷର

ପଛରେ ସଂଚିତ କାକର ବିନ୍ଦୁରେ

ଭରି ରହିଥିଲା ଯେପରି ଭିତରେ ।

କେଉଁ ଏକ ଅଭିସାରିକା ବ୍ୟଥିତ

ସ୍ନେହ ଅଶ୍ରୁଧାର ବିଧୁର ବିବିକ୍ତ ।

ଅଦୂରସ୍ଥ ଶାକ ବନର ପତରେ

ମୃଦୁ ପବନର ହିଲ୍ଳୋଳେ ହିଲ୍ଳୋଳେ ।

ବିଧଗ୍ଧା ନାୟିକା ମିଳନ ପ୍ରତ୍ୟାଶୀ

ସେହି ଆଶାବରୀ ବିମୁଗ୍ଧା ପ୍ରେୟସି ।

ଶୁଭ ପ୍ରବେଶ କରିବେ ଶ୍ରୀମଣିମା

ଆଜି ମନ୍ଦିରରେ ସତେକି ପୂର୍ଣ୍ଣିମା!

ଆଠଗଡ ରାଜ୍ୟର ଭାଗ୍ୟାକାଶରେ

ମାରଦା ଅରଣ୍ୟର ଗର୍ଭ ଭିତରେ ।

ଆକିଆଠଗଡର ଇତିହାସରେ

ସ୍ୱର୍ଣ୍ଣଲିପିର ମଙ୍ଗଳାଚରଣରେ ।

ରାଜା ଶ୍ରୀଧନଂଜୟ ହରିଚନ୍ଦନ

ପ୍ରତିଷ୍ଠା କାର୍ଯ୍ୟର ତତ୍ୱ ଅବଧାନ ।

କରୁଥିଲେ ଶ୍ରୀମନ୍ଦିର ନିକଟରେ

ପୂର୍ଣ୍ଣହସ ଲାଗିଥିଲା ବଦନରେ ।

ଆବାଳ ବୃଦ୍ଧ ବନିତା ପ୍ରଜାବୃନ୍ଦ

ସମବେତ ହୋଇ ଲଭିଲେ ଆନଂଦ ।

ଜାଂଗଳିକ ପରିବେଶକୁ ମୁଖର

କରିଦେଇଥିଲେ କି-ଚଳ-ଚଂଚଳ ।

କଳକଳ ଧ୍ୱନି ଭକ୍ତ ଜନଙ୍କର

ଉନ୍ମାଦନା ପ୍ରାଣେ ଉନ୍ନତ ଉଛଳ ।

ମନରେ ଆହ୍ଲାଦ ଅଫୁରନ୍ତ ଥିଲା

ଦେଖି ଦେଲେ ବାରି ହୋଇ ପଡ଼ୁ ଥିଲା ।

ଶ୍ରୀକ୍ଷେତ୍ରରୁ ରାଷ୍ଟ୍ର ଦେବତା ଗମନ

କରି ଆଠଗଡେ ପ୍ରତିଷ୍ଠିତାସନ ।

କରିବେ ଯେପରି ଅପୂର୍ବ ବିଧିର

ସଂଯୋଜନା ମହୋତ୍ସବ ଏ ଭାଗ୍ୟର ।

ଖୁରୁଧାର ରମଚନ୍ଦ୍ର ଗଜପତି

ଭାଗ୍ୟ ବିତର୍କିତ ସ୍ୱୟମ୍ବରେ ଅତି ।

ଆଜି ମହାବାହୁଙ୍କର ପାଶ୍ଚାତରେ

ଆଶ୍ରିତ ଅତିଥି ହେବେ ଆଠଗଡେ ।

ମଣିମା ମାନଙ୍କ ବନବାସ ଲୀଳା

ଭବ୍ୟ ସମାରୋହ ଅନୁଷ୍ଠିତ ହେଲା ।

ମୋଗଲ ଗୋଳର ଏହି ଅବସରେ

ଏହା ଯେଉଁ ପରି କାଯ୍ୟ ନିର୍ଘଣ୍ଟରେ ।

ନିର୍ଦ୍ଧାରିତ ଥିଲା ତାଙ୍କର ଆଗରୁ

ଜାଣି ଥିବେ ଲବେ ସେହି ମହାମେରୁ ।

ରାମଚନ୍ଦ୍ର ଦେବ ବୀର ଗଜପତି

ଏପର୍ଯ୍ୟନ୍ତ ବିଜେ କରିତ ନାହାନ୍ତି ।

ଗଜପତିଙ୍କର ଆଗମନ ପରେ

ଶ୍ରୀ ମଣିମାମାନେ ମାରଦା ମନ୍ଦିରେ ।

କରିବେ ପହଣ୍ଡି ବିଜେ ଆଘୋଷିତ

ଅକାଳରେ ଏହି ପହଣ୍ଡିକି ସତ୍ୟ ।

ସ୍ୱୟଂ ଗଜପତି ଛେରାପହରାକୁ

ସଂପାଦନା କରି ସ୍ୱପରଂପରାକୁ ।

ପାଳନ କରିବେ ଆଗମନପରେ

ଅତିଷ୍ଠ ସମସ୍ତେ ଅନାଗମନରେ ।

ଜଣେ ଦଇତାଙ୍କୁ ପଚାରି କହିଲା-

“ଆଜି ଗଜପତିଙ୍କର ଶ୍ରଦ୍ଧା ଥିଲା ।

-ପରି ଜଣାପଡୁନାହିଁରେ ଭାଇନା

ଅକାଳ ପହଣ୍ଡି ପର୍ବ ହେବ କି ନା?

ଯେପରି ଓଡିଆ ଜାତି ଦୁର୍ଭାଗ୍ୟର

ପହଣ୍ଡି ଶ୍ରୀ ଶୌର୍ଯ୍ୟ ଗଜପତିଙ୍କର ।

ପରଂପରା ପ୍ରତି ଏହା ଯେଉଁପରି

ଅଟ୍ଟହାସ୍ୟ ବିକଳର ସେହିପରି ।”

ସେବକ ଦୟିତା ସ୍ଖଳିତ କଂଠରେ

କହିଲେ କିପରି ବୁଝାଇବି ଭଲେ ।

ଗଜପତିଙ୍କର ଯବନୀ ପ୍ରେମରେ

ସବୁ ଅଘଟଣ ଘଟୁଛି ଏଠାରେ ।

ଯେଉଁ ଦିନଠାରୁ ଯବନୀ ରେଜିୟା

ପ୍ରେମେ ଗଜପତି ହୋଇଛନ୍ତି ବାୟା ।

ହେଲେ ପ୍ରଭାବିତ ସେହି ଦିନଠାରୁ

ଅବାଂଛିତ ପ୍ରତିରୋଧ ଅର୍ଚ୍ଚନାରୁ ।

ଯୁଗଯୁଗର ପବିତ୍ର ପରଂପରା

ପଦ ଦଳିତ କରିଣ ଏହି ଧରା ।

ଗଜପତି ଓଡଶାର ଗୌରବକି

ତକିଖାଁର ପାଦତଳେ ଦେଲେ ବିକି ।

ସେଥିପାଇଁ ଆଜି ଶ୍ରୀମଣିମାମାନେ

ଅଥାନ୍ତିରି ପାନ୍ଥ ପରି ସ୍ଥାନୁ ସ୍ଥାନେ ।

ଘୂରି ବୁଲୁଛନ୍ତି ଯେହ୍ନେ ଯାଯାବର

କି ହୋଇବ ଭବିଷ୍ୟତ ଜାଣେ କାଳ ।”

ଶ୍ରୀହରି ତାହାର ଦୃଷ୍ଟିରେ ଚାହିଁଲା

ପତିଭାଇନାକୁ ଅନାଇ କହିଲା ।

“ଓଡିଶାର ଶୌର୍ଯ୍ୟ ଏ ପରଂପରାକୁ

ପ୍ରାଣପଣେ ଲବେ ରକ୍ଷାକରିବାକୁ ।

ମହାପ୍ରଭୁଙ୍କର ମାନ ରକ୍ଷା ପାଇଁ

ଗଜପତି ହୋଇଛନ୍ତି ମିଆଁ ଭାଇ ।

ଯବନୀ ରେଜିୟାଙ୍କ ପାଣିଗ୍ରରଣ

କରି ତକିଖାଁର ବିଶ୍ୱାସ ଭାଜନ ।

ବିରାଦରୀ ବଂଧୁତାକୁ ଲୋଡିଛନ୍ତି

ଓଡିଶାର ସାର୍ବଭୌମ କଥାଚିନ୍ତି ।

ରକ୍ଷା କରିବାକୁ ଓଡିଶାର ମାନ

ଆଦରି ଅଛନ୍ତି ନିନ୍ଦା ଅପମାନ ।

ଯଦି ସେ ମୋଗଲ କନ୍ୟାର ନିକାରେ

ହୋଇଥାନ୍ତେ କେବେ ସ୍ଖଳିତ ମନରେ ।

ତେବେ ଓଡିଶାର ଶୌର୍ଯ୍ୟ ପଂରପରା

ହୋଇଥାନ୍ତା ଚୂର୍ଣ୍ଣ ବିଚୂର୍ଣ୍ଣ ଏଧରା ।

ସୁରକ୍ଷା ନିମନ୍ତେ ସେହି ଶଉର୍ଯ୍ୟର

ଆଜିରଜା ବୁଲୁଛନ୍ତି ବାର ଦ୍ୱାର ।

ବନ ଗହନର ଅଭ୍ୟନ୍ତରେ ପଶି

ଆତ୍ମଗୋପନରେ ଦୃଢ଼େ ଧରି ଅସି ।

ଯୁଦ୍ଧ ଆୟୋଜନ କରି ସେ ନଥାନ୍ତେ

ନଖାଇ ନପିଇ ନଶୋଇଣ ପଥେ ।

ଓଡିଆ ଜାତିର ଭାଗ୍ୟ ଆକାଶରେ

ଆଜି କେଉଁ ଅପଦେବତାର ବାରେ ।

ଅଭିଶାପ ପୁଛ କରିଛି ବିସ୍ତାର

ଆଜି ଉତ୍ପୀଡନ ସେ ଅଭିଶାପର ।

ଓଡିଶାର ଗଜପତି କି ନିଷ୍ଠୁର

ଭାବେ ପ୍ରବଂଚିତ ଜାଣନ୍ତି ସକଳ ।

ବେଗମ ରେଜିୟା ଯବନୀ ହେଲେବି

ହୃଦୟବତାରେ ମହାରାଣୀ ବିବି ।

ତାଙ୍କର ମନରେ ମହାବାହୁ ପ୍ରତି

ରହିଅଛି ପୂର୍ଣ୍ଣ କି ଅଟଳ ଭକ୍ତି ।

ପରମ ଶ୍ରଦ୍ଧାତା ତାକୁ ମାପିବାର

ମାପଦଣ୍ଡ ନାହିଁ ଏହି ଓଡ଼ିଶାର ।

ସେ ଓଡିଆ ପ୍ରାଣ ଗଜପତିଙ୍କର

ଜୟହେଉ ଜୟହେଉ ଚିର କାଳ” ।

ମନ୍ତ୍ର ମୁଗ୍ଧପରି ସେ ଦଇତାପତି

ଶୁଣି ଯାଉଥିଲେ ନ ଖୋଲିଣ ପାଟି ।

ଶ୍ରୀ ହରିକଂଠାରୁ ଯେଉଁପରି ଝରି

ପଡୁଥିଲା ଇତିହାସର ଲହରୀ ।

ଓଡ଼ିଶାର ବିଡ଼ମ୍ବିତ ପର୍ଯ୍ୟାୟର

ପୃଷ୍ଠାରାଶି ଚ୍ଛିନ୍ନ ଲାଂଛିତ ସକଳ ।

ଏଇ ଗଜପତି ଆସୁଛନ୍ତି ଧିରେ

ପଛେ ପଛେ ଆସୁଛନ୍ତି ଅନୁଚରେ ।

ଆସୁଛନ୍ତି ସଙ୍ଗେ ବୀର ଧନଂଜୟ

ଦର ହସେ ଜଗନ୍ନାଥେ କରି ଜୟ ।

ରାମଚନ୍ଦ୍ରଦେବଙ୍କ ମଥା ଉପରେ

ରାଜ କିରୀଟିକି ଝଲସେ ପ୍ରଖରେ ।

ବିଶୁଭ୍ର ପୁଚ୍ଛକୁ ଉତ୍ତୋଳିତ କରି

ଓଡିଶାର ସାର୍ବ-ଭୌମ ଯେଉଁପରି ।

ମୁକ୍ତ ସଂଗ୍ରାମର ଉଦାତ୍ତ ଆହ୍ୱାନ

କରୁଥିଲା ମୃଦୁ ମଂଦ ପ୍ରଭଂଜନ ।

ଆଠଗଡ ରାଜାଙ୍କର ସୈନ୍ୟମାନେ

ପଥ ପରିଷ୍କାର କରୁଥିଲେ ଧ୍ୟାନେ ।

ଗଜପତି ନିଜେ ବିଜେ କରୁଛନ୍ତି

ତଫାତ୍‌ ତଫାତ୍‌ ଶୁଭେ ଚଉକତି ।

ରାଜଗୁରୁ ଚାଲିଛନ୍ତି ପୁରୋଭାଗେ

ଏଜାତିର ଭାଗ୍ୟ ବିଧାତାର ବେଗେ ।

ପଥ ପ୍ରଦର୍ଶକ ହୋଇଣ ପଥରେ

ଜନତା ଆସନ୍ତି ସ୍ୱ ପୃଷ୍ଠ ଭାଗରେ ।

ଶ୍ରୀ ମଣିମାଙ୍କର ମାରଦା ମଂନ୍ଦିରେ

ମହୋତ୍ସବ ଶୁଭ ପ୍ରତିଷ୍ଠା କାର୍ଯ୍ୟରେ ।

ଆଠଗଡ ଶୌର୍ଯ୍ୟବନ୍ତ ମାଟି ଆଜି

ପବିତ୍ର ପରଂପରାରେ ହୋଇ ମାଜି ।

ଶୁଚିସ୍ନିଗ୍ଧ ହୋଇଯିବ ଆଜିଠାରୁ

ରାଜ୍ୟ ହେବ ଆଠଗଡ଼ ଆଜିଠାରୁ ।

ଶରଣ ଶ୍ରୀକ୍ଷେତ୍ର ଗଜପତିଙ୍କର

ବଂଧୁରାଜ୍ୟ ହେବ ଗଜପତିଙ୍କର ।

ତୁଣ୍ଡରୁ ସମବେତ ଜନତାଙ୍କର

ଜୟଧ୍ୱନି ଉଚ୍ଛୁଳେ ଐକ୍ୟତାନର ।

ଗଜପତି ରାମ ଚନ୍ଦ୍ରଙ୍କର ଜୟ

ଜୟ ଆଠଗଡ ରାଜାଧନଂଜୟ ।

ଦଇତାମାନଙ୍କ ସହ କେତେ ଜଣ

ସେବକଙ୍କ ସହଯୋଗରେ ପ୍ରମାଣ ।

ପହଣ୍ଡି ହୋଇଲେ ରାଷ୍ଟ୍ରର ଦେବତା

ଜଗନ୍ନାଥ, ଜୟ ସବୁ ସୁବ୍ୟବସ୍ଥା ।

ଘଂଟ ଘଂଟା ଆଉ ବିବିଧ ବାଦ୍ୟର

ବିପୁଳ ନାଦରେ ମାରଦା ଜଂଗଲ ।

ପ୍ରକଂପିତ ହୋଇ ଉଠିଲା ସେ କାଳେ

କୁଂଭାଟୁଆ ରାବେ ସେ ବଣ ଭିତରେ ।

ବିଚିତ୍ର ଭାବରେ ଶ୍ରୀ ମଣିମାଙ୍କର

ସ୍ତୁତିଗାନ କରୁଥିଲା ପହଣ୍ଡିର ।

ଧିର ମର୍ମରଣରେ ଗଛ ପତର

କରୁଥିଲେ ସେବା ସେଇଠି ସମୀର ।

ସ୍ନିଗ୍ଧ ସର୍ମପଣ ଶୀତଳ ବ୍ୟଜନ

କରୁଥିଲା କିବା ମୃଦୁ ପ୍ରଭଂଜନ ।

ସେ ଛେରା ପହରା କଲେ ସମ୍ମୁଖରେ

ଶ୍ରୀଜୀଉ ମାନଙ୍କ ମାରଦା ବଣରେ ।

ରାମ ଚନ୍ଦ୍ର ଦେବ ବୀର ଗଜପତି

ରୋମାଞ୍ଚ ସ୍ପନ୍ଦନ ମନ୍ତର ଜାଗୃତି ।

ବୈଦିକ ରୀତିର ସାନ୍ଦ୍ର ଉଚ୍ଚାରଣ

ତୋଳି ଥିଲେ ରାଜ ଗୁରୁ ଘନ ଘନ ।

ମାରଦା ବଣରେ ନୂତନ ନିର୍ମିତ

ଦେଉଳ ମଧ୍ୟରେ ହେଲେ ପ୍ରତିଷ୍ଠିତ ।

ଆତ୍ମୀୟ ଦେବତା ଏହି ଓଡିଶାର

ଗଣ ଦେବତା ହିଁ ରାଷ୍ଟ୍ରର ବିଶ୍ୱର ।

ଶ୍ରୀ ଜଗନ୍ନାଥ ଦାରୁବ୍ରହ୍ମ ମଣିମା

ନାସାଗ୍ରରେ ସୁଶୋଭିତ ନାକଚଣା ।

ସେ ନାକଚଣାର ମୃଦୁଳ ଦୋଳନ

କରୁ ଥିଲାବାର୍ତ୍ତା ସଂଦେଶ ଜ୍ଞାପନ ।

ଭକ୍ତ ସମାଜକୁ ଅକୁତଭୟର

ପ୍ରସାରିଣ ଦୁଇ ଭୁଜ ସମାଦର ।

ଅଭୂମ ପ୍ରଣାମ କରି ନିବେଦନ

ଶ୍ରୀ ଜଗନ୍ନାଥଙ୍କୁ ଅରପି ସୁମନ ।

କଲେ ଆଲିଙ୍ଗନ ହରିଚନ୍ଦନଙ୍କୁ

ଆବଦ୍ଧ କରିଣ ଲଗାଇଣ ବୁକୁ ।

କହିଲେ ଶ୍ରୀଜୀଉ ମଣିମା ସମ୍ମୁଖେ

ପ୍ରତିଷ୍ଠିତ ଏହି ବଂଧୁତା ପ୍ରତ୍ୟକ୍ଷେ ।

ସ୍ନେହରେ ପ୍ରେମର ଅତୁଟ ବଂଧନ

ରହିଗଲା ଆଜିଠାରୁ ଚିରଦିନ ।

ଶରଣ ଶ୍ରୀକ୍ଷେତ୍ର ହେଲା ଆଠଗଡ

ଆଠଗଡ ରାଜା ବଂଶ ଶ୍ରୀମଂଦିର ।

ମଧ୍ୟେ ପରଂପରା କ୍ରମେ ଏହି ଭାବେ

ବିଶେଷ ସେବାଧିକାର ପ୍ରାପ୍ତ ହେବେ ।

ମହାବାହୁହିଁ ପରମ କାରୁଣିକ

ଏହି ପୂତ ବଂଧନରେ ସଂଯୋଜକ ।”

ପୁଣି ପୁଣି ଶୁଭୁଥିଲା ହରି ବୋଲ

ହୁଳ ହୁଳି ଧ୍ୱନି ସହ ସୁମଂଗଳ ।

ମାରଦା ଅରଣ୍ୟ ମଧ୍ୟରେ କେବଳ

ଆଧ୍ୟାତ୍ମିକ ଆନନ୍ଦର କଳରୋଳ ।

ବିପୁଳ ମହୋତ୍ସବ ଜାଗରଣର

ଜୟଗାନ ଭକତିର ଜୀବନର ।

ଭକ୍ତି ମଂଦାକିନୀ ସେ ବଣ ଭିତରେ

ଉଚ୍ଛୁଳି ବହିଣ ଗଲା ଚାରିଆଡେ ।

ମଂଦିର ମଧ୍ୟରେ ଧିରେ ଜନତାଙ୍କ

ଭିଡ ବଢୁଥିଲା ଦେଖିଲେ ସେବକ ।

ପୂଜା ଲବ୍ଧ ଦକ୍ଷିଣାର ପ୍ରଚଳନେ

ହୋଇଯାଇଥିଲେ ବିହ୍ୱଳ ସେମାନେ ।

ମଣିମା ଚକଡ଼ା ଛଡ଼ା ହେବାଠାରୁ

ସେବକ ମାନଙ୍କ ହୃଦ ଚିତ୍ତ ତଳୁ ।

ଆଜିପୁଲକର ଫୁଲ ହୋଇ ମଣ୍ଡି

ମନେ ପକାଇକି ପୁରୀ ବଳ ମଣ୍ଡି ।

ଏକ ଭସାବାଦଲର ପରି ପର-

-ମୁହୂର୍ତ୍ତରେ ହେଲେ ନୟନୁ ଅନ୍ତର ।

ଗଜପତି ବୀର ରାମଚନ୍ଦ୍ର ଦେବ

ପ୍ରଣିପାତ କରି ଜଗତ ବାଂଧବ ।

ଏକ କଳା ମେଘ ଅସହାୟତାର

ଢାଙ୍କି ଦେଇଥିଲା ଓଡିଶା ରାଜ୍ୟର ।

ମାରଦା ବଣରେ ବିଜେ ଉତ୍ସବରେ

ପଶିଥିଲା ସର୍ବ ଚିତ୍ତ ଗହନରେ ।

ଗଲେ ରୁମାଗଡ ଆଶ୍ରୟ ସ୍ଥଳୀକି

ପହଂଚି ଗହନ ବନରେ ଏକାକୀ ।

ପରିକ୍ଳିଷ୍ଟ କ୍ଳାନ୍ତ ସୈନିକ ଯନ୍ତ୍ରଣା

ବହନ କଲେ ସେ ଆସିଲା ଭାବନା ।

ତାଂଙ୍କ କ୍ଳାନ୍ତ ନୟନରେ ଉଠେଭାସି

ବରୁଣେଇ କଟକର ସ୍ମୃତି ରାଶି ।

ବେଳେ ଉଙ୍କି ମାରି ଅପସୃୟମାନ

ହୋଇଯାଉଥିଲା ଲୀଳାୟିତ ସ୍ୱପ୍ନ

ଲପନ ନିଷ୍ପାପ ସେ କଳା ଘୁମର

ଚାହାଣୀ ସତେକି ଭୀରୁ ହରିଣୀର

ସେ ହେଉଛି କ୍ଳିଷ୍ଟ ଜୀବନର କ୍ଳାନ୍ତି

ଯବନୀ ରେଜିୟା ଅପଭ୍ରଷ୍ଟା ସାଥୀ

କଲେ ସ୍ୱାଗତୋକ୍ତି କରି ଆର୍ତ୍ତନାଦ

ଅସ୍ପୁଟ ସ୍ୱରରେ ଗଜପତି ହୃଦ

“ଜୀବନରେ ଏତେ ଦୁଃଖ ପହଂଚିଲା

ଅଖଣ୍ଡ ପ୍ରଶାନ୍ତି ଆଉ ନ ଆସିଲା ।”

ମହା ବାହୁ ହେଉ ଏ ପରୀକ୍ଷା ଶେଷ

ଇତିଶ୍ରୀ ହେଉ ନ ହୋଇଣ ଅଶେଷ ।

ପରୀକ୍ଷିତ ଜୀବନରେ ଏ ସ୍ଥୈର୍ଯ୍ୟର

ଆଉ କେତେ ଦିନ ପରୀକ୍ଷା ହେବାର?

ଏକ ବନପକ୍ଷୀ ନିସଂଗ ଜୀବନ

କାରୁଣ୍ୟ ପ୍ରକଟ କରେ ଦୂର ବନ ।

ଭିତରୁ ବିଳାପ କରୁଥିଲା ସତେ

ନିଃସ୍ୱତା ସଂକେତ ପ୍ରଳାପ ସହିତେ ।

 

Unknown

୭ମ ସର୍ଗ

 

ପ୍ରଣୟ ଅନ୍ୟ ନାମ ସମରପଣ

ଯଦି ହୁଅଇ ସେଇ ସମରପଣ

ରେଜିୟା ପାଇ ସମର୍ପିତ ପ୍ରାଣରେ

ରାଜା ଏଥିରେ ଭୁଲ କରି କି ଥିଲେ?

ଅନାବିଳ ହୃଦୟ ରେଜିୟା ପ୍ରାଣ

ଅମୀୟାମୃତ ବିଂଦୁ କରି ଧାରଣ ।

ନିଜ ପ୍ରଣୟ ମହାସିଂଧୁରେ ତ୍ରୁଟି

ଆତ୍ମସାତରେ ରହିଗଲା କେଉଁଠି?

ନିଃସଂଗ ମୁହୂର୍ତ୍ତରେ ରୁମାଗଡରେ

ଅରଣ୍ୟର ସୁରକ୍ଷା ଗଡ ମଧ୍ୟରେ ।

ଏକାକୀ ବସି ସେ ଶୟନ କକ୍ଷରେ

ଅତୀତ ସ୍ମୃତି ଚାରଣ କରୁଥିଲେ ।

ଯେଉଁଦିନ ରେଜିୟା ପାଣି ଗ୍ରହଣ

କଦମରସୁଲରେ କରି ପ୍ରଣାମ ।

ନମାଜ ପଢ଼ିବାକୁ ସେ ଯାଇଥିଲେ

ସେ ଦିନ ପରା ତାଙ୍କୁ ବକ୍ଷ ଉପରେ ।

ତୋଳିଧରି ନାଏବ ତକିଖାଁ କହି-

-ଥିଲେ ଆଜିଠୁ, ହିନ୍ଦୁ ମୁସଲିମ୍‌ ଭାଇ

ଉପାସନା ପ୍ରଣାଳୀ ଭିନ୍ନ ହେଲେ ବି

ଧର୍ମ ସ୍ୱରୂପାଭିନ୍ନ ହୋଇଲା ଅଭି ।

ଆପାତ ମନରୋମ ବାକ ବିଳାସେ

ଅଭିଭୂତ ରାଜନ ମନ ସଂତୋଷେ ।

ପଡ଼ିଥିଲେ ନାଏବ ତକିଖାଁ ଜାଲେ

ରହିଣ ପ୍ରସାରିତ ବକ୍ଷ ଉପରେ ।

ନିଜକୁ ସମର୍ପଣ କରିଣ ସେଠି

ଆବେଗ ପୂର୍ଣ୍ଣ ଭାବେ କହିଥିଲେ ଟି ।

“ଏହି ବଂଧୁତା ସାରା ରାଜ୍ୟ ବଂଧୁତା

ସାକ୍ଷୀ ଜଗତନାଥ ଆଲା ଏ କଥା

ଜାଣନ୍ତୁ ଯୁଗେ ଯୁଗେ ଏ ଓଡିଶାର

ବଂଧୁ ବତ୍ସଳ ମାଟି ପ୍ରିୟ ତ୍ୟାଗର ।

ମହିମାରେ ମହିମ୍ନ ହେ ଭାଇଜାନ

ଆଜିଠାରୁ ଓଡିଶା ପ୍ରତି ଆପଣ ।

ବିଦ୍ୱେଷୀ ଦୃଷ୍ଟି କୋଣର ଅବସାନ

ହେବ ବୋଲି ମୁଁ ଆଶା କରେ ପୋଷଣ

ପରମ କାରୁଣିକ ଶ୍ରୀଜଗନ୍ନାଥ ।

ଏ ରାଜ୍ୟର ମଂଗଳ ହେବ ଯଥାର୍ଥ ।”

ଆପାତ ମନୋରମ କୁଟିଳ ମନେ

ମିଆଁ ଧର୍ମାଂଧ ନିଆଁ ଥିଲା ଗୋପନେ ।

ସାମ୍ରାଜ୍ୟବାଦ ଅପ୍ରକଟ ଅଗ୍ନିରେ

କୁହୁଳୁ ଥିଲା ଧୂଆଁ ଛାଡି ଶ୍ୱାସରେ ।

ରେଜିୟା ସହ ପରିଣୟର ପରେ

କୁହୁଳା ନିଆଁ ପ୍ରଜ୍ୱଳିତ ବହ୍ନିରେ

ପରିଣତ ହୋଇଲା କୁହୁଳି ପାରେ

ବିରାଦର ଦୁର୍ଦ୍ଦାନ୍ତ ମିଆଁ ଆଖିରେ

ବିଧର୍ମୀ ହିନ୍ଦୁ ରାଜା ବୋଲିଣ ମିଆ

ଗରଜି ଉଠୁଥିଲା ବରଜି ଧୂଆଁ

ଓଡିଶା ହେଲା ମୋଗଲ ଶାସନର

ଚକ୍ଷୁଶୂଳ ଶରବ୍ୟ ବିଷ ଦୃଷ୍ଟିର ।

ଆଉ ଶ୍ରୀ ଜଗନ୍ନାଥ ଏ ଜାତିପତି

ହେଲେ ଧର୍ମାଂଧ କ୍ରୋଧର ବିଷମୁର୍ତ୍ତି ।

ରାମଚନ୍ଦର ଦେବ ଗଭୀର ଶ୍ୱାସ

ନିକ୍ଷେପରେ ଗବାକ୍ଷ ଧାରେ ପ୍ରବେଶ ।

ଜଂଗଲର ସୁଷମା ସବୁଜିମାରେ

ଚାହିଁଥିଲେ ମନଟା ଥିଲା ଦେଉଳେ ।

ସେତେବେଳକୁ ଅପରାହ୍ନର ଖରା

ଡାହାଣିଆ, ଜଂଗଲ ପତର ଝଡା ।

ରୁମାଗଡ ବଣର ପତର ଫାଙ୍କେ

ବିବର୍ଣ୍ଣ କରୁଣତା ସୃଷ୍ଟି କରେ କେ?

ଦୁଃଖର ସ୍ମୃତିରାଶି ଦାବାନଳରୁ

ନିଜକୁ ସୁରକ୍ଷିତ କରି ଅଦୂରୁ ।

ନିରୀକ୍ଷଣ ସେ କରୁଥିଲେ ଗବାକ୍ଷେ

କଠୋଉ ଶବ୍ଦ ଶୁଣି ଚେଇଁଲେ ଲକ୍ଷ୍ୟେ ।

ହୋଇଉଠିଲେ ସଚକିତ ସେଠାରେ

ଭାବିଲେ ରାଜଗୁରୁ ଆସନ୍ତି ଖରେ ।

କିଂନ୍ତୁ ଅସମୟରେ କାହିଁକି ଅବା ।

ଆସିବେ ଭାବୁ ଭାବୁ ହୋଇଲେ କାବା ।

ଗୃହ ମଧ୍ୟରେ ଧିରେ ପ୍ରବେଶ କରି

ରାଜଗୁରୁ ବସିଲେ ଚୌକି ଆଦରି ।

ସମ୍ମାନ ଜ୍ଞାପନରେ ତାଂକୁ ରାଜନ

ପାଶ୍ୱର୍ରେ ଚସି କହିଥିଲେ ବଚନ ।

“ସଂତୁଳିତ ଦୁଃଶ୍ଚିନ୍ତା ସମୟେ ମୋର

ଶୁଭଦ ଆଗମନ ଆପଣଙ୍କର ।

ପ୍ରଶମିତ ହୋଇଛ ଚିନ୍ତା ମୋହର

କହନ୍ତୁ ମହୋଦୟ କେତେ ବା କାଳ ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାରଦା

ଜଂଗଲରେ ରହିବେ, କିଅଛି ବାଧା

ଆଠଗଡ ରାଜାଙ୍କ ହେବେ ଅତିଥି

ଶ୍ରୀ ବତ୍ସ ଖଣ୍ଡଶାଳ ଦେଉଳ ତିଥି ।

ରତନ ସିଂହାସନ କେତେ ବା କାଳ

ରିକ୍ତ ହୋଇ ରହିବ, ପୋଡୁ କପାଳ

ପ୍ରଭୁ ହୀନ ରହିବ ହୋଇ ମଂନ୍ଦିର ।

ଏ ଜୀବନ ରହିଛି କିପାଁ ମୋହର?

ଗମ୍ଭୀର ସ୍ୱରେ ରାଜଗୁରୁ କହିଲେ

“ସୁଖର ଦିନ ଶୀଘ୍ର ସମାପ୍ତ ମରେ

କିଂତୁ ଦୁଃଖର ଦିନ ଯେ ଅସରନ୍ତି

ତକିଖାଁ ପ୍ରୟାଣରେ ଆସିବ ଶାନ୍ତି ।

ଅବା ତା ପରମାୟୁ ଚିର ଦିନକୁ

ହେଲେ ବି କିଛି ଶାନ୍ତି ପ୍ରଦ ଆମକୁ ।

ମଣିମା ମାନେ ଖଣ୍ଡଶାଳ ଦେଉଳେ

ଯିବାସମ୍ଭବ ସିନା, ଆଉ-ନ-ହେଲେ ।

ଓଡିଶା ଭାଗ୍ୟାକାଶେ ସେ ତକୀଖାଁର

ଅଶୁଭ ପୁଚ୍ଛ ପ୍ରସାରିତ କେବଳ ।

ମୁହୃର୍ତ୍ତେ ମୌନରହି ସେ ଗଜପତି

ଭାଷିଲେ ଅବକାଶେ ହୋଇ ବିନତି

“ଖୁରୁଧା ଜଂଗଲରେ ଆତ୍ମଗୋପନ

କରିବାବକାଶରେ କରି ଗୋପନ ।

ଆମନ୍ତ୍ରଣ ଜଣାଇ ଥିଲି ଯୁଦ୍ଧର

ଯୋଗ ଦେବାକୁ ସବୁ ସାମନ୍ତଙ୍କର

ସହାୟତାରେ ସୈନ୍ୟ ସଂଗଠନରେ

ଅକୃତ କାର୍ଯ୍ୟ ହୋଇଗଲି ସେଥିରେ ।

କିଂତୁ ଖୁରୁଧାର ପାଇକ ମାନଙ୍କ

ମଧ୍ୟେ ଚରମ ଅଥର୍ବତା କଳଂକ

ବିଭେଦ ଯୋଗୁ ପୁଣି ପରାଜୟର

ବ୍ୟଥା ବରଣ କଲି ହେ ଗୁରୁବର” ।

ଏତିକି ବେଳେ ରେଜିୟା ମୋ ପାଖକୁ

ପଠାଇଲେ ଚିଟାଉ ମୁଦି ମୁହଁକୁ

ଲେଖିଥିଲେ ବିପଦ ଆପଣଙ୍କର

ପଦେ ପଦେ ରହିଛି ତକିଖାଁ ଚାଲ ।

ଖୋଜନ୍ତି ଆପଣଙ୍କୁ କରିବେ ବନ୍ଦୀ

ତେଣୁ ହୁଅନ୍ତୁ ସାବଧାନ ମୁଁ କାନ୍ଦି

ଯଥାଶୀଘ୍ର ପଠାଉ ଅଛି ଏ ଚିଠି

ନିରାପଦ ସ୍ଥାନରେ ରହିବେ ନିତି ।

ଚିଟାଉ କାନ୍ଦ ବାର୍ତ୍ତା ପତି ରାଜନ

ଅଧୈର୍ଯ୍ୟ ହେବେ ନାହିଁ ରହିଲା ରାଣ,

 

Unknown

ଚିଟାଉ - ବାର୍ତ୍ତା ଜବାଧରୀଙ୍କ

ରାଗ - ଚିନ୍ତା ଦେଶାକ୍ଷ

 

ନମ୍ର ନିବେଦନ       ମୋ ପରାଣଧନ       ଘେନିବ ଶାନ୍ତ ଚିତ୍ତରେ

କର ଅବସ୍ଥାନ       ଖୋଜି ଗୁପ୍ତସ୍ଥାନ       ନିରାପଦ ଯା-ମନରେ

ମୋ କାନ୍ତ

କାନ୍ତା ଆଜି କେତେ ହନ୍ତସନ୍ତ

ପାଖେ ଥିଲେ ସିନା ବୁଝିଥାନ୍ତ

ଲୁହେ ଓଦା ହେଉଛି ପଣନ୍ତ      

ଗୁପ୍ତଚରମାନେ       ତକିଖାଁ ଗୁମାନେ       ଅଛନ୍ତି ଅନୁସଂଧାନେ

ନବାବ ରସୁଣ       ଖାଁ ସ୍ୱତନ୍ତ୍ରେ କ’ଣ?      ନିୟୋଜିତ ଏହିକାମେ

ଶୁଣୁଛି

ଘେନି ମୋଗଲ ଲସ୍‌କର ବାଛି

ନବଖଣ୍ଡ ହେଉ ଅଛି ମାଛି

ତେଣୁ ପରା ଏ ଚିଠି ଲେଖୁଛି      

ଛାଡିଲା ଦିନରୁ       ଆପଣ ମୋ ପୁରୁ       ମୋ ଅବସ୍ଥା ସାଂଘାତିକ

ନଜର ବଂଦୀରେ       ରହିଛି ମୁଁ ଦୂରେ       ତକିଖାଁ ଧରିଛି ବେକ

ମୋ ପ୍ରିୟ

ଖାଲି ଡେଉଁଛି ହୋଇ ଅଥୟ

ତେଣୁ ହେଉନି ମୋ ମନ ଥୟ

ଲାଗୁଥିବ ଏ ସବୁ ଅପ୍ରିୟ            

ଜଗନ୍ନାଥ ନାମ       କରିବ ଦୁର୍ନାମ       ଏହି ଚିନ୍ତା ରାତି ଦିନ

କରେ ରଇଜଳା       କରି ପୋଡାଜଳା       ହିନ୍ଦୁ ସଂସ୍କୃତି ସମ୍ମାନ

ସେ ନିତି

ଖାଲି ଆଲ୍ଲା ଆଲ୍ଲା ବୋଲେ ନିତି

ଧର୍ମ ଭାବନାରେ ନାହିଁ ମତି

ହିଂଦୁ - ବିଦ୍ୱେଷୀ ହୋଇଛି ଅତି      

ତୁମେ ମୋର କାନ୍ତ ଜଗନ୍ନାଥ ଭକ୍ତ ବୋଲି ତା କ୍ରୋଧ ପ୍ରବଳ

ସେ ଦିନ ନିକାରେ ଉପରେ ଉପରେ ଧରିଥିଲା ବକ୍ଷେ ତାର

କୁଣ୍ଢାଇ

କହୁଥିଲା ଯା ମନ ଭୁଲାଇ

ଦେଖି ଅଛି ଯା ମୁଁ ଭୁଲି ନାହିଁ

ତେଣୁ ତା ଜାଲେ ପଡିବ ନାହିଁ ।      

କହେ ଏକ କଥା       କରେ ସେ ଓଲଟା       ତା କୂଟ-କପଟ ବୁଦ୍ଧି

ଭାବୁଥାଏ ସଦା      ହିଂଦୁ ଧର୍ମ ପଦା      କରିବ କିପରି ସାଧି

କପଟେ

ସାବଧାନ ହୋଇବ ଦୁର୍ଦ୍ଦାନ୍ତେ

ବିଶ୍ୱାସରେ ବିଷକୁ ନିଶ୍ଚିନ୍ତେ

ମିଶାଇ ସେ ମାରେ ହନ୍ତସନ୍ତେ      

ଭାବିଥିଲି ମନେ      ରାଣୀର ଗୁମାନେ      ଲେଖିବି ମୋ ମନକଥା

କୀଂତୁତା ନୋହିଲା      ବିଧି ବାମ ହେଲା      ବଢ଼ିଗଲା ମନବ୍ୟଥା ମୋ ଧନ

କେବେ ଦେଖିବି ତୁମ୍ଭ ବଦନ

କର ଉପାୟ ତାର ବହନ

ମୋତେ ମୁକ୍ତକର ପ୍ରାଣଧନ      

କରି ମନେ ଲୋଭା      ହୋଇଥିଳି ବିଭା      ରହିବି ବୋଲି ପାଶରେ

ପଂଜୁରୀ କପୋତୀ      କାଂଦି ଦିନ ରାତି       ସର୍ବଦା ପ୍ରିୟକୁ ଝୁରେ

ବୁଝିକି

ତାର ବଂଦୋବସ୍ତ କରିବକି

ମନ ତନ ଦେଇଛି ମୁ ବିକି

ଶ୍ରୀ ଚରଣେ ସ୍ଥାନ ଅଛି ଟି କି?      

ମୋର ଗୁପ୍ତଚରେ       ଗୁପତ ଭାବରେ       ଦିଅନ୍ତି ମୋତେ ଖବର

ସେଥିରୁ କିଛିଟା       ଯାମୁଖ୍ୟ ଭାବେତା      ରଖେ ମୁଁ ମନରେ ମୋର

ହେ ମୋର

ଓଡିଶାର ଗଜପତି ମୋର

ତୁମେ ସେବକ ଠାକୁରଙ୍କର

ବିଶେଷଣ ପ୍ରଥମ ଯାହାର            

ଫୁଲି ଉଠେ ଛାତି      ତୁମେ ମୋର ଅତି       ପ୍ରିୟ ବୋଲି ଡାକିବାରେ

ଆଉମୋର କିଛି       ଲୋଡ଼ାନି କହୁଛି      ସତକୁହ ଏ ସଂସାରେ

ହେ ଆଉ

ଜନ୍ମ ଜନ୍ମାନ୍ତରେ ମିଳୁଥାଉ

ତବ ସେବାରେ ଜୀବନ ଯାଉ

ଜୀବ ଯାଉ ନାମ ଗାଉ ଗାଉ ।      ୧୦

ତୁମ ସେବା ମୋର      ଜୀବନ ସଂବଳ       ତାହା ମୁଁ ପାଇବି କେବେ

ପ୍ରଭୁଙ୍କ ଦର୍ଶନ       ହେଲା ସେଇଦିନ       ପଡେ ମୋର ମନେ ଯେବେ

ମୁଁ ଭାବେ

ଦିହେଁ ଥିଲେ ସଂହଦ୍ୱାରେ ଆମ୍ଭେ

ସେହି ଦିନ ଫେରିବକି କେବେ

ଦିଅଁ ଦର୍ଶନ ହେବେ କି ଭବେ ।      ୧୧

ପାଇଛି ଖବର       ତକିଖାଁ ଲସ୍‌କର       ଓଡିଶା ଗଜପତିଙ୍କୁ

ଖୋଜୁଥିଲେ ଖାଲି       ନେବେ ବଂଦୀକରି       ପୁଣି ସେ ବଂଦୀଶାଳାକୁ

ହେ ବୀର

ତେଣୁ ସାବଧାନ ନିରନ୍ତର

ରହିବାକୁ ଅନୁରୋଧ ମୋର

ସୈନ୍ୟ ବାହିନୀ ଗଠନ କର            ୧୨

ସମ୍ବାଦ ମିଳିଛି       ଗଡ଼ପତି ଗୋଛି       କାଟିଛନ୍ତି ହେ ତୁମର

ନିରାଶ ନହୁଅ       ମୋର ପ୍ରାଣ ପ୍ରିୟ       ଏପରା ଠାକୁର ଖେଳ  ଠାକୁର

ସେହିପରା ଆମ୍ଭର କେବଳ

କ୍ରମାଗତ ପରାଜୟ ଫଳ

ଧର ହାତେ ଦୃଢେ କରବାଳ ।      ୧୩

ମଣିମା ଆଶ୍ରୟ      କରି ଦୟାମୟ      ଚିନ୍ତି ଗଲ ଆଠଗଡେ

ଭଲକଲ ତୁମେ       ବୁଲୁଥିଲ ବନେ       ଆଗରୁ ମହାକାନ୍ତାରେ ଦୁଃଖରେ

କଂଟା ପଶିବ ନାହିଁ ପାଦରେ

ଆଉ କଂଟା କଂଟାରେ ବାହାରେ

ଭୁଲିଯିବନି ପ୍ରିୟ ପ୍ରିୟାରେ ।            ୧୪

ଏକାକୀ ଏଠଳରେ      ବଂଦୀ ଜୀବନରେ      ଯାହା ଅନୁଭବ ମୋର

ତାସବୁ ଲେଖିଲେ      ନୟନ ଲୁହରେ      ଭରି ଯିବ ଆହେ ବୀର

ହେ ବୀର

ତେଣୁ ଲେଖିନି ତାକୁ ଏଥର

ମନ ସବୁବେଳେ ଆଂଟକର

ଜଗନ୍ନାଥକୁ ସ୍ମରଣ କର ହେ ।      ୧୫

ପଛରେ କେବଳ      ରହିଲା ମୋହର      ତୃଷ୍ଣା ଏକ ତୃପ୍ତିହୀନ

ଶରଣ ଶ୍ରୀକ୍ଷେତ୍ର      ମାରଦା ବିଚିତ୍ର      ହୋଇଲା ମୋର ସପନ

ମୋ ପ୍ରାଣ

ତୁମ ବିରହେ କାଟେ ଜୀବନ

ନିକା ଦିନ କେବେ ପଡେ ମନ

ସ୍ୱାସ୍ଥ୍ୟ-ଜଗିବ ଅଛି ମୋ ରାଣ      ୧୬

ଏ ପିଣ୍ଡ ଏଠାରେ       ପଡିଛି ଆଖିରେ       ଦେଖନ୍ତି ମାତ୍ର ସମସ୍ତେ

ମୁଁ ତୁମ ସାଥିରେ       ପ୍ରିୟ ସବୁବେଳେ       ଅଛି ଦିନରାତି ସତେ

ହେ ସତେ

ବୁଜ ଆଖି ତୁମ୍ଭ ଦୁଇ ହାତେ

ଲବେ ଦେଖିବ ରେଜିୟା ସତେ

ଛାୟା କାୟାକୁ ଛାଡିବ କେତେ ହେ      ୧୭

କରେ ନମସ୍କାର      ଯୋଡି ଦୁଇକର      ଦୂରରୁ ଏହି କଟକୁ

ଜଣାଇବ ପ୍ରିୟ      ହୋଇଣ ସଦୟ      ତାହାହେ ରାଜଗୁରୁଙ୍କୁ

 

ହେ ପ୍ରୀତେ

ତାଙ୍କ ପରାମର୍ଶର ମହତ୍ୱେ

ଦିଗ ଦର୍ଶନେ ଲୋଡିବ ଯେତେ

ଏହି ଓଡିଶା ରାଜ୍ୟର ହିତେ ୧୮

****

ହୋଇଲା ବାଷ୍ପରୁଦ୍ଧ ରାଜନ କଣ୍ଠ

କରୁଣ ଆବେଗରୁ କରାଇ ମୁକ୍ତ

ରୁଦ୍ଧ କରିଣ ଯୁକ୍ତ ବାତାୟନରେ ।

ଚାହିଁଥିଲେ ଅଟବୀ ବହୁତଦୂରେ

ଓଡିଶା ଆନ୍ଦୋଳିତ ଭାଗ୍ୟ ସମାନ

ଶାଳ ବୃକ୍ଷାଦି ଲହରୀରେ ପବନ ।

ବେଳେ, ବେଳେ ତଳକୁ ସେ ନଇଁ ପଡି

ପୁଣଥରେ ଉପରେ ମଥାକୁ ତୋଳି

ବାତାୟନ ଧାରରୁ ମୁଖ ଫେରାନ୍ତି

ସ୍ଖଳିତ କଂପେ ଗଜପତି ଭାଷନ୍ତି

ହେ ରାଜଗୁରୁ ତକିଖାଁର ବିଦ୍ୱେଷ

ଦୃଷ୍ଟି ଯେତିକି ଉତ୍ପୀଡକ ବିଶେଷ

ନୁହେଁ, ତା ତହୁଁ ବଳି ସେ ନିପୀଡକ

ଅଯଥା ଜିଦ ପାଟ ମହାଦେଈଙ୍କ

ମନୋବୃତ୍ତି ସଂଗରେ ସିଂହାସନର

ଭାଗିରଥି ଲାଳସା ଲବେ ଦୁର୍ବାର ।

 

ଗଜପତି ଆସନେ ବସିବା ପାଇଁ

ଭାଗରଥି କୁମାର ହେଲେଣି ବାଇ

ଅବନମିତ ମୋହ ତା ପରିଣତି

ସଂକ୍ରାନ୍ତ ଷଡଯନ୍ତ୍ର ତକିଖାଁ ପ୍ରୀତି

ସୁବର୍ଣ୍ଣ ଫୁଲ ଶେଯ ହୋଇ ଯାଇଛି

ସେ ସ୍ୱପ୍ନ ଫୁଲ ଶେଯେ ପୁଅ ଗଡୁଛି ।

 

ପ୍ରତି ସଂବାଦ ଏ ଓଡିଶା ରାଜ୍ୟର

ଭେଦିଆଠାରୁ ଜାଣିପାରି କୁମାର ।

ରାଜବିରୋଧୀ ସହ ଯୋଗକୁ ଲାଭ

କରିବାରୁ ତକିଖାଁ ଧର୍ମାଂଧ ଭାବ

ପ୍ରକୃତି ଅରଣ୍ୟର ଅଗ୍ନି ସମାନ

ଦୁର୍ବିନୀତ ହୋଇଛି ବଢ଼ି ବଢ଼ିଣ ।

କେବଳ ଜଗନ୍ନାଥ ଚରଣ ସେବା

ଓଡିଶା ସାର୍ବଭୌମ ସଂହତି କିବା

ସୁରକ୍ଷା ପାଇଁ ହିଁ ମୁଁ ଗଜପତିର

କଣ୍ଟକିତ ମୁକୁଟ ପରିଧାନର

ବ୍ୟବସ୍ଥା କରି ପ୍ରତିଟି ମୁହୂର୍ତ୍ତରେ

ସେଇ କିରୀଟି ଅଣୁ କଣା ମଧ୍ୟରେ ।

ଶତ ଯନ୍ତ୍ରଣା ଭୋଗେ ଏ ଅଶାନ୍ତିର

ଅଭିଶାପ ସହସ୍ର ସ୍ୱଲାଂଛନାର

ମୋ ଶାନ୍ତି ପ୍ରେମୀ ଜୀବନକୁ ସତତ

କରି ଦେଇଛି ସତେ କି ସଂତୁଳିତ ।

 

ବେଳେ ବେଳେ ମୋ ମନ କହେ କାନରେ

ଶାନ୍ତ ହୁଅନ୍ତୁ ମହାରାଜ ଏଥିରେ ।

“ସେ କେଉଁ ମୁହୂର୍ତ୍ତରେ ଯବନୀ କନ୍ୟା

ରେଜିୟା ହାତ ଧରିଥିଲେ ବାହାନା ।

 

ଯେଉଁ ସୌନ୍ଦର୍ଯ୍ୟ ସଂଭାବନା ସମସ୍ତ

ଯେପରି ଆଜି ବୈରାଗ୍ୟର ବିଶ୍ୱସ୍ତ ।

ଚୋରାବାଲି ଭିତରେ ପୋତି ହୋଇଛି

ରୁଦ୍ଧ ଶ୍ୱାସ ହୋଇଣ ପଡି ରହିଛି ।

କିଂତୁ ଆପଣ ପ୍ରତିକାରର ଭୟ

ଚିନ୍ତାନକରି ହୁଅ କିପାଁ ଅଥୟ ।

 

ହତାଶା ଜର୍ଜରିତ ହେବା ଉଚିତ -

ନୁହେ କେବେହେଁ ମନେ ରଖିଥିବ ତ ।

ଓଡିଶା ଗଜପତି ପରଂପରାରେ

ହତାଶା ଭାବ ଆସିନାହିଁ କାଠାରେ”

କହିଲେ ଗୁରୁ ରାଜଗୁରୁ ଭାବରେ

“ମୁଁ ଶୁଦ୍ଧ ବ୍ରାହ୍ମଣତ୍ୱ ପରାକାଷ୍ଠାରେ ।

କରିଣ ପ୍ରଦର୍ଶନ ବିଦ୍ୱେଷୀ ମିଆ

ମୂଳୋତ୍ପାଟନ ହେବ, ହେବେ ଛାନିଆ ।

 

ପବିତ୍ର ସଂକଳପ ପ୍ରଭୁ ନାମରେ

ମହାବାହୁଙ୍କ ମାନ ରକ୍ଷା ହେବାରେ

ଓଡିଶା ଗଜପତିଙ୍କ ଆଭିଜାତ୍ୟ

ନିରଙ୍କୁଶତା ପାଇଁ ମୋ ପ୍ରାଣପାତ”

କହି ପରମଲକ୍ଷ୍ମୀ ହୋଇଲେ ମୌନ

ଯେପରି ସ୍ତବ୍ଧ ହେଲା ଖର ପବନ ।

ଜଂଗଲର ବିଭିନ୍ନ ପ୍ରାଣୀ ମାନଙ୍କ

ବିଚିତ୍ର ରବ ସ୍ତବ୍ଧ ହେଲା କ୍ଷଣିକ

ଆଶାୟୀ ପ୍ରାଣେ ପୁଲକିତ ହୋଇଣ

ପଚାରିଲେ ରାଜନ କଥାର ମର୍ମ ।

ବୁଝିମୁଁ ପାରିଲିକି ହେ ରାଜଗୁରୁ

କହନ୍ତୁ ଖୋଲି ମନ ସଂଦେହ ସରୁ ।

ସ୍ଫଦ୍ଧିତ ଭାବେ ଭାସି ପରମଗୁରୁ

ଜାଣିଲି ଶସ୍ତ୍ର ବିଦ୍ୟା ଅସଫଳରୁ

ଯେତେବେଳେ ଆପଣହେ ପରାଜିତ

ସେତେବେଳେ ଶାସ୍ତ୍ରର ଧରିବା ହାତ ।

ପାମର ସେ ତକୀଖାଁ ଧର୍ମାଂଧତାର

ପ୍ରତିଶୋଧ ନେବିହେ ପ୍ରତିଜ୍ଞା ମୋର

କରିବି ନିଶ୍ଚିହ୍ନ ହେ ଧରାପୃଷ୍ଠରୁ

ଧର୍ମାଂଧ ବର୍ବରତା ଏ ଓଡିଶାରୁ ।

ସନାତନ ଧର୍ମର ମହାଶକ୍ତିର

ପ୍ରୟୋଗରେ ଧର୍ମାଂଧ ମତବାଦର

ମୂଳୋତ୍ପାଟନ ହେ ଅବଶ୍ୟ କରିବି ।

ନହେଲେ ରାଜ ଗୁରୁ ପଦ ଛାଡିବି ।

ରାଜଗୁରୁ ହସ୍ତରେ ଶାସ୍ତ୍ର ବିଦ୍ୟାର

ଅମିତ ଶକ୍ତି ଅଛି ନିହିତ ଘୋର

ସେ ଶକ୍ତି ଧର୍ମାଂଧତା ମୂଳୋତ୍ପାଟନ

କରିବି ଅଚିରେ ହେ ଏ ଦୃଢ଼ ଘେନ ।

ଧର୍ମ ଭାବନାର ସେ ଅରୁଣୋଦୟ

ପ୍ରତିଷ୍ଠା କରାଯିବ ନୁହ ଅଥୟ ।

ଆଜିଠାରୁ ତପସ୍ୟା ମହାସାଧନା

କରିବା ବ୍ରତୀ ହେଲି ନୁହ ବିମନା ।

ଜୟ ହେ ଜଗନ୍ନାଥ ଜୟ ବିମଳା

ସହାୟ ହୁଅ ମୋତେ ନ ବୁଡୁ ଭେଳା ।”

ଏକ ବୈଶାଖୀ ଝଡ କି ରାଜଗୁରୁ

କଠୋଉ ଶବଦରେ କକ୍ଷ ମଧ୍ୟରୁ ।

ନିରାବତାକୁ ମୁଖରିତ କରିଣ

ନିଷ୍କ୍ରାନ୍ତ ହୋଇଗଲେ ସ୍ତବ୍ଧ ସଦନ ।

ସୁଗଭୀର ବିସ୍ମୟାହତ ଦୃଷ୍ଟିରେ

ଆଶା ଦିହୁଡି ଜାଳି ରାଜା ସେଠାରେ ।

ପ୍ରସ୍ଥାନର ପଥକୁ ରାଜଗୁରୁଙ୍କ

ସ୍ତବ୍ଧହୋଇଣ ଚାହିଁଥିଲେ ନିଃଶଙ୍କ ।

ଗଡ ପାଇକ ଧିରେ ଧିରେ ସଦେଇ

ଗଜପତି ନିକଟେ ପ୍ରବେଶ ହୋଇ ।

କହିଲା - ଛାମୁଁ ଆଜି ପ୍ରଭୁ ଦର୍ଶନେ

ବିଜେ କରିବେ ନାହିଁ? ସଂଧ୍ୟା ଆଗମେ ।

ମଧ୍ୟାହ୍ନ ଖରା ମହଳଣ ପଡିଣ

ଆସିଲାଣି ମଣିମା ଲାଲ ପଶ୍ଚିମ

ଚାହିଁଲେ ସଦେଇକୁ ସେ ଗଜପତି

ମନେ ମନେ ଭାବିଲେ କି ସ୍ୱଗତୋକ୍ତି ।

ସଂଧ୍ୟାର ମହଳଣ ନିଦାଘପରେ

ପୁଣି ଆଗାମୀ ଶୁଭ ସୂର୍ଯ୍ୟୋଦୟରେ

ହେବ ସଦେଇ ଲବେ ବରୁଣେଇରେ

ଗଜପତି ଶାସନ ଚାଲିବ ଭଲେ

ଶ୍ରୀମନ୍ଦିର ଶିଖରେ ଉଠିବ ବାନା

ଫରଫରେ ପତିତପାବନ ବାନା ।

କ୍ରାନ୍ତିର କୀର୍ତ୍ତିମାନ କରି ସକଳ

ମୁକ୍ତିର ଆବାହନ କରି ମଂଗଳ ।”

ଅପରାହ୍ନ ସବିତା ଧିରେ ସଧିରେ

ଦୂର ଶାଳବର୍ଣ୍ଣର ପତ୍ର ମଧ୍ୟରେ ।

ଅସ୍ତ ବିଦାୟୀ ସବିତାର ମେଂଚାଏ

ଶୀତଳ ରଶ୍ମି କକ୍ଷ ମଧ୍ୟରେ ଥାଏ

ପ୍ରକୀର୍ଣ୍ଣ ହୋଇ ପଡି ଯେପରି ତନୁ

ମନକୁ ଉଷ୍ଣୋଦୀପ୍ତ କରେ ପ୍ରଥମୁ ।

*****

ମାରଦା ଅରଣ୍ୟର ସେ ସବୁଜିମା

ସେ ଦିନ ନବ ଉଲ୍ଲାସରେ କଳ୍ପନା

ଯେପରି ବିମଣ୍ଡିତ ହୋଇଣ ଉଠି

ଥିଲା ରୁମାଗଡରେ ଆଶ୍ରୟ ବାଂଟି ।

 

କୁଟୀର ସନ୍ନିକଟ ଅଶୋକ ଗଛ

ଦେହରୁ ଟୋପାଟୋପା କାକର ସ୍ୱଚ୍ଛ -

 

-ବିନ୍ଦୁ ତଳକୁ ପଡୁଥିଲା ଧରାରେ

ମୃଦୁ ପ୍ରଭଂଜନର ସ୍ୱଳ୍ପ ଲହରେ

ଅରଣ୍ୟ କାନ୍ତ କମ୍ର କୋମଳ ତନୁ

ଯେପରି ବେପଥୁର ସୀତ୍କାର ମନୁ

 

କାକର ଭିଜା ତମାଳର ବଲ୍ଲରୀ

ଯେପରି ମିଳନ ପ୍ରୀତି ଆଶାବରୀ

ରୁମାଗଡ କୁଟୀର ପ୍ରାଂଗଣେ ଏକା

ଗଜପତିଙ୍କ ମିଳେ ସେଠାରେ ଦେଖା ।

ସକାଳର କୋମଳ ଖରା ରଶ୍ମିରେ

ଆଶ୍ରୟ କୁଟୀରର ଚାରିପାଖରେ ।

ଆଠଗଡ ରାଜାଙ୍କ ଦ୍ୱାରା ନିଯୁକ୍ତ

ତିନିଶତ ପାଇକ ଶସ୍ତ୍ର ସଜ୍ଜିତ ।

ହୋଇଣ ନିୟୋଜିତ ଗଜପତିଙ୍କ

ସୁରକ୍ଷାରେ ଅରଣ୍ୟେ ଥିଲେ ନିଃଶଙ୍କ ।

ପ୍ରାଂଗଣର ସମ୍ମୁଖ ଫାଟକ ପାଖେ

ସହସା ଅଟକିଲେ ରାଜା ଛଟକେ ।

ଏକାନ୍ତ ଭାବେ ଘଂଚ ଅରଣ୍ୟାନିର

ଜାଂଗଳିକ ସୁଷମା ବିଲୋକି ଭୋଳ ।

ସକାଳ ସୂର୍ଯ୍ୟୋଦୟ ଦେଖି କୌଣସି

ପୁତ୍ରହରା ଶୋକାର୍ତ୍ତ କପୋତି ବସି ।

ନିଧନ ପୁତ୍ରକୁ ବାହୁନି ବାହୁନି

ଡାକୁଥିଲା ଉଠରେ ମୋ ଗୁଣମଣି

ସେର ପୁରିଲା ପୁଣି ପୁରିଲା ମାଣ

ଉଠରେ ପୁତା ଛାଡି ତୋର ଶୟନ ।

 

ନିଘଂଚ ବକ୍ଷତଳେ ଘଂଚ ବଣର

ଉତ୍କର୍ଣ୍ଣ କେତେ ଭୀରୁହରିଣୀ ମୋର

ଭୀତି ଆଶଙ୍କା କରି ତ୍ରସ୍ତ ବିକଳେ

ପରାଣ ଆଶଂକାରେ ଦଉଡୁଥିଲେ ।

ବିଦଗ୍ଧା ନିର୍ଝରିଣୀର କୁଳୁକୁଳୁ

ମଂଜୁଳ ପୁରବୀ ଭାସି ଆସେ ଦୂରୁ

ହର୍ଷ ମୁଖର କରି ମାନସ ଗ୍ଲାନି

ପୁତ୍ର ହୀନା କପୋତୀ ଆର୍ତ୍ତାବାହନୀ

ଦ୍ୟୋତକ ବିଳାପ କି ନଥିଲା ବଂଦ

ତଥାପି ସେ ପର୍ଯ୍ୟନ୍ତ ଆସେ ଶବଦ ।

ଆତ୍ମ ବିସ୍ମୃତ ଗଜପତି ସେଠାରେ

ଏକାନ୍ତ ଏକ କାନ୍ତ ସୁଷମା ଜାଲେ

ମଂଗୁଳିମାରେ ଥିଲା ପ୍ରଥମ ଦେଖା

ରୂପସୀ ରେଜୀୟାଙ୍କ ସଙ୍ଗରେ ଏକା ।

ବାରବାଟୀ ଦୁର୍ଗରେ ବଂଦୀ ଜୀବନ

ଯାପନ ସମୟରେ ଭଜି ଦୁର୍ଦ୍ଦିନ ।

ମଳିନ ଖରାବେଳେ ଅପରାହ୍ନର

ବୁର୍ଖାବତୀ ରେଜିୟା ରୁପସମ୍ଭାର ।

ରୋଷଣି ବିଂଛି ବିଂଛି ଯାଉଥିଲା ସେ

ଗୋଲାପ ବଗିଚାରେ ମନ ଉଲ୍ଲାସେ ।

ସକାଳର କୋମଳ ମୁହୂର୍ତ୍ତେ ମନେ

ପଡ଼ୁଥିଲା ବିଦଗ୍ଧା ମନ ନୟନେ ।

ସେ ଦିନ ଏକ ଅଭାବିତ ସମୟେ

ଗୋଲାପ ବାଗେ ଭେଟ ହୋଇଲା ଥୟେ ।

ରୂପମୟୀ କନ୍ୟା ରେଜିୟା ସହିତ

ସମୟ ସ୍ୱୟମ୍ବରେ ବଂଦୀ ଘରେତ ।

ପ୍ରୀତି - ମେଖଳା ପରିଧାନ କରିଣ

ରେଜିୟା ମୁଖ ଦେଖିଥିଲେ ସେଦିନ

ବ୍ରୀଡାକୁଣ୍ଠିତ ଭଂଗୀ କୋମଳ କଂଠେ

କହିଥିଲା ପ୍ରଭୁଙ୍କ ନିର୍ଦ୍ଦେଶ ମୋତେ ।

ଯେମିତି ଅସୁମାରୀ ଗୋଲାପ ବାଗେ

ମଣ୍ଡି ହୁଏ ଗୋଲାପ ନାତିସରାଗେ ।

ବିଦଗ୍ଧ ପ୍ରାଣେ ସେମିତି ପ୍ରଣୟର

କମ୍ର କଦମ୍ବ ରୋମାଂଚିତ ସୁଂଦର ।

ପୁଲକିତ ଖୋରଧା ରାଜାସାହେବ

ଭଗବାନଂକ ସୃଷ୍ଟି ପ୍ରୀତି-ବିଭବ ।

ପ୍ରଣୟ ବିପଣିରେ ଜାତି ଧରମ

ବର୍ଣ୍ଣ ବେପାର ହୁଏ ନାହିଁ ସମାନ ।

ହୁଏ କେବଳ ମନ ହୃଦୟ ନେଇ

ସତ୍ୟାନୁସରଣରେ, ଚିତ୍ତକୁ ଦେଇ ।

ଆପଣଂକୁ ଦେଖିଣ ବିମୁଗା୍ଧ ହୋଇ

ଓଡିଶା ରାଷ୍ଟ୍ର ଦେବ ଶରଣ ନେଇ ।

ଶରଣାପନ୍ନ ହୋଇ ଯାଇଛି ଦୀନା

ଖୋର୍ଦ୍ଧା ବାଦସା ହୃଦେ କରିବେ ଘେନା” ।

ରେଜିୟାନତ କମ୍ର ମୁଖକୁ ଚାହିଁ      ୮୬

ବିମୁଗ୍ଧ ନୟନରେ କେବଳ ରହି ।

ଥିଲେ ପାଖରେ ରାମଚନ୍ଦର ଦେବ

କଳାଘୁମର ଆଖି ପ୍ରେୟସୀ ଭାବ ।

ଅସୁମାରି ଅବ୍ୟକ୍ତ କଥା ଆଖିରେ

ଆବର୍ତ୍ତ ସୃଷ୍ଟି କରି ଥିଲା ଗଭୀରେ ।

 

କଦମର ସୁଲରେ ବିବାହ ପରେ

ରେଜିୟା ସେଦିନକି ବଖାଣି ଥିଲେ ।

“ବ୍ରାହ୍ମଣୀ କନ୍ୟା ଜବାଧରୀ ମୋ ନାମ

ପବିତ୍ର ହିନ୍ଦୁ ମାତା ଏ ମୋର ପୁଣ୍ୟ ।

କାଳର ଉତ୍ପୀଡନେ ମୁଁ ପାଲଟିଛି

ଯବନୀ କନ୍ୟା ରେଜିୟା ନା ପାଇଛି ।

ମୋ ମା ମୁର୍ଶିଦାବାଦୀ କୁଳୀନ କନ୍ୟା

ବ୍ରାହ୍ମଣ କୁଳେ ଜନ୍ମ ଦେବଦାସୀ ନା?-

ତାଂକ ଚିନ୍ତା ଚେତନା ମୋର ରକ୍ତରେ

ସଂଚାଳିତ ଜୀବିତ ମୋର ପ୍ରାଣରେ ।

ଏ ନିକା ପରେ ଭାଇଜାନଂକ ଆଉ

ପଡିବ ନାହିଁ କ୍ରୂର ଦୃଷ୍ଟି କି ଆଉ?

ଏ ଓଡିଶା ଉପରେ ରାଜା ହଜୁର

ଆଜିଠୁ ତୁମେ ତାଙ୍କ ହେ ବିରାଦର ।

ଆରତଙ୍କଠେ କହିଥିଲେ ରାଜନ

“ଶୁଣ ରେଜିୟା ତୁମ ଭାଇଙ୍କ ଗୁଣ ।”

ଧର୍ମ ବିଦ୍ୱେଷୀ ନାଏବ ନଜିମଙ୍କ

ଦୃଷ୍ଟିରେ ଜଗନ୍ନାଥ ବିଧରମୀଙ୍କ ।

ଦେବତା ଅଟନ୍ତି ଗୋ ତାଙ୍କ ଦୃଷ୍ଟିରେ

ଆଲ୍ଲା ସଜ୍ଞା ଏକକ ହୋଇନପାରେ ।

ତୁମକୁ ନିକାପରେ ମୋହର ନାମ

ବଦଳିଲା ହାଫିଜ କାଦର ଜାଣ ।

ତାହୋଇଥିଲେ ମଧ୍ୟ ପରଂପରାର

ଗଜପତି ମୁଁ ରାଜା ରାମଚନ୍ଦର ।

ଆଉ ଆମର ପୂତ ବନ୍ଧନ ପରେ

ତୁମେ ଗୋ ଜବାଧରୀ ମହିଷୀ ଘରେ ।

ଇତିହାସର ଆଲେଖରେ ତୁମର

ଜବାଧରୀ ନାମହିଁ ହୋଇବ ସ୍ଥିର

ଆଜିଠାରୁ ଏ ରେଜିୟା ସଂବୋଧନ

ତୁମର ଶେଷ ପରିଚୟ ଉତ୍ତମ” ।

ସ୍ମୃତିର ନୀଳ ନଭ ତଳେ ସଧିରେ

ଜବାଧରୀଙ୍କ କମ୍ର ଲପନ ଧିରେ ।

ସଂଧ୍ୟା ତାରା ହୋଇଣ ଉଠିଲା ଫୁଟି

ରାମଚନ୍ଦ୍ର ଦେବଙ୍କ ପୀରତି ସ୍ମୃତି ।

ମନ ଚମକି ଉଠୁଥିଲା ତାଙ୍କର

କରୁଣ ସ୍ମୃତିରେ ଜବାଧରୀଙ୍କର ।

ଏକ ଭସା ବାଦଲ ନିଶବଦରେ

ଭାସିଣ ଯାଉଥିଲା ସତେ ନଭରେ

ଉଦାସୀନ ଭାବରେ ନାହିଁ ଠିକଣା

ଠିକଣା ଖୋଜି ଖୋଜି ସେ ପରାବଣା

ନିର୍ମମ ତକୀଖାଁଙ୍କ ଜନାନା କୋଠି

ନଜର ବଂଦୀଜବାଧରୀ ଯେଉଁଠି ।

ବାରବାଟି କଟକେ ନିରପରାଧେ

ଅପରାଧ ରାଜାଙ୍କ ପତ୍ନୀତ୍ୱ ସାଧେ ।

କେ ଏକ ବନ ପକ୍ଷୀ ଆର୍ତ୍ତ ଚିତ୍କାର

କରି ବେତସ ବନୁ ହେଲା ବାହାର

ତା ଆର୍ତ୍ତ, ଚିତ୍କାରରେ ଶ୍ରୀଗଜପତି

ଦରଦ-ମେଘ କଲେ ହୃଦ-ସଂପତ୍ତି ।

ଲୁହକୁ ଧରି ଗାଲେ ଭସାଉଥିଲେ

ବର୍ଷୁକ ମେଘ କିବା ଥିଲା ଗଂଭୀରେ ।

ମାରଦାରେ ଦିଅଁଙ୍କ ସେବାକୁ ଛାଡି

କାହିଁକି ହରି ଆସେ ଏପଟେ ମାଡି?

କାରଣ କ’ଣ ଆଉ ତା ଥାଇପାରେ?

ଦୁଃସଂବାଦ ଧରି କି ଆସେ ଏଠାରେ?

ଘୋଷୁଥିଲା ସେ ମନେ ହେ ମହାବାହୁ

କେତେ ପରୀକ୍ଷା ଦେବେ ଜୀବନେ ଆଉ?

କେତେ ଧୈର୍ଯ୍ୟ ସ୍ଥୈର୍ଯ୍ୟର ପରୀକ୍ଷା ହେବ

ସେବକ ଦୀନ ରାମଚନ୍ଦର ଦେବ ।

ହରି ଜଣାଣ ବଂଦ କଲା ବିଚାରି

ଗଜପତି ନିକଟେ ପହଂଚି କରି ।

ପ୍ରଣାମ ଜ୍ଞାପନରେ କହିଲା ଧିରେ

ମଂଦିରୁ ରାଜଗୁରୁ ଛାମୁଙ୍କୁ ଭଲେ

ଜାରୂରୀ ସଂବାଦ ଥିବାରୁ ସକାଳୁ

ହୁକୁମ ହେଲା ଆସିବାକୁ ସେଠାରୁ ।

ଥରି ଉଠିଲେ ମନେ ମନେ ରାଜନ

କଂପିତ କଂଠେ ପଚାରିଲେ କଅଣ?

କି ସଂବାଦ ଆଣିଛ କର ପ୍ରକାଶ

ତକୀଖାଁ ଆକ୍ରମଣ ଆଉ ସଂଦେଶ

ଶ୍ରୀ ଜଗନ୍ନାଥ ପଛେ ପଛେ ତାହାର

ପରିସମାପ୍ତି ନାହିଁ ଶ୍ୱେନ ଦୃଷ୍ଟିର” ।

“ସ୍ମିତହସ ହସିଣ ଭାଷଇ ହରି

ଧର୍ମାଂଧ ତକିଖାଁ ଆଉ ତରବାରୀ ।

ଧରି ଯୁଝିବେ ନାହିଁ ଏ ଓଡିଶାରେ

ମଲେଣି କେଉଁ ଏକାଜ୍ଞାତ ବ୍ୟାଧିରେ ।

ସମାଧି ନେଇଛନ୍ତି ବାରବାଟିରେ

କଟକରେ କଦମ ସେ ରସୁଲରେ ।”

ଉଦ୍‌ବେଳିତ ଆନଂଦେ ପୁଲକି ଉଠି

ମୁକତି ଦେଲେ ତାଙ୍କ ବଜର ମୁଷ୍ଟି ।

ମାରଦା ଜଙ୍ଗଲର କୁଳୁ ନାଦିନୀ

ନିର୍ଝରଣୀ ଯେପରି ବହେ ଭଜାଣି

ତାଙ୍କ ଅନ୍ତର ମଧ୍ୟ୍ୟେ ଅଧିରାବେଗେ

ଉତ୍ସାରିତ ହୋଇଣ ପ୍ରସାରି ବେଗେ ।

ବ୍ୟଗ୍ର ଭାବରେ ଗଲେ ରାଜା ଆଗକୁ

ପଚାରିଲେ ଚାହିଁଣ ହର୍ଷ ହରିକୁ

ମୃତ୍ୟୁ ହେଲା କିପରି କହ ତାହାର

କହ ବେଗମ ଜବାଧରୀ ଖବର ।

ସେ ସଂବାଦ ବିସ୍ତୃତ ଭାବରେ ଦେବେ

ମଣିମା, ରାଜଗୁରୁ ମିଳିବେ ଯେବେ ।

ପଠାଇଥିଲେ ଶୁଭ ସଂବାଦ ଦେଇ

କହିଛନ୍ତି ମଣିମା ଫେରିବା ପାଇଁ ।

ଯଥାଶୀଘ୍ର ସେ ବରୁଣେଇ କଟକେ

ଆଉ ବିଳମ୍ବ ନୋହୁ ଛାମୁ ଅଟକେ ।

ବରୁଣେଇ କଟକ ଭାଗ୍ୟାକାଶରୁ

ବିବାଦ କଳା ମେଘ ଯାଇଛି ଦୂରୁ

ସୌଭାଗ୍ୟ ସୂର୍ଯ୍ୟୋଦୟ ପୂର୍ବାକାଶରେ

ଉଦୟ ନବ ଭାନୁ ଜଳେ ପ୍ରଜ୍ୱଳେ

ତୃପ୍ତ ନୟନେ ରୁମାଗଡ ଅରଣ୍ୟେ

ଚାହିଁଲେ ସବୁଜିମା ବିରାଜେଘନେ ।

ଶାଳବନର- ଅଂଗେ ନବ ମଂଜରୀ

କୋମଳ ସମାରୋହ ରହିଛି ପୁରି

ସବୁଜ ଅରଣ୍ୟର ପତ୍ର ଫାଙ୍କରେ

ମଧୁର ମର୍ମରଣ ସମ୍ବର୍ଦ୍ଧନାରେ ।

ଅରଣ୍ୟ ବକ୍ଷୋପରେ ପ୍ରେମାନଂଦର

ତିଳ-ତଣ୍ଡୁଳିତ ଆଲୋକ ସୁଂଦର ।

ଓଡିଶା ଇତିହାସେ ଆଜି ଯେପରି

ବନ-ଉତ୍ସବ ସଭଭାଗ୍ୟ ସଂଭାଳି ।

ଗଜପତି କହିଲେ “ ତୁମକୁ ଏହି

କିଦେବି କହ ଶୁଭ ସଂବାଦ ପାଇ ।

କିପୁରସ୍କାର ଦେବି କହରେ ହରି

ହସି ହସିଣ ନିଜ ହୃଦ କୁ ଖୋଲି ।

ତୁ ବରୁଣେଇ କଟକର ବିଶ୍ୱସ୍ତ

ଶୁଭାକାଂକ୍ଷୀ ସ୍ୱାଧୀନଚେତା ସଚ୍ଚୋଟ ।

ସ୍ୱାଭିମାନୀ ପାଇକ ତୁ ଓଡିଶାର

ଗୌରବ ଗର୍ବ ଜୀବନ ଆଦର୍ଶର

ମୁଁ ଗର୍ବ ଅନୁଭବ କରେ ତୋପାଇଁ

କାଳେ କାଳେ ତୁମର ଅତ୍ମୋତ୍ସର୍ଗହିଁ

ଓଡିଶା ଇତିହାସରେ ପ୍ରେରଣାର

ଉତ୍ସ ହୋଇ ରହିବ ହେ ଚିରକାଳ ।”

ଜଗନ୍ନାଥ ଓଡିଶା ପାଇକ ପ୍ରାଣେ

ଜାଗୃତି ଉନ୍ମାଦନା ଭରି ପ୍ରମାଣେ ।

ଜୟହେଉ ଓଡିଶା ଜନ ଜୀବନ

ଉଡୁ ବିଜୟେ ସଦା ରାଷ୍ଟ୍ର କେତନ ।

ନିଜ ହସ୍ତରୁ ଏକ ସ୍ୱର୍ଣ୍ଣ ମୁଦ୍ରିକା

ପିନ୍ଧାଇ ଦେଇ ରାଜା କହିଲେ ଏକା ।

“ହରି ଏ ଉପହାର କର ଗ୍ରହଣ

ତୁମର ତ୍ୟାଗ ପାଇଁ ଅଭିନଂଦନ ।

ଗୌରବାନ୍ୱିତ ଫଳଶୃତି ତ୍ୟାଗର

କୁସୁମ ରୂପେ ଶିରେ ବରଷୁ ଚିର ।

 

“ବିଜେ କରିବେ ଛାମୁ ଦରଶନକୁ

ଲୋଡଇ ଆଜ୍ଞା ଯିବା ପାଇଁ ସେଠାକୁ ।

 

ଫୁଲ ଗୁନ୍ଥିବି ଛାମୁ ଜୀଉଙ୍କ ପାଇଁ

ସମୟ ଗଡିଲାଣି ଯିବି ମୁଁ ଧାଇଁ ।

ଅପେକ୍ଷା କରିଥିବେ ସେ ରାଜଗୁରୁ

ପ୍ରଣାମ ନିବେଦନ କରେ ଅଦୂରୁ ।”

ଆକାଶକୁ ଚାହିଁଲେ ଶ୍ରୀଗଜପତି

ଦେଇ କରି ହରିକୁ ନିଜ ସମ୍ମତି ।

ପରମ ଲକ୍ଷ୍ମୀ କହିଥିଲେ ସେ ଦିନ

ଶସ୍ତ୍ର ବିଦ୍ୟାରେ ପରାଜୟ ଆପଣ

ହେଲେଣି, ଶାସ୍ତ୍ର ବିଦ୍ୟା ହେବ ପ୍ରୟୋଗ

ଦେଖିବେ ତା ପ୍ରଭାବ, ଶୁଣିବେ ଆଗ,

ପରମଲକ୍ଷ୍ମୀ ରାଜଗୁରୁ ଅଭ୍ରାନ୍ତ

ପ୍ରଚଣ୍ଡ ମନ୍ତ୍ରଶକ୍ତି ବଳେଦୁର୍ଦ୍ଦାନ୍ତ

ତକିଖାଁ ଶୋଚନୀୟ ଏ ପରିଣତି

ହୋଇଲା କି ସେଥିରେ ବଢ଼ାଇ ଭୀତି ।

“ହେ ମହାବାହୁ! ଆହେ ରାଷ୍ଟ୍ର ଦେବତା

ଓଡିଶା ଭାଗ୍ୟାକାଶେ ତାମସୀ ଯଥା

ରାତ୍ରିର ନାଶ କରି ଭାଗ୍ୟ ରବିର

ଶୁଭୋଦୟ ବିଳମ୍ବିତ କେତେକାଳ?

ତୁମେ ହିଁ ଜାତିପ୍ରାଣ ଗୁରୁ ଗୌରବ

ସଂସ୍କୃତି ସଂଜୀବକ ଅଭୟ-ଭବ

ମୁକତି ରନ୍‌ôସିଂହାସନରେ ତୁମେ

ଚିନ୍ମୟ ଉରୁକ୍ଷୟ ଓଡିଶା ପ୍ରାଣେ ।

ଶତ ଶତ ପ୍ରଣାମ ତୁୁମକୁ ପ୍ରଭୁ

ତ୍ରାହି କରନ୍ତୁ ସବୁ ଉକ୍ରଂକୁ ଭବୁ

 

ସେତେବେଳେ ରୁମାଗଡ ଅରଣ୍ୟରେ

ପତ୍ର ମର୍ମରଣରେ ବାୟୁ ହିଲ୍ଲୋଳେ ।

ଶୁଭୁଥିଲା ଆନଂଦର କୋଳାହଳ

ଜଗତନାଥ ଗୁଂଜରଣ ତୃପ୍ତିର ।

*****

କେତେ ପ୍ରାବୃଟର ସଲିଳ ଧାରାରେ

ଶରତ କାଶତଣ୍ଡି ଫୁଲ ରାସରେ ।

ନିରଂଧ୍ର ଅଂଧକାର ଅମାବାସ୍ୟାର

ଚନ୍ଦର ଚକିତ ରାକା ରଜନୀର ।

ଆତପ ତାପିତ ଜନ୍ତ୍ରଣା ପ୍ଳାବନ

ପରେ ଘନ ମେଘ ଶୀତଳ ବର୍ଷଣ ।

ମଧ୍ୟରେ ମାରଦା ଅରଣ୍ୟେ ଦିବସ-+

-ରାତ୍ରିକାଳ ପ୍ରବାହରେ ତିନିବର୍ଷ ।

ହୋଇ ପାରିଥିଲାକି ଅତିବାହିତ

କେତେ ଝଡ ଝଞ୍ଜା ମଧ୍ୟରେ ହିଁ ସତ୍ୟ ।

ଶ୍ରୀ ବତ୍ସ ଖଣ୍ଡଶାଳ ସେ ଦେଉଳରେ

ଅଧିପତି ରତନ ସିଂହାସନରେ ।

ସୁରକ୍ଷିତ ମୋଗଲ ଗୋଳୁ ରହିବା

ପାଇଁ ମାରଦା ଜଂଗଲକୁ ହିଁ ଯିବା ।

ସେହି ଭବ୍ୟ ମଂଦିରେ ବରଷ ତିନି

ଅରଚନା ଉପାସନା ଘେନି ଘେନି ।

ସେବିତ ହୋଇଣସେ ମହାକାଳର

ଗତି ଯେପରି ଯତନେ ନିରନ୍ତର ।

ବରଷ ମାସର ପ୍ରବାହରେ ସଦା

ସଂଚାଳିତ କରୁଥିଲେ ସରବଦା ।

ସେ ଦିନ ରାଜପରିଚ୍ଛଦ ଭୂଷିତ

ହୋଇଣ ଗଜପତି ମନେ ଭଷତ ।

ଯେତେବେଳେ ବିପୁଳ ସମ୍ଭାରେ ଜୀଉ

ଦର୍ଶନ କରିବାକୁ ସଂଗରେ ଆଉ ।

ଦର୍ଶନାଭିଳାଷୀକୁ ଧରି ସଂଗରେ

ପ୍ରବେଶ କଲେ ମାରଦାର ମଂଦିରେ ।

ପରମ ଲକ୍ଷ୍ମୀ ରାଜଗୁରୁକଣ୍ଠରେ

ପୁଲକିତ ପ୍ରଥମ ଆଶୀର୍ବାଦରେ

ସମ୍ଭାଷଣ ସିଂଚନକରି ରାଜନେ

ରାଜକୀୟ ସ୍ୱାଗତ କଲେ ଦର୍ଶନେ!

ଚତୁର୍ଦ୍ଦିଗରେ ଗଜପତିଙ୍କ ଜୟ

ଧ୍ୱନିରେ ବନ ଭୂମି ହେଲା ଅଥୟ ।

ମାରଦା ବଣ ପ୍ରକଂପିତ ହୋଇଲା

ଜୟ ମଣିମା ଧ୍ୱନି ବରଷା ହେଲା ।

ରାଜନ ଧନଂଜୟ ହରିଚନ୍ଦନ ୮୯

ଆଠଗଡର ପୁଷ୍ପମାଲ୍ୟ ଚନ୍ଦନ ।

ଜୈତ୍ର ଟୀକା ଅଙ୍କନ କରିଣ ଧିରେ

ଗଜପତିଙ୍କୁ ଭବ୍ୟ ସ୍ୱାଗତ କଲେ ।

ଓଡିଶା ଶତ୍ରୁ ତକୀଖାଁର ନିଧନ

ବାରତା ପ୍ରଚାରିତ ହୋଇ ତକ୍ଷଣ ।

ଆନଂଦ କଳୋଲ୍ଲାସ ପ୍ରଜାମଧ୍ୟରେ

ଯେପରି ସୀମା ଲଂଘି ଗଲା ଉପରେ ।

ଉଦ୍‌ବେଳିତ ହୋଇଣ ଚତୁର୍ଦ୍ଦିଗରେ

ପରିବ୍ୟାପ୍ତ ହୋଇଲା ମଜ୍ଜି ଶରୀରେ

ମଣିମା ଆଗେ ନତଜାନୁ ହୋଇଣ

ଗଜପତିଙ୍କର ଅଶ୍ରୁଳ ନୟନ

ଚାହିଁଲେ କାନ୍ତ ଚମକିତ କଳାକୁ

ଶୃଗାଂର ବେଶ ମଣ୍ଡିତ ଶ୍ରୀଜୀଉଙ୍କୁ ।

ମଣିମା ପଟ୍ଟବସ୍ତ୍ର ଶୋଭିତ ହୋଇ

ଚକା ନୟନେ ଗଜପତିଙ୍କୁ ଚାହିଁ ।

ଯେପରି ଅଭୟ ବାହୁ ପ୍ରସାରଣ

କରି ବରାଭୟର ସ୍ୱର ମଉନ ।

ମହାର୍ଘ ଆର୍ଶୀବାଦ ବାଣୀପ୍ରଦାନ

କରୁଥିଲେ ଆନଂଦେ ପୁଲକ ମନ ।

ମନେ ମନେ ମିନତି କଲେ ରାଜନ

ଯୁଗ ଯୁଗର ଯନ୍ତ୍ରଣା ସନ୍ତୁଳନ ।

ନିରାକରଣ କରିଣ ଓଡିଶାର

ଭାଗ୍ୟରବିକୁ ମେଘ ମୁକ୍ତ ପ୍ରସାର ।

ଆଜି ତୁମେ ଆଶାର ସେ ଆଲୋକକୁ

ପ୍ରଜ୍ଜଳିତ କରିଛ ପ୍ରଭୁ ପାଶକୁ ।

ଦୁର୍ବିହ ବେଦନାକୁ କାଳ କାଳର

ଗାଂଧାର ଆଶ୍ୱାସନରେ କୁରୁପାର ।

କୋମଳ ସ୍ନିଗ୍ଧ ଆନଂଦ ରୂପାୟିତ

କରି ତୁମେହିଁ ଜୀବନରେ ମହତ ।

ମହା ଶକ୍ତି ନିୟତି ହିଁ ମହାକାଳ

ତୁମେହିଁ କାଳ ଜୟୀ ତତ୍ୱ ସକଳ

ଜୀବନ ମୃତ୍ୟୁ ଚକ୍ରରେ ଚିରନ୍ତନ

ମହାପ୍ରଭୁ ଶାଶ୍ୱତ ବିଶ୍ୱାତ୍ମା ପ୍ରେମ ।

 

ରତ୍ନ ସିଂହାସନର ପୂତ ଆସନ

ମଣ୍ଡିଣ ଅଛ ଛାଡି ବୈକୁଣ୍ଠ ଧାମ

ଓଡିଶାର ଐତିହ୍ୟ ସଂସ୍କୃତି ରୀତି

ବିରତ୍ୱ ଅଭିବୃଦ୍ଧି କର ଶ୍ରୀପତି

ବ୍ରହ୍ମାଣ୍ଡର ଭୂଗୋଳେ ଏ ଓଡିଶାର

ସ୍ଥିତି ଭାସ୍ୱର ହେଉ ଅବିନଶ୍ୱର” ।

 

ମଥାକୁ ନତକରି ପ୍ରଭୁ ସମ୍ମୁଖେ

ପ୍ରଣାମ ନିବେଦନ କରି ପ୍ରତ୍ୟକ୍ଷେ ।

ଧିର ପଦରେ ମଂଦିର ବାହାରକୁ

ଅପସରି ଆସିଲେ ଚିଂତି ପ୍ରଭୁଙ୍କୁ ।

ମଂଦିର ପ୍ରାଂଗଣ ପୁଷ୍ପ ବାଟିକାରେ

ଅଶେଷ ସୁରଭିତ ଫୁଲରାଶିରେ ।

ମନୋଜ୍ଞ ସମାରୋହ ମଧ୍ୟେ ପ୍ରସନ୍ନ-

-ଚିତ୍ତରେ ଘୁରି ବୁଲୁ ବୁଲୁ ରାଜନ ।

ସହସା ଗୋଲାପ ଗଛ ନିକଟରେ

ଅଟକି ଗଲେ ଗଜପତି ଚଂଚଳେ ।

ବର୍ଣ୍ଣବିଭାରେ କୁସୁମିତ ଗୋଲାପ

ସୁନ୍ଦରତାର ମହୋତ୍ସବ ଅମାପ ।

ଯେପରି ଭାଂଗୁଥିଲା ଲହଡି ସେଠି

ନବନୀତ ପାଖୁଡା ଶୋଭିତ ଅତି ।

ପାଟଳ ବର୍ଣ୍ଣ କାନ୍ତି ଭିତରେ ସତେ

ଯେଉଁପରି ଗୋଲାପ ବଧୂର ପ୍ରୀତେ ।

ଲୀଳାୟିତ ଲପନ ଉଠେ ଝଲସି

ଦେଖୁଥିଲେ ରାଜନ ନିଜ ପ୍ରେୟସୀ ।

ମନ ଭିତରେ ଏକ ନିଷ୍ପ୍ରଭ ସ୍ମୃତି

କୁହୁଡି ମଧ୍ୟେ ସଦ୍ୟ ଗୋଲାପ ଫୁଟି ।

ଚମକ ଉଠୁଥିଲା ବିଦଗେ୍ଧ ଝୁରି

ସୁହାଗିନୀ ସେ ପ୍ରୀତି ସ୍ୱ ଜବାଧରୀ ।

କମ୍ର କୋମଳ ମୁଖ ସୁଷମା ରାଜି

ରେଜିୟା ପ୍ରିୟା ଆସି ମାରେ କି ବାଜି ।

ଜୀବନ ପଦ୍ମବନେ ସେ ଜବାଧରୀ

ସ୍ନିଗ୍ଧ ଅମଳ ପୂତ ସରୋଜ ସରି ।

ପ୍ରଣୟ ଫୁଲବନେ ଏକ ନିଷ୍ପାପ

ନିବେଦିତା ମାଳତି - ସ୍ମୃତି ପ୍ରଳାପ ।

ବିଦଗ୍ଧା ସେ ଜୀବନ ଯାତ୍ରା ପଥରେ

ପ୍ରୀତି ପୂଜାରିଣୀ ଆରାଧିକା ମରେ ।

ପ୍ରତିକ୍ଷାର ଅନନ୍ତ ଚାହାଣୀ ଦୃଷ୍ଟି

କଳାଘୁମର ଥିଲା ଆଖି ଦୁଇଟି ।

ନାନ୍ଦନିକ ସମରପଣ ତାହାର

ଆତ୍ମ ନିବେଦନର ସେ ପଟାନ୍ତର ।

ଅଲିଖିତ ଇତିହାସର ପୃଷ୍ଠାରେ

ତିକ୍ତ ବେଦନାର ଆର୍ଦ୍ର ଅଧ୍ୟାୟରେ ।

ଜବାଧାରୀ ଯୁଗ ଯୁଗ ମନୋଭାବ

ପ୍ରଣୟ ବଲ୍ଲରୀ ହୋଇ ରହିଯିବ ।

କିଂତୁ ପ୍ରଣୟରେ ବ୍ରତତୀରେ ହୁଏ

ଅନୁରାଗର ଗଂଗଶିଉଳିଟିଏ ।

ପ୍ରସ୍ଫୁଟିତ ସେ ହୋଇ ପାରିବ ନାହିଁ

ଗଭୀର ଦୀର୍ଘଶ୍ୱାସେ ରାଜନ ଚାହିଁ ।

ଥିଲେ ମଜ୍ଜି ଅରଣ୍ୟ ସବୁଜିମାରେ

ମଣ୍ଡିତ ନୀଳ ଉପତ୍ୟକା ମଣ୍ଡଳେ ।

ଅବ୍ୟକ୍ତ ବ୍ୟଥା ନିର୍ଯ୍ୟାସର ଦୁଇଟି

ଅଶ୍ରୁକଣା ଆଖିର କୋଣେ ଥିଲାଟି ।

ଜଳ ଜଳ ହୋଇଣ ବିଦଗ୍ଧା ନାରୀ

ପ୍ରେମର ଦିବ୍ୟ ସଂଭାଷଣ ବିଚାରି ।

ଜ୍ଞପନ କରୁଥିଲା ମନ ଭିତରେ

ସେ ଜବାଧରୀ ରାଜା ହୃଦ ମଧ୍ୟରେ ।

ଦଣ୍ଡାୟ ମାନ ସ୍ଥିରେ ପଛ ପଟରେ

ହୋଇ ସେ ରାଜଗୁରୁ ଭାଷି ଗମ୍ଭୀରେ ।

କହିଲେ ଗଜପତି ଅତୀତ କଥା

ସୁମରି ପାଉଛଂତି ମାନସେ ବ୍ୟଥା ।

ବେଳନୁହେ ତନ୍ମୟ ହେବାର ଏବେ

ରେଜିୟା କଥାଭାବି ହେ ରାଜା ଏବେ ।

ରାଷ୍ଟ୍ର ଦେବତା କାନ୍ତାରରେ ପତିତ

ହୋଇଥିଲା ବେଳରେ ପ୍ରଣୟ ସତ୍ୟ

ସଂଜୀବିତ କରିବା ମଧୁସ୍ୱପନ

ନୁହଇ ସ୍ପୃହଣୀୟ ବରତମାନ । ।

ଚମକି ପଡି ରାମଚନ୍ଦର ଦେବ

ବାଷ୍ପାକୁଳ କଂଠରେ କହିଲେ ଭାବ ।

“ପ୍ରଣୟ ସ୍ମୃତି ରାଣୀ ଜବାଧରୀର

ମହାବାହୁଙ୍କ ଆରାଧନା ସମ୍ବଳ ।

ପବିତ୍ର ଇତହାସ ଅଂଶବିଶେଷ

ଆପଣ ଜାଣନ୍ତି ନି ଏହା ବିଶେଷ ।

ଅଖଣ୍ଡ ନିରାପତ୍ତା ମହାପ୍ରଭୁଙ୍କ

ନିରଙ୍କୁଶ ସେବାରାଧନା ତାହାଙ୍କ ।

ନବେଦିତାତ୍ମା ଜବାଧରୀ କିପରି

ଆପଣ ପ୍ରତ୍ୟକ୍ଷରେ ଜାଣନ୍ତି ବାରି ।

ସ୍ମିତ ହସ ହସିଣ ସେ ରାଜଗୁରୁ

କହିଲେ ତାହା ଜାଣେ ରହିଣ ଦୂରୁ ।

ମଣିମାକୁୁ ବହନ ସମାରୋହରେ

କରି ଶ୍ରୀବତ୍ସ ଖଣ୍ଡଶାଳ ଦେଉଳେ ।

କରିଲାପରେ ରେଜିୟା ତ୍ୟାଗପୂତ

ଜୀବନ ସାର୍ଥକ ହେବ ଏହା ସତ୍ୟ ।

ମଣିମାଙ୍କ ପବିତ୍ର ମହିମା ଖଣ୍ଡ

ବ୍ୟାପ୍ତି ପାଇଁ ରେଜିୟା ପାଇଛି ଦଣ୍ଡ ।

ତାର ଆତ୍ମୋତ୍ସର୍ଗକୁ ମହିମାନ୍ୱିତ

କରିବାକୁ ଶ୍ରୀଜୀଉ ମାନେ ତୁରନ୍ତ ।

କ୍ଷେତ୍ରକୁ ବାହୁଡିବା ଅତ୍ୟାବଶ୍ୟକ

ଏ କଥା କହିପାରେ ହୋଇ ନିଃଶଙ୍କ ।

ପୁଷ୍ପବାଟିକାରେକ ପାଷାଣୋପରେ

ପରମ ଲକ୍ଷ୍ମୀ ହସି ବସି ପଡିଲେ

ନିକଟବର୍ତ୍ତୀ ଏକ ପ୍ରସ୍ତର ସ୍ତୁପେ

ବସି ଲେ ଗଜପତି ସ୍ମିତେ ଅଳପେ ।

ଅପଲକେ ଆଖିରେ ଅବୋଧ ପରି

ଚାହିଁ ରହିଲେ ରାଜଗୁରୁଙ୍କୁ ଖାଲି ।

କେତୋଟି ମୂହୁର୍ତ୍ତର ନୀରବତାରେ

କଟିଲା, ଗଜପତି ପଚାରି ଥିଲେ ।

“ଆପଣଙ୍କ କଥାରେ ମରମ ବୁଝି

ପାରିଲିନି, ବଝାନ୍ତୁ, ବସିବି ବୁଝି ।

ମୃତ୍ୟୁ ହୋଇଛି, ତକୀଖାଁର ଅବଶ୍ୟ

ବିଦ୍ୱେଷ ଦୃଷ୍ଟି ମୋଗଲଙ୍କ ଅଶେଷ ।

ରହିଛି ପୂର୍ବପରି, ବଦଳି ନାହିଁ

ମୋର ବଦ୍ଧ ଧାରଣା ଦ୍ୱିମତ ନାହିଁ ।

ଶ୍ରୀଜୀଉଙ୍କ ଉପରୁ ମିଆଁ କୁଦୃଷ୍ଟି

ଯାଇଛି ଅପସରି ବୋଲି କେମିତି ।

କେତେଦୂର ଆପଣ ଜାଣିଛନ୍ତିକି?

ବିଦ୍ୱେଷମନୋଭାବ ବଦଳିଛି କି?”

“ତକିଖାଁର ଧର୍ମାଂଧ ମୋହ ଦୃଷ୍ଟିରୁ

ଜୀଉ ଇଂଗିତକ୍ରମେ ଧରାଧାମରୁ ।

ବିଦାୟ ନେଲା ଚଣ୍ଡାଳ ମନ୍ତ୍ରବଳେ

ପଡିଲା ବୋଦା ହୋଇ ଶାସ୍ତ୍ର କବଳେ ।

ମଣିମା ଇଛା ଏହା ଭାବନ୍ତୁ ଏଯେ

ଇଛା ମୟଙ୍କ ଇଛା ଜାଣନ୍ତି ନିଜେ ।

ଧର୍ମଧାରଣା ଧର୍ମାଚାର ରାଜ୍ୟର

ପବିତ୍ର ମନ୍ତ୍ର ଶକ୍ତି ଯା ମହିମାର ।

ଯୁଗେ ଯୁଗେ ଅପ୍ରତିହତ ଶକତ

ଉର୍ଜସ୍ୱଳ ନିର୍ମଳ ଜାଣେ ଜଗତ ।

ଏ ପ୍ରତ୍ୟକ୍ଷ ପ୍ରମାଣ ସେ ତକିଖାଁର

ଅକାଳ ମୃତ୍ୟୁ, ଡରି ଛନ୍ତି ମୋଗଲ ।

ଏଥିôପରେ ମୁର୍ଶିଦ କୁଲିଖାଁ ଆସି

ବାରବାଟି ଦାୟିତ୍ୱ ନେଲେଣି ହସି ।

ଆଠଗଡ ରାଜାଙ୍କ ମାଧ୍ୟମରେ ସେ

ସମ୍ବାଦ ବି ପଠାଇଛନ୍ତି ହରଷେ ।

ପୂର୍ବ ଶତ୍ରୁତା ଭୁଲି ଆସ ଆଗେଇ

ଆଣ ମହାବାହୁଙ୍କୁ ଶ୍ରୀ କ୍ଷେତ୍ରେ ଯାଇ ।

ପୁରୁଷୋତ୍ତମ କ୍ଷେତ୍ର ବିଜେ କରନ୍ତୁ

ସୁଦୂର ଦର୍ଶନାର୍ଥୀ ପାଶେ ଦେଖନ୍ତୁ ।

 

ନିରାଶ ମନେ ନଫେରନ୍ତୁ ପୁରୀରୁ

ବ୍ୟବସ୍ଥାକୁ କରନ୍ତୁ କାମନା ପୁରୁ ।

 

ଓଡିଶାର ସାର୍ବଭୌମ ସଂସ୍କୃତିକୁ

ଉଜ୍ଜୀବିତ ସରବଦା ରଖିବାକୁ ।

ଶ୍ରୀବତ୍ସ ଖଣ୍ଡଶାଳ ଦେଉଳ ମଧ୍ୟେ

ଶ୍ରୀଜିଉ ଚିରଦିନ ରହିବେ ବାଧ୍ୟେ ।

ଅବଧାରିତ ସତ୍ୟ ବିରାଜମାନ

ପଠାଇଛି ବାର୍ତ୍ତା ନାଏବ ନଜିମ ।

ମୋଗଲ ବାର୍ତ୍ତାବହ ଏକ ଚିଟାଉ

ସହ ଆଠଗଡରେ ଅଛନ୍ତି ବହୁ- ।

ବେଳ ହେଲା ଅପେକ୍ଷା କରି ଛାମୁଙ୍କୁ

ମନ୍ତ୍ରଣାପରେ ମୋଗଲଙ୍କ ଦୂତକୁ ।

ବିଦାୟ ଦେଲାପରେ ମହାବାହୁଙ୍କ

ବାହୁଡା ଯାତ୍ରା ଯୋଜନା ଆପଣଙ୍କ ।

ନେତୃତ୍ୱେ ପ୍ରସ୍ତୁତ ହେବ ସଂଗେ ସଂଗେ

ଆଠଗଡ, ରାଜାଙ୍କ ନିବାସେ ବେଗେ

ବିଜେ କରନ୍ତୁ ମହାରାଜ ତକ୍ଷଣେ

ସମୟର ଗୁରୁତ୍ୱ ବିଚାରି ମନେ ।

 

ମନତଳେ ଆଶାର ବଇତରଣୀ

ସହସା ଆଷାଢର ବନ୍ୟା ପ୍ଳାବିନୀ

କଳକଳ ନାଦରେ ବହିଣ ଗଲା

ଗଜପତି ଅବସ୍ଥା ଯେପରି ହେଲା ।

ଚକ୍ଷୁରେ ତାଙ୍କର ଅନନ୍ତ ଯୁଗର

ତୃପ୍ତି ଯେପରି ହୋଇଗଲା ଉଜ୍ଜଳ ।

ଅଧିର ଆବେଗରେ ସେ କହିଥିଲେ

“ରାଜଗୁରୁ ଆପଣେ ଚାଲ ସାଥିରେ ।

ସରାଗ ଜହ୍ନରାତି ଭାଗ୍ୟ ଆକାଣେ

ଓଡିଶାର ସତରେ ଆସିବ ଶେଷେ ।

ଏହା କେବଳ ମହାବାହୁଙ୍କ କୃପା

ପ୍ରଭୁ ଭରସା ସବୁ ପ୍ରଭୁଙ୍କ କୃପା ।

ଯୁଗେ ଯୁଗେ କେବଳ ସେ ଓଡିଶାର

ରଷ୍ଟ୍ରପ୍ରାଣ ନୁହନ୍ତି - ଏହି ଜାତିର

ଅଧିକନ୍ତୁ ଜାତିର ଭାଗ୍ୟ ନିୟନ୍ତା

ଜୀବନ ଜୀବନୀକା ସେ ଜାତୀୟତା ।”

 

୮ମ ସର୍ଗ

 

ରାଜ-ପ୍ରସାଦର ଆଠଗଡରେ,      ଏକ ଗମ୍ଭୀର ମନ୍ତ୍ରଣା କକ୍ଷରେ

ପରିବେଶ ମଧ୍ୟରେ ଗଜପତି,       ରାମଚନ୍ଦ୍ରଦେବ ସେଦିନ ସେଠି

ଆଲୋଚନା ବୈଠକରେ

କରିଥିଲେ ଉପବେଶନ ସକ୍ରିୟ ଏକ ଦୃଢ ଭୂମିକାରେ      

 

ସମ୍ମୁଖରେ ମୋଗଲ ଶାସନର,      ପ୍ରତିନିଧି ମୁର୍ଶିଦ କୁଲିଖାଁର

ରାଜପରିଷଦ ସଦସ୍ୟ ଆଉ,      ନବାବ ହବିବ ଏକ ଚିଟାଉ

ଉନ୍ମୁକ୍ତ କରି ସମ୍ମୁଖ

ମେଜର ଉପରେ ପ୍ରସାରଣ କରି ଧରିଥିଲେ ଟେକି ବେକ      

 

ରାଜା ଧନଂଜୟ ହରିଚନ୍ଦନ,      ରାଜଗୁରୁ ମହାପାତ୍ର ସେ ଦିନ

ପ୍ରମୁଖ ସଦସ୍ୟ ନିଜ ନିଜର,      ଆସନରେ ବସିଥିଲେ ସକଳ

ଗମ୍ଭୀରେକ ଭାବନାରେ

ହୋଇ ଯାଇଥିଲେ ନିବିଷ୍ଟ ନିର୍ଦ୍ଦିଷ୍ଟ ତତ୍କାଳୀନ ଚିନ୍ତନରେ      

 

ନୀରବତା ଭଂଗ କରି ରାଜନ,      ରାମଚନ୍ଦ୍ର ଦେବ ଭାଷି ତକ୍ଷଣ

“ନାଏବ ନଜିମ ତକୀଗାଁ ମୋର,      କେବଳ ନଥିଲେ ସ୍ୱ ବିରାଦର

ସେ ସମଗ୍ର ଓଡିଶାର

ଆତ୍ମୀୟ ସ୍ୱଜନ ଥିଲେ ଗରୀୟାନ ବିଷୟରେ ଧୁରଂଧର      

 

ସମଗ୍ର ଓଡିଶା ତାଙ୍କରିଠାରୁ,       ଆତ୍ମୀୟ ସୁଲଭ ଆଚରଣରୁ

ସରବଦା ଆଶା କରୁଥିଲାଟି      ନିଜେ ମଧ୍ୟ ନିକା ସମୟରେ ଟି

ଆତ୍ମୀୟତାର ତାଙ୍କର

ଅନ୍ତରଙ୍ଗ ଆଚରଣ ନିମନ୍ତେ ମୁଁ ମାଗିଥିଲି ଦୁଆ ବଡ      

 

ଅଂଧ ଆଚରଣ ଧର୍ମାନ୍ଧତାର      ତଳେ ଥିଲା ଲୁଚି, ସେ ତକୀଖାଁର

ଧର୍ମ ମୋହ ଅଂଧକାରର ଅଂଧ,      ପଥଚାରୀ ପରି ବିଭ୍ରାନ୍ତ ବଦ୍ଧ

ହୋଇଥିଲା ଦିଗହରା

ସେହି କାରଣରୁ ଓଡିଶାର ରାଷ୍ଟ୍ର      ଦେବତା - ଚକଡ଼ା ଛଡ଼ା      

ମହାପ୍ରଭୁ ଜଗନ୍ନାଥ କି ଆଜି      ମଂଦିରକୁ ତ୍ୟାଗ କରି ବିରାଜି

ଥାନ୍ତେ ମାରଦାର ଘଂଚଅରଣ୍ୟେ      ଉପାସିତ ହେଉଥାନ୍ତେ ବରଣ୍ୟେ

ଆହେ ନବାବ ସାହେବ

ଧର୍ମ ବିଷମତା ଯେତିକି ବାଧେନା ବାଧେ ଧର୍ମ ଅଂଧ-ଭାବ      

ଅବତାର ତୁମ ଧର୍ମାଂଧତାର,      ଏକ ସାର୍ବଭୌମ ରାଜତନ୍ତ୍ରର

ଗଣଙ୍କ ପୂଜିତ ପ୍ରଭୁ ଦେଶର      ତାଙ୍କର ଉପରେ ପଶୁ ବଳର

ଦୁର୍ମଦ ଅହମିକାର

ଆକ୍ରମଣ କରିବାର ନୀତି ତୁମ ଏ ନୀତି ମିଆଁ ଧର୍ମର      

 

ତେବେ ସେହି ଧର୍ମକୁ ନିକାକରି,       ଯାହା ନିଂଦ୍ୟ ଜଗତରେ ସବୁରି

କରିଛିକି ଅପରାଧ କୁହନ୍ତୁ      ଫିଟାଇଣ ସଭା ସଭ୍ୟ ଶୁଣନ୍ତୁ

ନାଏବ ହବିବ ମିଆଁ

ଆଜି ସେହି ଅପରାଧ ପ୍ରାୟଶ୍ଚିତ ମୋ ବନବାସ ଦୁନିଆ      

 

ପରିକ୍ଳିଷ୍ଠ ଏ ବିଧୁର ଉଦାସ      ହୋଇଛି ମୋହର ଅରଣ୍ୟ - ବାସ

ମୋଗଲଙ୍କ ମସ୍‌ଜିଦ ଉପରେ      ନଗ୍ନ ଆକ୍ରମଣ କରି ତାପରେ

ପବିତ୍ର ଗ୍ରନ୍ଥ୍‌କୁ ଯଦି

କେହି ହିନ୍ଦୁ ରାଜା ବଜାଇଣ ବାଜା ଅବଲୁଣ୍ଠିତ ବରାଦି      ୧୦

 

ସେ ମର୍ମ ଯନ୍ତ୍ରଣା ତୁମ୍ଭେ କି କେବେ,       ଅନୁଭବ କରିଛକି ସ୍ୱଭାବେ

ସେଥିପାଇଁ ଆଜି ଧର୍ମ ବିଦ୍ୱେଷ,      ମିଆଁ ଶାସନ ପ୍ରତି ଅବିଶ୍ୱାସ

ଓଡିଶାର ବୀସୀଙ୍କର

ସୁତୀବ୍ର କଟାକ୍ଷ ଅଛି ପ୍ରଜାଙ୍କର ଏଥିପାଇଁ ନିରନ୍ତର      ୧୧

 

ଭାତ୍ରୁ ବଂଧନରେ ଯଦି ମୋଗଲ,      ପ୍ରଜାଙ୍କୁ ଶାସକ ଏ ଓଡିଶାର

କୋଳାଗ୍ରତ ଯଦି ନକରେ ଯେବେ,       ଓଡିଶା ଶାସନ ଛାଡିବ ତେବେ

ରାଜ୍ୟ ଜନ ସାଧାରଣ

କରିବେ କି ତାକୁ କେବେ ହେଁ ସ୍ୱୀକାର ଏହା ଜଗନ୍ନାଥ ରାଣ      ୧୨

 

ଗଜପତି ମହାରାଜାଙ୍କ ଗୌର      ମୁଖମଣ୍ଡଳରେ ଉତ୍ତେଜନାର

ସ୍ୱେଦ ବିନ୍ଦୁ ବିନ୍ଦୁ ଉଠିଲା ଝଳି,       ଅଶାନ୍ତିର ଝଂଝା ପବନ ସରି

ତାଙ୍କ ନାସିକାକୁ ସ୍ଫୀତ

କରି ପରିବେଶ ଗମ୍ଭୀର ହୋଇଲା ଥରିଲା ସରବ ଚିତ୍ତ      ୧୩

ରାଜଗୁରୁ ମହାପାତ୍ର ଗମ୍ଭୀରେ       କହିଲେ ନବାବ ଶୁଣନ୍ତୁ ବାରେ

“ମୋର ଯାହାନିବେଦନ ନାଏବ, ତକୀଖାଁ ନିକଟେ ବ୍ୟର୍ଥ ସରବ

ଆହେ ନବାବ ସାହେବ

ପୃଥିବୀ ପୃଷ୍ଠରେ କେବଳ ଗୋଟିଏ ଧର୍ମ ସ୍ଥିତି କି ସମ୍ଭବ?      ୧୪

ଏପରି ଭାବନା ଉଦଭ୍ରାନ୍ତର,      ବିକୃତ ଚିନ୍ତାଧାରା ହିଁ କେବଳ

ସନାତନ ଧର୍ମ ସକଳ ମତ      ସକଳ ପନ୍ଥର ଜନନୀ ସତ୍ୟ

କିଛି ବିଦ୍ୱେଷ ପୋଷଣ

ନକରି ସରବ ପନ୍ଥ ଧର୍ମାଚାରୀ ମାନେ ଭଜି ସନାତନ       ୧୫

ସନାତନ ଧର୍ମର ବିଶାଳ-ଛାୟା      ତଳେ ସର୍ବେ ଛିଡା ଏ ଛତ୍ର ଛାୟା

ଚିରନ୍ତନ ସତ୍ୟକୁ ଭୁଲିକରି      ଅଥଚ ସ୍ୱୀକାର ତାକୁ ନକରି

ଧର୍ମାନ୍ଧତାକୁ ଜାହିର

କଲେ ଅନ୍ୟ ଧର୍ମ ଅବଲମ୍ବୀମାନେ ହେବେ କ୍ଷିପ୍ତ ଫଳ ତାର      ୧୬

 

ହବିବ ସାହେବ ଏ ସ୍ୱାଭାବିକ       ଓଡିଶାର ରାଷ୍ଟ୍ର ଦେବ ସଂପର୍କ

ସବୁ ମତ ପନ୍ଥ ସଂପ୍ରଦାୟର      ଜନକ ସକଳ ବସୁଂଧରାର

ବାରବାଟି କଟକର

ନବାବ ଲାଲବେଗଙ୍କ ପୁତ୍ର ମଣିଥିଲେ ସାଲବେଗଙ୍କର-      ୧୭

-ପରାଣ ସର୍ବସ୍ୱ ଶ୍ରୀଜଗନ୍ନାଥ      ତାଙ୍କର ରଚିତ କେତେ ଲଳିତ

ରଚନା ବଳୀ ଆଜି ଓଡିଶାର      ଭକ୍ତି ଭାବନାରେ ପୂତ କେବଳ

ଶୁଦ୍ଧ ସଂଗୀତ ନୈବେଦ୍ୟ

ଯୁଗେ ଯୁଗେ ସବୁ ମତ ସଂପ୍ରଦାୟ ଭକ୍ତି ଗୀତ ପରସିଦ୍ଧ      ୧୮

ମହାପୁରୁଷ ମାନେ ବିଶ୍ୱ ପ୍ରାଣ      ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧା ଭାଜନ

ପ୍ରଭୁ ବିଶାଳତାରେ ଆତ୍ମସାତ      ଆତ୍ମ - ତ୍ୟାଗ କରିଛନ୍ତି ଏ ସତ

ମହା ନାୟକ ସମସ୍ତ

ଜଗତ ନାଥଙ୍କୁ ଆକ୍ରମଣ ଛିନ୍ତା ଅଟେ ବର୍ବର ଉଚିତ      ୧୯

 

ପଶୁବଳେ ଆକ୍ରମଣ କରିଣ      ଜଗତନାଥଙ୍କୁ ହେ ହଇରାଣ      କରିପାରିବନି

ସର୍ବଦା କେବେ      ମନେ ରଖିଥିବ ହେ ମିଆଁ ତେବେ

ତେଣୁ ଥିବ ସାବଧାନ

ବଂଶର ନିପାତ ହୋଇଯିବ ତୁମ ହୋଇଲେ ଅସାବଧାନ      ୨୦

ଜଗନ୍ନାଥ ଚିରଦିନ ଉତ୍ତୁଙ୍ଗ       ବିଶ୍ୱଦକ୍ଷିଣ ମହାତତ୍ୱ ବ୍ୟାଘ୍ର

ପରମାତ୍ମା ରୂପୀ ଶ୍ରୀଜଗନ୍ନାଥ       ବିଗ୍ରହରେ ହୁଅନ୍ତି ଉପାସିତ

ଜନାବ ହବିବ ମିଆଁ

କେବଳ ବିଗ୍ରହେ ସୀମିତ ନୁହଁନ୍ତି ମହାର୍ଘ ସବୁଦିନିଆ      ୨୧

ସେହିହିଁ ତ ପରଭୁ ମହାକାଳ      ମହାବାହୁ ସେ ବିଶ୍ୱ ଚେତନାର

ପ୍ରତିଭୁ ସେ ତାଙ୍କପ୍ରତି ବିଦ୍ୱେଷ      ଶାସନର କାଳକାଳରେ ବିଷ

ଅକ୍ଷମଣୀୟ ଗର୍ହିତ

ଅପରାଧ ତାହା ରଖିଥିବ ମନେ ଖାଇ ଯିବ ମନଭୁତ       ୨୨

ନବାବ ହବିବଖାଁ ମନ୍ତ୍ର ମୁଗ୍ଧ       ପରି ରାଜଗୁରୁ ବଚନ ଲବ୍ଧ

ଜ୍ୟୋତିସ୍ନାତ ମୁଖ ମଣ୍ଡଳେ ଚାହିଁ,      ରହିଥିଲେ ଚକ୍ଷୁ ପଲକ ଥୋଇ

ଯେଉଁ ପରି ମୋହାଚ୍ଛନ୍ନ

ଆଉ ସଂଚାଳନ ହେଉତ ନଥିଲା ସ୍ଥିରଥିଲା ଦ୍ୱି ନୟନ      ୨୩

କେତୋଟି ମୁହୂର୍ତ୍ତ ନୀରବତାରେ,      ଅତିବାହିତ ହୋଇଲା ଗଭୀରେ

ଏହି ଜ୍ଞାନ ଗର୍ଭା ବଳିଷ୍ଠ ଯୁକ୍ତି,       ଉତ୍ତର ଦେବାକୁ ମିଆଁ ଖୋଜନ୍ତି

ହବିବଖାଁ ମନେ ମନେ

ଭାଷା ସଂଯୋଜନା କରୁଥିଲେ ପାଟି ଫିଟୁ ନଥିଲା ତକ୍ଷଣେ      ୨୪

 

ପରମ ଲକ୍ଷ୍ମୀ କହିଲେ ତାପରେ, ମୁର୍ଶିଦ କୁଲିଖାଁ ନାଏବ ହେଲେ

ଓଡିଶାର ପ୍ରଜାମାନେ ଅତ୍ୟନ୍ତ      ଆନଂଦିତ ଆମେ କରୁ ସ୍ୱାଗତ

ଆହେ ନବାବ ସାହେବ

ଆଜି ଓଡିଶାର ରାଷ୍ଟ୍ରଜୀବନରେ      ତୁମେ ପ୍ରତିଶୃତି ଦେବ      ୨୫

 

ପୁଣି ଯେଉଁପରି ଧର୍ମାଂଧତାର       ବାଦଲ ଆସ୍ଥୀର୍ଣ୍ଣ ନହେବ ଘୋର

ସେହି ପ୍ରତିଶୃତି ନିଶ୍ଚିତ ଭାବେ      ଦେବାକୁ ପଡିବ ତୁମକୁ ଏବେ

ସେହି ପ୍ରତିଶୃତି ପ୍ରାପ୍ତି

ପରେହିଁ ଜଗତନାଥ ବିଜେ ହେବେ ପୁରୀକୁ ସର୍ବ ସମ୍ମତି      ୨୬

ଗଜପତି ସାର୍ବଭୌମତ୍ୱ ମାନ୍ୟ      ଯେପରି ଜଗତେ ହୋଇବ ଗଣ୍ୟ

ବିଶ୍ୱଜନୀନତା ଦେବତାଙ୍କର      ସେମିତି ପରାର୍ଦ୍ଧ୍ୟ, ଶୁଣ ମୋଗଲ

ଶାସକ ଯେପରି ଏହି

ମୌଳିକ ତତ୍ତ୍ୱକୁ ସ୍ମରଣ ରଖନ୍ତି ସର୍ବଦା ମନରେ ଥୋଇ”      ୨୭

କେତୋଟି ମୁହୂର୍ତ୍ତର ମଉନତା       ପରେ ହବିବ ଖୋଲିଦେଲେ ଖାତା

ନାଏବ ନଜୀମ ତକୀଖାଁଙ୍କର      ଅପରିଣାମଦର୍ଶିତା ବାରଂବାର

ପାଇଁ ଦିଲ୍ଲୀ ବାଦଶାହା

କେବେହେଁ ନୁହନ୍ତି ଖୁସି ଗଜପତି ସାହେବ ସତ୍ୟଟି ଏହା       ୨୮

ପେସ୍‌କିସ ବାଦସାଙ୍କ ମତରେ, ଏହା କଷ୍ଟ ଆଦାୟ କରିବାରେ

ଏ ବଡ଼ ପ୍ରତିବଂଧକତା ସୃଷ୍ଟି, କଲା ଜାଣିଛନ୍ତି ମୋଗଲ ଗୋଷ୍ଠୀ

ଓଡିଶା ରଷ୍ଟ୍ର ଦେବତା

କେବଳ ନୁହନ୍ତି, ଭାରତ ବର୍ଷର, ସର୍ବେ ଜାଣନ୍ତି ଏକଥା ।      ୨୯

ପ୍ରାଣ ପ୍ରଦୀପ ଭାରତ ବର୍ଷର,      ଭକତିର ଭଗବାନ ଦେଶର

ଆମେ ଆଲ୍ଲା ଭଗବାନ ମଧ୍ୟରେ      କୌଣସି ପାର୍ଥକ୍ୟ ଦେଖୁନା ତିଳେ

ରାଜ ଗୁରୁ ମହୋଦୟ

ଭଗବାନଙ୍କର ଉପାସନା ଧାରା ଭିନ୍ନ ଭିନ୍ନ ସତ୍ୟ ଶ୍ରେୟ      ୩୦

କିଂତୁ ଉପାସ୍ୟ ଏକ ଭଗବାନ,       ଯେ ଏକ ଅଟନ୍ତି ହୋଇ ଅଭିନ୍ନ

ସେଥିରେ କୌଣସି ବିରୋଧ ନାହିଁ,       ଆଲ୍ଲା ଭଗବାନ ସଂପର୍କ ଏହି

ତେଣୁ ନାଏବ ନଜିମ

ମୁନିବ କରନ୍ତି ଏପରି ଧର୍ମାଂଧ ମତବାଦକୁ ଖଣ୍ଡନ      ୩୧

ମୋଗଲ ବାଦସା ଚାହାନ୍ତି ଖାଲି,       ଜନ ସାଧାରଣ ଓଡ଼ିଶା ବୋଲି

ସ୍ୱାଧୀନ ଧର୍ମାଚରଣ ହେବାର,       ସାର୍ବଭୌମ ଚିରଦିନାଧିକାର

ସର୍ବଦା ପ୍ରାପ୍ତ ହୁଅନ୍ତୁ

ବାର୍ଷିକ ଖଜଣା ପୈଠ କରିବାକୁ ଯେପରି ଭୁଲି ନଯାନ୍ତୁ      ୩୨

“ଏଥିପାଇଁ ମଣିମା ମାନେ ଯିବେ      ଯଥାଶୀଘ୍ର ପୁରୀକୁ ବିଜେ ହେବେ

କ୍ଷେତ୍ରକୁ ରମାନା ହେବା ଜରୂରୀ      ମହାରାଜା ସ୍ୱୟଂ ବ୍ୟବସ୍ଥା କରି

ପାରଂପରିକ ରୀତିରେ

ଶ୍ରୀ ଜଗନ୍ନାଥଙ୍କୁ ପୁରୁଷୋତ୍ତମକୁ ବାଟ ହୋଇବ ସରଳେ      ୩୩

ରାଜଗୁରୁ ମହାପାତ୍ର ଗମ୍ଭୀରେ,      କହିଲେ ମୋଗଲେ ଶୁଣ ଏଠାରେ

ବର୍ତ୍ତମାନ ଓଡିଶାର ଆର୍ଥିକ,       ସ୍ଥିତି ସ୍ୱଜ୍ଜଳ ନୁହେ ସମଧିକ

ଶୁଣ ହବିବ ସାହେବ

ତେଣୁ ଛାଡକର ଖଜଣା ଯନ୍ତ୍ରଣା ନ ହେଲେ ବିପ୍ଳବ ହେବ      ୩୪

ମରୁଡି ଗ୍ରାସିଛି ବହୁ ଅଂଚଳ      ମେରୁଦଣ୍ଡ ଭାଂଗିଛି ଲୋକଙ୍କର

ଲୋକ ପେଟ ପୋଷିବାକୁ ବିଦେଶ,      ଚାଲିଯାଉଛନ୍ତି ହୋଇ ନିରାଶ

ଏହିପରି ଅବସ୍ଥାରେ

କିପରି କହୁଛ ପେସକିସ ନେବ      ଓଡିଶା ବାସୀଠୁ ଖରେ      ୩୫

ରାଷ୍ଟ୍ର ଦେବତା ପୁରୁଷୋତ୍ତମଙ୍କ            ଅବର୍ତ୍ତମାନ ଅଶୁଭ ସୂଚକ

ପ୍ରପୀଡିତ ଏ ଜାତୀୟ ଜୀବନ      ସର୍ବେହୋଇ ଯାଇଛନ୍ତି ବିଷର୍ଣ୍ଣ

ତେବେ ଧାର୍ଯ୍ୟ ପେଶକିସି

କେତୋଟି କିସ୍ତିରେ କେବେ ନେବ ବୋଲି କହ ଖୋଲି ଭାବି ବସି      ୩୬

ରାଜ ପରିଷଦ ମିଆ ଶାସନ,       ରାଜପରିବାର ଅଭ୍ୟନ୍ତରୀଣ

ସ୍ଥତିରେ କଉଣସି ପରକାର      ହସ୍ତକ୍ଷେପ ହେବ ନାହିଁ ସମ୍ଭାଳ

କିବା ପାଇକ ମେଳିର

ପ୍ରୋତ୍ସାହନ କେବେ କରିବ ନାହିଁ ହେ ଏହି ସର୍ତ୍ତ ନିଷ୍ଠାପର      ୩୭

ଏହି ସର୍ତ୍ତ ନିଷ୍ଠାପର ଭାବରେ       ପାଳନ କରିବେ ଏଶାସନରେ

ଏହା ଯଦି ହୁଏ ଜଗତ ନାଥ      ପୁରୀ ବିଜେ ହେବେ ଏକଥା ସତ

ବିପୁଳ ସମ୍ଭାର ଭବ୍ୟେ

ମହା ସମାରୋହେ ଶ୍ରୀକ୍ଷେତ୍ରକୁ ଲବେ ମଣିମା ବିଜେ କରିବେ      ୩୮

ମନେ ରଖିବେ ମୋଗଲ ବାଦସା      ଓଡିଶାରୁ ଯେଉଁ ଖଜଣା ଖସା

ହେବ ସେଥିପାଇଁ ଜଗତ ନାଥ      ଦାତା ହେଉଛନ୍ତି ତୁମେ ଜାଣିଥା

ତେଣୁକରି ସାବଧାନ

ଯା ମିଳିବ ତାହା ଗ୍ରହଣ କରିବ ତଳ ହାତରେ ପ୍ରମାଣ       ୩୬

 

ନବାବ ହବିବଖାଁ ନିରୁତ୍ତର      ରହିଗଲେ ଚାହିଁ ଉପର ତଳ

ପରମଲକ୍ଷ୍ମୀ ରାଜଗୁରୁ କକ୍ଷ       ମଧ୍ୟେ ଦୋଳାୟିତ ଓସାରିବକ୍ଷ

ପଟ୍ଟ ଚିତ୍ର ପ୍ରଭୁଙ୍କର

ଆଡେ ଚାହିଁଥିଲେ ମାନସ ମଧ୍ୟରେ ନମି ନମି ବାରଂବାର       ୩୭

ଗଜପତି ରାମଚନ୍ଦର ଦେବ       ଆନଂଦେ ଥିଲେ ସେ ମହାନୁଭବ

ଫୁଲ ଉପବନେ ଚାହିଁ ତନ୍ମୟ      ହୋଇ ଯାଇଥିଲେ ମନକୁ ଥୟ

କରି ସେହି ସମୟରେ

ଭାବିନେଇଥିଲେ ମଣିମା ଫେରିବେ କିପରି ବଡ ଦେଉଳେ       ୩୮

ମୁକ୍ତ ଗବାକ୍ଷରେ ଫୁଲୋପବନେ      ସନ୍ନିକଟ ପ୍ରାସାଦର ପବନେ

ଅସୁମାରି ମଧୁକରଙ୍କ ଖେଳା      ଦେଖିଥିଲେ ରାଜା ହୋଇଣ ଭୋଳା

ବସନ୍ତର ମଧୁରାସ

ପୁଲକ ପ୍ରମତ୍ତ ପରଭୃତ ନୃତ୍ୟ ଫୁଲୁ ଫୁଲେ ଡେଇଁ ବାସ      ୩୯

ପୁଲକ ମଧୁରାସ ବସନ୍ତର      ମଧୁର ପୂରବୀ କୁହୁତାନର

ହଳଦୀ ବସନ୍ତ ମାନଂକ ଖେଳା      ଇତସ୍ତତଃ ବିଚରଣ ବାଉଳା

ଶୋଭାରେ ପୁଷ୍ପଉଦ୍ୟାନେ

ଅପରୂପ ଇନ୍ଦ୍ରଧନୁ ମହୋତ୍ସବ      ହେଉଥିଲା ଉପବନେ      ୪୦

ଫୁଲ ଉଦ୍ୟାନର ମଧ୍ୟ ଭାଗରେ       ଦଣ୍ଡାୟମାନ କୃଷ୍ଣଚୂଡା ତଳେ

ରଂଗୀନ ପୁଷ୍ପ ସମ୍ଭାରେ ବସନ୍ତ       ଋତୁ ଅଭିସାର କି ଶୋଭାବନ୍ତ

ଆଶାବରୀ ଅଭିସାର

ହୋଇ ଆସୁଥିଲା ଆଖି ପୁଲକରେ ରାମଚନ୍ଦ୍ର ଦେବଙ୍କର      ୪୧

ଶରୀର ଉପରେ କି ପୁଲକର       ଏକଶୀହରଣ ସଂଚରି ଖେଳ

ଯାଉ ଥିଲା ଛୁଇଁ ମନପ୍ରାଣକୁ       ମନେ ପଡୁଥିଲା ଜବାଧରୀକୁ

ମାଦକତାର ମଦିରା

କରି ଅଭିଷିକ୍ତ ହୃଦୟ-ଭାବନା କଟକରେ ଲୀଳା-ଖେଳା      ୪୨

ନୀରବତା ଭଗ୍ନ କରି କହିଲେ      ହବିବ ଖାଁ ହସିଣ ସେତେବେଳେ

“ଯାତ୍ରୀଙ୍କ ହାସିଲ ଦେୟ ଚୁକ୍ତିରେ       ମୋଗଲ ଶାସନ ପ୍ରତି ସର୍ତ୍ତରେ

ଲବେ ଅଂଗୀକାର ବଦ୍ଧ

ହୋଇବେ ନିଶ୍ଚିତ ହୁଅହେ ନିଃଶଙ୍କ ଏ ଆମ ଶପଥ ଶବ୍ଦ       ୪୩

ଆପଣମାନେ ଆଗାମୀ ଦିନରେ       ନିଃଶଙ୍କରେ ନିରଙ୍କୁଶ ପଥରେ

ପ୍ରଭୁ ଜଗନ୍ନାଥ ପୁରୁଷୋତ୍ତମେ      ଶ୍ରୀକ୍ଷେତ୍ର ଘେନା କରନ୍ତୁ ଯତନେ

ମହାରାଜା ଗଜପତି

ରାମଚନ୍ଦ୍ର ଦେବ ମୋଗଲ ଶାସନ ବଂଧୁ ସେ ଉତ୍କଳ-ପତି      ୪୪

ଓଡିଶା ଆମର ବଂଧୁର ଦେଶ       ଓଡିଶାର ହିତ-ଆମ ସଂତୋଷ

ଓଡିଆ ପ୍ରଜାବୃଂଦ ହି ଆମର      ଆତ୍ମୀୟ ସ୍ୱଜନ ବଂଧୁ-ଭାବର

ମହାପାତ୍ର ରାଜଗୁରୁ

ସ୍ୱଉଚ୍ଚ ସ୍ୱଗରେ ପହେଳି ଡାକିଲେ ଉଠ ଯିବା ମାରଦାରୁ      ୪୫

ଜଗତ ପାଳନ କର୍ତ୍ତା ଆମର      ମୋଗଲ ବାଦସା ଅନ୍ନଦାତାର

ଜୟ ହେଉ ସେହି ମଣିମାଙ୍କର      ରଷ୍ଟ୍ରଦେବତା ପୂଜ୍ୟ ଓଡିଶାର

ଜଗନ୍ନାଥଙ୍କର ଜୟ

ଶବଦରେ କଂପିଗଲା ମାରଦାର ବନଭୂମି ଜୟ ଜୟ      ୪୬

ସମବେତ ଜନ କକ୍ଷ ବାହାର       କଂଠରୁ ଶୁଭିଲା ମନ୍ଦ୍ର ତାନର

ଜୈତ୍ରବାଣୀ ଗଜପତିଙ୍କ ଜୟ      ଧନଂଜୟ ହରିଚନ୍ଦନ ଜୟ

ନାକ - ନୀଳ ଉପତ୍ୟକା

ବିଜୟ ଧ୍ୱନୀର ପ୍ରତିସ୍ୱନ ଶୁଭେ ପୃଥ୍ୱୀ ଚକ୍ରବାଳ ଏକା      ୪୭

ଦିଗ ଦିଗନ୍ତ ବ୍ୟାପୀ ଖେଳିଗଲା      କୋକିଳର କୁହୁତାନର ଲୀଳା

ବିଜୟ ଧ୍ୱନିର ମୃଦୁ ଗୁଂଜନ      ବନସ୍ତର ପତର ମର୍ମରଣ

ଜୈତ୍ରଗାନ ଗୁଂଜରଣ

ପ୍ରାଣତନ୍ତ୍ରୀ ଜୟଗାନର ଉଦୀପ୍ତ ଅହେତୁକ ପାରାୟଣ      ୪୮

ଚତୁର୍ଦ୍ଦିଗେ ଖେଳେଜୟଗାନର       ବେଦଧ୍ୱନି ହୁଳହୁଳି ମଂଗଳ

ଆନନ୍ଦର ଉଦ୍‌ବେଳିତ ପ୍ରବାହ      ନଦୀ ଆମେଜନ ସତେ ପ୍ରବାହ

ସୁଲଳିତ ସଂଗୀତରେ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଶୁଭେ ପବନ ହିଲ୍ଲୋଳେ      ୪୯

ପୁଷ୍ପ ଉଦ୍ୟାନର ଚଂପକେରସି      ଦୁଇଟି କପୋତ କପୋତୀ ବସି

ପରସ୍ପର ଚଂଚୁ ଚୁମ୍ବନେ ମଜ୍ଜି      ଦେଖୁଥିଲେ ଯାହା ଥିଲା ବିରାଜି

ଚଂପକ ବୃକ୍ଷ ଡାଳରେ

ଜଗତ ନାଥଙ୍କୁ କିବା ଭଜୁଥିଲେ      ଚଂଚୁ ଚୁମ୍ବନ ବିହ୍ୱଳେ      ୫୦

ମାରଦା ଅରଣ୍ୟେ ଶ୍ରୀଜଗନ୍ନାଥ      ମଂଦିର ପ୍ରାଂଗଣ ଥିଲା ମଣ୍ଡିତ

ହୋଇ ଯାଇଥିଲା ଜନତାରଣ୍ୟ       ଶୁଭୁଥିଲା ଜୟଘୋଷ ସେ ଦିନ

*ସାଢେ ତିନି ବରଷର

ସୁଦୀର୍ଘ ସମୟ ଥିଲେ ଦୟାମୟ ସେଠାରେ ଚକରଧର      ୫୧

ଶରଣ ଧରଣୀ ଆଠଗଡରେ            ସାଢେ ତିନିବର୍ଷ ରହିବାପରେ

ଶ୍ରୀକ୍ଷେତ୍ରର ଶ୍ରୀବତ୍ସ ଖଣ୍ଡଶାଳ      ଦେଉଳର ରତ୍ନ ସିଂହାସନର

ଉପରକୁ ବିଜେ ହେବେ

ସାଢେ ତିନିବର୍ଷ ସେବନ ବିହାର ମଣିମା ମନେ ରଖିବେ      ୫୨

ରତ୍ନସିଂହାସନ ଅଖଣ୍ଡ ସ୍ମୃତି      ପ୍ରିୟ ଜନମାନଙ୍କର ପୀରତି

ଅବିସ୍ମରଣୀୟ ସେ ନିବିଡ଼ତା      ମନେପଡ଼ି ଗଲେ ଛାଡ଼ଇ ଚିନ୍ତା

ମଧୁର ସେ ପ୍ରୀତି ସ୍ମୃତି

ବାହୁଡା ବିଜେ କରିବେ ଜଗନ୍ନାଥ ସଂଗେ ଥିବେ ଗଜପତି      ୫୩

ଗଜପତି ସ୍ୱୟଂ ଛେରା ପହରା       ସଂଘଟନ କଲେ ମଣିମା ପରା

ବିଜେ କରାଇବେ ଜଗତନାଥେ       ବିଜୁଳି ବେଗରେ ଏବାର୍ତ୍ତା ରଟେ

ସର୍ବ ଜନଂକ ମୁଖରେ

ଓଡିଶା ରାଜ୍ୟରେ ହେଲା ପ୍ରଚାରିତ ଆରମ୍ଭ ଆଠଗଡରେ       ୫୪

ଗ୍ରୀଷ୍ମର ଆତପ ତାପରେ ମଧ୍ୟ       ଜନତାଙ୍କ ଲମ୍ବାଧାଡିରେ ବାଧ୍ୟ

ମାରଦା ଶରଣ ଶ୍ରୀକ୍ଷେତ୍ର ଆଡେ      ଛୁଟି ଥିଲା ଜନ ସ୍ରୋତ ସଧିରେ

ମଣିମା ପ୍ରତ୍ୟାବର୍ତ୍ତନ

ପୂର୍ବରୁ ମାରଦା ପୀଠ ଦରଶନ ପାଇଁ କି ଉଛନ୍ନ ମନ      ୫୫

ଛୁଟିଥିଲେ ବାଳ ବୃଦ୍ଧ ବନିତା,      ଗ୍ରାମେ ଗ୍ରାମେ ଥିଲା ବିରାହ ବ୍ୟଥା

କରୁଣା ଭାବ-ଉଲ୍ଲାସ,ପଲ୍ଲୀ      ବସତି ମାନଂକେ ବାହୁଡା ବୋଲି

ଯାତ୍ରା ବ୍ୟାପକ ଆଳାପ

ଆଲୋଚନା ପର୍ଯ୍ୟାଲୋଚନା ପ୍ରାଣରେ ଜାଗିଥିଲା ଦେଇ ଛାପ      ୫୬

ଉନ୍ମାଦନା ଦୈବୀଭକ୍ତି ଉଚ୍ଛଳ      ଜାଗିଲା ବିରହାପ୍ଳୁତ ପ୍ରାଣର

ମହାପ୍ରଭୁ ମାରଦାର ଶରଣ      ଶ୍ରୀକ୍ଷେତ୍ର ତ୍ୟାଗୀ କରି ପୁଣି ମନ

କରିଛନ୍ତି ଯିବେ ଫେରି

ପୁରୁଷ-ଉତ୍ତମ ଶ୍ରୀକ୍ଷେତ୍ର ଦେଉଳେ ମାଡିବଡ ଦାଣ୍ଡ ବାଲି      ୫୭

ଶିଳ୍ପୀବୃନ୍ଦ ସେ ମଥୁରା ଗ୍ରାମର      ଅପୂର୍ବ ମାରଦାର ମଂଦିରର

ଭାସ୍କର୍ଯ୍ୟ ଖଚିତ କି ଅଭିନବ      ଶୈଳୀ ସଂପଦ ମନ୍ଦିର ବିଭବ

ନିର୍ମାଣକରି ଯେତିକି

ହୋଇଥିଲେ ଆହ୍ଲାଦିତ ପରାଣରେ ଆଜି କାନ୍ଦନ୍ତି ସେତିକି      ୫୮

ଜାଗିଥିଲା ସେମାନଂକ ପ୍ରାଣରେ      କାରୁଣ୍ୟର ବିରହତା ବିକଳେ

ତତୋଧିକ ପ୍ରାଣ ପ୍ରିୟ ମଣିମା      ଶରଣ ଗାଦିକି ଛାଡି ଶୁଣିମା

ଏ ମାରଦା ତ୍ୟାଗ କରି

ବାହୁଡିବେ ଆଜି ପୁରୁଷ ଉତ୍ତମ ଚାହିଁବେ କି କେବେ ଫେରି      ୫୯

ବାହୁଡି ଗଲେ ଏ ନବ-ନିର୍ମିତ       ମାରଦା ମଂଦିର କି ପରିତ୍ୟକ୍ତ

ହୋଇ ରହିଯିବ ସ୍ମୃତି ପୀଠରେ       ପୂଜା ହୋଇବ ଚକଡ଼ା ଛଡ଼ାରେ

ବନଚାରୀ ମାନଙ୍କର

ଶ୍ୱାପଦ ଆଶ୍ରୟ ସ୍ଥଳୀ ହୋଇଯିବ ଆଉଥରେ ଭୟଂକର      ୬୦

ଅସହ୍ୟ ଆତପରେ ଏଦିନରେ,      ମଥୁରା ଗ୍ରାମର ଲମ୍ବାଧାଡିରେ

ଅସରନ୍ତି ଜନତାଙ୍କ ଭିଡରେ      ଚାରିକୋଡି ଅଧିକ ବୟସରେ

ବୃଦ୍ଧା ସେ ଦିନ ଗ୍ରାମର

ଆସିଥ୍‌ôଲା ଧରି ଅରୁଆ ଚାଉଳ ବାଛି ବାଛି ଚାରି ସେର       ୬୧

ନଡିଆ ଦୁଇ ଫେଣାଏ କଦଳୀ,       ଭୋଗ ପାଇଁ ଧରିଥିଲା ସଂଭାଳି

ମାରଦା ରହଣି ମଣିମାଙ୍କର      ସମୟରେ ଭୋଗ କରିବ ତାର

ମନାସ ସେ କରିଥିଲା

ଯେଣୁ ପୁରୀ ଯାଇ ଭୋଗ କରିବାକୁ ତାହାର ବଳ ନ ଥିଲା      ୬୨

ନିରିମାଖୀ ସେ ପ୍ରଧାନ ଘରର      କେଇ ମାଣ ଜମି ଚାଷ ପୁଅର

ଗରିବଘର ବୋଲି କେହି କେବେ      ନାକ ଟେକୁଛନ୍ତି ଦେଖି ସରବେ

କନ୍ୟାଟିଏ ଅରପଣ

କରୁକେ ନାହାନ୍ତି ତାହାର ପୁଅକୁ ଏ ସମସ୍ୟା ସମାଧାନ      ୬୩

ପାଇଁ ଆସିଥିଲା ବୃଦ୍ଧା ମାରଦା      ପ୍ରଧାନ ବଂଶର କୁଳ ମର୍ଯ୍ୟାଦା

ରକ୍ଷାକର ମହାପୁରୁ ଆଶାରେ      ସେ ଆଶା ପୁରିଲା ପ୍ରଧାନ ଘରେ

ବୋହୁଟିଏ ଆସିଥିଲା

ନାତିଟିଏ ହେଲା ଠାକୁର ପ୍ରଧାନ କୁଳ ଉଦ୍ଧାର ହୋଇଲା      ୬୪

ଦୀପ ଜାଳିଥିଲା ଉଡାଇ ବାନା      ସେଇତ ପତିତ ପାବନ ବାନା

କୀର୍ତ୍ତିଗାଥା ଯା ଘୋଷଣା କରିଛି      ଫର ଫର ହୋଇ ସଦା ଉଡ଼ୁଛି

ବାଟରେ ଅଟକିବୁଢ଼ୀ

ଜଣାଇଲା ତାର ପ୍ରଣାମ ଆଖିକୁ ବୁଜି ଦୁଇ ହାତ ଯୋଡି       ୬୫

ଆହେ ବଳିୟାର ଭୁଜ ଠାକୁରେ,      ବାହୁଡିଯାଉଛ ପୁରସ୍ତମରେ

ସହି ହେଉନାହିଁ ଏପରି ଦୁଖଃ      ଆଉ କି ଦେଖିବି କଳା ଶ୍ରୀମୁଖ

ଦର୍ଶନ କରିବା ପାଇଁ

ପୁଣି ପୁରସ୍ତମେ ଯାଇ ମହାପୁରୁ ଆଉ ମୋ ଆୟୁଷ ନାହିଁ      ୬୬

ପ୍ରଲମ୍ବିତ ଧାଡି ଜନତାଙ୍କର      ଦର୍ଶନ ପ୍ରତ୍ୟାଶୀ ଯାତ୍ରୀ ଗଣର

ଆଗରେ ପଛରେ ସେ ହି ବୁଢୀର,      ଏତେ ଦିନପରେ ସେ ମାରଦାର

ଶରଣ ଚକଡ଼ା ଛଡ଼ା

ଅସହାୟେ ନିଃସହାୟ ହୋଇଗଲା ଆଠଗଡ଼ ଗଡ଼ଗଡ଼ା      ୬୭

ଘୁମୁରି ଘମୁରି କେତେ କାଂଦିବ,      ଅରଣ୍ୟ ବିଧୁରା କପୋତୀ ହେବ

ଏ ଆଠଗଡରକେ ଆଉ ଲୁହ,      ପୋଛିବ ଯାଉଛ ହେ ଦୟାମୟ

ବୁଢୀ ମୁଣ୍ଡ କୋଡୁଥିଲା

ଦେଖୁଥିଲେ ଯାତ୍ରୀ ସବୁଂକ ଆଖିରୁ ଲୁହ ନଦୀ ବୋହୁଥିଲା      ୬୮

ପଛରୁ ମଥୁରା ଗ୍ରାମ ମଂଦିର      ଶିଳ୍ପୀ ମହାରଣା ହେଲେ ହାଜର

ଡାକ ପକାଇଲେ ସମୁଦୁଣି କି       ପ୍ରଭୁ ଦରଶନ ଇଛା ନାହିଁକି

ବାହାରିଛ ନା କିସଗୋ

ଯାଉଛନ୍ତି ନାଥ କରିଣ ଅନାଥ ଆଉ ଏଠି ନ ଦେଖିବ ଗୋ      ୬୯

ଏ ହାତ ତିଆରି ମଂଦିର ମୋହ,      ତ୍ୟାଗ କରି ପ୍ରଭୁ ସେ ଦୟାମୟ

କରନ୍ତି ଯାତ୍ରା ଭିଆଣ ବାହୁଡା      ସେଥିପାଇଁ ମୋର ଅଛିଟି ଲୋଡା

ପ୍ରଭୁଙ୍କ ଶେଷ ଦର୍ଶନ

କରି ଆଉଥରେ ମଂଦିର ଶୋଭାକୁ ଦେଖିବ ମୋର ନୟନ      ୭୦

ନାତିଟି କେତେ ମାସର ହେଲାଣି,      କହି ପାରିବକି ହେ ସମୁଦୁଣି

ଆଣ୍ଠୁ ମାଡି, ବସିଲାଣିକି ନାହିଁ,      ହସ ହସ ମୁହଁ ଦିଶେକି ନାହିଁ

ପୁଅ ଏକୋଇଶିଆକୁ

ଅଜାଘର ମାନ ମର୍ଯ୍ୟାଦା ଥିଲାକି ଭଲଭାବେ ଦେଖିବାକୁ      ୭୧

ସମୁଦି ବରଜ ତିଆଡିସାହି      ଦାସ ମହାରଣା ଲେଖାରେ ସେଇ

ସମୁଦି ସମୁଦି କି ଡ଼କାଡ଼କି      ତିନି କୋଡି ଟପିଲାଣି ଦୁହିଁକି

ଶିଳ୍ପର କାରୁକାର୍ଯ୍ୟରେ

ଦାସ ମହାରଣା ହାତର ଯଶକୁ କେବା ଅଛି ଟପି ପାରେ?      ୭୬

ତାଂକ ହାତ ଯଶକୁ ଅସ୍ୱୀକାର        ତାକତ କାର ନାହିଁ କରିବାର

ବିଶ୍ୱକରମା ସେ ମଥିରା ଗ୍ରାମେ,        ତାଙ୍କର ନେତୃତ୍ୱେ ସେ ଶିଳ୍ପୀମାନେ

ରାଜାଙ୍କର ଆଦେଶରେ

ଦୁଇମାସ ମଧ୍ୟେ ମଥୁରା ଜଂଗଲେ ଯେ ମଂଦିର ଗଢ଼ି ଥିଲେ      ୭୭

ସେମାନଂଙ୍କ ଦଳପତି ସର୍ଦ୍ଦାର      ଦାସ ମହାରଣା ସିଦ୍ଧ ହସ୍ତର

କୁଶଳୀ ନିହାଣ ମୁନରେ ଫୁଟି      ଉଠିଥିଲା କେତେ ପଥର ମୂର୍ତ୍ତି

ରସୋଭୀର୍ଣ୍ଣ ପାଷାଣର

କାବ୍ୟ ମାରଦାର ହୋଇଥିଲା ସୃଷ୍ଟି ପବିତ୍ର ଜୀଉ ଦେଉଳ      ୭୮

ପ୍ରଧାନ ବୃଦ୍ଧା ମଥା ଉପରକୁ       ଓଢ଼ଣା ହାତେ ଟାଣି ଦେଇ ପାଖୁ

ସ୍ମିତହସ ହସି କହିଲା ପଦେ      ଶୁଣୁଛ ସମୁଦି ଛାଡ ବିଷାଦେ

ତାଂକ କୃପାରୁ ମଦନା

ମଣିଷ ବଂଶର କୁଳ ରକ୍ଷାକଲା ବାହା ହୋଇଣ ରଚନା      ୭୯

ଠାକୁରେ କୋଳରେ ବକଟେ ପିଲା      ଦେଇଛନ୍ତି ପରା ବଡ ଚଗଲା

ତାଂକ ସେବା ପୂଜା କରିବା ପାଇଁ      ଆସିଥିଲି ପରା ଏଠାକୁ ଧାଇଁ

ଆଉ କିସ କହିବ ହେ

ନକହିଲେ ଭଲ ସୁନାହାର କଥା ତାହା ଯାଉ ଚୁଲିକି ହେ      ୮୦

ଲମ୍ବା ପିମ୍ପୁଡି ଧାର ସାଜିଚାଲି-      ଛନ୍ତି ଅଗଣିତ ଜନତା ଖାଲି

ଅନୁଷ୍ଠିତ ହେଉଛି ମାରଦାରେ      ଦେଖିବେ ବିଜୟ ଘୋଷ ଯାତ୍ରାରେ

ଆଠଗଡ ବନ ବାସ

ପର୍ବ ପରେ ଜୀଉ ବାହୁଡୁ ଅଛନ୍ତି ପୁରସ୍ତମ ନିଜ ବାସ      ୮୧

ମଝିରେ ମଝିରେ ହରିବୋଲରେ,      ପଥଚାରୀ ଜନତାଙ୍କ ଧ୍ୱନିରେ

ଉନ୍ମାଦନାର ଭାଙ୍ଗୁଛି ଲହଡି      ଜନସଂଖ୍ୟା ସେଠି ଯାଉଛି ବଢ଼ି

ହେଲା ଆଖି ଛଳ ଛଳ

ଦାସ ମହାରଣା ଖୋଲି ପଗଡିକୁ ରଖିଲା ତଳେ ମଥାର      ୮୨

ରାସ୍ତା ପାର୍ଶ୍ୱସ୍ଥ ବରଗଛ ମୂଳେ       ଧିରେ ଯାଇ ଟିକେ ଅଟକି ଗଲେ

ପଥଶ୍ରାନ୍ତିକୁ ମେଣ୍ଟାଇ ଆତପ      ତାପରୁ ରକ୍ଷା ପାଇଁ ବହୁ ତପ

ପଥଚାରୀଙ୍କ ସମେତ

ବୁଢୀ, ବରଗଛ ମୂଳେ ବସିପଡି ଭଜନ ବୋଲେ ଶୁଣତ      ୮୩

 

Unknown

ଭଜନ

 

ତୁମେ ହିଁ ଉରସା ଆମ ହେ ନୀଳାଦ୍ରିବାସୀ

ଆର୍ତ୍ତତ୍ରାଣ ଦୀନବଂଧୁ ହେ ବୈକୁଣ୍ଠବାସୀ ।

ତୁମ୍ଭ ନାମ ଜପୁ ଜପୁ ଯାଉ ଆମ୍ଭ ପ୍ରାଣ

ଆମ ପ୍ରାଣ ମିଶି ଯାଉ ଯହିଁ ମହା ପ୍ରାଣ ।

ଆହେ ମହାପୁରୁ ଯାଉ କଟି ଆମ ପାପ

ଯାହା କରିଅଛୁ ଜୀବନରେ ଲଭି ତାପ ।

ଜଗତ ଜୀବନ ଆହେ ଦୀନ-କୃପାସିଂଧୁ

ଏ ଜୀବନ ଯାଉ ତୁମ ପାଦ ବଂଦୁ ବଂଦୁ ।

ଯାଉଅଛ ଛାଡି ତୁମ୍ଭେ ମାରଦାରୁ ଆଜି

ପୁରସ୍ତମ ଭକ୍ତ ସବୁ ମାରି ନେଲେ ବାଜି ।

କାଳେ କାଳେ ଏ ଚକଡ଼ା ପୂଜା ହେଉ ଥାଉ ।

ଚକଡ଼ା ଛଡ଼ା ନହୁଅ ପରସ୍ତମୁ ଆଉ ।

 

୯ମ ସର୍ଗ

 

ବର ଗଛ ଶୀତଳ ଛାୟାଘନ

 

ପରିବେଶରେ ଭଜନ କୀର୍ତ୍ତନ ।

ବାହୁଡା ଯାତ୍ରା ମୃଦୁ ଗୁଂଜରଣ

 

ସରିଲା ଶେଷରେ ହୋଇ ସଂମ୍ପୂର୍ଣ୍ଣ ।

କେହିଜଣେ ଉଚ୍ଚ କଂଠେ କହିଲା

 

ବୁଝିଲ କିଏ କାଳିଆର ଲୀଳା ।

ବଡ ପଣ୍ଡାଙ୍କୁ ପୁରୁଷୋତ୍ତମରେ

 

ସ୍ୱପ୍ନାଦେଶ ଦେଇଛନ୍ତି ଗୁପ୍ତରେ ।

ଏତେ ଦିନ ଆଉ ପରବାସ ରେ

 

ସୁଖ ଲାଗୁନାହିଁ ଆଠଗଡରେ ।

ଲକ୍ଷ୍ମୀଙ୍କ ଶ୍ରୀହସ୍ତ ପାକ ଖାଦ୍ୟକୁ

 

ବହୁ ଦିନ ନଖାଇ ଶ୍ରୀଜୀଉଙ୍କୁ ।

ପାଟି ଅରୁଚି ଧରି ତ ଗଲାଣି

 

ସେଥିପାଇଁ ପଡେ ବଡ ଭାଳେଣି ।

ନିଜ ଇଛାରେ ଶ୍ରୀମଣିମା ମାନେ

 

ଯାଉଛନ୍ତି ଶ୍ରୀକ୍ଷେତ୍ରକୁ ସମ୍ମାନେ ।

ମାରଦାରେ କୁଆଡେ ସେଇଦିନ

 

ମଂଦିର ମଧ୍ୟେ କାହୁଁ ଆସି ଶ୍ୱାନ ।

ପଶିଯାଇ ଭୋଗ ମାରା କରିଲା

 

ସେଇଦିନ ରାତ୍ରିରେ ସ୍ୱପ୍ନ ହେଲା ।

ବକ୍ତାଙ୍କ ଉଲ୍ଲସିତ ଶ୍ରୀମୁଖକୁ

 

ଉତ୍ସୁକୀ ଶ୍ରୋତା ଶୁଣୁଥିଲେ ପାଖୁ ।

ଭାବୁଥିଲେ ସମ୍ବାଦ ରହସ୍ୟର

 

ଆଉଜଣେ ଉଠି ପଡି ଚଂଚଳ ।

ଅଧିକ ଉଚ୍ଚ କଂଠରେ କହିଲା

 

ବଡ ପଣ୍ଡାକୁ ସ୍ୱପନ ନୋହିଲା ।

ସ୍ୱୟଂ ଗଜପତିଙ୍କୁ ମହାପୁରୁ

 

ସପନେଇ କହିଲେ ସେ ପାଖରୁ ।

ଶୀଘ୍ର ପୁରୁଷୋତ୍ତମକୁ ଯିବାର

 

ଆହେ ରାଜନ ଆୟୋଜନ କର ।

ଯେ ଭୋଗ ବସେ ମାରଦା ମଂଦିରେ

 

ମହାପ୍ରସାଦ ହେଉନି କୁଆଡେ ।

କେଉଁ ଉକ୍ତ ମାନଂକର ଆତୁର

 

ଗୁହାରୀ ଶୁଣି ପ୍ରଭୁ ଚକ୍ରଧର ।

ପୁରସ୍ତମ ବାହୁଡି ଯାଉଛନ୍ତି

 

ଅବା କିଏ ଚକ୍ତବ୍ୟ ବାଢ଼ୁଛନ୍ତି ।

ପୁରସ୍ତମରେ ତେଣେ ଠାକୁରଙ୍କ

 

ମହାପ୍ରସାଦ ବିନା ସେ ଅଟକ ।

ଭୋଜନ ନକରିବା ପାଇଁ ଜଣେ

 

ଭକ୍ତ ଅଧିଆ ପଡିଛି ଗୁମାନେ ।

ବିଭିନ୍ନ ପ୍ରକାର ଗୁଂଜରଣରେ

 

ଝଂକା ବରଗଛ ଛାଇ ଉପରେ 

ସତେ ଯେପରି ଏକ ଆଧ୍ୟାତ୍ମିକ

 

ସଭା ଝଂକୃତ ହୋଇଥିଲା ଏକ

ଶ୍ରୋତା ମାନେ ବି ତନ୍ମୟ ଚିତ୍ତରେ

 

ବକ୍ତାଙ୍କ ଚିତ୍ରଗପ ଶୁଣୁଥିଲେ ।

କେତେକ ବା ଭକ୍ତି-ପ୍ରାଣ ଜନତା

 

ମଥାରେ ହାତ ଦେଇ କଲେ ଚିନ୍ତା ।

ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରଣାମ

 

କରୁଥିଲେ ବିନୟ ନିବେଦନ ।

ମଧ୍ୟାହ୍ନର ଉତପ୍ତ ମାରତଣ୍ଡ

 

ପ୍ରଖର କିରଣ କି-ପରଚଣ୍ଡ ।

ବିକିରଣ କରି ଗ୍ରୀଷ୍ମ ତାଣ୍ଡବ

 

ଲୀଳା ରଚନା କରିଥିଲା ଲବ ।

ଚତୁର୍ଦ୍ଦିଗରେ ସବିତା ରଶ୍ମିର

 

ଉତ୍କଟ ଶିଖା ପଡି କ୍ଷେତ ବିଲ ।

ମାନଙ୍କେ ଧୂମାତ୍ତ ମୃଗତୃଷ୍ଣାର

 

ଛାୟା ସୃଷ୍ଟି କରିଥିଲା ପ୍ରବଳ ।

ଦର୍ଶନାର୍ଥୀ ଜନତା ଦଳ ଦଳ

 

ହୋଇ ମାରଦା ଆଡେ ଅଗ୍ରସର ।

ମଂଦିର ଆଡକୁ ଚାଲିଛି ଧାଡି

 

ଗ୍ରୀଷ୍ମ ଉଭାପକୁ ବିଦୀର୍ଣ୍ଣ କରି ।

ପ୍ରଧାନ ଘର ବୁଢୀ ମହାପୁରୁ

 

ସ୍ୱପ୍ନାଦେଶ କଥା ଶୁଣି ଅଦୂରୁ ।

ମଥାରେ ହାତ ଦେଇଣ ମିନତି

 

କଲି କହିଲା ଆହେ ଶିରୀପତି ।

“ତୁମ୍ଭରଲୀଳା ବୁଝିବାକୁ ମୋର

 

ଶକ୍ତି ନାହିଁ ପ୍ରଭୁ ସତ୍ୟ ଏଗିର ।

ଆହେ ବଳିୟାର ଭୁଜ ପ୍ରଧାନ

 

ଘର କୁଳକୁ ସୁରକ୍ଷା ପ୍ରଦାନ ।

କର ପିଲା ବକଟକୁ କଲ୍ୟାଣ

 

ଏତିକି ମାତର ମୋ ନିବେଦନ ।

ଦାସ ମହାରଣା ମଥା ପଗଡି

 

ପାଗଭିଡୁ ଭିଡୁ ଉଠିଣ ପଡି ।

କହିଲେ ଆଗୋ ସମୁଦୁଣି ଶୁଣ

 

ବେଳ ପାଇଯିବ ଉଠ ତକ୍ଷଣ ।

ଧିରେ ଧିରେ ପଦଚାଳି ଚାଲିଲେ

 

ଅଧଘଂଟାଏ ଲାଲିଯିବ ଭଲେ ।

ହୋଇଯିବ ପହଣ୍ଡି ମଣିମାଙ୍କ

 

ଦେଖି ପାରିବା ରୁହ ଟେକି ବେକ ।

ନଡିଆ ଅରୁଆ ଚାଉଳ ପୁଡା

 

ମଥା ଉପରେ ରଖୁ ରଖୁ ଛିଡ଼ା ।

ହୋଇ ପ୍ରଧାନ ବୁଢ଼ୀ ପଚାରିଲା

 

ଅନୁଭୁତିର ପ୍ରଶ୍ନ ଯାହାଥିଲା 

ମହାପୁରୁ ବାହୁଡା ବିଜେପରେ

 

ଆଉ କେଉଁ ଦିଅ ଏ ମାରଦାରେ ।

ପୂଜା ପାଇବେ ଆହେ ମୋ ସମୁଦି

 

ଖୋଲି କହ ହେ ଦିଶୁନାହିଁ ବୁଦ୍ଧି ।

କଳାଶ୍ରୀମୁଖ ଆମେ ଆଉକ’ଣ

 

କରି ପାରିବନି ଏଠି ଦର୍ଶନ ?

ଉତ୍ସୁକୀ ପଥଚାରୀ କେତେଜଣ

 

ଶୁଣୁଥିଲେ ଯେ କଥୋପକଥନ ।

ଦାସ ମହାରଣାକୁ ଚାହୁଁଥିଲେ

 

ଉତ୍ତରକୁ ପ୍ରତୀକ୍ଷା କରୁଥିଲେ ।।

ଦାସ ମହାରଣା କହିଲେ ଶୁଣ

 

“ଆଉ ଅନ୍ୟ ଦିଅଁ କିଏ ଭାର୍ଜନ ।

ନୁହନ୍ତି ବସିବାକୁ ଚକଡ଼ାରେ

 

ମଣିମାଙ୍କ ସ୍ଥାନ ଅଛି ଯେ ଠାରେ ।

ମାରଦା ମଂଦିରର ସିଂହାସନ

 

ଚକଡ଼ା, କେବଳ ଫୁଲ ଚନ୍ଦନ ।

ହୋଇ ପୂଜିତ ହେବେ ଗୋ ମାତର

 

ଆତ୍ମା ବିହୀନ ଯେହ୍ନେ ଏ ଶରୀର ।

ଠାକୁର ହୀନ ସିଂହାସନ ମଧ୍ୟ

 

ସେଇଆ ହେବ ନାହିଁ କିଛି ସାଧ୍ୟ ।

ଶ୍ରୀଜୀଉ ମାନେ ବିଜେ ହେଲା ପରେ

 

ମାରଦା ମଂଦିରେ ପରିଶେଷରେ ।

ବନପଶୁ ପ୍ରଣୀମାନେ ବିଳାସ

 

କରିବେ ସମୁଦୁଣି ତାଙ୍କବାସ ।

ଗୋପପୁର ଶ୍ରୀହୀନ ହୋଇଯିବ

 

ଗଲାପରେ ମଥୁରାକୁ କେଶବ ।

ଗୋପିମାନେ ଝୁରି ଝୁରି କେବଳ

 

ବିଳାପ କରିବେ ଦେଖି ମନ୍ଦିର ।

ଆଠଗଡ ରାଜ୍ୟର ଭକ୍ତମାନେ

 

କେବଳ ସଂଚିତ ସ୍ମୃତିକୁ ମନେ ।

ରଖଥିବେ ମାତ୍ର କାଳକାଳକୁ

 

ଆଉ ଉପାୟ ନାହିଁ ଗୋ ଏଥକୁ ।

ଥିବେ ମହାପୁରୁ ସେହି ସ୍ମୃତିରେ

 

ଜନତା ହୃଦୟ ପ୍ରାଣ କଂଦରେ ।

ମହାରଣାଙ୍କ କଂଠ ଆର୍ଦ ହେଲା

 

ସାଥି ପଥଚାରୀ ହେଲେ ବାଉଳା ।

ଚାହିଁଲେ କ୍ଳାନ୍ତ ମହାରାଣା ମୁଖ

 

କଷର୍ଣ୍ଣ ନୟନ ବଡ ଅସୁଖ ।

ନୟନ ଧାରେ ଆସୁଥିଲା ଭରି

 

ବିରହ ଅଶ୍ରୁ-ଜଳର ଲହରୀ ।

ସେ ଅଶ୍ରୁ ମମତା ବେଦନାସିକ୍ତ

 

ପରିଭାଷା ପ୍ରେମ ଭକ୍ତି ସତତ” ।

ମଥୁରା ଗ୍ରାମରେ ସେ ଦିନ ରାଜା

 

ଧନଂଜୟ ହରିଚନ୍ଦନ ବାଜା ।

ବଜାଇ ଘୋଷଣାକୁ କରିଥିଲେ

 

ମଂଦିର ହେବ ମାତ୍ର ଦିମାସରେ ।

ମାରଦା ଅରଣ୍ୟ ମଧ୍ୟରେ ହେବ

 

ସୁଦୃଶ୍ୟ ମନ୍ଦିର ନିର୍ମିତ ଭବ୍ୟ ।

ସେହି ମନ୍ଦିରେ ହୋଇବେ ପୂଜିତ

 

ରଷ୍ଟ୍ରଦେବତା ପ୍ରଭୁ ଜଗନ୍ନାଥ ।

ମୋଗଲ ଆକ୍ରମଣୁ ସୁରକ୍ଷିତ

 

ହେବାପାଇଁ ମଂଦିର ଦୃଶ୍ୟପଟ ।

ଦୃଶ୍ୟ ହେବ ଏକ ରୁକ୍ଷ ପାହାଡ

 

ବିରାଟ ଶିଳା ଖଣ୍ଡ ସହ ଦୃଢ ।

ଯାହାକୁ ଦେଖିଲେ ଗିରିର ଅଂଶ

 

ବୋଲି ଧାରଣା ଜନ୍ମିବ ବିଶେଷ ।

ଏହି ମଂଦିର ଆମ ମଥୁରାର

 

ହୋଇବ ଆଦର୍ଶ ଏ ପୃଥିବୀର ।

ନିର୍ମାଣ କରିବା ପାଇଁ ଧନଂଜର

 

ହରିଚନ୍ଦନ ଲୋଡିଥିଲେ ରାୟ ।

ଶିଳ୍ପୀକୁଳଙ୍କ ସଂଦେହ ସମ୍ମତି

 

ରାଜା ହୋଇଥିଲେ ବ୍ୟାକୁଳ ଅତି ।

ଜାଣିଥିଲେ ଉପେକ୍ଷିତ ବିବିକ୍ତ

 

ଟାଂଗର ଭୁମିରେ ମଂଦିର ସତ୍ୟ ।

ମାତ୍ର ଦୁଇମାସ ମଧ୍ୟରେ ହେବ

 

ଏହା କିଏ ବା ପରଖି କହିବ ।

ଏକ ରୂପକ ନିର୍ମିତ ମଂଦିର

 

ହେବା ସମ୍ଭାବନାକୁ ଶିଳ୍ପୀକୁଳ ।

ସହସା ଗ୍ରହଣ ନଥିଲେ କରି

 

ପଛଘୁଂଚା ଦେଇଥିଲେ ବିଚାରି ।

ଦୃପ୍ତ କଂଠରେ ସେ ଦିନ ରାଜାଙ୍କୁ

 

ଉତ୍ତର ଦେଇଥିଲେ ରହି ପାଖୁ ।

ଦାସ ମହାରଣା “ସମ୍ଭବ ହେବ

 

ଗୋଟିଏ ସର୍ତ୍ତରେ ଯଦି ସମ୍ଭବ” ।

ଭ୍ରୁକୁଂଚନ କରିଣ ଧନଂଜୟ

 

ପଚାରିଲେ ସର୍ତ୍ତ କଥାକୁ କହ ।

“କେଉଁ ସର୍ତ୍ତ ରଖିଛ ମହାରଣା

 

ଖୋଲିକହ ବିଚାର ହେବ ସିନା ।

ରାଷ୍ଟ୍ରଦେବ ଅନାହୁତ ବିପତ୍ତି

 

ବେଳେ ତୁମର କେଉଁ ସର୍ତ ଅତି ।

ଆରୋପ କରିବାର ଅଛି କ’ଣ

 

ଶୀଘ୍ର ପ୍ରକାଶ କର ବର୍ତ୍ତମାନ ।

ଯୁଗ୍ମ ହସ୍ତ ଯୋଡି ଧିର କଂଠରେ

 

ଦାସ ମହାରଣା ଧିରେ କହିଲେ ।

“ମହାରାଜ-ମହାପ୍ରଭୁ ଠାକୁର

 

ଆଠଗଡ ରାଜ୍ୟର ଅଧିଶ୍ୱର ।

ହୋଇ କରିବେ ଏଠି ଅଧିଷ୍ଠାନ

 

ସେଥି ନିମନ୍ତେ ଏ ମଥୁରା ଗ୍ରାମ ।

ଶିଳ୍ପୀମାନେ ନିହଣକୁ ଚାଳନା

 

କରିବେ ପୁଣ୍ୟ ଅରଜିବେ ସିନା ।

ଜନ୍ମ ଜନ୍ମାନ୍ତର ତପସ୍ୟା ଫଳ

 

ପାଇଯିବେ ଲବେ ଏ ଶିଳ୍ପୀକୁଳ ।

କିଂତୁ କେହି ନିରିମାଣର କଳା

 

କୁଶଳତା ନୋହୁ କେବେ ବାଉଳା 

ତାକୁ ସ୍ମରଣୀୟ ରଖିବା ପାଇଁ

 

ମାରଦା ଘୋଷିତ ହେ ନରସାଇଁ  

ହେଉ ଶରଣ ଶ୍ରୀକ୍ଷେତ୍ର ଏ ଭବେ

 

ଓଡିଶା ରାଜ୍ୟ ଲୋକେ ଘୋଷୁଥିବେ ।

ଶରଣ- ଧରଣୀ ଏ ଆଠଗଡ଼

 

ହେବ, ଏହି ସର୍ତ୍ତ ହେଉ ମଂଜୁର ।

ଏହି ସର୍ତ୍ତକୁ କରିଣ ସଂପୂର୍ଣ

 

ମାରଦାର ଇତିହାସକୁ ଧନ୍ୟ ।

କରିବେ, ଏତିକି ମାତ୍ର ମାଗୁଣି

 

ଚିର ଭାସ୍ୱର ହେଉ କୀର୍ତ୍ତି ପୁଣି” ।

ରାଜା ଧଂନଜୟ ହରିଚନ୍ଦନ

 

ଗମ୍ଭୀର ହୋଇଲେ ଭଜିଣ ମୌନ  

ଏହି ସର୍ତ୍ତ ଦାସ ମହାରଣାର

 

ନବ ଇତିହାସ ଆଠଗଡର  

ଉନ୍ମୋଚନ ଏ ଯୁଗ ଯୁଗ ପାଇଁ

 

ପୁରୁଷୋତ୍ତମ ଧାମ ସହରହି ।

ବଂଧୁତ୍ୱର ସ୍ୱର୍ଣ୍ଣ ସେତୁ ହୋଇବ

 

ଯୁଗ ଯୁଗକୁ କଥା ରହିଥିବ ।

ସ୍ମିତ ହସ ହସିଣ ଧନଂଜୟ

 

ହରିଚନ୍ଦନ କଲେ ମନ ଥୟ ।

ଦାସ ମହାରଣାଙ୍କର ମଥାରେ

 

ଶାଢ଼ି ବାନ୍ଧି ଦେଲେ ହର୍ଷ ମନରେ ।

ପୁଲକିତ କଂଠରେ ଥିଲେକହି

 

“ସର୍ତ୍ତ ପୂର୍ଣ୍ଣ ହେବ ସନ୍ଦେହ ନାହିଁ ।

ତୁମ ହସ୍ତ କଳାର ନୌପୁଣ୍ୟର

 

ପରିପାଟୀରେ ମଣିମା ମଂଦିର” ।

ମଣିମା ଲବେ ଏ ଶ୍ଳାଘ୍ୟ ସର୍ତ୍ତକୁ

 

 ସ୍ୱୀକାର କରିବେ ଆସେ ମନକୁ ।

ଏଥିପରେ ଅକ୍ଳାନ୍ତ ଉଦ୍ୟମରେ

 

ନିର୍ମିତ ମଂଦିର ସେ ମାରଦାରେ ।

ହୋଇଥିଲା, ନିର୍ମାଣ ପରେ ପରେ

 

ଶ୍ରୀଜୀଉ ମାନେ ବିଜେ କରିଥିଲେ ।

ପ୍ରସ୍ତର ନିର୍ମିତ ଚକାସନରେ

 

ମଣିମା ମାନେ ହସି ବସିଥିଲେ ।

ତାହା ମହାର୍ଘ ରତ୍ନସିଂହାସନ

 

ଅଭୟ ମୁକ୍ତିର ପୂତ ସମ୍ମାନ ।

ପବିତ୍ର ପୂଜା ବେଦୀ ହୋଇଥିଲା

 

ଦୀର୍ଘ ସାଢ଼େ ତିନି ବର୍ଷ ଯା ଥିଲା ।

ଶରଣ ଶ୍ରୀକ୍ଷେତ୍ର ଏମାରଦାର

 

ବିରହର ହାହା କାରେ ଜର୍ଜର ।

ହୋଇଛି ଆଜି ହୃଦେ ଜର୍ଜରିତ

 

ପ୍ରିୟତମ ନିଷ୍କରୁଣ ଲାଗେତ ।

ବାହୁଡି ଯାଉଛନ୍ତି ପୁରସ୍ତମ

 

ଆଉ କେଉଁଠି ଲାଗୁ ନାହିଁ ମନ ।

ମାରଦାର ଶାକ ଅନ୍ନ ଭୋଜନ

 

ସେବନ କରିଣ ହୋଇ ଉଚ୍ଛନ୍ନ  

ମହା ପ୍ରସାଦ ଭବ୍ୟ ସମାହାର

 

ହୁଏତ ଲୋଡିଛନ୍ତି ବେଣୁଧର ।

ଦାସ ମହାରଣା ପାଦ ଦୁଇଟା

 

ଶିଥିଳ ହୋଇ ଆସିଲା ଆଖିଟା ।

ସକରୁଣ ହୋଇ ବୋହିଲା ଲୁହ

 

ବଢି ବଢି ଗଲା ହୃଦୟ କୋହ ।

ଜଣେ ପଥଚାରୀ ଦ୍ରୁତପଦରେ

 

ବାଟ କାଟି ଆଗକୁ ଯାଇ ବୋଲେ ।

“ଓଡିଶା ଶତ୍ରୁ ନିଷ୍କଣ୍ଟକ ହେଲା

 

ଗଜପତିଙ୍କ ଚିର ରିପୁମଲା ।

ମହାପ୍ରଭୁ କୃପାରୁ ସମୁଚିତ

 

ପରାଭବ ପାଇଲା ସେ ପାପିଷ୍ଟ ।

ବାରବାଟି କଟକେ ଦୟନୀୟ

 

ହୋଇଲା ତା କଷ୍ଟ ଅକଥନୀୟ ।

ମୋଗଲ ବାଦସା ତକୀଖାଁ ମଲା

 

କଷ୍ଟେ ଜୀବନ ବିସର୍ଜନ କଲା ।

ୟାକୁ କହନ୍ତି ଭାଗ୍ୟ ବିଡମ୍ବନା

 

ମିଳିଲା ଫଳ ତାହାକୁ ଠିକଣା ।

ଯେଉଁଠୁ ସର୍ବ ଧରମର ସୃଷ୍ଟି

 

ହୋଇଛି ବିଦ୍ୱେଷ କଲେ ସେଇଠି ।

ଧର୍ମ ସହିବ ଟିକି କେବେହେଲେ

 

ତେଣୁ ମଲା ଦୁଷ୍ଟ କଷ୍ଟେ ଜଟିଳେ ।

ଦାସ ମହାରଣା ଆଖି ବୁଜିଣ

 

ମୁହୁର୍ତ୍ତେ ଜୀଉଙ୍କୁ କଲେ ସ୍ମରଣ ।

ମନେ ମନେ କରିଣ ଆବେଦନ

 

ହେ ମହାବାହୁ ପୁରୁଷ-ଉତ୍ତମ ।

ତୁମେ ମାରଦା ମଦିର କୁ ଛାଡ଼ି

 

ଯାଉଛ ସିନା ଆସିବ ବାହୁଡି ।

ଦିନେ ନା ଦିନେ ଏହି ମଂଦିରକୁ

 

ନ ହେଲେ ପୂଜିବୁ ଶୂନ୍ୟ ଚକାକୁ ।

ଶ୍ରୀ ବତ୍ସ ଖଣ୍ଡଶାଳ ଦେଉଳକୁ

 

ବିଜେ କରିବ ଛାଡିଣ ଆମକୁ ।

କିନ୍ତୁ ହୃଦୟର ଭକ୍ତି ମଂଦିରେ

 

ତୁମେ ଚିର ଦିନ ବଂଦୀ ଭାବରେ  

ହୋଇ ରହିବ ହେ ଜଗତନାଥ

 

ଏଥିରୁ ଖସିବାକୁ ନାହିଁ ବାଟ ।

ମାରଦା ମଂଦିରେ ସିନା ହାତରେ

 

ତିଆରି ହୋଇଥିଲା ପାଷଣରେ ।

କିଂତୁ ହୃଦୟ ମଂଦିର ପ୍ରେମରେ

 

ନିର୍ମିତ ହୋଇଛି ତୁମ ହାତରେ ।

ହେ ବଜ୍ର ବାହୁ ସବୁତ ତୁମରି

 

କରୁଣା ଇଚ୍ଛା ଦୟା ଆଦିକରି ।

ତେଣୁ ଆମର କିଛି ନାହିଁ ବାଟ

 

ଯାହା ଇଛା କର ବିଶ୍ୱ-ସମ୍ରାଟ ।

ତପ୍ତ - ମାର୍ତ୍ତଣ୍ଡର କିରଣ ଧିରେ

 

ମହଳଣ ପଡି ଆସିଲା ଖରେ ।

ଜନତାଙ୍କର ଅବାରିତ ସ୍ରୋତ

 

ଚାଲିଥିଲା ମାରଦା ମଂଦିରେ ତ ।

କାଳର ଆବର୍ତ୍ତନ ସ୍ରୋତ ପରି

 

ସେହି ସ୍ରୋତରେ ଭାସିଗଲା ପରି ।

ମଥୁରାର ପାଷାଣ - କାବ୍ୟ କବି

 

ଦାସ ମହାରଣା ବସି ଛି ଭାବି ।

ପ୍ରଧାନ ବୁଢୀ ମଥାର ବୁଜୁଳି

 

କାଂଧ ଉପରକୁ ଓହ୍ଲାଇ କରି ।

ଚାହୁଁ ଥିଲା ମାରଦା ମଂଦିରକୁ

 

ପତିତ ପାବନ ବାନା ଆଡକୁ ।

ସତେ ଯେଉଁପରି ସେହି ବାନାରେ

 

ପ୍ରଭୁ ହସୁଛନ୍ତି ଖୋଲା ମନରେ ।

ରାଜଗୁରୁ ମଂଦିର ସମ୍ମୁଖରେ

 

ଏକ ପ୍ରସ୍ତର ଖଣ୍ଡର ଉପରେ ।

ଉପବେଶନ କରିଣ ବାହୁଡା

 

ଯାତ୍ରା ଆୟୋଜନ କରନ୍ତି ପରା ।

ଆଠଗଡ, ରାଜା ସ୍ୱପରିଜନ

 

ମାନଙ୍କ ଉପରେ ଅତି ପ୍ରସନ୍ନ ।

ନିକଟବର୍ତ୍ତୀ ପୁଷ୍ପ ବାଟିକାରେ

 

କରିଥିଲେ ଛଟକ ବେଦୀକାରେ ।

ପଣ୍ଡା ଦଇତାପତି କେତେଜଣ

 

ଚଳ ଚଂଚଳ ଭାବେ ସବୁ କାମ ।

ସାରୁଥିଲେ ଯାହା ଔପଚାରିକ

 

ନିୟମାନୁସାରେ ସେ ମଣିମାଙ୍କ ।

ଛାୟାଘନ ନିବଡ଼ ଅରଣ୍ୟର

 

ମଧ୍ୟରୁ ଏକ ମାତ୍ର କପୋତର ।

କରୁଣ ବିଳାପ ଧ୍ୱନି ଉତ୍ତଳା

 

ପ୍ରଭଂଜନ ହିଲ୍ଲୋଳେ ଆସୁଥିଲା ।

ମାରଦାର ଗଛପତ୍ର ଗୁଡିକ

 

ବିଧୁର ବଂଧୁର ବିକଳ ଏକ ।

ସ୍ଥିତି ପରି ପବନ ଲହରୀରେ

 

ଦୋଳାୟିତ ଅଧିର ଆବେଗରେ ।

ଯେପରି ଦୁଃଖାତୁର ହୋଇଥିଲା

 

ସବିତା ମହଳଣ ହେଉଥିଲା ।

ସୂର୍ଯ୍ୟାଲୋକ କ୍ରମଶୀତଳି କୃତ

 

ହୋଇଣ ଥିଲା ତିଳ ତଣ୍ଡୁଳିତ ।

ବିଂଛିପଡି ଶ୍ରୀ ମଣିମା ବାହୁଡା

 

ଯାତ୍ରା ପାଇଁ ଯେପରି ଏକ ଗଢ଼ା ।

ବର୍ଣ୍ଣିଳ ଗାଲିଚା ଥିଲା ବିଛାଇ

 

ପ୍ରକୃତି ବକ୍ଷରେ ପ୍ରେମ ବୁଣାଇ ।

ରାଜଗୁରୁ ଭାବ ଗମ୍ଭୀର କଂଠେ

 

କହିଲେ ହରି ଶୁଣୁଛୁକି ସତେ ।

“ବିରହ ବଧୁରତା କପୋତର

 

ବିଳାପ କରୁଣ ଏମିତି ଘୋର ।

ବିଧୁର କପୋତର ଏ ବିକଳ

 

ମୂର୍ଚ୍ଛନାକୁ ଶୁଣୁଛୁକି କେବଳ” ।

ମୁହୂର୍ତ୍ତେ ମଉନ ରହିଣ ହରି

 

ବାଷ୍ପାକୁଳ କଂଠେ କହିଲା ଭାରି ।

“ଖାଲି ଶୁଣୁନାହିଁ ହେ ରାଜଗୁରୁ

 

ବ୍ୟଥା ପାଉଛି ରହିଣ ଅଦୂରୁ ।

ଶ୍ରୀ ମଣିମା ମାନେ ମାରଦା ତେଜି

 

ଚାଲିଗଲା ପରେ କି ହେବ ହେଜି ।

ପାରୁଛି ଏ ମହାପୀଠର ସ୍ମୃତି

 

କେବଳ ମୂକ ସାକ୍ଷୀ ହେବ କୀର୍ତ୍ତି ।

ଆଉ କାହାର ପାଦ ପଢିବନି

 

ମାରଦାର ଘନ ଅରଣ୍ୟେ ଜାଣି ।

ଏହି ନିକି ନ ପ୍ରଦେଶରେ କିଏ

 

ଆଉ ଆସିବ କେଉଁ ଅଭିପ୍ରାୟେ ।

ଆତ୍ମାହୀନ ପିଣ୍ଡ ପରି ମାରଦା

 

ଉପେକ୍ଷିତ ହୋଇ ରହିବ ସଦା”  

ପରମଲକ୍ଷ୍ମୀ ମହାପାତ୍ର ଚତ୍ର

 

ପ୍ରତିମା ପରି ମଂଦିର ବିଚିତ୍ର ।

ଦ୍ୱାର ଆଡକୁ ରହିଥିଲେ ଚାହିଁ

 

ମଣିମାମାନଙ୍କ ଦର୍ଶନ ପାଇଁ ।

ଉତ୍କଣ୍ଠିତଙ୍କର ପ୍ରବଳ ଭିଡ

 

ମେଳା ପରିବେଶ ଏକ ବାର୍ଣ୍ଣାଢ଼୍ୟ ।

ସୃଷ୍ଟି କରିଥ୍‌ôଲା ଙ୍ଘଚ ଅରଣ୍ୟେ

 

ବଂଦୀ ପ୍ରଭୁଙ୍କର ପଦ୍ମ ଚରଣେ ।

କେହି ଭକ୍ତ ଅଧିର ଆବେଗରେ

 

ନତଜାନୁ ଶ୍ରୀଛାମୁ ସମ୍ମୁଖରେ ।

କରୁଥିଲେ କେତେ ଜଣାର ଗାନ

 

କରୁଥିଲେ କେତେ ଉପସ୍ଥାପନ ।

ମନେ ମନେ ଅସରନ୍ତି ମାଗୁଣି

 

ମଥାରେ ହସ୍ତ ରଖି ମନେ ଗୁଣି ।

ଅସରନ୍ତି ମିନତି କାମନାର

 

ମଣିମାଙ୍କ ନିକଟରେ ମୁକ୍ତିର ।

ଅଜାଡି ହୋଇ ପଡୁଥିଲା ଝଡି

 

ଆଷାଢ଼ର ବାଦଲ ଧାର ପରି ।

ଆଷାଢ଼ର ମ୍ଳାନଖରାକୁ ଖେଦି

 

ଚତୁର୍ଦ୍ଦିଗରେ ଯାଉଥିଲା ଭେଦି ।

ଏକ ଆଶ୍ୱସ୍ତି ଭାବର ଉଦ୍ରେକ,

 

କରିଥିଲା ସେତେବେଳେ ପ୍ରତ୍ୟକ୍ଷ ।

ମଂଦ ପବନ ମାରଦା ବଣରୁ

 

ଗତି ବେଗଶୀଳ ଥିଲା ପାଖରୁ ।

ଏକ ସ୍ୱରରେ ଆକୁଳ କଂଠରେ

 

କପୋତଟି କ୍ଳାନ୍ତି ବିଷର୍ଣ୍ଣତାରେ ।

ପଡେ କାନେ ବିଳାପ କରୁଥିଲା

 

କେବେ ନୀରବ ହୋଇ ଯାଉଥିଲା ।

ମୁଗ୍ଧ ନୟନେ ଜନତାଙ୍କୁ ଦେଖି

 

ହରି କେଉଁଠି ଯାଇଥିଲା ଲାଖି ।

କେତେ ଅତଳ ସାଗର ଗର୍ଭରେ

 

ସ୍ୱଭାବନାର ଶ୍ରୀହରି ବୋଲରେ ।

ଏଥରକୁ ମିଶାଇ କେତେଥର

 

ଚକଡ଼ା ଛଡ଼ା ହୋଇଣ ଠାକୁର ।

ବାହୁଡା ବିଜେ ପୁରୁଷୋତ୍ତମକୁ

 

କଲେଣି ଜଣା ନାହିଁ ସେ ହରିକୁ ।

ସବୁଥର ହରି ଛାମୁପାଖରେ

 

ରହି ତାଂକର ପୂଜାରେ ସେବାରେ ।

ନିଜକୁ ନିବେଦିତ କରିଅଛି

 

ଏକାମ ନିଜେ ନେଇଥିଲା ବାଛି ।

ମଣିମା ମାନେ ତାର ଜୀବନର

 

ରାହାକୁ ସିନା ଏକ ଯାଯାବର ।

ଯାତ୍ରୀ ପରି ଅନିଶ୍ଚିତ କରିଣ

 

ନିଜେମଧ୍ୟ ହୋଇଣ ଲକ୍ଷ୍ୟହୀନ ।

ପଥର ପଥଚାରୀ ହୋଇ ପଥେ

 

ବନପଥରୁ ଆସି ଜନପଥେ ।

ପରିବ୍ରାଜନ କରିଛନ୍ତି ନିଜେ

 

ସେ କଥା ହରି ବେଳେ ବେଳେ ହେଜେ ।

କିଂତୁ ଆଉକେତେ ଦିନ ଏପରି

 

ଯାଯାବର ଜୀବନ ହେବ ତାରି ।

କେତେକାଳ ଆଉ ଶ୍ରୀ ମଣିମାଙ୍କ

 

ଅନିଶ୍ଚିତ ଯାଯାବର ଜାତକ ।

ଯାତ୍ରା ସହ ତାର ଜୀବନ ଗ୍ରନ୍ଥୀ

 

ସଂଯୁକ୍ତ ହୋଇ ରହିଥିବ କ୍ରାନ୍ତି?

ଜୀବନର ଲକ୍ଷ୍ୟ ଥିଲା ତାହାର

 

ପୁରସ୍ତମ ଆମେ ମଣିମାଙ୍କର ।

ଶ୍ରୀବତ୍ସ ଖଣ୍ଡ ଶାଳ ଦେଉଳରେ

 

ପ୍ରଭୁଙ୍କର ପରିକର ଭାବରେ ।

ସେବା କରିଣ ତାପସ ଜୀବନ

 

ମହାର୍ଘ ବ୍ରତକୁ ତାର ଜୀବନ ।

ଲକ୍ଷ୍ୟ ଭାବେହିଁ କରିବ ପାଳନ

 

କିନ୍ତୁ କାଳ ହୋଇଲା ନିଦାରୁଣ ।

ବିଡମ୍ଭନାରେ ଶ୍ରୀମଣିମା ଆଜି

 

ପଳାତକ ପରି ହୋଇ ବାବାଜି ।

ଭ୍ରମଣଶୀଳ, ନାହିଁ ନିତ୍ୟ ବାସ

 

ଜଗତରେ ଉରୁକ୍ଷୟ ପ୍ରକାଶ ।

ମହେଜ୍ୟ ଦେବତା ଲୋକଲୀଳାରେ,

 

କ୍ରୀଡା ମଗ୍ନ ଆଜି ଜନ ପଥରେ ।

ହରି ଆଖିରେ ଦୁଇଧାର ଲୁହ

 

ଗଡି ବଢୁଥିଲା ମାନସ କୋହ ।

ବ୍ୟଥା ନିର୍ଯ୍ୟାସ ହୋଇ ଛଳ ଛଳ

 

ସେହି ଲୁହରେ ଥିଲା ସେ ଚଞ୍ଚଳ ।

ଦୀର୍ଘ ନିଃଶ୍ୱାସେକ ନିକ୍ଷେପ କରି

 

ହରି ମନେ ସ୍ମରିଲା ହରି ହରି ।

ଆହେ ବଳିୟାର ଭୁଜ ମଣିମା

 

ଶ୍ରୀବତ୍ସ ଖଣ୍ଡଶାଳ କଲ ସୀମା ।

ସେଇ ଦେଉଳେ ବିଜେକଲାପରେ,

 

ମନୁଷ୍ୟଲୀଳା ପରି ସମାପ୍ତିରେ ।

ଯୁଗେ ଯୁଗେ କରି ଦୈବୀ ଶକ୍ତିର

 

ଗରିମାକୁ କି ପ୍ରତିଭାତ କର ।

ବିଷ୍ଣୁ ନଖକୋଣ ଉଦ୍‌ଭବ ଧାରା,

 

ଜାହ୍ନବୀର ପରି ହରି କାଂଦିଲା ।

ପ୍ରଭୁ ଶୁଭ ବାହୁଡା ପହଣ୍ଡିରେ

 

ଆନଂଦ ସମାରୋହ କୋଳାହଳେ ।

ଏ ଅନୁଷ୍ଠାନେ ତୁ କାହିଁକି କାନ୍ଦୁ

 

ସମୟ ସରୁ ତାଂକୁ ବଂଦୁ ବଂଦୁ ।

ରାଜଗୁରୁଙ୍କ କଥାରେ ଚମକି

 

ପଡି ସନ୍ତର୍ପଣରେ ଲୁହ ଜାକି ।

ଏ ଅଶ୍ରୁ ପ୍ରେମର ଅଶ୍ରୁ ମହାପୁରୁ

 

ପ୍ରଭୁଙ୍କ ଲୀଳା ଖେଳା ବୁଝିବାରୁ ।

ଆମର ସାମର୍ଥ୍ୟ ନାହିଁ ସେଥିରେ

 

ତେଣୁ ଆଖିରୁ କେତେ ଲୁହଝରେ ।

ରାଜକୀୟ ସମାରୋହରେ ରାଜା

 

ଗଜପତି ଆସିଲେ ବାଜେ ବାଜା ।

ତାଂକ ଶିରୋପରେ ଛତ୍ର ଚାମର

 

ପଛେ ପଛେ ପାଇକ ଦଳ ଦଳ ।

ଶ୍ରୀମଣିମାଙ୍କର ପଟ୍ଟସେବକ

 

ରାମଚନ୍ଦ୍ର ଦେବବୀର ଛଟକ ।

ମଣିମାଙ୍କ ଭବ ସମ୍ବର୍ଦ୍ଧନାରେ

 

ସେବା ସମର୍ପଣ ପାଇଁ ଏଠାରେ ।

ରାଜଗୁରୁଯାଇ ଗଜପତିଙ୍କ

 

ଦଣ୍ଡାୟମାନ ହୋଇଲେ ସମ୍ମୁଖ ।

ସ୍ୱାଗତିକା ଶୁଭ ଶ୍ଳୋକ ଆବୃତି

 

କଲେ ମୁହୂର୍ତ୍ତକ ମଧ୍ୟରେ ସେଠି ।

ହରିବୋଲ ହୁଳହୁଳି ଧ୍ୱନିରେ

 

ମାରଦା ଜଂଗଲ ବନ ଭୂମିରେ ।

ପ୍ରକଂପିତ ହୋଇ ଉଠିଲା ବନ

 

ଗଜପତିଙ୍କ ଗହଣେ ରାଜନ ।

ଆଠଗଡ ଧନଂଜୟ ହାତରେ

 

ଏକ ଚାମର ଧରି ଠିଆ ହେଲେ ।

ମାରଦା ମଂଦିରର ସମ୍ମୁଖରେ

 

ଦୁଇ ରାଜା ଆନଂଦିତ ହୋଇଲେ ।

ଗଜପତିଙ୍କ ନିକଟକୁ ଆସି

 

 ହରି ଚନ୍ଦନ କହି ହସି ହସି ।

“ବିଶ୍ୱ ଦେବତା ଶ୍ରୀଜଗନ୍ନାଥଙ୍କ

 

କରୁଣାରୁ ଖୁର୍ଦ୍ଧା ଗଜପତିଙ୍କ ।

ସହ ଆଠଗଡ ରାଜ୍ୟ ବଂଧୁତା

 

ସ୍ଥାପିତ ହୋଇଥିବାରୁ ଏ ଯଥା  

ଆଠଗଡ ରାଜ୍ୟ ବାସୀ ପକ୍ଷରୁ

 

ନିଜକୁ ଭାଗ୍ୟବାନ ମନେ କରୁ  

ଶ୍ରୀଜଗନ୍ନାଥ ସ୍ୱକୀୟ କୃପାରେ

 

ଦୀର୍ଘ ତିନି ସମ୍ବତ୍ସର ଏଠାରେ ।

ଅବସ୍ଥାନ କରି ସେବା ସୁଯୋଗ

 

ଦେଖିଥିବାରୁ ଆଠଗଡ ଆଗ ।

ନିଜକୁ ଧନ୍ୟ କରୁ ଅଛି ମନେ

 

ଏହି ବଂଧୁତାକୁ ରଖିଣ ମନେ ।

ବଂଧୁତାର ନିକଡ ନିଗଡକୁ

 

ସମଧିକ ଦୃଢ଼ତା କରିବାକୁ ।

ବଂଧୁତାର ସ୍ମାରକୀ ଅନାବିଳ

 

ସ୍ୱର୍ଣ୍ଣଲିପିରେ ଏ ଇତିହାସର ।

ଲିପିବଦ୍ଧ କରି ରଖିବା ପାଇଁ

 

ଗଜପତିକୁ ଦେଉଛି ବଧାଇ ।

ଆଠଗଡ ରାଜ୍ୟବାସୀ ପକ୍ଷରୁ

 

ଆବେଦନ ଜଣାଉଛୁ ଆଦୂରୁ” ।

ରାଜା ଧନଂଜୟ ହରି ଚନ୍ଦନେ

 

ଆଲିଙ୍ଗନାବଦ୍ଧ କରି ଯତନେ ।

ବୁକୁ ଉପରେ ହସି ଗଜପତି

 

କହିଲେ ବଂଧୁ ଘେନ ହେ ପ୍ରଣତି ।

“ଓଡିଶାର ରାଷ୍ଟ୍ର ଦେବତାଙ୍କର

 

ସ୍ୱାଭିମାନ ଆଉ ଆଭିଜାତ୍ୟର ।

ସୁରକ୍ଷା ପାଇଁ ଆଠଗଡ ରାଜା

 

ଧନଂଜୟ ହରିଚନ୍ଦନ ପ୍ରଜା ।

ବଂଧୁତା ମୁକ୍ତ ହସ୍ତ ପ୍ରସାରଣ

 

କରିଥିବାରୁ ଆଜି ଆମେ ଧନ୍ୟ ।

ଆଜିଠାରୁ ଏ ଶରଣ ଧରଣୀ

 

ନାମରେ ବିଖ୍ୟାତ ହେଉ ଧରଣୀ ।

ଶରଣ ଶ୍ରୀକ୍ଷେତ୍ର ଏହି ମଂଦିର

 

ନାମରେ ନାମିତ ହେଉ ଏଥର ।

ଶ୍ରୀକ୍ଷେତ୍ର ଖଣ୍ଡଶାଳ ଦେଉଳରେ

 

ମହାଦୀପ ଯତ୍ନେ ଉଠିଲା ବେଳେ ।

ଆଠଗଡ ରାଜାଙ୍କ ସୁକୀର୍ତ୍ତିର

 

ସୁରକ୍ଷା ସ୍ମାରକୀ ପାଇଁ ତାଂକର ।

ଯଶ ନିମନ୍ତେ ଶ୍ରୀ ମଣିମାଙ୍କର

 

ନିକଟରେ ଆବେଦନ ଡାକର ।

ପଡିବ ଆଜିଠାରୁ ଆଠଗଡ

 

ରାଜାଙ୍କ ସହ ଖୁରଧା ରାଜ୍ୟର ।

ଅଭେଦ ବଂଧୁତା ଚିର ଭାସ୍ୱର

 

ରହିବ ଏ ବଂଧୁତା ଅନ୍ତରର ।

ଆବେଦନ ହୃଦୟର ବଂଧନ

 

ଯୁଗ ଯୁଗ ପାଇଁ ରହିଲା ଜାଣ ।

ବଂଧତାର ଗାଥା ଇତିହାସରେ

 

ଚିର ସମୁଜ୍ଜଳ ହୋଇ ହୃଦରେ” ।

ଜୟଘୋଷର ଉଚ୍ଛ୍ୱସିତ ଧ୍ୱନି

 

ମାରଦା ଅରଣ୍ୟୁ ଉଠିଲା ପୁଣି ।

ମନ୍ଦ୍ର ପ୍ରତିଧ୍ୱନିରେ ନିନାଦିତ

 

କରିଦେଲା ଚାରିଦିଗେ ଚକିତ ।

ବାହୁ ବଂଧନରୁ ଗଜପତିଙ୍କ

 

ମୁକ୍ତ ହୋଇ ଆଠଗଡ ଶଶାଙ୍କ ।

ଧନଂଜୟ ବାଷ୍ପକୁଳ କଂଠରେ

 

କହିଲେ “ମଣିମାଙ୍କ ବାହୁଡାରେ ।

ଆଠଗଡ କେବଳ କାଠଗଡ

 

ପରିଣତ ହୋଇଯିବ ଏଥର ।

ଶ୍ରୀ ମଣିମାଙ୍କ ଚିନ୍ମୟ ବିଭୁତି

 

ଆପଣଂକର ମହନୀୟ ସ୍ମୃତି ।

ମହାର୍ଘ ସଂପଦ ହେବ ରାଜ୍ୟର

 

କାଳକାଳକୁ କୀର୍ତ୍ତି ହେବ ସାର ।

ଧନଂଜୟ ଆଖିରୁ ଦୁଇ ଧାର

 

ଲୁହ ଝରି ମାରଦା ଅରଣ୍ୟର ।

ବଂଧୁର ଭୂମି ପ୍ରୀତିଭାବସିକ୍ତ

 

କରିଦେଲା କୋମଳତା ଆସକ୍ତ ।

ମଣିମାଙ୍କ ପହଣ୍ଡି ବିଜେ ପାଇଁ

 

ଦଇତା ମାନେ ମନେ ବ୍ୟସ୍ତ ହୋଇ  

ପଡୁଥିଲେ, ସୂର୍ଯ୍ୟାଲୋକ କୋମଳ

 

ଅପରାହ୍ନର ସେହି ମାରଦାର ।

ଗଛ ପତ୍ରର ଫାଙ୍କ ମାନଙ୍କରେ

 

ପ୍ରୀତିର ଲୁଚକାଳି ଖେଳିଥିଲେ ।

ପହଣ୍ଡି ଆରମ୍ଭ ହେଲା ତତ୍‌କାଳେ

 

ଏକାଦିକ୍ରମେ ଗୋଟି ପହଣ୍ଡିରେ ।

ତିନି ଠାକୁର ରଥର ଉପରେ

 

ଆଜି ବିଜେହୋଇ ଗଲେ ଚଂଚଳେ ।

ରଥୋପବେଶନ ମଣିମାଙ୍କର

 

ପରେ ଛେରା ପହଁରା କରିବାର ।

ବୈଧାନିକ ପରଂପରା ଏଥର

 

ଲୋକେ ପକାଉଥିଲେ ହରିବୋଲ ।

ହୁଳହୁଳି ଧ୍ୱନିରେ ମାରଦାର

 

ବନଭୂମି ପ୍ରକଂପିତ ଚଂଚଳ ।

ବିକଳ ପ୍ରାଣେ କେତେକ ଭକତ

 

ମଣିମା ବାହୁଡା ବିଜେ ଜନିତ ।

ବିରହ ଦୁଃଖରେ ଶିଶୁ ଚପଳ

 

କରି କ୍ରଂଦନ କଲେ ଉଚ୍ଚ ସ୍ୱର ।

ଏକ ଉଦାସ ତାପସ ସମାନ

 

ରଥୋପରେ ବିଜେ କଲେ ରାଜନ ।

ଗଜପତି ଶ୍ରୀରାମଚନ୍ଦ୍ର ଦେବ

 

ଧିରେ ଧିରେ ଚାହିଁଲେ ବହି ଭାବ ।

ଶ୍ରୀ ଜୀଉ ମାନଙ୍କୁ ରଥ ଉପରେ

 

ବିଜେ କରିଛଂତି ସ୍ମିତ ହାସ୍ୟରେ ।

ସ୍ୱସ୍ଥାନକୁ ଯିବାପାଇଁ ଯେପରି

 

ପ୍ରସନ୍ନ ଚିତ୍ତରେ ଭାବ ସଂଭାଳି ।

ବିପୁଳ ଜନତା ଠାରୁ ବିଦାୟ

 

ମାଗୁଥିଲେ ସତେ ହୋଇ ସଦୟ ।

ରାଜଗୁରୁ ପରମଲକ୍ଷ୍ମୀ ଆଗେ

 

ମନ୍ତ୍ରୋଚ୍ଚାରଣ କରୁଥିଲେ ବେଗେ ।

ପରିକ୍ରମା କରୁଥିଲେ ଜୀଉଙ୍କୁ

 

ପଶ୍ଚାତରେ ଦେଖି ଗଜପତିଙ୍କୁ ।

ସୁବର୍ଣ୍ଣ ଝାଡ଼ୁରେ ଛେରା ପହଁରା

 

କରୁଥିଲେ ମନେ ଚିନ୍ତି ଚକରା ।

ଭକ୍ତିର ପ୍ରେମ ଅଶ୍ରୁ ଛଳଛଳ

 

ହୋଇ ଉଠୁଥିଲା ଭାବ ପ୍ରବଳ ।

ଛେରା ପହଁରା କାର୍ଯ୍ୟ ସଂପାଦନ

 

ସାରି ରାମଚନ୍ଦ୍ର ଦେବ ରାଜନ ।

ଶ୍ରୀ ମଣିମାଙ୍କ ସମ୍ମୁଖେ କେତୋଟି

 

ମୁହୂର୍ତ୍ତ ଦଣ୍ଡାୟମାନ ହେଲେ ଟି ।

ଅପଲକ ନୟନରେ ସମ୍ମୁଖେ

 

ଚାହିଁ ରହିଥିଲେ ଭାବି ସଳଖେ ।

ମହାବାହୁ ଶ୍ରୀମୁଖ ରଂଗାଧାରେ

 

ପ୍ରୀତିର ଅଫୁରନ୍ତ ହାସ୍ୟ ଖେଳେ ।

ତୃପ୍ତି ଚାହାଣୀ ଚକା ନୟନରେ

 

 ମହାବାହୁ ଯୁଗଳରେ ବଂଦିତ ।

ଅଭୟ ତୃପ୍ତି ସ୍ୱଆଶୀର୍ବାଦର

 

ଉଦ୍ଦୀପ୍ତ ମୁଦ୍ରାଙ୍କନ ସମୁଜ୍ୱଳ, ।

“ତୁମରି ପାଇଁ ପରା ମହାବାହୁ

 

ଗଜପତି ସେବକ ସଦାଥାଉ ।

ରାମଚନ୍ଦ୍ର ଯବନୀ ରେଜିୟାର

 

ହାତ ଧରି ଚାହିଁଥିଲା ତୁମ୍ଭର ।

ରତ୍ନ ସିଂହାସନାଭୟ ମୁକ୍ତିର

 

ତଳେ ଆଶ୍ରୟ ଚିର ପ୍ରଶାନ୍ତିର ।

କେବଳ ତୁମରି ମହିମା ପାଇଁ

 

ଐତିହ୍ୟ ପବିତ୍ରତା ରକ୍ଷା ପାଇଁ ।

ରାମଚନ୍ଦ୍ର ଦେବ ବିଧର୍ମୀ ଜାତି

 

ହୋଇଥିଲା ଏ ଦୀନ ଗଜପତି ।

ଚିରଦିନ ତୁମରି ଅନ୍ତରଂଗ

 

ସେବକ ହୋଇ ଥାଉ ହେ ଅଭଂଗ ।

କୃପା ଜଳର ପ୍ରତ୍ୟାଶୀ କୁରରୀ

 

ଜାତିର ଇତିହାସକୁ ସୁମରି ।

ରାମଚନ୍ଦ୍ର ଦେବ ଚିର ନିନ୍ଦିତ

 

ହୋଇଯାଉ ଚିନ୍ତା କେବେ ନାହିଁ ତ ।

କିଂତୁ ତୁମ ବିଶାଳ ଦରବାରେ

 

ତୁମେହିଁ ରାମଚନ୍ଦ୍ର ହୃଦୟରେ ।

ଅଭିପ୍ସାର କରିବ ମୂଲ୍ୟାୟନ

 

ଏତିକି ମାତ୍ର ପୂତ ନିବେଦନ ।

ଯୁଗ ଯୁଗ ଯନ୍ତ୍ରଣା ଆତ୍ମସାତ

 

କରି କେବଳ ତୁମର ସାକ୍ଷାତ ।

ବିଜୟଶ୍ରୀ ପାଇଁ ରାମଚନ୍ଦର

 

ଦେବପ୍ରତୀକ୍ଷା କରିଛି କେବଳ ।

ପ୍ରତୀକ୍ଷା ଜାତି ନଂଦିଘୋଷ ପାଇଁ

 

ଓଡିଶା ଐତିହ୍ୟ ବିକାଶ ପାଇଁ ।

ଇତିହାସର ସ୍ୱର୍ଣ୍ଣ ସଂକଳନ

 

କରାଇବ ପ୍ରଭୁ କାମନା ପୂର୍ଣ୍ଣ” ।

ସନ୍ତର୍ପଣରେ ସ୍ୱ ଅଶ୍ରୁଧାରକୁ

 

ପୋଛି ଦେଇ ଉହ୍ଲାଇଲେ ତଳକୁ ।

ରାମଚନ୍ଦ୍ର ଦେବ ସନ୍ତର୍ପଣରେ

 

ବିଶାଳ ଜନତା ମଧ୍ୟରେ ଧିରେ ।

ଗଜପତିଙ୍କର ମୌନ ମିନତି

 

ଯେପରି ସୂକ୍ଷ୍ମ ପ୍ରକ୍ରିୟାରେ ମାତି ।

ସଂଚାରିତ ହୋଇଣ ଯାଇଥିଲା

 

ସବୁ ଆଖିରୁ ଲୋତକ ଝରିଲା ।

ନିବିଡ଼ ବଣ ମଧ୍ୟୁ ମାରଦାର

 

କେତେଟା କୁମ୍ଭାଟୁଆ ଉଚ୍ଚସ୍ୱର ।

ରାବକରି ଉଠୁଥିଲେ ସେଠାରେ

 

ମୟୂର ପୁଚ୍ଛ ପ୍ରସାରଣ ପରେ ।

ଉଦ୍‌ବେଳିତ ଆନଂଦରେ ଅଦୂରେ

 

କରୁଥିଲେ ନୃତ୍ୟ ମହୋତ୍ସବରେ ।

ରଥ ଉପରୁ ଡାହୁକ ଡାକିଲା

 

ବିଶାଳ ଜନତା ଉତ୍ତର ଦେଲା ।

ରାଜଗୁରୁ ଗଜପତି ଆଖିରେ

 

ଅନୁକ୍ତ ବ୍ୟଥାର ଇତିହାସରେ ।

ପଢ଼ିବାକୁ କରୁଥିଲେ ଉଦ୍ୟମ

 

ହୋ ହୋ ଭଗତେ ଫାଟିଲା ଗଗନ ।

ଡାହୁକର ଉଦାତ୍ତ ଆହ୍ୱାନର

 

ଉତ୍ତରରେ ଜାଗ୍ରତ ଓଡିଶାର ।

ପ୍ରଜାବୃନ୍ଦ ମିଳିତ ପ୍ରତିସ୍ୱର

 

ଯାହା ପ୍ରକଟ କରିଛଂତି ଘୋର ।

ସେହି ଐକ୍ୟ ମନ୍ଦ୍ରସ୍ୱର କଅଣ

 

ଜାତିର ଇତିହାସକୁ ନିର୍ମାଣ ।

କରିବାରେ ଘୋଷିତ ହେବନାହିଁ

 

ରାଜଗୁରୁ ଭାବନ୍ତୁ ମନଦେଇ  

 

୧୦ମ ସର୍ଗ

 

ମାରଦାର ସବୁଜିମାଭରା ବନ ପରିବେଶକୁ ପଛରେ

ପକାଇ ବାହୁଡା ରଥ ବହୁଦୂର ଅତିକ୍ରମ କରି ଖରେ

ସେ ଥିଲା

ସବୁଆଡେ ବାର୍ତ୍ତା ରଟିଥିଲା

ପଥେ ଗ୍ରାମାଂଚଳ ଲୋକ ମେଳା

ଲୋକ ଭେଟୁଥିଲେ ଭେଳା ଭେଳା ୧

ପ୍ରଭୁ ଜଗନ୍ନାଥ ବଡ ଦେଉଳକୁ ବିଜେ କରୁଛନ୍ତି ବୋଲି

ସ୍ୱୟଂ ଗଜପତି ମହାରଜା ସଂଗେ ଆସନ୍ତି ପଡେ ବୋବାଳି

ସେ ହୁରି

କୃଷ୍ଣଗିରି ଯାଉଛି ଦୋହଲି

ତାରା ତାରିଣି ପର୍ବତେ ହୁରି

ଋଷିକୁଲ୍ୟା ବହେ ଥରି ଥରି

ସଂଗରେ ଅଛନ୍ତି ବସୁ ପ୍ରହରାଜ ତରାତାରିଣି ସାଧକ

ଧନଂଜୟ ହରିଚନ୍ଦନ ବଂନ୍ଦନ ବହୁତ ଗଣ ନାୟକ

ସଂଗରେ

ବାଜା ବାଜୁଛି କେତେ ଢଂଗରେ

ଲୋକେ ଦର୍ଶନ କରି ପଥରେ

ଧନ୍ୟ ଧନ୍ୟ ଭାବନ୍ତି ମନରେ ୩

ପଡେ ହୁଳ ହୁଳି ଶଂଖ ଧ୍ୱନି ଶୁଭେ ପଥରେ ଗ୍ରାମାଂଚଳରେ

ଅସୁମାରି ଜନେ ଆସନ୍ତି ଦର୍ଶନେ ଜଗବଂଧୁକୁ ବାଟରେ

ସେ ଭାଳି

ଜୀବବଂଧୁଂକୁ ଦେଖି ସଂଭାଳି

ଅଂଧ ହେଉଛି କେତେ ଅଣ୍ଡାଳି

ମୁଣ୍ଡେ ଲଗାଉଛି ପଥ ଧୂଳି  । ୪

ରଥର ଉପରେ ବିଜେ କରିଛନ୍ତି ପତିତ ଉଦ୍ଧାର ପାଇଁ

ଉକ୍ତଜନଙ୍କର ଅଭିଳାଷ ପୂର୍ଣ୍ଣ କରିବେ ଜଗତ ସାଇଁ

ସେ ହରି

ଯାଉଛନ୍ତି ସେ ମାରଦା ଛାଡି

ସେହି ଚକଡ଼ା ଛଡ଼ା ଶ୍ରୀହରି

କେତେ ପାଇଲେଣି କଷ୍ଟ ଭାରି ୫

ଜମୁଥିଲା ଅସୁମାରି ଜନତାଙ୍କ ପ୍ରବଳ ଭିଡ ବାଟରେ

ଜନତା ମଧ୍ୟରେ ଜାଗିଥିଲା ଉନ୍ମାଦନା ଅମିତ ମନରେ

ସେ କେତେ

ଲୋକେ ସହସ୍ର ସଂଖ୍ୟାରେ ଯେତେ

ଆସି ଦରଶନ କରି ରଥେ

ଫେରୁଥିଲେ କୋଳାହଳେ ପଥେ ୬

ଫୁଲ ନାରିକେଳ ଦୀପସମାରୋହ ରାଜପଥର ଉପରେ

ଜମା ହୋଇ ପଡୁଥିଲା, ଭକତିର ମୂର୍ତ୍ତିମନ୍ତ ଉପଚାରେ

ସେଠାରେ

ରଥଛୁଇଁ ଥିବ ସମାପାରେ

ଘଂଟ ବାଜୁଥିବ ଜଭଗଡେ

ଜଉଗଡେ ଭେଟି ଗୁପ୍ତେଶ୍ୱରେ ୭

ପ୍ରଭୁ ଲୋକନାଥ ବିଳାସପୁରରେ ଭେଟି ଥିବେ ଜଗନ୍ନାଥ

ଲକ୍ଷ୍ମୀ ନାରାୟଶ ଭେଟ ଦରଶନ ହୋଇଥିବ ପଥ ପ୍ରାନ୍ତ

ସେ ରଥେ

ଭେଟି ଥିବେ ତୁମ୍ବେଶ୍ୱର ଘାଟେ

ପ୍ରଭୁ ଭାଇ ଭଉଣୀଙ୍କ ସାଥେ

ରହି ଋଷିକୁଲ୍ୟା ନଦୀ ତଟେ ୮

ତାନ୍ତ୍ରିକ ପ୍ରଧାନ ସେ ଶ୍ରେଷ୍ଠ ବ୍ରାହ୍ମର ଶ୍ରୀବାଇଧର ତ୍ରିପାଠୀ

ଜଗିଥିବେ ବାଟେ କଂଠି ନଇତଟେ ଘେନି ଶିଷ୍ୟଙ୍କୁ

କେତୋଟି ଦଉଡ଼ି

ଧରିଥିବେ ରଥର ଦଉଡ଼ି

ରଥ ଯାଉଥିବ ଗଡ଼ି ଗଡ଼ି

ଦେଇ ଥିବେ ହରି ବୋଲ ରଡ଼ି ୯

ବସୁପ୍ରହରାଜ କରାଇ ଥିବେଟି ତାରାତାରିଣୀ ଦର୍ଶନ

ମାନସ ମଧ୍ୟରେ ଋଷିକୁଲ୍ୟାଧାରେ ସେ ତାନ୍ତ୍ରିକ ପରଧାନ

ବ୍ରାହ୍ମଣ

ଲୋକେ ରଖିଛନ୍ତି ଆଜି ମନ

ତାରା ତାରିଣୀ ଥିଲେ ସଂତାନ

ତାଂକ ଘରେ ପାଇ ସନମାନ ୧୦

ଛୁଇଁ କୃଷ୍ଣଗିରି ଭେଟି ରାମଚଣ୍ଡୀ ସକଳେଶ୍ୱରଙ୍କ ପଣା

ପିଇଥିବେ ପଥେ ଆସିଥିବେ ଲବେ ବାଲୁଗାଁ ଏ ଖେଳକିନା

ସେ ଧିରେ

ପଥେ ଦେଖିଣ ନିର୍ମଳଝରେ

ଆସୁଥିବେ ବାଟରେ ବାଟରେ

ଖଲ୍ଲିକୋଟକୁ ଲଂଘି ରଥରେ ୧୧

ଗଜପତି କେତେବେଳେ ପାଦଗତି କେବେ ଅଶ୍ୱର ପୃଷ୍ଟରେ

କେତେବେଳେ ଅବା ରଥର ସମ୍ମୁଖେ ଚାଲୁଥିବେ ତରତରେ

ସେ ବୀର

ଥିଲେ ପାଇକ ଆଠଗଡର

ସଂଗେ ସଜ୍ଜିତ ହୋଇ ସକଳ

ଧରି ଅସ୍ତ୍ର ଶସ୍ତ୍ର ବେନିକର ୧୨

ଅନାହୁତ ଅନାମନ୍ତ୍ରିତ ବିହୁନ ନରନାରୀ ପଥେ ଆସି

ରଥର ଦଉଡି ଟାଣୁଥିଲେ ଧରି ହାତ ପାପୁଲିକୁ କସି

ଦଉଡି

ରଥ ଯାଉଥିଲା ଗଡି ଗଡି

ଜୀବନର ଜୟ ଘୋଷରଡି

ପୁଣି ବିଦେହ ବିମୁକ୍ତି ଛାଡି ୧୩

ସଂଧ୍ୟା ନଇ ଆସିଥିଲା ବାଲୁଗାଁର ଉପକଂଠରେ ରଥର(୧୦୭

ଆସିବା ପୂର୍ବରୁ ଜଗି ରହିଥିଲେ ସାମନ୍ତେ ବାଣପୁରର

ସେ ରାଜା

ଜଗିଥିଲେ ଧରି ବହୁବାଜା

ଔପଚାରିକ ସଂଭାର ତାଜା

ବାଜୁଥିଲା ସେଠି କେତେବାଜା ୧୪

 

ନାରାୟଣୀ ଭେଟ ହୋଇଥିବ ସେଠି ଅଶୋକ ବୃକ୍ଷ କାନନେ

ଐରବୀର ଖାରବେଳ ଶଇଶବ ସ୍ମୃତି ସାବଳିଆ ଗ୍ରାମେ

ସେ କାଳେ

ଦନ୍ତପୁର ପ୍ରସିଦ୍ଧ ଭୂତଳେ

ସୁପ୍ରସିଦ୍ଧ ବଂଦର ଉତ୍କଳେ

ଥିଲା ମଣ୍ଡିତ ସାଧବ ମେଳେ ୧୫

ବାଣପୁର ଭଗବତୀ ଭେଟିଥିବେ ପଥରେ ଜଗତନାଥ

ଚାହିଁ ରହିଥିବେ ମାଆ ଭଗବତୀ ଘେନି ସକଳ ଭଦନ୍ତ

ସେ ମାଆ

ଦେଇଥିବେ ଖାଣ୍ଟି ଗୁଡ଼ମୁଆ

ଖାଇଥିବେ ପ୍ରଭୁ ବାଛି ଲିଆ

କରିଥିବେ ଖୋଲି କଥା ଯାହା । ୧୬

ବ୍ରାହ୍ମଣ ମାନଂକ ସହ ବାଲୁଗାଁରେ ହୋଇଥିବେ ଉପସ୍ଥିତ

ଆବାଳ ବୃଦ୍ଧ ବନିତା ବାଣପୁର ରାଜ୍ୟର ଯେତେ ସାମନ୍ତ

ଦର୍ଶନ

ମଣିମାଂକ ଦିବ୍ୟ ଦରଶନ

ପାଇଁ ଉପସ୍ଥିତ ରାଜ୍ୟ ଜନ

କୋଳାହଳରେ ସେ ସ୍ଥାନ ପୂର୍ଣ୍ଣ ୧୭

ଗଜପତି ରାମଚନ୍ଦ୍ର ଦେବ ରଥ ନିକଟେ ସଂଧ୍ୟା ଦର୍ଶନ

କରୁଥିଲେ ଭିଡ ଭିତରେ ରହିଣ ଯହିଁଥିଲେ ପ୍ରଜାଗଣ

ସ୍ୱାଦକୁ

ସାଧାରଣ ଜୀବନ ସ୍ୱାଦକୁ

ଉପଭୋଗ କରୁଥିଲେ ପାଖୁ

ପ୍ରଜାଭାବରେ ଭାବି ନିଜକୁ ୧୮

 

ଅଗଣିତ ନାରୀ ହାତେ ଦୀପଧରି ରଥତଳେ ଠିଆ ହୋଇ

ନିବେଦନ କରୁଥିଲେ ଆରତିକୁ ସଂଧ୍ୟାରେ ଶିର ନୁଆଇ

ସେ ବାଳା

ଜନତାର ଧାଡି ଛୁଟିଥିଲା

ଗ୍ରାମାଂଚଳ ମାନଂକରୁ ବାଳା

ଆସୁଥିଲେ ହୋଇ ଭେଳା ଭେଳା ୧୯

ଅଗଣିତ ଜନ ସମାଗମ ଦେଖି ରାମଚନ୍ଦ୍ର ଦେବଙ୍କର

ମନେ ଜାଗିଥିଲା ବିସ୍ମୟର ଝଡ ସଂବାଦ ନଥିଲା ବଡ଼

ସଂବାଦ

କିଏ ଆଣିଦେଲା ଏ ଉନ୍ମାଦ

ଦୂର ଦୂରାନ୍ତର ସୁଖ ପ୍ରଦ

ଜନ ସାଧାରଣଙ୍କ ବିବାଦ ? ୨୦

ସବୁ କର୍ମ ଜଂଜାଳକୁ ତୁଚ୍ଛ କରି ଆତ୍ମୀୟତା ମୋହ ଫାଶ

ଶତ ଦୀର୍ଣ୍ଣ କରି, ସଂସାରର ମୋହ ନିଗଡକୁ କରି ଆଶ

ଅସାର

ଜ୍ଞାନ କରିଣ ତାକୁ ଅସାର

ନମିଷକ ପାଇଁ ପରବଳ

ପୁଣି ଆବେଗପୂର୍ଣ୍ଣ ଚଂଚଳ ୨୧

ଜନତା ଜନାର୍ଦ୍ଦନର ଅଭିଳାଷ ମନତଳେ ପ୍ରସ୍ରବିତ

କରିଥିବା ମହାଶକ୍ତି ତେବେ କଣ ରଥାରୁଢ ଇତିବୃତ୍ତ

ସେ ଦ୍ରଷ୍ଟା

ଦାରୁ ବିଗ୍ରହାଧିପତି କର୍ତ୍ତା

ପ୍ରାଗୈତିହାସିକ ବ୍ରହ୍ମ ସ୍ରଷ୍ଟା

ମହାକାରୁଣିକ ବ୍ରହ୍ମ-ଦ୍ରଷ୍ଟା ୨୨

ଚାହିଁ ରହିଥିଲେ ଅନିମେଷ ନୟନରେ ସେ ମହାବାହୁଙ୍କୁ

ରାମଚନ୍ଦ୍ର ଦେବ ରଥଉପବିଷ୍ଟ ସେ କାରୁଣିକ ବ୍ରହ୍ମଙ୍କୁ

ରାଜନ

ଶୁଣି ରାଜଗୁରୁଙ୍କ ଆହ୍ୱାନ

ବିଜେ କରନ୍ତୁ ରଥେ ଆପଣ

ସଂଧ୍ୟା ଆଳତି ହେବ ବହନ ୨୩

ଅଗଣିତ ଜନ ମାନଂକ ମଧ୍ୟରେ ମୋତେ ମଣିଷ ହେବାର

ସୁଯୋଗ ଦିଅନ୍ତୁ ଆହେ ରାଜଗୁରୁ ଏହି ବିନତି ମାତର

ହେ ଗୁରୁ

ଘେନ ପ୍ରଣାମ କରେ ଅଦୂରୁ

ପ୍ରଭୁ କରନ୍ତୁ ବାସନା ପୁରୁ

ପ୍ରଜା-ବତ୍ସଳ ରାଜା ହେବାରୁ ୨୪

ସବୁ ଗଜପତି ହୋଇ ପାରନ୍ତିନି ମଣିଷ ଏ ଧରାତଳେ

କିଂତୁ ସବୁ ମଣିଷହିଁ ଗଜପତି ଗଜନଥାଇ ପାଖରେ

ହେ ଦେବ

ଆପଣହିଁ ଜାଣନ୍ତି ଏ ଭାବ

ନାହିଁ ପ୍ରଜା ଉପରେ ପ୍ରଭାବ

ଏହା ପଣ୍ଡିତ ଜନ ସ୍ୱଭାବ ୨୫

ଗଜପତି ରାଜା ଘଟାଟୋପ ତଳେ ଆତ୍ମମ୍ଭରୀତା ଦୁର୍ବାର

ଅଗ୍ନି ଶିଖା ମଧ୍ୟୁ ମୁଁ ଚାହେଁ ମୁକତି ସୁସ୍ନିଗ୍ଧତା ଜୀବନର

ସେ ଚାହିଁ

ଥିଲେ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ

ରାଜଗୁରୁ ହୋଇଛନ୍ତି ବାଇ

ଗଜପତିକୁ ଥିଲେ ଅନାଇ ୨୬

କିଂତୁ ରାମଚନ୍ଦ୍ର ଦେବ ଅପଲକ ଦୃଷ୍ଟି ମଣିମା ଉପରେ

ରଥ ଉପବିଷ୍ଟ ଶ୍ରୀ ମହାବାହୁଙ୍କ ନୀଳ ପଙ୍କଜ ମୁଖରେ

ସେ ନ୍ୟସ୍ତ

ରହିଥିଲା ନୋହି ଇତସ୍ତତ

ଥିଲାଭିଡ, ଜନ ଅଗଣିତ

ରାଜା ଥିଲେ ମନେ ବଡ ବ୍ୟସ୍ତ । ୨୭

ସ୍ପନ୍ଦନର ରାସୋତ୍ସବ ଲାଗିଥିଲା ବାଲୁଗାଁ ଉପକଣ୍ଠରେ

ଦରଶନେ ନେତ୍ର ପଖାଳିବା ପାଇଁ ଜନସ୍ରୋତ ସଡକରେ

ସେ ଧିରେ

ପ୍ରଭୁ କରୁଣାର ପାରାବାରେ

ଯାହା ଅଯାଚିତ ଉପଚାରେ

ଏ ଯେପରି ସ୍ୱୟଂ କରୁଣାରେ ୨୮

ଖୁରୁଧାର ବରୁଣେଇ କଟକର ଭିତର ଗଡର କଂସା-

-କବାଟ ଯେପରି ରେଜିୟା ସକାଶେ ବଂଦ ହୋଇଲା ସହସା ସେ ଦିନ

କେତେ ସମାତୁର ଆବାହନ

ମର୍ମନ୍ତୁଦ ବିଳାପ କରୁଣ

ବଂଦ ହୋଇଗଲା ଚିରଦିନ ୨୯

ଜାତିଆଣ କଂସା କବାଟ ତଳରେ ନିଷ୍କରୁଣ ଭାବେ ଚାପି

ହୋଇଗଲା କଳା ଘୁମର ଆଖିରେ ପ୍ରତ୍ୟୟ ଚାହାଣୀ ଛପି

ସେ ସତେ

ଆହା କିପରି ବଂଚିବ ସତେ

ପ୍ରୀତି ପସରା କାହାରି ସାଥେ

ଗଜପତି ଅଛନ୍ତି ଗୁପତେ ୩୦

ସେ କଳାଘୁମର ଆଖିରେ ପ୍ରତ୍ୟୟ ଚାହାଣୀ କି ପରିପୂର୍ଣ୍ଣ

କରି ଜବାଧରୀ କହିଥିଲା ତାର ପାଇଁ ପରା ଚିର ଦିନ

ଭିତର

ସେ ଭିତର ଗଡର ଦ୍ୱାର

ଅବରୁଦ୍ଧ ହୋଇଯିବ ଚିର

ଏହି ସଂଦେହ ଅଛଟି ତାର ୩୧

“କିଂତୁ ତୁମ ହୃଦୟର ସେ ଗୋଲାପ ବାଟିକା ମୃଦୁ ପବନ

ମୋ ପାଇଁ ଉନ୍ମୁକ୍ତ ହୋଇ ରହିଥିବ ଏହା ମୋ ଚିରବଂଦନ

ହେ କାନ୍ତ

ସତେ ଏଥିରେ ସ୍ଥିର ନିଶ୍ଚିତ

ଖୋର୍ଦ୍ଧା ଖୋଦାବଂଦ ମୋର କାନ୍ତ

ଇଛେ ଓଡିଶାର ଜଗନ୍ନାଥ ୩୨

ଜଗନ୍ନାଥ ସାର୍ବଭୌମ ସ୍ୱାଧୀନତା ଇଛେ ଓଡିଶା ସ୍ୱାଧୀନ

ଏଥିନିମନ୍ତେ ମୁଁ ଦେଇ ପାରେ ପ୍ରାଣ ଯଦି ହୁଏ ପ୍ରୟୋଜନ

ମୁଁ ପ୍ରାଣ

ବରବାଦ ପରନ୍ତୁ ବଚନ

କେବେ କରିବି ନାହିଁ ପ୍ରମାଣ

ଜୀଉ ରକ୍ଷା ପାଇଁ ଦେବି ପ୍ରାଣ ୩୩

ଜବାଧାରୀଙ୍କର ଗୋଲାପି ଗାଲରେ ମୃଦୁ ଟିପାଘାତ କରି

ରାମଜନ୍ଦ୍ର ଦେବ କହିଥିଲେ ପ୍ରିୟା ଆଲିଂଗନ କରି ସାରି

ଗୋ ତୁମେ

ଜୀଉଙ୍କ ମାନସ କନ୍ୟାତୁମେ

ତୁମ ହୃଦୟ ବିଶାଳ ଜାଣେ

ରାଜ୍ୟ ଗଉରବ ହେବ ଦିନେ ୩୪

ତୁମେ ବରୁଣେଇ କଟକ ସ୍ୱୀକୃତ ବଧୂ ନହୋଇ ଗୋ ପାର

ଜୀଉଙ୍କର ତୁମେ ଅତୀବ ଆତ୍ମୀୟ ହୃଦ ତୁମର ବିଶାଳ

ଗୋ ସତ

ଇତିହାସର କେଉଁ ଅଜ୍ଞାତ୍‌

ଅଧ୍ୟାୟରେ ତୁମେ ଆସିବତ

ଏହା ମୋଦ୍ୱାରା ସ୍ଥିର ନିଶ୍ଚିତ ୩୫

“ତୁମକୁ ଯବନୀ କନ୍ୟା ଭାବେ କଲେ ଚିତ୍ରିତ ମଧ୍ୟ ଏ ଜନେ

ତୁମେ ଏକ ହେବ ଅଧ୍ୟାୟ ସ୍ୱର୍ଣ୍ଣାଭ ଇତିହାସରେ ଜୀବନେ

ହେ ମୋର

ତୁମ ଚିନ୍ତା ସଦା ଅନାବିଳ

ତୁମ ଚେତନା ଅଚି ବିମଳ

ମୋର ମୁବାରକ ଘେନାକର ୩୬

ରାଜଗୁରୁ ମହାପାତ୍ର ଧିର କଂଠେ କହିଲେ ହେ ଗଜପତି

ଆନଂଦ ରୋଷଣି ମଧ୍ୟରେ ଆପଣ ଚିନ୍ତାଗ୍ରସ୍ତ ଦିଶୁଛନ୍ତି

ହେ ଏଠି

ଦୁଃଖ ଅମାବାସ୍ୟା କାହିଁ ଏଠି?

ଯହିଁ ମଣିମା ବିରାଜିଛନ୍ତି

ଚିନ୍ତା ଛାଡନ୍ତୁ ହେ ଗଜପତି” ୩୭

“ସବୁଦିନ ହର୍ଷ ବିଷାଦକୁ ନେଇ ଗଠିତ ଏହି ଜୀବନ

ରାମଚନ୍ଦ୍ର ଦେବ କହିଲେ ହେ ରାଜ ଗୁରୁ ଶୁଣନ୍ତୁ ଆପଣ

ଯେମିତି

ଅମାବାସ୍ୟା ପୂର୍ଣ୍ଣିମା ଯେମିତି

ଏହା ଜଗତର ରୀତିନୀତି

ଏଠୁ ଫିଟିବା ବଡ କଷ୍ଟ ଟି ୩୮

ପୂର୍ଣ୍ଣିମା ଓ ଅମାବାସ୍ୟା ନେଇ ଚନ୍ଦ୍ର ଜୁଆର ଭଟ୍ଟା ସାଗର

ନିବୃତ୍ତିର ଭସ୍ମଶଯ୍ୟା ତଳେ ତଳେ ଅଗ୍ନିକଣା ପ୍ରବୃତ୍ତିର

ଏମିତି

ସବୁଦିନ ଅଜ୍ଞାତ ଏମିତି

ଲୁକାୟତ ରାଜଗୁରୁ ଏଠି

ତେବେ ଛାଡିବା ତାକୁ କେମିତି ୩୯

କଥାର ଉଷ୍ଣତା କରି ଅନୁଭବ ରାମଚନ୍ଦ୍ର ଦେବଙ୍କର

ଧିରେ ରାଜଗୁରୁ କହିଲେ ତାହେଲେ ଆପଣ ରେଜିୟାକଂର

ଭାବନା

କରୁଥିଲେ ମହାରାଜ ସିନା

ଏହି ସମୟ ତା ନୁହେ କି-ନା ?

ତେଣୁ ଧୈର୍ଯ୍ୟ ଧରନ୍ତୁ କାମନା  ୪୦

“ବେଳେ ବେଳେ ରେଜିୟାଙ୍କ କଥା ଭାବି ଦୁଃସ୍ତ ଜୀବନେ ଆନନ୍ଦ

ଭରିଆସେ ମନେ ଆହେ ରାଜଗୁରୁ ଭୁଲିଯାଏ ମୁଁ ବିଷାଦ

ରେଜିୟା

ଚିରଦିନ ପବିତ୍ର-ତା-ହିୟା

ତାଂକୁ ଭୁଲିଲେ ଲାଗେ ଛାନିଆ

ମୋର ଜୀବନରେ ସେହି ସାହା ୪୧

ବିଧର୍ମୀ ଶଦ୍ଦରେ ଅଭିଯୁକ୍ତା ହେଲେ ମଧ୍ୟ ସେହି ପ୍ରକୃତିରେ

ଧର୍ମ ପରାୟଣ ସେହିଁ ହିନ୍ଦୁନାରୀ ହୋଇଛି ମୋ ଭାବନାରେ

ପରମ

ଆରାଧିକା ଜୀଉଙ୍କ ପରମ

ଭକ୍ତ ଶ୍ରେଷ୍ଠ ପାଳେ ସେ ଧରମ

ସଦା ମାନେ ଜଗନ୍ନାଥ ଧର୍ମ ୪୨

“ଧରମ ଦୃଷ୍ଟିରେ ସେଇ ଯେ ଯବନୀ କନ୍ୟା ଆହେ ମହାରାଜ

ବୋଲନ୍ତି ତୁଣ୍ଡରେ ଭାବନ୍ତି ହୃଦରେ ଏ ରାଜ୍ୟ ଜନ ସମାଜ

ହେ ରାଜା

ଯେଉଁ ବିଷୟେ ବାଜୁଛି ବାଜା

ଏହା ଏବେ ହୋଇଅଛି ତାଜା

ଏହା ନୁହେ ପରିହାସ ମଜା” ୪୩

“ଆହେ ରାଜଗୁରୁ ଚିରଦିନ ପରା ଭାସ୍ୱର ଲକ୍ଷ୍ୟ ଧର୍ମର

କିଂତୁ ଏହା ବର୍ଣ୍ଣ ନିହାତି କୃତ୍ରିମ କଳା ଜାଣେ ଏ ସଂସାର

ଏହାର

ଏହା ସାନ୍ଧ୍ରତା କଳାରଂଗର

ମଧ୍ୟେ ଭରିଛି ମହାନତାର

ଲୁଚି ବିଶୁଦ୍ଧ କଷଟି ଗାର ୪୪

ଆପଣକି ଅସ୍ୱୀକାର କରିବେ ତା ଭାବନ୍ତୁ ବସି ବିଜନେ

“ଏହିନ୍ଦୁ ସମାଜ ସ୍ୱୀକାର କରେନା ଜାଣିଛନ୍ତି ରାଜ୍ୟ ଜନେ”

ଯବନୀ

ସ୍ୱଭାବତଃ ସେ ହିନ୍ଦୁ ରମଣୀ

ଏହି ଯୁକ୍ତି ତଥ୍ୟ ପୁଣି ଘେନି

ଉପସ୍ଥାପନ କରିବି ଭିଣି୪୫

ଗଜପତି ମନେ ମନେ ଭାବୁଥିଲେ ମୁକ୍ତିମଣ୍ଡପ ଶାସନୀ

ବ୍ରାହ୍ମଣ ପଣ୍ଡିତ ମାନଂକର କଥା ଯାହା ଥିବେ ମନେ ମାନି

ପଣ୍ଡିତେ

ଯୁକ୍ତି ତରକେ ପ୍ରସିଦ୍ଧ ମର୍ତ୍ତ୍ୟେ

ତାଂକୁ ହରାଇବା କଷ୍ଟ ସତେ

ଯଦି ଦୟାହୁଏ ତଂକ ଚିତ୍ତେ ୪୬

“ଆଜିକ’ଣ ଜହ୍ନ ଉଇଁବ ନାହିଁକି ରାଜଗୁରୁ ମହୋଦୟ”

ବିଳମ୍ବିତ ରାତ୍ରି ସେ ଉଦୟମୁଖୀ କ୍ଷୀଣ ଜହ୍ନ ଜ୍ୟୋତ୍ସ୍ନାଚୟ

ପ୍ରକୀର୍ଣ୍ଣ

କରିବନି ବେଳେହୁଏ ଭ୍ରମ

ଅଂଧକାର ଘନ ଆସ୍ତରଣ

କେବଳ ତା ହେବ ବର୍ତ୍ତମାନ । ୪୭

ରାମଚନ୍ଦ୍ର ଦେବ ମାରି ଦୀର୍ଘଶ୍ୱାସ କହିଲେ ଶୁଣହେ ହରି

ଆଶ୍ରୟ ଶିବିରେ ମୋ ପାଇଁ ବିଶ୍ରାମ ପ୍ରଯୋଜନ ହୁଏ ଭାରି

ହେ ହରି

ଅଳ୍ପ ବିଶ୍ରାମ ଇଛେ ଏପରି

ଦେହ ଅବଶ ହୋଇଛି ଭାରି

ତେଣୁ କର ବ୍ୟବସ୍ଥା ତାହାରି ୪୮

ଚିଲିକା ଉତ୍ତଳା ପ୍ରଭଂଜନ ତନୁ ମନକୁ ଏକ ଅଜଣା

ପୁଲକରେ ଉନ୍ମାଦିତ କରୁଥିଲା ଗୀତ ପାଇଁ ସ୍ୱରଚନା

ଖେଳର

ପାଇ ମଜାରେ ହଜାଇବାର

ଲୁଚକାଳି ସଂଗୀତ ଖେଳର

ଗୀତ ବ୍ୟଥାର ଅବା ତୃପ୍ତିର ୪୯

ଭକ୍ତି ଗୀତ ଏକ ପଥୁକୀର

ଆଜିବନବାସ ସାରି ପୀତବାସ ବାହୁଡୁଛଂତି ସ୍ୱଧାମେ

ପୁରୁଷଉତ୍ତମ ଶ୍ରୀକ୍ଷେତ୍ରେ ସେ ଦିନ ଜାଗୃତି ର ପ୍ରୀତି ଧାମେ ।

ଚଉଦ ବରଷ କରି ବନବାସ ରାମଚନ୍ଦ୍ର ଯେଉଁପରି

ପତ୍ନୀ-ସୀତା-ନୁଜ ସଂଗେ କପିବ୍ରଜ ଫେରିଥିଲେ ଶତ୍ରୁମାରି ।

ସେପରି ଆନନ୍ଦ ଆଜି ଆଦିକଂଦ ମହାବାହୁ ଜଗନ୍ନାଥ

ଦୁର୍ଦ୍ଦାନ୍ତ ରାବଣ-ତକୀଖାଁ ନିଧନ ପରେ ସୁଖ ଅପୁଂରନ୍ତ ।

ଭଗ୍ନୀ ଭ୍ରାତାଧରି ଆରୋହଣ କରି ରଥରେ ଭକ୍ତଙ୍କୁ ତୋଷି

ପୁରୁଷୋତ୍ତମକୁ ଧନ୍ୟ କରିବାକୁ ଯାଇଛନ୍ତି ହସି ହସି ।

******

ରଥ-ଉପବିଷ୍ଟ ମହାବାହୁରଥ ସମ୍ମୁଖରେ ଅଗଣିତ

ଜନତାଙ୍କ ଭିଡ ସିଂହଦ୍ୱାର ସମ୍ମୁଖରେ ନାଚନ୍ତି ଭକତ

ସେ ଡେଇଁ

କୋଟି ନୟନ ପିତୁଳା ପାଇଁ

କୋଟି ଜୀବନର ପ୍ରାଣ ସାଇଁ

ଜଗନ୍ନାଥଙ୍କ ଦର୍ଶନ ପାଇଁ ୫୦

କୋଟି ଜୀବନର ପ୍ରାଣ ସଂଜିବନୀ ଶ୍ରୀ ଜଗନ୍ନାଥ ଦର୍ଶନ

ପାଇଁ ଜନ-ଜଳଧିରେ ଆନଂଦର ପ୍ଳାବନ-ସ୍ନାତ ଜୀବନ

ତୃପ୍ତିର

ଜନତାଙ୍କ ଆଖିରୁ ତୃପ୍ତିର

ପ୍ରସ୍ରବଣ ଝରି ଝର ଝର

ଭକ୍ତି ରସସିକ୍ତ ଅକୂପାର । ୫୧

ସେ ସିଂହ ଦ୍ୱାରର କର୍କଶ ମାଟିରେ ଭକ୍ତି-ରସ-ସିକ୍ତ ଝର

ଝରି ପଡୁଥିଲା ଭକ୍ତ ଜନ ହୃଦେ ଏ ଯେପରି ଜଗତର

ସେ ପୂଜା

ମହାନାୟକ ମହାର୍ଘ ପୂଜା

ଭକ୍ତି-ପ୍ରେମ-ରସ ପ୍ରୀତି ମଜା

ଅର୍ଘ୍ୟାର୍ପଣ କରନ୍ତି ପରଜା । ୫୨

ଆନଂଦର ଅଫୁରନ୍ତ ଜୁଆର କି ଥିଲା ପଣ୍ଡାଙ୍କ ମନରେ

ଦୀର୍ଘ ସାଢେ ତିନିବରଷ ଜୀଉଙ୍କ ବ୍ୟଥା ଅନୁପସ୍ଥିତରେ

ସେ ଧାମେ

ଏହି ଜାତି ଇତିହାସ ଧର୍ମେ

ହେଲା ଓଲଟ ପାଲଟ ମର୍ମେ

ପଣ୍ଡା ପଢ଼ିଆରୀ ଥିଲେ କାମେ ୫୩

ସେବକ ମାନଂକ ଜୀବନେ ଦାରୁଣ ଦୁଃଖର ଝଂଝା ବହିଣ

ଓଲଟ ପାଲଟ କରି ଦେଇଥିଲା ନଇମିତ୍ତିକ ଜୀବନ

ତାଙ୍କର

ସବିତା ଉଦୟ ସକାଳର

ଶ୍ରୀ ବତ୍ସ ଖଣ୍ଡଶାଳ ଦେଉଳ

ମଧ୍ୟେ ପାଣିବୁହା ଭାର ଭାର ୫୪

ମହାସ୍ନାନ ପର୍ବ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା ସେଠି

ଦଇତା ରଥରେ ହୋଇ ସମବେତ ଯାତ୍ରୀ ସାକ୍ଷାତ ପର୍ବଟି

ବ୍ୟବସ୍ଥା

କରୁଥିଲେ ନୋହି ହତ-ଚିନ୍ତା

ଗୋଳ ମଧ୍ୟରେ ଥିଲା ବ୍ୟସ୍ତତା

ଏକ ମେଳାର ବ୍ୟାପ୍ତି ସଂହିତା । ୫୫

ପତିତ ଜନର ଉଦ୍ଧାର କରତା କୋଟି ନୟନର ମଣି-

ଇନ୍ଦ୍ରକାନ୍ତ, ଆଶା ଭରସା ପ୍ରମୂର୍ତ୍ତ ମହେଜ୍ୟ ଦେବତା ପୁଣି

ପାବନ

ଜଗନ୍ନାଥ ବିଗ୍ରହ ପାବନ

ପୁଣି ସତ୍ୟ ପତିତ-ପାବନ

ଭକ୍ତ କରେ ଶ୍ରୀ ଜୀଉ ବଂଦନ । ୫୬

 

ପତନର ଅଂଧ ଗହ୍ୱର ମଧ୍ୟରେ ଏ ଯେପରି ମୁକତିର

ପ୍ରଦୀପ୍ତ ମୟୂଖ, ନୈରାଶ୍ୟାନ୍ଧକାର ମଧ୍ୟେ ସତ୍ୟେ ପ୍ରତ୍ୟୟର ଯେପରି

ଜୀବନିକା ଯାଏ ଖେଳି ଖେଳି

ପୁଣି ମୁକ୍ତିମଣ୍ଡପରେ ମେଳି

ଶେଷଥର ପାଇଁ ବୋଲି ବୋଲି ୫୭

ଉତ୍‌ଥାପିତ ହେବ ଶେଷଥର ପାଇଁ ଆଜିମୁକ୍ତି ମଣ୍ଡପରେ

ଗଜପତି ରାମଚନ୍ଦ୍ର ଦେବଙ୍କର ପ୍ରବେଶକୁ ପୁଣିଥରେ

ମଂଦିରେ

ବର୍ଣ୍ଣ ଧରମ ନିର୍ବିଶେଷରେ

ସମସ୍ତଙ୍କ ପ୍ରବେଶ ମଂଦିରେ

ଅଧିକାର ଅଛି ଶାସ୍ତ୍ରାଦିରେ । ୫୮

ସବୁ ଭକ୍ତଙ୍କର ଉପାସ୍ୟ ଅଟନ୍ତି ମହାବାହୁ ଜଗନ୍ନାଥ

ମଂଦିର ମଧ୍ୟକୁ ଭକତ ଜନର ପ୍ରବେଶାଧିକାର ସତ୍ୟ

ସ୍ୱୀକୃତ

ସ୍ୱୟଂ ଭଗବତଙ୍କ ସ୍ୱୀକୃତ

ତେବେ କେତକ ଏଥିପାଇଁତ

କିଆଁ ହେଉଛନ୍ତି ଖଡ୍ଗ ହସ୍ତ ୫୯

ରୋଗୀ ଅନ୍ତରଂଗ ପାତକ ଭକତ ମାନଂକ ଅଧିକାରକୁ

ପ୍ରତିଷ୍ଠା କରିବା ପାଇଁ ଜଗନ୍ନାଥ ଭକତଙ୍କ କୁଟୀରକୁ

ସେ ନିଜେ

ହୋଇଛଂତି କେତେଥର ବିଜେ

ଏଥି ସଂଦେହ କରେ କିଏ ଯେ

କିଏ ଶାସ୍ତ୍ର ପୁରାଣକୁ ଖୋଜେ ? ୬୦

ଜଗନ୍ନାଥ ପ୍ରାଣ ସର୍ବସ୍ୱ ଜାତିର ମହାଦର୍ଶ ସ୍ୱାଭିମାନୀ

ତେବେରାଜା ରାମଚନ୍ଦ୍ରଙ୍କ କ୍ଷେତ୍ରରେ ଏହା କାହିଁକି ହେବନି

କାହିଁକି

ଧର୍ମଉଲଂଘନ ବା କାହିଁକି

ପରଂପରା ବଦଳିଯିବକି

ତେବେ ପଣ୍ଡିତେ ମୂକ କାହିଁକି । ୬୧

ରାଜଗୁରୁ ଚତୁର୍ଦ୍ଦିଗକୁ ଚାହିଁଲେ ଗଜପତି ଏପର୍ଯ୍ୟନ୍ତ

ରଥ ନିକଟକୁ ଆସିଲେ ନି କିଆଁ ଜଣାଗଲାନି ବୃତ୍ତାନ୍ତ

ଉପରେ

ଗଜପତି ଆଗମନ ପରେ

ଛେରା ପହଁରା ରଥ ଉପରେ

ହେବ ସଂପାଦିତ ଉପଚାରେ । ୬୨

ଶ୍ରୀମଣିମା ମାନେ ରତ୍ନସିଂହାସନେ ହେବେ ଯାଇ ଅଧିଷ୍ଠିତ

ରଥୋପରେ ଛେରା ପହଁରା ସରିଲେ ମହାପାର୍ବଣ ସମାପ୍ତ

ସେ ହେବେ

ବ୍ୟତିକ୍ରମରେ ବିବ୍ରତ ସର୍ବେ

ମନ ବିଦ୍ରୋହୀ ହୋଇଛି ଏବେ

ଗଜପତି କାହିଁଛନ୍ତି ଏବେ । ୬୩

ଗଜପତି ପରଂପରାରେ ମଣିମାମାନଂକ ଛେରାପହଁରା

କାର୍ଯ୍ୟ ସଂପାଦନ ପାଇଁ ହୋଇଥାଏ ଅପ୍ରତିହତ ଡାକରା

ସେ ବେଳେ

ତେବେ ମଂଦିର ପ୍ରବେଶ ବେଳେ

ପରବେଶ ଅଧିକାର ବେଳେ

ହେବେ କାହିଁକି ବଂଚିତ ହେଳେ । ୬୪

ଧିରେ ଧିରେ ହରି ପାଖରେ ପହଂଚି କହିଲା ହେ ରାଜଗୁରୁ

ଗଜପତି ଏ ପର୍ଯ୍ୟନ୍ତ ଆସିଲେନି ଦେଖା ବି ଯାଉନି ଦୂରୁ

କି କଥା

ଏବେ ପହଣ୍ଡି ହେବାର କଥା

ଶ୍ରୀ ମଂଦିର ଶୋଧ କାର୍ଯ୍ୟ ଯଥା

ହୋଇ ସାରିଲାଣି ବାଜେ ଘଂଟା । ୬୫

ଗଭୀର ଦୁଃଖର କଂଟକରେ ଶର ବିଦ୍ଧକରି ଦେଇଥିଲା

ସେ ରାଜଗୁରୁଙ୍କୁ ହରି ପ୍ରଶ୍ନ ଶୁଣି ଶତ ବିଦ୍ଧ ହୋଇଗଲା

ଗଭୀରେ

ଥିଲେ ଗଭୀର ମନ ଦୁଃଖରେ

ଭାବି ଭାବି ସେ ପରିସ୍ଥିତିରେ

ତେଣୁ ମଉନ ସେ ରହିଥିଲେ । ୬୬

ଦୋହରାଇଲା ସେ ହରି ପ୍ରଶ୍ନ ତାର ଗଜପତିଙ୍କର ପ୍ରତି

ଆଉକିଛି ଅନ୍ତରାୟର ଆଶଙ୍କା ନାହିଁତ, ଲାଗେ କେମିତି

ହେ ଗୁରୁ

ଲାଗେ ସେବକେ ଦୁଇ ଫାଙ୍କରୁ

କଥାହୁଅନ୍ତି କେତେ ଭିତରୁ

ତେବେ ଜଣା ଯାଉନି ବାହାରୁ ୬୭

“ଚିରଦିନ ଏହିପରି କେତେ ଫାଙ୍କ ମତଭେଦରେ ମଂଦିର

ନୀତିସବୁ ପରିଚାଳିତ ହୁଏ ସେ ହରି ଏହା ପ୍ରଭୁଖେଳ

ଲାଗୁଛି

ସମାଧାନ ହୋଇବ ଭାବୁଛି

ଧେର୍ଯ୍ୟ ଧର ମହାବାହୁ ବାଂଛି

ଭାବ ଉପାୟ କି ତାର ଅଛି । ୬୮

ମୁକ୍ତିମଣ୍ଡପର ପଣ୍ଡିତେ ସେବକ ଏ ନୀତିର ନିର୍ଦ୍ଧାରକ

ସ୍ୱୟଂ ମହାବାହୁ ଏ ସବୁ ନୀତିର ନିର୍ଦ୍ଧାରକ ଓ ରକ୍ଷକ

ସେ ହରି

ଗଜପତି ଜୀବନେ ଏହାରି

ପରୀକ୍ଷିତ ମହାସତ୍ୟ ଭାରି

ହେବ ଦେଖିବୁ ଲୋକେ କିପରି ” ୬୯

ଏ ସମୟେ ରଥ ଉପରୁ ଶୁଭିଲା ପ୍ରତିବାଦ କଂଠସ୍ୱର

ରଥରୁ ଓହ୍ଲାଇ ଡ଼େଇଁଣ ପଡ଼ିଲେ ଜଣେ ସେବକ ପ୍ରବର

ସେ ଜଣେ

ଶୁଣ ହେ ରାଜଗୁରୁ ଆପଣେ

ଏବେ ବସିଛ କିଆଁ ମଉନେ

ରାଜା ବିଷୟ ନାହିଁ କି ମନେ । ୭୦

ରାଜା ରାମଚନ୍ଦ୍ର ଦେବ ଶ୍ରୀମଂଦିରେ ପ୍ରବେଶର ଅଧିକାର

ପାଇଁ ତେଣେ ମୁକ୍ତି ମଣ୍ଡପ ପଣ୍ଡିତେ ହୋଇଛନ୍ତି ବହୁଦଳ

ହେ ଶୁଣ

ପରସ୍ପର ବିରୋଧୀ ପ୍ରମାଣ

ଦେଉଛନ୍ତି ଶାସ୍ତ୍ରକୁ ଖୋଲିଣ

ପୁଣି ଏପଟେ ମୌନ ଆପଣ । ୭୧

ଗଜପତି କେଉଁ ଅପରାଧ କରି ପକାଇଲେ ଯେ ତାହାଙ୍କୁ

ମଂଦିର ପ୍ରବେଶ ବାରଣ ହୋଇବ କୁବୁଦ୍ଧି ଆସେ କାହାକୁ

ଆପଣ

ହ୍ୟାପ ଆମ ପଣ୍ଡିତମାନଙ୍କ ଗୁଣ

ସବୁ ଶୁଦ୍ଧ ପବିତ୍ର ବ୍ରାହ୍ମଣ

ଅଛନ୍ତି କି? ଦେବେ ତା ପ୍ରମାଣ । ୭୨

ବିଦେଶୀ ଯାତ୍ରୀଏ ଯେବେ ଆସୁଛନ୍ତି ସେଇମାନଙ୍କ ମଧ୍ୟରେ

କୌତୂହଳ ହୋଇ ଭିନ୍ନ ଧର୍ମୀ ଲୋକ ପଶୁ ନାହାନ୍ତି ମଂଦିରେ

ବୋଲିଣ

କିଏ ଦେବ ତାର ସପ୍ରମାଣ?

ପକ୍କା ଜବାବ ପଣ୍ଡିତଗଣ

ଦେଇ ପାରିବେକି ଖାଇରାଣ?  ୭୩

ସବୁ ପାରିବାର ପଣିଆ ଦେଖାଇ ହେଉଛନ୍ତି ଏତେବେଳେ

ମୋଗଲ ଲସ୍କର ଯୁଦ୍ଧ କରି ଜୋର ଜବରଦସ୍ତ ମଂଦିରେ

ସେ ଥାନ୍ତେ

ମଂଦିର ଭିତରେ ପଶିଥାନ୍ତେ

କୋଉ ପଣ୍ଡିତ ଆଗୁଳି ଥାନ୍ତେ?

କିଏ ପିଠିରେ ପଡ଼ି ଥାଆନ୍ତେ?  ୭୪

ଆଉ ଯିଏ ସବୁ ସୁଖକୁ ବର୍ଜନ ଦେଇ ଶ୍ରୀ ଜୀଉଙ୍କ ପାଇଁ

ଅର୍ହନିଶି ସମର୍ପିତ ହୋଇଅଛି ଏ କଟକଣା ତା ପାଇଁ

କାହିଁକି

ଏହି ରାଜ୍ୟରେ ଧର୍ମ ନାହିଁକି?

ପ୍ରଭୁ ଦେଖୁଛନ୍ତି ଖୋଲି ଆଖି

ଜାତି ଧର୍ମ ବିଚାର ଅଛିକି? ୭୫

ଗଜପତି ଶ୍ରୀ ମଂଦିର ଭିତରକୁ ନଗଲେ ରକତଧାର

ବୋହିବ ନାହିଁକି? କହ ରାଜଗୁରୁ ଖୋଲିଣ ତୁମ ଅନ୍ତର

ହେ ଗୁରୁ

ତୁନି ରହିଛ କର ହେ ଗୁରୁ

ଭାଂଗ ଗାରିମା ମୂର୍ଖଙ୍କ ଦୂରୁ

ସମାଧାନ କର ଗୋଳ ସରୁ । ୭୬

ଆଉ ଜଣେ ଆସି ସୁଆର ପଛରେ ଠିଆ ହୋଇ ଗର୍ଜୁ ଥିଲେ

ଏ କେମନ୍ତ କଥା ହୁଡ଼ିଛନ୍ତି ଜାତି ଆମ ରାଜା ଯେତେବେଳେ

କିପରି

ଅଧିକାର ପାଇବେ କିପରି

ପରବେଶ ନିଜେ ଜାତିହୁଡ଼ି

ମିଆଁ ହୋଇଣ ନମାଜ ପଢ଼ି । ୭୭

ଶାସ୍ତ୍ରେ ଯେତେବେଳେ ନାହିଁ ସେହିକଥା ମୁକ୍ତି ମଣ୍ଡପ ପଣ୍ଡିତେ

ତିଆରି କରିବେ ନୀତିକୁ କିପରି ମନକୁ ମନ ସଂଗାତେ

ସଂଗାତେ

ଗଜପତି ବିନା ପ୍ରାୟଶ୍ଚିତେ

ମଂଦିରକୁ ପ୍ରବେଶ କରନ୍ତେ

ତେବେ ଶାର୍ଗୁଣା ବସିବେ କେତେ । ୭୮

ବିବାଦରେ ମହାନାୟକ ରଥରେ ଉପବିଷ୍ଠ ଜଗନ୍ନାଥେ

ଅପଲକ ନୟନରେ ଚାହିଁଥିଲେ କେବଳ ଟେକିଣ ମାଥେ

ସେ ମନେ

ଥିଲେ ଉପାୟର ଅନ୍ୱେଷଣେ

ରାଜଗୁରୁ ମହାପାତ୍ର ମନେ

ସେ ପରମଲକ୍ଷ୍ମୀ ସନମାନେ । ୭୯

ଶାଣିତକଂଠରେ ରାମହରି ମହାପାତ୍ର କହିଣ ଉଠିଲେ

ହେ ଦାସ ଭାଇନା ତୁମ୍ଭମାନଙ୍କର ପ୍ରାୟଶ୍ଚିତ ବିଧାନରେ

ହେମନ

ଖାଲି ମନେ ପଣ୍ଡିତ ଗୁମାନ

ଅଭିଳାଷ ଦକ୍ଷିଣା ପାଇଣ

ପରିତୃପ୍ତ ହୋଇଯିବ ମନ ।  ୮୦

ପ୍ରାୟଶ୍ଚିତ କରି କେତେ ସୁନାରୁପା ଦାନକଲେ ଗଜପତି

ପରିତୃପ୍ତ ହୋଇ ଦେବ ଆଶୀର୍ବାଦ ଗୋଳରେ ନଯିବ ମାତି

ହେ ଦାନ

କେତେ ପାଇଲେ ପାପକୁ ପୁଣ୍ୟ

କରି ପାରିବ ହୋଇଣ ଧନ୍ୟ

ତୁମେ ଚଣ୍ଡାଳ କିବା ବ୍ରାହ୍ମଣ?  ୮୧

ପ୍ରାୟଶ୍ଚିତ ରୂପେ ମହାରାଜା ମଧ୍ୟ ଉଦାରତାର ସହିତ

କେତେକ ଶାସନ କଲେଣି ପ୍ରତିଷ୍ଠା ଖଂଜିଲେଣି କେତେମଠ

ନିଜର

ଏହି କଥା କି ଅଛି ନଜର?

ଦାସ ଭାଇନା ବୁଝ କି ଠାର?

ଗ୍ରାମୁ ଆରମ୍ଭ କରି ମଂଦିର । ୮୨

ଶ୍ରୀ ମଂଦିର ପରିଯନ୍ତ ଖାଲି ଦାନ ବ୍ୟବସାୟ ପାଉଣାର

କରିବାରୁ ମହାପ୍ରଭୁ ଉପେକ୍ଷିତ ହୋଇଲେଣି ଦେଖି ପାର

ଭାଇନା-

କେଉଁ ଏତେବଡ଼ ପାପ କିନା?

ମହାରାଜା କରିଦେଲେ ସିନା

କେଉଁ ବେଦ ଅଶୁଦ୍ଧ ହେଲା ନା?  ୮୩

ତକୀଖାଁ ବଧିଲେ ମଂଦିର ରଖିଲେ ସରିଲା ମୋଗଲ ଗୋଳ

ଏହିଠାରୁ ବଳି କିଏ ବଡ଼ କାମ କରିଥାନ୍ତା କିଏ ବୋଲ

ସରଳେ

ମହାରାଜା ଅସ୍ପୃଶ୍ୟ ହୋଇଲେ

ତୁମ ଅହଂପଣ୍ଡିତ ନୀତିରେ

ଶାସ୍ତ୍ର ପଡ଼ିଛକି ବୋପାକାଳେ ।  ୮୪

ଦାସ ସୁଆରଙ୍କ ପୂର୍ଣ୍ଣ ଭାଂଗନିଶା ଧିରେ ଧିରେ ମହଳଣ

ପଡ଼ି ଆସୁଥିଲା ଚକ୍ଷୁର ରକ୍ତିମା ସ୍ୱାଭାବିକ ଥିଲା କ୍ରମ

ଧାରଣ

ଶୁଭ୍ରରଂଗ କରିଣ ଧାରଣ

ଆସୁଥିଲା ଧିରେ ଧିରେ କ୍ରମ

ସବୁ ମହାପ୍ରଭୁ ଇଛା ଜାଣ । ୮୫

ମୁକ୍ତି ମଣ୍ଡପର ପଣ୍ଡିତ ଦ୍ୱାରା ହିଁ କୁହାଇବେ ଜଗନ୍ନାଥ

ଏତେ ବଡ଼ ରାଜା ଖାନଦାନି, ଦିନେ କଳଙ୍କ ହୋଇବ ଧୌତ

ଉପରେ

ଭାରି କଳଂକ ଲାଗିଲା ଖରେ

ତାହା ଲୋପହେବ କାଳବଳେ

ଜନେ ଜାଣିଗଲେଣି ରାଜ୍ୟରେ । ୮୬

ଦିନ ବୃଦ୍ଧି ସଂଗେ ସୂର୍ଯ୍ୟର ଉତ୍ତାପ ପ୍ରଖର ହୋଇ ଉଠୁଛି

ରଥ ଚତୁପାର୍ଶେ୍ୱ ଜନତାଙ୍କ ଭିଡ଼ ନିବିଡ଼ ହୋଇ ଆସୁଛି

ସେ ଧିରେ

ମହାସ୍ନାନ ଶୋଧ ଶ୍ରୀ ମଂଦିରେ

କାର୍ଯ୍ୟ ସମାପ୍ତ ହେଲାଣି ଧିରେ

ଛେରା ପହଁରା ହେବ ୟାପରେ । ୮୭

ଗଜପତି ରାଜା ହେବା କ’ଣ ଭାଗ୍ୟ ବିଡ଼ମ୍ବନା ରାଜଗୁରୁ

କେଉଁ ଲଗ୍ନେ ଜନ୍ମ ଗ୍ରହଣ କରିଣ ରାଜଦଣ୍ଡ ଧରୁ ଧରୁ

ସେ ରାଜା

ଚିନ୍ତା ବିରୋଧାଭାସରେ ପ୍ରଜା

ନିତି ନେଉଛନ୍ତି କେତେ ମଜା

ଗଲା ଜୀବନେ ରାଜାଙ୍କ ମଜା । ୮୮

କଣ୍ଟକିତ ରାଜମୁକୁଟ ଏମିତି ସବୁଦିନ ଭାରାକ୍ରାନ୍ତ

ଆଉ ସେହି କଂଟକିତ ମୁକୁଟରେ ନିର୍ଯ୍ୟାତନା ପୁଂଜୀଭୁତ

ଏମିତି

ଚିନ୍ତା ଦାରୁଣ ରାଜୁତି ସେଠି

ରାଜସିକ ସୁଖ ତଳେ ମାତି

ବ୍ୟଥା ମାର୍ମିକ ଦୁଃଖଦ ଭେଟି । ୮୯

ଗଜପତି ନିମନ୍ତ୍ରଣ ବିଧି ଅଛି ଏ ସବୁ ପରଂପରାରେ

କିଏ ଯିବ ନିମନ୍ତ୍ରଣ କରିବାକୁ ତାଂକୁ ଏହି ସମୟରେ

ହେ ଜନେ

ଛେରା ପହଁରା ହେବ କେସନେ

ଚମକିଲେ ରାଜଗୁରୁ ମନେ

କହିଛନ୍ତି ଜଗନ୍ନାଥ ସ୍ୱପ୍ନେ । ୯୦

କେହି ନିମନ୍ତ୍ରଣ କରିବେ ନାହିଁହେ ରାଜଗୁରୁ ମହୋଦୟ

ସେବକ ଭାଷିଲା ସ୍ୱୟଂ ଜଗନ୍ନାଥ ହୋଇ ଅଛନ୍ତି ସଦୟ

ଆସିଣ

ଛେରା ପହଁରା କାର୍ଯ୍ୟ ସଂପନ୍ନ

ଗତ ରାତ୍ରିରେ ହେଲା ସପନ

ତେଣୁ ରାଜା ଆସନ୍ତି ବହନ ।  ୮୧

ଗଜପତି ଆଦ୍ୟ ସେବକ ପ୍ରଭୁଙ୍କଜନେ କରି ଅତିକ୍ରମ

ପହଂଚିଲେ ରାଜା ରାମ ଚନ୍ଦ୍ର ଦେବ ସର୍ବେ ଉଲ୍ଲସିତ ମନ

ସେ ମନେ

ଅନୁବଂଧିତ ସେବା ବଂଧନେ

ବିଧି ନିର୍ଦ୍ଧିଷ୍ଟ ଯାହା କରଣେ

ତେଣୁ ଚିନ୍ତା କର ନାହିଁ ମନେ ।  ୯୨

ସ୍ମିତ ହସ ହସି ରାଜଗୁରୁ ମହାପାତ୍ର କହିଲେ ସେଠାରେ

ଓଡ଼ିଶାର ସାମାଜିକ ଇତିହାସେ ଆପଣ ନିନ୍ଦିତ ହେଲେ

ରାଜନ

ଦୈବ ବିଚାରେ ପରା ଆପଣ

ଶୁଦ୍ଧ ଅନାବିଳ ଧର୍ମ ପ୍ରାଣ

ତେଣୁ ଲୋକେ କରନ୍ତୁ ଚିନ୍ତନ । ୯୩

ଦୈବୀ ବିଚାରରେ ଅନ୍ତରର ଭାବ ଧାରାର ହୁଏ ବିଚାର

ଏହା କେବେହେଲେ ହେବ ନାହିଁ ଲବେ କର୍ମକାଣ୍ଡ ଉପଚାର

ମଂତର

ଆପଣଂକ ପାଇଁ ଶ୍ରୀମଂଦିର

ଚିର ରୁଦ୍ଧ ହେଲେ ମଧ୍ୟ ଦ୍ୱାର

ରତ୍ନ ସିଂହାସନ ହୃଦୟର । ୯୪

ପ୍ରଭୁ ଚିର ବିଦ୍ୟମାନ ହୃଦୟର ରତନ ସିଂହାସନରେ

ଗଜପତି ଧିର ପଦରେ ରଥର ଉପରକୁ ଉଠୁଥିଲେ

ସେ ଧିରେ

ପ୍ରଚାରିତ ହୋଇଗଲା ଖରେ

ସମବେତ ଜନତା ମଧ୍ୟରେ

ଗତପତି ଆଗମନ ପରେ । ୯୫

ଉଚ୍ଛୁଳିଲା ସଂବର୍ଦ୍ଧନା ଜୟଧ୍ୱନି ଜନତାଂକର କଂଠରୁ

ଜୟ ଜଗନ୍ନାଥ ଜଗନ୍ନାଥ ହେଉଥିଲେ ଚାହିଁ ରାଜଗୁରୁ

ସେ ଗୁରୁ

ଘଣ୍ଟୁ ଆଳ ମାନେ ଆସି ଘରୁ

ଘଂଟ ବଜାନ୍ତି କଂପାଇ ମେରୁ

ହରିବୋଲ ଶୁଭଇ ରଥରୁ । ୯୬

ରାଜଗୁରୁଙ୍କର ମନ୍ତ୍ର ଉଚ୍ଚାରଣ ମଧ୍ୟରେ ରଥ ଉପରେ

ରାମଚନ୍ଦ୍ର ଦେବ ସ୍ୱର୍ଣ୍ଣ ମାର୍ଜନୀର ଛେରା ପହଁରା କରିଲେ

ସେ ସାରି

ଜଗନ୍ନାଥଙ୍କୁ ବଂଦନା କରି

ସମ୍ମୁଖରେ ଠିଆ ହୋଇ ହରି

ହରି ନାମ ନିତ୍ୟ ଥିରି ଥିରି । ୯୭

ମନେ ମନେ କେତେ ମଣିମା ନିକଟେ ବହୁ କାକୁତି ମିନତି

ପୁଷ୍ପାଂଜଳି ପରି ଅଜାଡ଼ି ହୋଇଣ ପଡ଼ୁଥିଲା ଆସି କତି

ମନରୁ

କେଉଁ ସ୍ମରଣାତୀତାତୀତରୁ

ମୋଗଲଙ୍କର ଆକ୍ରମଣରୁ

ବାରମ୍ବାର ତାହାର ଭୟରୁ । ୯୮

ବାରଂବାର ଇତିହାସ ବିଡ଼ମ୍ବିତ କରିଣ ଚକଡ଼ା ଛାଡ଼ି

ତୁମେ କ୍ଳାନ୍ତ ଅବସନ୍ନ ଜଗନ୍ନାଥ ଫେରି ଅଛ ଘୁରିଘୁରି

ହେ ଦେବ

ଧର୍ମଚ୍ୟୁତ ରାମଚନ୍ଦ୍ର ଦେବ

ଲୌକିକମତ ସେବକ ତବ

ଅବସନ୍ନ ମଧ୍ୟ ଯାହା ଭାବ । ୯୯

ତୁମରି ଇଚ୍ଛାରେ ନିଜର ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ

ବିଜେକରି ତୁମେ ଜାତିର ମହାନ ରତନ ସଂହାସନରେ

ହେ ଚିର

ବିଜେକରି ତୁମେ ଏ ଜାତିର

ମହା ସଂସ୍କୃତିକୁ କର ଚିର

ଉଦ୍‌ଭାସିତ ହେଉ ସଦାଚିର ।  ୧୦୦

ଓଡ଼ିଆର ଜାତୀୟତା ମଧ୍ୟେ ଆଉ ସଂହତି ଦୃପ୍ତ ଚେତନା

ଚିର ଉଜ୍ଜୀବିତ ହେଉ ଚିରଦିନ ଏତିକି ମାତ୍ର କାମନା

ମୁକ୍ତିର

ରତ୍ନସିଂହାସନେ ବିଜେକର

ଦିଅ ଅଭୟ ମୁକ୍ତିର ବର

ଆଉ ଲୋଡ଼ା ନାହିଁ କିଛି ମୋର । ୧୦୧

ପତିତ ଧରମଚ୍ୟୁତ ଗଜପତି ରାମଚନ୍ଦର ଦେବର

ଭାଗ୍ୟରେ ଏହାହିଁ ଶେଷ ପୁଷ୍ପାଂଜଳି ଅନ୍ତିମ ରଥ ସେବାର

ହୁଏତ

ହୋଇପାରେ ଏହାହିଁ ହୁଏତ

ଭବିଷ୍ୟତ କହିବ ହୁଏତ

କେତେ ଅଛି ଏଥି ମିଛ ସତ ।  ୧୦୨

କିଂତୁ ସଂପ୍ରଦାୟ ଅର୍ଥ ବିଚାରରେ ଏ ପତିତବର୍ଗ କେତେ-

- ଦିନ ଆଉ ଏହିପରି ଅରୁଣଙ୍କ ସ୍ତମ୍ଭ ନିକଟେ ସଂକଟେ

ମିନତି

ନିଉଛାଳି ହୋଇକି ମିନତି

କରୁଥିବେ ସ୍ତମ୍ଭେ କରି ନତି

ବିଶ୍ୱ ଜନୀନ ଆଚରଣଟି । ୧୦୩

ଗଜପତିଙ୍କର ଆଖିରୁ ଅଶ୍ରୁର ଆବେଦନ ଝରି ଝରି

ପଡ଼ୁଥିଲା ମହାବାହୁ ଚରଣରେ ତିନ୍ତାଇ ହୃଦୟମାଳି

ସେ ଚାହିଁ

ରାଜଗୁରୁ ସେଠି ଥିଲେ ରହି

ବସିଥିଲେ ରାଜାଙ୍କୁ ଅନାଇ

କରି ମନ୍ଥନ ଅତୀଟ ସେହି । ୧୦୪

ରାମଚନ୍ଦ୍ର ଦେବ ଧିରେ ଧିରେ ଚାରମାଳରେ ଅବତରଣ

କରି ଆସୁଥିଲେ ତାଂକ ପଛେଥିଲେ ପରମଲକ୍ଷ୍ମୀ ମହାନ

ଓହ୍ଲାଇ

ଆସୁôଥିଲେ ଆଗପଛ ହୋଇ

ଏକ ଭାରାକ୍ରାନ୍ତ ମନ ନେଇ

ବେଦନାର ଆର୍ତ୍ତନାଦ ବହି । ୧୦୫

ରଥ ଚକା ପାଶେ ରାମଚନ୍ଦ୍ର ଦେବ ଚାହିଁଲେ ଜଗନ୍ନାଥଙ୍କୁ

ଶ୍ରୀ ଜଗନ୍ନାଥଙ୍କ ଆଜିର ଯେପରି ବ୍ୟଥାର୍ଦ - ଭରା ମୁଖକୁ

ଚାହିଁଲେ

ଥିଲେ ବିଷାଦ - ଗ୍ରସ୍ତ ଚିତ୍ତରେ

ବ୍ୟଥା ଆର୍ଦ ଚକା ନୟନରେ

ଚାହିଁଥିଲେ ଦୂର ଚକ୍ରକାଳେ ।  ୧୦୬

ତଳେ ପ୍ରଜ୍ୱଳିତ ଦୀପ ନିବେଦିତ ଗୁଡ଼ିକର ଶିଖା କ୍ଷୀଣ

ହୋଇ ଆସୁଥିଲା ଯେପରି ବେଦନା ବର୍ତ୍ତିକାର ଉଲଂଘନ

ଯେପରି

ବେଦନାକ୍ତାର୍ତ୍ତ ଚିତ୍କାର କରି

ଅସହାୟରେ ଅଛିକି ଜଳି

ଲୋଡ଼ୁଥିଲା ଆଶ୍ରୟ ସଂଭାଳି  ୧୦୭

ଅଭୟ ପଂଜର ମହାବାହୁଙ୍କର ପ୍ରସାରିତ ବାହୁତଳେ

ଅଂଧକାର ଛାଇ ଲେସି ହୋଇଥିଲା ପ୍ରଜ୍ୱଳିତ ଦୀପତଳେ

ସେ ଲେସି

ହୋଇ ଯାଇଥିଲା ବତୀ ଖସି

ତଳେ ପାପର ତମିସ୍ରା ମିଶି

ସ୍ରଷ୍ଟାଙ୍କର ରହସ୍ୟ ପରଶି । ୧୦୮

ଯେପରି ନିଖିଳ ସ୍ରଷ୍ଟାଙ୍କ ରହସ୍ୟ ଘନ ଚମତ୍କାରିତାର

ନିଖୁଣ ଭାବରେ ସୃଷ୍ଟି କୁଶଳତା ପ୍ରକାଶୁଥିଲା ଭିତର

ନିଖୁଣେ

ଆହାଥିଲା ସୃଷ୍ଟି ସଂଭାଷଣେ

କରି କରି ଧିର ପ୍ରଭଂଜନେ

ପ୍ରଭୁସଂଗଠିତ ବିଶ୍ୱ - ପ୍ରେମେ । ୧୦୯

ପିତଳ କବାଟ ଶବଦ ବିରାଟ କରି ହେବ ଅବରୁଦ୍ଧ

ପହଣ୍ଡି ଶେଷରେ ରତ୍ନସିଂହାସନେ ବିଜେ ହେବେ ହଳାୟୁଧ

ସଂଗରେ

ଭ୍ରାତା ଭଗିନୀ ଘେନି ସଂଗରେ

ଖଣ୍ଡଶାଳ ଶ୍ରୀ ବତ୍ସ ଦେଉଳେ

ଆଉ କେତୋଟି ମୁହୂର୍ତ୍ତ ପରେ ।  ୧୧୦

ବାଷ୍ପାକୁଳ କଂଠେ ରାମଚନ୍ଦ୍ର ଦେବ କହିଲେ ହେ ରାଜଗୁରୁ

ମୁକ୍ତି ମଣ୍ଡପର ଶେଷ ନିଷ୍ପତ୍ତିକୁ ଜଣାଇ ଦେବେ ଅଦୂରୁ

ହେ ଦେବେ

ସଂଧ୍ୟା ଆଳତି ସମୟେ ଯେବେ

ଶେଷ ସେବାକି ହୋଇବ ଭାବେ

ପ୍ରଭୁ ଦୟାକି ପାଇବି କେବେ? ୧୧୧

ବିକ୍ଷୁବ୍ଧ ଝଟିକା ସମ ଗଜପତି ଜନ ଗହଳି ମଧ୍ୟରେ

ନ କରି ପ୍ରତୀକ୍ଷା ଉତ୍ତରକୁ ତିଳେ ଅଦୃଶ୍ୟ ହୋଇଲେ ଖରେ

ସେ ଖରେ

ଦୃଷ୍ଟିହୀନ ତୃଷ୍ଣା ହିଁ ପଛରେ

ଆଉ ଶେଷ ଆଶା ନିରାଶାରେ

ମିଶ୍ର - ରାଗର ସଂଧିଗ୍ଧ ଛଳେ ।  ୧୧୨

ରାଜଗୁରୁ ଅନିମେଷ ନୟନରେ ବିଦଗ୍ଧ ଜନତା ଆଡ଼େ

ଚାହିଁ ରହିଥିଲେ ଜଗମୋହନକୁ ପହଣ୍ଡିର ଅବସରେ

ସେ ଆଡ଼େ

ନୃତ୍ୟରତ ଘଣ୍ଟୁଆଳ ଆଡ଼େ

ଚାହିଁ ଚାହିଁ ବ୍ୟାକୁଳ ଚିତ୍ତରେ

ଚିନ୍ତା ଜଳଧିରେ ବୁଡ଼ିଥିଲେ ।  ୧୧୩

 

Unknown

୧୧ଶ ସର୍ଗ

(ଅମିତ୍ରାକ୍ଷର)

 

ଶ୍ରୀ ଜଗନ୍ନାଥ ମହାର୍ଘ ପହଣ୍ଡି ଉତ୍ସବ

ହୋଇ ସାରିଥିଲା ବଡ଼ ଦେଉଳ ଭିତରେ ।

ସେବାୟତ କୁହାଟେ ଶ୍ରୀ ବତ୍ସ ଖଣ୍ଡଶାଳ

ଫାଟି ପଡ଼ୁଥିଲା ବଡ଼ ଦେଉଳ ସେ ଦିନ ।

ଶ୍ରୀ ମଣିମାମାନେ ରତ୍ନ ସିଂହାସନୋପରେ

ବିଜେ ହୋଇ ସାରିଥିଲେ ବୈଧାନିକ ଭାବେ,

ବୈଧାନିକ ପରଂପରା ଅନୁଯାୟୀ ଏଠି

ଏଥିପରେ ହୋମ ଯଜ୍ଞାନୁଷ୍ଠାନାଦି ପାଇଁ

ପତି ମହାପାତ୍ର ବ୍ୟସ୍ତ ଭାବରେ ମଂଦିରେ

ଚଂଚଳ ପଦଚାରଣ କରି ପ୍ରତିଷ୍ଠାର

କରୁଥିଲେ ତତ୍ୱ - ଅବଧାନ ମିଶି ସବୁ ।

ଦଇତା ସେବକମାନେ ହୋଇ କ୍ଳାନ୍ତ ଶ୍ରାନ୍ତ

ଶ୍ରୀ ମଣିମାମାନଙ୍କର ପହଣ୍ଡି ଶେଷରେ

ଅପନୋଦନ ନିମନ୍ତେ ଦୈହିକ କ୍ଳାନ୍ତିର

କେତୋଟି ମୁହୂର୍ତ୍ତ ପାଇଁ କଳ୍ପବଟ ମୂଳେ

ବସି ବିଭିନ୍ନ ଆଳାପେ ଯାଇଥିଲେ ମଜ୍ଜି ।

ଶୁଭ ପ୍ରତିଷ୍ଠାର ମାଂଗଳିକ ହୋମ କାର୍ଯ୍ୟ

ହୋଇଣ ଥିଲା ପ୍ରାରମ୍ଭ ମଂଦିର ଭିତରେ ।

ଗରୁଡ଼ ସ୍ତମ୍ଭ ନିକଟେ କେତେକ ସେବକ

ସମବେତ ହୋଇ ଦଶାବତାର ଶ୍ଳୋକର ।

ମଧୁର ଆବୃତି କରୁଥିଲେ ପଦାବଳୀ

ଅପରାହ୍ନର ମାର୍ତ୍ତଣ୍ଡ ପଶ୍ଚିମ ଆକାଶ ।

ଦିଗବଳୟକୁ ଢ଼ଳି ପଡ଼ିଲେଣି ଧିରେ

ଅଗଣିତ ପାରାବତ ଶ୍ରୀମଣିମାଙ୍କର

ବିଜୟ ବାହୁଡ଼ା ଗୌରବକୁ ଗୌରବରେ

କଳଗୁଂଜନରେ ଉଦ୍‌ଘୋଷିତ କରି କରି

ଶ୍ରୀବତ୍ସ ଖଣ୍ଡଶାଳ ଦେଉଳ ପରିକ୍ରମା

କରୁଥିଲେ ଚତୁର୍ଦ୍ଦିଗେ ମନ ଉଲ୍ଲାସରେ ।

ନୈରାଶ୍ୟର ଭଗ୍ନସ୍ତୂପୋପରେ ଲାଗିଥିଲା

ଆଶା ଉଦୀପନାର ଉତ୍ତୁଙ୍ଗ ଅଟ୍ଟାଳିକା ।

ବିଡ଼ମ୍ବିତ ଇତିହାସ ତମିସ୍ର ଅଧ୍ୟାୟେ

ସୌଭାଗ୍ୟ ଉଦୟାରୁଣ ଧିରେ ପ୍ରତିଭାତ

ହୋଇ ଉଠୁଥିଲେ, ରାଷ୍ଟ୍ର ଦେବତା ଜୀଉଙ୍କ

ଚକାନୟନର ଜ୍ୟୋତି ଉପରେ କରୁଣା

ଜଗତର କଳେବର ସ୍ନିଗ୍ଧ ଆଶୀର୍ବାଦ

ବିକୀର୍ଣ୍ଣ କରିଣ ମହାକାଶ ଅଭ୍ୟନ୍ତରେ

ମହାମଣ୍ଡଳରେ ବିସ୍ତାରିତ ହୋଇଥିଲା ।

ଅରୁଣସ୍ତମ୍ଭ ନିକଟେ ସଂଧ୍ୟାର ପାତଳ

ଆସ୍ତରଣ ଭେଦି ଜନତାର ସମାଗମ

କ୍ରମବର୍ଦ୍ଧିଷ୍ଣୁ ମଧ୍ୟରେ ଧିର ପଦପାତେ

ଆସି ଗଜପତି ରାମଚନ୍ଦ୍ର ଦେବ ବୀର

ଦଣ୍ଡାୟମାନ ହୋଇଲେ, ତାଂକ ପଛେ ପଛେ

ଖୋର୍ଦ୍ଧା ବରୁଣେଇ କଟକର ଅସୀବଦ୍ଧ

ପାଇକ ସଦେଇ ସାମରିକ ପୋଷାକରେ ।

ଦେହ ରକ୍ଷୀ ଭାବେ ହୋଇ ସଜ୍ଜିତ ନିପୁଣ

ମୁହୂର୍ତ୍ତ ଆଭିଜାତ୍ୟର ଗହ୍ୱର ମଧ୍ୟରୁ

ରାଜକୀୟ ଥାଟର କ୍ଷୀଣ ଆର୍ତ୍ତଚିତ୍କାର

ପରିବୀର ପାଇକ ଠାଣିରେ ଆସୁଥିଲା ।

ତଫାତ୍‌ ତଫାତ୍‌ ଶବ୍ଦେ ପାଇକେ କୁହାଟ

ଛାଡ଼ୁଥିଲେ ଗଜପତି ସୁରକ୍ଷିତ ଥାଟେ

ଅରୁଣସ୍ତମ୍ଭ ନିକଟେ ଅସି ବଦ୍ଧ ହସ୍ତେ ।

ଦଶନାର୍ଥୀ ନରନାରୀ ସମ୍ଭ୍ରମ ଦୃଷ୍ଟିରେ

ଗଜପତି ରାମଚନ୍ଦ୍ର ଦେବେ ଚାହିଁକରି

ଅଭ୍ୟାସଗତ ସଂକୋଚେ କେତେ ପାଦ ହଟି

ଯାଇ କେବଳ ନିରୀହ ଚାହାଣୀରେ ତାଂକୁ

ବାରମ୍ବାର ଲକ୍ଷ୍ୟ କରୁଥିଲେ ହୋଇ ଛିଡ଼ା ।

ଏଇ ସେଇ ବୀର ଗଜପତି ଗୌଡ଼େଶ୍ୱର

ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର

ମହାରାଜା ରାଷ୍ଟ୍ର ଦେବତାଂକୁ ଆଉଥରେ

ପହଣ୍ଡି କରିଣ ପୁଣିଥରେ ଶ୍ରୀ ମଂଦିରେ

ପ୍ରତିଷ୍ଠା କରିଅଛନ୍ତି ମହା ଗୌରବରେ ।

ଜନତା ମନର ସମ୍ଭ୍ରମତା ତଳେ ତଳେ

ଦରଦର ସେହି କ୍ଷୀଣ ହାହାକାର ଶବ୍ଦ

ଗୁଂଜରିତ ହୋଇ ଉଠୁଥିଲା ପ୍ରାଣେ ପ୍ରାଣେ ।

ଗଜପତି ରାମଚନ୍ଦ୍ର ଦେବ ଧର୍ମଚ୍ୟୁତ

ଜାତିଚ୍ୟୁତ ବିଧର୍ମୀ ସେ ଯବନ କନ୍ୟାର-

-ପ୍ରେମ ସ୍ୱୀକୃତି ହିଁ ତାଙ୍କ ଅପରାଧ ମାତ୍ର ।

କରୁଣ ଅନୁକ୍ତ ଦର ଦର ବିକଳତା

ଦୀର୍ଘଶ୍ୱାସର ହିଁ ମର୍ମନ୍ତୁଦ ବେଦନାରେ

ରୂପାୟିତ ହୋଇ ଶୂନ୍ୟାକାଶେ ମିଶୁଥିଲା ।

ସିଂହଦ୍ୱାରର ଅରୁଣସ୍ତମ୍ଭ ନିକଟରେ

ଗଜପତି ରାମଚନ୍ଦ୍ର ଦେବ ପାଇକଙ୍କ

ସୁରକ୍ଷା ବଳୟ ମଧ୍ୟେ ଯେପରି କାହାକୁ

ବ୍ୟାକୁଳ ପ୍ରତୀକ୍ଷା କରିଥିଲେ ବୁଜିଆଖି,

ବକ୍ଷପଞ୍ଜର ଭେଦିଣ ବେଳେ ବେଳେ ଏକ

ସକରୁଣ ଦୀର୍ଘଶ୍ୱାସ ହୋଇ ବହିର୍ଗତ

ଆକୁଳ ଆଖିରେ ରାଜା ବିକଳ ଚିତ୍ତରେ

ଶ୍ରୀପତିତ ପାବନଙ୍କୁ ରହିଥିଲେ ଚାହିଁ ।

ସହସା ସ୍ଥିର ହୋଇଲା ଗଜପତି ଚକ୍ଷୁ

ବାଇଶ ପାହାଚ ଉପରୁ ହାସ୍ୟ ମୁଖର

ଆଲୋଚନା କରୁକରୁ ଆଠଗଡ଼ ରାଜା

ସହିତ ପରମଲକ୍ଷ୍ମୀ ରାଜଗୁରୁ ଧିରେ

କରୁଥିଲେ ସେ ଅବତରଣ ପାହାଚରେ ।

ମଣିମାଂକର ପ୍ରଥମ ପ୍ରମୁଖ ସେବକ

ମଂଦିର ପ୍ରବେଶ ଅଧିକାରରୁ ବଂଚିତ

ଧର୍ମଧ୍ୱଜୀଙ୍କର ସାଂପ୍ରଦାୟିକ ରାୟ ହିଁ

ଧରମର ନିୟାମକ ବାଣୀ ଯାହା ପାଇଁ

ଭାଗ୍ୟର ଦାରୁଣ ବିଡ଼ମ୍ବନା ରାଜାଙ୍କର ।

ଆପଣ ଏହି ଭାବେ ହିଁ ଜୀଉଙ୍କୁ ଦର୍ଶନ

କରନ୍ତୁ ଛାମୁ ଏରାୟ ମୁକ୍ତି ମଣ୍ଡପର

ତାଂକ ବିଚାରେ ଆପଣ ପ୍ରଥମ ସେବକ

ଜୀଉଙ୍କର, କିଂତୁ ଧର୍ମଚ୍ୟୁତ ଓ ପତିତ ।

ପଛ ପଟୁ ହରି ଉଚ୍ଚ ସ୍ୱରେ କଲା ପାଟି

କଂପାଇ ଦେଲା ହୃଦୟ ସମବେତଙ୍କର

“ ବିଧର୍ମୀ ଉପଢ଼ୌକନ ଗ୍ରହଣ କରିବା

ବେଳେ ସ୍ପର୍ଶ ଦୋଷ ଯେତେବେଳେ ଲାଗେ ନାହିଁ

ସେତେବେଳେ ମନର ପବିତ୍ର ସମର୍ପଣ

ଧାର୍ମିକ ବିଚାରେ ହୋଇଯାଏ ଅପବିତ୍ର ।

ଆଚାରୀ ଧର୍ମଧ୍ୱଜୀଙ୍କ ବିଚିତ୍ର ନିୟମ ।

କେତେକାଳ ଆଉ ସହ୍ୟ କରିବେ ଠାକୁର?”

ଖିଙ୍କାରି ହୋଇ ଉଠିଲେ କେ ଜଣେ ସେବକ

କେତେ ବଡ଼ ବଡ଼ କଥା କହୁଛିରେ ମଣି

ହତିଆର ଧରି ଯୁଦ୍ଧ କରିବା ଲୋକ ବି

ଶୁଣାଉଛି ଧରମର ଉପଦେଶ ଏଠି ।

ଏ ଯୁଗରେ ଆଚାର ବିଚାର ସବୁ ମିଶି

ଏକାବେଳେ ଏକାକାର ହୋଇଗଲା ଆହେ” ।

ଗଜପତି ରାମଚନ୍ଦ୍ର ଦେବ ବିଚଳିତ

ହୋଇ ଉଠିଲେ ଶୁଣିଣ ଅବାଂଛିତ ତର୍କ

ବିତର୍କକୁ ଏଡ଼ାଇବା ଉଦ୍ଦେଶ୍ୟେ କହିଲେ

ଆଠଗଡ଼ ରାଜାଙ୍କୁ ଶ୍ରୀ ଜୀଉଙ୍କ ଚାମର

ସେବା ଅଧିକାର ଆଦି ହିଁ ଘୋଷିତ ହେଉ

ଆହେ ରାଜଗୁରୁ ମହାଶୟ ଅବିଳମ୍ଭେ

ଆଜିହିଁ ନୀଳ ଚକ୍ରରେ ମହାଦୀପ ଦାନ

ବେଳେ ଆଠଗଡ଼ ରାଜା ଶ୍ରୀ ହରିଚଂଦନ

ଜଗନାଥଙ୍କୁ ସୁରକ୍ଷା ପାଇଁ ପ୍ରଭୁଙ୍କର

ଆଜ୍ଞା ଆବେଦନ କରିବା ବ୍ୟବସ୍ଥା ହେଉ ।

ଶ୍ରୀ ମଣିମାଙ୍କ ସୁରକ୍ଷା ପାଇଁ ଆଠଗଡ଼

ରାଜା ଯୁ୍‌ଗ ଯୁଗ ପାଇଁ “ଶରଣ ଧରଣୀ”

ଆଉ ମାରଦାର ସେହି ଅରଣ୍ୟ ମଂଦିର

ଚିରଦିନ ପାଇଁ ହେଉ ଶରଣ ଶ୍ରୀକ୍ଷେତ୍ର

ନାମରେ ହେବ ଘୋଷିତ ଏହି ପୃଥିବୀରେ

ଏହା ହିଁ ପରମ କାରୁଣିକ ମଣିମାଙ୍କ

ଦୈବୀ କୃପା ଇତିହାସ ଅଲଙ୍ଘ୍ୟ ସ୍ୱୀକାର”

ବ୍ୟଥିତକଂଠରେ ରାଜଗୁରୁ ନୀଳଚକ୍ରେ

ଚାହିଁ କହିଲେ ହେ ପ୍ରଭୁ “ମହାମାନ୍ୟ ରାଜା

ଗଜପତି ରେଜିଆଙ୍କ ହାତଧରି ନାମ

“ହାଫିଜ କାଦାର” ହିଁ ଧାରଣ କରିବାର

ଯେମିତି ଭାଗ୍ୟର ବିଡ଼ମ୍ବନା ରାଜ୍ୟପାଇଁ

ସେମିତି ଦୈବର ଅନୁଜ୍ଞାରେ ଆଠଗଡ଼

“ଶରଣ ଧରଣୀ” ନାମେ ହୋଇଲା ଘୋଷିତ ।

ବିନା ପ୍ରଯତ୍ନରେ ରାଜା ରାମଚନ୍ଦ୍ର ଦେବ

ଅନାୟାସରେ ଇସ୍‌ଲାମ ଧର୍ମରେ ହାଫିଜ

କାଦର ବେଗ ହୋଇ ପାରିଲେ ତାହା ସତ୍ତେ୍ୱ

କର୍ମକାଣ୍ଡୀୟ ଆୟାସ ହିନ୍ଦୁ ଧରମର

ରୁଦ୍ଧ ଦ୍ୱାର ତା’କ ପାଇଁ ସୁଚିର ପହଡ଼

ହୋଇଗଲା ନିନ୍ଦା ପ୍ରଶସ୍ତିର ମୂଲ୍ୟାୟନେ ।

ଗୁମୁଟ ଦ୍ୱାରାନ୍ତବର୍ତ୍ତୀ ପତିତ ପାବନେ

ଅବଲୋକନ କରିଣ ରାମଚନ୍ଦ୍ର ଦେବ

ଆକୁଳ କଂଠରେ କଲେ ଆତ୍ମ ନିବେଦନ

“ହେ ପ୍ରଭୁ ମହାବାହୁ ଆପଣଙ୍କ ସେବକ

ରାମଚନ୍ଦ୍ର ଦେବ ହୃଦୟର ଭାବନାକୁ

ଆପଣ ହିଁ ଅନୁଭବ କରି ପାରିଥିବେ ।

ଆପଣ ବିଚାର କରିବେ ପାପ ପୁଣ୍ୟର

ଅଭିଲେଖ ପୃଷ୍ଠାରେ ଆତ୍ମ ନିବେଦନର

ପବିତ୍ର ମାର୍ମିକତା ସମୁଚିତ ଭାବନା ।

ହାଫିଜ କାଦାର ବେଗ ଉକ୍ତଜନଟିର

ଏ କାରୁଣ୍ୟ ସମର୍ପଣ ଯୁଗ ଯୁଗ ପାଇଁ

ଅଭୟ ମୁକ୍ତିର ରତ୍ନ ସିଂହାସନ ତଳେ

ନିବେଦିତ ହୋଇ ରହିଗଲା ହେ ମଣିମା

ବିଚାର କରି ଆପଣ କୃପା ହିଁ କରିବେ”

ମଂଦିର ଚୂଡ଼ାରୁ ଶୁଭେ ଅଭୟ ଅଭୟ

ଶରଣ ରକ୍ଷଣର ସେ ଉଦାଉ କୁହାଟେ

“ଶରଣ ପଞ୍ଜର ମାନ ଉଦ୍ଧାରଣ ପ୍ରଭୁ

ହରିଚନ୍ଦନ ଭାଇ ଜଗଦେବ ରାଣଙ୍କୁ

ଶଂଖରେ ପୁରାଇ ଚକର ଆଢ଼ÿୁଆଳରେ

ରଖିବା ଆଜ୍ଞା ହେଉ ହେ ଶ୍ରୀ ମଣିମା ପ୍ରଭୁ ।

ପ୍ରବ୍ରଜ୍ୟାଶ୍ରିତ ତାପସ ଗୃହତ୍ୟାଗୀ ସମ

ଗଜପତି ଅନ୍ତର୍ଦ୍ଧାନ ହୋଇଲେ ସେଠାରୁ ।

ବାଲିସାହି ଅପାକୃତ ରାଜ ଉଆସଟା

ଅତୀତ ଗ୍ଳାନିକୁ କରି ବହନ ଗାତ୍ରରେ

ଶୈବାଳାଚ୍ଛନ୍ନ ଭାରାକ୍ରାନ୍ତ କଳେବରରେ

ହୋଇ ପଡ଼ିଥିଲା ଜରାଜୀର୍ଣ୍ଣ କେଉଁ କାଳୁ ।

ଉଆସ ପଶ୍ଚାତ ଭାଗେ କେତେ ପରିତ୍ୟକ୍ତ

କୋଠରୀରେ ବେଳେ ବେଳେ ଚିମିଣି ଗୁଡ଼ାଏ

ଇତସ୍ତତଃ ବିଚରଣ କରୁଥିଲେ ଉଡ଼ି ।

ପବନର ଉତ୍ତଳା ପ୍ରବାହ ଉଆସର

କୋଠରୀମାନଙ୍କ ମଧ୍ୟେ ପ୍ରବେଶ କରିଣ

ଉଦାସ ଭାବର ଗଭୀରେକ ଦୀର୍ଘଶ୍ୱାସ

କରୁଣ ମୂର୍ଚ୍ଛନା ସୃଷ୍ଟି କରୁଥିଲା ସେଠି ।

ରାମଚନ୍ଦ୍ର ଦେବ ଏକ କୋଠରୀ ମଧ୍ୟରେ

ବିଚିତ୍ର ସେବୀ ସନ୍ୟାସୀ ସମ ବସିଥିଲେ

ଗୋଟିଏ ଚୌକି ଉପରେ ଚାହିଁ ଚକ୍ରବାକେ ।

ତାଙ୍କ ସମ୍ମୁଖରେ ଏକ ପଲଙ୍କର ଶଯ୍ୟା

ଉପରେ ପଶା ପାଲିର ସରଂଜାମ ସବୁ

ସଜ୍ଜିତ ହୋଇଣ ରହିଥିଲା ଖେଳପାଇଁ ।

ପ୍ରସାରିତ ପଶାପାଲି ଉପରେ ନିବଦ୍ଧ

ଦୃଷ୍ଟି ରଖି ଗଜପତି ରାମଚନ୍ଦ୍ର ଦେବ

ହୋଇଥିଲେ ସେ ଗଭୀର ଭାବନା ନିମଗ୍ନ ।

ଗଜପତି ମାନଙ୍କର ଅବର୍ତ୍ତମାନରେ

ବାଲିସାହି ଉଆସରେ ରାଜ କର୍ମଚାରୀ

ପଶାର ପସରା ଥାନ୍ତି ମେଲାଇ ଆଗରୁ ।

ସେହି ପଶାପାଲି କ୍ରୀଡ଼ା ଆମୋଦ ସମୟେ

ଓଡ଼ିଶା ଇତିହାସର ବହୁତ ଅଜ୍ଞାତ

ଅଧ୍ୟାୟର ସୁରଂଜିଚ ଅଛି ବିବରଣୀ

ଯାହା ବାଲିସାହି ଉଆସର ଗୃହାଂଗନ

ନିଭୃତ ଭିତରେ ହୋଇ ଉଠେ ଗୁଂଜରିତ ।

ଜୀବନର ପଶାଖେଳେ ଜୟ ପରାଜୟ

ଅଭିଯାନ ବହୁବାର ପିଛିଳ ଗତିରେ

ଆରମ୍ଭ କରିଣ ପରିଶେଷରେ ବିଜୟ

ତୋରଣ ଦ୍ୱାରରେ ହୋଇଛନ୍ତି ଉପନୀତ ।

ଶ୍ରୀ ଜଗନ୍ନାଥ ବିଜୟ ବାହୁଡ଼ା ସାରିଣ

ଶ୍ରୀବତ୍ସ ଖଣ୍ଡଶାଳ ଦେଉଳେ ଅଧିଷ୍ଠିତ

ହୋଇ ଜାତୀୟ ଜୀବନେ ଆଶାର ସଂଚାର

କରିଛନ୍ତି - ଅନୁଭବ ଓଡ଼ିଶା ରାଜ୍ୟର

ଓଡ଼ିଶା ଇତିହାସର ତମିସ୍ର ପର୍ବର

ଅବସାନ ଘଟି ସୂର୍ଯ୍ୟୋଦୟର ପ୍ରଥମ

ଝଲକ ହୋଇଛି ବିକୀରିତ ଭୂମଣ୍ଡଳେ

ଏହି ବିଜୟ ବାହୁଡ଼ା ଅଭିଯାନ ପର୍ବେ ।

କିଂତୁ ତଥାପି ଯେପରି ଅପୂର୍ଣ୍ଣ ରହିଛି

ଜୀବନର ଜୟଗାନ ରଂଜିତାନୁରାଗ ।

ବରୁଣେଇ କଟକ ସିଂହାସନ ଆଶାରେ

ମହାରାଣୀ ସେ ଲଳିତା ପାଟ ମହାଦେଈ

ବିଦ୍ରୋହିଣୀ ସାଜି ପରିଶେଷରେ ନିଜର

ଶରର ଶରବ୍ୟ ହୋଇ ଯାଇଛଂତି ସତେ ।

ଏବେ ମଧ୍ୟ ବରୁଣେଇ କଟକ କିରୀଟି

ପାଇଁ ଆତୁର ଆଶାୟୀ ସେହି ଭାଗିରଥି

ଅଥଚ ସେରାଜ ସିଂହାସନର କ୍ଷମତା

ଲୋଭରେ ଅଂଧ ପ୍ରଲୁବ୍ଧ ମାନଙ୍କ ଚିତ୍ତରେ

ଜାତିର ଜାଗୃତି ପାଇଁ କାହିଁ ଅଛି ଚିନ୍ଦୁ-

-ମାତର ଦରଦ? ଅବା ଟିକେ ବ୍ୟାକୁଳତା?

ଗଜପତି ରାମଚନ୍ଦ୍ର ଦେବ ଦୀର୍ଘଶ୍ୱାସ

ନିକ୍ଷେପ କରିଣ ପଶାପାଲି ଟାଣି ଆଣି

ନିଷ୍ଠୁର ଭାବରେ ତଳେ ଫିଙ୍ଗିଦେଲେ ଦୂରେ ।

ପଶାର ଗୋଟି ଗୁଡ଼ାକ ବିକ୍ଷିପ୍ତ ଭାବରେ

ଗୃହର ବିଭିନ୍ନ ସା୍ଥନେ ପଡ଼ିଲେ ଛଟିକି

ଆର୍ତ୍ତନାଦରେ ଯେପରି ଅସହାୟତାର ।

ପଶାପାଲି ଫିଙ୍ଗା ଶଦ୍ଦେ ଗଡ଼ର ପାଇକ

ସଦେଇ ଦ୍ୱାର ନିକଟେ ହୋଇଲା ହାଜର

ଆଦେଶକୁ କରିଥିଲା ପ୍ରତୀକ୍ଷା ସେଠାରେ ।

ଗଜପତି କହିଦେଲେ ଶୁଣରେ ସଦେଇ

“ବରୁଇେଇ କଟକକୁ ଫେରିବାକୁ ହେବ

ଯେଣୁ ଧାର୍ମିକ କର୍ତ୍ତବ୍ୟ ଗଜପତିଙ୍କର

ଶେଷ ହୋଇଛି ଏଠାରେ ପ୍ରଭୁ ସିଂହାସନେ

ଆରୋହଣ କରିଛନ୍ତି - ଏଥରକ ରାଷ୍ଠ୍ର

ଶାସନର ପାଳି, ସାର୍ବଭୌମ ରାଷ୍ଟ୍ର ପାଇଁ

ପୁଗର୍ଗଠନ କରିବା ସର୍ବାଦୌ ବିଧେୟ

ଆଉଥରେ ଅସ୍ତ୍ର ଶସ୍ତ୍ର ଧାରଣ କରିଣ

ପାଇକ କୂଳ ସଜାଗ ହୋଇବା ଉଚିତ୍‌”

“ପାଇକ କୁଳ ଏଥର ହୋଇବେ ସଜାଗ

ଦେବତାଙ୍କ ରତ୍ନ ସିଂହାସନ ଆରୋହଣ

ପରେ ପରେ ଓଡ଼ିଶାର ଜନ ଜୀବନରେ

ଅପୂର୍ବ ଉନ୍ମାଦନାର ସଂଚାରଣ ହୋଇ

ଉଦ୍ଦାମତା ଅମିତ ଜାଣିଛି ସୈନ୍ୟ ମନେ ।

ସେହି ଉର୍ଜସ୍ୱଳ ଉଦ୍ଦୀପନାର ବଳରେ

ଓଡ଼ିଆ ପାଇକ ପୁଣି ଆଉଥରେ ଉଠି

ରାଷ୍ଟ୍ରବେବତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇ

ସାର୍ବଭୌମ ଓଡ଼ିଆ ରାଜ୍ୟର ମୁଣ୍ଡିମାରି

ଏ ଜାତିର ଇତିହାସେ ଐକ୍ୟ ସଂଭାବନା

କ’ଣ ସତରେ ଫେରାଇ ଆଣି ସେ ପାରିବ”

ପଶ୍ଚିମ କବାଟ ମହାପାତର କହିଲେ

“ଆଜି ଶ୍ରୀ ମଣିମାଙ୍କର ଆଦ୍ୟ ନିଳାଚଳ

ଅନ୍ନ ମହାପରସାଦ ଗଜପତି ରାଜା

ସେବନ କରିବେ, ସେଥିପାଇଁ କୋଠଭୋଗ

ଭଣ୍ଡାରରୁ ମହାପରସାଦ ଆଣିଅଛି

ଆପଣଙ୍କ ସେବା ପାଇଁ ଘେନନ୍ତୁ ସାଦରେ ।

ଗଜପତିଙ୍କର ଏକ ନିଷ୍ଠ ଉଦ୍ୟମରେ

ଶ୍ରୀବତ୍ସ ଖଣ୍ଡଶାଳ ଦେଉଳର ଭିତରେ

ଆଜି ମହାବାହୁ ଯେ ଆସୀନ ହୋଇଛନ୍ତି

ଅମ୍ଳାନ ଇତିହାସ ଏ ଯୁଗ ଯୁଗ ପାଇଁ ।

ରାମଚନ୍ଦ୍ର ଦେବ ନମ୍ରକଂଠରେ କହିଲେ -

“ଧର୍ମଚ୍ୟୁତ ନିନ୍ଦା ଅପବାଦ ସହି ସହି

ଏ ରାଜ୍ୟବାସୀଙ୍କର ତୀର୍ଯ୍ୟକ ଭ୍ରୁକୁଟିକୁ

ବରଦାସ୍ତ କରି ଯେ ନୀଳାଦ୍ରି ମଣ୍ଡପରେ

ବିଜେ ହେଲେ ମହାବାହୁ, ଏହାହିଁ ମୋହର

ସବୁ ପୂର୍ଣ୍ଣ ତପସ୍ୟାର ଫଳଶ୍ରୁତି ମାତ୍ର ।

ଏ ଜୀବନ ପଛେ ନିନ୍ଦା ଅପବାଦେ ବୁଡ଼ୁ

କର୍ଦ୍ଦମାକ୍ତ ହୋଇପଡ଼ୁ, ଚିନ୍ତା ନାହିଁ ମୋର

କିଂତୁ ରାଷ୍ଟ୍ରଦେବ ପ୍ରଭୁ ଜଗନ୍ନାଥଙ୍କର

ସାର୍ବଭୌମତ୍ୱ ଅପ୍ରତିହତ ରହୁ ସଦା ।

ରାଷ୍ଟ୍ର ଦେବତାଙ୍କ ନିରକୁଂଶ ପ୍ରତିଷ୍ଠାରେ

ଯଦି ମୁଁ ହୁଏ ପତିତ ତେବେ ସେହି ପ୍ରଭୁ

ପରମକାରୁଣିକ ସେ ପତିତ ପାବନ

ମୋତେ ଉଦ୍ଧାର କରିବେ, ନିଃସନ୍ଦେହ ମୁହିଁ ।

ନୀଳାଦ୍ରିରେ ମଣିମାଙ୍କ ଶୁଭ ପ୍ରତିଷ୍ଠାରେ

ଆପଣମାନଙ୍କର ଅନ୍ତରଂଗ ନିଷ୍ଠାରେ

ଆପ୍ରାଣ ସଂଗ୍ରାମ, ଓଡ଼ିଶାର ଗଜପତି

ଇତିହାସରେ ହୋଇବ ମହାର୍ଘ ଅଧ୍ୟାୟ ।

ସରଳ ତ୍ୟାଗୀ ପାଇକ ହରି ଯୁବକର

ଆତ୍ମ ନିବେଦନ ଏଜାତିର ଗୌରବର

କୀର୍ତ୍ତି କିରୀଟି ଆଦର୍ଶ ପ୍ରଚ୍ଛନ୍ନ ପ୍ରେରଣା ।

ଏହି ରାତ୍ରିରେ ଚାଲି ଯିବି ବରୁଣେଇକି ମୁଁ ।

ତେଣେ ନାଏବ କୁଲି ଖାଁ ଦରବାରୀ ଲୋକେ

ଡେରା ପକାଇ ପ୍ରତୀକ୍ଷା କରି ଥିବେ ମୋତେ ।

ପୁଣି ଥରେ ସେହି କର ଖଜଣା ପେସକିସ

ଗ୍ଳାନିକର ହିସାବର ନିକାଶ ଇତ୍ୟାଦି ।

ଗୃହ ପ୍ରଜ୍ଜ୍ୱଳିତ ଦୀପ ଉଲମ୍ପଂନ ହେତୁ

ଚତୁପାଶ୍ୱର୍ରେ କେତୋଟି ପତଂଗ ଡେଇଁଣ

ପ୍ରତିଯୋଗିତା ସୂତ୍ରରେ ନିଆଁରେ ପଡ଼ିବା

ଅଂଧ ଭାବରେ ଉଦ୍ୟମ ରତ ଥିଲେ ସେଠି ।

ବଂଧା ହୋଇଥିବା ଅଶ୍ୱ ବାହାରେ ରାତ୍ରିଟା

କଟାଇ ବିବ୍ରତ ହୁଏ ବୟସ ବୃଦ୍ଧିରେ

ବେଳେ ବେଳେ କରୁଥିଲା ହ୍ରେସା ରବ ତାର ।

କେତୋଟି ମୁହୂର୍ତ୍ତ ପାଇଁ ଗୃହ ମଧ୍ୟେ ସ୍ତବ୍ଧ

ନୀରବତା ଛାଇ ଯାଇଥିଲା ସେଇଠାରେ ।

ଏହି ମଧ୍ୟରେ କେତେଟା ପତଂଗ ଦୀପର

ପ୍ରଜ୍ଜ୍ୱଳିତ ତୈଳୋପରେ ପଡ଼ିସାରି ସେଠି

ବିକଳ ଭାବରେ ଛଟପଟ ହେଉଥିଲେ ।

ଘର କାନ୍ଥର ଉପରୁ କେତେ ଝିଟିପିଟି

ସତୃଷ୍ଣ ନୟନେ ସେହି ମୁହୂର୍ଷୁ ପତଂଗ

ଆଡ଼େ ଚାହିଁ କରୁଥିଲେ ଶବ୍ଦ ଟିକ୍‌ ଟିକ୍‌ ।

ଗଜପତି ଭାଷି “ରାଜଗୁରୁ ମହୋଦୟ

ଶ୍ରୀ ମଣିମାଙ୍କର ମହାପ୍ରସାଦ ବହନ

କରି ଆଜି ବରୁଣେଇ କଟକ ଯାଉଛି ।

ବହୁ ଦିନପରେ ବରୁଣେଇ କଟକରେ

ଶ୍ରୀ ମଣିମାଙ୍କର ମହାପ୍ରସାଦ ମହାର୍ଘ

ପବିତ୍ରତାର ଅଂକୁର ଅର୍ପଣ କରିବ ।

ଇତିହାସର ଏକ ମର୍ମନ୍ତୁଦ ଅଧ୍ୟାୟ ।

ଆଜି ଏଠି ଶେଷ ହେଲା, ବିଦାୟ ଦିଅନ୍ତୁ ।

ଜାଣନ୍ତି ସେ ଜଗନ୍ନାଥ ଏଥିପରେ କେଉଁ

ଇତିହାସ ଉପୋଦ୍‌ଘାତ ସେ ମହାକାଳର

ପ୍ରବାହରେ କରାଇବେ ରଚନା ଲୀଳାରେ ।।

ତମିସ୍ରାର ଘନ ଆସ୍ତରଣର ଭିତରେ

ଅଦୃଶ୍ୟ ହୋଇଲେ ଓଡ଼ିଶାର ଗଜପତି

ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର

ନିନ୍ଦିତ ଇତିହାସର ବିତର୍କ ପୁରୁଷ

ଗଜପତି ରାମଚନ୍ଦ୍ର ଦେବ ସେ ସ୍ଥାନରୁ ।

ବାଲି ସାହି ପ୍ରାସାଦର ଶଇବାଳାଚ୍ଛନ୍ନ

ଦୁର୍ଗ ପ୍ରାଚୀରୁ ପ୍ରସ୍ତର ଖସି ପଡ଼ିବାର

ଶବ୍ଦ ଶୁଭିଲା ଯା ଥିଲା ଜୀର୍ଣ୍ଣ ଅତି ଜୀର୍ଣ୍ଣ ।

ଚିତ୍ରାର୍ପତ ପରି ଥିଲେ ସେ ଦଣ୍ଡାୟମାନ

ପରମଲକ୍ଷ୍ମୀ ମହାପାତର କତିପୟ

ମଂଦିର ସେବକ ବଡ଼ ପରିଚ୍ଛା ଇତ୍ୟାଦି ।

ଅବକ୍ଷୟ ଗ୍ରସ୍ତ ଉଆସର କେଉଁ କୋଣୁ

ନିଃସଙ୍ଗେକ ପାରବତ ଗୁମୁରି ଗୁମୁରି

କାନ୍ଦୁଥିଲା ସେ ରାତ୍ରିର ଘୁମନ୍ତ ବିଳାପ ।

 

୧୨ଶ ସର୍ଗ

 

ଶ୍ରୀକ୍ଷେତ୍ରେ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ

ଶ୍ରୀ ଜଗନ୍ନାଥଙ୍କର ବାହୁଡ଼ା ବିଜେପରେ ।

ଖୋର୍ଦ୍ଧା ବରୁଣେଇ କଟକର ଗ୍ଳାନିକର

ପ୍ରଲେପିତ ସ୍ଥିରତା ହୋଇଲା ପ୍ରଶାନ୍ତିର ।

ଖୋର୍ଦ୍ଧା ବରୁଣେଇ କଟକରେ ଗଜପତି

ଗାଦିନସୀନ ହୋଇଣ ବସିଣ ସଂପ୍ରତି ।

ପ୍ରାତଃକର୍ମ ସମାପନ ପରେ ପରିଷଦ

ଗୃହରେ ଏକାକୀ ଉପବେଶନ ସୁଖଦ ।

ମେଜୋପରେ ଏକ ପଶାପାଲି ମେଲି ଏକା

ପଶାକାଠି କରୁଥିଲେ ଚାଳନା ପରୀକ୍ଷା ।

ଯେଉଁ ଡାକେ କାଠି ହେଉଥିଲା ସୁଚାଳିତ

ପଶାକାଠିର ଡାକର ସେ ପ୍ରତିଫଳିତ ।

ଗଜପତି ରାମଚନ୍ଦ୍ର ଦେବ ସାଫଲ୍ୟର

ଆନନ୍ଦର ମନେ ମନେ ଆହ୍ଳାଦିତ ଘୋର ।

ପଶାକାଠିକୁ କେତୋଟି ମୁହୂର୍ତ୍ତସେ ଚାହିଁ

ହସି ଉଠିଲେ ଏକାକୀ ପାଶେ କେହି ନାହିଁ ।

ଏହି ପଶାପାଲି ଅନିଶ୍ଚିତ ଭାଗ୍ୟ ପରି

ଆଜି ଦୁର୍ଦ୍ଦାନ୍ତ ତକୀଖାଁ ଅଛି ଯମପୁରି ।

କଦମ - ଇ - ରସୁଲର କବର ଖାନାରେ

କର୍ମଫଳ ଦଗ୍ଧୀଭୂତ ସେ ମସ୍‌ଜିଦରେ ।

ପବିତ୍ର ହିଂଦୁ ଧର୍ମର ପୁଣ୍ୟ କର୍ମଧାରା

ଜନ୍ମିତ ପାଳିତ ହୋଇ ଅଛି ଯାହା ଧରା

ବରୁଣାଳୟ ମଣିମାଙ୍କ ରାଉତପଦ

ଗ୍ରହଣ କରିଣ ମଧ୍ୟ ଯା ଥିଲା ଦୁଃଖଦ ।

ଶ୍ରୀ ଜଗନ୍ନାଥଙ୍କ ମାନ ଉଦ୍ଧାରଣ ପାଇଁ

ଓଡ଼ିଶାର ସ୍ୱାଭିମାନ ଉଜ୍ଜୀବିତ ପାଇଁ

ଯବନୀ କନ୍ୟା ରେଜିୟାର ପାଣିଗ୍ରହଣ

କରି ଧର୍ମାଂଧତାର ମଧ୍ୟରେ ବ୍ୟବଧାନ

ମିଳନର ସ୍ୱର୍ଣ୍ଣସେତୁ କରିଣ ନିର୍ମାଣ

ଭ୍ରାତୃତ୍ୱର ଐକ୍ୟମନ୍ତ୍ର କରିଥିଲେ ଗାନ ।

ଅପବାଦର ନାଗରା ମିଳନ ସାହାନାଇ

ରୂପାୟିତର ଧର୍ମାଂଧ ତକୀଖାଁକୁ ଭାଇ

ନିକଟରେ ଦୁଆ ଦିନେ ମାଗିଲେ ଅତୀତେ

ଏ ଅଖଣ୍ଡ ଓଡ଼ିଶାର ସାର୍ବଭୌମ ହିତେ

କରିବେ ବୋଲି ସେ ପ୍ରଭୁ ଜଗନ୍ନାଥଙ୍କର

ସାର୍ବଭୌମ ପ୍ରତିଷ୍ଠା ଯା ଗୌରବାଧିକାର ।

କିଂତୁ ବଂଧୁତ୍ୱର ଛଦ୍ମ ଆବରଣ ତଳେ

ଧର୍ମଦ୍ୱେଷୀ ଶତ୍ରୁତାର କରବାଳକରେ

ଉତ୍ତୋଳନ କରି କରି ତକିଖାଁ କେବଳ

ଗଜପତି ରାମଚନ୍ଦ୍ର ଦେବେ ହୀନବଳ

ଖାଲି କଲେ ନାହିଁ ପ୍ରତିପାଦିତ ଏ ଭୂମେ

ଷଡ଼ଯନ୍ତ୍ର ବ୍ୟୁହକରି ରଚନା ସଂଗ୍ରାମେ

ଓଡ଼ିଶାର ସ୍ୱାଭିମାନ ତେଜ ଜାତୀୟତା

ବୋଧର ଉଗ୍ର ସଂକଳ୍ପ ନୈରାଶ୍ୟର ଚିନ୍ତା ।

ବାଲୁଚର ମଧ୍ୟେ କରି ଥିଲେ ସମାଧିସ୍ଥ

ତାକୁ ଖୋଳିଥିଲେ ଦୃତେ ରାଜଗୁରୁ କ୍ଷତ ।

ତାହାରି ଅନ୍ତିମ ପରିଣତି ସ୍ୱରୂପରେ

ସେଦିନ ଆଠଗଡ଼ର ମାରଦା ବଣରେ

ସଂକଳପ କରିଥିଲେ ବିଦ୍ୱାନ ପଣ୍ଡିତ

ମନ୍ତ୍ର ଶକ୍ତିଧର ରାଜଗୁରୁ ଶୁଦ୍ଧ ଚିତ୍ତ ।

ଓଡ଼ିଶାର ଗଉରବ ତେଜ ଗରିମାକୁ

ଧର୍ମାଂଧତା ପଶୁବଳେ ଠେଲି ଗହ୍ୱରକୁ ।

ଯେଉଁ ବର୍ବର ଅଧଃପତନ ଦେଇଅଛି

ସେ ବର୍ବରତାର ପ୍ରତିଶୋଧ ନେଲେ ବାଛି

ମନ୍ତ୍ର ଉପଚାରେ ଧର୍ମଅଂଧ ତକିଖାଁର

ଶୋଚନୀୟ ଯବନିକା ଟାଣିଲେ ତତ୍‌କାଳ ।

ଆଉ ସେ ଦୁର୍ବାର ସଂକଳ୍ପର ସ୍ଫୁଲିଂଗର

ଜ୍ୱାଳାରେ ପରିଶେଷରେ ମୂର୍ଖ ତକିଖାଁର ।

ଅଜ୍ଞାତ ବ୍ୟାଧିରେ, ପାଶବିକ ଶକତିର

କ୍ରମାଗତ ଅବକ୍ଷୟ ଜନିତ ମୃତ୍ୟୁର

ନୀଳ ଶୀତଳ ସ୍ମରଶ ଲାଗିଲା ସମୀରେ

ଯମପୁର ସେ ବର୍ବର ଗଲା କାଳବଳେ ।

ଯାହାକୁ କଳେ କୌଶଳେ ବଳେ ଗଜପତି

ମାରିପାରିଲେନି ହତ ସେହି ହୀନ ମତି

ବର୍ବର ତକିଖାଁ ମଲା ମନ୍ତ୍ର ଉପଚାରେ

ଶସ୍ତ୍ର ହାରିଗଲା ଶାସ୍ତ୍ର ଜିଣିଲା ଶେଷରେ ।

ଏକ ଦୀର୍ଘଶ୍ୱାସ କରି ନିକ୍ଷେପ ରାଜନ

ମେଜୋପରେ ପ୍ରସାରିତ ଦୃଷ୍ଟିରେ କରୁଣ

ପଶାପାଲିକୁ ଚାହିଁଲେ ଭାଗ୍ୟ ପଶାପାଲି

ଖେଳେ କେତେ ଘାତ ପ୍ରତିଘାତ ଆସେ ଚାଲି ।

ପ୍ରତିଘାତର ପ୍ରବାହ ପରେ ଜୀବନର

ସ୍ଥିତି ତ ଅବଧାରିତ, ସେ ପ୍ରତିଘାତର ।

କାଳଘୂର୍ଣ୍ଣିରେ ହେଉସେ ପଛେ ଦୋଳାୟିତ

ମଧ୍ୟାହ୍ନର ସୂର୍ଯ୍ୟାଲୋକେ ସେ ଶତଲାଂଛିତ ।

ମୁକ୍ତ ଗବାକ୍ଷ ଧାରରେ ଦେଖି ଗଜପତି

ଚାହିଁଲେ ଅଦୂର ବନପଥେ କେତେ ମାତି

ଲତା କୋମଳ କାନନ ଫୁଲ ନିରିମାଖୀ

ହୋଇ ଝରି ପଡ଼ିଥିଲେ, ଉଡ଼ୁଥିଲେ ପକ୍ଷୀ ।

କେଉଁ ଏକ ବାଟବଣା ଡାହୁକର ସ୍ୱର

ନିଃସଂଗ ବିବିକ୍ତ ଲଗ୍ନେ ସେହି ମଧ୍ୟାହ୍ନର

ବିଧୁର ଆକୁଳତାରେ କରୁଣାର୍ଦ କରି

ବରୁଣେଇ କଟକର ରକ୍ତ ଜବାଧରୀ ।

ରିକ୍ତ ମହଲରେ ନିଃସଙ୍ଗତା ହୋଇଭରି

କେଉଁ ଏକ ବିଧୁର ପ୍ରାଣର ପ୍ରାଣେଶ୍ୱରୀ

ମର୍ମଭେଦୀ ଦୀର୍ଘଶ୍ୱାସ ଉତ୍ତଳା ପବନେ

ମୂର୍ଚ୍ଛିତ ରାଗରଂଜିତ ହୋଇଣ କରୁଣେ

ବରୁଣେଇ କଟକର ସେ ଅନ୍ତଃପୁରକୁ

ବ୍ୟାକୁଳିତ କରିଦେଉଥିଲା ଅତିପାଖୁ ।

ପ୍ରତ୍ୟାଗତ ମାରଦାରୁ ଶ୍ରୀମଣିମାମାନେ

ପୁରୁଷୋତ୍ତମ ଶ୍ରୀକ୍ଷେତ୍ରେ ରତ୍ନସିଂହାସନେ ।

ଅତିବାହିତ ହେଲାଣି ପ୍ରାୟ ଏକମାସ

ଦିନେ ହେବାର ଶ୍ରୀଜୀଉ, ଯା ଥିଲା ପ୍ରୟାସ ।

ଓଡ଼ିଶାର ଜନଜୀବନରେ ପ୍ରତ୍ୟୟର

ପ୍ରତିଷ୍ଠିତ ହୋଇଅଛି ଧିରେ ସ୍ଥିରତାର ।

ବିଜେ ହେବା ପରେ ତା ଶ୍ରୀମଂଦିରେ ଜଗନ୍ନାଥ

ଓଡ଼ିଆ ପ୍ରାଣରେ ପୁଣି ହୁଏ ଗୁଂଜରିତ

ନବବସନ୍ତର ଉନ୍ମାଦନା ନାନାରଂଗେ

ଆଉ ସେହି ଉନ୍ମାଦନା ପଲ୍ଲବିତ ବେଗେ

କରିଛି ମୋଗଲ ଧର୍ମାଂଧତାରାବସାନ

ପରବ ପାଳିତ କୁଲି ଖାଁ ଗାଦିନସୀନ

ପରେ ରାଜ୍ୟ ଜନଜୀବନରେ ଆଶ୍ୱସ୍ତିର

ସଂଚାର ହୋଇଣ ପ୍ରାଣରେ ସଂଭାବନାର

ପ୍ରତିଶ୍ରୁତି ସଂଚାଳିତ ହୋଇଯାଇଅଛି ।

ପ୍ରାଣ ତନ୍ତ୍ରୀରେ ସବୁଙ୍କ ପ୍ରାଣ ସଂଚରିଛି ।

ଆସନରୁ ଉଠିଧିରେ ଧିରେ ଗଜପତି

ଗୃହରେ ପଦଚାରଣ କରିବାକୁ ମତି ।

ବଳାଇଲେ ପ୍ରଭୁଙ୍କ ଚକଡ଼ା ବିଜେପରେ

ରାଜ୍ୟ ଶାସନ ସଂସ୍କାର ଆଦି ବିଷୟରେ ।

କୌଶଳାବଲମ୍ବନର ମନ୍ତ୍ରଣା ଦେବାର

ଆଜିତ ଧାର୍ଯ୍ୟ ଦିବସ ଦେଖା ନାହିଁକାର,

ଅନୁରକ୍ତ ଗଡ଼ପତି ବୃଂଦଆଜି ମଧ୍ୟ

ଏ ମନ୍ତ୍ରଣା ପରିସରେ ଯୋଗଦାନ ବାଧ୍ୟ

କରି ମୁକ୍ତ ଓଡ଼ିଶାର ଭିତ୍ତିକ ନିର୍ଣ୍ଣୟ

କରିବେ ସକଳେ ମିଶି ଏକଥା ନିଶ୍ଚୟ ।

କିଂତୁ ଏ ପର୍ଯ୍ୟନ୍ତ ସଂଚାଳନ ଅଭିଯାନ

ମୁଖ୍ୟକର୍ତ୍ତା ରାଜଗୁରୁ ନାହାନ୍ତି ମହାନ ।

ତାହା ହେଲେ ରାଜଗୁରୁ କି ସିଧାସଳଖ

ଲାଲବାଗ୍‌ କଟକକୁ ଗଲେ କରି ଲକ୍ଷ୍ୟ

କିଂତୁ ବାରବାଟି ଯିବା ପୂର୍ବରୁ ମନ୍ତ୍ରଣା -

-ସିଦ୍ଧ କାର୍ଯ୍ୟସୂଚୀ ନିର୍ଣ୍ଣୟର କି ଯନ୍ତ୍ରଣା ?

ଗଜପତି ଉତ୍‌କଣ୍ଠିତ ଚିତ୍ତରେ ଚାହିଁଲେ

ପରିଷଦର ଦୁଆର ଆଡ଼େ ମାଡ଼ିଗଲେ

ସେହି ବରୁଣେଇ ପରିତ୍ୟକ୍ତ ଅନ୍ତଃପୁର-

-ପାଟ ମହାଦେଇଙ୍କର କାଚ ଗହଳିର

ରୁଣୁରୁଣୁ ଶବ୍ଦ ସେଠି ନଥିଲା ସେକାଳେ

ପରିଷଦ ରାଜକର୍ମଚାରୀ ବି ନଥିଲେ

ତତ୍‌ ଜନିତ କୋଳାହଳ ଥିଲା ନିର୍ବିାପିତ

ତେଣୁ ଥିଲେ ଗଜପତି ଅନ୍ତରେ ଚିନ୍ତିତ

କେଉଁ ଏକ ଅପଦେବତାର ଅଭିଶାପ

ଜ୍ୱାଳାମୁଖୀ ଯନ୍ତ୍ରଣାର ଥିଲା ସେ ପ୍ରକ୍ଷେପ

ଉର୍ଜସ୍ୱଳ ଦୁର୍ଗ ଜାତି ଓଡ଼ିଆ ପ୍ରାଣର

ପ୍ରାସାଦ ଗାତ୍ରରେ ବରୁଣେଇ କଟକର ।

ଏବେ ମଧ୍ୟ ସେହି ଅଲକ୍ଷଣା ମେଳିଆର

ଅବସାନ ହୋଇନାହିଁ ନୀଚ ପ୍ରକୃତ୍ତିର ।

ଓଡ଼ିଶାର ଜାତୀୟ ଭେଦିଆ ଜୀବନର

ଏବେ ମଧ୍ୟ ଉଜ୍ଜୀବିତ ହୀନମନ୍ୟତାର ।

ସ୍ୱର୍ଣ୍ଣମୁଦ୍ରା ପାରିତୋଷିକର ଲାଳସାରେ

ଲାଳାୟିତ ଯେମିତି ଭେଦିଆ ଜୀବନରେ

ରାଜଗାଦିର ସ୍ୱପ୍ନିଳ ସ୍ୱପ୍ନରେ କେତେକ

ସେମିତି ବ୍ୟାକୁଳ ବହୁଗଡ଼ପତି ଲୋକ

ଗରିମାମୟ ପରଂପରାରେ ଓଡ଼ିଶାର

ଅନୈକ୍ୟର ଷଡ଼ଯନ୍ତ୍ର କୁଟିଳ ଦୁର୍ବାର

ମହାଜୀବନର ମହାନିର୍ବାଣ ସମାପ୍ତି

ଯେପରି ପଡ଼ିଛି ଓଡ଼ିଶାରେ ଏ ବିପତ୍ତି ।

କରିଣ ନିକ୍ଷେପ ଦୀର୍ଘଶ୍ୱାସ ପୁଣି ଥରେ

ଗଜପତି ବସିଗଲେ ସ୍ୱ ଆସନୋପରେ

ସେହି ପରିଷଦ ଗୃହର ଏକ କୋଣରେ

ଦୁଇ ପାରାବତ ଦଂପତ୍ତି ମୌନଭାବରେ

ବ୍ୟଥାର ଗୁଂଜନ ସୃଷ୍ଟି କରୁଥିଲେ ବସି

ଗମ୍ଭୀର ଭାବରେ ବେଳେ ବେଳେ ନୋହି ଖୁସି

ଆର୍ତ୍ତ ବିଳାପ ଡ଼ାହୁକଟାର ବାଟବଣା

ନିଃସଂଗ କ୍ଲାନ୍ତ ପଥିକ ସମ ଅନ୍ୟମନା

ହୋଇ ଯାଇଥିଲା ସତେ ନୀରବ ନିଶ୍ଚଳ

ଶରୀରେ ପ୍ରାଣ ନଥିଲା ପରି ଭାବ ତାର ।

ମଣିମାଙ୍କ ମଣୋହି ସମୟ ହେଇଗଲା

“ଯୋଡ଼ ହସ୍ତରେ ସଦେଇ ପାଇକ କହିଲା

ବିଶ୍ରାମ କଲେହିଁ ଛାମୁ ମଣୋହିର ପରେ

ସ୍ନାନ ଶୌଚ ସାରିବି ମୁଁ ଯାଇ ଅନ୍ତଃ ପୁରେ”

“କିଂତୁ ରାଜଗୁରୁ ଏ ପର୍ଯ୍ୟନ୍ତ ଆସିଲେନି”

ସ୍ନାନ ଶଉଚର ଆବଶ୍ୟକତା ହେବନି ।

ବିଷ୍ଫାରିତ ନୟନରେ ଗଜପତି ଭାଷା

ଶୁଣି ସଦେଇର ମନେ ବଢ଼ିଲା ନିରାଶା ।

ଆଜି ସଂକ୍ରାନ୍ତି ସଧିରେ କହିଲା ସଦେଇ

ଥିଲେ ସକାଳ ପ୍ରହରୁ ପାଟମହାଦେଈ

ଏ ପର୍ଯ୍ୟନ୍ତ ସ୍ନାନ ଶୌଚ କାର୍ଯ୍ୟ କେତେଥର

ହୋଇସାରାନ୍ତାଣି ଛାମୁ, ଅଶୁଭ ଗ୍ରହର

ଶନି ଦୃଷ୍ଟି ବିଂଛି ହୋଇ ପଡ଼ିଛି ଏଠାରେ

ଅଶୌଚ ଅଶୁଦ୍ଧି ହେତୁ ଏ ବରୁଣେଇରେ ।

କାର୍ଯ୍ୟରେ ଲାଗିବି ଛାମୁ ମଣୋହି ସରିଲେ

ସେତେବେଳେ ଗଜପତି ମୌନ ହୋଇଗଲେ ।

ଦୂର ଚକ୍ରବାଳ ତଳେ ଅସ୍ତଗାମୀ କ୍ଷୀଣ

ଚନ୍ଦ୍ରିକା ସମାନ ନିମିଷକ ପାଇଁ ମନ -

- ଆକାଶେ ଲଳିତା ପାଟ ମହା ଦେଈଙ୍କର

କ୍ଳାନ୍ତ ଲପନ ଉଇଁଣ ହୋଇଲା ଅନ୍ତର ।

ସାମାଜିକ ଜୀବନରେ ଅନୁସୃତ ନୀତି

ଯା ପାରଂପରିକ ଲୋକେ ସମାଜେ କହନ୍ତି

ସେ ଲଳିତା ପାଟ ମହାଦେଈ ଥିଲେ ତାଂକ

ଧର୍ମ ପତ୍ନୀ ମାତ୍ର ଶ୍ରୀରାମଚନ୍ଦ୍ର ଦେବଙ୍କ ।

ରୁପ ଲାବଣ୍ୟ ସଂପତ୍ତି କୀର୍ତ୍ତିର ଯେ ସାଥୀ

ଧର୍ମ ପତ୍ନୀ ଚିରଦିନ ସମାଜ ସ୍ୱୀକୃତି

ସହ ଧର୍ମିଣୀ ଅଥଚ ଆରାଧିକା ରାଧା

ପରି ଦୁଃଖେ ସୁଖମଣି ସହେ ସବୁବାଧା

ପ୍ରୀତି ଫୁଲବନେ ସରାଗର ପାରିଜାତ

ଫୁଟାଇ ଅନ୍ତଃ କରଣେ ହୋଇ ପ୍ରତିଭାତ

ବିଲ୍ୱମଂଗଳର ମେଘ ମହ୍ଲାର କୁ ଗାଇ

ଯେଉଁ ନାରୀ ପ୍ରିୟଜନ ସଂଗିନୀ ବୋଲାଇ

ଜୀବନ-ସଂଗିନୀ ହେବା ପାଇଁ କାଣିଚାଏ

ମାଗୁଣି ପ୍ରାର୍ଥନା କରେ, ତାକୁ ଦେବ କିଏ?

ସାମାଜିକ ସ୍ୱୀକୃତିର ମୁଦ୍ରା ତାର ପାଇଁ

ଲକ୍ଷ୍ମଣ ରେଖା ଅଲଙ୍ଘ୍ୟ ନିଷେଧ ଅଟଇ ।

ସେପରି ଅନୁରାଗର ପଥରେ, ପ୍ରୀତିର -

କୁସୁମକୁ ଗୁନ୍ଥି ଅପବାଦର ହବାର

ଲାଂଛନା ଅବହେଳାର ଲକ୍ଷ ବଂଚନାକୁ

ଗଳାମାଳା କରି ଯେଉଁ ବିଧର୍ମୀ ନାରୀକୁ

ଓଡ଼ିଶା ଗୌରବର ଉଦୟରାଗ ପାଇଁ

ଆତ୍ମୋତ୍ସର୍ଗ କରିଥିଲା ଯେଉଁ ନାରୀ ରହି

ସେହି ରିଜିୟା ସ୍ୱୀକୃତି ଆଜି ପରାକୃତ

ତଥାକଥିତ ସମାଜ ନୀତି ବିପରୀତ

ତାରି ପାଇଁ ପ୍ରଣୟର ବିଧର୍ମ ମାଧୁରୀ

ବିଚାର ଧାରାରେ ଅପାଂକ୍ତେୟ ସ୍ୱର୍ଗପରି ।

ତାରବଂଦିତ ନାରୀତ୍ୱ ଏ ପରଂପରାରେ

ଧର୍ମାପକୃତ ଭୂମିକା ରକ୍ଷଣଶିଳରେ ।

ଯୁଗେ ଯୁଗେ ଧରମର ମୋ÷ଳବାଦୀ ମାନେ

ଏମିତି ରକ୍ଷଣଶୀଳ ନର୍ଜୀବ ଜୀବନେ

ଅଂଧ ଉପାସକ ମାତ୍ର ଶାସ୍ତ୍ର କୀଟ ଯାକୁ

କହନ୍ତି ଲୋକ ଭାଷାରେ ନମସ୍ତେ ତାହାଙ୍କୁ

ସେଇଥି ପାଇଁ କରୁଣା ବରୁଣାଳୟରେ

ଶ୍ରୀ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଅନ୍ତରରେ ।

ଉଦ୍‌ ବେଳିତ ଭାବନାକୁ ଶ୍ରୀ ଜଗନ୍ନାଥଙ୍କୁ

ସମର୍ପଣ କରି ବଂଦି ତାଂକ ମହିମାକୁ

ଚିର ଉଜ୍ଜୀବିତ କରି ରଖିବାର ପାଇଁ

ରେଜିୟାର ହାତଧରି, ଆସିଥିଲେ ଧାଇଁ

କରିଥିଲେ ସେ ଆହ୍ୱାନ ଏ ଇତିହାସକୁ

ସହି ଅଶେଷ ଯନ୍ତ୍ରଣା ପାଇଣ ଦୁଃଖକୁ ।

ଅସ୍ୱୀକୃତ ରାଣୀ ରିଜିୟା କୋ÷ଶଳକୃତ

ସହାୟତାର ବଳ ରେ, ସେଇ ଦୁର୍ବିନୀତ

ତାକୀଖାଁ ମୋଗଲ ଲସକର ବାହିନୀକୁ

ପରାହତ କରି ଜନ ଓଡ଼ିଶା ସ୍ୱାର୍ଥକୁ

ପାଇକ ବାହିନୀ ଧ୍ୱନି ଜୟ ଜଗନ୍ନାଥ

ଧ୍ୱନିରେ ଘର୍ଘର ନାଦେ ସ୍ୱ ବିଜୟ ରଥ

ଟାଣି ଆଣିଥିଲେ ଧରି ବଡ଼ ଗୌରବରେ

ବଡ଼ ଦାଣ୍ଡର ଅରୁଣ ସ୍ତମ୍ଭ ଚକଡ଼ାରେ ।

ନିଜ ଅନୁଗତ ସୈନ୍ୟ ବାହିନୀର ସହ

ବାହୁଡ଼ା ପଥରେ କରି ମୋଗଲଙ୍କୁ ଜୟ

ରାଷ୍ଟ୍ର ଦେବତା ବିଜୟ ବାହୁଡ଼ା ପରବ

ରେଜିୟାଙ୍କ ଆତ୍ମ ନିବେଦନ ଶ୍ରେଷ୍ଠ ଗର୍ବ

କିଂତୁ ଏହି ଆତ୍ମନିବେଦନର ବାରତା

ଜୀବନେ ମହାର୍ଘ ଯାହା ଶାସ୍ତ୍ରରୀତି କଥା

ମୋ÷ଳବାଦୀ ଧର୍ମଧ୍ୱଜୀ ପଣ୍ଡିତ ମାନଙ୍କ

ମନକୁ ଛୁଇଁ ପାରିଲା ନାହିଁ - ଏ ଆତଙ୍କ ।

ଅଭୟ ମୁକ୍ତିର ରତ୍ନସିଂହାସନ ପାଶେ

ରେଜିୟାଙ୍କ ମନ ପହଂଚିଲା ଇତିହାସେ

କିଂତୁ ତନୁ ପହଂଚିଲା ନାହିଁ ଏହା ସତ୍ୟ

ମୌଳ ବାଦୀ ଧର୍ମଧ୍ୱଜୀ ପଣ୍ଡିତଙ୍କ, କୃତ୍ୟ

ସ୍ମୃତି ମଂଚ ପ୍ରୀତି ସିଂହାସନର ଉପରେ

ଦିଶୁଥିଲା ଜକଜଜ ପ୍ରଦୀପ ଜ୍ୟୋତିରେ

ରେଜିୟାଙ୍କ ଲିଲାୟିତ ବଦନ ଚନ୍ଦ୍ରମା

ଚାରୁ ହାସ୍ୟର ଲହରୀ ପ୍ରେମ କୁଂଜେ ସିନା

କଳା ଘୁମର ଆଖିରେ ଶୁଦ୍ଧ ସମର୍ପଣ

ଶୁଦ୍ଧ ପ୍ରଣୟର, ପ୍ରେମ-ମୟ ନିଦର୍ଶନ

ହୃଦୟର ପ୍ରୀତି ନିର୍ଯ୍ୟାସକୁ ସେ ଅଜାଡ଼ି

ଦେଇ ରିଜିୟା ନିଃଶେଷ ହୋଇଗଲେ ଝଡ଼ି

କିଂତୁ ଓଡ଼ିଶାର ଇତିହାସର ଏ ଭୀରୁ

ହୀନବଳ ଅଧ୍ୟାୟକୁ କରି ଦେଲା ମେରୁ

କରି ଦେଇଗଲା ଉର୍ଜ୍ଜସ୍ୱଳ ପ୍ରାଣେ ପ୍ରାଣେ

ନରଖି ସ୍ୱାର୍ଥର ଭାବ, ବରଜି ଗୁମାନେ

ବାହୁଡ଼ା ବିଜୟ ପରେ ଜଗନ୍ନାଥଙ୍କର,

ରେଜିୟା ଆତ୍ମୋତ୍ସର୍ଗର ସତ୍ୟ-ନିରନ୍ତର

କାହାଣୀ ମାତ୍ର ହୋଇଲା ଧର୍ମାଂଧତା ବ୍ୟାଜେ

ବିଚାରରେ ଶ୍ଳାଘ୍ୟ ହୋଇପାରିନି ସହଜେ ।

ସେ ନାରୀବରର ତ୍ୟାଗ ଏହି ଇତିହାସ

ଭୁଲିଗଲା କଲା ନାହିଁ ଜନେ ପରକାଶ ।

ଜଗନ୍ନାଥ ମଧ୍ୟ ତୁନି ହୋଇଲେ କିପରି

ଜଗତର ନାଥ ବୋଲି ପଡ଼େ ସଦାହୁରି

ଲାଗୁଛି ଜଗତନାଥ କଲେ ପକ୍ଷପାତ

ସେଥି ପାଇଁ ଜଗନ୍ନାଥ ଦୋଷୀ ହେବେ ସତ

ବରୁଣେଇ କଟକରେ ରହି କିଛିଦିନ

ଶୁଣି ଲୋକ ମୁଖ କଂଟକିତ ଗୁଂଜରଣ ।

ଗ୍ଲାନିରେ ରେଜିୟା ଫେରି ଗଲେ ପୁଣି ଥରେ

ଲାଲବାଗ କଟକର ଅବରୁଦ୍ଧ ଘରେ ।

ବର୍ଣ୍ଣାଢ଼୍ୟ ସେ ହାରେମର ଶଯ୍ୟା ତୁଳିତଳ୍ପ

ଉପରେ ବସି ବିନିଦ୍ରା ଭାବିଣ ଅନଳ୍ପ

ରେଜିୟା ବିଶ୍ୱସ୍ତ ଲସକର ହସ୍ତେ ଚିଠି

ପଠାଇଥିଲେ ଶ୍ରବଣ କର ସୁଧି-ଗୋଷ୍ଠୀ

ରାଗ: ଚିନ୍ତାଦେଶାକ୍ଷ (ଚିଠି ରେଜିୟାଙ୍କ ଗଜପତିଙ୍କୁ)

ପ୍ରିୟତମ ମୋର ଘେନ ନମସ୍କାର ପଢ଼ିବ ଖୋଲି ଏ ଚିଠି

କରିବନି ହେଳା ବୁଡ଼ିଯିବ ଭେଳା ରହିଛି କଷ୍ଟରେ ଏଠି

ହେ ପ୍ରିୟ!

ମୋର ଜିଣିଛ ତୁମେ ହୃଦୟ

ତୁମ ପାଇଁ ରଖିଛି ଏ ଦେହ

ରାଣ ଖାଉଛି ନାହିଁ ସଂଦେହ      (୧)

ଅବରୁଦ୍ଧ ଘରେ      ଏଲାଲବାଗରେ      ବର୍ଣ୍ଣାଢ଼୍ୟ ତୁଳିତଳ୍ପରେ

ଆସୁନାହିଁ ନିଦ୍ରା      ହୋଇଛି ବିନିଦ୍ରା      କେତେ ରଜନୀ ଏକାରେ

ହେ ଭାବି

ତୁମ କଥା ସବୁବେଳେ ଭାବି

ଜଗନ୍ନାଥଙ୍କ ଚରଣ ସେବି

କାମ କରୁଥିବ ସଦା ଭାବି      (୨)

ଶୁଣି ଲୋକ ମୁଖ-      କଂଟକିତ ବାକ୍ୟ      ଛାଡ଼ିଲି ମୁଁ ବରୁଣେଇ

ଅବରୁଦ୍ଧ ଘରେ      ଅଛି କଟକରେ      ଜାଣେ ନା କିହେବ ରହି

ହେ ଧନ

ମନେ ପଡ଼ୁଛି ତୁମ୍ଭ ବଚନ

ସ୍ୱାସ୍ଥ୍ୟ ପ୍ରତି ରଖିଥିବ ଧ୍ୟାନ

କର ରାଜ୍ୟ ଉନ୍ନତି ବିଧାନ      (୩)

ଛାଡ଼ିଲି ମୁଁ ଘର      ଦୁଆର ତୁମ୍ଭର       ଆଶ୍ରାଟିକେ ପାଇବାକୁ

ତେଣୁ ଶ୍ରୀଚରଣେ      କାଣିଚାଏ ସ୍ଥାନେ       ରଖିବ ଅଭାଗିନୀକୁ

ହେ ମୋର

କେବେ ଆଡ଼େଇ ଦେବନି ଗୋଡ଼

ଆଉ ଲୋଡ଼ାନାହିଁ କିଛି ମୋର

ମାନ ରଖିବ ଶ୍ରୀଜୀଉଙ୍କର      (୪)

ଏ ଜବାଧରୀର      ହୃଦୟ ରାଜ୍ୟର       ତୁମ୍ଭେ ଅଟ ମହାରାଜା

ହୃଦ ସିଂହାସନେ      ବିଛାଇ ଗୋପନେ       କରେ ଦିନରାତି ପୂଜା

ତୁମକୁ

ନାହିଁ କିଏ ସାହା ମୋ ପାଖକୁ

ଅତି ଅନ୍ତରତମ ଯାହାକୁ

ଥରେ ମନକଥା କହିବାକୁ      (୫)

ଏ ମହାନଦୀରେ      ସଲିଳ ବେଣୀରେ      ତୁମରି ରୁପର ଛଂଦ

ଚିର ବଂଦନୀୟ      ଚିର ଦର୍ଶନୀୟ      ଦେଖେ ଆଖି କରି ବଂଦ

କରନ୍ତୁ

ଚକ୍ର ଉହାଡ଼ରେ ସଦା ଥାନ୍ତୁ

ଜଗନ୍ନାଥ ତୁମ୍ଭଙ୍କୁ ରଖନ୍ତୁ

ଜୟ ଜଗନ୍ନାଥ ସ୍ମରୁ ଥାନ୍ତୁ      (୬)

****

ରେଜିୟାଙ୍କ ଚିଠିପାଇ ସେଦିନ ଆଖିର

ଲୁହରେ ପାଟଖଣ୍ଡାକୁ ଧୋଇଲେ ତାଂକର

ଅଭିଷେକ କରିଥିଲେ ଖଣ୍ଡା ଗଜପତି

ରେଜିୟା ବିଟାଉ ପଢ଼ି ରଖିଲେ ସାଇତି ।

ଓଡ଼ିଶାର ଅଭ୍ୟୁ ଦୟ ଉତ୍ସ ପ୍ରେରଣାର

ନିବେଦିତା ଜବାଧରୀ ଶ୍ରୀମଣିମାଙ୍କର

ଆରାଧ୍ୟ ରାଷ୍ଟ୍ର ଦେବତା ଶ୍ରୀ ଜଗନାଥଙ୍କ

ପାଦପଦ୍ମତଳେ ରଖି ସେ ଚିଠି ଖଣ୍ଡକ

ଆକୁଳ ସ୍ମୃତିର ରୋମଚ୍ଛନ ଭାବନାରେ

ଅତିଷ୍ଟ ହୋଇ ପଡ଼ିଲେ ନିର୍ଜ୍ଜକ ଗୃହରେ

ପରିଷଦ ଗୃହେ ଥିଲେ ରାଜନ ଏକାକୀ

ନିର୍ବାସିତ ଏକ ବଂଦୀ ସମାନ ଭାବିକି?

ଏ ପର୍ଯ୍ୟନ୍ତ ଆସିଲେନି ମନ୍ତ୍ରୀ ରାଜଗୁରୁ

କୌଣସି ସଂବାଦ ମଧ୍ୟ ଆସି ନାହିଁ ଦୂରୁ

ଅଥଚ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକରେ

ରାଜ୍ୟ ଶାସନ ନୀତିର ମୂଖ୍ୟ ବିଷୟରେ

ଆଲୋଚନା ହୋଇଥାନ୍ତା ନୀତି ନିର୍ଦ୍ଧାରଣ

ବିଚାର ବିମର୍ଷ କାର୍ଯ୍ୟ ନିର୍ଦ୍ଧିଷ୍ଟ ପ୍ରମାଣ

ବାହାରେ ଶୁଭିଲା ଆଳାପର କୋଳାହଳ

ସହସା ଉତ୍‌କର୍ଣ୍ଣ ହେଲେ ଗଜପତିବୀର

ପ୍ରବେଶ କଲେ ଗୃହରେ ଆସି ରାଜଗୁରୁ

ପଛେ ପଛେ ପହଂଚିଲେ ଗଡ଼ପତି ଦୂରୁ ।

ରଥିଗଡ଼ର ଦେୱାନ ଆଠଗଡ଼ ରାଜା

ବାଣପୁର ରଘୁନାଥ ପୁରାଦିର ରଜା

ତାପଙ୍ଗ ଗଂଗପଡ଼ା ଓ ଚୋଡ଼ଙ୍ଗ ଗଡ଼ର

ସବୁ ଗଡ଼ ପତିବୃନ୍ଦ ହୋଇଲେ ହାଜର ।

ଗଜପତିରାଜା ଚିତ୍ତ ତଳେ ଆଶ୍ୱସ୍ତିର

ପ୍ରବାହ ପ୍ରଲେପ ଲେପ ସୁଶୀତଳତାର

ଇଂଗିତ ପ୍ରଦାନ କଲେ ଗଡ଼ପତିବୃନ୍ଦେ

ଆସିବାକୁ ଭିତରକୁ ମନର ଆନଂଦେ

ରାମଚନ୍ଦ୍ର ଦେବ ବସି ଆସନ ଉପରେ

ଏକ ଶ୍ୱସ୍ତିର ଦୀର୍ଘଶ୍ୱାସ ନିକ୍ଷେପ କଲେ ।

ରାଜଗୁରୁଙ୍କ ଭାଷଣ ହୋଇଲା ତାପରେ

ଶୁଣୁଥିଲେ ମନ ଦେଇ ସମସ୍ତେ ସଭାରେ ।

ଆଗମନରେ ବିଳମ୍ବ ଗଡ଼ପତିଙ୍କର

ହୋଇଗଲା ମହାରାଜା ଶୁଣନ୍ତୁ ଏଥର ।

ଏ ପର୍ଯ୍ୟନ୍ତ ମିଳିଲାନି ବାଙ୍କି ସମର୍ଥନ

ଅସହଯୋଗର ନାସ୍ତିବାଣୀର ବହନ

କରି ଦୂତ ଫେରି ଆସିଅଛି ଏହିଠାରେ

ସେ ଏକ ସମସ୍ୟା ସୃଷ୍ଟି କରିଛି ଏଥିରେ ।

ମହାରାଣୀ ଲଳିତା ପାଟ ମହାଦେଈଙ୍କ

ପୁତ୍ର ଭାଗିରଥୀ କୁମାର ହିଁ ଟେକି ବେକ

ଯଦି ଗଜପତି ଆସନକୁ ଅଳଂକୃତ

କରିବେ ତେବେ ମିଳିବ ସହଯୋଗ ସତ୍ୟ

ବୋଲି ସ୍ୱୟଂ ମାନସିଂହ ବାର୍ତ୍ତାକୁ ଫେରାଇ

ଅଛନ୍ତି ଏଥିରୁ ଦ୍ୱିଧା କେବେ ହେବ ନାହିଁ । ।

ତାହା ହେଲେ ରାଜଗାଦି ପ୍ରମତ୍ତ ମୋହରେ

ଜାତୀୟ କର୍ତ୍ତବ୍ୟକୁ କି ପାଶୋରିଣ ଦେଲେ?

କ’ଣ ଏ ସାମନ୍ତମାନେ ହେଲେ ହୀନମନ୍ୟ

ଭୁଲିଗଲେ ଜାତୀୟ କର୍ତ୍ତବ୍ୟ ସ୍ୱାଭିମାନ

ସ୍ୱାଭିମାନ ସପକ୍ଷରେ ଗାଦିର କ୍ଷମତା । ।

ମୋହ କ’ଣ ଏତେ ପରବଳ ଏକି କଥା?

“ ଯୁଗେ ଯୁଗେ ତ କ୍ଷମତା ମଣିଷର ଅଂଧ

ମୋହ ହୋଇଣ ଆସିଛି, ଆଉସବୁ ଗଂଧ

ଜାତୀୟ କର୍ତ୍ତବ୍ୟ ପରିପ୍ରେକ୍ଷୀରେ ମୋହର

ଅଂଧ ଦୁର୍ବାରତା ଏ ପର୍ଯ୍ୟନ୍ତ ଓଡ଼ିଶାର

ଇତିହାସରେ କୃଷ୍ଣମସୀର ବିଡ଼ମ୍ବିତ

ଅଧ୍ୟାୟ ରଚନା କରି ଆସିଛି ଏ ସତ୍ୟ ।

ଏ ଜାତିର ଜାତୀୟତା ଜ୍ଞାନ ଉଦେ ହେବ

କେବେ କେବଳ ନିର୍ଣ୍ଣୟ କରିବଦଳିବ ।”

କେତୋଟି ମୁହୂର୍ତ୍ତ ଗଜପତି ମୌନ ରହି

ମୁକ୍ତ ଗବାକ୍ଷ ଧାରରେ ବାହାରକୁ ଚାହିଁ

ଦୂର ଚକ୍ରବାଳ ଧାରେ କେବେ କ୍ଷୀଣକାୟ

ବିହଂଗମ ଉଡ଼ି ଯାଉଥିଲେ କତିପୟ

କେଉଁ ଅନିଶ୍ଚିତ ଭବିଷ୍ୟତ ସଂଭାବନା

ଅନ୍ୱେଷଣ କରି ଯାଉଥିଲେ ନାହିଁ ମନା ।

ତାହାହେଲେ ଗଂଜାଗଡ଼ ଗଡ଼ପତି ଆଜି

ମାନସିଂହ ଶତ୍ରୁତାକୁ ଧରେ ଧିରେ ମାଜି

ଯା ଥିଲା ପାରିବାରିକ ଶେଷ ପରିଯନ୍ତ

ପ୍ରମୁଖ କରି ଜାତୀୟ ସ୍ୱାର୍ଥର ତଦନ୍ତ

କର୍ତ୍ତବ୍ୟ ବୋଧକୁ ସ୍ୱାର୍ଥ ଅଂଧ ଗହ୍ୱରରେ

ନିକ୍ଷେପ କଲେ ପ୍ରମତ୍ତ ଅଜ୍ଞାନ ଭାବରେ ।

ଗମ୍ଭୀର କଂଠରେ ଭାଷା ଗଜପତିଙ୍କର

ମଣିମା ବିଜେ ହେଲେ ଶ୍ରୀବତ୍ସ ଖଣ୍ଡଶାଳ ।

ଆପାତତଃ ଶତ୍ରୁ ଭୟ ଦୂର ହୋଇଥିବା

ମନେ ହେଉଛି ରାଜ୍ୟରେ ପ୍ରଜାମାନେ ଅବା ।

ପ୍ରତ୍ୟୟର ନିଶ୍ଚୟତା ପ୍ରତିଷ୍ଠିତ ମଧ୍ୟ

ହୋଇଥିବା ହସ୍ତଗତ ହୋଇଛି ସଂବାଦ ।

ପାଇକ ମନେ ବିଶ୍ୱସ୍ତ ସ୍ଥିରତାରବଳ

ସଂଚାରିତ ହେବା ବେଳେ ଅଖଣ୍ଡ କେବଳ ।

ସଂକଳ୍ପ ବୋଧର ପ୍ରୟୋଜନ ବର୍ତ୍ତମାନ

ମୋଗଲ ଶତ୍ରୁମାନଙ୍କର କି ଆକ୍ରମଣ ।

ଆଶଙ୍କା ନଥିଲାବେଳେ ଏହି ଓଡ଼ିଶାର

ସାର୍ବଭୌମତ୍ୱ ପ୍ରତିଷ୍ଠା ପାଇଁ ହିଁ କେବଳ

ଏକନିଷ୍ଠ ଉଦ୍‌ଯୋଗ ଲବେ ଆବଶ୍ୟକ

ତେଣୁ ଗଡ଼ପତିମାନେ ସର୍ବେ ହେବେ ଏକ ।

ସମବେତ ଗଡ଼ପତିମାନେ ଏକସ୍ୱରେ

କହିଲେ ଆଜି ଏକତାବଦ୍ଧ ଏହିଠାରେ

ଅପହୃତ ଗୌରବକୁ ପୁନରୁଳ୍ମୀବିତ

କରିବାକୁ ହେଲେ ପରଂପରା ଏ ସଂସ୍କୃତ

ଆବଶ୍ୟକ ଗଜପତି ମଣିମା ଶୁଣନ୍ତୁ

ଶୁଦ୍ଧ ସଂସ୍କୃତ ଜୀବନ ଆଦର୍ଶର ସେତୁ ।

ଅନୁସରଣର ପ୍ରଭାବରେ ହିଁ ରାଜ୍ୟର

ପ୍ରଜା ପାଇକ କୁଳଙ୍କ ଚିତ୍ତେ ପ୍ରତ୍ୟୟର ।

ସଂକଳ୍ପ ହୋଇ ପାରିବ ପ୍ରତିଷ୍ଠିତ ଲବେ

ଆଉ ସେଥିପାଇଁ ଆଦରଶ ନର ଭାବେ ।

ରାଜ୍ୟର କର୍ଣ୍ଣଧାରଙ୍କ ଭୂମିକା ଅତ୍ୟନ୍ତ

ଗୁରୁତ୍ୱପୂର୍ଣ୍ଣ ହେ ମହାରାଜା ଏହାସତ୍ୟ ।

ସହସା ଗମ୍ଭୀର ହୋଇଗଲେ ଗଜପତି

ଗଡ଼ପତିଙ୍କ ମନ୍ତବ୍ୟ ଗଜପତି ଛାତି

ଭିତରେ ଶତ୍ରୁର ତୀକ୍ଷ୍ଣ ଶଳାଳା ସମାନ

ବିଦ୍ଧହୋଇ ଅଶ୍ୱସ୍ତିର ରକତ କ୍ଷରଣ

କରିଦେଲା ସେହି ମୁହୂର୍ତ୍ତରେ ସେତେବେଳେ

ଜାଣିଗଲେ ଗଜପତି ଆକ୍ଷେପ କାହାରେ

ସବୁ ଅପବାଦ ସବୁ ଆକ୍ଷେପ ସକଳ

ବେଗମ ରେଜିୟା ପାଇଁ - ପାଇଁ ହିଁ କେବଳ ।

ଭାବିଲେ ମଣିଷ ଯୁଗେ ଯୁଗେ ବହିରଂଗ

ଧରମର ଶତ୍ରୁତାର ରୂପ ଦେଖି ଭଂଗ

ଅଥଚ ସେ ଅନ୍ତରଂଗ ଶୁଚି ପବିତ୍ରତା

ଅବଲୋକନ କରିଣ ପାରିଲା ନାହିଁ ତ ।

ରାଜଗୁରୁ ଭାଷି ନୀରବତା ଭଂଗ କରି

ବର୍ତ୍ତମାନ ଆଉ ଅନୁଶୋଚନା ନକରି

କାରଣ ନୁହେଁ ସମୟ ଅନୁଶୋଚନାର

ବେଳ ଆସିଛି କେବଳ ଆତ୍ମ ସମୀକ୍ଷାର ।

ଆତ୍ମ ସମୀକ୍ଷାର ସଂକଳପ ବୋଧୋପରେ

ପ୍ରତିଷ୍ଠିତ କରିବାକୁ ହେବ ଓଡ଼ିଶାରେ

ଉର୍ଜସ୍ୱଳ ସଉଧ ଉତ୍ତୁଙ୍ଗ ସେଥିପାଇଁ

ଆବଶ୍ୟକ ଦୃଢ଼ ମନୋବଳ ଉଠଭାଇ

ଏକାନ୍ତ ନିଷ୍ଠା ଓ ଅନୁପମ ଆତ୍ମୀୟତା

ବୋଧହିଁ ଐକ୍ୟର ପାଇବାକୁ ଜାତୀୟତା ।

“ଆଉ ସେହି ଅନୈକ୍ୟର ସୁଯୋଗ ନେଇଣ

ବହିରାଗତ ଶତ୍ରୁ ଓଡ଼ିଶା ଆକ୍ରମଣ

କରି ସ୍ଥିର ସାର୍ବଭୌମତ୍ତ୍ୱକୁ କରିଗ୍ରନ୍ଥି

ଦୀର୍ଣ୍ଣ ବିଦୀର୍ଣ୍ଣ ଅତୀତେ ଯାହା ଜାଣିଛନ୍ତି

ପାରସ୍ପରିକ କ୍ଷମତା ଲୋଭ କନ୍ଦଳର

ସୁଯୋଗ ନେଇ ଓଡ଼ିଶା ମାଟିରେ ମୋଗଲ ।

ଲହରିତ ହୋଇଅଛି ପତାକା ତାଂକର

ଆପଣମାନଙ୍କୁ ଜଣାଉଛୁ ଶେଷଥର ।

ଯେ ଅଖଣ୍ଡ ଓଡ଼ିଶାର ପ୍ରତିଷ୍ଠା ସକାଶେ

ସ୍ୱ ପରଂପରା ଚରିତ୍ର ଉପରେ ସରସେ

କଳଙ୍କର କଳାବୋଳି ମୋଗଲ ରକ୍ଷିତା

ହିନ୍ଦୁ କନ୍ୟା ଜବାଧରୀ ପାଣି ଗ୍ରହଣ ତା

କରିଥିଲି, ଆଉ ସେହି ବାଳା ଏକ ନିଷ୍ଠ

ସହାୟତା ଫଳରେହିଁ ମୋଗଲ ବରିଷ୍ଠ

ସୈନ୍ୟ ଅବରୋଧ ଜଗନ୍ନାଥ ଭେଦକରି

ବଡ଼ ଦେଉଳରେ ଆଜି ଛନ୍ତି ବିଜେକରି ।

ଓଡ଼ିଶା ଇତିହାସର କୃଷ୍ଣ ମେଘାଚ୍ଛନ୍ନ

ବିପର୍ଯ୍ୟୟ ମଧ୍ୟେ ରେଜିୟାର ଅଭିଯାନ

ତ୍ୟାଗପୂତ ମହିମାର ସବିତାଙ୍କୁ ଥରେ

ଆପଣମାନେ ଦେଖନ୍ତୁ ବସି ଘରେ ଘରେ ।

ଗଭୀର ଅନ୍ତଦୃଷ୍ଟିରେ ଦେଖନ୍ତୁ ସମସ୍ତେ

ଗଜପତି ରାମଚନ୍ଦ୍ର ଦେବ ଶୁଦ୍ଧ ଚିତ୍ତେ

ସେ ଚିତ୍ତର ଅଭୀପ୍ସାକୁ ବାରଂବାର ଧରି

ମଣିମାଙ୍କ ଚିତ୍ତ ପବିତ୍ରତା ରକ୍ଷା କରି

ଓଡ଼ିଶାର ସଂସ୍କୃତିକୁ ଚିର ସମୁଜ୍ଜଳ

ରଖିôବା ପାଇଁ ଧର୍ମର ରଂଗେ କାଳିମାର

ଯଦିମୁଁ ଲେପ ପ୍ରୟୋଗ କରିଛି ହେ ତେବେ

ତା ମୁଁ ଆଗାମୀ ସୂର୍ଯ୍ୟର ଅଭ୍ୟୁଦୟ ଭାବେ ।

ସୁନ୍ଦର ସୁପ୍ରଭାତର ଆଗମନ ପାଇଁ

ଜବାଧରୀ ହାତ ଧରିଥିଲି ଶୁଣ ଭାଇ ।”

ରାମଚନ୍ଦ୍ର ଦେବଙ୍କର ବଳିଷ୍ଠ ଭାଷଣ

ପ୍ରସରିଲା ପରିଷଦ ହୋଇଲା ମଉନ

କାହା ପାଟିରୁ ବଚନ ଫିଟିଲାନି ସେଠି

ସବୁ ସଭା ସଦ ଥିଲେ ଚିପି ନିଜ ପାଟି

ମଧ୍ୟାହ୍ନର ଖରା ଗଡ଼ ସନ୍ନିକଟ ବଣ

ମଧ୍ୟରୁ ଏକ ଝିଲ୍ଲୀର ଝଂକାର କରୁଣ

ଭାବାବେଗ ସ୍ପଷ୍ଟି କରି ଆସୁଥିଲା ଭାସି

ଗଭୀର ଭାବରେ ପରିଷଦ ମନ ତୋଷି ।

 

“ବର୍ତ୍ତମାନ ବାହ୍ୟ ଶତ୍ରୁ ଆକ୍ରମଣାଶଙ୍କା

ଆପାତତଃ ଦୂରୀଭୂତ ହୋଇଥିଲେ ଏକା

ନାଏବ ନଜିମ କୁଲି ଖାଁକର ବ୍ୟକ୍ତିତ୍ୱ

ସଂଦେହ ଜନକ ଜଣା ପଡ଼ୁଛି ଯାହାତ

ଓଡ଼ିଶା ରାଜଗାଦିକୁ କରି ବିଶୃଙ୍ଖଳ

ମୋଗଲ କୁଲି ଖାଁ ହୁଏ ତ ରାଜନୀତିର

ଗୋଟି ଚଳାଇ ପାରନ୍ତି ନ ପଡ଼ୁଛି ଜଣା

ତାର ବ୍ୟକ୍ତିତ୍ୱ ସଂଦେହଜନକ ମଣିମା”

ଉତ୍କଣ୍ଠିତ ଗଜପତି ଶୁଣି ଏହି ଭାଷା

ରାଜଗୁରୁଠାରୁ, ପ୍ରଶ୍ନ କରିଣ ଜିଜ୍ଞାସା

ଉତ୍ସୁକୀ ଭାବରେ ତା’ଙ୍କ ମୁଖକୁ ଚାହିଁଲେ

ସ୍ପଷ୍ଟ କରିଣ ଦେବାକୁ ଗୁରୁଙ୍କୁ କହିଲେ

ନାଏବ ନଜିମ ସରଳତାର ସୁଯୋଗ

ନେଇ ରାଜସ୍ୱ ସଚିବ ମୀର ଆସିଆଗ

ରାଜଗାଦିରେ ଅନ୍ୟ କାହାକୁ ଗଜପତି

ଆସନରେ ଅଧିଷ୍ଠିତ କରିବାକୁ ଅତି-

ମାତ୍ରାରେ ସେ ଅଭିଳାଷୀ, ଦିଲ୍ଲୀ ଦରବାର-

ପେସକିସ ବୃଦ୍ଧି ପାଇଁ ହେଲେଣି ତିଆର

ଯେଉଁ ରାଜା ଅବା ଗଡ଼ପତି ସମଧିକ

ମୂଲ୍ୟ ଦେବାକୁ ପ୍ରସ୍ତୁତ ହୋଇବେ ତାହାଙ୍କ

କଥା ନେଇ ବିଚାରକୁ ତାଂକୁ ଗଜପତି

ଆସନରେ ଅଧିଷ୍ଠିତ କରିବାକୁ ମତି

ବଳାଇ ପାରନ୍ତି ଦୃଢ଼େ ସେ ମୀରହବିବ

ପ୍ରଚୋଦିତ ବାରଂବାର କୁଲି ଖାଁକୁ ହେବ

ଅଧିକ ରାଜସ୍ୱ ଲୋଭେ ହବିବ କଥାରେ

କୁଲି ଖାଁ ଯେ ଏକ ମତ ହୋଇ ଯାଇପାରେ ।

ଏହିପରି ଘଡ଼ିସଂଧି ମୁହୂର୍ତ୍ତ ରାଜ୍ୟରେ

ଏକସ୍ଥିର ଶାସନ ସ୍ଥାପନ କରିବାରେ

ଏକାନ୍ତ କର୍ତ୍ତବ୍ୟ ଆମ ହେଛାମୁ ମଣିମା

ତେଣୁ ବିଚାର କରନ୍ତୁ ଏ ସମୟ ସୀମା

ଅସ୍ତିତ୍ୱବୋଧ ଜାଗ୍ରତ ରଖିବାକୁ ହେବ

ଦେଶର ଏହି ଜଟିଳ ସ୍ଥିତିରେ ସରବ

ମିଳିମିଶି ଉଦ୍ଦୀପିତ ହେବ କରିବାକୁ

ଅସ୍ମିତା ବୋଧର ଅଖଣ୍ଡ ସ୍ୱାଭିମାନକୁ ।

ହତାଶ କଂଠରେ ବୀର ରାମଚନ୍ଦ୍ର ଦେବ

କହିଲେ ପୁଣି ଭେଦିଆ ଜନିତ ସ୍ୱଭାବ

“ଅନୈକ୍ୟର ଦୁର୍ଭାଗ୍ୟଜନକ ପରିବେଶ

ସୃଷ୍ଟି ରାଜଗୁରୁ - ବର୍ତ୍ତମାନ ହେବ କିସ?

କରଦ ରାଜାଙ୍କୁ ପ୍ରଲୋଭିତ କରି ପୁଣି

ଅଧିକ ରାଜସ୍ୱ ବୃଦ୍ଧି ଆଶାରେ ନମାନି

ସୁଚିନ୍ତିତ ବିଶୃଙ୍ଖଳା ହୋଇ ଯିବ ସୃଷ୍ଟି

ଓଡ଼ିଶା ଇତିହାସରେ ଅମଂଗଳ ବୃଷ୍ଟି ।

ଆଉସେ ରାଜନୀତିର କୁଟୀଳ ଜଟିଳ

ପଶାପାଲିରେ ପଡ଼ିବେ ଅଧିକାଂଶ କ୍ରୂର

ହିନ୍ଦୁ ରାଜ୍ୟ ପ୍ରଲୋଭିତ ହୋଇଣ ଶେଷରେ

ବଶମ୍ବଦ ପଶାକାଠି ପାଲଟିବେ ଖରେ ।

କେତୋଟି ମୁହୂର୍ତ୍ତ ପାଇଁ ସେ ପରିଷଦର

ଗୃହରେ ବିରାଜମାନ ନିସ୍ତବ୍ଧ ଗଂଭୀର

ଗଡ଼ପତିମାନେ ଗଜପତି ବକ୍ତବ୍ୟକୁ

ତଉଲିଣ ଦେଖୁଥିଲେ ତା ଗଭୀରତାକୁ ।

ପରିଷଦ ଗୃହ ମଧ୍ୟେ କେବେ ଝିଟିପିଟି

ଏକ ସଂଗେ ନାଦ ଟିକ୍‌ଟିକ୍‌ କଲେସୃଷ୍ଟି

ଭକ୍ତିର ସାରବତ୍ତାକୁ ଗଜପତିଙ୍କର

ଯେମନ୍ତ ଅଧିକା କଲେ ଭାବରେ ଗମ୍ଭୀର ।,

ନୀରବତା ଭଂଗ କରି ରଘୁନାଥପୁର

ଗଡ଼ପତି ନିଜ ଭାଷା କହିଲେ ମନର ।

ଯୁଗେ ଯୁଗେ ଓଡ଼ିଶାର ନାଯ୍ୟ ସ୍ୱାଧୀନତା

ଯେ ଅନୈକ୍ୟ କାରଣରୁ ବିପନ୍ନ ସର୍ବଥା

ତାହା ପରୀକ୍ଷିତ ସତ୍ୟ ଅଟେ ମହାସତ୍ୟ

ଏଥିପାଇଁ ଆବଶ୍ୟକ ଏକତା ବରିଷ୍ଟ

ଏହି ଓଡ଼ିଶା ରାଜ୍ୟର ରାଜନ୍ୟ ବର୍ଗଙ୍କ

ଗଜପତିପରଂପରା ଐତିହ୍ୟାବଶ୍ୟକ ।

ନିଷ୍ପାପ ଶୁଦ୍ଧ ଚରିତ୍ରର ଅବଧାରଣ

ଆବଶ୍ୟକ ମଧ୍ୟ, ନାହିଁ ବିକଳ୍ପ ବିଧାନ

ପାଇବେ ଏହାରି ବଳେ ହେବେ ବଳୀୟାନ

ଅଧିକରୁ ଗଡ଼ପତିମାନଙ୍କ ପ୍ରଧାନ

ତା’ଙ୍କ ମଧ୍ୟରେ ସମ୍ଭ୍ରମତାର ଗୁରୁଭାବ

ସଂଚାଳିତ ଯାହା ହେବା କଥା ତାହା ହେବ ।

******

ଗଜପତି ଆସନର ପବିତ୍ରତା ପ୍ରୀତି

ସଂସ୍କୃତି ସଂହତି ଚିର ଉନ୍ନତ ପ୍ରକୃତି

ରଖିବାକୁ ଗଜପତି ଗୋଟିଏ ଯଜ୍ଞର

ଆୟୋଜନ କରନ୍ତୁ ଏହି ପ୍ରସ୍ତାବ ମୋର ।

ଏ ଧାର୍ମିକ ଯଜ୍ଞ କାର୍ଯ୍ୟ ଓଡ଼ିଶାବାସୀଙ୍କ

ମଧ୍ୟରେ ଉଦ୍ଦୀପନାର ଉଲ୍ଲାସ ମାର୍ମିକ ।

ସୃଷ୍ଟି କରିବ ନିଶ୍ଚୟ ନିସଂଦେହ ଭାବେ

ଯୁଗେ ଯୁଗେ ହୋଇଅଛି ଜାଣି ଅଛେ ଆମ୍ଭେ ।

ରାଜାନୁମୋଦିତ ଯଜ୍ଞ ରାଜ୍ୟବାସୀଙ୍କର

ମାନଦଣ୍ଡ ହୋଇଯିବ ତାଂକ ଆଦର୍ଶର ।

ଆଗତ ପ୍ରସ୍ତାବ ସମ୍ଭାବନାକୁ ମାନସେ

ମନେ ମନେ ବିଶ୍ଳେଷଣ କରୁଥିଲେ ଶେଷେ ।

ସେଠାରେ ବସିଣ ରାଜଗୁରୁ ଗଜପତି

ଅନ୍ୟଗଡ଼ପତିମାନେ କେତେ ମୁଣ୍ଡ ପୋତି ।

ଦ୍ୱିପ୍ରହର ସୂର୍ଯ୍ୟ ଉଠିମଥା ଉପରକୁ

ଗ୍ରୀଷ୍ମ ଉତ୍ତପ୍ତ ପବନ ସେ ପରିଷଦକୁ

ବାତାୟନ ପଥେ ପଶି କଲା ଚିନ୍ତାକୁଳ

ଅଣନିଃଶ୍ୱାସୀ ହୋଇଲେ ସର୍ବେ ଖୋଜିକୁଳ ।

ଧିରେ ଧିରେ ଦ୍ୱାର ପ୍ରତିହାରୀ ପରିଷଦ

ଗୃହକୁ ପ୍ରବେଶ କରି ଦେଲା ବିସଂବାଦ

ଅଭିବାଦନ ଜଣାଇ କହିଲା ବାହାରେ

ନାଏବ ନଜିମ ଦୂତ ଅଛି ଅପେକ୍ଷାରେ ।

ସହସା ଗଜପତି ସମେତ ଉପସ୍ଥିତ

ସେ ମନ୍ତ୍ରଣାକାରୀମାନେ ହୋଇଲେ ସଚେତ ।

ଆଦେଶିଲେ ରାମଚନ୍ଦ୍ର ଦେବ - ପ୍ରତିହାରୀ

ଆସିବାକୁ ଦିଅ ଦୂତେ ଏଠାକୁ ହକାରି ।

ଜଣାଇ ସଲାମ ଦରବାରି କାଇଦାରେ

ପ୍ରବେଶିଲେ ପରିଷଦ ଗୃହେ ଦୂତ ଖରେ

ଚିଟାଉ ବଢ଼ାଇ ଦେଇ ଲସକର ଦୂତ

ପୁଣି ସଲାମ ଠୁଙ୍କିଲା ହୋଇଣ ଉଷତ ।

ଉଚ୍ଚ କଂଠରେ ଚିଟାଉ ପଢ଼ାଗଲା ସେଠି

ସମସ୍ତେ ଶୁଣିଲେ କାର ନଫିଟିଲା ପାଟି ।

“ଗଜପତି ରାମଚନ୍ଦ୍ର ଦେବଙ୍କୁ ସଲାମ

ଚିଠି ପଠାଇଛନ୍ତି ସେ ନଏବ ନଜିମ

ଆଲ୍ଲା ଗଜପତିଙ୍କୁ ରଖନ୍ତୁ ସଲାମତ

ନାଏବ ନଜୀମ ଇଛାନୁଯାୟୀ ଏହାତ

ଗଜପତି ରାମଚନ୍ଦ୍ର ଦେବ ବାରବାଟି

କଟକ ଆସିବେ ଶୀଘ୍ର ଏ ଅନୁରୋଧଟି ।

ପେଶକିସ ବିଷୟରେ ଆଲୋଚନା ହେବ

ବଂଗଳାରୁ ବରମ୍ବାର ଖବର ନବାବ

ପଠାଉଅଛନ୍ତି ଏହି ବିଷୟରେ, ତେଣୁ

ଦିଲ୍ଲୀ ବାଦସାଙ୍କର ଆଦେଶକୁ ମାନୁ ।

ଓଡ଼ିଆ ମୁଲକ ପେଶକିସ ନିର୍ଦ୍ଧାରଣ

ବିଷୟରେ ଆଲୋଚନା ହୋଇବ ପ୍ରମାଣ”

ଗମ୍ଭୀର ଭାବରେ ଗଜପତି ଦେଲେ କହି

“ଯାଅ ଦୂତ ଆସିବି ମୁଁ ଆଲୋଚନା ପାଇଁ

ସେ ନାଏବ ନଜୀମଙ୍କୁ ଗଜପତିଙ୍କର

ସୁକ୍ରିୟା ଜଣାଇବ ହେ ନୋହି ତରତର

ସ୍ୱସମୟ ସୁବିଧାକୁ କରିଣ ନିର୍ଣ୍ଣୟ

ଗଜପତି ବିଜେ ହେବେ ନାହିଁଟି ସଂଦେହ ।

ସଲାମ ଠୁଙ୍କି ମୋଗଲ ଦୂତ ପରିଷଦ

ତ୍ୟାଗକରି ଗଲା ଖରେ ଦେବାକୁ ସଂବାଦ ।

ଗୃହ ମଧ୍ୟେ ପୁଣି ଥରେ ନୀରବ ରାଜୁତି

ବାତାବରଣକୁ ଭାରାକ୍ରାନ୍ତ କଲା ଅତି ।

ଉଠି ପଡ଼ି ଗଜପତି କହିଲେ ଶୁଣନ୍ତୁ

ବର୍ତ୍ତମାନ ଦର କଷାକଷିକୁ ଭଜନ୍ତୁ

ବର୍ତ୍ତମାନ ଦର କଷାକଷି ଗଜପତି

ଭାଗ୍ୟ ନିର୍ଣ୍ଣୀତ ହୋଇବ, ଯା ଜଣା ଯାଏଟି

ସମ୍ଭବତଃ ସେ କୁଟିଳମତି ହବିବଙ୍କ

ଏହା ଗୋଟିଏ ଚକ୍ରାନ୍ତ ହୋଇପାରେ ଦେଖ ।

ଗମ୍ଭୀରକଂଠରେ ଆସେ ରାଜଗୁରୁଭାଷା

ଗମ୍ଭୀର ହୋଇ ପଡ଼ିଛି ଏବର ସମସ୍ୟା

ବଂଗ ନବାବଙ୍କ ଗାଦୀର ସୁରକ୍ଷା ପାଇଁ

ଦିଲ୍ଲୀ ଦରବାର ପେଶକିସ ବୃଦ୍ଧି ପାଇଁ

ବାରମ୍ବାର ତାଗିଦ ଫଳରେ ଅଧସ୍ତନ

ନାଏବମାନେ ଗାଦିକୁ ନେଇଣ ଉଚ୍ଛନ୍ନ

ବାଧ୍ୟ ହୋଇଛନ୍ତି ତା ନିର୍ଣ୍ଣୟ କରିବାକୁ

ସଂତୁଷ୍ଟ କରିବାପାଇଁ ଦିଲ୍ଲୀ ବାଦସାଙ୍କୁ ।

ଓଡ଼ିଶାର ଯାତ୍ରୀ ଟିକସର ହାର ସେହି

ଅନୁପାତାନୁସାରେ ବୃଦ୍ଧି କରିବା ପାଇଁ

ନାଏବ ନଜିମ କୁଲି ଖାଁଙ୍କ ଉପଦେଶ

ନେଇଛନ୍ତି ଜଣାଯାଏ ଏ କୁପରାମର୍ଶ

ଶ୍ରୀ ଜୀଉଙ୍କୁ ରତ୍ନ ସିଂହାସନେ ଅଧିଷ୍ଠିତ

କରିବା ଯେତିକି ହିନ୍ଦୁ ଜନତାର ଭକ୍ତ

ମୌଳିକ କାମନା, ଦର୍ଶନାର୍ଥୀ ଯାତ୍ରୀଠାରୁ

କର ଆଦାୟ ସୁଯୋଗ ସଂଭାବନା ଶୁରୁ ।

କରିବାକୁ ହିଁ ସେତିକି ମୋଗଲ ଶାସକ

ଅଭିଳାଷ ବଢ଼ିଅଛି ଯାହା ପୈଶାଚିକ ।

ବର୍ତ୍ତମାନ ଏ ଜଟିଳ ପରିସ୍ଥିତି ଦେଖି

ଆମକୁ କର୍ତ୍ତବ୍ୟ ବିଷୟରେ ମଜ୍ଜି ରଖି

ଚିନ୍ତା କରିବାକୁ ହେବ କରିବା କଅଣ

କ’ଣ କଲେ ସମସ୍ୟାର ହେବ ସମାଧାନ ।

ଏ ମଧ୍ୟରେ ଓଡ଼ିଶାର ଅନ୍ୟ ଗଡ଼ପତି

ଅନ୍ୟ ରାଜାଙ୍କ ପାଖକୁ ପଠାଉଛି ଚିଠି ।

ଗଜପତି ଗାଦିର ଏ ସାର୍ବଭୌମତ୍ୱକୁ

ସ୍ୱୀକାର କରିଣ ବଂଦି ଶ୍ରୀଜଗନ୍ନାଥଙ୍କୁ

ପ୍ରତ୍ୟେକ ରାଜା ପ୍ରଣତ ହୋଇ ଗଜପତି

କରବାଳକୁ ଚିର ଶାଣିତ କରିବେଟି ।

ଏହି ବାର୍ତ୍ତାକୁ ପ୍ରେରଣ କରିବା ଜରୂରୀ

ହୋଇ ପଡ଼ିଅଛି -ଆମେ ରହିବା ସଂଭାଳି ।

ବର୍ତ୍ତମାନ ଭିତରଗଡ଼ରେ ସତ୍କାରର

ସମୟ ଉପଗତ ବଂଧୁ ମାନଙ୍କର ।

ହେ ରାଜନ୍ୟ ବଂଧୁମାନେ ଅତିଥିଶାଳାକୁ

ବିଜେ ହୁଅନ୍ତୁ ବ୍ୟବସ୍ଥା ବଂଧୁ - ଭୋଜନକୁ

ଏବଂଧୁ ମିଳନ ବରୁଣେଇ କଟକରେ

ଚିରସ୍ମରଣୀୟ ହେବ ସବୁଜ ସ୍ମୃତିରେ ।

ଉଦ୍‌ଯାପିତ ହେଲା ଆଲୋଚନା ସଭା ସେଠି

ରାଜମହଲ ଦିଗକୁ ଚଳିଲେ ଅତିଥି ।

କିନ୍ତୁ ରାମଚନ୍ଦ୍ର ଦେବଙ୍କର ନୟନରେ

ବିଧୁରତା ସଂଚାଳିତ ଦୁଃଖ ଚାହାଣୀରେ ।

ଗବାକ୍ଷଧାରରେ ଯାଉଥିଲା ସେ ପହଁରି

ଦୂର ଦିଗନ୍ତର ଦ୍ୟାବା ପୃଥିବୀକୁ ମାଡ଼ି

ସେହି ଚାହାଣୀରେ କାହା ପାଇଁ ଯେଉଁ ପରି

ଭରି ରହିଥିଲା ଯୁଗ ଯୁଗ ଅସୁମାରୀ

ଆକଣ୍ଠ ପ୍ରତୀକ୍ଷା ପ୍ରୀତି ଅଧିର ଆବେଗ

ମିଳନର ବାଂଛା ଆଉ ପ୍ରଣୟର ଯୋଗ ।

 

Unknown

୧୩ଶ ସର୍ଗ

 

କ୍ଳାନ୍ତ ଅପରାହ୍ନରେ            ଗୋଧୂଳି ଧିରେ ଧିରେ

ଓଢ଼ଣାକୁ ମେଲାଇ ନଇଣ

ଆସୁଥିଲେ ଛଟକେ            ବରୁଣେଇ କଟକେ

ପରଶି ସେ ଅତିଥିଗଣ - ହେ

ପରିଷଦ ଗୃହ ନୀରବ

ପରିବେଶ ମଧ୍ୟରେ ଭାବ

ସେ ଉଦାସୀ ପଥୁକୀ            ପରି ମାଡ଼ିଣ ଚୌକି

ଥିଲେ ରାମଚନ୍ଦର ଦେବ - ହେ ଜଗନ୍ନାଥ ।୧।

ଚୌକି ଉପବେଶନ             କରିଣ ଅସଂଲଗ୍ନ

ସେ ନିଃସ୍ତରଂଗ ମୁହୂର୍ତ୍ତରେ

ନିମଗ୍ନ ହୋଇଥିଲେ            ଭାବ-ଖିଅ-ଯୋଡ଼ାରେ

ଗଜପତି ଚିନ୍ତା ରାଜ୍ୟରେ - ହେ

ଅପରାହ୍ନର ସୁଶୀତଳ

ସୂର୍ଯ୍ୟାଲୋକରେ ଢ଼ଳ ଢ଼ଳ

ବାତାୟନ ଧାରାରେ            ପଶି ଆସି ଗୃହରେ

ଏକ କୋଣରେ ନୈରାଶ୍ୟର....ହେ ଜଗନ୍ନାଥ ।୨।

ନୈରାଶ୍ୟର ଅଂଧାର            ମଧ୍ୟରେ ହିଁ ଆଶାର

ଦିହୁଡ଼ି ପରି ବିଂଛି ହୋଇ

ପଡ଼ିଥିଲା ସେଠାରେ            ସୂର୍ଯ୍ୟଲୋକ ଭିତରେ

ଆଶା ନିରାଶା ଛନ୍ଦି ହୋଇ -ହେ ଜଗନ୍ନାଥ

ଦୁଇ ପ୍ରଜାପତି ଗୃହର

ମୁକ୍ତ ପରିବେଶରେ ଖେଳ

କେତେକ୍ଷଣ ଉଡ଼ିଣ            ଇତସ୍ତତଃ ବୁଲିଣ

ଦେଖିଲେ ଆଲୋକିତ ଘର ହେ ଜଗନ୍ନାଥ । ୩ ।

କ୍ଳାନ୍ତି ଅପନୋଦନ             ପାଇଁ ଆଲୋକ କୋଣ

ଗୃହର ଦେଖିଣ ଆଶ୍ରୟ

ନେଲେ ପଥ ଶ୍ରାନ୍ତିରେ             ଜୀବନ ସରଣୀରେ

ସଂସାରୀ ପ୍ରାଣୀ ପରି ଥୟ - ହେ ଜଗନ୍ନାଥ

ଏହି ମିଥୁନ ପଜାପତି

ଯେପରି ମୌନ ଭାବେ ନିତି

ଜୀବନଦର୍ଶନର            ଚିରନ୍ତନ ସତ୍ୟର

ନିଃଶବ୍ଦ ଶବ୍ଦରେ ବିଭାତି ହେ ଜଗନ୍ନାଥ      ।୪।

ପରମ କାରୁଣିକ            ଭୋ ମଣିମା ଛଟକ

ଚକଡ଼ା ଛଡ଼ା ହୋଇବହୁ

ଦେଶ ବନକାନ୍ତର             ଭ୍ରମଣ ସାରିବାର

ଅନୁଭୂତିରେ ମହାବାହୁ - ହେ

ଭ୍ରମଣ କଲାପରେ ଫେରି

ବସିଲେ ସିଂହାସନେ ଚଡ଼ି

କିନ୍ତୁ ତା’ଙ୍କ ପରମ            ପୂଜାରିଣୀ ଦର୍ଶନ

କରିବାକୁ ନ ଆସେ ଫେରି - ହେ ଜଗନ୍ନାଥ ।୫।

ସେହି କଳା ଘୁମର            ନୟନ ଦୁଇଟିର

ଘୁମର - ଚାହାଣୀ ମୁହୂର୍ତ୍ତେ

ପାଇଁ ରାମଚନ୍ଦର            ଦେବ ହେଲେ ବିକଳ

ଭାବି ପ୍ରିୟାକୁ ପ୍ରେମ - ପଥେ ହେ

ସେହି ସମସ୍ତ ଚାହାଣୀର

ସମ୍ମୋହନ ଜବାଧରୀର

ପ୍ରଣୟର ବଂଦନ             ଭିତରେ ତା ପ୍ରମାଣ

ଯା ଜୟଗାନ ଜୀବନର                         ।୬।

ଲୌକିକ ସମାଜର            ସୁତୀକ୍ଷ୍ଣ କଟାକ୍ଷର

ଘାତରେ ସେହି ପ୍ରଣୟର

ଗୀତ କି ପରିଗୀତ             ହୋଇ ପାରିଲାନି ତ

ବଂଶୀ ମିଳନର ମଧୁର - ହେ

ମଧ୍ୟ ବାଜି ପାରିଲା ନାହିଁ

କାରଣ ଖୋଜିବ ବା କେହି

ରେଜିଆର ଏବର            ସ୍ଥିତିବିଷୟେ ସ୍ଥିର

ସଂବାଦ କିଛି ମିଳିନାହିଁ ହେ ଜଗନ୍ନାଥ      ।୭।

ତକୀଖାଁ ମୃତ୍ୟୁପରେ            ରେଜିୟା ତ କୁଆଡ଼େ

ସିନ୍ଥି ସିନ୍ଦୁର ପରିଧାନ

ମଥାରେ କରି ଘର            ଭିତରେ ତାପସୀର

ଉଦାସୀ ନାରୀ ପରି ମନ- ହେ

ଏକାକିନୀ ଜଗନ୍ନାଥଙ୍କ

ଉପାସନାରେ ଦିନଯାକ

ମନୋନିବେଶ କରି            ଜବାଧରୀ ସୁନ୍ଦରୀ

ଯବନ ସମାଜ ଆତଙ୍କ ହେ ଜଗନ୍ନାଥ      ।୮।

ଏ ଶୂନ୍ୟ ରାଜବାଟୀ            ବରୁଣେଇର ମାଟି

ଆହତ ପୌରୁଷ ଯେ ପରି

ରାଜବାଟିର ଶୂନ୍ୟ            ପରିବେଶେ କରୁଣ

ଗୁମୁରି ଗୁମୁରି ସଂଭାଳି      - ହେ

ନିସଂଗ କପୋତି ସମାନ

କାନ୍ଦୁଥିଲାରେ ଘନଘନ

ଚଳଚଂଚଳ ରାଜ            ମହଲର ସୌନ୍ଦର୍ଯ୍ୟ

ଆଦି ପରିତ୍ୟକ୍ତ ବିଜନ ହେ -ହେ ଜଗନ୍ନାଥ       ।୯।

ମୁମୂର୍ଷୁ ନିଃସଂଗସେ            ବିବର୍ଣ୍ଣ ବିଷର୍ଣ୍ଣ ସେ

ଜୀବନର ବଡ଼ ଦାଣ୍ଡରେ

ହୋଇଣ ପଡ଼ିଥିଲା             ଜୟଘୋଷର ଲୀଳା

ବିଜୟ ସ୍ୟଂଦନ ଗତିରେ - ହେ

ଗତିରେ ଆଉ ଦମ ନାହିଁ

ଆଉ ଗଡ଼ି ପାରିଲା ନାହିଁ

ପଦେ ପଦେ ବିଘ୍ନର            ଶୃଂଖଳଅଶ୍ରୁଭର

ଅପଶକୁନ କଳାଛାଇ ହେ ଜଗନ୍ନାଥ      ।୧୦।

ଥରେ ପୁରୁଷୋତ୍ତମ             ଯାଇ ଜୀଉ ଦର୍ଶନ

କରି ଆସିଲେ ମାନସିକ

ଶାନ୍ତି ପ୍ରତିଷ୍ଠା ହୋଇ            ପାରେମନ ବୁଝାଇ

ବଂଚିବା ପାଇଁ ଏକ ଭିକ ହେ

ଘଟଣା ଓ ଦୁର୍ଘଟଣାର

କ୍ଳେଦାକ୍ତ ସେ ଆସ୍ତୀର୍ଣ୍ଣତାର

ଶୁଦ୍ଧ ଶୀତଳ ମନ             ବେଦନାକ୍ତବିଷର୍ଣ୍ଣ

ବିବଶତାରେ ହାହାକାର ହେ ଜଗନ୍ନାଥ      ।୧୧।

ସହସା ଗଜପତି             ନିଜ ଆସନୁ ଉଠି

ମନେ ଚିତ୍ରିତ ଅତୀତର

ସଜୀବ ଏକ ସ୍ମୃତି            ସେ ଜୀବନ୍ତ ମୂରତି

ହେଉଅଛି ବାଣ ପୁରର ହେ

ସେ ପରମାର୍ଥ ନିବେଦିତ

ପାଇକ ହରି ନାମେ ଖ୍ୟାତ

ଶ୍ରୀବତ୍ସ ଖଣ୍ଡଶାଳ            ଦେଉଳେ ଜୀଉଙ୍କର

ପ୍ରତିଷ୍ଠିତ ହେବା ପରେ ତ ହେ ଜଗନ୍ନାଥ       ।୧୨।

ଆଉ ସାକ୍ଷାତ ନାହିଁ             ସେ ହରି ଗଲା କାହିଁ

ଘାତ ପ୍ରତିଘାତର ସାଂଗ

କଂଟକିତ ପଥରେ             ଯାତ୍ରା କଲା ବେଳରେ

ସତେ ଯେପରି ମାଡ଼େ ଆଗ - ହେ

ପ୍ରମୂର୍ତ୍ତ ମୂର୍ତ୍ତି ପ୍ରଶାନ୍ତିର

ଏକ ଜୀବ ସଂବେଦନର

ସେ ଦୟାର୍ଦ ମୂର୍ତ୍ତିଟି            ହଜିଗଲା କେଉଁଠି

ଅପମୃତ୍ୟୁରେ ବିଷାଦର ହେ ଜଗନ୍ନାଥ      ।୧୩।

ଶ୍ରୀ ଗଜପତିଙ୍କର            ନିଃସଂଗ ଜୀବନର

ବ୍ୟଥିତ ଆତ୍ମା ହା ହା କାର

କହି ଉଠିଲା ଧିରେ            ମିଳିବେ ଜୀବନରେ

ବହୁମଣିଷ ଏ ସଂସାର - ହେ

କିଂତୁ ସୁମଣିଷ ହରିର

ପରି ମିଳିବ ନାହିଁ ନର

ଅଜ୍ଞାତ ପ୍ରଦେଶରେ            ଅନ୍ତର୍ହିତଅନ୍ତରେ

ପଢ଼ୁଥିଲା ମୋର ଅନ୍ତର ହେ ଜଗନ୍ନାଥ      ।୧୪।

ସଦେଇ ଧାଇଁ ଆସି            ଗୃହ ଭିତରେ ପଶି

କହିଲା ଛାମୁଁ ରାଜଗୁରୁ

ଅପେକ୍ଷା ରତ ଦ୍ୱାରେ            ଶୁଣି ରାଜା ଉଠିଲେ

ପାଛୋଟି ଯାଇ ନିକଟରୁ ହେ

କହିଲେ- ଚିନ୍ତା କରୁଥିଲି

ପୁରୁଷୋତ୍ତମ ଯିବି ବୋଲି

ଆସିଗଲେ ଆପଣ            ଖବର ବର୍ତ୍ତମାନ

ପ୍ରକାଶ କରନ୍ତୁ କିପରି ହେ ଜଗନ୍ନାଥ      ।୧୫।

ଏକ ଚୌକି ଉପରେ            ବସି ପଡ଼ି କ୍ଳାନ୍ତିରେ

କହିଲେ ହେ ଛାମୁ ଶୁଣନ୍ତୁ

ଲାଂଛିତ ଅତୀତର            ଅଶୁଭ ଅଂମଙ୍ଗଳ

ପୁନରାବୃତ୍ତି ମାତ୍ର ହେତୁ ହେ

ଅଲକ୍ଷଣା ଷଡ଼ଯନ୍ତ୍ରର

ଅବାଂଛିତ ସୂତ୍ର-ପାତର

ଲକ୍ଷଣ ପୁଣିଥରେ            ଦଶୁଛି ଜଳଜଳେ

ଏହି ଦୁର୍ଭାଗ୍ୟ ଓଡ଼ିଶାର ହେ ଜଗନ୍ନାଥ      ।୧୬।

ଗଜପତି ଗାଦିରେ            ଉପବେଶନ ଛଳେ

ଆଳରେ ପାଇଁ ବର୍ତ୍ତମାନ

ଦର କସା କସିରୁ              ମୋଗଲଙ୍କପକ୍ଷରୁ

ଚାଲିଛି ଷଡ଼ଯନ୍ତ୍ର ପୂର୍ଣ୍ଣ ହେ

ଯାତ୍ରୀକର ନଅ ଲକ୍ଷରୁ

ବୃଦ୍ଧି ପାଇ ନିଜ ଲକ୍ଷ୍ୟରୁ

ଉଣା ହୋଇବ ନାହିଁ             ମିର ହବିବ କହି

ଅଛନ୍ତି ନିଲାମ ଡାକରୁ ହେ ଜଗନ୍ନାଥ      ।୧୭।

ମୁର୍ଶିଦ କୁଲିଖାଁଙ୍କ            ଇଜଲାସରେ ଏକ

ସଭା ବସିଛି ଏଥିପାଇଁ

ଲାଗିଛି ଲମ୍ବାଧାଡ଼ି            ଗଡ଼ ପତିଏ ଗଡ଼ି-

-ଛନ୍ତି ସେଠାକୁ ଡ଼ାକପାଇ

ଦେଶୀୟ ରାଜା ଅନୁରକ୍ତ

ମଧ୍ୟରୁ କେତେକ ଭକତ

ଗାଦିର ପ୍ରଲୋଭନ             କରଇ ଆକର୍ଷଣ

ଏଇତ ହୀନମନ୍ୟ ରକ୍ତ ହେ ଜଗନ୍ନାଥ      ।୧୮।

ଅତିକମ୍‌ ନିଲାମ             ଦଶ-ଲକ୍ଷ-ସଲାମ

ଅଧିକ ହେଲେ ପୁରସ୍କାର

ମିଳିବ ବୋଲି ଗଡ଼ -            ପତି ଏ ଧଡ଼୍‌ ଧାଡ଼

ହୁଅନ୍ତି ସେଠି ଭଡ଼ ଭଡ଼ ହେ

ଗୁଣୁଗୁଣୁ ହୋଇ ଭ୍ରମର

ଭଳି ଉଡ଼ି ବୁଲନ୍ତି ଚର

ଗାଦି ମୋହ କ୍ଷମତା            ମଧୁରକିବା ପିତା

ଚାଖିବା ପାଇଁ ତରତର ହେ ଜଗନ୍ନାଥ      ।୧୯।

ଜୀବନରେ ସମସ୍ତ             ସୁଖକୁ ପରିତ୍ୟକ୍ତ

କରି ଧନ ବିରୋଧୀଙ୍କର

ମୋଗଲ ଶାସନର             କ୍ରୂର ଦୃଷ୍ଟିରୁ ଦୂର

କରିବାକୁ ଶ୍ରୀ ଜୀଉଙ୍କର ହେ

ମାନଭିକ୍ଷା ଲାଗି ତାଂକର

ନିନ୍ଦାରେ ନିନ୍ଦିତ ଅପାର

ହେଲି ମୁଁ ଧର୍ମଭ୍ରଷ୍ଟ             ସମାଜରେ ଭର୍ତ୍ସିତ

ଅନ୍ତରଂଗରେ ଓଡ଼ିଶାର ହେ ଜଗନ୍ନାଥ        ।୨୦।

ରାଜ୍ୟ ସାର୍ବ-ଭୌମତ୍ୱ             ପ୍ରତିଷ୍ଠା ପାଇଁ ସତ୍ୟ

ଯେଉଁ ଅଙ୍ଗୀକାରବଦ୍ଧତା

ଯେ ଅଖଣ୍ଡ ସଂକଳ୍ପ            ବୋଧ ଅଟେ ଅନଳ୍ପ

ପରିଣାମ ତାହାର କି ତା ହେ

ଷଡ଼ଯନ୍ତ୍ର ଏହି ମୋହାଂଧ

ବିଷୟରେ ହୋଇଣ ଅଂଧ

ଗଜପତି ଗାଦିରେ            ଆସୀନ ସୁଚତୁରେ

ଖାଇବେ ବୋଲି ତାଙ୍କ ଖାଦ୍ୟ ହେ ଜଗନ୍ନାଥ ।୨୧।

ଏ ହୀନମନ୍ୟତାର            ମୋହ ପ୍ରାପ୍ତି ସୁଖର

ଇନ୍ଦ୍ରିୟ ରୋଚକ ବସ୍ତୁର

ଅଭିଳାଷ ଯାହାର            ତାହାର କି ବିଚାର

ପାଇବ ଗଜପତି ଖୋଳ ହେ

ଗଜପତି ଗାଦି ସେବାର

ପାଦପୀଠ ଶ୍ରୀ ଜୀଉଙ୍କର

ଗଡ଼ପତି ଜୀବନେ            ଜଣନ୍ତିନି ସେମାନେ

ଏମାନେ ଲସର ପସର ହେ ଜଗନ୍ନାଥ      ।୨୨।

ସେଠାରେ ଅଧିଷ୍ଠିତ            ହୋଇ ସେବା ଜଡ଼ିତ

ସଂକଳ୍ପ କରିବା ବରଣ

ହୁଏ ତା କରିବାକୁ            ଛୁଇଁ କର-ବାଳକୁ

ରହିବାକୁ ରାଜ୍ୟରମାନ ହେ

ଇନ୍ଦ୍ରିୟ ସେବନର ହୀନ

ଅଭିଳାଷ ଏ ରାଜା ଆସନ

ଏ ଚିର ପରିପନ୍ଥୀ            ଗଜପତି ଜାଣନ୍ତି

ଗଡ଼ପତି ଏଥି ଅଜ୍ଞାନ ହେ ଜଗନ୍ନାଥ      ।୨୩।

ପବିତ୍ର ସଂକଳ୍ପର            ଅପୂତ କୁସଂସ୍କାର

ଏହାକୁ କହନ୍ତି ଜଗତେ

ଅଥଚ ଏ ଦେଶୀୟ            ରାଜାଏ ବିଦେଶୀୟ

ଧର୍ମ ବିରୋଧି ଚିନ୍ତା କେତେ ହେ

ଘୋଷଣାକୁ କରି ଏପରି

ଜାତୀୟତାକୁ ହତ୍ୟାକରି

ସର୍ବଗ୍ରାସୀ ମନରେ            ଅପସଂକଳ୍ପପରେ

ସ୍ଥାନ ଦେଇଛନ୍ତି କିପରି? ହେ ଜଗନ୍ନାଥ      ।୨୪।

ରାମଚନ୍ଦ୍ର ଦେବଙ୍କ            ମଥା ମଧ୍ୟରେ ପୋକ

ଯେପରି ଚିନ୍ତା ଆକୁଳତା

ଏକ ପ୍ରଳୟଙ୍କରୀ            ଝଂଜା ବେଗରେ କରି

ସୁସୁଗର୍ଜନ ବିଷମତା ହେ

ପ୍ରବାହିତ ସେ ହେଉଥିଲା

ରୋକିବାକୁ କିଛି ନଥିଲା

ଅଶାନ୍ତି ସକ୍ରୋଧର            ତାଡ଼ନାରେ ତାଙ୍କର

ହାତମୁଠା ଟାଣ ହୋଇଲା ହେ ଜଗନ୍ନାଥ      ।୨୫।

କାନ୍ଥ ଭିତରେ ଏକ            ବିଚିତ୍ର ଶବଦେକ

ଶୁଣି ରାମଚନ୍ଦ୍ରର ଦେବ

ଚାହିଁଲେ ଝିଟିପିଟି            ଗୋଟିଏ କୀଟ ଗୋଟି

ଖାଦ୍ୟ ଲାଳସାର ସ୍ୱଭାବ ହେ

ଅନ୍ୟ ଏକ ଝିଟିପିଟିକୁ

ଯାଇ ଦୃଢ଼େ ହଟାଇବାକୁ

ହିଂସ୍ର ଆକ୍ରମଣର              କରୁଥିଲା ଚିତ୍କାର

ଦେଖାଇ ନିଜ ସ୍ୱଭାବକୁ ହେ ଜଗନ୍ନାଥ      ।୨୬।

ଗଜପତି ଆସନେ             ବସିବା ପାଇଁ ମନେ

ଯୋଗ୍ୟତା ନଥିଲେ ଦେଶୀୟ

ରାଜାମାନଙ୍କର ବି             ପ୍ରବଳ ମୋହ ଭାବି

କୌଶଳ କ୍ରମରେ ଉପାୟ ହେ

ପରାହତ କରିବା ହେବ

ଏ କଥା ନଜୀମ ନାଏବ

କୁଲିଖାଁଙ୍କ କର୍ଣ୍ଣରେ            ଗୋଚର କରି ଥରେ

ଅବସ୍ଥାସଂଭାଳ ହୋଇବ ହେ ଜଗନ୍ନାଥ      ।୨୭।

ଅଂଧଭାବେ ରାଜସ୍ୱ            ମନ୍ତ୍ରୀ ହବିବ ଯଶ

ଖାଁଙ୍କ କାର୍ଯ୍ୟ କଉଶଳକୁ

ନିର୍ବିଚାରରେ ମନେ            ସମର୍ଥନ ଗୋପନେ

କଲେ ଡ଼ାକି ହଇରାଣକୁ ହେ ଜଗନ୍ନାଥ                  ତାଂକଠାରୁ ରାଜା ଶୁଭେଚ୍ଛା

ପ୍ରତ୍ୟାହାର କରିବା ଇଚ୍ଛା

କରି ହେ ନିଆଯିବ            କୁଲିଖାଁଙ୍କ ସ୍ୱଭାବ

ମଗଜରେ ପ୍ରବେଶ ବାଂଛା ହେ ଜଗନ୍ନାଥ      ।୨୮।

ଅଛି ଅତି ଜରୂରୀ            ତାହା ମୁଁ ନିଜେକରି

ପାରିବି ଏ ଦାୟିତ୍ୱ ମୋର

ତେଣୁ ଛାଡ଼ନ୍ତୁ ଚିନ୍ତା             ହୁଅନ୍ତୁ ହେ ଅଚିନ୍ତା

ଏହିତ ଶପଥ ଆଜିର ହେ

ରାଜଗୁରୁଙ୍କ ପ୍ରସ୍ତାବକୁ

ବିଶ୍ଳେଷଣ କରିଣ ପାଖୁ

ଗଜପତି ସଂପୂର୍ଣ୍ଣ            ଖୁରୁଧାର ସ୍ୱାଧୀନ

ସ୍ୱୟଂ ରାଜନ ଜାଣିବାକୁ ହେ ଜଗନ୍ନାଥ       ।୨୯।

ୟା ମୋତେ ପ୍ରମାଣିତ            କରିବାକୁ ହେବତ

ହେ ରାଜଗୁରୁ ମହୋଦୟ

ସେ କ୍ଷମତା ପ୍ରମାଣ            ସାର୍ବଭୌମତ୍ୱ ପଣ

ସ୍ୱରୂପ ଶାସନ ନିଚୟ ହେ

ଆପଣଂକୁ ଦାନ ପତ୍ରରେ

ସନଂଦ ସହ ପ୍ରଦାନରେ

ଚାହେଁ ମୁଁ କରିବାକୁ             ଆପଣ କରଣକୁ

ସଂବାଦ ଦିଅନ୍ତୁ ପ୍ରଖରେ ହେ ଜଗନ୍ନାଥ      ।୩୦।

ନିର୍ଦ୍ଦେଶ ଅନୁଯାୟୀ             ମୋହର ହେବେଦାୟୀ

କରଣ ସନଂଦ ପ୍ରସ୍ତୁତେ

ଗଜପତି ଶାସନ            ନିରଙ୍କୁଶ ସ୍ୱାଧୀନ

ଜାଣନ୍ତୁ ଏରାଜ୍ୟେ ସମସ୍ତେ - ହେ

ଶାସନ ନିରଂକୁଶ ରାଜାର

ସ୍ୱାଧୀନ କାହାରି ଦୟାର

ନୁହେଁ ନିର୍ଭରଶୀଳ            ଗୌରବ ଓଡ଼ିଶାର

ଗର୍ବ ଗଜପତି ରାଜାର - ହେ       ।୩୧।

ଏହି ନିରଙ୍କୁଶତା            ସାର୍ବଭୌମ ଏକତା

ଅଛି ଗଜପତି ହାତରେ

କୁଲିଖାଁ ଭଲଭାବେ            ଜାଣୁ କହି ହବିବେ

ଅଛି କେବେ ମନ ଇଛାରେ ହେ

ଅଂକୁଶ ଭର୍ତ୍ତି କରିବାକୁ

ଚେଷ୍ଟା ବି କରିବନି ପାଖୁ

ହୋଇବ ସାବଧାନ            ଏ ଗଜପତିମାନ

ଗୋøରବ ପଣ ମର୍ଯ୍ୟାଦାକୁ ହେ       ।୩୨।

ବିଷ୍ପାରିତ ନୟନେ            ଗଜପତିକୁ ଧ୍ୟାନେ

ଚାହିଁ କହିଲେ ରାଜଗୁରୁ

କିନ୍ତୁ ଏହି ଚିନ୍ତାକୁ            ସ୍ଥଗିତ ରଖିବାକୁ

ହେବ ଏହି ପରିସ୍ଥିତିରୁ ହେ

ଆପଣ ଅନୁଗ୍ରହ କରି

ମୋତେ ସନଂଦ ପତ୍ର ଧରି

ଉପହାର ପ୍ରଦାନ            କରିବାକୁ ମନନ

କରିଛନ୍ତି ଦୃଢ଼େ ଏପରି ହେ ଜଗନ୍ନାଥ । ୩୩ ।

ବିଦ୍ରୋହୀ ଏହାଫଳେ            ଗୋଷ୍ଟି ମଥା ଭିତରେ

ତୀବ୍ର ପ୍ରତିକ୍ରିୟା ହୋଇବ

ଏ ଶାସନୀ ବ୍ରାହ୍ମଣେ             ପଣ୍ଡିତ ଜ୍ଞାନୀମାନେ

ପ୍ରଚାର କରିବା ସମ୍ଭବ ହେ

ରାଜା ରାମଚନ୍ଦର ଦେବ

ନିଜର ବିଧର୍ମୀ ସ୍ୱଭାବ

ନିଜ ଧର୍ମହୀନତା            ଘୋଡ଼ାଇବାକୁ ଚିନ୍ତା

କରିଣ କରିଛନ୍ତି ଭାବ ହେ ଜଗନ୍ନାଥ । ୩୪ ।

ରାଜଗୁରୁ ମାଧ୍ୟମେ            ନିର୍ଦୋଷତାର ଭ୍ରମେ

ଏ ମାତ୍ର ଚତୁର ପ୍ରୟାସ

ଏହା ବି ହୋଇପାରେ            ଏହି ପ୍ରତିକ୍ରିୟାରେ

ଶାସନୀ ବିଦ୍ରୋହୀ ସନ୍ୟାସ ହେ

ବ୍ରାହ୍ମଣଙ୍କ ସମେତ ଅନ୍ୟ

ଗାଦି ଲୋଲୁପ ରାଜାଗଣ

ମଧ୍ୟ ସାମିଲ ହୋଇ            ନଜୀମ ପାଶେ ଯାଇ

ମିଥ୍ୟାର ଅଭିଯୋଗମାନ ହେ       । ୩୫ ।

ପେଶ କରି ପାରନ୍ତି            ଏହା ଫଳରେ ଶାନ୍ତି

ବ୍ୟାହତ ହେବ ଯାତ୍ରାପଥ

ସାମୟିକ ଭାବରେ            କଂଟକିତ ହେବାରେ

ଆଶ୍ଚର୍ଯ୍ୟ ନାହିଁ ନରନାଥ ହେ

ଦୃପ୍ତ କଂଠରେ ଗଜପତି

କହିଲେ ରାଜଗୁରୁ ପ୍ରତି

ଗଜପତି ରକ୍ତରେ            ଶୌର୍ଯ୍ୟର ସ୍ରୋତଧାରେ

ପ୍ରବାହିତ ଏ ସବୁରୀତି ହେ       । ୩୬ ।

ରାମଚନ୍ଦ୍ର ଦେବଙ୍କ            ଚିତ୍ତ ଚେତନାତଙ୍କ

ଚେତନାରେ ପ୍ରଭୁ ଧର୍ମର

ମହିମା ଉଜ୍ଜ୍ୱୀବିତ            ଚିର ଏକଥା ସତ୍ୟ

ଶାସନୀ ପଣ୍ଡିତ ପ୍ରବର ହେ

ମାନେ ଯଦି ଧର୍ମ ଗ୍ଳାନିରେ

ଏତେ ମର୍ମାହତ ମନରେ

ତକୀଖାଁ ଧର୍ମାଂଧତା            ବିରୁଦ୍ଧେ ଲଢ଼େଇଟା

କରିଣ ପରିବର୍ତ୍ତେ ଧାଇଁଲେ ହେ       ।୩୭।

କେଉଁପରି ସେମାନେ            ଉପଢ଼ୌକନ ଜ୍ଞାନେ

ଆଶାରେ ତାଂକର ପ୍ରଶସ୍ତି

ସେଗାନ କରୁଥିଲେ            ନିଲ୍ଲଜେ ସମ୍ମୁଖରେ

ଏ ରାଜ୍ୟ ଲୋକେ ଜାଣିଛନ୍ତି - ହେ

ଶ୍ରୀ ଜଗନ୍ନାଥଙ୍କ ଉପରେ

ଅଂଧ ଆକ୍ରମଣ ବେଳରେ

ତକୀଖାଁର ଯୋଜନା            ଗୋପନୀୟତା କିନା

କେଉଁମାନେ ୟା ରଖୁଥିଲେ ହେ ।       ।୩୮।

ସ୍ୱର୍ଣ୍ଣ ମୁଦ୍ରା ଲୋଭରେ             ଭେଦିଆ ଭୂମିକାରେ

ନିର୍ବାହ କରୁଥିଲେ ଦିନ

ସ୍ୱଧର୍ମର ସୁରକ୍ଷା            ଡିଣ୍ଡିମ ପିଟି ବ୍ୟାଖ୍ୟା

କରୁଥିବା ଏ ନୀତିହୀନ ହେ

କେତେକ ପଣ୍ଡିତ ଭେଦିଆ

ପାଲଟିଥିବା କଥା ଯାହା

ଶୁଣାଯାଏ କେଉଁଠି            ଥିଲା ତାଂକ ଧର୍ମଟି

ନୈତିକତା ବୋଧ ପଣିଆ ହେ ।। ୩୯ ।

ପରମ ହିତକାରୀ            ବିଦ୍ୱାନ କର୍ମଚାରୀ

ରାଷ୍ଟ୍ରର ଶୁଭାନ୍ୱେଷୀ ଜଣେ

ଉଚିତ ଉପାୟନ            ପାଇଲେ ଅଭିମାନ

କରନ୍ତି କାହିଁକି ଏମାନେ ହେ

କାହିଁକି ଏପରି ଅସ୍ୱୟା

ମୁଁ କଉଣସି ପ୍ରତିକ୍ରିୟା

ଭ୍ରୂକ୍ଷେପ କୁ ନକରି            ସଂକଳ୍ପ କାର୍ଯ୍ୟକାରୀ

କରିବି ହେବେ ପ୍ରଭୁସାହା ହେ      । ୪୦ ।

“ଆପଣଙ୍କ ଇଛାରେ            ପ୍ରତିବଂଧକତାରେ

ସୃଷ୍ଟିକରିବା ଅଭିପ୍ରାୟ

ମୋ ନୁହେ ମହାରାଜ            କିଂତୁ କେତେକ ରାଜ

- ଶାସନୀ ଭ୍ରଷ୍ଟ ଲୋକଚୟ ହେ

ଅସ୍ୱୟା ପରବଶ ହୋଇ

ଗଜପତି ବିରୁଦେ୍ଧ ରହି

ଧର୍ମାନ୍ଧାପପ୍ରଚାର            ସୃଷ୍ଟି କରି ଦ୍ରୋହର

ବିଦ୍ରୋହ ଆରମ୍ବିବେ କହି ହେ       । ୪୧ ।

ଏଥିପାଇଁ ଏକଥା            କହୁଥିଲି ସାଧୁତ ।

ପୋଷକତା ଧରି ରାଜନ

ଓଡ଼ିଶା ଗଜପତି            ଇତିହାସର କ୍ଷତି

ନକରନ୍ତୁ ଏ ଅଭିମାନ ହେ

ଗଜପତି ଇତିହାସରେ

କୁଚକ୍ରୀ ଦ୍ୱାରା ବିଦ୍ରୋହରେ

ଭିତ୍ତିଭୂମି ପ୍ରସ୍ତୁତ            ନକରନ୍ତୁ ଏହାତ

ମୋ ଅନୁରୋଧ ଏତେବେଳେ ହେ        । ୪୨।

ମୌନ ଭାବରେ ଚିନ୍ତା            କରି ରାଜନ ବ୍ୟଥା

ପ୍ରକାଶ କଲେ ଏଥିପାଇଁ

କୌଶଳାବଲମ୍ବନ              କରିବା ଗୁରୁ ଶୁଣ

ସର୍ବ ପ୍ରଥମେ ଆଗେ ଯାଇ ହେ

କୁଲିଖାଁ ସହିତା-ଲୋଚନା            କଲା ପରେ ମୁଁ ଏହା ସିନା

ଅଭିଳାଷକୁ କାର୍ଯ୍ୟ             କରିବି ରଖି ଧୈର୍ଯ୍ୟ

ଏଥିରେ ନାହିଁଟି ଶୋଚନା ହେ       । ୪୩ ।

କୁଲିଖାଁ ବାରମ୍ବାର            ପଠାଇଣ ଖବର

ଆଲୋଚନା କରିବା ପାଇଁ

ତେଣୁ ମୁଁ ବାରବାଟୀ            କଟକୁ ତାଂକୁ ପଟି

ଛଡ଼ାଇ ଡାକିବି ଜଣାଇ ହେ

କୁଲିଖାଁ ମତ ଆପାତତଃ

ଉଦାର ମନେ ହୁଏ ସତ

ତା ପ୍ରତ୍ୟକ୍ଷ ପ୍ରମାଣ            ଜାଣି ଅବଲମ୍ବନ

କରିବା ମିଳିବା ପର୍ଯ୍ୟନ୍ତ ହେ      । ୪୪ ।

ପରମ ଲକ୍ଷ୍ମୀ ମୁକ୍ତ            ଗବାକ୍ଷରେ ଦିଗନ୍ତ

ଧାରକୁ ଚାହିଁ କେଉଁ ଏକ

ଗଭୀର ଚିନ୍ତା ମଗ୍ନ            ହୋଇଥିଲେ ନିମଗ୍ନ

ପରିଷଦ ଗୃହରେ ଏକ ହେ

ପରିବେଶ ନିରବତାର

ଆଶା ଆଂଶକାର ଗମ୍ଭୀର

ଦୋଳାୟିତ ଚିନ୍ତାକୁ            ଗଭୀର କରି ତାକୁ

କରିଥିଲା ଗଭୀର-ତର ହେ       । ୪୫ ।

ସହସା ରାଜଗୁରୁ            ଉଲ୍ଲସିତ ମନରୁ

ହସି ହସି କହି ଉଠିଲେ

ମୁଁ ତେବେ କାଲି ସେହି             ପୁରୁଷୋତ୍ତମ ଯାଇ

ସେଠାରୁ ଆଠଗଡ଼ ଭଲେ ହେ

ଦୂତ ପେଷିବି ଆଠଗଡ଼

ଏଥି ସଂଗରେ ବୋଲଗଡ଼

ସେ ନରସିଂହପୁର            ଖଣ୍ଡପଡ଼ା ଆବର

ଗଡ଼ପତିଙ୍କୁ ଏ ଖବର ହେ      ।୪୬।

ଏକ ଯୁଦ୍ଧ ପ୍ରସ୍ତୁତି            କରଣ ସହମତି

ଦୃଢ଼ ପ୍ରତିରକ୍ଷା ବ୍ୟବସ୍ଥା

ଗ୍ରହଣ କରିବାକୁ            ହେବ ଶୀଘ୍ର ଆମକୁ

ନାହିଁ ଆଉ ବିକଳ୍ପ ପନ୍ଥା - ହେ

ଗଜପତି ଗାଦି ଉପରେ

ଆପଦ କଳାମେଘ ଧିରେ

ଘୋଟି ଆସୁଛି ସେହି            ଯୁଦ୍ଧ ଆବାହକ ହିଁ

ସେମୀର ହବିବ ଚତୁରେ ହେ      । ୪୭ ।

ଗଜପତି ଚମକି            ପଡ଼ି ପଚାରିଲେକି

ପୁଣି ଏକ ଯୁଦ୍ଧ ସଂଭାବ୍ୟ

ତାହା ପୁଣି ହବିବ            ମିଆ ଇଁଗିତେ ହେବ

ଏକଥା କି ଦେହ ସହିବ ହେ

ମୀର ହବିବ କଉଣସି

ଦେଶୀୟ ରାଜାଙ୍କୁ ଭରସି

ପ୍ରଲ୍ଲୋଭିତ କରିବ            ପ୍ରରୋଚିତ ସମ୍ଭବ

ଯୁଦ୍ଧର ଭିତ୍ତି ଭୂମି କସି ହେ      । ୪୮ ।

ଏ ଯୁଦ୍ଧେ ଆପଣଙ୍କୁ             ଗାଦିଚ୍ୟୁତ ସାଂଗକୁ

ସେହି ରାଜାଙ୍କୁ ଗଜପତି

ଆସନ ଅଧିଷ୍ଠିତ            କରି ଅଧିକ ସତ

ପରିମାଣର ଖଜଣାଟି ହେ

ପେଶକିସ ଆଦାୟକରି

ନଖାଇ ବାଦସାର ଗାଳି

ତାଂକର ଅଭିଳାଷ            ପୂର୍ଣ୍ଣକରି ସାହାସ

ଦେଖାଇବ ଗାଦି ସଂଭାଳି ହେ       । ୪୯ ।

ବର୍ତ୍ତମାନ ବଂଶର            ଗାଦି ନବାବଙ୍କର

ଦୋଦୁଲ୍ୟମାନ ଅବସ୍ଥାରେ

ବାର୍ଦ୍ଧକ୍ୟେ ଉପନୀତ            ସୁଜାଉଦିନ ସତ

ଉତ୍ତରାଧିକାରେ ଖୋଜାରେ ହେ

ହେବାପାଇଁ ଶାସନ ସେଠି

ଷଡ଼ଯନ୍ତ୍ର ସୂତ୍ରପାତଟି

ହୋଇଅଛି ଏଥିରେ            ମଜ୍ଜିଏ ଶାସନରେ

କୁଲିଖାଁ ଯାଇଅଛି ମାତି ହେ      । ୫୦ ।

ଏହି ପରିସ୍ଥିତିରେ            ସେ ଦିଲ୍ଲୀ ଦରବାରେ

ଅଧିକ ପେଶକିସ ପୈଠ

କରି ବାଦସାଙ୍କର            ପ୍ରୀତି ଯୋଗ୍ୟ-ହେବାର

ଅବସ୍ଥା କରୁଅଛି ସତ୍ୟ ହେ

ଆଉ ସେଥିପାଇଁ ଓଡ଼ିଶା

ଗଜପତି ଗାଦି ଭରସା

ଅଧିକାର୍ଥ ବ୍ୟବସ୍ଥା            ବୋଝ ଲଦିଣ ଆସ୍ଥା

ବଢ଼ାଇ ସିଂହାସନ ଆଶା ହେ       । ୫୧ ।

ମୋଗଲ ବାଦସାର            ସୁନେଲି ବିଳାସର

ପାଇଁ ଶେଷରେ ହିନ୍ଦୁରାଜା

ବଳି ଯେ ପଡ଼ୁଛନ୍ତି            ଦାରୁଣ ପରିସ୍ଥିତି

ଜଗତେ ବାଜୁଅଛି ବାଜା ହେ

କେତେଦିନ ଆଉ ରହିବ

ହେ ରାଜଗୁରୁ ଚାଲୁଥିବ

ଜଗନ୍ନାଥଙ୍କ ଇଛା            ସେଥିରେ କି ସଦିଛା

ହୁଏତ କିଛି କିଛି ଥିବ ହେ      । ୫୨ ।

ଭୂଖଣ୍ଡ ଭାରତର            ଭାଗ୍ୟାକାଶେ ମୋଗଲ

ଶାସନର ଚନ୍ଦ୍ର ଲାଂଛିତ

ତଥାପିତ ପତାକା            ଉଡ଼ୁଛି ଦେଶ ଏକା

ସେଥିପାଇଁ ଦାୟୀ କିଏ ତ ହେ

ଦାୟୀ ଭାରତ ଅନୈକ୍ୟତା

ତଥା ପରଶ୍ରୀ କାତରତା

ରାଜନ୍ୟ ବରଗଙ୍କ            ସାମ୍ରାଜ୍ୟ କଷା ଅଙ୍କ

ଅଂଧ ଲାଳସା ଅଯୋଗ୍ୟତା ହେ       । ୫୩ ।

ତେବେ ଯେ ଆଉଜଣେ            ଖାରବେଳେ ପ୍ରମାଣେ

ହେବେ ଓଡ଼ିଶା ମୁଲକରେ

କରି ଜନ୍ମ ଗ୍ରହଣ            ନାଶିବେ ରିଗୁ ଗଣ

ଉପାଡ଼ି ଚେରାଦି ବୃକ୍ଷରେ ହେ

ମଣିମାଙ୍କ କୃପା କେବଳ

ସେ ଜାଣିଛନ୍ତି ଏ ସକଳ

ପ୍ରଭୁଙ୍କୁ ହିଁ ଡାକିବା            କରମ କରିଯିବା

ଦେଖିବା କି ଫଳୁଛି ଫଳ ହେ       । ୫୪ ।

ଥିବା ଗୃହ କାନ୍ଥରେ            ଶିଳ୍ପୀ ଅଙ୍କିତ କରେ

ଏକ ଯୁଗନଦ୍ଧ ଦୟିତ

ଯୁଗଳ ଚିତ୍ର ଆଡ଼େ            ଚାହିଁ ଦୀର୍ଘଶ୍ୱାସରେ

ନିକ୍ଷେପ କଲେ ରାଜନ ତ ହେ

ମୃଦୁ କଂଠରେ ଧିରେ କହି

ରାଜନ ହସ ହସ ହୋଇ

ଅବା କେଉଁ ଲଗ୍ନରେ            ଗଜପତି ଗାଦିରେ

ବସିଲି ଗଜପତି ହୋଇ ହେ       । ୫୫ ।

ଜୀବନରେ କେବଳ             ଏ ଅପଶକୁନର

କରାଳ ଦୃଷ୍ଟି ଜୀବନକୁ

ସଂତୁଳିତ କରିଛି            ଆଛାଦନେ ଭରିଛି

ଓଡ଼ିଶା ଇତିହାସ ବୁକୁ ହେ

ଗୌରବମୟ ସ୍ୱର୍ଣ୍ଣାକ୍ଷର

ଏକ ଶାଣିତ ଅଧ୍ୟାୟର

ସଂଯୋଜନା ମୁଁ କରି            ପାରିଲି ନାହି ଁ ମରି

ଜୀଇଁ ଥାଉ ଥାଉ ଏମର ହେ      । ୫୬ ।

ରାଷ୍ଟ୍ର ଦେବତାଙ୍କର            ଧରମ ଦର୍ଶନର

ବିଶ୍ୱଜନୀନତାକୁ ଧରି

ଦୃପ୍ତାଭିଳାଷ କରି            ପ୍ରତିପାଦନେ ଡ଼ରି

ମର୍ତ୍ତ୍ୟେ ଅସଫଳ ହୋଇଲି ହେ

ସତରେ କ’ଣ ମ୍ଳାନ ହେବ

ବହି ଜ୍ୟୋତିରିଙ୍ଗଣ ଭାବ

କହନ୍ତୁ ରାଜଗୁରୁ            କେଉଁ ଅପରାଧରୁ

କେଉଁଠି ଅଛି ମୋର ଠାବ ହେ       । ୫୭ ।

ଜୀବନ ବ୍ୟାପୀ ଖାଲି            ସଂଗ୍ରାମରେ ମାତିଲି

ଯୁଦ୍ଧ ତୁର୍ଯ୍ୟନାଦ ଚାଲିଛି

ମୋର ଏ ଜୀବନର             ଅନ୍ତଃସ୍ୱରେ କେବଳ

ପରମ କାରୁଣିକ ଅଛି ହେ

ପବିତ୍ର ନାମ ପ୍ରଭୁଙ୍କର

ଘୋଷୁଛି ମୋହର ଅନ୍ତର

ତେବେପ୍ରତିପଦରେ            ବିରୋଧାଭାସ ଚାଲେ

କାହିଁକି ହୁଏ କଲବଲ ହେ       । ୫୮ ।

ନିକ୍ଷେପ ଦୀର୍ଘଶ୍ୱାସ            କରି ହୋଇ ହତାଶ

ବସି ପଡ଼ିଲେ ଗଜପତି

ସ୍ୱ ପ୍ରାଣ କନ୍ଦରରେ            କି ନିଃସହାୟତାରେ

କି ହେଲା ବୋଲି ଭାବୁଛନ୍ତି ହେ

କରୁଣ ରାଗିଣୀ ଯେପରି

ଜୀବନ ବୀଣା ତନ୍ତ୍ରୀ ଧରି

ବିକ୍ଷିପ୍ତ ଭାବେ ଖେଳି            ଖେଳି ଛାଡ଼ି ବୋବାଳି

ଅନ୍ତର କ୍ଷତ ବଢ଼େ ଖାଲି ହେ      । ୫୯ ।

ଆସିଣ ନିକଟକୁ            ରାଜଗୁରୁ ପଛକୁ

କହିଲେ ଧିରେ ଧିରେ କାନେ

ଏହି ଗ୍ଳାନିପଣରେ            ଅଛି ବସୁଂଧରାରେ

ଗୌରବ - ପୃଥିବୀ ଜୀବନେ ହେ

ଗଜପତି ସିଂହାସନରେ

ଅଧିରୁଢ଼ ଜୀବନ କାଳେ

ହୋଇଣ ନରନାଥ            ରଖି ଜଗତନାଥ

ଧରମ ସଂସ୍କୃତି ଧରାରେ ହେ      । ୬୦ ।

ସମଗ୍ର ଜୀବନରେ            ସ୍ୱ-ଅସି ଚାଳନାରେ

ଶ୍ରୀଜଗନ୍ନାଥଙ୍କ ଧରମ

ସଂସ୍କୃତିର ମସୀକୁ             ଚିରଭାସ୍ୱର ତାକୁ

ଉତ୍ସର୍ଗୀକୃତ ହିଁ ଆପଣ ହେ

ଆଗାମୀର ଇତିହାସରେ

କୀର୍ତ୍ତିଗାଥା ଚିର ଭାସ୍ୱରେ

ତ୍ୟାଗପୂତ ମହିମା             ରହିଯିବ ମଣିମା

ଇତିହାସରେ ସ୍ୱର୍ଣ୍ଣାକ୍ଷରେ ହେ      ।୬୧।

ନିଂଦା ଅପବାଦର             ନିଜ ଆତ୍ମୋତ୍ସର୍ଗର

ଗ୍ଲାନିରେ ଆଜି ପ୍ରତିଛନ୍ନ

ହେଲେ ମଧ୍ୟ ସେ ଚିର            ଉଦ୍ଭାସିତ ସୂର୍ଯ୍ୟର

ତେବେ ହେବ ଜାଜ୍ୱଲ୍ୟମାନ ହେ

ଏଥି ନିମନ୍ତେ ନୈରାଶ୍ୟର

ଅବସାଦକୁ କରି ଦୂର

ରାଷ୍ଟ୍ର ଦେବ ସେବାରେ             ଅଭି ନିମିଷ ହେଲେ

ସୁକୃତ ହିଁ ଆପଣଙ୍କର ହେ      ।୬୨।

ସ୍ୱ ଆତ୍ମ ନିବେଦନ            ଆତ୍ମୋନ୍ୱତିରେ ସ୍ୱର୍ଣ୍ଣ

ସୁପଥ ସଂଦେହ ଏଥିରେ

ନାହିଁ ଟିକିଏ ହେଲେ             ମନେ ରଖନ୍ତୁ ଭଲେ

ଏଇତ ବିଧି ବିଧାନରେ - ହେ

ପ୍ରପନ୍ନ ଆତ୍ମନିବେଦନ

ମନକୁ ସର୍ବଦା ପ୍ରସନ୍ନ

ରଖି ଏ ରାଜକାର୍ଯ୍ୟ            ଧରିଣ ହେ ଧଇର୍ଯ୍ୟ

କରନ୍ତୁ ବଂଦିତ ଆପଣ ହେ      ।୬୩ ।

ରାମଚନ୍ଦ୍ର ଦେବଙ୍କ            ନଷ୍ଣ୍ରଭ-ଚକା-ମୁଖ

ମଣ୍ଡଳ ଉପରେ ସଧିରେ

ଉଦ୍ଦୀପନାର ଜ୍ୟୋତି            ସଂଚାରିତ ସଂପ୍ରତି

ହୋଇ ଆସୁଥିଲା ସେ କାଳେ - ହେ

କ୍ଳାନ୍ତ ଚକ୍ଷୁପତାରେ ଦୃପ୍ତ

ଚାହାଣୀର ଗମ୍ଭୀରତାତ

ଧିରେ ନିବିଡ଼ ହୋଇ            ଆସୁଥିଲା ଘନେଇ

ଚକ୍ଷୁଥିଲା ବର୍ଣ୍ଣ ରକତ ହେ ।। ୬୪ ।

କଟୀ ବଦ୍ଧ ଅସିକୁ             ହାତରେ ତୋଳିବାକୁ

ଦେଖି ରାମଚନ୍ଦର ଦେବ

କହିଲେ ରାଷ୍ଟ୍ରଦେବ            ଜଗନ୍ନାଥ ସରବ

ପବିତ୍ର ନାମରେ ସଂଭବ

ମୁଁ ପୁଣି କରୁଛି ସଂକଳ୍ପ

ମୃତ୍ୟୁ ପର୍ଯ୍ୟନ୍ତ ଯା ଅଳପ

ଗଜପତି ଗାଦିର            ବିନିଯୋଗ ସଂଭାର

କରିବି ଶକତି ଅନଳ୍ପ ହେ ।। ୬୫ ।

ବିଶ୍ୱ-କଲ୍ୟାଣ-ବାର୍ତ୍ତା            ପ୍ରଚାର କରିବି ତା

ପ୍ରଭୁ ଶ୍ରୀଜଗନ୍ନାଥଙ୍କର

ଜୀବନର ପ୍ରତିଟି             ମୁହୂର୍ତ୍ତ - ତାଂକ ପ୍ରତି

ସମୃଦ୍ଧ ସୌଷ୍ଠବ ରାଷ୍ଟ୍ରର ହେ

ନିୟୋଜିତ କରି ମୁଁ ଚିର

ପ୍ରଣତ ରହିବି ଏ ମର

ପରମ କାରୁଣିକ            ପ୍ରଭୁ ଜଗନ୍ନାଥଙ୍କ

ଅଭୟ ପାଦ-ପଙ୍କଜର ହେ ।। ୬୬ ।

ସମ୍ମୋହିତ ହୋଇଣ            ରାଜଗୁରୁ ପରମ

- ଲକ୍ଷ୍ମୀ ମହାପାତ୍ର ଶାଣିତ

ପୁରୁଷ ରାଜନଙ୍କ             ତୃପ୍ତ - ସଂକଳ୍ପ - ମୁଖ

ଚାହିଁଲେ ହୋଇଣ ସଂଚିତ ହେ

ଓଡ଼ିଶାର ଇତିହାସରେ

ରାଜନ ପବିତ୍ର ବାଣୀରେ

ସୁନୀଳ ଆକାଶରେ             ପୁଷ୍ପାୟିତ ରୂପରେ

ମର୍ମରିତ ଦିବ୍ୟ ଭାଷାରେ ହେ      । ୬୭ ।

ରକ୍ତାତ୍ତ ହୋଲି ଖେଳି            ଆସୁଥିଲା ଗୋଧୂଳି

ନଇ ବରୁଣେଇ କଟକେ

ଫାଙ୍କେ ଗଛ ପତ୍ରର             ରୋଷାଣି ସୁବର୍ଣ୍ଣର

ବିନ୍ୟାସ କରିଣ ଛଟକେ ହେ

ସୂର୍ଯ୍ୟ ପଶ୍ଚିମ ଆକାଶରେ

ଦୁଃଖେ ବିଦାୟ ନେଉଥିଲେ

ରାଜ ପରିଷଦରେ            ସଭାଗୃହ ମଧ୍ୟରେ

ଆସିଣ ଗବାକ୍ଷ ଧାରରେ ହେ      ।୬୮।

ମ୍ଳାନ କୋମଳ ଖରା             ଚେନାଏ ଆସି ଧରା

ଗବାକ୍ଷ ଧାରେ ପଡ଼ୁଥିଲା

ଓଡ଼ିଶା ବିଡ଼ମ୍ବିତ            ଇତିହାସ ଦୁର୍ଗତ

ଅଧ୍ୟାୟ ପରି ଲାଗୁଥିଲା ହେ

ଚଟାଣ ଉପରେ ନିଦ୍ରିତ

ହୋଇ ପଡ଼ିଥିଲା ବିଚିତ୍ର

ପରିଷଦ ଗୃହରେ            ଗଭୀରା-ଲୋଚନାରେ

ରାମଚନ୍ଦ୍ର ଦେବ ଚିନ୍ତିତ ହେ ।। ୬୯ ।

କିଛି ସମୟପରେ            ନୀରବରେ ଶୁଣିଲେ

ମୀରହବିବ ଭାଷଣକୁ

ନଅ ଲକ୍ଷ ଟଂକାକୁ            ସମଧିକ ବୃଦ୍ଧିକୁ

ପେଷିଛନ୍ତି ପରୱାନକୁ

ପେଶକିସ ବୃଦ୍ଧି କରିବା

ପାଇଁ ପରତ୍ୱାନା ଆସିବା

ସେ ନବାବ ସାହେବ            ପାଇବେ କି ଯବାବ

ବିଚାରନ୍ତୁ କିସ ଲେଖିବା ହେ ।। ୭୦ ।

ନବାବଙ୍କ ପାଖରେ            ପହଂଚିଛି ଖବରେ

ଓଡ଼ିଶା ମୁଲକେ ଚଳିତ

ବର୍ଷ ଭଲ ଫସଲ            ହୋଇ ଅଛି ଅସଲ

ଆମଦାନୀ ଜଣାଯାଏ ତ ହେ ଜଗନ୍ନାଥ

ଏହା ସଂଗେ ବହୁ ସଂଖ୍ୟକ

ଯାତ୍ରୀ ମଧ୍ୟ ପରିଦର୍ଶକ

ଏହି ପୁରୀ ଧାମକୁ             ଆସିବେ ଦର୍ଶନକୁ

ଖବର ମିଳୁଛି ଅନେକ ହେ ଜଗନ୍ନାଥ । ୭୧ ।

ନବାବ ତକୀଖାଁଙ୍କ             ସମୟରେ ଅନେକ

ବରଷ ପେଶକିସ ଟଂକା

ପ୍ରତି ବର୍ଷ ହାଜିର            ହୋଇ ନାହିଁ ନଜିର

ଅଛି ତାଂକ ପାଖରେ ଏକା -ହେ

ତେଣୁ ଏସବୁ ପେଶକିସ

ଅସୁଲ କରିବା ନିର୍ଦ୍ଦେଶ

ଅଛି କଡ଼ା କଡ଼ିରେ            ବି ଏକ ସମୟରେ

ପୁଣି ଏ ଚଳିତ ବରଷ ହେ ଜଗନ୍ନାଥ । ୭୨ ।

****

 

୧୪ଶ ସର୍ଗ

 

ରାମଚନ୍ଦ୍ର ଦେବ ବିଷର୍ଣ୍ଣ ମୁଖରେ

ମୁର୍ଶିଦ କୁଲିଖାଁଙ୍କ ଆଡ଼େ ଚାହିଁଲେ

ବାରବାଟି କଟକରେ ଆଲୋଚନା

ସଭା ଯୋଗ ଦେବା ପାଇଁ କଲେମନା ।

ତେଣୁ ସଭା ହେଲା ସେ ବରୁଣେଇରେ

ମୁର୍ଶିଦ କୁଲିଖାଁ ସେହି ସ୍ଥାନେ ଗଲେ

ପେଶ୍‌କିସ୍‌ ପାଉଣାର ନିର୍ଦ୍ଧାରଣ

ପାଇଁ ରାଜା କଲେ ସେଠାକୁ ଗମନ ।

ପରମଲକ୍ଷ୍ମୀ ସଭାରେ ଦେଲେ କହି

ନଜୀମ ସାହେବ ଶୁଣ ମନ ଦେଇ

ଓଡ଼ିଶା ଆର୍ଥିକ ସ୍ଥିତି ଶୋଚନୀୟ

ତେଣୁ କହୁ ଅଛି ଯାହା କରଣୀୟ ।

ଚଳିତ ବରଷ ବର୍ଷା ଅଭାବରୁ

ସବୁ ଅଂଚଳରେ ମରୁଡ଼ି ଫଳରୁ

ରାଜ୍ୟବାସୀ ଦୁଇମୁଠା ଓଳା ଦୁଇ

ଖାଇବାକୁ ନାହିଁ ସ୍ୱ ପେଟ ପୁରାଇ ।

ସେମାନଙ୍କ ଠାରୁ କର ଆଦାୟର

ଅର୍ଥ ହେଲା ପିଠି ଉପରେ ପ୍ରହାର

ପୁଣି ପେଶକିସ ଦଶ ଲକ୍ଷଟଂକା

ଶୁଣି କରି ଲୋକେ ହୁଅନ୍ତି ତାଟକା ।

ଅବାସ୍ତବ ଅଟକଳ ଏ କେବଳ

ତେଣୁଦୟାକରି ଦିଲ୍ଲୀକୁ ପଚାର

ଓଡ଼ିଶା ଦୁର୍ଗତି ବିଷୟେ ଜଣାଇ

କର ପଇଠର ଅବ୍ୟାହତ ପାଇଁ

କରନ୍ତୁ ହେ ସୁପାରିଶ ବାଦସାଜୁ

ଅତ୍ୟନ୍ତ ଜରୁରୀ ବିଷୟ ତାହାକୁ

ସମୃଦ୍ଧି ନ ହେଲେ ରାଜ୍ୟ ଅର୍ଥସ୍ଥିତି

ପଇଠ ନୋହିବ ପେଶକିସ ଏଠି ।

ବ୍ୟଥାତୁର କଂଠେ ରାମଚନ୍ଦ୍ର ଦେବ

କହିଲେ ଶୁଣନ୍ତୁ ନଜୀମ ସାହେବ

ନିର୍ବିବାଦେ ଅତୀତରେ ପୈଠକରି

ଏତେ ପରିମାଣ ଟିକସ ଆବୋରି

ମଧ୍ୟ ପ୍ରର୍ବତନ ନାଏବ ନଜୀମ

ଧର୍ମାଂଧ ବିଦ୍ୱେଷୀ ମନୋଭାବ ଗୁଣ

ଯୋଗୁଁ ହିଁ ଓଡ଼ିଶା ବାସୀ ଏ ଦୁର୍ଗତି

ଭୋଗୁଛନ୍ତି ଶୁଣ ମନ ଦେଇ ଏଠି ।

ଅବାଂଛିତ ଅନାବଶ୍ୟକ ଭାବରେ

ବାରମ୍ବାର କରି ଓଡ଼ିଶା ଉପରେ

ଆକ୍ରମଣ ଧର୍ମ ଭାବନା ରାଜ୍ୟର

ଇତିହାସ କରି ବ୍ୟଥିତ ଏହାର

ଲାଂଛିତ କରିବା ଯେ ଅପପ୍ରୟାସ

କରାଯାଇଅଛି ଆଗରୁ ହତାଶ

ଏହାର କୁଫଳ ଏ ଓଡ଼ିଶାବାସୀ

ଭୋଗ କରୁଛଂତି ମୁଣ୍ଡକୁ ଆଉଁସି ।

ଗଜପତି ରାଜନଂକୁ ବାରଂବାର

ଆକ୍ରମଣ କରି ବା ଫଳେ ତାହାର ।

ଆକ୍ରମଣୁ ସୁରକ୍ଷିତ ରହିବାକୁ

ଏ ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥଙ୍କୁ

ବାରମ୍ବାର ସ୍ଥାନାନ୍ତର ହେବା ଫଳେ

ମୁହିଁ ଗଜପତି ରାଜନ ଭାବରେ

ପ୍ରତିରକ୍ଷା ପ୍ରଚେଷ୍ଟାରେ ନିୟୋଜିତ

ରହି ରାଜ୍ୟବାସୀଙ୍କର ଚିନ୍ତା ହିତ

ସୁଶାସନ ପ୍ରତି ଦେଇ ନାହିଁ ଧ୍ୟାନ

ପୁଣି ଜଗନ୍ନାଥେ ଘେନି ଘନଘନ

ଚକଡ଼ାଛଡ଼ା କରିବାର ଫଳରେ

ଓଡ଼ିଶା ଜାତୀୟ ଜୀବନ ଉପରେ

ନୈରାଶ୍ୟର କଳା ଛଂଚାଣର ଡ଼େଣା

ମେଲି ହତାଶାର ଦୀର୍ଘଶ୍ୱାସେ କି ନା

ସୃଷ୍ଟି କରିଅଛି ଆମ ଅନୁଭବେ

ଧର୍ମଭୂମି ଓଡ଼ିଶାର ସବୁ ଠାବେ ।

ହାତାଶା ଦାରୁଣ ଅଂଧକାର ଛାଇ

ଓଡ଼ିଶାର ରାଜଦାଣ୍ଡରେ ଘୁମଇ ।

ଯାତ୍ରୀମାନଂକର ଅନୁପସ୍ଥିତରେ

ଚଳିତ ବରଷ ମରୁଡ଼ି ପ୍ରହାରେ ।

ରାଜକୋଷ ଶୂନ୍ୟହୋଇ ପଡ଼ିଅଛି

ଏହାର ନିମନ୍ତେ ଓଡ଼ିଶା କାନ୍ଦୁଛି ।

ବାକି କର ସବୁ ସହଜେ ବହନ

କରିବାକୁ ଲୋକେ ଅସମର୍ଥ ଜାଣ ।

ଓଡ଼ିଶା ପକ୍ଷରେ ହେ ଖାଁଆ ସାହେବ

ଦିଲ୍ଲୀ ଦରବାରେ ଏସବୁ କହିବ ।

ଚଳିତ ବରଷ ପାଇଁ ଓଡ଼ିଶାକୁ

କରମୁକ୍ତ କରିବାର ପ୍ରସ୍ତାବକୁ

ଅନ୍ତତଃ ପକ୍ଷରେ କର ସୁପାରିଶ

ଅଧିକନ୍ତୁ ଆପଣଙ୍କ ରାଜ କୋଷ

ଆର୍ଥିକ ପ୍ରଦାନ ସହାୟତା କିଛି

ଓଡ଼ିଶା ବାସୀଙ୍କୁ କରନ୍ତୁ ମୁରୁଛି

ବଂଚିବାର ମଉଳିକ ଅଧିକାର

ଜନ୍ମଗତ ଦାବୀ ପ୍ରତ୍ୟେକ ପ୍ରାଣୀର-

-ଅଛି, ଆପଣଙ୍କ ଧାର୍ମିକ ବିଚାରେ

ମୂଲ୍ୟବୋଧ କଥା କ’ଣ ଜୀବନରେ

ନାଏବ ନାଜୀମ ସାହେବ କଥିତ

ହୋଇଛି କି ନାହିଁ ଜାଣୁ ଓଡ଼ିଶା ତ ।

ନାଏବ ନଜୀବ କୁଲିଖାଁ ନୀରବ

ହୋଇ ଛାତ କଡ଼ି ଗଣୁଥିଲେ ସର୍ବ ।

ଶ୍ମଶ୍ରୁରେ ହାତକୁ ବେଳେ ବେଳେ ମାରି

ଦୀର୍ଘଶ୍ୱାସ ତ୍ୟାଗ କରୁଥିଲେ ଖାଲି,

ଆଲୋଚନା ଗୃହେ ଗଭୀର ଭାବରେ

ବସିଥିଲେ ସର୍ବେ କା ପାଟି ନଖୋଲେ ।

ସନ୍ନିକଟ ପ୍ରାନ୍ତରରେ କେତେ ଅଶ୍ୱ

କରୁଥିଲେ ତୃଣ ଚାରଣ - ସର୍ବସ୍ୱ ।

ସର୍ମର୍ପିତ ଉକ୍ତ ଆର୍ତ୍ତାହ୍ୱାନ ପରି

ମଝିରେ ମଝିରେ ହ୍ରେସାରାବ କରି

ଉଠୁଥିଲେ ଚାହିଁ ଚକର ବାଳକୁ

ଡ଼େଉଁ ଥିଲେ ଟିଙ୍କ ଧଇଲେ ଗୋଡ଼କୁ

ମୀର ହବିବଖାଁ ନିଜ ଅବିନ୍ୟସ୍ତ

ଶ୍ମଶ୍ରୁ କରୁକରୁ ହାତରେ ବିନ୍ୟସ୍ତ

“କହିଲେ ଆପଣ ଯାସବୁ ଭାଷିଲେ

ଆହେ ଗଜପତି ଏ ସବୁ ପହିଲେ

ଆମେ ଜାଣିଅଛୁ ଆପଣଙ୍କ ପ୍ରତି -

ମୋଗଲେ ଶାସନ, ଦରଦ ସଂପ୍ରତି-

ରହିଛି, ଆପଣ ମୋଗଲ ଶାସକ

ଭାଇ ବିରାଦର, ଓଡ଼ିଶା ପାଳନ

ସୁତାରଂ ଆମର ବଂଧୁହେ ଆପଣ

ସେଇ ବଂଧୁତ୍ୱର କଥାକୁ ରଖିଣ ।

ଆମେ ଆପଣଙ୍କ ଏ ଅସହାୟତା

ବଂଗଳା ନବାବ ନିକଟେ ଏକଥା ।

ସୁପାରିଶ ନିଶ୍ଚେ କରିବୁ ସେଠାରେ

ବିଚାର କରିବେ ଯାହା ସେ ଗାଦିରେ ।

ଆପଣଙ୍କୁ ମାନି ନେବାକୁ ହିଁ ହେବ

ଶେଷରେ ଯାରାୟ ଦେବେ ସେ ନବାବ ।”

ନଇପଡ଼ି କରି ବିହ୍ୱଳ କଂଠରେ

ରାମଚନ୍ଦ୍ର ଦେବ ସ୍ୱ କୃତଜ୍ଞତାରେ

“କହିଲେ ଓଡ଼ିଶା ପ୍ରଜାଙ୍କ ପକ୍ଷରୁ

ବହୁତ ବହୁତ ସୁକ୍ରିୟା ଅଦୂରୁ

ଦୁଇ ଓଳା ପେଟପୁରା ଓଡ଼ିଶାର

ପ୍ରଜାଙ୍କୁ ଭୋଜନ ବ୍ୟବସ୍ଥା ଦେବାର

କରି ତାଂକୁ ରଖିବା ଯେ କର ମୁକ୍ତ

ଏହା ଆବଶ୍ୟକ ଏବେ ହିଁ ଏକାନ୍ତ ।

ବ୍ୟକ୍ତିଗତ ଭାବେ ସୁକରଗୁଜାର

କରେ ମୁଁ ଏ ତଥ୍ୟ ଆପଣ ବିଚାର

କରିଣ, ହୃଦୟଂଗମ କରି ଛଂତି

କଲ୍ୟାଣ କରିବେ ଜଗନ୍ନାଥ ନିତି ।”

ପୁଂରନ୍ତ ଗୋଧୂଳି ଆସିଥିଲା ନଇଁ

ସେ ଅପରାହ୍ନର ଅବସନ୍ନ ହୋଇ

ଗୋଧୂଳି ରକ୍ତିମା ଆଭା ଚକ୍ର ବାଳେ

ହୋଇ ଯାଇଥିଲା ଆସ୍ତ୍ରୀର୍ଣ୍ଣ ବହଳେ ।

କେତୋଟି ଦଂପତ୍ତି ପାରାବତ ଛନ୍ଦି

ହୋଇଥିଲେ ଗୃହେ ସେ ଯୁଗଳବନ୍ଦୀ ।

ଆଲୋକପଥରେ ପ୍ରେମ ମଧୁରସ

ପାନ କରୁଥିଲେ ହୋଇଣ ସରସ ।

ମଧୁ ଗୁଂଜରଣ ଆଳାପରେ ମାତି

ଥିଲେ ଗୃହ ଆଲୋଚନା ନ ଜାଣନ୍ତି ।

ସଦେଇ ସଂଗରେ ଆଉଦୁଇ ଜଣ

ମୋଗଲ ଲସ୍କର ହାଜର ହୋଇଣ

ସରବତ ଆଦି ପାନୀୟ ବ୍ୟବସ୍ଥା

କଲେ ସଂଧ୍ୟାରୀତି ନଥିଲା କୁ-ଚିନ୍ତା ।

ସଂଧ୍ୟା ମ୍ଳାନ ଅନ୍ଧକାରେ ବରୁଣେଇ

କଟକେ ଯେପରି ଉଦାସୀନ ଛାଇ

ମୂର୍ଚ୍ଛନା ଲହରୀ - କାହାର ଅଜ୍ଞାତ

ସଂଧ୍ୟା ମୁହୂର୍ତ୍ତରେ କଂଠରୁ ନିଃସୃତ

କରି ଦେଇଥିଲା ବିବଶ ସବୁଙ୍କୁ

ଭଲ ଲାଗୁଥିଲା ସବୁଙ୍କ କାନକୁ ।

ସରବତପାନ କଲାପରେ ଉଠି

କୁଲିଖାଁ କହିଲେ ଚାହିଁ ଗଜପତି

“ଆମ ଲାଲବାଗ କଟକ ରମାନା

ହୋଇଯିବୁ କାଲି ସକାଳେ ଠିକଣା

ହୋଇଅଛି ସବୁ ତିଆର ଏଇଠି

ଆପଣଙ୍କ ପାଖେ ଆଜିହିଁ ଅତିଥି

ଆପଣ ଆମର ବୀର ଭଗ୍ନୀପତି

ଉଚିତ ସତ୍କାର ଯାହା କରିଛନ୍ତି

ଆପଣ କୃପଣ ନୁହନ୍ତି ଏଥିରେ

ଲଘୁ ପରିହାସେ କୁଲିଖାଁ ଭାଷିଲେ

ପରିବେଶ ଆମୋଦିତ ହୋଇଥିଲା

ମୃଦୁ କଂପନରେ ସ୍ଥାନ କଂପିଥିଲା

ବାରବାଟି କଟକରୁ ହିଁ ଆଗତ

ମୋଗଲ ଲସ୍‌କରେ ହୋଇ ଏକତ୍ରିତ

ଅଦୂରବର୍ତ୍ତୀ ପ୍ରାନ୍ତର ମୁକ୍ତାଂଗନେ

ନମାଜ ପଢ଼ିଲେ ହୋଇ ଏକମନେ ।

ସଂଧ୍ୟାର ପତଳା ଚନ୍ଦର ଆଲୋକ

ଭାବାସିକ୍ତେ ଭାସୁଥିଲା ମୋଲ୍ଲା ଡ଼ାକ

ଆଲ୍ଲା ଆକବର ଆଲ୍ଲା ଆକବର

ଶବଦରେ କଂପୁଥିଲା ପୁରଦ୍ୱାର ।

ଆଲୋଚନା ସାରି ସବୁ ପରିଷଦେ

ବାହାରି ଆସିଲେ ମାନସ ଆନଂଦେ

ଆକାଶର ଅଖଣ୍ଡ ଉପତ୍ୟକାରେ

କେତୋଟି ତାରକା ଅଳ୍ପେ ଦେଖୁଥିଲେ ।

ଅଜ୍ଞାତ ତିଥିର ଚନ୍ଦ୍ର ବରୁଣେଇ

କଟକର ମୁକ୍ତ ପ୍ରାଂଗଣରେ ରହି

ରଚି ଥିଲା ମନୋହରେ ମହୋତ୍ସବ

ରଜତ ଧବଳ ଅଖଣ୍ଡ ପ୍ରଭାବ ।

*****

ପରିଷଦ ଗୃହେ ଗମ୍ଭୀର ଭାବରେ

ରାମଚନ୍ଦ୍ର ଦେବ ବସି ନୀରବରେ

ଭାବୁଥିଲେ, ଛାମୁ କରଣ ଲେଖନୀ

ଧରି ନିକଟରେ ଆଦେଶକୁ ମାନି

ପ୍ରତୀକ୍ଷାରେ ଚାହିଁଥିଲେ ରାଜନଙ୍କୁ

ରାଜଗୁରୁ ଦେଖୁଥିଲେ ଉପରକୁ

ଗଭୀର ଚିନ୍ତାରେ ଯାଇଥିଲେ ବୁଡ଼ି

ପ୍ରତ୍ୟାଶିତ ସମସ୍ୟାର ପଥ ଲୋଡ଼ି ।

ଗଜପତି ଭାଷା - ହେ ଛାମୁ କରଣେ

ଲେଖନୀ ଧରିଣ ଲେଖ ଏକ ମନେ,

ଶାସନାଦି ବୀର ନରସିଂହପୁର

ଗୋପୀନାଥ ପୁର ଜଗନ୍ନାଥ ପୁର

ସେ ଗୋକୁଳପୁର ଶାସନରେ ଥିବା

ବିଭିନ୍ନ ବୃତ୍ତି ଜମି ମଧ୍ୟରୁ ଅବା

ଦାନ ପତ୍ର ଚୋପ ଶ୍ରୀମହାପାତ୍ରଙ୍କୁ

ଲେଖିବା ହୁଅନ୍ତୁ ଶାସନ ମାନଙ୍କୁ

ପରମ ଲକ୍ଷ୍ମୀଙ୍କୁ ଶୀଘ୍ର ସବୁଦାନ -

ପତ୍ର ଅନୁଯାୟୀ ରଖିମୋରମାନ

ସଦୁପଯୋଗ କରିଣ ମାଲିକାନା -

ସୂତ୍ରେ ଭୋଗ ଦଖଲ କରିବେ କି ନା

ତେଣୁ ଆଜି ଦାନ ତୋପ ମାନ ଲେଖି

ପଠାଅ ଶାସନ ମାନଂକୁ ପରଖି ।

କେତୋଟି ମୁହୂର୍ତ୍ତ ପାଇଁ ସେ ଆଖିରେ

ପ୍ରଚକ୍ଷୁ ପିନ୍ଧି ଭାବି ସେହି ସ୍ଥାନରେ

ବସିରହିଥିଲେ ସେ ଛାମୁକରଣ

ସତେ ହୋଇଗଲେ ଯେହ୍ନେ ଚକ୍ଷୁହୀନ ।

ଗଜପତି ମହାରାଜାଙ୍କ ଯେପରି

ଆଦେଶ ଜାଣନ୍ତି ନାହିଁ ସେହିପରି

ତାଂକ କର୍ଣ୍ଣ କୁହରରେ ସେ ଆଦେଶ

କରୁନଥିଲା କି ଆଦୋ÷ ପରବେଶ

ଗଭୀର ଚିନ୍ତାରେ ସେ ଛାମୁକରଣ

ସ୍ଥାଣୁ ପ୍ରତିମାକି ଭଜିଲେ ଆସନ

ଉତ୍‌କ୍ଷିପ୍ତ ସ୍ୱରରେ ଭାସି ଗଜପତି

ହେ ଛାମୁ କରଣେ ଚିନ୍ତା କରୁଛନ୍ତି

ଆପଣ ବା ଆଉ କଅଣ ଏଥିରେ

ଦାନଚୋପ ପତ୍ର ଲେଖାହେଲାପରେ

ଏ ପତ୍ର ଗୁଡ଼ିକ ପାଇକ ହାତରେ

ପଠାଯିବ ଅଛି କି ନା ସ୍ମରଣରେ ?

“ଚମକି ପଡ଼ିଣ ସେ ଛାମୁକରଣ

କହିଲେ ମହାର୍ଜା ଭାବୁଥିଲି ଦାନ

ପତର ଲେଖାର ପରିଣାମ କଥା

ପରବର୍ତ୍ତୀ ଯାହା ହେବ ବୋଲି କଥା ।

ଯାହା ମୁଁ ସୂଚନା ପାଇଛି ଶୁଣନ୍ତୁ

ଦାନପତ୍ର ପରଦାନ ପରେ ହେତୁ

ଶାସନୀ ବ୍ରାହ୍ମଣ ପଣ୍ଡିତ କେତେକ

ବାଂଧିବେ ନିଶ୍ଚୟ ମେଳି ଡ଼ାକହାକ

ଛାମୁ ତ ଜାଣନ୍ତି ଏ ମେଳିଆମାନେ

ଷଡ଼ଯନ୍ତ୍ର ଯୋଗୁଁ ଗୋଳିଆ ଗୁମାନେ

ଅନାହୁତ ଭାବେ ମହାରାଜାଙ୍କର

ଘେରି ଆସିଯିବ ବିପଦ ସଂକୁଳ

ସେହି ବିପର୍ଯୟ କଳାଛାଇ ଏବେ

ଘୁଂଚିନାହିଁ ଲୋକେ ଜାଣିଛନ୍ତି ସର୍ବେ ।

ଯାର ଚିହ୍ନ ଏ ପର୍ଯ୍ୟନ୍ତ ଲିଭିନାହିଁ

ମାନସପଟରୁ - ଅଛି ଚିହ୍ନ ହୋଇ ।”

ଟିକିଏ ରହିଣ ରାମଚନ୍ଦ୍ରଦେବ

ଗମ୍ଭୀର କଂଠରେ କହିଲେ ମୁଁ ସର୍ବ

ଜାଣିଛି ହେ ଛାମୁକରଣେ ଏକଥା

ଯୁଗେ ଯୁଗେ ଏ ମେଳିଆ ମାନେ ବ୍ୟଥା

ବଢ଼ାଇ ଥାଆନ୍ତି ରାଜଶକ୍ତି ରୋଧେ

ଘଟାଇବା ପାଇଁ ପତନ ବିରୋଧେ ।

ଏହି କଳଂକିତ ପରାଂପରା ଅଛି

ଓଡ଼ିଶା ଇତିହାସରେ ବଂଚି ବଂଚି,

ଏହା ସତ୍ୱେ ମଧ୍ୟ ଏ ରାଜଶକ୍ତିର

ବିଚାର ଧାରାର ବି ମୂଲ୍ୟ ବୋଧର

ହ୍ରାସ ପାଇ ନାହିଁ ଟିକିଏ ହେଲେବି

ଭେଦିଆମାନଂକ ଷଢ଼ ଯନ୍ତ୍ର ଭାବି

ଷଡ଼ଯନ୍ତ୍ର ଫଳେ ଭେଦିଆ ମାନଂକ

ରାଜଶକ୍ତି ଟଳେ କେବେ ସାମୟିକ

ହୋଇ ଅଛି ପରାହୃତ ଏହା ସତ୍ୟ

ହୋଇ ନାହିଁ ଧର୍ମ କେବେ ବିଡ଼ମ୍ବିତ

ଭେଦିଆ ମାନଙ୍କୁ କେବେ ଭୟ କରି

ମୁଁ କେବେ ଅଧର୍ମ ଜୟଗାନ କରି

ପାରିବି ନାହିଁ ହେ, ହେ ଛାମୁକରଣେ

ଦାନଚୋପ ପତ୍ର ଲେଖ ଏହି କ୍ଷଣେ

ଲେଖା ହେବ ତାହା ଅବଶ୍ୟ ଏଠରେ

ଯେ କୌଣସି ମତେ ଏହି ମୁହୂର୍ତ୍ତରେ,

ଶ୍ରୀ ଜଗନ୍ନାଥଙ୍କୁ ମାନସେ ସ୍ମରଣ

କରି ଦାନ ଚୋପ ପତର କରଣ

ଲେଖିଲେ ସେଠାରେ ସେହି ମୁହୂର୍ତ୍ତରେ

ଅବଶ୍ୟ ତାଂକର ମନ ବିରସରେ,

ପତ୍ର ଲେଖିସାରି ପୁନର୍ବରାବୃତ୍ତି

କଲେ ଶ୍ରୀଛାମୁକରଣ ମାନି ନୀତି

ନୀରବରେ ଗଜପତି ଶୁଣୁଥିଲେ

ସ୍ୱାକ୍ଷର କରିଣ ପତର ଉପରେ

ନିଜେ ଉଠି ଯାଇ ରାଜଗୁରୁ ହସ୍ତେ

ପତ୍ରାର୍ପଣ କରି ସବିନମ୍ର କଂଠେ

କହିଲେ ହେ’ ରାଜଗୁରୁ ସ୍ୱବିଚାର

ପଟାନ୍ତର ନାହିଁ ସ୍ୱଜାତୀୟତାର

ଯର୍ଥାର୍ଥେ ଆପଣ ଓଡ଼ିଶା ମାଟିର

ସଂସ୍କୃତି ପୁରୁଷ ଏ ଇତିହାସର

ଶ୍ରେଷ୍ଠ ରୂପକାର ମହାରଥି ଚିର

ସଂସ୍କୃତିର ମୂର୍ତ୍ତିମନ୍ତ ଅବତାର ।

ଆପଣଙ୍କୁ ଏହି କ୍ଷୁଦ୍ର ଦାନପତ୍ର

ଯାହା ଓଡ଼ିଶାର ଅଟେ ମାନପତ୍ର

ପ୍ରଦାନ କରିଣ ଏ ଇତିହାସକୁ

ସମୃଦ୍ଧି କରୁଛି ଯା ସ୍ୱର୍ଣ୍ଣାକ୍ଷରକୁ

ପ୍ରଭୁ ଜଗନ୍ନାଥ କରନ୍ତୁ ସୁରକ୍ଷା

ଜୟ ହେଉ ଓଡ଼ିଶାର ଏହି ଭିକ୍ଷା ।”

ରାଜଗୁରୁ ଆସନରୁ ଉଠି ସାରି

ଦାନପତ୍ର ଚୟ ଧରିଲେ ସଂଭାଳି

ସେ ଗୁଡ଼ିକ ନେଇ ଲଗାଇ ମଥାରେ

ଚାହିଁଣ ଲୋତକ ପୂର୍ଣ୍ଣ ନୟନରେ

ବାଷ୍ପାକୁଳକଂଠେ କହିଲେ ରାଜନ

“ପୂର୍ଣ୍ଣହେଉ ଲବେ ସର୍ବମନଷ୍କାମ

କଲ୍ୟାଣ କରନ୍ତୁ ପ୍ରଭୁ ଜଗନ୍ନାଥ

ହେଉ ଏହି ରାଜ୍ୟ ଶ୍ୟାମଳ ମଣ୍ଡିତ

ଓଡ଼ିଶାର ଦୁଃଖ ଦୈନ୍ୟ ଦୂର ହେଉ

ସାହା ହେଉଥାନ୍ତୁ ସଦା ମହାବାହୁ ।

କଂଠ ହେଲା ରୁଦ୍ଧ ମହାପାତ୍ରଙ୍କର

ଝରିଲା ନୟନୁ ଲୁହ ଧାର ଧାର

ପରିଷଦ ଗୃହର ଅଂଗୁଳିମେୟ

କର୍ମଚାରୀଙ୍କର ହୃଦୟର କୋହ

କେଉଁ ଏକାଜ୍ଞାତ କଂଠରୁ ବାହାରି

ଆହ୍ଲାହିତ ଚୋଖି ମୂର୍ଚ୍ଛନା ଯେପରି

ଲହରିତ ହେଲା ସେ ଗୃହ ମଧ୍ୟରେ

ଛୁଇଁଲା ମନକୁ ସବୁଙ୍କ ବିହ୍ୱଳେ ।

 

ଭଜନ

(ରାଗ-ଚୋଖି)

 

ହେ ପ୍ରଭୁ କରୁଣା ସିଂଧୁ             ତୁମେ ପରା ଦୀନବଂଧୁ

ଜଗତ ପରାଣ - ବିଂଦୁ ହେ ବିଶ୍ୱପତି

ତୁମ୍ଭେ ତ ଚକଡ଼ା ଛଡ଼ା             ହୋଇ ବଢ଼ାଇଛ ବ୍ରୀଡ଼ା

ଓଡ଼ିଶା ବାସୀଙ୍କ କ୍ରୀଡ଼ା କାନନେ ମାତି

କେତେବେଳେ ଯାଅ କୁଆଡ଼େ

କିପରି କାର୍ଯ୍ୟ-ନିର୍ଘଣ୍ଟ ହୁଏ ନିବିଡ଼େ ।       ।। ୧ ।।

ଆହେ ପ୍ରଭୁଦୟାସିଂଧୁ            ଦିବସରେ କାଂଦୁ କାଂଦୁ

କପାଳକୁ ନିନ୍ଦୁ ନିନ୍ଦୁ ସ୍ମରି ଚରଣ

ସେ ଚରଣ-ରଜ-ଧୂଳି            ବୋଳିବି କପାଳେ ବୋଲି

ବସିକରି ଭାବିଥିଲି ହେଲା ସେ ଆନ

ଏ ଜୀବନେ କି କାର୍ଯ୍ୟ ଆଉ

ଅଛି, ମରୁଛି ଭାବିଣ ଆପଣ ଥାଉ       ।। ୨ ।।

ଯେତେଦିନ ଦେଲ ଶକ୍ତି            ସେଥିଲା ମମ ସଂପତ୍ତି

ତାକୁ ଧରିଣ ବିପତ୍ତି ସଂଭାଳିବାକୁ

ଅଂଟା ସିନା ଭିଡ଼ିଥିଲି            ସେ ଅଂଟା ଦଉଡ଼ି ଛିଡ଼ି

ଯାଇଛି ଅଧାରୁ ମୋଡ଼ି ହୋଇ ପଛକୁ

ହେବକି ସେ ଯତନେ ଜୋଡ଼ି

ବେଳ ବଳ ଖସିଲାଣି ପଶ୍ଚିମେ ମାଡ଼ି       ।। ୩ ।।

ଆହେ ପ୍ରଭୁ ଆଦିମୂଳ            ନିଜକୁ ନିଜେ ସଂଭାଳ

ଶକ୍ତି ଖସିଲାଣି ମୋର ଯା’ ଦେଇଥିଲ

ବୋଧ ହୁଏ ଆସେ ମୋର            ଶେଷ ସମୟ ସଂଧ୍ୟାର

ଜାଣି ପାରୁଛି ତାହାର ପରଶି ବେଳ

ସାକେତକୁ ନନେଲେ ମୋତେ

ଦୁଃଖ ନାହିଁ ଆସିବି ମୁଁ ଅଣ୍ଡାଳି ପଥେ,       ।। ୪ ।।

ହେବ ଦେଖା ବୈକୁଣ୍ଠରେ            ନିଶ୍ଚୟ ନିଶ୍ଚୟ ଥରେ

ଅଛି ଏହି ପ୍ରତିକାରେ ମରିବି ଯେବେ

ଆହେ ବଇକୁଣ୍ଠ ପତି            ଜୀବର -ଗତି -ପ୍ରଗତି

ତୁମ୍ଭେ ଅଗତିର ଗତି ଏ ଦୀନ ଭାବେ

ଦିଅ ପ୍ରଭୁ ଚରଣେ ସ୍ଥାନ

ଏତିକି ମାତ୍ର ମାଗୁଣି ହେ ପ୍ରଭୁ ଘେନ       ।। ୫ ।।

 

ଅପରାହ୍ନ କ୍ଲାନ୍ତ ଖରା ନଇଁ ନଇଁ

ଆସୁଥିଲା ବରୁଣେଇ ଛୁଇଁ ଛୁଇଁ

ବରୁଣେଇ କଟକର କୋଳାହଳ

ମୁଖରତା ସତେ ଏ ଅସ୍ତସୂର୍ଯ୍ୟର

ଆରକ୍ତ ଗୋଧୂଳି ପରି ନିରାନଂଦେ

ବିଦାୟ କାରୁଣ୍ୟେ ଘୁମେଇ ବିଷାଦେ

ପଶୁଥିଲା ଉପବନର ମଧ୍ୟରେ

ନୀଡ଼ମୁଖୀ ଏକ ପକ୍ଷୀ ସରାଗରେ

କାହୁଁ ଏକ ବାଜ ପକ୍ଷୀ ଉଡ଼ି ଆସି

ତୀକ୍ଷ୍ମ ନଖ ମୁନେ ଯା ଥିଲା ବିଳାସି

କୋମଳ ଶରୀର ଉପରେ ତାହାର

କଲା ଆକ୍ରମଣ ନିର୍ମମ ପ୍ରହାର

କରି ଦେଲା ତାକୁ ରକ୍ତାକ୍ତ ସେଠାରେ

ଦେଖୁଥିଲେ ଦିବାକର ଅସ୍ତାଚଳେ ।

ଆଖିବୁଜି ଦେଲେ ଦେଖି ଗଜପତି

ରକ୍ଷାକର ଜଗନ୍ନାଥ କହି ସେଠି ।

******

ବରୁଣେଇ କଟକର ଆକାଶରେ

ନବୀନ ମେଘର ଆଦ୍ୟାଭିଯାନରେ

ଧିରେ ଧିରେ ହେଉଥିଲା ଘନୀଭୂତ

ଦିଶୁଥିଲା କଳା ଭଅଁର ପରି ତ

ଆଦ୍ୟ ଆଷାଢ଼ର ପହଲି ବର୍ଷାର

ସମାରୋହାରମ୍ଭ ନଥିଲା ସେ କାଳ

ମଳୟ ପରବ ସେ ଚଈତାଳିର

ହୋଇ ସାରିଥିଲା ସମାପ୍ତ ନିର୍ମଳ ।

ଆକାଶରେ ଭସା ଭସା ବାଦଲର

ଭେଳା ଭେଳା ସବୁ ସେ ବିଚ୍ଛିନ୍ନତାର

ଅନୈକତା ଏକତ୍ୱର ନିଗଡ଼ରେ

ହେବାବଦ୍ଧ ସକାଶେ ମୃଦୁ ମଧୁରେ

ଆବାହନ ବାଣୀ ସଂଗେ ଧିରେ ଧିରେ

ପରସ୍ପର ଅଭିମୁଖେ ଯାଉଥିଲେ ।

ବରୁଣେଇ କଟକରୁ ସରାଗର

ସୁଖର ଦୁଃଖର ସେ ମେଘ ମହ୍ଲାର

ବହୁତ କାଳରୁ ହୋଇଣ ନିଃଶେଷ

ଧରି ଅଛି ଝଡ଼ ଜ୍ୱାଳାମୁଖୀ ବେଶ

କାଳଘୂର୍ଣ୍ଣିର ରାଜ ପରିବାରକୁ

ମୁହ୍ୟମାନ କରି ଦେଉଥିଲା ପାଖୁ ।

ରାଣୀହଂସପୁରର ଭିତରଗଡ଼

ନଥିଲା ସେଠାରେ ଆଉ ସେତେଭିଡ଼

ଏକ ରିକ୍ତ କକ୍ଷେ ଏକାକୀ ରାଜନ

ବସିଥିଲେ ମନେ ଥିଲା ବହୁପ୍ରଶ୍ନ ।

ମୁକ୍ତଦ୍ୱାର ବାଟେ ଚିଲିକା ପବନ

ପ୍ରଗଳ୍ଭ ଉତ୍ତଳା ଥିଲା ସେହି ଦିନ

ମନର ବିଷାଦ ରାଶିକୁ ଯେପରି

ପୁଲକ ଶୀଥିଳ ସ୍ପର୍ଶରେ ସଂଭାଳି

ମୁହୂର୍ତ୍ତକ ପାଇଁ ଅପନୀତ ଭାବେ

କରି ଦେଉଥିଲା କି ବିଚିତ୍ର ଭାବେ ।

ସମ୍ମୁଖସ୍ଥ ଉପବନରେ ପତ୍ରର

ଗଛର ଫାଙ୍କରେ ବିଦାୟ ସୂର୍ଯ୍ୟର

ରୋଷଣି ଯୁକତ ଭବ୍ୟ ସଂବର୍ଦ୍ଧନା

ସୃଷ୍ଟି କରିଥିଲା ବିଚିତ୍ର ବ୍ୟଂଜନା,

ଗଜପତି ରିକ୍ତ ରାଣୀ ମହଲରେ

ଏକାକୀ ବସି ନିଃସଂଗ ମୁହୂର୍ତ୍ତରେ ।

ଉପଯୋଗ କରି ଜୀବନର ପୃଷ୍ଠା

ଲେଉଟାଉ ଥିଲେ ରଖି ନିଜ ନିଷ୍ଠା ।

ଦାନଚୋପ ପତ୍ର ପ୍ରାପ୍ତି ପରେପରେ

ସଂପୃକ୍ତ ଶାସନ ଇଲାକା ମଧ୍ୟରେ ।

ଦତ୍ତ ସଂପତ୍ତିର ମାଲିକାନା କୁ ସେ

ହାତକୁ ନେଇ ସଫଳତା ବିଶେଷେ ।

କରିବାର କଥା ବିଦିତ ତାହାଙ୍କୁ

କିଂତୁ ଦେଖା ନାହିଁ ସେ ରାଜଗୁରୁଙ୍କୁ ।

ଆସିଲେ ନି କାହିଁକି ବା ରାଜଗୁରୁ

ଏତେ ଦିନ ଅଛି ବିଚାରୁ ବିଚାରୁ ।

ଦାନ ଚୋପପତ୍ର ହୋଇଲା ପ୍ରେରଣ

ଶାସନୀ ବ୍ରାହ୍ମଣ ପ୍ରତିକ୍ରିୟା କ’ଣ?

ଏ ପର୍ଯ୍ୟନ୍ତ ତାହା ଜାଣି ହେଲା ନାହିଁ

ଭାବୁଥିଲେ ଗଜପତି ଏକା ରହି ।

ମହାଜନେ କେତେଦୂର ସହଯୋଗ

କଲେ ସେ ବିଷୟେ ଜାଣିବା ସୁଯୋଗ ।

ମିଳୁନାହିଁ, ତଥ୍ୟ ଜାଣିବାବଶ୍ୟକ

ଏହି ଘଡ଼ି ସଂଧି ବେଳେ ସବୁଯାକ ।

ସାମଗ୍ରୀକ ଭାବେ ରାଜ୍ୟର ସଂବାଦ

ଜାଣିବା ଜରୂରୀ ବିଷାଦାବିଷାଦ ।

ଅଥଚ ଗୁରୁ ପରମ ଲକ୍ଷ୍ମୀଙ୍କର

ସାକ୍ଷାତ ହୋଇନି ବିଚିତ୍ର ବେଭାର ।

ଉଠିପଡ଼ି ଇତସ୍ତତଃ ସେ ଗୃହରେ

ପଦଚାରଣ କରିବାକୁ ଲାଗିଲେ ।

ବୀର ଗଜପତି ବହୁକଥାଭାବି

ଦେଖିଲେ ଗୋଧୂଳି ଶେଷରଶ୍ମୀ ରବି ।

ପତର ଫାଙ୍କରୁ ବିଦାୟ ତାହାର

ନେଇ ସାରିଲାଣି ହୋଇ ତରହର ।

ଉପବନ କୃଷ୍ଣଚୂଡ଼ା ବୃକ୍ଷୋପରେ

ପାରାବତ ଦଂପତ୍ତିଟି ପରସ୍ପରେ ।

ଚଂଚୁ ଚୁମ୍ବନ କରିଣ ପ୍ରଣୟରେ

ଦରବାରୀ ରାଗ ଗାନ କରୁଥିଲେ,

ପ୍ରାୟାଂଧକାର ମଧ୍ୟେ ରାଜବାଟିର

ନିକଟରୁ କେଉଁଠୁ ପ୍ରବେଶଦ୍ୱାର ।

ଏକ ଶଂଖନାଦର ଉଦାର ଧୂନି

ପବନରେ ଭାସି ଆସି ଚୁଏଁ ପ୍ରାଣୀ ।

ପ୍ରାଣକୁ କରିଣ ହର୍ଷ ରୋମାଂଚିତ

ଭଲି ଦେଉଥିଲା ଆନଂଦ ବହୁତ ।

ଏମିତି କଟିଛି କେତେ ସଂଧ୍ୟା ସେଠି

ଏହି ରାଣୀମହଲରେ ପ୍ରୀତି ବାଂଟି ।

ପାଟରାଣୀ ଲଳିତା ସେ ମହାଦେଈ

କେତେବାର ଏହି ଉପବନେ ରହି ।

କରୁ କରୁ ସାଂଧ୍ୟା ବିହାର ଏଠାରେ

ଅନୁରାଗର ମଧୁର ଗଜଲରେ ।

ସେ ଦିନ ମାନଂକରେ ଶୁଣାଇଥିଲେ

ମଜ୍ଜି ପ୍ରେମରସେ ପିଇ ସେ ରସରେ ।

କିଂତୁ କାଳ ଆବର୍ତ୍ତନରେ ସେ ଦିନେ

ଜାତୀୟତା ଐକ୍ୟ ଚିନ୍ତାକୁ ନିର୍ମମେ ।

ଉପେକ୍ଷା କରିଣ ଅତି ନିଷ୍କରୁଣେ

ସେ ସବୁ ମମତା ସ୍ନେହର ବଂଧନେ ।

ରୁକ୍ଷ ଭାବେ ଛିନ୍ନ କରି ଗଲେ ଚାଲି

ଓଡ଼ିଶା ସଂସ୍କୃତି ମଧ୍ୟରୁ ବାହାରି ।

ଓଡ଼ିଶା ସଂହତି ନଥିଲା କି କାମ୍ୟ?

ଥିଲା ଭୋଗ କ୍ଷୀର ଜଳଧିରେ ସ୍ନାନ ।

ପ୍ରମତ୍ତ କାମନା ଯାହା ଦୁନିର୍ବାର

ଥିଲାକାମ୍ୟ ମାତ୍ର ସ୍ୱ ଉପଭୋଗର ।

ମୁକ୍ତ ବାତାୟନେ ଧିରେ ବାହାରକୁ

ଚାହିଁଲେ ରାଜନ ସେ ଚକ୍ରବାଳକୁ ।

ମେଂଚାଏ ପବନ ହେମାଳ ଚିତ୍ତକୁ

ଚିନ୍ତାକ୍ଳିଷ୍ଟ ଆମୋଦିତ କଲା ପାଖୁ ।

ଦେହରେ ପୁଲକ ସ୍ପର୍ଶ ସୁଶୀତଳ

କରି ଦେଇଗଲା ଯେହ୍ନେ ମହାକାଳ ।

ଯାତ୍ରାପଥ କ୍ଳାନ୍ତ ପଦଚିହ୍ନ ବାରି

ଘନ ଦୀର୍ଘଶ୍ୱାସ ନିରୀକ୍ଷଣ କରି ।

କରୁଥିଲା ଯାହା ନିକ୍ଷେପ ପ୍ରତ୍ୟକ୍ଷେ

ଦେଖୁଥିଲେ ଦେବେ ଥାଇ ଅନ୍ତରୀକ୍ଷେ ।

ମାନସର କେଉଁ କୋଣେ ଦିଗହରା

ଧୂସର ଚକରବାଳ ପରି କଳା -

-ଗୁମର ନୟନ ଦୁଇଟି ବାଉଳା

ହୋଇ ଉଙ୍କିମାରି ଅସ୍ତ ଯାଉଥିଲା,

ଭାରାକ୍ରାନ୍ତ ମନତଳେ ଆକସ୍ମିକ

ମଳୟ ପବନ ସ୍ୱର୍ଶ ପରି ଏକ ।

ରେଜିୟାର ସ୍ମୃତି ଚେଇଁ ଉଠି ପୁଣି

ବଣର ନିଃସଂଗ କପୋତୀଟି - ପ୍ରାଣୀ-

ପରି ଯେପରି କୁହାଟି ଉଠୁଥିଲା

ପର ମୂହୂର୍ତ୍ତରେ ଚାଲି ଯାଉଥିଲା ।

ଗୋଟିଏ ସ୍ପର୍ଶକାତର ପଲ୍ଲବିତ

କୁସୁମ – ସୌନ୍ଦର୍ଯ୍ୟ ଜାତି ସୁସଂହତ

ଅର୍ଚ୍ଚନା - ବେଦୀରେ ମଣ୍ଡିତ ନକରି

ମୌଳବାଦୀ ଧର୍ମ ଅଂଧ ଲୋକପରି

ଶାସନୀ ପଣ୍ଡିତେ ତାହାକୁ ନିର୍ମମ

ଭାବେ କରିଥିଲେ ଦୃଢ଼େ ପ୍ରତ୍ୟାଖ୍ୟାନ ।

ପରିଶେଷେ ମଣିମା ପାଦପଦ୍ମରେ

ଆରାଧ୍ୟା ସେହି କୁସୁମ ଅକାଳରେ

ଉତ୍ପୀଡ଼ନେ ଯେଉଁ ହାହା ମର୍ମନ୍ତୁଦ

ସୃଷ୍ଟିକରିଥିଲା ଭରିଣ ବିଷାଦ ।

ସେଇ କରୁଣ ବିଳାପ ଆଜି ମଧ୍ୟ

ହେଉଛି ଅନୁରଣିତ ପ୍ରୀତି-ଛଂଦ

ବରୁଣେଇ କଟକର ସ୍ପଂଦନରେ

ବାଜି ବାଜି କରି ପ୍ରତିଟି ତନ୍ତ୍ରୀରେ ।

ନିଃସଂଗ ମୁହୂର୍ତ୍ତର ଦୁର୍ବଳତାକୁ

ଏଡ଼େଇବା ପାଇଁ ଉଚ୍ଚସ୍ୱରେ ଡ଼ାକୁ -

ଥିଲେ ସଦେଇକୁ ରାମଚନ୍ଦ୍ର ଦେବ

କିଂତୁ ସଦେଇର ନଥିଲା ଜବାବ ।

ଯାଇଥିଲା ବୋଧହୁଏ କେଉଁ ଆଡ଼େ

ଅନ୍ୟତ୍ର କୌଣସି ହୁଏତ କାର୍ଯ୍ୟରେ ।

ସହସା ସଦେଇ ଗୃହରେ ପ୍ରବେଶ

କରି ଦେଇଗଲା ବିଶେଷ ସଂଦେଶ ।

“ସାଧୁବାବା ଜଣେ-ମଣିମା- ବାହାରେ

ଆପଣଙ୍କୁ ଭେଟିବାକୁ ଅପେକ୍ଷାରେ”

ଭ୍ରୁକୁଂଚନ କରି ବୀର ଗଜପତି

କହିଲେ କେ ସାଧୁଭାବା ମୋର କତି

ଆଶ୍ଚର୍ଯ୍ୟ ସେ ଭେଟିବାକୁ ଆସିଛନ୍ତି

ମୋତେ, ଏ ଭିତର ଗଡ଼େ ପଶିଛନ୍ତି ।

ସାଧୁଙ୍କୁ ଆଣିବା ପାଇଁ ଅନୁମତି-

ଦେଲେ ସଂଗେ ସଂଗେ ବୀର ଗଜପତି ।

ଅନୁମତି ଦେବା ପରେ ଦୀର୍ଘକେଶ୍‌

ଅବିନ୍ୟସ୍ତ ସାଧୁ ଭିତରେ ପ୍ରବେଶ ।

କରିଣ ସସ୍ମିତ ମୁଖରେ କହିଲେ

ଜୟ ହେଉ ଗଜପତି ଥାନ୍ତୁ ଭଲେ ।

ଆସନରୁ ଉଠି ଜିଜ୍ଞାସୁ ଦୃଷ୍ଟିରେ

ଯୁବକ ସାଧୁଙ୍କୁ ଚାହିଁଣ ଅଦୂରେ

ରାମଚନ୍ଦ୍ର ଦେବ ଧୂସର ଅତୀତ

ସ୍ମୃତି ଜାଲେ ଛଂଦି ହେଲେ ତକ୍ଷଣେ ତ

ଭାବିଲେ ସାଧୁଙ୍କୁ ଦେଖିଛି କେଉଁଠି

ଜାଣିପାରୁ ନାହିଁ ଅଥଚ ଏଇଠି ।

ସେ ଯୁବକ ସାଧୁଭାଷିଲେ ସସ୍ମିତେ

ଅତୀତ ହରିକୁ ଦେଖିଥିବେ ସତ୍ୟେ

ଆପଣଙ୍କର କି କେବେ ମନେ ପଡ଼େ

ବାହୁଡ଼ା ବିଜେ କରିବା ଅବସରେ-

-ମହାପ୍ରଭୁଙ୍କର, ଯେ ଆପଣଙ୍କର

ପୁଣ୍ୟ ପାଇଥିଲା ସାନ୍ନିଧ୍ୟଲାଭର ।

ସେହି ହରି ଆଜି ସଂସାର ବୈରାଗୀ

ସାଧୁରୂପେ ଉଭା ସେ ସଂସାର ତ୍ୟାଗୀ

ଆପଣଙ୍କ ସମ୍ମୁଖରେ ମହାରାଜ

ରାମଚନ୍ଦ୍ର ଦେବ ହୋଇଲେ ଆଶ୍ଚର୍ଯ୍ୟ ।

ସରାଗ ମଣ୍ଡିତ ଏକ ଆନଂଦର

ଉତ୍ତଳା ତରଂଗ ସଂଚାରିତ ଘୋର

ମନତଳେ ରାମଚନ୍ଦ୍ର ଦେବଙ୍କର

ଆବେଗ ମୁଖରେ ହୋଇଣ ଅଧିର ।

ହସର ଝରଣା ଝରାଇ କହିଲେ

ଆରେ ହରି ତୁମେ ଆଜି ଏ ରୂପରେ

ହେବ ଉପସ୍ଥିତ ଏ ଆଶା ମୁଁ କେବେ

କରି ନଥିଲି ହେ ଅବସ୍ଥା ପ୍ରଭାବେ

ରତ୍ନ ସିଂହାସନେ ବିଜେ ହେଲାପରେ

ଶ୍ରୀ ମଣିମା ମାନେ ଯାଇ ଶ୍ରୀକ୍ଷେତ୍ରରେ

ନାଟକୀୟ ଭାବେ ହୋଇଲ ଅଦୃଶ୍ୟ

ଏବେ ସାଧୁଭାବେ ହେଲା ତୁମ ଦୃଶ୍ୟ ।

ତୁମ ସାଧୁବୃତ୍ତି ସ୍ୱଇଚ୍ଛା ଗ୍ରହଣ

ଜାଗିଲା କାହିଁକି କହହେ ଖୋଲିଣ ।

“ଜୟ ଜଗନ୍ନାଥ ସବୁ ସେ ପରମ

କାରୁଣିକ ମଣିମାଙ୍କ ଇଚ୍ଛା ଭିନ୍ନ

ଜଗନ୍ନାଥ ସେବା କରିବା ଇଚ୍ଛାରେ

ଜୀବନ କାଟିବା ସେ ସନ୍ନିଧାନରେ

ସଂକଳପ ନେଇ ମୋହ ମମତାର-

ବଂଧନକୁ କଲି ଛିନ୍ନ ଶତେବାର

ଶେଷେ ସାଧୁବୃତ୍ତି ଆଦରି ନେଇଛି

ଜୀବନରେ ଆଲମ୍ବନ କାହିଁ କିଛି ।

ମମତ୍ୱ ବଂଧନେ ବି କେହି ନାହାନ୍ତି

ତେଣୁ ତ ସୁବିଧା ହେଲା ମୋର ଅତି ।

ଶ୍ରୀକ୍ଷେତ୍ର ପୁରୁଷୋତ୍ତମେ ମୁଁ ଜୀବନ

ଅରପି ଚରଣେ ହୋଇଛି ମୁଁ ଧନ୍ୟ

ଶେଷରେ ଗୌଡ଼ୀୟ ବଇଷ୍ଣବ ବାନା

ଧାରଣ କରିଛି ସଂପ୍ରଦାୟେ ସିନା

ବର୍ତ୍ତମାନ ମାଧୁକରୀ ହିଁ ମୋ ପେଶା

ସେ ପରମ କାରୁଣିକ ହିଁ ଭରସା ।

କ୍ଷେତ୍ର ଛାଡ଼ିବାକୁ ନାହିଁ ଅନୁମତି

ଜଗନ୍ନାଥ ସେବା ସଂପତ୍ତି ମୋ ଗତି

ଆଉ କିଛି ଲୋଡ଼ା ନାହିଁ ମୋ ଜୀବନେ

ସର୍ବ ତ୍ୟାଗୀ ହେଲି ଲୋଡ଼ି ଜାଣି ମନେ ।

ରାମଚନ୍ଦ୍ର ଦେବଙ୍କର ସମ୍ମୋହିତ

ଦୃଷ୍ଟିରେ କେବଳ ହରି ପ୍ରତିଭାତ

ନିବେଦିତ ମହାପ୍ରାଣ ସମର୍ପଣ

ମହିମା ସମ୍ମୁଖେ ଅଛି ମୂର୍ତ୍ତିମାନ

“ବିହ୍ୱଳ କଂଠରେ ଭାଷିଲେ ରାଜନ

ଶେଷରେ ତୁମର ଏ ସାଧୁଜୀବନ

ପରମାର୍ଥ ନିୟୋଜିତ ହୋଇଗଲା

କରୁଣା କେବଳ ପ୍ରଭୁଙ୍କ ଏପରା

ଆଜି ଏ ଜାତିର ଦୁର୍ଦ୍ଦିନରେ ତୁମେ

ବିଜୟ ଦୀପ୍ତ ମଶାଲ ଜାଳି ପ୍ରେମେ

ମଣିମା ବିଜୟ ବାହୁଡ଼ା ରଥକୁ

ଭିଡ଼ିଥିଲ ଯେପରି ଦୃପ୍ତ ହସ୍ତକୁ ।

ତୁମର ସେୟାହିଁ ମହିମ୍ନ ଉଦ୍ୟମ

ଇତିହାସ ସ୍ୱର୍ଣ୍ଣାକ୍ଷରେ ଏହାଜାଣ

ଲିପିବଦ୍ଧ ହୋଇ ହେ ବାବା ରହିବ

ଏ ଜାତିର ଇତିହାସର ଗରବ ।

ତୁମପରି ନିବେଦିତ ଦେଶଭକ୍ତ

ଐତିହ୍ୟବାନ ପୁରୁଷ ସର୍ବଶ୍ରେଷ୍ଠ ।

ଗୋ÷ରବ ବୃଦ୍ଧି କରନ୍ତୁ ଏ ଜାତିର

ଏତିକି ମାତର କାମନା ମୋହର ।”

ହସି ହସି ହରି-ସାଧୁଙ୍କ ଭାଷଣ

ଶୁଣି ରାଜା ହେଲେ ମାନସେ ପ୍ରସନ୍ନ

“ଦେଖିଲି ନାହିଁ ମୁଁ ପୁଣ୍ୟ ବତୀରାଣୀ

ମହିମାମୟୀ ରେଜିୟାଙ୍କୁ ଏକ୍ଷଣି

ବାହୁଡ଼ା ବିଜୟର ସମାରୋହରେ

ରାଣୀ ରେଜିୟାଙ୍କ ଅବଦାନ ସ୍ମରେ

ଅବିସ୍ମରଣୀୟ ତାଂକ ଅବଦାନ

ଏ ଓଡ଼ିଆ ଜାତି ଥିବ ଯେତେ ଦିନ ।

ରାମଚନ୍ଦ୍ର ଦେବ କ୍ଳେଦାକ୍ତ କଂଠରେ

କହିଲେ ହେ ସାଧୁ ଆମର ଧର୍ମରେ

ପ୍ରାଧାନ୍ୟ ଅଛି ଧାର୍ମିକ ବିଚାରର

କିଂତୁ ଆଚରଣେ ନାହିଁ ପ୍ରତିକାର

ସେହି ଧର୍ମଧ୍ୱଜୀ ଧର୍ମାଂଧ ମାନଙ୍କ

ପ୍ରତିରୋଧ ଫଳେ ରେଜିୟା ଅବାକ

ଆଉ ବରୁଣେଇ କଟକର ରାଣୀ

ଜବାଧରୀ ଶେଷ ପର୍ଯ୍ୟନ୍ତ ହେଲେ ନି

ହୋଇ ପାରିଲେନି, ଯଦି ପ୍ରଭୁ ଇଚ୍ଛା

ତେବେ ନିର୍ଣ୍ଣାୟକ ହେଉ ସର୍ବଇଚ୍ଛା ।”

ବାହାରେ କେତେକ ଟୋପା ବର୍ଷା ବିଂଦୁ

ଝରି ପଡ଼ୁଥିଲା ମେଘ-କନ୍ୟା-କାଂଦୁ

କଳାଘୁମର ଆଖିରୁ କେ ବିଧୂରା

ନାରୀର ଆର୍ତ୍ତ ବିଳାପ ଲୁହ ଧାରା

ଯେପରି ବ୍ୟଥାନିର୍ଯ୍ୟାସ ଝରିଝରି

ପଡ଼ୁଥିଲା ଖସି ବେଦନା ସଂଭାଳି ।

ଶେଷେ ସାଧୁବାବା କହିଲେ ସରଳେ

“ଗଜପତି ମହାରାଜା ସାନ୍ନିଧ୍ୟରେ

ପ୍ରଭୁଙ୍କ ପବିତ୍ର ସେବାର ସୋ÷ଭାଗ୍ୟ

ଲାଭ କରି ଥିଲି ଥିଲା ମୋର ଭାଗ୍ୟ

ସେହି ପୁଣ୍ୟ ଫଳୁ ବୈଷ୍ଣବ ଦୀକ୍ଷାରେ

ପଥୁକୀ ମୁଁ ଆଜି ବୈକୁଣ୍ଠ ପଥରେ

ମୋର ସବୁ ନିଷ୍ଣା ଭକ୍ତି ପରମାର୍ଥ

ପ୍ରେମ ସମର୍ପଣ କରି ମୁଁ ଯଥାର୍ଥ

ମିନତି କରୁଛି ମଣିମା ପୟରେ

ଗଜପତିଙ୍କର ଜୟ ଶତବାରେ ।

ସୁଚିର ଭାସ୍ୱର ହେଉ ଓଡ଼ିଶାର

ଭାଗ୍ୟରବି ପୃଥିବୀରେ ଚିରକାଳ

ଜୟ ହେଉସଦା ମହାରାଜାଙ୍କର

ରେଜିୟା ସୁନ୍ଦରୀ ଧରି ଧରାତଳ”

ଆଶୀର୍ବାଦ ମୁଦ୍ରାଙ୍କନ ସାଧୁ କରି

ଦ୍ୱାରଦେଶଦେଇ ଗଲେ ଅପସରି

ଏହା ଯେଉଁପରି ସେ ସସୀମତାର

ବଳୟର ମଧ୍ୟରୁ ଅସୀମତାର

ଚକ୍ରବାଳେ ଆତ୍ମ-ଉତ୍ସର୍ଗ ନିମନ୍ତେ

ମହାଭିଯାନର ଜୟଯାତ୍ରା ସତ୍ୟେ ।

ରାମଚନ୍ଦ୍ର ଦେବ ନିର୍ଲିପ୍ତ ଭାବରେ

ବାବାଙ୍କ ପ୍ରସ୍ଥାନ ପଥେ ଚାହିଁଥିଲେ ।

ଚାଲି ଚାଲି ବାତାୟନ ନିକଟକୁ

ଆସିଲେ ରାଜନ ଚାହିଁ ଆକାଶକୁ ।

ଆକାଶର ଧୂସର ଉପତ୍ୟକାରେ

ଭସା ବାଦଲର ଭେଳା ଯାଉଥିଲେ ।

ପ୍ରତ୍ୟାବୃତ୍ତ କେତେ ଚିଲିକା ଗଣ୍ଡାଳି

ବିଚିତ୍ର ଶବଦ ସୃଷ୍ଟି କରି କରି ।

ଆକାଶ ମାର୍ଗରେ ଯାଉଥିଲେ ଉଡ଼ି

ନବ ମେଘ ସ୍ୱାଗତିକା ଗାନ କରି ।

ଧଇଁ ସଇଁ ହୋଇ ଗୃହକୁ ସଦେଇ

ପଶି ଆସି କହେ ଛାମୁ ପଦ ଛୁଇଁ

“ମୋଗଲ ଲସ୍‌କରେ ଆସୁଛନ୍ତି ମାଡ଼ି

ରଥିପୁର ଗଡ଼ୁ ଏ ସଂବାଦ ଧରି

ଆସିଛନ୍ତି ଗଦାଧର ମଂଗରାଜ

ଛାମୁଙ୍କୁ ଭେଟିବା ପାଇଁ ଲବେ ଆଜ

ବାହାରେ ଅପେକ୍ଷା କରିଛନ୍ତି ସେଇ

ଡ଼ାକରେ ସଦେଇ ଗଜପତି କହି

ପଶିଆସି ମଂଗରାଜ ନିବେଦନ

କରିଣ କହିଲେ ସାରିଣ ପ୍ରଣାମ

ମୋଗଲ ଲସ୍‌କରେ ରଥିପୁର ଗଡ଼େ

ଅକ୍ତିଆର କରି ନେଇଛନ୍ତି ଦୃଢ଼େ ।

ସୂଚନା ନପାଇଆଗେ କଉଣସି

ତାଟକା ହୋଇଲୁ ଯେବେ ଗଲେ ପଶି

ଅପ୍ରତ୍ୟାଶିତ ଭାବରେ ସେ ମୋଗଲେ

ଆତ୍ମ ସମର୍ପଣ ତାଂକ ନିକଟରେ

କରିବାକୁ ବାଧ୍ୟ ହେଲୁ ହେ ମଣିମା

ଆଉ କିଛି ବାଟ ନଥିଲା ଶୁଣିମା ।

କଉଶଳ କ୍ରମେ ବେଶ ବଦଳାଇ

ଛୁଟି ଆସିଛି ସଂବାଦ ଦେବାପାଇଁ ।”

ଅବୋଧ୍ୟ ଭାବରେ ଶ୍ରୀଗଦାଧରଙ୍କୁ

ନୀରବେ ଚାହିଁଲେ ରାଜନ ମୁଖକୁ

ଚିତ୍ତ ଗଗନରୁ ଚିନ୍ତା ଓ ଚେତନା

ଯେପରି ସହସା ଅନ୍ତର୍ହିତ କି ନା

ମୋଗଲ ଲାସ୍‌କରମାନେ ତେବେ କ’ଣ

ଘେନିବାକୁ ବରୁଣେଇ ଅଭିଯାନ

ଛଳେଇ ଅଛନ୍ତି ? - ପଡ଼ୁ ନାହିଁ ଜଣା

ଏବେ ନିକଟରେ ପୂର୍ଣ୍ଣ ଆଲୋଚନା

ହୋଇଥିଲା ଯାହା ତା ବଂଧୁତ୍ୱ ପୂର୍ଣ୍ଣ

କୁଲିଖାଁ ସଂଗରେ - ଆଉ କି କାରଣ ?

-ଥାଇ ପାରେ, ତାହା କିବା ବିସଂବାଦ ?

ପରମ ଲକ୍ଷ୍ମୀଙ୍କ ଅଛିକି ସଂବାଦ?

“ରାଜଗୁରୁ ମହା ପ୍ରଭୁଙ୍କ ଖବର

ଜାଣିନାହିଁ ମହରାଜ ସତ୍ୟଗୀର

ଶୁଣିଥିଲି ମାତ୍ର କୌଣସି ଜରୂରୀ

କାର୍ଯ୍ୟ ଉପଲକ୍ଷେ ଯାଇଛନ୍ତି ଚାଲି

ସାମନ୍ତରାଜା ମାନଂକ ନିକଟକୁ

ସ୍ୱୟଂ ଯିବା ଇଚ୍ଛା ଘୋଷଣା ମନକୁ

କରିଥିଲେ ବୋଲି - ଯାହା ମୋତେ ଜଣା

ଆଉ କିଛି କଥା ସଂବଧ ଜାଣେନା

ରାଜଗୁରୁ ମହାଶୟ ଉପସ୍ଥିତ

ଥିଲେ ଆଜିର ଘଟଣା ଅଭାବିତ

କିଛି ଚମତ୍କାରୀ ଭୂମିକା ଗ୍ରହଣ

କରିଥାନ୍ତେ ଲବେ ଯା ସ୍ୱୟଂ ସଂପୂର୍ଣ୍ଣ ।”

ରାଜା କିଂକର୍ତ୍ତବ୍ୟ ବିମୂଢ଼ ଭାବରେ

ସେଇଠି ଦଣ୍ଡାୟମାନ ହୋଇଥିଲେ

ଭାସମାନ ମେଘର ଖଣ୍ଡ ମଧ୍ୟରୁ

ବାହାରେ ଚେନାଏ ଖରା ପଡ଼ିବାରୁ

କ୍ଷୀଣ ସଂଭାବନାରେ ଭୂମି ଉପରେ

ମୃଦୁ ଉଦ୍ଦୀପନା ଜାଗୃତିର ଝରେ

“ଗଦାଧର ବର୍ତ୍ତମାନ କି ଉପାୟ

କହ କିକରିବା ଆସିଗଲା ଭୟ”

ନିକଟକୁ ଲାଗି ଆସି ଗଦାଧର

କହିଲା ରାଜାଙ୍କୁ ଭିତର ଖବର

“ଏ ଅପ୍ରତ୍ୟାଶିତ ଆକ୍ରମଣ ପାଇଁ

କେବଳ ଭେଦିଆ ମାନେ ହିଁ ତ ଦାୟୀ ।

ରଥିପୁରଗଡ଼େ ଏକାଧିକବାର

ଯାଇଥିଲେ କେତେ ନରସିଂହପୁର ।

ଶାସନର ମୃତୁଂଜୟ ମହାପାତ୍ର

ବିଶ୍ୱନାଥପୁର ଦାମ ପୁରୋହିତ

ବିଧର୍ମୀ ହୋଇଥିବାରୁ ଓଡ଼ିଶାର

ରାଜା ଗଜପତି ସେହି ପଦବୀର

ପବିତ୍ରତା ରକ୍ଷା କରିବା ସକାଶେ

ଅନ୍ୟ ଗଜପତି ବାଛିବା ପାଇଁ ସେ

ଅନ୍ୟ ଏକ ରାଜାକୁ ଗାଦିନସୀନ

କରିବା ନିମନ୍ତେ ଏ ସତ୍ୟ ପ୍ରମାଣ

ଧାରଣାକୁ ସୃଷ୍ଟି କରିବା ଇଚ୍ଛାରେ

କେତେକ ଶାସନୀ ପଣ୍ଡିତ ପଦାରେ

ବ୍ରାହ୍ମଣ ଉନ୍ମୁଖ ହୋଇ ପଡ଼ିଛନ୍ତି

କେତେ ଦାନ ପତ୍ର ଉଦନ୍ତ ବଦନ୍ତି ।

ସ୍ୱଗୋତ୍ରୀ ଶାସନୀ ବ୍ରାହ୍ମଣମାନଙ୍କ

ମଧ୍ୟାରେ ବିରୋଧାଭାସ ହିଁ ଆତଂକ

କରି ଅଛି ସୃଷ୍ଟି ଅଧିକନ୍ତୁ ଦୂରୁ

ଯାଇଛନ୍ତି କାହିଁ ଆମ ରାଜଗୁରୁ

ଫଳରେ ଏହି ବିଦ୍ରୋହୀ ଭିନ୍ନ ଭିନ୍ନ

ମତ -ଅବଲମ୍ବୀ ନାଏବ ନଜୀମ

ମୁର୍ଶିଦ କୁଲିଖାଁଙ୍କର ନିକଟକୁ

ଗୋପନେ ସଂବାଦ ପଠାଇ ଭେଟକୁ

ଖୁରୁଧା କଟକେ ଜଣେ ରାଜା ଅନ୍ୟ

ସାମନ୍ତ ରାଜାଙ୍କୁ ଗଜପତି ଗଣ୍ୟ

ରୂପେ ଅଧିଷ୍ଠିତ କରିବାର ପାଇଁ

ଷଡ଼ଯନ୍ତ୍ର କରି ଛନ୍ତି ଧାଇଁ ଧାଇଁ ।”

ରାମଚନ୍ଦ୍ର ଦେବ କରି ଭ୍ରୁକୁଂଚନ

ଉଠିଲେ କ୍ରୋଧରେ ସ୍ଫୀତ ସ୍ୱବଦନ

ନୟନ ତାଂକର ରକ୍ତିମା ଆଭାରେ

ଝଲକିତ ହୋଇ ଉଠିଲା ପ୍ରଖରେ

କଟୀବଦ୍ଧ କରବାଳର ଉପରେ

ଦୃଢ଼େ ଥରେ ହାତ ବୁଲାଇ ଆଣିଲେ ।

ପରମୁହୂର୍ତ୍ତରେ ବୀର ଗଜପତି

ଗଭୀର ଶ୍ୱାସ ନିକ୍ଷେପ କଲେ ଅତି

ତୀକ୍ଷ୍ମକଂଠେ ପଚାରିଲେ ବାରବର

ଏଥକୁ ଉପାୟ କ’ଣ ଗଦାଧର ?

ଆମର ପାଇକେ ଯୁଦ୍ଧର ପ୍ରସ୍ତୁତି

ପାଇଁ ସବୁମନ୍ତେ ପ୍ରସ୍ତୁତ ଅଛନ୍ତି ?

ସମ୍ମିଳିତ କଂଠ ମନ୍ଦ୍ର ଜୈତ୍ରଧୂନୀ

ଆଲ୍ଲା ଆକବର ଣୁଣି ନରମଣି

ନାସିକାରୁ ଖରଶ୍ୱାସ ପ୍ରଭଂଜନ

ଛୁଟିଥିଲା ନିସ୍ତରଂଗ ସଭାସ୍ଥାନ

କୋଷ ମୁକ୍ତ କରି ଅସୀକୁ ନିଜର

ଜୟ ଜଗନ୍ନାଥ ବୋଲିଣ ଚିତ୍କାର

-କରିଣ ଉଠିଲେ ସେହି ସଭାଗୃହେ

କଂପୁଥିଲା ଦେହ ସତ୍ୟେ ନିସଂଦେହେ ।

ଜୈତ୍ରନାଦ ପ୍ରତିସ୍ୱନ ରାଜାଙ୍କର

ଚାରିକାନ୍ଥ ମଧ୍ୟେ ଆବଦ୍ଧ ଗୃହର

ଫେରାଇଲା ଜଗନ୍ନାଥ ଜଗନ୍ନାଥ

ଜୟ ହେଉ ଆହେ ଉତ୍କଳର ନାଥ

ଛିଡ଼ାହୋଇ ଥିଲେ ହୋଇଣ ବିମୂଢ଼

ରଥିଗଡ଼ ମଂଗରାଜ ଗଦାଧର

ପର ପୁହୂର୍ତ୍ତରେ ହୋଇ ଉଦ୍ଦୀପିତ

ଗଦାଧର କଲେ ଚିତ୍କାର ବହୁତ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ

ଜୈତ୍ରଧ୍ୱନି ମନ୍ଦ୍ର କଂଠ ସମ୍ମିଳିତ ।

ପରେ ପରେ ଗଡ଼ର ଚତୁର୍ଦ୍ଦିଗରେ

ଘେରିଗଲେ ଅଶ୍ୱାରୋହୀ ଲସକରେ ।

ଓଡ଼ିଶାର କେତେକ ପାଇକ ସୈନ୍ୟ

ଚିତ୍ର ପ୍ରତିମା ପ୍ରାୟ ଦଣ୍ଡାୟମାନ

କଲେ ସେ ପ୍ରତୀକ୍ଷା ଆଦେଶ ନିମନ୍ତେ

କିଂକର୍ତ୍ତବ୍ୟ ହୋଇ ବିମୂଢ଼େ ଭାବନ୍ତେ ।

ଅଶ୍ୱ ପୃଷ୍ଠୁ ଅବତରଣ କରିଣ

ଗର୍ଜିଲେ ମୋଗଲେ ହୋଇଣ ଉଚ୍ଛନ୍ନ

ଆହେ ଗଜପତି ହୁକୁମ ପ୍ରକାରେ

ଆଜିଠୁ ରହିବେ ନଜର ବଂଦୀରେ

ନଜୀମ ମୁର୍ଶଦ କୁଲିଖାଁ ସାହେବ

ହୁକୁମ ପ୍ରକାରେ ହୋଇଛି ସରବ

ଏଇ ବରୁଣେଇ କଟକେ ଆପଣ

ରହିବେ ଆସିବା ପର୍ଯ୍ୟନ୍ତେ ନଜୀମ ।

ଗୋପନୀୟ ଷଡ଼ଯନ୍ତ୍ର ଆପଣଙ୍କ

ଅପରାଧ ଶାସନରେ ମୋଗଲଙ୍କ ।

ବୀର ଦରପରେ ବୀର ଗଜପତି

କହିଲେ ଦେଖାନ୍ତି ପାଗଳାମି ଅତି

କେଉଁ ଷଡ଼ଯନ୍ତ୍ର ଶାସନ ବିରୁଦ୍ଧେ

ଅଭିଯୋଗ ମନଗଢ଼ା ଅଧେ ଅଧେ ।

ଗଜପତି ପରଂପରାରେ କେବଳ

ଗୋପନୀୟ ଷଡ଼ଯନ୍ତ୍ରର ବିରଳ

କଦାପି ହୁଏନା ଜାଗ୍ରତେ ସପନେ

ତାହା ଓଡ଼ିଶାର ଗଜପତି ଜାଣେ

ସମ୍ମୁଖ ବିପ୍ଳବର ବେଦଧ୍ୱନିରେ

ବିଦ୍ରୋହର ଜୟଗାନ ଏକାବେଳେ

ଏକ ଭୀରୁମାତ୍ର ଦୁର୍ବଳାଶ୍ୱାସନା ।

ରେ ମୂଢ଼ ମୋଗଲେ ତୁମେ ତା ଜାଣନା

ଓଡ଼ିଶାର ଦୁର୍ଗତିର ସମୟରେ

ମୋଗଲ ଶାସନ ହୀନାକ୍ରମଣରେ

ବାରମ୍ବାର ପଶୁବଳର କେବଳ

ନଗ୍ନ ପ୍ରଦର୍ଶନ ହୀନ ଚକ୍ରାନ୍ତର ।

ଧର୍ମାଂଧତା ରୁଚିହୀନ ପ୍ରହସନ

ପାଇଁ ଓଡ଼ିଶାରେ କେବେହେଲେ ମାନ୍ୟ

ମିଳିବକି, ପଶୁବଳକୁ ମାନ୍ୟତା

ଆରେ ଲସକରେ ଏକଥା ଜାଣିଥା,

ଓଡ଼ିଶା ସଂପ୍ରୀତିରେ ବିଶ୍ୱାସ କରେ

ବିଚାର କରେ ନାହିଁ ଧର୍ମାଂଧତାରେ ।

ସେ ମୀର ହବିବ ନିରୁତ୍ତର ଥିଲେ

ଧିରେ ଧିରେ ହସି ଗେଲାଇ କହିଲେ

“ଆପଣ ନଜର ବଂଦୀ ହିଁ କେବଳ

ମୁଁ ଯାଉଛି ବାରବାଟିକୁ ଏଥର ।

ଓଡ଼ିଶାର କେତେକ ଅନୈକୀବାଦୀ

କତିପୟ ଅଛନ୍ତି ସୁବିଧାବାଦୀ

ସେମାନଙ୍କ ପାଇଁ ଏ ଗୋଟିଏ ଡ଼୍ରାମା,

ମନେ ରଖିଥିବ ଏ ଏକ କଳ୍ପନା ।

ଗଡର ବାହାରେ ମୋଗଲ ଲସ୍‌କରେ

ଅଶ୍ୱପୃଷ୍ଠେ ପଇଁତରା ମାରୁଥିଲେ

ପରିହାସ କରି ଏହି ଓଡ଼ିଶାର

ବିଡ଼ମ୍ବିତ ଇତିହାସକୁ କେବଳ ।

ବିଦଗ୍ଧ ଭାବରେ ଚଉକି ଉପରେ

ବସିଥିଲେ ଗଜପତି ବିସ୍ମୟରେ ।

“ଗଦାଧର ମଂଗରାଜକୁ କହିଲେ

ଖୋଜି ଦେଖ ଓଡ଼ିଶା ଇତିହାସରେ

ସୌଭାଗ୍ୟର ଚାନ୍ଦରାତି ବିଳମ୍ବିତ

ଆହୁରି ଜାଣେନା କେତେ ଦୈବକୃତ

ପୁଣ୍ୟର ପ୍ରଦୀପ ତଳେ ହିଁ ପାପର

ତମିସ୍ରା ସର୍ବଦା ନିର୍ଦ୍ଧାରିତ ଘୋର

ଜଗନ୍ନାଥଙ୍କର କୃପା ଗଦାଧର

ତାଂକର କରୁଣା       କେବଳ ଦର୍କାର ।”

ଶୌର୍ଯ୍ୟହୀନ ଓଡ଼ିଶା ଇତିହାସର

ମୁମୂର୍ଷୁ ଅଧ୍ୟାୟ ପରି ଚକ୍ରବାଳ

ମେଘୀଳ ଗୋଧୂଳି ଆସୁଥିଲା ନଇଁ

ସତର୍କ କରାଇ ସେଇ ବରୁଣେଇ ।

******

ପହଂଚିଲେ ବାଲିସାହି ଉଆସରେ

ରାତି ପାହି ପାହି ଆସୁଥିଲା ଧିରେ

ଉଦୟ ଭାଗ ରକ୍ତିମା ପ୍ରଲେପିତ

ପୂର୍ବ-ଆକାଶରେ ଯେପରି ସ୍ୱାଗତ ।

ତୋରଣମାଳା ନିର୍ବାଣ କରିଥିଲା

ପାହାନ୍ତା ପ୍ରହର ସେହି କୁଆଁତାରା

ବିଦାୟ ନେବା ପୁରୁବରୁ ଯେପରି

ଧକେଇ ଧକେଇ ଶୋକୋଚ୍ଛାସେ ଭରି

କରୁଥିଲା ପରକାଶ କୋହ ତା’ର

ନାଲି ଚିତା ବିଂଛି ପୂର୍ବଚକ୍ରବାଳ ।

ଉଆସ ନିକଟେ ପହଂଚିଣ ରାଜା

ସନ୍ତରପଣରେ ଚାରିଆଡ଼େ ତାଜା

ଦୃଷ୍ଟିକୁ ପକାର ଗଭୀର ଭାବରେ

ଚତୁର୍ଦ୍ଦଗେ ଥରେ ଥରେ ଚାହୁଁଥିଲେ ।

ମୋଗଲ ଲସ୍‌କର ମାନଂକ ଏଠାରେ

ସତର୍କତା ଭୟ ନଥିଲେ ବି ଥରେ

ସଂଧାନୀ ସ୍ୱଦେଶୀ ଭେଦିଆ ମାନଂକ

ଦୃଷ୍ଟିରୁ ନିଜକୁ ରଖିବା ଆତଙ୍କ

ପୁଣି ଗୋପନରେ ରଖିବାର ପାଇଁ

ସତର୍କ ଦୃଷ୍ଟିକୁ ଆଣିଲେ ଘୁରାଇ ।

ପ୍ରବେଶ କରିଣ ଉଆସ ଭିତରେ

ସବୁ ଘର ଖୋଜି ଦେଖିଲେ ଯତ୍ନରେ ।

କେତେଟା ଚେମେଣିଆ ଆର୍ତ୍ତ ଚିତ୍କାର

କରି ଘର ମଧ୍ୟୁ ଉଡ଼ିଲେ ବାହାର

ମାଙ୍କଡ଼ସା ବସା ଘନ ସାଂଧ୍ରତାରେ,

ଉଆସ ଅଳିନ୍ଦ ଏକ ଇଲାକାରେ

ଅପାକୃତ ରୂପ ବୈଧବ୍ୟ ଧାରଣ

କରିଥିଲା ହୋଇ ଶଇବାଳଚ୍ଛନ୍ନ

ପ୍ରାଚୀର ମଧ୍ୟରୁ କେତେଟା ପଥର

ଜୟଗାନ କରି ସେ ମହାକାଳର

ତଳେ ଲୋଟି ପଡ଼ିଥିଲେ ଏଣେ ତେଣେ

ସମଗ୍ର ଉଆସ ମଧ୍ୟରେ କାରୁଣ୍ୟେ

ଅବକ୍ଷୟରେ ବି ଗୁମୁରି ଗୁମୁରି

ଯେପରି ସେ ଏକ କ୍ରନ୍ଦସୀ ସୁନ୍ଦରୀ

ପରି ହାହାକାର ଉଠୁଥିଲା କରି

ପ୍ରତିଶବ୍ଦ ଶୁଭେ ବିଜନେ ବାହାରି ।

କେତେକ ମୁହୂର୍ତ୍ତେ ଉଆସ ପାଇକ

ଧରମା ସହସା ପହଂଚିଲା ପାଖ

ଆଖି ମଳି ମଳି ଆସି ସମ୍ମୁଖରେ

କଲା ନିବେଦନ ଜୁହାର ସେଠାରେ

ଆଦେଶ ପ୍ରତୀକ୍ଷା ସ୍ତବ୍‌ଧ ଚକିତେ

ଦଣ୍ଡାୟମାନ ସେ ହେଲା ଯୁକ୍ତ ହସ୍ତେ ।

ଗଜପତି ଡ଼ାକ ଧରମା ପାଖରେ

କହିଲେ ତୁ ଅଛୁ ପରାରେ ଏଠାରେ

ଥାଉ ଥାଉ ଉଆସରେ ଏହିପରି

ଦ୍ରାରିଦ୍ର୍ୟ ଅବସ୍ଥା କାହିଁକି କିପରି?

ମୋର ନିତ୍ୟ କର୍ମର ବ୍ୟବସ୍ଥା କର

ଜାଣିଛୁ କି ରାଜଗୁରୁଙ୍କ ଖବର?

ଏକାବେଳେ ଏତେ ପ୍ରଶ୍ନର ଉତ୍ତର

କିପରି କି ଦେବ ଧରମା ଚତୁର

ହେଛାମୁ କେବଳ ମୁହିଁ ଉଆସରେ

ଜଗାରଖା କରେ ଆଦେଶ ପ୍ରକାରେ ।

ରାମହରି ଛୋଟ ରାୟ ହରି ସିଂହ

ଆଉ ପ୍ରଭାକର ବଳିଆରସିଂହ

ଉଆସ ଆସନ୍ତି ଖେଳିବାକୁ ପଶା

ଦେଖି ଯାଆନ୍ତି ଏ ଉଆସର ଦଶା ।

କେବେ କେହି ଦେଇ ନାହାନ୍ତି ନଜର

ରକ୍ଷଣାବେକ୍ଷଣେ ଏହି ଉଆସର

ସବୁବେଳେ ତାଂକ ନିଶାର ବିଳାସ

ଆଉ ପଶାପାଲି କ୍ରୀଡ଼ା ମଧୁରସ ।

ସେଥିରେ ବିତାଉ ଥାଆନ୍ତି ଦିବସ

ଏଠାରେ ଏକାକୀ ମୁଁ କରିଚି କିସ ।

ନୀରବେ ଧରମା ମୁଖ ମଣ୍ଡଳକୁ

ଚାହିଁଣ ରାଜନ ତା ଭାବଧାରାକୁ

ମନୋଭାବ ଇତିହାସ ପଢ଼ିବାକୁ

ଚେଷ୍ଟା କରୁଥିଲେ ରହି ଅତିପାଖୁ

ଗଜପତି ରାଜତ୍ୱରେ ଆକ୍ରମଣ

ଜନିତାବ୍ୟବସ୍ଥା ଫଳରେ ଏ ସ୍ଥାନ

ମୁହୁର୍ମୁହୁ ବାଲିସାହି ଉଆସରେ

ବିଶୃଂଖଳିତ ବି କର୍ମଚାରୀ ହେଲେ

ସଠିକ ରାଜ୍ୟ ଉତ୍ସୃଂଖଳ ସମାନ

ସ୍ୱେଚ୍ଛାଚାରିତାର ଜ୍ୱଳନ୍ତ ପ୍ରମାଣ

ରାଜକର୍ମଚାରୀ ବୃନ୍ଦ ପହଂଚିଲେ

ଧିରେ ଧିରେ ହାତ ଯୋଡ଼ି ନିବେଦିଲେ

ପ୍ରଣାମରେ ଆନୁଗତ୍ୟ ପରକାଶ

କଲେ ଯେତେ ଥିଲେ ଆସି ଆସପାଶ

ମଣିମା ପଶିଲା ପରାଣ ପିଣ୍ଡରେ

ଛାମୁ ବିଜେ ହୋଇବାରୁ ଉଆସରେ

ଶ୍ରୀ କ୍ଷେତ୍ରରେ ବାର୍ତ୍ତା ହୋଇଛି ପ୍ରଚାର

କୁଆଡ଼େ ମୋଗଲ ନବାବ ସର୍ଦ୍ଦାର

ଗଜପତିଙ୍କୁ ଧରିଣ ବାରବାଟି

କଟକ ରମାନା ହୋଇଛି କି ତୃଟି?

ବର୍ତ୍ତମାନ ବରୁଣେଇ କଟକରେ

ମୋଗଲ ହବିବ ଖାଁ ଶାସନକରେ

ଗଜପତି ରାଜାଙ୍କର କଉଣସି

ଶାସନ କ୍ଷମତା ଯାଇଅଛି ଖସି

ଶୁଣି ଆମ୍ଭେମାନେ ହେଲୁ ମ୍ରୀୟମାଣ

ଆଉ ଏକ ଆତଙ୍କିତ ଆକ୍ରମଣ

ଉପରେ ସେବକେ ଡ଼ହଳ ବିକଳ

ପଣ୍ଡା ପଡ଼ିଆରୀ ଶାନ୍ତି ନାହିଁକାର’ ।

“ଏଭ୍ରାନ୍ତ ପ୍ରଚାର କଲା କେ ସେଠାରେ

ରାଜା କହିଥିଲେ ସ୍ଖଳିତ କଂଠରେ,

ଆସନ ଗ୍ରହଣ ପରେ ଗଜପତି

କହିଲେ ଶୁଣନ୍ତୁ ଯେ ସବୁ ଅଛନ୍ତି

“ଶ୍ରୀ ଜଗନ୍ନାଥଙ୍କ ମାନ ରକ୍ଷାପାଇଁ

ଗଜପତି ଦେଲା ସ୍ୱମାନ ହରାଇ

ସମ୍ମାନ ହରାଇ ନାହିଁ ଏ ଜାତିର

ଏଇ ଗଜପତି ଧରି କରବାଳ ।

ଏ ଜାତିର ପ୍ରାଣ ଆରାଧ୍ୟ ଦେବତା

ସେ ପରମ କାରୁଣିକ ଅନ୍ନଦାତା

ସର୍ବୋପରି ଚେତନାର ଚିନ୍ତାମଣି

ସେ ପ୍ରାଣ ସର୍ବସ୍ୱ ଅନନ୍ୟ ଯା ମଣି ।

ସେଇଥି ପାଇଁତ ମୁକତି ମଣ୍ଡପ

ପଣ୍ଡିତମାନଙ୍କ ଧାର୍ମିକ ସଂଳାପ

ମତକୁ ସମ୍ମାନ ଦେଇ ପ୍ରତିଷ୍ଠିତ

ଶାସନ ଉଭୟ ମୁଖୀ ପ୍ରଣୋଦିତ ।

ସଂସ୍କାର ସଂସ୍କୃତ ପରେ ତାହାପରେ

ପ୍ରତିଷ୍ଠିତ ମଣିମା ସିଂହାସନରେ ।

ପ୍ରବେଶାଧିକାରରୁ ବଂଚିତ ହୋଇ

ଅନନ୍ୟ ଦର୍ଶନ ଲାଳସାରେ ରହି

ମୁଁ ପ୍ରତିଷ୍ଠା କରିଥିଲି ଜଗନ୍ନାଥ

ପୁରୁଷୋତ୍ତମରେ ଯା ଥିଲା ଯଥାର୍ଥ

ଏଇଥିରୁ କ’ଣ ମୋର ପ୍ରଭୁଚିନ୍ତା

ରାଷ୍ଟ୍ର ଚେତନାର ଦ୍ୟୋତକ ସଂହିତା

ଅନୁଭବ କରି ପାରିଲେ ନାହିଁକି ?

ମୁକ୍ତି ମଣ୍ଡପର ପଣ୍ଡିତେ ବସି କି ?

ବର୍ତ୍ତମାନ ମଧ୍ୟ ଅଛି ସେ ସମୟ

ମୁକ୍ତି ମଣ୍ଡପରେ ବିଚାର ଆଳୟ ।

ଯଦି ଧର୍ମାଂଧତା ଠାରୁ ହୁଏ ମୁକ୍ତ

ତେବେ ଓଡ଼ିଶାର ଇତିହାସେ ଯୁକ୍ତ

ଐତିହ୍ୟ ସଂସ୍କୃତି ପୁଣି ଥରେ ହେବ

ତୁର୍ଯ୍ୟ ଅବିଳମ୍ବେ ନିନାଦିତ ହେବ

ଏଥିରୁ ଆପଣମାନେ ଅବଧାନ ।

ହୁଅନ୍ତୁ କଢ଼ୁହେ ଓଡ଼ିଶା ସମ୍ମାନ

ତେଣୁ ଥରେ ଓଡ଼ିଶାର ଭାଗ୍ୟସ୍ଥିତି ।

କଥା ଚିନ୍ତା କରନ୍ତୁ ହେ ନିତି ନିତି ।

କକ୍ଷ ଭିତରଟା ଗୁମୁରି ଗୁମୁରି

ଉଠୁଥିଲା ବାତାବରଣରେ ଭାରି

ସେବଳ ପଶ୍ଚିମ କବାଟ କାନ୍ଥକୁ

ଆଉଜି ରାଜାଙ୍କ ଧିର ଗାମ୍ଭୀର୍ଯ୍ୟକୁ

ତଉଲୁ ଥିଲେ ସେ ନଇଷ୍ଟିକ ମନେ

କହିଲେ ଶୁଣନ୍ତୁ ବ୍ୟବସ୍ଥା ଗୋପନେ

“କେବଳ ସେହି ଗୋଟିଏ ଧର୍ମଚ୍ୟୁତି

ବିଷୟ ମୁକ୍ତିମଣ୍ଡପ ବିଚାରନ୍ତି ।

ତାହାହିଁ ହୋଇଛି ଚର୍ଚ୍ଚିତ ବିଷୟ

ବ୍ରାହ୍ମଣ ପଣ୍ଡିତ ମାନଙ୍କର ଧ୍ୟେୟ ।

ସେଥିପାଇଁ ଯଦି କିଛି ପ୍ରାୟଶ୍ଚିତ

ପରିତୋଷର ବ୍ୟବସ୍ଥା ସମୁଚିତ ।

କରାଯାନ୍ତା ତେବେ ଏହି ପରିସ୍ଥିତି

ଅନୁକୁଳ ହୋଇ ପାରନ୍ତା ନିୟତି ।

କିଂତୁ ରାଜଗୁରୁ ସେହି ବିଷୟରେ

ଯେତେବାର କହିଲେ ବି ବାରମ୍ବାରେ ।

ଶାସ୍ତ୍ରୀୟ ପ୍ରମାଣ ପ୍ରଦର୍ଶନ କରି

ପ୍ରସ୍ତାବେ ବିରୋଧ କରୁଛନ୍ତି ଖାଲି ।

ରାଜଗୁରୁ ପରମଲକ୍ଷ୍ମୀ ଭାଷାରେ

ପାରିତୋଷ ପ୍ରାୟଶ୍ଚିତ ବ୍ୟବସ୍ଥାରେ

ଧର୍ମର ମୌଳିକ ନୀତି ପ୍ରତିଷ୍ଠିତ-

-ହୁଏ ନାହିଁ କେବେ, ଯାହା ସମୁଚିତ

ଧର୍ମ ବର୍ଣ୍ଣ ସବୁ ଦିନ ଶୁଭ୍ର ଶୁଚି

ସମୁଜ୍ଜ୍ୱଳ ତାଂକୁ ଅରୁଚି ଲାଗୁଛି ।”

ରାମଚନ୍ଦ୍ର ଦେବ ବ୍ୟଥିତ କଂଠରେ

କହିଲେ ମୁଁ ତାହା କରିଅଛି ଭଲେ

ତାହାରି ବ୍ୟବସ୍ଥା ତଥା ପ୍ରାୟଶ୍ଚିତ

ପଣ୍ଡିତଙ୍କ ପାରିତୋଷ ନିରନ୍ତେତ ।

ସାମନ୍ତରାପୁର ଗ୍ରାମ ଦାନକଲି

ବ୍ରହ୍ମଣ ମାନଙ୍କୁ ଭୂମିଦାନକରି

ଶାସନୀ ପଣ୍ଡିତଙ୍କ ତୁଷ୍ଟିକରଣ

କରିଛି ପଚାର ଯାଇ ସେ ଶାସନ

ବ୍ରାହ୍ମଣମାନଙ୍କୁ ମଧ୍ୟ ଶାସନର

ମୁକ୍ତିମଣ୍ଡପ ପଣ୍ଡିତ ସଭାସ୍ଥଳ ।

ସଭାରେ ମାନ୍ୟତା ପ୍ରଦାନ ହୋଇଛି

ବୁଝ ଯାଇ ମହାପାତ୍ରେ ମୁଁ କହୁଛି ।

ଏଥିପରେ ଯଦି ମୁକ୍ତି ମଣ୍ଡପର

ପାରସ୍ପରିକ ଦୃଷ୍ଟିରୁ ଇର୍ଷାଘୋର

ଇର୍ଷାନ୍ୱିତ ହୋଇ ରାଜଧରମକୁ

ବିରୋଧ କରନ୍ତି ଯାଅ ବୁଝିବାକୁ ।

ତେବେ ଏହା ଏହି ଓଡ଼ିଶା ରାଜ୍ୟର

ବିଡ଼ମ୍ବନା ଅଟେ ନିଶ୍ଚୟ ଭାଗ୍ୟର ।

ଆଗାମୀର ବଂଶଧର କେବେ ହେଲେ

ଏ ଔପଚାରିକ ଧର୍ମାଂଧକୁ ଭଲେ

ଭୁଲିବେନି କ୍ଷମା କହୁଛି ଫିଟାଇ

ନୂଆ ଇତିହାସ ଖୋଲିବେ ଲେଖାଇ ।”

ଗଜପତିଙ୍କର କପାଳ ଉପରେ

ଉତ୍ତେଜନା ଘର୍ମ ଫୁଟି ଉଠେ ଖରେ ।

ଚକ୍ଷୁ ଯୁଗଳରେ ଉଦାସୀନତାର

ଛାଇ ଘେରି ରହିଥିଲାଟି ପ୍ରବଳ ।

ମ୍ରୀୟମାଣ ଭାବେ ଗୃହ-ଅବକ୍ଷୟ

ପୀଡ଼ିତ ଛାତକୁ ଚାହିଁ ନର-ରାୟ ।

କରୁଥିଲେସେ ବିକ୍ଷେପ ଦୀର୍ଘଶ୍ୱାସ

ମନେ ମନେ ଭାବୁଥିଲେ ପୀତବାସ ।

ସେ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳର

ସେବକମାନଙ୍କ ମୁଖରେ ଭାଷାର

କିଛିତ ନଥିଲା ତ୍ରିଶଙ୍କୁ ସେମାନେ

ସମ ଧର୍ମ ସଂକଟରେ ମଝିସ୍ଥାନେ

ଦୋମୁହାଁ ଛକରେ ହୋଇଣ ମଉନ

ହୋଇ ଯାଉଥିଲେ ସେ ଦଣ୍ଣାୟମାନ ।

ରାମଚନ୍ଦ୍ରଦେବ ପଚାରିଲେ ଧିରେ

ଭେଦିଆ ମାନଂକ ଆକ୍ରମଣ ଫଳେ

ମୋଗଲ ନାଏବ ନଜିମ କି ପୁଣି

ଭିତର ଗଡ଼ରେ ପଶିବେ ନମାନି

ରାଜଧାନୀକୁ ସେକରି ଆକ୍ରମଣ

ଅବରୋଧ କରିଛନ୍ତି ତାଂକ ସୈନ୍ୟ

କେତେବେଳେ ଯେ ଶ୍ରୀ ମଂଦିର ଉପରେ

ଆକ୍ରମଣ ନୋହିବ କି ପୁଣି ଥରେ

ଏଇ ଆଶଙ୍କା ବି ସେହିଠାରେ ଅଛି

ଏଡ଼ାଇ ନପାରେ ଦିଆଯାଇ କିଛି

ଅଥଚ ଏ ବର୍ତ୍ତମାନର ଦାରୁଣ

ମୁହୂର୍ତ୍ତରେ ରାଜଗୁରୁ ସେ ପରମ

ଲକ୍ଷ୍ମୀଙ୍କର ଦେଖା ଦର୍ଶନ ହିଁ ନାହିଁ

କୁଆଡ଼େ ଗଲେ ସେ ଖବର ବି ନାହିଁ ।”

ଦଇତା କହିଲେ ଜଣେ ଖୋଲି ଓଠ

ସେଦିନ ମୋହର ରାଜଗୁରୁ ଭେଟ

ହୋଇଥିଲା କହୁଥିଲେ ଖୋଲିକରି

ସାମନ୍ତ ରାଜାଙ୍କ ସଂହତି ବିଚାରି

ଏକତ୍ର କରିବା ପାଇଁ ସବୁ ରାଜ୍ୟେ

ଆଲୋଚନା କରିଥିବେ ଯାଇ ନିଜେ

ଟିକିଲି ରଘୁନାଥପୁର କୁଆଡ଼େ

ବାର୍ତ୍ତା ଦେଉଥିଲା ବଡ଼ ହୋଇ ଦୃଢ଼େ

ମୋଗଲ ସମ୍ରାଟ ବିରୁଦ୍ଧରେ ଯୁଦ୍ଧ

ଘୋଷଣା ପ୍ରସ୍ତୁତ ହେବ ଯଥାସାଧ୍ୟ

ସୁରଂଗି ପାରଳା ଆଠଗଡ଼ ରାଜା

ମିଳିତ ପ୍ରସ୍ତୁତ ପାଇଁ ଆଗ୍ରହୀ ଯା

ବୋଲି ସେତେବେଳେ ଗୁରୁ କହୁଥିଲେ

ଯଦି ଏହା ହୋଇଥାଏ ତେବେ ଦୂରେ

ଯାଇଥିବେ ରାଜଗୁରୁ ଦକ୍ଷିଣକୁ

ଏକଥା ବିଚାର ଆସୁଛି ମନକୁ ।”

ବାଲିସାହି ଉଆସ ଜୀର୍ଣ୍ଣ ପ୍ରାଚୀର

ଗାତ୍ରରୁ ଖସିଲା କେତୋଟି ପଥର

ଜୟଗାନ କରି କି ଅବକ୍ଷୟର

ବିରାଟ ଶବବ୍ଦ କରିଲାଗେ ତଳ ।

ଓଡ଼ିଶାର ଉର୍ଜସ୍ୱଳ ବୀରଭୋଗ୍ୟା

ବସୁଂଧରା ଆଜି ସତେ ହୀନ ଭୋଗ୍ୟା

ଯେମିତି ଏ ଅପୂରଣୀୟ ବିରାଟ

ସୃଷ୍ଟି ହୋଇଗଲା ମସ୍ତବଡ଼ ଫାଟ

ଆଉ ସେହି ଅଂଧ ଗହ୍ୱରରେ ପେଶି

ହୋଇ ଯାଇଥିଲା ରାଜ୍ୟ-ମାଂସ-ପେଶି

ଶୌର୍ଯ୍ୟ ସ୍ଥୈର୍ଯ୍ୟ ଆଉ ସଂସ୍କୃତି ଐତିହ୍ୟ

ମଣ୍ଡିତ ସେ ଆଭିଜାତ୍ୟ ଦେଶ ମୋହ

ଅସ୍ଫୁଟ ଚିତ୍କାର କରି ଗଜପତି

ଇତିସ୍ତତଃ ହେଲେ ସହସା ସେ ଉଠି

ସେବକେ ଗମ୍ଭୀର ହୋେଇ ପରବର୍ତ୍ତୀ

କର୍ତ୍ତବ୍ୟ ସଂପର୍କେ ଚିନ୍ତା ମଗ୍ନ ଅତି

ଜଗନ୍ନାଥ ଦ୍ୱାହି ଦେଇ ଗଡ଼ପତି

ମାନଂକୁ କରିବ କିଏ ବା ଏକାଠି ?

କିଏ ବା ବିଦୀର୍ଣ୍ଣ କରି ବସୁଂଧରା

ବକ୍ଷରେ ଐକ୍ୟର ମହାମନ୍ତ୍ର ପରା

ପଢ଼ି ନିର୍ମାଣିବ ଐତିହ୍ୟର ସେତୁ

ଯାହା ଇତିହାସେ ହେବ ସ୍ୱର୍ଣ୍ଣ ସେତୁ ।

ସଂଧ୍ୟା ସୁଦ୍ଧା ବରୁଣେଇ ଯିବି ଫେରି

ପତିତ -ପାବନ ଦରଶନ କରି ।

ଏ ମୁକ୍ତି ମଣ୍ଡପ ଆଉଥରେ ଚିନ୍ତା

କରନ୍ତୁ ଆମର ଏ ରାଷ୍ଟ୍ର ଦେବତା ।

ଜଗନ୍ନାଥାଦ୍ୟ ସେବକ ଗଜପତି

ପ୍ରତିଷ୍ଠିତ ହେଲେ ସ୍ୱୟଂ ଶିରୀପତି

ପ୍ରତିଷ୍ଠିତ ଦୃଢ଼େ ଏ ଦେଉଳେ ହେବେ

ନହେଲେ ଚକଡ଼ା ଛଡ଼ା ହେଉଥିବେ ।

ଅଭୟ ମୁକ୍ତିର ରତ୍ନସିଂହାସନ

ପ୍ରସ୍ତର ବେଦୀକାହିଁ ଓଡ଼ିଶା ମାନ

ସେବା ପୀଠ ଏହା ରାଜନ ସମ୍ମାନ

ଗଜପତିଙ୍କର ମୁକ୍ତି ସ୍ଥିତି ମାନ ।

ଯାଇ ସେବକମାନଙ୍କ ଗହଣରେ

ଗଜପତି ପହଂଚିଲେ ସିଂହଦ୍ୱାରେ ।

ପରମ କାରୁଣିକ ଶ୍ରୀଜଗନ୍ନାଥ

ପତିତପାବନେ ଚାହିଁ ନରନାଥ ।

ଅନ୍ତର ମଧ୍ୟରେ ସ୍ୱର୍ଗତୋକ୍ତି କରି

ରାମଚନ୍ଦ୍ର ଦେବ ଭାଷି ହାତ ଯୋଡିÿ

“କରୁଣା ବରୁଣାଳୟ ମହାପ୍ରଭୁ

ଓଡ଼ିଶା ବୀରତ୍ୱ ତୁମେହିଁ ପ୍ରତିଭୁ ।

ସେ ବୀରତ୍ୱ ଅବଗୁଣ୍ଡିତ ହୋଇଛି

ମୋଗଲ ଗୋଳର ଘନଘଟା ଛିଛି ।

ମେଘର କାଳିମା ଓଡ଼ିଶା ଆକାଶେ

କରି ଅଛି ସୃଷ୍ଟି ମୋଗଲ ସଂଦେଶେ ।

ମୁକ୍ତି ମଣ୍ଡପର ପଣ୍ଡିତ ସଭାର

ଧର୍ମ ମୌଳିବାଦ ଆଳେ ସ୍ୱଧର୍ମର ।

କରି ଚାଲିଛନ୍ତି ଉପେକ୍ଷା କରମେ

ମୁକ୍ତିର ଦେବତା ଦେଖୁଛନ୍ତି ଧର୍ମେ

ଲୌକିକ ଜାତି ହାରିଛି ଏ ସେବକ

ନୀତିଭ୍ରଷ୍ଟ ହୋଇନାହିଁ ଅଲୋ÷କିକ ।

ରକ୍ଷାକର ପ୍ରଭୁ ଏ ଜାତିକୁ ତୁମେ

ଭେଦୁଥିଲା ଗଜପତି ମର୍ମେ ମର୍ମେ ।”

ସଂତର୍ପଣେ ଆଖିପୋଛି ଗଜପତି

ଚାହିଁଲେ ସେବକେ କିଛି ନ ବୋଲନ୍ତି

ଅରୁଣସ୍ତମ୍ଭ ଚକଡ଼ାରେ ପତିତ -

ପାବନଙ୍କୁ ସାକ୍ଷୀ ରଖି କେଉଁ ଭକ୍ତ

ପତିତଜନ ଜଣାଣ ମର୍ମଭେଦୀ

ଗାଉଥିଲା ଗାତ୍ରେ ଯାଉଥିଲା ଭେଦି ।

 

Unknown

ଭଜନ

 

ଦୀନବଂଧୁ ନାମ ରଖ ଜନାର୍ଦ୍ଦନ ଦୀନ ଜନଂକୁ ଉଦ୍ଧାରି

ଦୟାଳୁ ବୋଲନ୍ତି ଉକ୍ତେ ଦିନରାତି ତୁମ୍ଭଙ୍କୁ ପରାମୁରାରି (ଘୋଷା)

ଦିନରାତି ଯିଏ ଡ଼ାକେ ପ୍ରଭୁ ଆହେ ସେ ଡ଼ାକ ତୁମ୍ଭ କାନରେ

ଦୟାନିଧି ତୁମ ବଧିର କି-କାନ ସେ ଡ଼ାକ ପଡ଼ୁନି ଥରେ । ୧ ।

ଦରିଦ୍ରଙ୍କ ପାଇଁ ହେ କମଳାସାଇଁ କିବ୍ୟବସ୍ଥା ଅଛ କରି

ଦୟାବନ୍ତ ବୋଲି ଭକତେ ବୋବାଳି କରୁଛନ୍ତି ହରି ହରି । ୨ ।

ଦରଶନ ପାଇଁ ରାଜାଙ୍କୁ ଗୋସାଇଁ କିପାଁ କଲହେ ଆକଟ

ଦୂରଦର୍ଶନରେ ଗୁମୁଟ ଦୁଆରେ ହେଉଥାଉ ସଦା ଭେଟ । ୩ ।

ଦୟାକର ହରି ସୁଦର୍ଶନ ଧାରୀ ଆଉ ବିଳମ୍ବ ନରକର

ଦୟାରେ ଦେଖହେ ଗୋ÷ରୀଶିବ କହେ ଏବେ ନିଜକୁ ସଂଭାଳ । ୪ ।

 

୧୫ଶ ସର୍ଗ

 

ଭିତର ଗଡ଼ର ରାଜମହଲ

 

ମଧ୍ୟରେ ଏକାକୀ ରାମଚନ୍ଦର-

 

-ଦେବ କରିଛନ୍ତି ଉପବେଶନ

 

ମୁକ୍ତ ଦ୍ୱାରା ପଥେ ଦୂରେ ଚାହିଁଣ

 

ମୁକ୍ତ ପ୍ରକୃତିର ଶୋଭାକୁ

 

ପ୍ରକୃତି ସୋ÷ନ୍ଦର୍ଯ୍ୟ ସଂପୂର୍ଣ୍ଣ ଭାବରେ

 

ଦୃଶ୍ୟ ହେଉଥିଲା ରାଜାଙ୍କୁ

।।୧।।

ମୋଗଲ ଲସ୍କର ମାନେ ବାହାରେ

 

ବୁଲୁଥିଲେ ସାମରିକ ଢ଼ଂଗରେ

 

ଗୋଧୂଳି ସେଠି ଆସୁଥିଲା ନଇଁ

 

ଅପରାହ୍ନ କ୍ଲାନ୍ତ ଡ଼େଣାରେ ଡ଼େଇଁ

 

ଅଦୂର ବଣର ପାଟଳେ

 

ନବ ବର୍ଣ୍ଣବିଭା-ସୃଷ୍ଟି କରୁଥିଲା

 

ଚିତ୍ର ଗଛ ପତ୍ର ଫାଙ୍କରେ

।। ୨ ।।

ଭିତର ଗଡ଼ ମହଲ ଭିତରେ

 

ରାଜକର୍ମଚାରୀ କିଏ ନଥିଲେ

 

ବିଦ୍ରୋହ ଆଶଙ୍କାରେ ସେ ମୋଗଲ

 

ଶାସକଙ୍କ ଇଂଗିତରେ ସକଳ

 

କର୍ମଚାରୀ ମାନେ ସେଠାରୁ

 

ଅପସରି ଯାଇ - ଥିଲେ କଉଶଳେ

 

ଶାସକ ଆଦେଶ ପାଇ ଆଗରୁ

।। ୩ ।।

ଅଂଗୁଳି -ମେୟ କେତେ କର୍ମଚାରୀ

 

ଭିତର-ଗଡ଼ରେ ରହିସେପରି

 

ଗଜପତି ରାମ-ଚନ୍ଦ୍ର ଦେବଙ୍କ

 

ସେବା ସହାୟତା କରି ଅନେକ

 

ମୋଗଲ ଅବରୋଧ ସତ୍ୱେ

 

ଗଜପତି ଗତି ବିଧିରେ ଲସ୍କରେ

 

କଟକଣା କରି ନଥିଲେ ସେତେ

।। ୪ ।।

କେବେ ଭିତର ଗଡ଼ ବାହାରକୁ

 

ଯାଆନ୍ତି ବିଚରଣ କରିବାକୁ

 

ଯାଉଥିଲେ ମଧ୍ୟ ଲସ୍କରମାନେ

 

ଦେଉନଥିଲେ ବାଧା ଖଣ୍ଡାମୁନେ

 

ରେଜିଆ ବେଗମଙ୍କ ଖାସ

 

ସ୍ୱାମୀ ସେ ହାଫିଜ କାଦାର ବେଗଙ୍କୁ

 

ସଲାମ କରିଣ ସେ ଆସପାସ

।। ୫ ।।

ପାରିବାରିକ କାରଣୁ ବାଦୀ

 

ଖୋର୍ଦ୍ଧା ନବାବକୁ ନଜରବଂଦୀ

 

ରଖାଯାଇଥିଲେ ମଧ୍ୟ ରାଜନ

 

ମୋଗଲ ଶାସକ ଜାମାତା ଜାଣ

 

ତେଣୁ ହିଁ ତାଂକର ସମ୍ମାନ

 

ମୋଗଲ ଶାସନ-ର-ଆତ୍ମ-ସମ୍ମାନ

 

ଏହି ବିଚାରରେ ହୋଇ ମଉନ

।। ୬ ।।

ଏକ ଦୀର୍ଘଶ୍ୱାସ ନିକ୍ଷେପ କରି

 

ଗବାକ୍ଷପଥେ ଚାହିଁ ଦଣ୍ଡଧାରୀ

 

ମୁକ୍ତ ଆକାଶକୁ ଏକ ଲୟରେ

 

ଚାହୁଁଥିଲେ ରାଜନ ନିର୍ଭୟରେ

 

ନୀଡ଼ ପ୍ରତ୍ୟାଶୀ ଅସୁମାରୀ

 

ପକ୍ଷୀ ସୃଷ୍ଟି କରି ବିଚିତ୍ର କାକଳି

 

ଯାଉଥିଲେ ନଭେ ହରଷେ ଉଡ଼ି

।। ୭ ।।

ଚିଲିକାର ପ୍ରତ୍ୟା-ବୃତ୍ତ ଗଣ୍ଡାଳୀ

 

କି ଗମ୍ଭୀର ଶବ୍ଦକୁ ସୃଷ୍ଟିକରି

 

ବୋଧହୁଏ ଜଂଗଲ ଭିତରକୁ

 

ଫେରି ଯାଉଥିଲେ ଧରି ଖାଦ୍ୟକୁ

 

ରାତ୍ରିର ବସତି ନିର୍ମାଣ

 

କରିବା ପାଇଁକି ସ୍ୱାଧୀନ ଭାବରେ

 

ନଥିଲା ତାଂକର କିଛି ବାରଣ

।। ୮ ।।

ରାମଚନ୍ଦ୍ର ଦେବଙ୍କ ମତିଗତି

 

ଚମକିତ ହୋଇ ଉଠିଲା ଅତି

 

ମୁକ୍ତିର ସ୍ୱାଧୀନତା ସବୁଦିନ

 

ଚିର ଆକାଂକ୍ଷିତ ଏମିତି ମନ

 

ମୁଖରିତ ଏ ଆନଂଦର

 

ସତରେ ମଣିଷ ଧନ୍ୟ ଏହିପରି

 

ପ୍ରଭୁଙ୍କ ସୃଷ୍ଟିରେ ଏ ଜୀବନର

।। ୯ ।।

ରାଜବାଟି ଉଦ୍ୟାନର ରସାଳ

 

ଶାଖା ଉପରେ ଚଂପା ଗଛଟାର

 

କେତେଟା ବଳାକା ଉଡ଼ି ଉଡ଼ିଣ

 

କଲେ ଆସିଣ ବିଶ୍ରାମ ଗ୍ରହଣ

 

ଜୀବନର ଯାତ୍ରା ପଥରେ

 

କ୍ଳାନ୍ତ ପଥିକଟି ଯେପରି ଆଶ୍ରୟ

 

ନିଅଇ ଶ୍ରାନ୍ତି ଅପନୋଦନରେ

।। ୧୦ ।।

ରାମଚନ୍ଦ୍ର ଦେବ ବୁଜିଲେ ଆଖି

 

ମନ ଗହନ ଗଭୀର ପରଖି

 

ଗଭୀର ପ୍ରଦେଶକୁ ଧିରେ ଧିରେ

 

ପ୍ରବେଶି ଦେଖିଲେ ସନ୍ତର୍ପଣରେ

 

ରେଜିୟାର କାନ୍ତ କୋମଳ

 

ସେ କଳା ଘୁମର ଆଖିରେ ଭରତି

 

ହୋଇଛି ଯା ଦିଶେ ଜଳଜଳ      

।। ୧୧ ।।

ପ୍ରତିଭାତ ହୋଇ ଉଠିଲା ମୁଖ

 

ଅଫୁରନ୍ତ ଆବେଦନ ସାପେକ୍ଷ

 

ଅଧରର ପାଟଳିମାରେ ପ୍ରୀତି

 

ଲାବଣ୍ୟଭରା ହାସ୍ୟରେଖା ମାଠି

 

ସେ ପ୍ରଣୟର ପ୍ରଣତିର

 

ମୋଗଲ ଜନମ - ଜାତ - ଅଭିଶପ୍ତା

 

ଜବାଧରୀ ସତେ କେଡ଼େ ସୁଂଦର      

।। ୧୨ ।।

ରେଜିୟାର ସେହି କଳା-ଘୁମର

 

ଅଶ୍ରୁରେ ଆଖିର ସ୍ୱମମତାର

 

ଲେଖା ହୋଇଥାନ୍ତା ଯେ ସଂପ୍ରୀତିର

 

ମହାକାବ୍ୟ ଲୋତକ -ବେଦନାର

 

ତାହା ରୁପାୟିତ ହୋଇଣ

 

ବ୍ୟଥା - ଇତିହାସ ହୋଇଗଲା ହୃଦ

 

ବିଦାରିଣ ଗଜପତି ରାଜନ

।। ୧୩ ।।

ହିନ୍ଦୁ ଇସଲାମ ଧର୍ମ -ବାଦର

 

ନିର୍ମମ ମଉନେ ଗଣ୍ଡି ଭିତର

 

ହୃଦୟର କମ୍ର କୋମଳ-କଳି

 

ଶତଧାବିଦୀର୍ଣ୍ଣ ହୋଇଲା ଦଳି

 

ହୋଇଗଲା ନିଷ୍ପେସିତ

 

ଓଡ଼ିଶାର ଧର୍ମ ଇତିହାସ ପଥେ

 

ସବୁଦିନ ପାଇଁ ଯାତ୍ରାପଥ

।। ୧୪ ।।

ବାସ୍ତବେ ରେଜିୟା ଥିଲେଟି ଆଜି

 

ଆଉଥରେ ମୀର ହବିବ ଗାଳି

 

ମୋଗଲ ସେନାରେ ବରୁଣେଇକୁ

 

ଅବରୋଧ କରି ନଥାନ୍ତେ ପାଖୁ

 

ମୋ÷ଳବାଦୀ ମାନେ ହୁଏତ

 

ରେଜିୟାର ସ୍ଥିତି ସ୍ଥାପକତା -ବ୍ୟଥା

 

ହିଂସା ଆକ୍ରମଣୁ ଥାନ୍ତେ ନିବୃତ୍ତ

।। ୧୫ ।।

କିଂତୁ ଶେଷରେ ଏହା ହେଲା ନାହିଁ

 

ଦଇବ ବିପକ୍ଷ ହେଲା କି ରହି

 

ଓଡ଼ିଶାର ସାର୍ବ-ଜନିନ ସ୍ୱପ୍ନ

 

ସମୃଦ୍ଧି କେବଳ ଅଧାରେ ଭଗ୍ନ ।

 

ରହିଗଲା ସ୍ୱପ୍ନ ସାଫଲ୍ୟ

 

ପାଇଁ ଆର ରାତ୍ରି ନଥିଲା ଜୀବନେ

 

ଧରିବାକୁ ଦେହ ଦୃଢ଼ ଧୈର୍ଯ୍ୟର

।। ୧୬ ।।

ଓଡ଼ିଶା ଇତିହାସ ନିଷ୍ପ୍ରଭାତୀ

 

ରାତ୍ରିରେ ଅମାବାସ୍ୟା ଥିଲା ମାତି

 

ହୋଇଗଲା ନେସି ତମିସ୍ରା ତହିଁ

 

ପାଗ ଯୋଗ ରାଶି ନକ୍ଷତ୍ର କାହିଁ

 

କିଂତୁ ଶ୍ରୀ ଶୁଭ ସକାଳର

 

ଆଉ ସୂର୍ଯ୍ୟୋଦୟ ହୋଇ ପାରିଲା ନି

 

ସରିଗଲା ସୁଖ ଏ ଓଡ଼ିଶାର

।। ୧୭ ।।

ସାମନ୍ତ ରାଜାଙ୍କ ସହ ଯୋଗରେ

 

ଜୟଜଗନ୍ନାଥ ମନ୍ଦ୍ରଧୂନିରେ

 

ଓଡ଼ିଶାର ରାଜା  ଏଥି ମଧ୍ୟରେ

 

ପ୍ରକାଶ୍ୟ ଯୁଦ୍ଧର ଘୋଷଣା ବଳେ

 

ମୋଗଲ ନାଏବ ନଜିମେ

 

କରି ପରାହତ ସ୍ୱାଧୀନତା-ରବି

 

ସ୍ୱାଗତ କରିବା ଥିଲା ମନେ

।। ୧୮ ।।

ଯେଉଁ ଚିନ୍ତାଧାରା ଥିଲା ମନରେ

 

ଭେଦିଆ ମାନଙ୍କ ଷଡ଼ଯନ୍ତ୍ରରେ

 

ରାଜ ଦ୍ରୋହ ଷଠ -ତାର କାରଣୁ

 

ଆଉ ଫଳବତୀ ନୋହିଲା ତେଣୁ

 

ଜନକ ଏହି ଭାବନାର

 

ଭାନୁମତି ଖେଳ ପରି ରାଜଗୁରୁ

 

ନିଖୋଜ ହୋଇଲେ ନାହିଁ ଖବର

।। ୧୯ ।।

ଯଦି ସେ ସାମନ୍ତ ରାଜାମାନଂକୁ

 

ଏକତ୍ର କରିବାର ସଂକଳ୍ପକୁ

 

ଦୃପ୍ତ ଘୋଷଣା କରି ରାଜଗୁରୁ

 

ରାଜ୍ୟାନ୍ତର ଭ୍ରମଣ କରୁକରୁ

 

ତେବେ ଏ ପର୍ଯ୍ୟନ୍ତ ଖୁରୁଧା

 

ରାଜଧାନୀ ବାର୍ତ୍ତା ତାଂକ ନିକଟରେ

 

ପହଂଚିନି ଅଛି କେଉଁ ବାଧା

।। ୨୦ ।।

ଅଥଚ ରାଜଗୁରୁ ଯଦିବଂଗ

 

ନବାବ ନିକଟେ ଯାଇଣବେଗ

 

ସିଧା ସଳଖ ଏହି ଓଡ଼ିଶାର

 

ସାର୍ବଭୋ÷ମତ୍ୱକୁ କରି ବିଚାର

 

ସ୍ୱତନ୍ତ୍ର ଭାବେ ପ୍ରସ୍ତାବର

 

କରିଥାନ୍ତି ଉପ-ସ୍ଥାପନ, ତେବେ କି

 

ଅଜ୍ଞ ସାଂପ୍ରତିକ ଏ ଅବସ୍ଥାର

।। ୨୧ ।।

କିଂତୁ ରାଜଗୁରୁ ଗଲେ କୁଆଡ଼େ

 

ତାହା ପ୍ରକୃତରେ ଜଣା ନପଡ଼େ

 

ପଠାଉ ନାହାନ୍ତି କିଛି ଖବର

 

କେଉଁଠି ଅଛନ୍ତି ଋଚି କି ଖେଳ

 

ଏ ଏକ ଭାନୁମତି ପେଟି

 

ଧରି ଦେଖାଇବେ ଆମକୁ ଆସିଣ

 

ନିକଟରେ କେବେ କି ଆସିଭେଟି?

।। ୨୨ ।।

ଉଠିପଡ଼ି ଦେବ ରାମଚନ୍ଦର

 

ଦେଖିଲେ ବାହାରେ ସେ ଗୋଧୂଳିର

 

ମ୍ଳାନାଭାରକ୍ତିମା ଆସିଲାଣିତ

 

ଆକାଶର କୋଣେ ପ୍ରତିବିମ୍ବିତ

 

ବୋଧହୁଏ ଶୁକ୍ଳପକ୍ଷର

 

ଦ୍ୱିତୀୟା ଚନ୍ଦ୍ରମା ହେବପରା ଏହି

 

ଚିହ୍ନଟ କରିଣ ଶୁକ୍ଳପକ୍ଷର-

।। ୨୩ ।।

ଆଷାଢ଼ର ଉସା ବାଦଲ ଭେଳା

 

ଘନୀଭୂତ ନୋହି ହୁଏ ବାଉଳା

 

ବରଷର ଆଦ୍ୟ ବର୍ଷଣ ପର୍ବ

 

ଆହୁରି ବିଳମ୍ବିତ ଲାଗେ ଆମ୍ଭ

 

ମନକୁ ଓଡ଼ିଶା ଜାତିର

 

ବିଡ଼ମ୍ବିତ ଐକ୍ୟ ସମ ଅନୁମାନେ

 

ଲକ୍ଷ୍ୟ ଥିଲା ଯାହାକୁ କରିବାର

।। ୨୪ ।।

ଐକ୍ୟ ଅଭିଯାନ ପ୍ରସ୍ତୁତିପର୍ବ

 

ସମାପ୍ତ କରିବା ଲକ୍ଷ ଅପୂର୍ବ

 

ବର୍ଷ ପୁରୁବରୁ ଭାବନା ଥିଲା

 

ତଫାତ୍‌ ଶଚଦେ ହୁବୁକି ଗଲା

 

ଶୁଣି ସେ ସାବଧାନୀ୍‌ ବାଣୀ ।

 

ରାମଚନ୍ଦ୍ର ଦେବ ବାହାରେ ଦେଖିଲେ

 

ଲୋଧୁମିଆଁ ଆସୁଥିବାର ଜାଣି

।। ୨୫ ।।

ରଥିପୁର ଅନ୍ୟ-ତମ ଦେତ୍ତ୍ୱାନ

 

ସମ୍ମାନ ସହ ମୋଗଲ ସଇନ୍ୟ

 

ବାଟକୁ କଡ଼ାଇ ପହରାଦାର

 

ତାଂକ ଆଡ଼କୁ ଆସୁଥିଲେଖର

 

ଉତ୍ସୁକୀ ଦୃଷ୍ଟିରେ ରାଜନ

 

ଚାହିଁଥିଲେ ଲୋଧୁ ମିଆଁକୁ ସେଠାରେ

 

ପୁଲକିତ ହେଉ ଥିଲା ସ୍ୱମନ

।। ୨୬ ।।

ପହରାଦାର ଲସକର ମାନେ

 

ଅପସରି ଗଲେ ଦେଇ ସଲାମେ

 

ଲୋଧୁମିଆଁ ହୋଇ ନିକଟତର

 

ସଲାମ ଜଣାଇ ରାଜନେ ଖର

 

କି ଆବେଗ ପୂର୍ଣ୍ଣ କଂଠରେ

 

ପଚାରିଲେ ରାଜା ତୁମେ ଅବରୁଦ୍ଧ

 

ଗଡ଼ରେ କିପରି ଅସମୟରେ

।। ୨୭ ।।

ଲୋଧୁମିଆଁ ସ୍ମିତ ହସି କହିଲେ

 

ଶୁଣ ରାଜ ଆକସ୍ମିକ ଭାବରେ

 

ନାଏବ ନଜୀମ କୁଲିଖାଁ ଗଡ଼

 

ଅବରୋଧ ବାର୍ତ୍ତା ଯା ଥିଲା ବଡ଼

 

ସେହି ସଂବାଦ ପାଇ କରି

 

ଥିଲି ମୁଁ ସୁଯୋଗଅପେକ୍ଷାରେ ରାଜା

 

ଏଠାକୁ ଆସିବି ବୋଲି ବିଚାରି

।। ୨୮ ।।

ରଥିପୁର ଗଡ଼ରେ ଉପସ୍ଥିତ

 

ସୈନ୍ୟମାନଂକୁ ହେବାକୁ ପ୍ରସ୍ତୁତ

 

ରହିବାକୁ କହି ବୋଲଗଡ଼ରେ

 

ଖଣ୍ଡପଡ଼ା ରାଜା ମାନଙ୍କୁ ଖରେ

 

ଆପଣଂକର ପକ୍ଷରୁ

 

ପଠାଇଥିଲି ମୁଁ ଦୂତ ଦେଇ ଲେଖ

 

ସମୀକ୍ଷା କରିବା ପାଇଁ ଏ ଗୁରୁ

।। ୨୯ ।।

ସମସ୍ୟାକୁ ଦୂତେ ସମ୍ମତି ଦେଇ

 

ସମ୍ବାଦ ଆଣି ଦେଲେ ପହଂଚାଇ

 

ତାପରେ ଭାବିଲି ଆପଣଂକର

 

ସାକ୍ଷାତ ଜରୂରୀ ନାହିଁ ଟି ବେଳ

 

ମନେ କରି କଉଶଳରେ

 

ସାହାସ ବାଂଧିଣ ଆସିଛି ଏଠାକୁ

 

ବିଚାର ବିମର୍ଷ ପାଇଁ ସକଳେ

।। ୩୦ ।।

ଆଜି ମଧ୍ୟ ରଥିପୁର ଗଡ଼ରେ

 

ସମ୍ବାଦ ଆସିଛି ବଡ଼ ଚଂଚଳେ

 

ନାଏବନଜୀମମୁର୍ଶିଦ କୁଲି

 

ଖାଁ ଆସୁଛନ୍ତି ଏଠାକୁ ବୁଲି

 

ରଥିପୁର ଗଡ଼ ବାଟେ

 

ଖୁରୁଧା କଟକ ଭେଟିବାକୁ ଛାମୁ

 

ବୋଲି ଭାବୁଅଛି ଅନ୍ତରଗତେ

।। ୩୧ ।।

ବିସ୍ମୟରେ ଭ୍ରୂକୁଂଚନ କରିଣ

 

କହିଲେ ସେଠାରେ ଖରେ ରାଜନ

 

ମୁର୍ଶିଦ କୁଲିଖାଁ ଖୋର୍ଦ୍ଧା କଟକ

 

ଆସୁଛନ୍ତି ଏ ସଂବାଦ ବାହକ

 

କିଏ ସେ କହରେ ଖୋଲି

 

ପଚାରିଲେ ରାଜା ତୁମେ ଏ ଖବର

 

କେଉଁଠୁ ପାଇଲ ଅଛ ବିଚାରି

।। ୩୨ ।।

ଅଗ୍ରଦୂତ ଜଣେ ଏ ସଂବାଦକୁ

 

ଧରି ଆଣିଥିଲା ମୋ ନିକଟକୁ

 

ଲାଲବାଗ କଟକରୁ ଗଡ଼ରେ

 

ଆସି ପହଂଚିଲା ଦ୍ରୁତ ବେଗରେ

 

ସ୍ୱାଗତ ବ୍ୟବସ୍ଥା ପାଇଁ

 

ପୁଣି ସାମୟିକ ରହଣି ସମ୍ବାଦ

 

ଦେଇ ଥିଲା ସିଏ ଆବେଗେ କହି

।। ୩୩ ।।

ମନେହୁଏ ଆଗମନ ମୂଳରେ

 

କୂଟ ନଇତିକ ଉଦ୍ଦେଶ୍ୟ ତିଳେ

 

ଥିଲା ପରି ଜଣା-ଯାଉ ତ ନାହିଁ

 

କୋ÷ଣସି ଦିଗରୁ ବିଚାର ପାଇଁ

 

ହୋଇପାରେ ଗଜପତି

 

ମହାରାଜ ସହ ସଂଧି ସ୍ଥାପନକୁ

 

ବୋଧହୁଏ ଆସୁଛଂତି ସୁମତି

।। ୩୪ ।।

ଆଶ୍ଚର୍ଯ୍ୟ ଚକିତ ରାମଚନ୍ଦର

 

ଦେବ ଭାଷିଲେ ଏ ଉଡ଼ାଖବର

 

ତାଂକୁ ଆଡ଼ୁ ସେ ନାଏବ ନଜିମ

 

ପୁଣି ଆସୁଛନ୍ତି ସଂଧିସ୍ଥାପନ

 

କରିବାକୁ ମୋ ସଂଗରେ

 

ଏକ ଅବାସ୍ତବ ଚିନ୍ତା ତୁମ ହୃଦେ

 

ଏପରି କିପରି ଅଛି ମଥାରେ

।। ୩୫ ।।

ମୋଗଲ ଶାସନ କାର୍ଯ୍ୟ କଳାପ

 

ସମସ୍ୟାବୃତ୍ତ ପାଗଳ ପ୍ରଳାପ

 

ଭୁଲିଯିବା ଏଡା ନୁହେଁ ଉଚିତ

 

ଅଂଗେ ଅଂଗେ ଆମେ ନିଭେଇଚେ ତ

 

ଗୋପନରେ ଏଥି ନିମନ୍ତେ

 

ଗଦାଧର ଯାଇଛନ୍ତି ଶ୍ରୀକ୍ଷେତ୍ରକୁ

 

ରୁହହେ ଆସିବା ଯାଏ ନିଶ୍ଚିନ୍ତେ

।। ୩୬ ।।

ସେବକଙ୍କ ସହ ପରାମରଶ

 

ଯୋଗସୂତ୍ର ରଖିବାକୁ ସାହାସ

 

ବଢ଼ାଇବା ପାଇଁ ତାଂକର ଖରେ

 

ମୋଗଲଆକ୍ରମଣ ହୋଇବ କାଳେ

 

ଅଚାନକ ଭାବେ ସହସା

 

ଏଡ଼ାଇ ହେବନି ଏହି ଆଶଂକାକୁ

 

ମୋଗଲ ଉପରେ କରି ଭରସା

।। ୩୭ ।।

ବାହାରେ ଅଶ୍ୱର ଖୁରା ଟାପୁର

 

ଶବଦ ଶୁଭିଲା ହୋଇ ପ୍ରଖର

 

ଉତ୍କର୍ଣ୍ଣ ହୋଇ ସେଇ ଆଡ଼େ ଚାହିଁ

 

ରହିଲେ ରାଜନ ଗବାକ୍ଷ ଛୁଇଁ

 

ଚିତ୍କାର କରି ଆଗମନ

 

ପଥ ଅବରୋଧ ମୁକ୍ତ କରିବାକୁ

 

ସତେ କରୁଥିଲେ ମିଆଁ ଉଦ୍ୟମ

।। ୩୮ ।।

ସମ୍ଭବତଃ ଆସୁଛନ୍ତି ନାଏବ

 

ନଜିମ ମୁର୍ଶିଦ କୁଲିଖାଁ ସା-ବ

 

ତାଂକ ପାରିଷଦ-ବର୍ଗ ସହିତ

 

ବରୁଣେଇ କଟକ ବିଚଳିତ

 

ଅଶ୍ୱପୃଷ୍ଠେ ଧିରେ ଧିରେ

 

ଆଗେଇ ଆସିଣ ନଜୀବ କୁଲିଖାଁ

 

ଅଶ୍ୱର ଲଗାମ ଟାକୁ କଷିଲେ

।। ୩୯ ।।

ତାଂକ ପାର୍ଶ୍ୱେ ଅଶ୍ୱୁ ଅବତରଣ

 

କରୁଥିଲେ ରାଜଗୁରୁ ପରମ

 

ଲକ୍ଷ୍ମୀଙ୍କ ସହିତ ମୋଗଲ ମୀର

 

ରାଜସ୍ୱ ମନ୍ତ୍ରୀ ହବିବ ଖାଁ ଧିର

 

ବିସ୍ମୟ ଚକିତ ହୋଇ

 

ରାମଚନ୍ଦ୍ର ଦେବ ପରମ ଲକ୍ଷ୍ମୀଙ୍କୁ

 

ରହିଥିଲେ ଏକ ଲୟରେ ଚାହିଁ

।। ୪୦ ।।

କୁଲିଖାଁଙ୍କ ଆଗ -ମନ ସହିତ

 

ରାଜଗୁରୁ ଯୋଗସୂତ୍ର ସ୍ଥାପିତ

 

କିପରି ହୋଇଲା ପଡ଼ୁନି ଜଣା

 

ତାହାହେଲେ କଣ ସବୁ ଭାବନା

 

ଜଣାପଡ଼େ ବିଡ଼ମ୍ବିତ

 

ଏତେ ଦିନ ଧରି ରାଜଗୁରୁ ଥିଲେ

 

ଲାଲବାଗ କଟକେ ଅବସ୍ଥିତ ?

।। ୪୧ ।।

ପୂର୍ଣ୍ଣଛେଦ ପକା-ଇଣ ଚିନ୍ତାରେ

 

କୁଲିଖାଁ ଆଗେର ପହଂଚିଗଲେ

 

ଆଲିଂଗନାବଦ୍ଧ ଗଜପତିଙ୍କୁ

 

କରି ଆଦରରେ କହିଲେ ତାଂକୁ

 

ମୁବାରକ ଗଜପତି

 

ଆମର ସମସ୍ତ ଅପରାଧ ହର୍ଷେ

 

ମାର୍ଜନା କରିବେ ଏହି ବିନତି

।। ୪୨ ।।

କେତେକ ଭେଦିଆ ପଣ୍ଡିତ ଆଉ

 

ଅସନ୍ତୁଷ୍ଟ କର୍ମଚାରୀଙ୍କ ଦାଉ

 

ପ୍ରରୋଚନାରେ ଆମ୍ଭେ ଆପଣଙ୍କୁ

 

ନଜର ବନ୍ଦିରେ ରଖି କଷ୍ଟକୁ

 

ଦେଉଛୁ ହେ ଅଯଥାରେ

 

ସେଥି ପାଇଁ ଆମେ ଦୁଃଖିତ ଲଜ୍ଜିତ

 

ତେଣୁ କ୍ଷମା ଦେବେ ସ୍ୱ ସ୍ୱ-ଭାବରେ ।

।। ୪୩ ।।

ଆପଣଂକଠାରୁ ମାଫି ମାଗିବା

 

ପାଇଁ ନିଜେ ଆସିଛ ମୁଁ, ମଘବା-

 

ବରୁଣେଇ କଟକରଆପଣ

 

ଆମ ବିରାଦର ପୁଣି ସଂଲଗ୍ନ

 

ଆପଣ ଆମର ବଂଧୁ

 

ଓଡ଼ିଶା ସଂମ୍ଭ୍ରାନ୍ତ ଗଜପତି ପଦ-

 

-ରଜ ଶିରେ ଲଗାଇଲୁ ହେବଂଦୁ

।। ୪୪ ।।

ଆପଣଙ୍କ ରାଜ୍ୟ-ବାସୀ ଆମର

 

ଦୁଷ୍ମନ ନୁହନ୍ତି ଭାଇ ଆମର

 

ଏହି ମୁହୂର୍ତ୍ତରୁ ମୁକ୍ତି ଆପଣ

 

ଆପଣ ସ୍ୱଚ୍ଛନ୍ଦ ପୁଣି ସ୍ୱାଧୀନ

 

ଆମେ ହି ପରସ୍ପରର

 

ବଂଧୁ ବିରାଦର ସବୁଦିନ ପାଇଁ

 

ଏଥିରେ ବିରୋଧ ନାଇଁ କାହାର

।। ୪୫ ।।

ନିବିଡ଼ ବାବୁ ବଂଧନ ମଧ୍ୟରେ

 

ଗଜପତି ରାମଚନ୍ଦ୍ର ସେଠାରେ

 

ମୁର୍ଶିଦ କୁଲିଖାଁ କଅଁଳ କଥା

 

ମାପୁଥିଲେ ରାଜା ତା ଗଭୀରତା

 

ମୋଗଲର ଶାସନରେ

 

ଆକାଶ ଫୁଟନ୍ତ ଶତଦଳ ସତେ

 

ଆହେତୁକୀ ବ୍ୟଥା ଏ ଓଡ଼ିଶାରେ

।। ୪୬ ।।

ବାହୁ ବଂଧନୁ ମୁକ୍ତ ହେଲାପରେ

 

ରାମଚନ୍ଦ୍ର ଦେବ କହିଲେ ଧିରେ

 

ନାଏବ ନଜିମ ସାହେବ ଶୁଣ

 

ଆମ ମତରେ ମୋଗଲ ଶାସନ

 

ନାହିଁ ତିଳେହେଁ କି ଦ୍ୱେଷ

 

ଏହି ବଂଧୁତାକୁ ଦୃଢ଼ତର କରି-

 

-ବାକୁ ମୁଁ ହୋଇଛି ସ୍ୱଜାତି ବିଷ

।। ୪୭ ।।

ମୁଁ ଜାତି ହାରି ଏହି ଓଡ଼ିଶାରେ

 

ନିନ୍ଦିତ ଉର୍ତ୍ସିତ ଜନମୁଖରେ

 

କିଂତୁ ଏ ମୋଗଲ ଶାସନ ରହି

 

ହୃଦୟ ଜୟ କରିପାରି ନାହିଁ

 

ଏହାହିଁ ଜୀବନେ ଦୁଃଖ

 

ଆଜି ଆପଣଙ୍କ ଆଡ଼ୁ ବଂଧୁତ୍ୱର

 

କର ପ୍ରସାରଣ ସବୁଠୁ ସୁଖ      

।। ୪୮ ।।

ତଥାପି ବିଶ୍ୱାସ ହେଉନି ମୋର

 

ବିଶ୍ୱାସ ଘାତକ ଏହି ମୋଗଲ

 

କହି କଥାଏ କରନ୍ତି ଓଲଟା

 

ତେଣୁ ଭେରସୀ କରିବା ବୃଥା

 

ତଥାପି ଯଦି ସତରେ

 

କର ପ୍ରସାରିତ କର ବଂଧୁତ୍ୱର

 

ସ୍ୱାଗତ କରିବି ମୁଁ ହୃଦୟରେ

।। ୪୯ ।।

ତୁମ୍ଭ କଥାକୁ ମୁଁ ବିଶ୍ୱାସ କରି

 

ସର୍ବାନ୍ତ କରଣେ ସ୍ୱାଗତ କରି

 

ଓଡ଼ିଶା ପକ୍ଷରୁ ତୁମ୍ଭ ସମ୍ମୁଖେ

 

କୁଲିଖାଁ ସାହେବ ଶୁଣନ୍ତୁ ସୁଖେ

 

କିଂତୁ ମୋର ସେହି ଅନନ୍ୟ

 

ସର୍ତ୍ତ ପ୍ରିତି ପୁଣି ଥରେ ଆପଣଙ୍କୁ

 

କରାଇ ଦେଉଛି ହେ ସଚେତନ

।। ୫୦ ।।

ଓଡ଼ିଶାର ରାଷ୍ଟ୍ର ଦେବତା ପୂତ

 

ହେଉଛନ୍ତି ଆମ ଶ୍ରୀଜଗନ୍ନାଥ

 

ତାଂକ ଶ୍ରୀମଂଦିର ଉପରେ ଆଉ

 

କେବେହେଲେ ଆକ୍ରମଣ ନ ହେଉ

 

ଏ ଶପଥ କର ତୁମ୍ଭେ

 

ତେବେ ଯାଇ ତୁମ୍ଭ କଥାରେ ବିଶ୍ୱାସ

 

କରିବୁହେ ବଂଧୁ ସତରେ ଆମ୍ଭେ

।। ୫୧ ।।

ଏହା ଛଡ଼ା ମୁସ-ଲିମ ଧର୍ମରେ

 

ଯାତ୍ରୀକର ନାହିଁ ଜାଣିଛ ଭଲେ

 

ତେବେ କାହିଁ ପାଇଁ କର ଓଲଟା

 

ଏଠି ଯାତ୍ରୀକର ପାଇଛ ଶସ୍ତା

 

ଯାତ୍ରୀ କରାଦୟ ବଂଦକୁ

 

କର ସୁପାରିଶ ମିଶି ସୁଲତାନେ

 

ଯଦି ଇଛା ଆମ୍ଭ ଏ ବଂଧୁତ୍ୱକୁ 

।। ୫୨ ।।

ଭଗବତ ପ୍ରାଣ ଜନତାଠାରୁ

 

ଧର୍ମ ନାମରେ ଯାତ୍ରୀ ହାସିଲରୁ

 

ଆଦାୟ ଏ ପାଶବିକ ବିଚାର

 

କୁଲିଖାଁ ସାହେବ ଖୋଜ ଅନ୍ତର

 

ଏହା ମଧ୍ୟ ହିଂଦୁ ଧର୍ମର

 

ନିଷ୍ଠା ଧର୍ମପ୍ରାଣ ପ୍ରତି ଅପମାନ

 

ଦାରୁଣ ଜାଣିଥା ରଖି ମନର

।। ୫୩ ।।

ମୁର୍ଶିଦ କୁଲିଖାଁ ସ୍ମିତ ହସିଣ

 

ଗଜପତି ସହ କର ମର୍ଦ୍ଦନ

 

କରି କହିଲେ ହେ ରହିମ ରାମ

 

ଅଟନ୍ତି ସତ୍ୟରେ ଏକ ଅଭିନ୍ନ

 

ଆହେ ପୂଜ୍ୟ ଗଜପତି

 

ଶ୍ରୀ ଜଗନ୍ନାଥ ହିଁ ମୋଗଲ ଶାସନ

 

ଦରବାର ଆମ୍ଭ ମୋର ସମ୍ମତି

।। ୫୪ ।।

ଆଜିଠାରୁ ମୋଗଲ ଶାସନରେ

 

ଜଗନ୍ନାଥ ଶ୍ରୀମଂଦିର ଉପରେ

 

ଆକ୍ରମଣ ହେବ  ନାହିଁ ଶପଥ

 

ସାକ୍ଷି ଅଛନ୍ତି ଆଲ୍ଲା ଜଗନ୍ନାଥ

 

ପ୍ରଜା ଦୟନୀୟାବସ୍ଥା

 

ବିଷୟେ ଅବଶ୍ୟ କହିବି ନବାବେ

 

ଏହା ମୋର କଥା ଶପଥ ଯଥା

।। ୫୫ ।।

ଆପଣ ଆମର ହିଁ ଚିରବଂଧୁ

 

ସଂପର୍କ ଅତୁଟ ରହିବ ବଂଧୁ

 

ଏ ବଜ୍ର ଶପଥ ଏହିସ୍ଥାନରେ

 

କରୁଛି କଥାରେ ହେ ବିରାଦରେ

 

ଭିତର ଗଡ଼ର ଅତିଥି

 

ଗୃହେ ସଂବର୍ଦ୍ଧନା କଲେ ଆୟୋଜନ

 

କୁଲିଖାଁଙ୍କ ପାଇଁ ସେ ଗଜପତି

।। ୫୬ ।।

ମୀର ହବିବ ସେ ଆଲୋଚନାରେ

 

କ୍ଳାନ୍ତ ପଥୁକୀ ପରି ବସିଥିଲେ

 

ମୁଖରେ ସରସ -ତାହିଁ ନଥିଲା

 

ତୃପ୍ତି ପ୍ରସନ୍ନତା ମଧ୍ୟ ନଥିଲା

 

ଏହି ଆପୋଷ ମିଳନ

 

ମୀର ହବିବଙ୍କ ମାନସ ପଟରେ

 

କରିଥଲା ବିଦ୍ରୋହର ନିର୍ମାଣ ।

।। ୫୭ ।।

ହିଂଦୁ ମୁସଲ-ମାନ ସଂସ୍କୃତିର

 

ଆତ୍ମୀୟ ବଂଧନ ହବିବଙ୍କର

 

ଧରମ ବିରୋଧି ଏହି ମିଳନ

 

ଅନିଶ୍ଚିତ ଅବାଂଛିତ ଅପୂଣ୍ୟ

 

ଏବଂ ଅପାଂକ୍ତେୟ ମଧ୍ୟ

 

ମନେ ଭାବୁଥିଲେ ହବିବ ଏକଥା

 

କୁଲିଖାଁ ଶପଥ ହେବ ଅସାଧ୍ୟ

।। ୫୮ ।।

କିଂତୁ ସ୍ୱମନୋ -ଭାବକୁ ସଂଗୁପ୍ତ

 

ରଖି ମୀର ଉଠିଗଲେ ହଠାତ୍‌

 

ଆସନ ଛାଡ଼ି ବାହାରକୁ ଗଲେ

 

ତାଂକ ପଛେ ପଛେ ଗୁରୁ ଉଠିଲେ

 

କହିଲେ କେବଳ ଖାସ

 

ଆତିଥେୟତାର ବ୍ୟବସ୍ଥା ମୀରଙ୍କ

 

କରିବି କ୍ଳାନ୍ତିରେ ସେ ଅନୁପ୍ରାସ

।। ୫୯ ।।

ଏକ ଅନ୍ତରଂଗ ହସ ହସିଲେ

 

ମୁର୍ଶିଦ କୁଲିଖାଁ ଶୁଣି କହିଲେ

 

ରାଜଗୁରୁ ଆପଣଙ୍କ ପାଣ୍ଡିତ୍ୟ

 

ଜାତୀୟତା ବୋଧ ପ୍ରଭୁଙ୍କ ତତ୍ୱ

 

ଓଡ଼ିଶାର ଗଉରବ

 

ତେଣୁ ହେ ସଲାମ କରେ ଆପଣଙ୍କୁ

 

ମନେ ମନେ ସବୁବେଳେ ଏ ଭାବ

।। ୬୦ ।।

ଲାଲବାଗ କଟକେ ଅବସ୍ଥାନ

 

ଆପଣଙ୍କ ଭାବ, ପାଣ୍ଡିତ୍ୟପୂର୍ଣ୍ଣ

 

ଆଲୋଚନା ଜ୍ଞାନର ଗଭୀରତା

 

ଚିରସ୍ମରଣୀୟ ସବୁଙ୍କ ମଥା

 

ତେଣୁ ଆପଣଙ୍କୁ ଆମର

 

କୋଟି କୋଟି ଲାଖ ଲାଖ ସୁକିରିଆ

 

ତେଣୁ ହେ ପ୍ରଣତି ସଦା ଆମର

।। ୬୧ ।।

ବିସ୍ମୟରେ ଭ୍ରୃକୁଂ-ଚନ କରିଣ

 

ଗୃହରୁ ନିଷ୍କ୍ରାନ୍ତ ହେଲେ ରାଜନ

 

ପରମ ଲକ୍ଷ୍ମୀଙ୍କୁ ସେ ଥିଲେ ଚାହିଁ

 

ଜ୍ଞାନ ରାଜନୀତି ସଂସ୍କୃତି ଏହି

 

ତେଣୁ ମାନବଟି କେବଳ

 

ଓଡ଼ିଶାର ରାଜଗୁରୁ ନୁହନ୍ତି ସେ

 

ବିଶ୍ୱଗୁରୁ ପଦ ପ୍ରଜୁଜ୍ୟ ଭଲ

।। ୬୨ ।।

ମଣିଷ ଜାତିର ଅଟନ୍ତି ଗୁରୁ

 

କଲ୍ୟାଣରେ ତାଂକ ମହିମା ଗୁରୁ

 

ଭାବୁଥିଲେ ରାଜା ଅନ୍ତରେ ସେଠି

 

ବିପର୍ଯ୍ୟୟ ବେଳେ ଏହି ଲୋକଟି

 

କରିଛି କେତେ ସାହାଯ୍ୟ

 

ପ୍ରଭୁ ଜଗନ୍ନାଥ ପୁରୁମନୋ ରଥ

 

ଦିଅନ୍ତୁ ଓଡ଼ିଶା ଲୋକେ ଧଇର୍ଯ୍ୟ

।। ୬୩ ।।

ନିଶି ପ୍ରଦୀପର ଚତୁର୍ଦ୍ଦିଗରେ

 

କେତେଟା ପତଙ୍ଗ ସ୍ୱପ୍ରମତ୍ତରେ

 

ପୀଆସି ପରି ଉଡ଼ୁଥିଲେ ବୁଲି

 

କାମନା ଆବେଗ ମନ୍ତ୍ରକୁ ପଢ଼ି

 

ଭାବୁଥିଲେ ଜୀବନର

 

ଅର୍ଥକି କି ବିଚିତ୍ର ବଇଚିତ୍ର୍ରମୟ

 

ଇତି ଇତିବୃତ୍ତି କି ସଂଘର୍ଷର

।। ୬୪ ।।

 

Unknown

୧୬ଶ ସର୍ଗ

(ଅମିତ୍ରାକ୍ଷର)

 

ରଥିପୁର ଗଡ଼େ ପ୍ରଭାତର ରକ୍ତିମାଭା

ସ୍ୱାଗତିକାର ଲୋହିତ ରୋଷଣି ରଚନା

କରିଥିଲା, ପ୍ରାତଃଧର୍ମ ସମାପନ ପରେ

ରାମଚନ୍ଦ୍ର ଦେବ ଏକ ନିଭୃତ କକ୍ଷରେ

ବସି ସମ୍ମୁଖସ୍ଥ ମେଢ଼ୋପରେ ସୁସଜ୍ଜିତ

ଶ୍ରୀ ଜଗନ୍ନାଥଙ୍କ ପଟ ଚିତ୍ରକୁ ଏକାଗ୍ର

ଭାବରେ ଅବଲୋକନ କରୁଥିଲେ ସେଠି ।

ମେଘୀଳାକାଶ ଆସ୍ତୀର୍ଣ୍ଣ କୃଷ୍ଣ ଉପତ୍ୟକା

ମଧ୍ୟୁ ବେଳେ ବେଳେ ଝଲକାଏ ସୁକୋମଳ

ରଶ୍ମି ମୁକତ ଗବାକ୍ଷ ଧାରରେ ଗୃହକୁ

ପଶି ଆସୁଥିଲା, ସତେ ନୈରାଶ୍ୟର ଧ୍ୱାନ୍ତ

ଗହ୍ୱର ମଧ୍ୟେ ଆଶାର କ୍ଷୀଣାଲୋକ ପରି ।

ରାମଚନ୍ଦ୍ରଦେବ ଏକ ଲୟରେ ମଣିମା

ପଟ୍ଟଚିତ୍ରେ ଚାହିଁ ମନେ ମନେ ସ୍ୱଗତୋକ୍ତି

“କରୁଥିଲେ କେଉଁ ଏକ ଉନ୍ମେଷ ସକାଳେ

ତୁମେ ସର୍ଜନାର ମହାମନ୍ତ୍ର ଗାନ କରି

ପ୍ରଳୟପୟୋଧି ଜଳେ ସୁଖ - ଜଳକ୍ରୀଡ଼ା

କରୁଥିଲ, ତାହା ଗବେଷଣା ବସ୍ତୁ ନୁହେ

ଅନୁଭବ ମହାସତ୍ୟ ସିନା ତାହା ପ୍ରଭୁ ।

ସେହି ଜଳକ୍ରୀଡ଼ାନ୍ତିମ ପର୍ବର ଘୋଷଣା

କରି ନୀଳାଦ୍ରିର ପୁଣ୍ୟ ଭୂବେଦୀରେ ସତ୍ୟ

ଜୀବନର ଉଦ୍‌ଘୋଷଣ କରି ତୁମେ ଯେଉଁ

ସର୍ବରୂପ ବିଗ୍ରହକୁ କଲ ହେ ସ୍ୱୀକାର

ତାହାହିଁ ସୃଷ୍ଟି ସ୍ୱରୂପ, ଧର୍ମ ଧାରଣାର

ମୂଳ ଉତ୍ସ, ଆଉ ସନାତନ ପରମାର୍ଥ

ସତ୍ୟର ବ୍ୟଂଜନା, ସେହି ସତ୍ୟ ରୂପୀ ଦାରୁ

ସନାତନ ଦେବତାହେ ପ୍ରଭୁ ଜଗନ୍ନାଥ ।

ତୁମପାଇଁ କଳିଂଗର ରାଜତ୍ୱ ପରଠୁ

ଉତ୍କଳ ଗଜପତି ପରଂପରା ପର୍ଯ୍ୟନ୍ତ

ଓଡ଼ିଶାର ଇତିହାସ ବିଷାଦର ଭିତ୍ତି

ବୀତରାଗରେ ଯେତିକି ରଂଜିତ, ତୁମର

ଗୌରବ ମହିମାରେ ସେତିକି ଉଦ୍ଭାସିତ ।

ସେ ଇତିହାସର ମହାନାୟକ ହେ ତୁମେ

ପୁରୁଷୋତ୍ତମ ନୀଳାଦ୍ରି-ବିହାରୀ ମଣିମା

ଏ ଜାତି ଇତିହାସକୁ ଯୁଗେ ଯୁଗେ ତୁମେ

ତୁମ ମହିମାରେ ସମୁଜ୍ଜଳ ସୁସମୃଦ୍ଧି

ସଂସ୍କୃତକର ଏତିକି ମାତର ପ୍ରାର୍ଥନା ।

ରାମଚନ୍ଦ୍ର ରାଉତର ଅନ୍ତରରେ ତୁମେ

ଜାତୀୟତା ସଂପ୍ରୀତିର ଦୀପ ପ୍ରଜ୍ୱଳିତ

କରି ସେହି ଜ୍ୟୋତିରେ ହିଁ ସ୍ୱୟଂ ନୀରାଜିତ

ହୁଅ ପ୍ରଭୁ ଏହି ମାତ୍ର ମାଗୁଣି ଦୀନର ।”

ରାମଚନ୍ଦ୍ର ଦେବଙ୍କର ଚକ୍ଷୁ ଯୁଗଳରୁ

ଭାବାବେଗ ଅଶ୍ରୁଧାର ଝରି ପଡ଼ୁଥିଲା,

ପ୍ରେମ ପୁଷ୍ପାଂଜଳି ହୋଇ ଶ୍ରୀଜଗନ୍ନାଥଙ୍କ

ପଟ୍ଟ ଚିତ୍ର ଜଳେ ସ୍ୱଚ୍ଛ ଝରଣା ଫିଟାଇ ।

ସେ ପୂଜାଅର୍ଘ୍ୟରେ ଭରି ରହିଥିଲା ତାଂକ

ହୃଦୟରେ ପୂତ ଆଉ ପବିତ୍ର ନୈବେଦ୍ୟ ।

ସମର୍ପଣର ଗଭୀର ଭକ୍ତି ନିବେଦନ

ଓଡ଼ିଶା ଇତିହାସରେ ଏଭେଦିଆମାନେ

ଯାହାଙ୍କର ଚିତ୍ତ ପରିବର୍ତ୍ତନ ହେଲାନି

ପରାଧୀନ ତାର ବିଷବୃକ୍ଷ ଏହି ମାନେ ।

ରାମଚନ୍ଦ୍ର ଦେବ ସଂତର୍ପଣେ ଲୁହପୋଛି

ଚାହିଁଲେ ରାଜଗୁରୁଙ୍କୁ ଏକାନ୍ତ ବିଶ୍ରାମେ

ପ୍ରକୃତସ୍ଥ ଗଜପତି କହିଲେ ହେ ଗୁରୁ

“ତାହାହେଲେ ନରସିଂହପୁର ଶାସନର

ସେହି ବିଦ୍ରୋହୀ ପଣ୍ଡିତମାନେ ତେବେ ଶେଷ

ମୁହୂର୍ତ୍ତରେ ରାଜଗାଦିରେ ପରିବର୍ତ୍ତନ

ଇଛନ୍ତି, ଇଚ୍ଛାନୁଯାୟୀ ତାଂକର ସମସ୍ତ

ପ୍ରକାର ବିଧାନ ପ୍ରାୟଶ୍ଚିତ ପରେ ମଧ୍ୟ

ସେମାନେ ଆଉ କାହିଁକି ହିଂସ୍ର ସାଜିଛନ୍ତି

ଆରେ ରାଜଗୁରୁ ମହୋଦୟ କୁହ ଖୋଲି ।”

ଏକ ଦୀର୍ଘଶ୍ୱାସ ଛାଡ଼ି ଭାଷି ରାଜଗୁରୁ

କହିଲେ ସେ “ଦାନ ଚୋପ ପତ୍ର ପାଇଁପରା

ସ୍ୱଜାତୀୟ ପଣ୍ଡିତମାନଙ୍କର ମଧ୍ୟରେ

ବିଦ୍ରୋହର ଦାବାନଳ ଜାଗି ଉଠେ ଆଜି ।

ମହାରାଜା ରାମଚନ୍ଦ୍ର ଦେବ ଖାସ ଭାବେ

ରାଜଗୁରୁ ସେ ପରମଲକ୍ଷ୍ମୀଙ୍କୁ କାହିଁକି

ଏତେ ପରିମାଣର କି ଦେଲେ ଦାନପତ୍ର

ସେହି ଅସୂୟାରେ ଚାହାନ୍ତି ପଣ୍ଡିତମାନେ

ଗଜପତି ରାମଚନ୍ଦ୍ର ଦେବଙ୍କ ପତନ ।”

ପ୍ରଜାଭ୍ରଷ୍ଟ ଧର୍ମଚ୍ୟୁତ ଗଜପତି ରାଜା

ଓଡ଼ିଶା କଳଂକ ପ୍ରଜାବିରୋଧୀ ଶାସକ

ବରଂ ତାଂକ ସ୍ଥାନେ କେହିବା ସାମନ୍ତରାଜା

ଗଜପତି ଆସନ ଅଳଂକୃତ କରନ୍ତୁ

ଗାଦିଚ୍ୟୁତ କରାଯାଉ ସେ ରାମଚନ୍ଦ୍ରଙ୍କୁ ।”

“ସେମାନଂକଠାରୁ କ’ଣ ନିର୍ଦ୍ଧିଷ୍ଠ ଭାବରେ

ଶୁଣିଛନ୍ତି ରାଜଗୁରୁ ଏହି ଅଭିଯୋଗ ।”

“ମୋର ଏ ଅନୁପସ୍ଥିତି ଥିଲାଟି କେବଳ

ସାମନ୍ତ ରାଜମାନଙ୍କୁ ଏକତ୍ର କରିଣ

ଏକ ସାଂଗଠନିକ ସାର୍ବଭୋ÷ମତ୍ୱ ପାଇଁ

ବିପ୍ଳବ କରିବା ମାତ୍ର ଏ ଅବକାଶରେ

ଦକ୍ଷିଣେ ଟିକିଲି ଆଠଗଡ଼ ବାଣପୁର

ଖେମୁଣ୍ଡି ସୁରଂଗି ଆଦି ସାମନ୍ତ ରାଜାଂକୁ

ପରିଭ୍ରମଣ କରିବା ଅବକାଶରେ ହିଁ

କେତେକ ସ୍ଥାନରେ ଏହି ବିଦ୍ରୋହୀମାନଂକ

ଏ ପରିକି ଯାତ୍ରୀ ଚୟନ କାରୀ ଗୁମାସ୍ତା

ମାନଂକ ମାଧ୍ୟମେ ବିଭିନ୍ନ ରାଜ୍ୟରେ ଏହି

ବିଦ୍ରୋହର ବାର୍ତ୍ତା ହୋଇଥିଲା ପ୍ରଚାରିତ

ସେଠାରୁ ମୁଁ ନୟାଗଡ଼ ରାଜାଙ୍କୁ ଭେଟିବା

ଅବକାଶରେ ମୋଗଲ ଶାସକ ନାଏବ

ନଜୀମଙ୍କୁ ଖୋରଧାର ଅଧିକାର ପାଇଁ

ଆତ୍ମଦ୍ରୋହୀ ଭେଦିଆମାଂକର ଦ୍ୱାରା ହିଁ

ଆକ୍ରମଣ କରାଯିବା ସଂବାଦ ପାଇଣ

ସିଧାସଳଖ କଟକ ଲାଲବାଗ ଯାତ୍ରା

କରିଥିଲି ଆହେ ଛାମୁଁ ଶୁଣିବା ହୁଅନ୍ତୁ ।

ଖୋର୍ଦ୍ଧା ଅବରୋଧ ପରେ ମୋର ଲାଲବାଗ

କଟକେ ଉପସ୍ଥାନ ମୁର୍ଶିଦ କୁଲିଖାଁଙ୍କୁ

ବିସ୍ମିତ କରିଥିଲେ ବି ପରାଂମୁଖ କରି

ନଥିଲା କେବେହେଁ ମୋତେ ରାଜନ ଅତିଥି

କରିଣ କୁଲିଖାଁ ଶୁଣିଥିଲେ ଇତିହାସ

ଖୋରଧାର, ଶୁଣିଥିଲେ ମଧ୍ୟ ଗଜପତି

ରିଜିୟାଙ୍କ ସେ ବିଧୂରପ୍ରଣୟ କାହାଣୀ ।

ପ୍ରେମାର୍ଦ୍ରେକ ହୃଦୟର ଉଚ୍ଛଳ ଆବେଗ

ଅନୁଭବ କରିଥିଲେ ମୁର୍ଶିଦ କୁଲିଖାଁ ।

ରେଜିୟାଙ୍କ ଆତ୍ମ ସମର୍ପଣ ମହିମାରେ

ଆତ୍ମଭିଭୂତ ହୋଇଣ ସେଦିନ ମୋଗଲ

ଶାସନର ସବୁ ଗୋପନୀୟ ସଂବାଦ ମୋ

ନିକଟେ ଉନ୍ମୁକ୍ତ କରି ଦେଉଥିଲେ ସେହି ।

କହିଥିଲେ ରାଜା ରାମଚନ୍ଦ୍ର ଦେବ ଯଦି

ହିଂଦୁ ନ ହୋଇ ମୁସଲମାନ ବହଶୋଦ୍ଭବ

ହୋଇଥାନ୍ତେ ତେବେ ଇସ୍‌ଲାମ ଧର୍ମ ଏକ

ସ୍ୱତନ୍ତ୍ର ଇତିହାସକୁ ଲେଖନ୍ତା ମାତର ।

ଏଇ ଜାତୀୟତା ବାଦୀ ଜଗନ୍ନାଥ ଉକ୍ତ

ପ୍ରଭୁପ୍ରାଣ ନିବେଦନ ରାଜାଙ୍କ ସକାଶେ ।

ତେବେ ସ୍ୱଦେଶୀ କେତେକ ଷଡ଼ ଯନ୍ତ୍ରକାରୀ

ଚଂଚକତା ପୂର୍ଣ୍ଣ ଆମନ୍ତ୍ରଣର ଫଳରେ

ଖୋର୍ଦ୍ଧା ବରୁଣେଇ କଟକକୁ ଯେଉଁ ପରି

ଅବରୋଧାଟକ କରାଯାଇଥିଲା ଦୃଢ଼େ

ବରଦୀ ପ୍ରାଣ କୁଲିଖାଁ ସ୍ୱୟଂ ଆସି ଏହା

ପ୍ରତ୍ୟାହାର କରି ନେବାର ଘୋଷଣାକୁ ହିଁ

ସେ ଦିନ ଦରବାରରେ କଲେ ପରକାଶ ।

ଖୁରୁଧା ଗଜପତି ରହିବେ ସଲାମତ

ମୋଗଲ ଶାସନ ପକ୍ଷୁ ତାଂକର କୋ÷ଣସି

ବିରୋଧକୁ କରାଯିବ ନାହିଁ କେବେହେଲେ,

ଏହି ଘୋଷଣାକୁ କାର୍ଯ୍ୟକାରୀ କରିବାକୁ

ସ୍ୱୟଂ ସେ କୁଲିଖାଁ ମୋ ସହିତ ଆସିଥିଲେ

ସ୍ୱର୍ଣ୍ଣାକ୍ଷରେ ଲେଖିବାକୁ ବଂଧୁତାର ଏହି

ଇତିହାସ ବରୁଣେଇ କଟକରେ ରହି ।”

ରାମଚନ୍ଦ୍ର ଦେବଙ୍କ ଆଖିରେ କୃତଜ୍ଞତା

ପ୍ରୀତିର ଲୋତକ ହେଉଥିଲା ଛଳଛଳ

ଅଧିର ଆବେଗରେ ସେ ଉଠି ଯାଇ ଧିରେ

ହାତ ଧରି ପକାଇଣ ପରମଲକ୍ଷ୍ମୀଙ୍କୁ

କହିଲେ ହେ ରାଜଗୁରୁ - ମହୋଦୟ ଶୁଣ

“ଆପଣଙ୍କ କର୍ତ୍ତବ୍ୟ ନିଷ୍ଠାର ପଟାନ୍ତର

ନାହିଁ - ଓଡ଼ିଶାର ଗଜପତି ମୁହିଁ ସତ୍ୟ

କିଂତୁ ଓଡ଼ିଶା ଶାସନ କର୍ତ୍ତାହିଁ ଆପଣ

ଏହି ରାଜ୍ୟର ସଂହତି ଐତିହ୍ୟ ସୁରକ୍ଷା

ପାଇଁ ଆପଣଂକ ନିଷ୍ଠା ହାର୍ଦ୍ଦିକ ନିଷ୍ଫଳ

ହେବ ନାହିଁ କେବେ ହେଲେ ଏହା ଧ୍ରୁବସତ୍ୟ

ଓଡ଼ିଶାର କୃତୀ ପୁତ୍ର ଓଡ଼ିଶା ଗୋ÷ରବ

ଆପଣ ମାତ୍ର ଅଟନ୍ତି - ଏହା ନିଃସଂଦେହ ।”

ଗଜପତିଙ୍କ ହାତକୁ ଚାପି ଧରି ଥରେ

ହଲାଇ ଦେଇ ପରମ ଲକ୍ଷ୍ମୀ ଥିଲେ କହି -

“ବର୍ତ୍ତମାନ ଭାବପ୍ରବଣତାର ସମୟ

ନୁହେ ମହାରାଜ ମୋଗଲ ଶାସନ ଆଡ଼ୁ

ଅବଶ୍ୟ ଭୟର କୋ÷ଣସି କାରଣ ନାହିଁ

କିଂତୁ ବିପଦର ଘନକଳା ଛାଇ ମାଡ଼ି

ଆସୁଛି କେବଳ ଆମ ରାଜ୍ୟର ଭେଦିଆ

ମାନଂକ ଆଡ଼ୁ, ସତର୍କ ରହିବା ଉଚିତ,

ମୁର୍ଶିଦକୁଲିଖାଁ ଆପଣଙ୍କ ପ୍ରିୟ ବଂଧୁ

ପରିଣତ ହୋଇଥିବା ବେଳେ ତାଂକ ମନ୍ତ୍ରୀ

ମୀର ହବିବ ଓଲଟାସେ କୂଟ ନୀତିର

ପଶାପାଲିରେ ଓସ୍ତାଦି କରୁଛନ୍ତି ମନେ

ତାଂକୁ କରି କରାୟତ ଏ ଭେଦିଆମାନେ

ଆପଣଙ୍କୁ ଗାଦିଚ୍ୟୁତ କରିବାକୁ ଇଚ୍ଛା

କରୁଥିଲା ବେଳେ, କୁଲିଖାଁ ଅନୁପସ୍ଥିତି

ସୁଯୋଗ ନେଇଣ ମୀର ହବିବ କୋ÷ଣସି

ଜଣେ ସାମନ୍ତରାଜାଙ୍କୁ ବିଦ୍ରୋହୀ କରାଇ

ଖୁର୍ଦ୍ଧା ଅଧିକାର କରି ହାସିଲ ଆଦାୟ

ଉପାୟକୁ ବ୍ୟବସ୍ଥିତ କରିବାକୁ ବ୍ୟଗ୍ର” ।

ବିସ୍ମିତ କଂଠରେ ଗଜପତି ଥିଲେ କହି -

“ତାହାହେଲେ କେଉଁ ସାମନ୍ତ ରାଜାଙ୍କୁ ଦେଇ

ବିଦ୍ରୋହର ପଶାକାଠି ସଜାଇ ଭେଦିଆ

ମାନଂକର ସହାୟତାରେ ମୀର ହବିବ

କୂଟନୀତି ଦ୍ୟୁତକ୍ରୀଡ଼ା ଖେଳିବାକୁ ମନ

ବଳାଇ ଅଛନ୍ତି ରାଜଗୁରୁ ମହୋଦୟ”?

“ଚିନ୍ତାକରି ରାଜଗୁରୁ ମୁହୂର୍ତ୍ତେ କହିଲେ

ପଟିଆ ସାମନ୍ତ ରାଜା ପନ୍ମନାଭ ଦେବ

ଏଥି ମଧ୍ୟରେ ରାଜ୍ୟର ବିଦ୍ରୋହୀ ଭେଦିଆ

ମାନଂକ ସହିତ କେତେବାର ସାକ୍ଷାତକୁ

କରିଛନ୍ତି, ଏସଂବାଦ ମିଳିଛି ମଣିମା” ।

ପଦ୍ମନାଭ ଦେବ ଉପଢ଼ୋ÷କନ ସହିତ

ମୀର ହବିବଙ୍କୁ କରି ସାକ୍ଷାତ ପ୍ରସ୍ତୁତି

ପର୍ବ ପ୍ରାରମ୍ଭ କରିଣ ସାରିଛନ୍ତି ଶୁଣା ।

ସେଥି ନିମନ୍ତେ ଅତ୍ୟନ୍ତ ସତର୍କତା ସହ

ଆପଣ ବରୁଣେଇରେ ଅବସ୍ଥାନ ସହ

ପାଇକ ମାନଂକୁ ମଧ୍ୟ ରଖିବେ ସଜାଗ ।

ବର୍ତ୍ତମାନ ଏଇ ଘଡ଼ିସଂଧି ମୁହୂର୍ତ୍ତରେ

ଅତିଜରୂରୀ ଅବଲମ୍ବନ ସତର୍କତା

ଯେପରି ପାଇକମାନେ ମେଳି ନ ବାଂଧନ୍ତି

ସେଥି ନିମନ୍ତେ ବ୍ୟବସ୍ଥା କରିବାକୁ ହେବ ।

ଦେୱାନ ଗଦାଧରଙ୍କୁ କହିଅଛି ଖୋଲି

ରଥିପୁର ସେ ଜଗିବେ ପାଇକଙ୍କ ସହ ।”

“ତାହାହେଲେ ବରୁଣେଇ କଟକରେ କ’ଣ

ସୁରକ୍ଷାର କି ବ୍ୟବସ୍ଥା କରାଯାଇପାରେ ।।

“ବରୁଣେଇ କଟକରେ ଚାରିଶ ପାଇକ

ଧରି ଲୋଧୁମିଆଁ ସେନା ନିୟନ୍ତ୍ରଣ ଯୁକ୍ତ

ହୋଇବେ, ସର୍ଦ୍ଦାର ବିଷ୍ଣୁ ଦକ୍ଷିଣ କବାଟ

ଲୋଧୁମିଆଁ ଇଂଗିତରେ ସୈନ୍ୟମାନଙ୍କର

ପରିଚାଳନା କରିବେ ଦୃଢ଼େ ଧରି ଅସି,

ଆପଣ ସ୍ୱୟଂ ଜାଗ୍ରତ ଭାବରେ ସେନାନୀ

କାର୍ଯ୍ୟକଳାପ ଉପରେ ରଖିଥିବେ ଦୃଷ୍ଟି ।

କୋ÷ଣସି ଅସମୟରେ ଅନ୍ୟ ଗଡ଼ପତି

ସହାୟତା କରିବା ନିମନ୍ତେ ପ୍ରସ୍ତୁତ ବି

ଅପ୍ରତ୍ୟାଶିତ ମେଳିର ବା ଅବରୋଧର

ଆଶୁ ମୁକାବିଲା ପାଇଁ ଉପାୟ ନିର୍ଣ୍ଣୟ

କରିବାକୁ ହେବ ହେ ମଣିମା ଶୀଘ୍ର ଶୀଘ୍ର”

ରଥିପୁରଗଡ଼ ଚତୁଃପାଶ୍ୱର୍ରେ ମେଘର

ମହା ମହୋତ୍ସବ ସୃଷ୍ଟି ହୋଇଯାଇଥିଲା ।

ଦର୍ଦ୍ଦୁର କର୍କଶ ଶବ୍ଦ କେତେଟାର ସେଠି

ବରଷାର ଆବାହନ ପବନ ହିଲ୍ଲୋଳେ

ଭାସି ଆସୁଥିଲା ସୁଶୀତଳ କରି ତନୁ ।

ଗଭୀର ଦୀର୍ଘ ନିଃଶ୍ୱାସ ନିକ୍ଷେପ କରିଣ

କହିଲେ ରାଜନ - “ରାଜଗୁରୁ ମହୋଦୟ-

“ଓଡ଼ିଶାର ଗଜପତି ପ୍ରଭୁକୃପା ବିନା

କେବେ ଓଡ଼ିଶାକୁ ରକ୍ଷା କରି ପାରିବନି -

ସୁରକ୍ଷା କରିବା ପାଇଁ ପ୍ରଭୁ ଜଗନ୍ନାଥ

କେବଳ ସମର୍ଥ - ଛାର ମଣିଷ କି ପାରେ-

ଭେଦ୍ଦିଆ ତଥା ପଣ୍ଡିତ ମାନଂକ ଚିତ୍ତରେ

ନିବୃତ୍ତିର ଉସ୍ମଶଯ୍ୟା ତଳେ ପ୍ରବୃତ୍ତିର

ଭୋଗଲିପ୍ସା ଯେ ପ୍ରମତ୍ତ ହୋଇ ପଡ଼ିଅଛି -

ଏହାହିଁ ଏ ଓଡ଼ିଶାର ଭାଗ୍ୟ ବିଡ଼ମ୍ବନା ।

ତେବେ ଆଉ କାଳ ବିଳମ୍ବକୁ ବା ନକରି

ପ୍ରତିରକ୍ଷା ସୁବ୍ୟବସ୍ଥା ଦୃଢ଼ କରିବାକୁ

ଫେରିଯିବାକୁ ପଡ଼ିବ ସେ ବରୁଣେଇକୁ ।

ବର୍ଷାର ବେଗ ପୂର୍ବରୁ ସେଠି ପହଂଚିଣ

ଖୁରୁଧା ଭିତରଗଡ଼େ ରହିବାକୁ ହେବ ।”

ପରମଲକ୍ଷ୍ମୀ ଦେୱାନ ଗଦାଧରେ ଡ଼ାକି

ଆଦେଶ ଦେଲେ ଶୁଣ ହେ ଗଦାଧର ବାବୁ

“ବଡ଼ ଗମ୍ଭୀର ସମୟ ଅଟେ ବର୍ତ୍ତମାନ

ଯେ କୋ÷ଣସି ସମୟରେ କଉଣସି ଆଡ଼ୁ

ଏଡ଼ାଇ ଦିଆଯାଇ ନପାରେ ଆଶକାଂକୁ

ଆକ୍ରମଣର ଏଣୁ ହେ ପାଇକମାନଙ୍କୁ

ସଶସ୍ତ୍ର ହୋଇ ତୁମେ ସେ ରଥିପୁର ଗଡ଼େ

ସୁରକ୍ଷାରେ ରୁହ ଜାଗ୍ରତ ପରାଣପଣେ ।

କଉଣସି ସମୟରେ ଖୋରଧା ଗଡ଼ରୁ

ସଂବାଦ ପାଇଲେ ଗଡ଼େ ହୋଇବ ହାଜର

ସସୈନ୍ୟେ ଯାଇ, ସମୟ ଅତ୍ୟନ୍ତ ଗମ୍ଭୀର

ଏ ଆକ୍ରମଣ ଦେଶୀୟ ଗଡ଼ପତି ଆଡ଼ୁ

ହୋଇପାରେ ମୋଗଲଙ୍କ ଆଡ଼ୁ ଏବେ ନୁହେ ।”

“ତାହା ପୁଣି ସେ ପଟିଆ ରାଜା ପଦ୍ମନାଭ

ଦେବଦ୍ୱାରା ହେବ ରାଜଗୁରୁ ମହୋଦୟ,

ଦୂତଠାରୁ ଏ ସଂବାଦ ମିଳିଅଛି ଏବେ ।

ପଟିଆ ଗଡ଼ପଡ଼ିକୁ ପ୍ରରୋଚିତ କରି

ମୀର ହବିବ ଯୁଦ୍ଧର ଏ ଅତରକିତ

ଯୁଦ୍ଧର ବ୍ୟବସ୍ଥା କରିଛନ୍ତି, ତାହା ପୁଣି

ଯଥା ଶୀଘ୍ର ଏବଂ ଯେ କୌଣସି ସମୟରେ ।”

“ଶାଣିତ କଂଠରେ ପଚାରିଲେ ଗଜପତି

ଏହା କ’ଣ ସେ ମୁର୍ଶିଦ କୁଲିଖାଁଙ୍କ ଜ୍ଞାତ -

-ସାରରେ ହେଉଛି ଗଦାଧର? କୁହ ଖୋଲି ।

ସ୍ୱୟଂ ନାଏବ ନଜିମ ବଂଧୁତାର କର

ପ୍ରସାରଣ କରିଥିଲେ, ଆଉ ତୁମର ଏ

ଗୁପ୍ତଚର ବାର୍ତ୍ତା କେତେଦୂର ସତ୍ୟ କହ ।”

ଶ୍ରୀ କ୍ଷେତ୍ରରୁ ମୁଁ ସଂବାଦ ପାଇଅଛି ସତ

ଭିତର-ଗଡ଼ାବରୋଧ ସମୟରେ ଛଦ୍ମ

ରୂପରେ ଶ୍ରୀକ୍ଷେତ୍ର ପୁରୀଯାଇ ଯେତେବେଳେ

ସେବକ ପଣ୍ଡାମାନଂକ ସହ ମୋଗଲଙ୍କ

ଆକ୍ରମଣ ଆଶଙ୍କାରେ ଜଗତ ନାଥଙ୍କ

ଚକଡ଼ା ଛଡ଼ା ବିଷୟ ହେଲା ଆଲୋଚନା

ସେତେବେଳେ ପଟିଆର ରାଜା ପଦ୍ମନାଭ-

ଦେବପୁରୀ ଆସିଥିଲେ ଦରଶନ ପାଇଁ ।

ମୁକ୍ତିମଣ୍ଡପେ ପଣ୍ଡିତମାନଙ୍କ ମଧ୍ୟରେ

ଏହି ଗୁଂଜରଣ ସ୍ଥାନ ପାଇଥିଲା ଯେବେ

ବାସ୍ତବରେ ମୋଗଲ ଗୋଳର କଉଣସି

ଆଉତ ନାହିଁ ଆଶଙ୍କା, କିଂତୁ ପଦ୍ମନାଭ

ଦେବଙ୍କୁ ସେ ଗଜପତି ଆସନେ ବସାଇ

ପ୍ରତିଷ୍ଠିତ କରିବାକୁ ମୋଗଲ ରାଜସ୍ୱ

ମନ୍ତ୍ରୀ ହବିବ ଯୋଜନା କରି ସାରିଛନ୍ତି ।

ସେହି ପ୍ରସ୍ତାବ ସୁନେଲି ମୋହରେ ଶ୍ରୀଜୀଉ

ମଣିମାଙ୍କ କୃପା ଭିକ୍ଷା କରିପଦ୍ମନାଭ

ବରୁଣେଇ ଅବରୋଧ କରିବେ ନିଶ୍ଚୟ ।

ତାଙ୍କର ସୈନ୍ୟମାନଙ୍କ ସହ ମୋଗଲଙ୍କ

ଲସକର ମାନେ ମଧ୍ୟ ଗୋପନରେ ଏହି

ଆକ୍ରମଣ ଅଭିଯାନ ସଂଗଠିତ ହେବ ।

ପଶ୍ଚିମ କବାଟ ବିଷ୍ଣୁ ମହାପାତ୍ର ମୋତେ

ଗୋପନରେ ଏ ବିଷୟ ଜଣାଇ ତୁରନ୍ତ

ଆଶୁପ୍ରତିକାର ପାଇଁ ଆପଣଂକୁ କରି-

ବାକୁ ବି ନିର୍ଦ୍ଦେଶ ଦେଇଥିଲେ ମହାରାଜ ।”

ଅଧରକୁ କାମୁଡ଼ିଣ ମେଘିଳ ଆକାଶେ

ଚାହିଁଥିଲେ ରାଜଗୁରୁ ରକତ ନୟନେ ।

ଘନୀଭୂତ ମେଘ ବିଦ୍ରୋହର ଜୟଗାନ

ସହ ପ୍ରାବୁଟର ଜଳଧାରାରେ ଆକାଶ

କାନ୍ଦୁଥିଲା କଇଁ କଇଁ କାରୁଣ୍ୟର କାଂଦ ।”

ରାଜଗୁରୁ ପଚାରିଲେ ତାହା ହେଲେ ସତ୍ୟେ

ନାଏବ ନଜିମ ମୁର୍ଶିଦକୁଲିଖାଁ ଏଇ

ଲାଲବାଗ କଟକରେ ଥାଉ ଥାଉ ମଧ୍ୟ

ଏପରି ଷଡ଼ଯନ୍ତ୍ରର କିପରି ରଚନା

କରାଯାଇ ପାରୁଅଛି ଏ ବ୍ୟୁହ କିପରି

ବଂଧୁତାର ପ୍ରସାରିତ କର କି ଛଳନା?

ବଂଗ ନବାବ ସୁଜାଉଦ୍ଦୀନ ଖାଁ ଜରୂରୀ

ଡ଼ାକରା ପାଇ ମୁର୍ଶିଦ କୁଲିଖାଁ ବଂଗଳା

ରମାନା ହେବାସକାଶେ ହେଲା ଆଲୋଚିÿତ

ଏହା ଭାରି ଷଡ଼ଯନ୍ତ୍ର” - ଗଦାଧର ଭାଷା

ମୀର ହବିବଙ୍କ ସଖି କଣ୍ଢେଇ ସାଜିଣ

ପଦ୍ମନାଭଦେବ ରାଜ ଗାଦିର ମଧୁର

ସ୍ୱପ୍ନରେ ଆତ୍ମବିଭୋର’- ବିକଳ୍ପ କଳ୍ପନା ।

ସମ୍ମୁଖରେ ନିଦାରୁଣ ବିଡ଼ମ୍ବନା ଘୋର

ଆମକୁ ଏହି ମୁହୂର୍ତ୍ତେ ଯିବାକୁ ପଡ଼ିବ

ବରୁଣେଇ କଟକକୁ ଆହେ ମହାରାଜ ।

ଶତ୍ରୁ ଶିବିରର ଷଡ଼ଯନ୍ତ୍ରର ମନ୍ତ୍ରଣା

ଗୁପ୍ତ - ପ୍ରତିମୁହୂର୍ତ୍ତରେ ବାଜେ ମୋ କାନରେ

ଯେପରି ସୃଷ୍ଟି କରିଛି ଶତ ପ୍ରତିସ୍ୱନ ।

ଅଶ୍ୱ ପୃଷ୍ଠରେ ବସିଣ ରାମଚନ୍ଦ୍ର ଦେବ

ରାଜଗୁରୁ ସହ ହେଲେ ଅଦୃଶ୍ୟ ତକ୍ଷଣେ

ଖୁରୁଧାର ଅରଣ୍ୟର ଆରଣ୍ୟକ ପଥେ ।

 

୧୭ଶ ସର୍ଗ

ରାଗ – ଚୋଖି

 

ବର୍ଷା-ବିପୁଳ ସଂଭାର             ପରିବେଶକୁ ଗମ୍ଭୀର

କଲା ଭିତରଗଡ଼ର ଚତୁ ର୍ଦ୍ଦିଗରେ

ଆକାଶରେ ଘନୀଭୂତ            ମେଘମାଳା ଆଛାଦିତ

ଆସ୍ତ୍ରୀର୍ଣ୍ଣ ହୋଇ ପ୍ରଯୁକ୍ତ ତୁର୍ଯ୍ୟନାଦରେ

ଆତଙ୍କର ଲୀଳା ସଂଗରେ

ବଜ୍ର ବିଜୁଳି ମିଳିତ ହେଲା ସେଠାରେ            ।୧।

ବରୁଣେଇ କଟକର            ଅଳିନ୍ଦରେ ଆଶଙ୍କାର

ଭୀତି - ପ୍ରଚ୍ଛନ୍ନ - ପ୍ରବଳ ପ୍ରାଣମନକୁ

ଦେଇଥିଲା କରି ତ୍ରସ୍ତ            ବିବଶ ହୃଦ- ତଟସ୍ଥ

ଉପବନ ନିକଟସ୍ଥ ଗଭୀରତାକୁ

ରାତ୍ରିର ନିଃସଂଗ ଘୋଷଣା

କରି ଝିଲ୍ଳୀର ଝଂକାର କି ଏକଟଣା            ।୨।

ପବନର ହିଲ୍ଳୋଳରେ             ଅତିଷ୍ଠତା ସୃଷ୍ଟି କରେ

ଅସ୍ଥିର ମନ ମଧ୍ୟରେ ପ୍ରହରାରତ

ବେଳେ ବେଳେ ପାଇକର      ଅସ୍ତ୍ର ଶସ୍ତ୍ରର ଝଂକାର

ସାବଧାନୀ ଝନତ୍‌କାର ଶବଦାୟିତ

ମନେ ସାମୟିକ ସ୍ଥୈର୍ଯ୍ୟର

ଦିହୁଡ଼ିରୁ ଝଲକିତ କରି ପ୍ରବଳ ।।୩।

ସେ ନିଃସଂଗ ମୁହୂର୍ତ୍ତରେ             ବସି ଶୟନ କକ୍ଷରେ

ରାଜା ବିନିଦ୍ର ଆଖିରେ ଉତ୍‌କଂଠିତରେ

ଗୃହର ଚତୁପାର୍ଶକୁ            ଚାହିଁ ରହିଥିଲେ ପାଖୁ

କରିଣ ଅନୁଧ୍ୟାନକୁ ତୀକ୍ଷ୍ମ ଭାବରେ

ଶବ୍ଦସ୍ଥିତି ପ୍ରତି ତାଂକର

ଉଦ୍‌ବିଗ୍ନ ଚିତ୍ତରେ ଭାବୁଥିଲେ କେବଳ ।।୪।

ବିନିଦ୍ର ଭାବେ ଦୁଇଟି             ରଜନୀ କଟି ଥିଲାଟି

ତୃତୀୟ ରଜନୀ ଅତି କି ଭୟଙ୍କର

ରାମଚନ୍ଦ୍ର ଦେବଙ୍କର             କଂଟକିତ ଜୀବନର

ମୁହୂର୍ତ୍ତ ରାଶି କେବଳ ସ୍ୱ ଜୀବନର

ଅନାହୁତ ଦୁର୍ଭଗ୍ୟ ତାଂକ

ରାଜ ସିଂହାସନ ଆରୋହଣ ବର୍ଷକ ।।୫।

ପରଠାରୁ ଜୀବନର             କେଉଁ ଅପଦେବତାର

ଅଭିଶାପ ହେଲା କାଳ ବରଷିଛି ଯେ

କଂଟକିତ ମୁହୂର୍ତ୍ତରେ             ଆଶଙ୍କିତ ଜୀବନରେ

ଅଛି ଯେପରି ଭାବରେ ଉପଶମ ଯେ

ନୋହୁଛି ଟିକିଏ ହେଲେବି

ବଢ଼ୁଅଛି ସିନା ଛିଡ଼ୁନାହିଁ କେବେ ବି ।।୬।

ଶ୍ରୀଜୀଉଙ୍କୁ ଆଖି ବୁଜି             ଗଜପତି ହୃଦେ ଭଜି

ମାନସେ ରହିଲେ ମଜ୍ଜି କଲେ ମିନତି

ମହାପ୍ରଭୁ ଜଗନ୍ନାଥ            ତୁମେ ତ ଓଡ଼ିଶା ନାଥ

ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ଘେନ ପ୍ରଣତି

ତୁମର ସେବକ ଅନ୍ତରେ

ତୁମରି ମହିମା କର ପ୍ରତିଷ୍ଠା ଖରେ ।।୭।

ଏ ଓଡ଼ିଶାର ଶୋ÷ର୍ଯ୍ୟର            ଜ୍ୱାଳାମୁଖୀ ବୀରତ୍ୱର

ବିସ୍ପୋରଣ ପାଇଁ ଖେଳ କେତେ କାମନା

ଯେ ଅନ୍ତରଂଗ ଉଦ୍ୟମ             ତାହା ତୁମ୍ଭେ ସବୁଜାଣ

କେବଳ ତୁମେ ପ୍ରମାଣ ତା ସାକ୍ଷିସିନା

ରାମଚନ୍ଦ୍ର ରାଉତ ଛାହେଁ

ରାଷ୍ଟ୍ର ଦେବତାଙ୍କ ସାର୍ବଭୋ÷ମ ପ୍ରୀତି ଏ            ।୮।

ପ୍ରତିଷ୍ଠା ଏ ଓଡ଼ିଶାର            ନିରଙ୍କୁଶ ଶାସନର

ସେହି କାରଣୁ ମୋଗଲର ହିନ୍ଦୁ କନ୍ୟା

ସୁନ୍ଦରୀ ଜବାଧରୀର            ପାଣିଗ୍ରହଣ ସଂବଳ

ଧର୍ମହୀନ ନିନ୍ଦିତର ଏ ରାଜା କିନା

କିଂତୁ ନିଜେ ଧର୍ମ ଚ୍ୟୁତିର

ଅପବାଦକୁ ବାରଣ କଲା ସକଳ ।।୯।

ନିଂଦାପବାଦ ବରଣ            କରିଣ ସତ୍ୟେ ଅନନ୍ୟ

ଭକ୍ତ ଧର୍ମ-ନିଷ୍ଠା ରାମ ଚନ୍ଦ୍ର ରାଉତ

ଚାହିଁଥିଲା ଶାସନର            ଅବଦମନ ମୋଗଲ

ଆଉ ଓଡ଼ିଶା ରାଜ୍ୟର ଅପ୍ରତିହତ

ଏ ଚିନ୍ତାର ନିରଂକୁଶତା

ଅତିବାଦ କରି ଧର୍ମଧ୍ୱଜୀ ବିଜେତା ।।୧୦।

ପଣ୍ଡିତେ ପଷଯନ୍ତ୍ରର             ରଚନା କରି ରାଜ୍ୟର

ଯେଉଁ ଅକଳନ ବଳ କ୍ଷତି ସାଧନ

କଲେ ତା ଇତିହାସର             ଅଘୋଷିତ ଅଧ୍ୟାୟର

ସେ ସବୁ ଇତିହାସର କି ପ୍ରୟୋଜନ

ତୁମେ ପରା ଜଗତନାଥ

ମହାନାୟକ ପଦବୀ କି ବିଡ଼ମ୍ବିତ ।।୧୧।

ପୁଣି ସେହି ବିଡ଼ମ୍ବିତ            ମୁହୂର୍ତ୍ତରେ ଜଗନ୍ନାଥ

ସହାୟ ହୁଅ ନିତାନ୍ତ ତୁମ ମହିମା

ଚିର ପ୍ରକୀର୍ତ୍ତିତ ହେଉ             ଆହେ ପ୍ରଭୁ ମହାବାହୁ

ରାଜ୍ୟର କଲ୍ୟାଣ ହେଉ ବଢ଼ୁ ମହିମା

ଏ ରାଜ୍ୟର ଚିର କଲ୍ୟାଣ

ହେଉ ପ୍ରଭୁ ଜଗଦୀଶ ହେ ନାରାୟଣ ।।୧୨।

ରାମଚନ୍ଦ୍ର ଦେବଙ୍କର             ନୟନରୁ ଝରଝର

ହୋଇଣ ଭକ୍ତି ଅର୍ଘ୍ୟର ଧାର ଝରିଲା

ସେ ନିଃସଂଗ ପ୍ରକୋଷ୍ଠରେ       ପାଷାଣ ଭୂମି ଉପରେ

ଝରି ପଡ଼ୁଥିଲା ଖରେ ଯେପରି ଧାରା

ନିଶି ଉଲଘଂନ ପ୍ରଦୀପ

ଯେପରି ଗଜପତିଙ୍କ କୋହ ଅମାପ ।।୧୩।

ସେ କୋହ ଭାରେ କ୍ରନ୍ଦସୀ ହୋଇ ଉଠି ଶୋକ ମସି

ଜର୍ଜରିତ ଭାବେ ଭାସି ଭାଂଗି ପଡ଼ିଲା

ବାହାରେ କରାଘାତର            ଶବ୍ଦ ଶୁଣି ଜୀବନର

ହୋଇଗଲେ ସ୍ଥାଣୁ ସ୍ଥିର ଅସି ଖସିଲା

ସାଂକେତିକରେ ତିନିଥର

କରାଘାତ ହେଲା ପରେ ରାମଚନ୍ଦର ।।୧୪।

ଦ୍ୱାର ଖୋଲି ଦେଇ ଧିରେ ନିରୀକ୍ଷଣ ଅଂଧକାରେ

ଟିକେ ଆଗେ ଯାଇକଲେ ଜାଣିବା ପାଇଁ

ଦେଖିଲେ ଝଡ଼ ବେଗରେ ପରମଲକ୍ଷ୍ମୀ କକ୍ଷରେ

ପ୍ରବେଶ କରି କହିଲେ ହତାଶ ହୋଇ

ଆତକିଂତ ଆକ୍ରମଣର

ଆରମ୍ଭ ହୋଇ ଯାଇଛି, ଏହି ଖବର ।।୧୫।

ପଟିଆ ସୌନ୍ୟମାନଂକ            ସହ ମୋଗଲ କେତେକ

ସେ ବରୁଣେଇ କଟକ ଅବରୋଧକୁ

ଛାମୁ କରିସାରିଛନ୍ତି            ମିଶ୍ରିତ ବାହିନୀ ଅତି

ଭୀଷଣ ଭାବରେ ପ୍ରତି ଭାଂଗି ଦ୍ୱାରକୁ

ଆମର ପାଇକମାନଂକ

ନିଷ୍କ୍ରିୟତା ଯୋଗୁଁ ଅନ୍ୟୟାସରେ ତାଂକ ।।୧୬।

ଶତ୍ରୁ ସଇନ୍ୟ ବାହିନୀ            ପ୍ରବେଶ କରି ଗଲେଣି

ଗଡ଼ ମଧ୍ୟକୁ ସରଣି ଫିଟାଇ ଦେଇ

କରୁଛନ୍ତି ଉପକ୍ରମ            ଯେହ୍ନେ ମାଡ଼ି ଆସେ ଯମ

ଆମ ବ୍ୟବସ୍ଥା ବିପନ୍ନ ଖଣ୍ଡା ବୁଲାଇ

ଲୋଧୁମିଆକୁ କବଳିତ

କରି ବଂଦୀ କଲାପରେ ହୋଇ ଉଷତ ।।୧୭।

ତେବେ ଆଜି ଜୀବନର            ଶେଷ ସଂଗ୍ରାମ ମୋହର

ସଂଘଟିତ ହେବ ମୋର ହେ ରାଜଗୁରୁ

ଓଡ଼ିଶାର ଗଜପତି            ପରଂ -ପରାକୁ ଝଟତି

ପ୍ରାଣପାତ କରି ଅତି ରହି ଅଦୂରୁ

ଗୋ÷ରବକୁ ଅପ୍ରତିହିତ

ରଖିବା ପାଇଁ କରି କି ମୁଁ ପ୍ରାଣ ପାତ ।।୧୮।

ଭୀରୁ ପରି ଲୁକ୍କାୟିତ             ହୋଇ ରହିବା ଅତ୍ୟନ୍ତ

ଦୁର୍ବିସହ ଜୀବନ ତ କି ଶ୍ରେୟସ୍କର

ଆଜିର ଏହି ଯୁଦ୍ଧରେ            ବିଦ୍ୱେଷୀ ପଦ୍ମନାଭରେ

ଶିଖାଇବି କରବାଳେ ଏ ପଣ ମୋର

ରକ୍ତ ଅର୍ଘ୍ୟ ଅର୍ପଣ କରି

ରକ୍ତ-ରଂଜିତ-ଆନଂଦ ଖେଳିବି ହୋଲି            ।୧୯।

ଯେ କୌଣସି ସିଦ୍ଧାନ୍ତରେ             ନିର୍ଣ୍ଣୟ ଆଜି ଯୁଦ୍ଧରେ

ମୀମାଂସିତ ହେବ ଖରେ ଏ ମୋରପଣ

ଏବେ ସେ ପଦନାଉକୁ             ମାରି ବିଦାରିବି ବୁକୁ

ଅବା ତେଜିବି ଦେହକୁ ଧରି କୃପାଣ

ବଜର ଗମ୍ଭୀର ସ୍ୱରରେ

ଜୟ ଜଗନ୍ନାଥ ଧ୍ୱନି ଦେଲେ ଉଚ୍ଚରେ ।।୨୦।

ଉନ୍ମାଦ ସିଂହ ଶାବକ             ପରି ଯାଉଥିଲେ କକ୍ଷ

ଡ଼େଇଁଣ ରାଜନ ବକ୍ଷ ପ୍ରସାରି ଆଗେ

ସେ ଗୃହର ବାହାରକୁ            ତାଂକୁ ଭିଡ଼ିଲେ ପଛକୁ

ରାଜଗୁରୁ ଡ଼ାକୁ ଡ଼ାକୁ ଭାବ ସରାଗେ

ବର୍ତ୍ତମାନ ଏହି ଦାରୁଣ

ସଂକଟରେ ଉନ୍ମାଦନା କି ପ୍ରୟୋଜନ ?            ।୨୧।

ଏହିପରି ଉନ୍ମାଦନା             ଶୋଭା ପାଏ ନାହିଁ ଜମା

ପରିସ୍ଥିତିର କଳନା କରି କାର୍ଯ୍ୟକୁ

କରିବା ହେବ ଉଚିତ            ପ୍ରାଣ ସୁରକ୍ଷା ଅତ୍ୟନ୍ତ

ଆବଶ୍ୟକ ଏ ପର୍ଯ୍ୟନ୍ତ ଭାବ ମନକୁ

ବଂଚି ବୁଦ୍ଧି ବଳରେ ସିନା

ବରୁଣେଇ କଟକକୁ ରଖିବା କି ନା ?            ।୨୨।

ପ୍ରାଣକୁ ସୁରକ୍ଷା କରି            ବୁଦ୍ଧିବଳେ ରିପୁମାରି

ବିରୁଣେଇରୁ ଘଉଡ଼ି ପଦ୍ମ ନାଭକୁ

ଶିଖାଇବା ବୁଦ୍ଧିତାକୁ            ନିପାତ କରି ଶତ୍ରୁକୁ

ପ୍ରସ୍ତୁତ କର ମନକୁ ଧରି ଅସିକୁ

ପଥ ଅଛି ବହୁତ ଦୂର

ବୁଝି ବିଚାରି କରିବା ଯା ଦରକାର ।।୨୩।

ଗଡ଼ ଖାଇର ଦୁଆର            ଶବ୍ଦ ଶୁଭେ ଭାଂଗିବାର

ସଂଗେ ପଦ୍ମନାଭଙ୍କର ଜୟରଧ୍ୱନି

ଭାସି ଭାସି ଆସୁଥିଲା             ପ୍ରତିଧ୍ୱନି ନ ଶୁଭିଲା

ଗଡ଼ ପାଇକ ଶୃଂଖଳା ମଳିନ ଜାଣି

ନ ଶୁଭିଲା ମିଳିତ କଂଠୁ

ମନ୍ଦ୍ରଧ୍ୱନି ପ୍ରତ୍ୟୁତ୍ତର ପାଇକ କଂଠୁ ।।୨୪।

ଉଦ୍‌ବିଗ୍ନ କଂଠରେ ଗୁରୁ       କହିଲେ ପଛ ଦୁଆରୁ

ବାହାରନ୍ତୁ କଥା ସରୁ ଅଛି ସଦେଇ

ଅଶ୍ୱ ସହିତ ସେଠାରେ            ଆପଣଂକ ଅପେକ୍ଷାରେ

ଯିବେ ନରସିଂହପୁରେ ସମୟ ନାହିଁ

ବର୍ଷଣ ମୁଖର ରାତ୍ରିରେ

ବହୁପଥ ଅତିଶ୍ରମ କରିବେ ଖରେ ।।୨୫।

ଆପଣଙ୍କର ନିଧନ             ପାଇଁ ଚୂଡ଼ାନ୍ତାୟୋଜନ

ହୋଇଛି ଯା ପ୍ରୟୋଜନ ଗୁପ୍ତଖବର

ଷଡ଼ଯନ୍ତ୍ର ସ୍ତିରୀକୃତ            ହୋଇ ସାରିଛି ବହୁତ

ବେଳରୁ ଓଡ଼ିଶା-ନାଥ ବିଚାରକର

ତବ ନିରାପତ୍ତା ଦୃଷ୍ଟିରୁ

ସାଥିରେ ଦଶପଲ୍ଲାରେ ଛାଡ଼ିବି ଦୂରୁ ।।୨୬।

ସାମନ୍ତ ମଂଦର ଧର            ମାନସିଂହକୁ ମୁଁ ମୋର

ପୁରୁଷୋତ୍ତମେ ଖବର ପୂର୍ବୁ ଦେଇଛି

ରିପୁ ସୈନ୍ୟ କେବେହେଲେ              ମହାନଦୀ ଡ଼େଇଁ ଭଲେ

ଯାଇ ପାରିବେ ନି ହେଳେ ପରାଣ ମୂର୍ଚ୍ଛି

କଷ୍ଟକର ବ୍ୟାପାର ହେବ

ସେମାନଂକ ପକ୍ଷେ, ଏହା ନିଶ୍ଚୟ ଧ୍ରୁବ ।।୨୭।

ଏହା ବ୍ୟତୀତ ପଥରେ            ନରସିଂହ ପୁର ଆଡ଼େ

ସାମନ୍ତମାନେ ବ୍ୟାପାରେ ମିଳିତ ହୋଇ

ଖଣ୍ଡପଡ଼ା ଦଶପଲ୍ଲା             ବିଶେଷ ଶତ୍ରୁଙ୍କ ପଲା

ଭଂଗିବେ ଦୃଢ଼େ ଏ ପରା ଏ ଧ୍ରୁବ କହି

ଆପଣଙ୍କ ଏହି ଜୀବନ

ବଂଚାଇବାକୁ ପଡ଼ିବ ଏ ସଂଧିକ୍ଷଣ ।।୨୮।

ବାହାରେ ମେଘ ଅଶାନ୍ତ            ଦୁନ୍ଦୁଭି ବାଜୁଥିଲା ତ

ବିଦ୍ରୋହର ଜୟ-ଗୀତ କରି ଗାୟନ

କେତେକ ପକ୍ଷୀ ମରାଳ            ନଭେ ବିଚିତ୍ର ଶବ୍ଦର

ବିଦାୟ ସଂବର୍ଦ୍ଧନାର କରି ଉଚ୍ଛନ୍ନ

ଉଡ଼ି ଯାଉଥିଲେ ଚିଲିକା

ଅଭିମୁଖେ ଗୀତ ଗାଇ ନଥିଲା ଶଂକା ।।୨୯।

ତମିସ୍ରା ପଣତ ତଳେ             ଘନୀଳ ବରୁଣେଇରେ

କଟକ ବିଷର୍ଣ୍ଣତାରେ ଥିଲା ଘୁମାଇ

ଥରେ ଭିତର ଗଡ଼କୁ             ଚାହିଁ ଗଜପତି ପାଖୁ

ଅଶ୍ରୁଳ ଆଖି ପଛକୁ ନେଲେ ଫେରାଇ

ସେ ଗଡ଼ ପାଇକ ସଦେଇ

ଅଶ୍ୱ ପୃଷ୍ଠରେ ବସିଲା ପଛେ ନ ଚାହିଁ ।।୩୦।

ଆଗେ ଆଗେ ଗଜପତି            ତୁରଂଗ ପୃଷ୍ଠେ ଝଟତି

ଯାଉଥିଲେ ପଥକାଟି ରାତ୍ରି ଅଂଧାରେ

ପଛରେ ଅଶ୍ୱ ପୃଷ୍ଠରେ            ସଦେଇ ଗୁରୁ ସଂଗରେ

ଯାଉଥିଲେ ଧିରେ ଧିରେ ସତର୍କତାରେ

ଅଂଧାରର ଘନ ଘଟାରେ

କି ବିଚିତ୍ର ପରିସ୍ଥିତି ସୃଷ୍ଟି ସେଠାରେ ।।୩୧।

କେଉଁ ଅପଦେବତାର            ଦାରୁଣାଭିଶାପ ଫଳ

ଓଡ଼ିଶା ଇତିହାସର ଏ ମର୍ମନ୍ତୁଦ

ଆରକତ ଅଧ୍ୟାୟର             ଉନ୍ମୋଚନ ଅତି ଘୋର

ବୁଜିଣ ରାମଚନ୍ଦର ଚକ୍ଷୁ ବିଷାଦ

ମନେ ମନେ କହି ଉଠିଲେ

ତ୍ରାହି ଜଗନ୍ନାଥ ବୋଲି ଅଶ୍ୱ ପୃଷ୍ଠରେ ।।୩୨।

ଆକାଶେ ସିନ୍ଦୁରା ଫାଟି            ଆସୁଥିଲା ମେଘ ଫୁଟି

ଦିଶିଲେ ତାରା କେତୋଟି ମିଟି ମିଟିରେ

ସକାଳର ସୂର୍ଯ୍ୟୋଦୟ            ଦେଉଥିଲେ ବରାଭୟ

ମେଘ ବର୍ଷଣ ସଦୟ ହେଲା ମଝିରେ

ଆଶୀର୍ବାଦ ଜଗନ୍ନାଥଙ୍କ

ପ୍ରଶମିତ କେତେକ୍ଷଣ ଗଲା ଆତଙ୍କ ।।୩୩ ।

ଆକାଶରେ ସକାଳର             ସ୍ତୁତିଗାନ କରି ନୀଡ଼

ତ୍ୟାଗୀ ବିହଂଗମକୁଳ ଖାଦ୍ୟାନ୍ୱେଷଣେ

କର୍ମକ୍ଷେତ୍ର ଦିବସର            ଅଭିମୁଖେ ଅଗ୍ରସର

ଉଡ଼ୁଥିଲେ ତରତର ଧିର ପବନେ

ଫେରିବାକୁ ନୀଡ଼େ ସଅଳେ

ଛାଡ଼ିଥିଲେ ଶାବକଙ୍କୁ ଯେଣୁ ନୀଡ଼ରେ ।।୩୪।

ସକାଳ ଧୂସରାଲୋକେ            ନୟାଗଡ଼ର ସମ୍ମୁଖେ

ଧିରେ ଧିରେ ପାଖେ ପାଖେ ଅଶ୍ୱର ଗତି

କ୍ଲାନ୍ତ ଶ୍ରାନ୍ତ ଅଶ୍ୱମାନେ             ଯାଉଥିଲେ ଅବସନ୍ନେ

କେବେ ଚାଲୁଥିଲେ ବନେ ଶିରକୁ ପୋତି

କ୍ଷୁଧା ପରା ମେଣ୍ଟାଇବାକୁ

ବୋଧୁହୁଏ ଖୋଜିତୃଣ ସେ ଖାଇବାକୁ ।।୩୫।

ଏ ପରିଯନ୍ତ ପଛକୁ             ଫେରି ନଚାହିଁ ଆଗକୁ

ଛପାଇ ହୃଦେ ଚାପକୁ ଖୋର୍ଦ୍ଧାରାଜନ

ନୟାଗଡ଼ ଉପକଂଠେ             ପଛକୁ ଥରେ ଅତିଷ୍ଠେ

ଚାହିଁଥିଲେ ମନକଷ୍ଟେ ହୋଇ ବିଷର୍ଣ୍ଣ

ଦୀର୍ଘଶ୍ୱାସ ଏକ ଗଭୀର

ନିକ୍ଷେପ କଲେ ହତାସେ ହୋଇ ଗମ୍ଭୀର ।।୩୬।

ଭାବୁଥିଲେ ବରୁଣେଇ            ପଛରେ ରହିଲା କାହିଁ

ଓଡ଼ିଶା ଗୌରବ ବହି ଇତିହାସର

ପ୍ରାଣପୀଠ ବରୁଣେଇ            ଶତ୍ରୁ କବଳିତ ହୋଇ

ସାରିବଣି ଭାବ ବହି ଦଗ୍ଧ ଅନ୍ତର

ଥରୁଥିଲା ସର୍ବାଂଗ ତାଂକ

ଅସି କୋଷୁ ଖସୁଥିଲା ନୋହି ସଳଖ ।।୩୭।

ଭେଦିଆ ଧର୍ମାଂଧ ଗୋଷ୍ଠି       ପଣ୍ଡିତଙ୍କର ସମିଷ୍ଟି

ପଦ୍ମନାଭ ଦେବେ ଭକ୍ତି କରି ସେଠାରେ

ମଂଗଳାଚରଣାବୃତ୍ତି            କରୁଥିବେ ହର୍ଷେ ଅତି

ଅଭିଷିକ୍ତ କରି ବେଠି ବାଂଟି ଟଂକାରେ

ଶ୍ରୀକ୍ଷେତ୍ରରେ ଅପ୍ରତ୍ୟାଶିତ

ହେଉଥିବ ଏଘଟଣା ବହୁ କୀର୍ତ୍ତିତ ।।୩୮।

କହିଲେ ଧିୀର କଂଠରେ            ଗଜପତି ତୁରଂଗରେ

ଆମେ ଏ ପଥ ଶ୍ରାନ୍ତରେ ବହୁତକ୍ଲାନ୍ତ

ଓଳିଏ ନୟାଗଡ଼ରେ            ସତରେ ରହଣିପରେ

ଯିବା ନରସିଂହପୁରେ କି ସମୁଚିତ?

ଆହେ ରାଜଗୁରୁ ଆପଣେ

ବିବଶ ମନ ମୋହର ବିଚାରି କ୍ଷଣେ ।।୩୯।

ଘାତ ପ୍ରତିଘାତ ଘୋର            ମଧ୍ୟରେ ଯାତ୍ରା ଏଥର

ମନ ପ୍ରାଣକୁ ମୋହର କରେ ବିବଶ

ରାଜଗୁରୁ ମହାଶୟ            ହେଉଛି ମନ ଅଥୟ

ଆଉକି କରୁଣାମୟ ହୋଇ ବିରସ

ମୋ ପ୍ରତି କି କରୁଣା ଉଣା

ଯେପରି କରନ୍ତି ମୋତେ ପଡ଼ୁଛି ଜଣା ।।୪୦।

ସେ ନୈରାଶ୍ୟବାଦ ମୋତେ      ବ୍ୟାକୁଳ କରୁଛି ଚିତ୍ତେ

ବାରମ୍ବାର ହୃଦଗତେ ଦେଇ ଡ଼ାକରା

କି କରିବ କହ ଖୋଲି            ଏ ଦଶା କିପାଁ ଭୋଗିଲି

କି ଦୋଷ ମୁଁ କରିଥିଲି ଯା ଗଲା ଧରା

ଜୀଉଁଙ୍କର ଦରବାରରେ

ମୋ ପ୍ରତି କରୁଣା ଉଣା ହେଲା ସେଥିରେ ।।୪୧।

ପୁଷ୍କରିଣୀ ନିକଟରେ             ଓହ୍ଲାଇ ଅଶ୍ୱରୁ ଧିରେ

ପରମଲକ୍ଷ୍ମୀ କହିଲେ ହେ ଗଜପତି

ସବୁ ରାତିର ସକାଳ             ଥାଏ, କିନ୍ତୁ ସେ ସକାଳ

ହେଲେ ସୂର୍ଯ୍ୟ ତତକାଳ ମେଘେ ନଥାନ୍ତି

ବରଂ ସୂର୍ଯ୍ୟୋଦୟ କାଳକୁ

ସକାଳହିଁ କୁହାଯାଏ ଚାହିଁ ମେଘକୁ ।।୪୨।

ଗଜପତି ସେହିପରି             ଥାନ୍ତି ଯେ ସ୍ଥାନ ଆବୋରି

ସ୍ଥଳାବସ୍ଥାନ ସଂଭାଳି ସେ ଓଡ଼ିଶାର

ସେହି ହିଁ ମହୁଡ଼ମଣି             ଏ ଷଡ଼ଯନ୍ତ୍ର କାହାଣୀ

ଅତୀତ ହୋଇବ ପୁଣି ଏ ଧ୍ରୁବ ସ୍ଥିର ।

ପୁଣିଏ ଜୀବନ ବୀଣାରେ

କୋମଳ ଗାଂଧାର ରାଗ ବାଜିବ ଖରେ ।।୪୩।

ଆପଣ ଧୈର୍ଯ୍ୟ କେବଳ             ଧରନ୍ତୁ ଭଜି ଶ୍ରୀଧର

ଶକ୍ତି ପ୍ରଦତ୍ତ ଠାକୁର ପଦେ ଶରଣ

ଏହା ବନ ପର୍ଯ୍ୟଟନ             ବିଳାସ ଅବଧାରଣ

ବୋଲି ଭାବୁଥାନ୍ତୁ ମନ ଛାମୁ ଦୁର୍ଦ୍ଦିନ

କଟି ଯିବ କୁହୁଡ଼ି ପରି

ପ୍ରଭୁ - ସୂର୍ଯ୍ୟାଲୋକ ଯିବ ଯେବେ ହେ ପଡ଼ି ।।୪୪।

ସୂର୍ଯ୍ୟୋଦୟର ସକାଳ            ଚିରନ୍ତନ ସତ୍ୟ ଗୀର

ସେହି ଉଦୟରାଗର ଉପରେ ତାର

ସେ ଅନାହୁତ ମେଘର             ପ୍ରତିଚ୍ଛନ୍ନତାହିଁ ଘୋର

ଭାଗ୍ୟରେ ଏ ଓଡ଼ିଶାର ଅମଙ୍ଗଳର

ଭୀମ ଧୂମକେତୁ ସମାନ

ସମର୍ଥିତ ଭେଦିଆ ମୋଗଲ ଶାସନ ।।୪୫।

କେବେ ପଟିଆ ସାମନ୍ତ             ହେବେ ଯଦି ପରାହତ

ସୈନ୍ୟମାନଂକ ସହିତ ଭବିଷ୍ୟତରେ

ତେବେ ଏ ସୂର୍ଯ୍ୟୋଦୟର ମେଘ ମୁକତ ଔଜଲ୍ୟ

ହୋଇପାରେ ଓଡ଼ିଶାର ଭାଗ୍ୟ-ଚକ୍ରର

କିଂତୁ ମୀର ହବିବ ମିଆଁ

ପ୍ରଲୋଭନେ ହୋଇଛନ୍ତି ସାମନ୍ତେ ବାୟା ।।୪୬।

ଅଶ୍ୱକୁ ସଲିଳ-ପାନ            କରାଇ ଅଶ୍ୱାରୋହଣ

ପୁଣି ରାଜନ କରିଣ ବିଶ୍ରାମ ପାଇଁ

ନୟାଗଡ଼େ ବିଜେକଲେ             ରହିଲେ ରାଜମହଲେ

ଯାଇ ଅତିଥିଶାଳାରେ ରାତିକପାଇଁ

ନୟାଗଡ଼ ସାମନ୍ତ ରାଜ୍ୟ

ପ୍ରତିଶ୍ରୃତି ଦେଇଥିଲେ ସବୁ ସାହାଯ୍ୟ ।।୪୭।

କୌଣସି କାର୍ଯ୍ୟାନୁଷ୍ଠାନ             ଯଦି ମୋଗଲ ଶାସନ

କରେ ତେବେ ଆୟୋଜନ ବିରୁଦ୍ଧେ ତାର

ପ୍ରତିଆକ୍ରମଣ ଆମ୍ଭେ            କରିବୁ ନିଶ୍ଚିତ ତୁମ୍ଭେ

ପ୍ରାଣପଣେ ଯା ସଂଭବେ ପଣ ଆମ୍ଭର

ନରସିଂହ ପୁରାବସ୍ଥାନ

କାଳେ ଆମ୍ଭେ ବଧି      ବୁହେ ମୋଗଲ ସୈନ୍ୟ । ।୪୮।

ନୟାଗଡ଼ ପ୍ରତିଶୃତି            ଲାଭକରି ଗଜପତି

ଅତିଥି ଶାଳାରେ କାଟି ସେ ଦୁଃଖି ରାତି

ଦୁଃସ୍ୱପ୍ନରେ ସେ ରାତ୍ରିର            ଦେଖିଲେ ରାମଚନ୍ଦର

ବରୁଣେଇ କଟକର ଶ୍ରୀହୀନ - ମୂର୍ତ୍ତି

ପଦ୍ମମୁଖୀ ଜବାଧରୀର

ଅଶ୍ରୁମୁଖୀ ଅପଲକ ଚକ୍ଷୁ ଯୁଗଳ ।।୪୯।

ଥିଲେ ସିନା ଗଜପତି            ନିଜେ ଜବାଧରୀ ପତି

ହାତ ଧରି ପାଇପ୍ରୀତି ପରିସ୍ଥିତିରେ

ଭାବୁଥିଲେ ବୁଜି ଆଖି            ବିବାହ ହେଲେ କାହିଁକି

କି ସୁଖ ପାଇଲେ ସଖି କରି ତାହାରେ

ପତି ପତ୍ନୀ ସୁଖ ଉଭୟେ

ପାଇଲେ କି ହିନ୍ଦୁ-ମିଆଁ ଧରମ ଭୟେ?            ।୫୦।

ଭାବିବାକୁ ନାହିଁବେଳ            ଦେଖିଲେ ଆସେ ସକାଳ

ଅଶ୍ୱପୃଷ୍ଠେ ବସିବୀର ନେଲେ ବିଦାୟ

ପଛେ ପଛେ ରାଜଗୁରୁ             ପରମଲକ୍ଷ୍ମୀ ଅଦୂରୁ

ସତର୍କେ ଅଶ୍ୱ ପୃଷ୍ଠରୁ ହୋଇ ଅଭୟ

ଦେଖୁଥିଲେ ଚତୁର୍ଦ୍ଦିଗକୁ

ଛୁଟିଥିଲେ ଉଲ୍‌କା ପରି ଲକ୍ଷ ସ୍ଥଳକୁ ।।୫୧।

********

ରକ୍ତିମା ଆଭା ସଂଧ୍ୟାର            କ୍ଲାନ୍ତ ଡ଼େଣାରେ ପଂଗୁଳ

ବର୍ଣ୍ଣ କରି ସେହି ନୀଡ଼ ପ୍ରତ୍ୟାଶୀ ପକ୍ଷୀ

ଫେରି ଆସୁଥିଲେ ଉଡ଼ି             ଗୋଧୂଳି ବଂଦନା କରି

ଦେଇ ସ୍ୱଭାବ-କାକଳି ଆଗକୁ ଦେଖି

ଗଛର ପତର ଫାଙ୍କରେ

ବିଦାୟୀ ସବିତା ରଶ୍ମି ରକ୍ତ-ଝୋଟିରେ ।।୫୨।

ଆଗରେ ଦଶପଲ୍ଲାର            ନିବିଡ଼ାରଣ୍ୟ ପଥର

ପରେ ପଡ଼ିବ ରାଜ୍ୟର ରାଜଭବନ

ପଥମଧ୍ୟେ କଂଟିଲୋରେ            ନୀଳମାଧବ ଦେଉଳେ

ଦର୍ଶନସାରି ସେଠାରେ କରି ସେବନ

ମହାପ୍ରଭୁଙ୍କର ପ୍ରସାଦ

ଅଶ୍ୱକୁ ଛୁଟାଇ ଥିବେ ତେଜି ବିଷାଦ ।।୫୩।

ଖଣ୍ଡପଡ଼ାରେ ସଂବାଦ            ମିଳିଥିବ ବିସଂବାଦ

ମୋଗଲ ଶାସନବାଦ - ଗୁପତଚର

ଘୁରି ଘୁରି ବୁଲୁଛନ୍ତି            ଠାବ କରିବା ଇଛନ୍ତି

କାହିଁଗଲେ ଗଜପତି ବୋଲି ଖବର

ଭେଦିଆ ମାନଂକ ଚକ୍ରାନ୍ତେ

ମୋଗଲ ସହାୟତାରେ ମସ୍ତ ସମସ୍ତେ ।।୫୪।

ସମୂଳେ କଲେ ବିନାଶ            ଗଜପତିଙ୍କୁ ସଂତ୍ରାସ

ଗାଦି ହେବ ନିରଙ୍କୁଶ ବୋଲି ବିଚାର

ପଟିଆର ପଦ୍ମନାଭ            ଦେବଙ୍କ ପ୍ରଚଣ୍ଡ ଭାବ

ଲୋଲୁପ-ଦୃଷ୍ଟି-ବିଭବ ଚମତକାର

ସେଥିପାଇଁ ଗଜପତିଙ୍କୁ

ଖୋଜୁଛନ୍ତି ଚରେ ବୁଲି ବୁଲି ରାଜ୍ୟକୁ ।।୫୫।

ପହଂଚି ଦଶପଲ୍ଲାରେ            ଦୀର୍ଘଶ୍ୱାସ ନିକ୍ଷେପିଲେ

ଅଶ୍ୱପୃଷ୍ଠୁ ଓହ୍ଲାଇଲେ ତିନିହେଁ ଧିରେ

ଗଡ଼ ପାଇକ ସଦେଇ             ସାମନ୍ତେ ଖବର ଦେଇ

ଆସେ ତର ତର ହୋଇ କି ଆନଂଦରେ

ସସମ୍ମାନେ ନେଲେ ପାଛୋଟି

ଗଜପତିଙ୍କୁ ସାମନ୍ତ କଲେ ଅତିଥି ।।୫୬।

ରାତ୍ରି ଅତିଥି ଶାଳାରେ             ରହଣି କାଳ ମଧ୍ୟରେ

ରାଜଗୁରୁ ଧିରେ ଧିରେ ସାମନ୍ତକାନେ

କହିଲେ ଦୀପର ଶିଖା            ନିଭି ଆସୁଛି ପରୀକ୍ଷା

କରନ୍ତୁ ରହି ନିରିକ୍ଷା ବସି ବିଜନେ

ଓଡ଼ିଶାର ଭାଗ୍ୟାକାଶାରେ

ବିଦ୍ରୋହ କାଳ ଛଂଚାଣ ଡ଼େଣା ବିସ୍ତାରେ ।।୫୭।

ଏଥିକୁ ସୁବିଧାବାଦୀ             ସୁବର୍ଣ୍ଣ ସୁଯୋଗ ଯଦି

କରିଛନ୍ତି ଛଂଦ ଛଂଦି କୂଟ କପଟ

ସେ ମୋଗଲ ଦରବାର             ମନ୍ତିରୀ ହବିବ ମୀର

ଦେଖାଇ ବଡ଼ ଚାତର ହଟ ଚମଟ

ଓଡ଼ିଶା ରାଜନ୍ୟ ବର୍ଗଙ୍କ

ମଧ୍ୟେ ଘଟାଇ ବିଚ୍ଛେଦ ପାରସ୍ପରିକ ।।୫୮।

ସାମ୍ରାଜ୍ୟ ଏକାଦିକ୍ରମେ            ବିସ୍ତାର କରି ସଂଭ୍ରମେ

ଓଡ଼ିଶାକୁ ଅଧସ୍ତନେ ରାଜୁଜି ପାଇଁ

ଷଡ଼ଯନ୍ତର ଚତୁର,             ଏଥି ଉପାୟ କେବଳ

ଐକ୍ୟବଦ୍ଧ ସେ ମୋଗଲ ମାରିବା ଯାଇ

ମୋଗଲ ସାମ୍ରାଜ୍ୟ ଉପରେ

ସର୍ବେ ମିଶି ଆକ୍ରମଣ କରିବା ଦୃଢ଼େ ।।୫୯।

ଏ ମୋଗଲ ଶାସନକୁ             ରାଜ୍ୟରୁ ଘଉଡ଼ିବାକୁ

ପରାଜିତ କରିବାକୁ ହେ ଗଡ଼ପତି

ଧରି ଐକ୍ୟବଦ୍ଧ ଅସି            ଯୁଦେ୍ଧ ନ ପଶିଲେ ଧସି

ସମସ୍ତ ସାମନ୍ତ ମିଶି ହେବ ଦୁର୍ଗତି

ଭୁଲୁଶ୍ଚତ ରାଜ୍ୟ ଗୌରବ

ଗଡ଼ପତି ମହାଶୟ ଲବେ ହୋଇବ ।।୬୦।

ଜାତିର ଇତିହାସରେ             ଅଧ୍ୟାୟ କ୍ରୀତଦାସରେ

ଲେଖାହେବ ଭୀରୁତାରେ ଅପବାଦରେ

ହୋଇଯିବ କର୍ଦମାକ୍ତ             ଏହି ଜାତି ଭବିଷ୍ୟତ

କଳିଂଗ ବୀର ରକତ ମହାନଦୀରେ

ବହିଯିବ ଅସହାୟରେ

ୟା’କୁ ଦେଖି ବଂଚିବାକି ଏହି ସଂସାରେ ।।୬୧।

କହିଲେ ହରିଚନ୍ଦନ            ହେବ ପ୍ରତିଆକ୍ରମଣ

ଭାଂଗିବା ମିଆଁ ଗୁମାନ ବଳ-ବିଭବ

ଗଜପତିଙ୍କ ସାମନ୍ତ             ଜଣପଲ୍ଲା ସମ୍ମିଳିତ

ଯୁଦ୍ଧ ଘୋଷଣା କରିତ ଆଗେଇ ଯିବ

ଆକ୍ରମଣ ପ୍ରତ୍ୟାକ୍ରମଣ

କରି ନିପାତ କରିବା ମୋଗଲ ସୈନ୍ୟ ।।୬୨।

ଏ ବର୍ଷାଋତୁ ମଧ୍ୟରେ             ସଂଗଠନ ଗଢ଼ି ଦୃଢ଼େ

ବରଷା ସରିବା ପରେ ଯୁଦ୍ଧ ଘୋଷଣା

କରି ମୋଗଲ ଶାସନ            ଚେର ଉପାଡ଼ି ସ୍ୱାଧୀନ

ଓଡ଼ିଶା ହେବ ଗଠନ, ଏ କଟକଣା

ଜାରି ହେଉ ଏ ଓଡ଼ିଶାରେ

ମୋର ଅଭିମତ ଏହି ପରିସ୍ଥିତିରେ ।।୬୩।

ସକାଳ ସୂର୍ଯ୍ୟୋଦୟର            ଅରୁଣିମାରେ ବ୍ୟଥାର

ଯେପରି ନିର୍ଯ୍ୟାସଝର ପଡ଼ଇ ଝରି

କେବେକେବେ ଘନୀଭୂତ ବରଷା ଧାରା କି ସେତ

ମନେ ହେଉଥିଲା ବି ତ ମେଘ ସୁମରି

ଦଶପଲ୍ଲାଠାରୁ ପରମ

ଲକ୍ଷ୍ମୀ ଫେରିବାକୁ ସଜ ହେଲେଣି କାମ୍ୟ ।।୬୪।

ଖୁରୁଧା କଟକ ଫେରି            ଆସିବା ପାଇଁ ବାହାରି

-ଲେଣି ରାଜଗୁରୁ ଧରି ଅଶ୍ୱକୁ ତାଂକ

ପାଇକ ବରୁଣେଇର             ସଦେଇ ହୋଇ ତିଆର

ଯାତ୍ରା ନରସିଂହପୁର ପାଇଁ ରାଜାଙ୍କ

କରୁଥିଲା ପ୍ରସ୍ତୁତ ଅଶ୍ୱେ

ବିଷର୍ଣ୍ଣ ଚିତ୍ତରେ ବଂଦି ସେ ପୀତବାସେ ।।୬୫।

ଅଶ୍ରୁସଜଳ କଂଠରେ             ଗଜପତି ହିଁ ଭାଷିଲେ

ସମୟର ସ୍ୱୟମ୍ବରେ ବରତମାନ

“ଆମ ପାଇଁ ବର୍ତ୍ତମାନ            ଅନୁକୁଳ ନୁହେଁ ବାମ

କାଳର ତାଡ଼ନା ମମ ଭାଗ୍ୟ- ବିଷମ

ମୋତେ ସାମନ୍ତଙ୍କ ରାଜ୍ୟରେ

ଆଶ୍ରୟ ନେବାକୁ ପଡ଼ୁଅଛି ବ୍ୟଥାରେ ।।୬୬।

ଏତିକି ମାତ୍ର ସଂତୋଷ             ପରମ ମୋର ବିଶେଷ

ରାଷ୍ଟ୍ରଦେବ ପୀତବାସ ବଡ଼ ଦେଉଳେ

ଘନ ଘନାତ୍ମଗୋପନ            ବିପତ୍ତିର ଅବସାନ

ଘଟୁଛି ଏହି ମହାନ ପ୍ରଭୁ କୃପାରେ

ନିର୍ବାସନ ବରଂ ବରଣ

କରିବି ପ୍ରଭୁ ପ୍ରତିଷ୍ଠା ଜୀବନ କାମ୍ୟ ।।୬୭।

ଆପଣଙ୍କ ଅନୁରକ୍ତି            ଏକାନ୍ତ ଜାତୀୟ ପ୍ରୀତି

ଜାତୀୟତାର ସଂପତ୍ତି ଅବଦାନକୁ

ମୋର ଆଉ ଭାଷା ନାହିଁ            ଆପଣଙ୍କୁ ଏଠି ପାଇ

ଆଚିଥେୟତାର ପାଇଁ ବଖାଣିବାକୁ

ଲକ୍ଷ୍ୟଥିବ କେବେ ଯେପରି

ବିପତ୍ତି ନି ଆସେ ପ୍ରଭୁ ଉପରେ ଗଡ଼ି ।।୬୮।

ସଉକ୍ତିପୂତ ପ୍ରଣାମ             ଜଣାଇ ବୀର ରାଜନ

ରାଜଗୁରୁଙ୍କୁ ସେ ଦିନ କଲେ ବିଦାୟ

କରିଣ ଅଶ୍ୱ ପୃଷ୍ଠାରେ             ଚକ୍ଷୁର ଅଶ୍ରୁଧାରରେ

ଦୁହେଁ ଦୁହିଁଙ୍କୁ ସେଠାରେ, ହୋଇ ଅଥୟ

ଗଜପତି ରାମଚନ୍ଦ୍ରଙ୍କୁ

ଅନ୍ତିମ ଆଶିଷ କରୁଥିଲେ ସେ ପାଖୁ ।।୬୯।

ଶେଷହୀନ ବିଷାଦରେ            କରିଣ ଅଶ୍ୱ ପୃଷ୍ଠରେ

ରାଜଗୁରୁ ଧିରେ ଧିରେ କଲେ ଗମନ

ବିଷର୍ଣ୍ଣ କଣ୍ଠେ ରାଜନ            କହିଲେ ସଦେଇ ଶୁଣ

ମୋ ଯାଯାବର ଜୀବନ ସେ ବର୍ତ୍ତମାନ

ନିଃସଂଗ ଜୀବନେ ତୁ ସାଥି

ଜୀବନରେ କଲେ ଭୁଲ ତିଆରିବୁଟି ।।୭୦।

ବାଷ୍ପ ଆକୁଳ କଂଠରେ             ସଦେଇ କହିଲା ଧିରେ

ଛାମୁ ଭୁଲ ବାଛିବାରେ ମୋ ଅଧିକାର

ନାହିଁ ମୋହର ମଣିମା            ଆପଣଙ୍କ ସେବା ସିନା

ଆଦେଶ ମାନିବା ବିନା ସହାୟତାର

ଅଶ୍ୱପୃଷ୍ଠେ ବିଜେ ହୁଅନ୍ତୁ

ଗଣିଆ ପଥରେ ଯିବା ଲକ୍ଷ୍ୟ ସ୍ଥଳକୁ ।।୭୧।

ପଥ ଅଛି ବହୁଦୂର            ଯିବା ନରସିଂହ ପୁର

ସ୍ୱଗତୋକ୍ତି କରିବୀର କହିଲେ ଧିରେ

ପଥସିନା ବହୁଦୂର            ସଦେଇ ସେ ବେଦନାର

ଶିଳାବଂଧୁରିତ ଘୋର କଂଟକିତରେ

ସବୁବେଳେ ମୋର ଜୀବନେ

କଟୁଦିନ ମୋର ଜଗନ୍ନାଥ ବଂଦନେ ।।୭୨।

ଅଶ୍ୱ ପୃଷ୍ଠେ ଆରୋହଣ            କରିଣ ସେ ଦୁଇଜଣ

ନରସିଂହପୁରରଣ୍ୟ ସଡ଼କେ ପଶି

ଭାବୁଥିଲେ ଜୀବନର            ଅନ୍ୟତମ ବିଶ୍ରାମର

ଆଶ୍ରୟସ୍ଥଳୀ ତାଂକର ଏହେଲା ଆସି

ଅନ୍ତିମ ବିଶ୍ରାମ ପୀଠ କି

ହେବ ଏହା ମହାପ୍ରଭୁ ଜାଣନ୍ତି ଟିକି ।।୭୩।

ଶ୍ରୀ ଜଗନ୍ନାଥ ସୁମରି             ବଂଦନା କଲେ ଶ୍ରୀହରି

ତ୍ରାହିକର ହେ ମୁରାରି ହେ ଆଦିକଂଦ

ତ୍ରାହି କର ତ୍ରାହି କର            ଏହି ରାମଚନ୍ଦ୍ର ବୀର

ତବ ଚରଣ କିଂକର ପାଉ ଆନଂଦ

ତବ ଚରଣର ସେବାରେ

ଦେଖି ଗୁମୁଟେ ନୟନେ ସେ ସିଂହଦ୍ୱାରେ ।।୭୪।

******

 

ବଂଦନା (ଗଜପତିଙ୍କର)

 

ସହିଲିଣି ବହୁତ             ହେ ପ୍ରଭୁ ଜଗନ୍ନାଥ

ଶକତି ଦିଅ ସହିବାକୁ

ଏ ସହିବାର ସୀମା             ଟପିଗଲାଣି ଜମା

କଷ୍ଟ ହେଲାଣି ବଂଚିବାକୁ ହେ -

ମୋ ପାଇଁ ମୋର ନାହିଁ ଦୁଃଖ

ହୋଇଅଛି ଯା କପାଳେ ଲେଖ

ସେ ସବୁ ସହିଯିବ             ସିନା ତୁମକୁ ଭାବି

ତୁମେ କାହିଁକି ପାଅ ଦୁଃଖ - ହେ            ।୧।

ତୁମ କଥାକୁ ଭାବି            ମୁଁ ସିନା ତରିଯିବି

ଏ ଭବ-ସାଗର-ଦୁଃଖରୁ

ତୁମେ ତ ସର୍ବମୟ             କର୍ତ୍ତା ହେ ଦୟାମୟ

ଏ ବିଶ୍ୱ ଦୁଃଖ ସାରୁ ସାରୁ ହେ କୃପାମୟ

ତୁମକୁ ମିଳେ ନା ସମୟ

ଭାବୁଛି ତାହା କରି ଥୟ

ନ ହେଲେ କି ଏପରି             ଚକଡ଼ା ଛଡ଼ା ପରି

ଦୁଃଖକୁ ଥାନ୍ତା ତୁମ ଭୟ ।।୨।

ଦାରୁମୂର୍ତ୍ତି ହେବାରୁ            ଦଇତା ଏ ଘୋଷାରୁ

-ଛନ୍ତି ପହଣ୍ଡି ବେଳେ ଧରି

ଥିଲେ ପାଷାଣ ମୂର୍ତ୍ତି            ଥାଆନ୍ତ ସିନା ବର୍ତ୍ତି

ଘୋଷରା ଖିଆରୁ ସବୁରି ହେ ଦୟାମୟ

କଷ୍ଟତ ପାଉଅଛ ତୁମେ

ମରୁଛି ମୁଁ ପାଗଳ - ଭ୍ରମେ

ନିଜକୁ ହେ ଏଥର            ରଖ ଚକରଧର

ହାରି ଗଲିଣି ମନେ କାମେ ହେ ଦୟାମୟ ।।୩।

ନର ଲୀଳାକୁ କରି             ବେଦନାକୁ ସଂଭାଳି

ଏପରି ହଟହଟା ହେବା

ପାଇଁକି ତୁମ୍ଭ ମନ             କହ ପଦ୍ମ ଆନନ

ତାହାକୁ ଭାବି ତୁନି ହେବା ହେ ଦୟାମୟ

ଅବୁଝା ମନ ବୁଝୁ ନାହିଁ

ବୁଝାଅ ଥରେ ଦୟା ବହି

ଭାବଗ୍ରାହୀ ଭାବରେ            ଖ୍ୟାତି ଅଛି ସଂସାରେ

ତୁମର ପରା ଭାବଗ୍ରାହୀ ହେ ।।୪।

ଛାର କଳା ପାହାଡ଼            ଆସି ଭାଂଗିଲା ବାଡ଼

ମଂଦିର କେତେ ଧରି ଅସି

ତାହାକୁ ହେ ତାରିଲ            ଗତି ମୁକତି ଦେଇ

ନୀଳାଚଳେ ସେ ଥିଲା ରସି ହେ ।

ତକୀ ଖାଁ ତା ଜୀବନ ଯାକ

ଥିଲାଟି ତୁମର ଆତଙ୍କ

ତା ପ୍ରତି କୃପା କରି            ନଥିଲ ତାକୁ ମାରି

ଥିଲା କି ସୁଦର୍ଶନ ବାଙ୍କ ହେ            ।୫।

ଭାବୁଛି ଓଡ଼ିଶାର            ଭାଗ୍ୟବଡ଼ ଆଦର

କରିଛ ସେଇ ରାଇଜକୁ

ନ ହେଲେ ସପ୍ତସିଂଧୁ            ବରଜି ବିଶ୍ୱବଂଧୁ

ସରଜି ଥିଲା ପୀଥୁଣ୍ଡକୁ ହେ

ତୁମରି ନାମେ ଏ ରାଇଜ

ବିଶ୍ୱରେ ହୁଏ ସଜବାଜ

ଜିନାସନ ପୀଠରେ            ଶ୍ରୀବତ୍ସ ଖଣ୍ଡଶାଳେ

ତୁମେ ହିଁ ରାଜା ଅଧିରାଜ ହେ            ।୬।

ଏହି ଭାରତ ଲୋକେ            ମୋଡ଼ନ୍ତି ନିଜ ନାକେ

ଓଡ଼ିଶା ନାମକୁ ଧରିଲେ

ପ୍ରଭୁ ତୁମ୍ଭେ ଥିବାରୁ            ଆମ୍ଭେ ତ ବଂଚିଗଲୁ

ଏ କୃପା ଥାଉ ସବୁବେଳେ ହେ

ନିଜକୁ କରି ହଇରାଣ

ରଖି ଅଛ ଏ ରାଜ୍ୟମାନ

ହେ ବାଂଛା କଳ୍ପତରୁ            ୟାବିଚାରୁ ବିଚ୍ଚÿ।ରୁ

ଯାଉ ଏ ଦୀନର ଜୀବନ ହେ ।।୭।

ପତିତେ ଦରଶନ            ଦେବାକୁ ପରା ମନ

ବଳିଲା ତେଣୁ ଗୁମୁଟରେ

ରହିଛ ମେଲି ଆଖି            ସର୍ବଦା ଚକା ଆଖି

ଖୋଲା ରହିଛି ସିଂହଦ୍ୱାରେ ହେ ଦୟାମୟ

ଦୟା ଥାଉ ହେ ଦୟାମୟ

ହୋଇଣ ଏ ରାଜ୍ୟ ସଦୟ

ନିଜକୁ ରକ୍ଷାକରି            ଓଡ଼ିଶା ବାସୀ ତାରି

ବଧର୍ମୀ କର ସଦା କ୍ଷୟ ହେ କୃପାମୟ            ।୮।

******

ବଂଦନା ଉପସଂହାରେ            ଦେଖି ନରସିଂହପୁରେ

ପାର୍ବତୀୟ ମେଖଳାରେ ରାଜମହଲ

ଅତିଥି ହୋଇ ସେ ଦିନ            ଅତିଥି ଶାଳାରେ ମଗ୍ନ

ଥିଲେ ଓଡ଼ିଶା ରାଜନ ମୁକ୍ତ-ଅନ୍ତର

ପର୍ବତର ଗବାକ୍ଷ ପଥେ

ସବୁଜ ବନାନୀ ଆଡ଼େ            ଚାହିଁଲେ ସତ୍ୟେ ।।୭୫।

ପୁଷ୍ପ ଚନ୍ଦନ ଅର୍ଘ୍ୟକୁ             ପ୍ରଦାନ କରି ପଦକୁ

ଶ୍ରୀ ରାମଚନ୍ଦ୍ର ଦେବଙ୍କୁ ସେ ଗଡ଼ପତି

ମଂଦର ଧର ଭକ୍ତିରେ            ସ୍ୱାଗତ କରି କହିଲେ

ଆଜି ନରସିଂହ ପୁରେ ହୋଇ ଅତିଥି

ସାମୟିକ ଅବସ୍ଥାନରେ

ଭାଗ୍ୟବାନ ମଣୁଛି ମଣିମା ଏଠାରେ ।।୭୬।

ଏ ରାଜ୍ୟେ କୌଣସି ସ୍ଥାନେ      ବିହରି ସ୍ୱଚ୍ଛନ୍ଦ ମନେ

ବାସ କରିବେ ଆପଣେ ନାହିଁ ବାରଣ

ଆପଣଙ୍କ ସେବା ପାଇଁ            ସେବାକାରୀଙ୍କୁ ଡ଼କାଇ

ଆପଣଙ୍କ ଆନଂଦ ହିଁ ହେବ ମହାନ

କରାଯିବ ନିଯୁକ୍ତ ତାଂକୁ

ଆପଣ ବାଛିବେ ଦେଖି ପରଖି ତା’କୁ ।।୭୭।

ତ୍ୟାଗ ନିମନ୍ତେ ପ୍ରସ୍ତୁତ             ଏ ରାଜ୍ୟବାସୀ ସତ

ଏଥିରେ ନାହିଁ ଦ୍ୱିମତ ହେ ମହାମନା

ମୁଁ ମଧ୍ୟ ଆପଣଙ୍କର            ଏକ ଗଡ଼ପତି ଛାର

ପାଳିବି ସବୁ ଅର୍ଡ଼ର ନୋହି ବିମନା

ରାଜ୍ୟବାସୀ ଚରମ ତ୍ୟାଗ

ଲାଗି ପ୍ରସ୍ତୁତ ମଣିମା ଆମ ସୌଭାଗ୍ୟ ।।୭୮।

ଅନ୍ତରଙ୍ଗର ହସରେ            ସମ୍ବର୍ଦ୍ଧନାର ଉତ୍ତରେ

ଗଜପତି କହିଥିଲେ ହେ ଗଡ଼ପତି

ରାଷ୍ଟ୍ରଦେବ ମାନରକ୍ଷା             ପାଇଁ ମୁଁ ଏପରି ଦୀକ୍ଷା

ନେଇଛି ହେ ପ୍ରାଣସଖା ଶିରେ ବିପତ୍ତି

ଚକ୍ଷୁଶୂଳ ମୋଗଲଙ୍କର

ହୋଇ ରାଜ୍ୟାନ୍ତର ହୁଏ ଥରକୁ ଥର ।।୭୯।

ଶ୍ରୀ ଜଗନ୍ନାଥଂକ କୀର୍ତ୍ତି            ଓଡ଼ିଶାର ହିଁ ସ୍ୱକୀର୍ତ୍ତି

ଏହି ଜାତୀୟତାପ୍ରୀତି ରହୁ ସବୁରି

ଶ୍ରୀଜୀଉ ମଣିମା ମାନ             ଓଡ଼ିଶାର ସ୍ୱାଭିମାନ

ଆଭିଜାତ୍ୟ ସୁମହାନ ଭାବନା ଭରି

ଏହି ଆଭିଜାତ୍ୟ ସୁରକ୍ଷା

ପାଇଁ ଜାତିହାରି ହେଲି ନାହିଁ ମୋ ରକ୍ଷା ।।୮୦।

ଉର୍ତ୍ସିତ ଅପନିନ୍ଦିତ            କିଂତୁ ନୀତିରୁ ବିଚ୍ୟୁତ

ହୋଇନାହିଁ ଦୃଢ଼ ମତ ତୋଷି ମନରେ

ସେହି ସଂକଳ୍ପ ବୋଧର            ଅଖଣ୍ଡତା ରକ୍ଷା ଭାର

ବୋହି ବୋହି ରାଜ୍ୟାନ୍ତର ହେଲି ଧୈର୍ଯ୍ୟରେ

ଏଠାରେ ଆଶ୍ରିତ ଅତିଥି

ଆଜି ସିନା କାଲିକି ମୁଁ ନଜାଣେ ତିଥି ।।୮୧।

ଓଡ଼ିଶାର ସାର୍ବଭୌମ            ଅଖଣ୍ଡତା ପ୍ରଭୁମାନ

ରକ୍ଷାପାଇଁ ମୋ ଜୀବନ ସେ ଧ୍ରୁବତାରା

କରୁଛି ମୁଁ ଆଶା ମନେ            ସବୁ ଗଡ଼-ପତିମାନେ

ଏକତ୍ର ହୋଇ ସକ୍ଷମେ ରଖି ଶୃଂଖଳା

ଦୁର୍ଦ୍ଦାନ୍ତ ମୋଗଲ ଶାସନ

ପ୍ରତିହତ କରିବ ହେ ଜୀଉଙ୍କ ରାଣ ।।୮୨।

ଆୟମାରମ୍ଭ କରିବେ            ନବ ଇତିହାସ ଭାବେ

ଜାଣିବେ ଜଗତେ ସର୍ବେ ହେ ଗଡ଼ପତି

ଏତିକି ମାତ୍ର ମୋହର            ଅନୁରୋଧ ଦଣ୍ଡଧର

ରକ୍ଷା କରିବ ସୋଦର, ଜଗତପତି

ହୋଇବେ ସହାୟ ତୁମ୍ଭର

ରାଷ୍ଟ୍ରଦେବଙ୍କ ରକ୍ଷାରେ ହୁଅ ତିଆର ।।୮୩।

ସ୍ପର୍ଶ କରି କରବାଳ            କହିଲେ ମଂଦରଧର

ଏହି ପ୍ରାର୍ଥନା ମୋହର ହେ ଗଜପତି

ଭବେ ଯେତେଦିନ ଥିବି            ଚିର ସହାୟତା ଦେବି

ଆପଣଂକୁ ରାଜ୍ୟ ସେବି କରି ବିନତି

ମୋହର ଅଟଳ ସଂକଳ୍ପ

ରାଷ୍ଟ୍ରଦେବଙ୍କର ଜୟ ହେଉ ଅନଳ୍ପ ।।୮୪।

ତିଳେ ମାତ୍ର କୁତ୍ରିମତା            ନଥିଲା ସେଥିରେ ମିଥ୍ୟା

ଯାହା ବା ଆତିଥେୟତା ସେତେବେଳର

ତାଂକର ସେବା ନିମନ୍ତେ             ନିଯୁକ୍ତ ଥିଲେ ପର୍ଯ୍ୟାପ୍ତେ

ଦେଉ ଥିଲେ ସେବା ଯେତେ ପରିମାଣର

ସଶସ୍ତ୍ରେକ ଶତ ପାଇକ

ପହରା ଚାରିଦିଗରେ ହୋଇ ସତର୍କ ।।୮୫।

ଏକାକୀ ବସି କକ୍ଷରେ            ଗଜପତି ଦୁଶ୍ଚିତାରେ

ମାନସିଂହଙ୍କ ରାଜ୍ୟରେ ଅଣନିଶ୍ୱାସୀ

ହୋଇ ପଡ଼ୁଥିଲେ ଭାବି            ବ୍ୟକ୍ତିଗତ ସୁଖ ଲଭି

କାଳାତିପାତେ ସଂଭବି ଭାବେ ବିଳସି

ସାମଗ୍ରିକ ଭାବେ କିପରି

ଗଡ଼ପତିଙ୍କୁ କେବଳ ଏକତ୍ର କରି ।।୮୬।

ପ୍ରଚଣ୍ଡ ଏକ ଯୁଦ୍ଧର            ସବଂଧ ସଂଭବପର

ହୋଇ କି ପାରିବ ତାର କିଏ ଦାୟିତ୍ୱ

ସେହି ଚିନ୍ତାରେ ରାଜନ             ଘାରି ହୋଇ କାଟି ଦିନ

କେ ନେବ ଏହି ମହାନ ଯୁଦ୍ଧ ଦାୟିତ୍ୱ

ପଡ଼ୁଥିଲେ ଅଶାନ୍ତ ହୋଇ

ବୁଦ୍ଧିବଣା ହେଲା ସମାଧାନ ତା ନାହିଁ ।।୮୭।

ହୋଇଲା ସଂଧ୍ୟା ଆଗତ             ନୀଡ଼ ପ୍ରତ୍ୟାଶୀ ବହୁତ

କୂଜନରେ ଅଫୁରନ୍ତ ପକ୍ଷୀର ପ୍ରୀତି

ସଂଗୀତ -ରସ - ସଂଭାର ଭସା ଭେଳା ବାଦଲର

ମଧ୍ୟେ ବିଦାୟ ସୂର୍ଯ୍ୟର ରଶ୍ମି ଝଟତି

ଉଙ୍କିମାରି ପୁଣି ଭାଗ୍ୟର

ଆବର୍ତ୍ତନ ପରି ହେଉଥିଲେ ଅନ୍ତର ।।୮୮।

 

Unknown

୧୮ଶ ସର୍ଗ

 

ରାମଚନ୍ଦ୍ର ଦେବ କକ୍ଷରେ

ରାଜା ମଂଦର ଧର

ମାନସିଂହ ହେଲେ ପ୍ରବେଶ

ଦିଶୁଥିଲେ ଗମ୍ଭୀର

କହିଲେ ଖୁରୁଧା କଟକେ

ପଟିଆ ପଦ୍ମନାଭ

ଦେବ ଅଭିଷେକ ହୋଇଛି

ସେଠି ମୀର ହବିବ

ଏହି ଅଭିଷେକ ପୂର୍ବକୁ

କରିଛନ୍ତି ପ୍ରଦାନ

ସ୍ୱୀକୃତ ତାଙ୍କର ଘେନିଣ

ବହୁ ମୋଗଲ ସୈନ୍ୟ ।

ବର୍ତ୍ତମାନ ଗାଦିନାସୀନ,

ହେଲାପରେ ରାଜ୍ୟର

ଲୋଡ଼ିଛଂତି ଗଡ଼ପତିଙ୍କ

ସ୍ୱୀକୃତି କି ତାଂକର ।

ଓଡ଼ିଶାର ଗଡ଼ପତିଙ୍କୁ

ଦୂତ ପଠାଇ ଖରେ

ସଂବାଦ ସଂଗ୍ରହ ବହନ

କରିଛନ୍ତି ସେଠାରେ ।

ଆହତ କଂଠରେ କହିଲେ

ରାମଚନ୍ଦର ଦେବ

କେଡ଼େ କଥା କଲା ପଟିଆ

ସାମନ୍ତ ପଦ୍ମନାଭ ।

ଅବଗତ ହୋଇ ପାରିବା

ମାନସିଂହ ଏଠାରେ

ସମସ୍ତ ଖବର ବୃତ୍ତାନ୍ତ

ରାଜଗୁରୁ ଆସିଲେ ।

ଆବର୍ତ୍ତମାନରେ ମୁର୍ଶିଦ

କୁଲିଖାଁଙ୍କ ଏ ଯାହା

ନାଟକୀୟ ଷଡ଼ଯନ୍ତ୍ରର

ଘଟିଗଲା ହେ ତାହା ।

ହେବ ପରିଣତି ଯେ ଜଣା

ପଡ଼େ ଏ ଓଡ଼ିଶାର

ଅସହାୟ ଆତ୍ମ ସମର -

ପଣ ଯା ଜଳଜଳ ।

ବାଘ ବକରୀର ଖେଳରେ

ଏହି ମୀର ହବିବ

ସିଦ୍ଧହସ୍ତ ଅଟେ ଅତ୍ୟନ୍ତ

ଜାଣିଛି ମୁଁ ତା ଭାବ ।

ଆହାର ଅନ୍ୱେଷୀ ଗୋଟିଏ

ଝିଟିପିଟି କାନ୍ଥରେ

ଏକଜୀବ ଦେଖି ଶବଦ

କଲା ସେ ଉଲ୍ଲାସରେ ।

ରାମଚନ୍ଦ୍ର ଦେବ ହତାଶ

ଚିତ୍ତତଳେ ଆଶାର

କ୍ଷୀଣ ଦୀପାଳି ଟି ଯେପରି

ତେଜୀୟାନ ପ୍ରଖର ।

ହୋଇ ଆସ୍ତେ ଆସ୍ତେ ଆଲୋକ

ଦେଲା ମୁହୂର୍ତ୍ତେ ପାଇଁ

ସେ ପରି ମାନସ ତାଂକର

ହେଲା ସ୍ୱଭାବ ପାଇ - ।

ସଂଧ୍ୟା ପରେ ଗୃହ ମଧ୍ୟରେ

ନିଶି ପ୍ରଦୀପ ଜାଳି

ଦେଇଗଲା ପରିଚାରକ

ତାର କର୍ତ୍ତବ୍ୟ କରି ।

ଗଡ଼ ଅଧିଷ୍ଠତ୍ରୀ ଦେବୀଙ୍କ

ପୀଠେ ସାଂଧ୍ୟ ଆଳତୀ

ନିନାଦିତ ହୋଇ ଉଠିଲା

ଘଂଟ ଘଂଟା ଝଟତି ।

କୁଂଠିତ କଂଠରେ ମଂଦର

ଧର କହିଲେ ବସି

ଯାହା ଦୂତ ମୁଖୁ ଶୁଣିଲି

କହୁଅଛି ଭରସି ।

“ବର୍ତ୍ତମାନ ଚତୁର୍ଦ୍ଦିଗରେ

ଘେରି ଗୁପତ ଚର

ଛଦ୍ମବେଶେ ବୁଲୁଅଛନ୍ତି

ଠାବ ଆପଣଙ୍କର ।

ସକାଶେ ପ୍ରକାଶ୍ୟେ ଉଦନ୍ତ

ହୋଇ ଅଛି ପ୍ରେରିତ

ରାମଚନ୍ଦ୍ର ଦେବ ଧରମ

ଚ୍ୟୁତ ସେ ଗାଦିଚ୍ୟୁତ ।

ତେଣୁ ଅଧିକାର ତାଂକର

ଗଜପତି ଗାଦିରେ

ନାହିଁ ଆଉ ପ୍ରଜା ଜାଣନ୍ତୁ

କଉଣସି ପ୍ରକାରେ ।

ଓଡ଼ିଶାର ପ୍ରଜାକୁଳଙ୍କ

ରାଷ୍ଟଦେବତା ଆଦ୍ୟ

ସେବକ ଭାବରେ ଯେ ହିଂଦୁ

ରାଜା ସରବ ବଂଦ୍ୟ ।

ସେ କେବଳ ଖୋର୍ଦ୍ଧା କଟକେ

ଗଜପତି ହୋଇବେ

ବିଧର୍ମୀଙ୍କ ସ୍ଥାନ ସେଠାରେ

ନାହିଁ ନଥିଲା କେବେ ।

ଧର୍ମ ଦ୍ରୋହୀ ରାମଚନ୍ଦର

ଦେବ ଏ ଓଡ଼ିଶାର

ଧର୍ମ ଧାରଣାରୁ ସଂପୂର୍ଣ୍ଣ

ମୃତ ନାହିଁ ଖବର ।

ଏଣୁ ସେ ଖୋରଧା କଟକେ

କଲେ ପୁନଃଗମନ

ମୃତ୍ୟୁଦଣ୍ଡ ଅବଶ୍ୟମ୍ଭାବୀ

ଦୂତ ଚିଠି ପ୍ରମାଣ ।

ଆଉ ଯଦି ଗଜପତିଙ୍କୁ

କେଉଁ ସାମନ୍ତ ରାଜା

ଆତିଥ୍ୟ ପ୍ରଦାନ କରିବେ

ଦେଇ ଆଶ୍ରୟ ମଜା ।

ତେବେ ସେ ବିରୁଦ୍ଧା-ଚରଣ

ମୋଗଲ ଶାସନର

କରିବେ, ତାହାଙ୍କୁ ଦୁଷ୍ମନ

ଗଣାଯିବ ଖବର ।

ଅନିର୍ବାର୍ଯ୍ୟ ତାଂକ ଉପରେ

ହେବ ଆକରମଣ

ଗଡ଼ପତିମାନେ ଏଥିରେ

ତେଣୁ ହେ ସାବଧାନ” ।

ମନେ ମନେ ହସି ଉଠିଲେ

ରାମଚନ୍ଦର ଦେବ

ପଠାଇ ଅଛି ଏ ସଂଦେଶ

ଭୀରୁ ସେ ପଦ୍ମନାଭ ।

ପୁନଃ ପ୍ରାଣଦଣ୍ଡ ହୁକୁମ

କେଡ଼େ ସାହାସ ତାର

ପାଖରେ ପଡ଼ିଲେ ମୋଡ଼ନ୍ତି

ଦୁଇହାତେ ତାଶିର ।”

ଏହା ଯେଉଁପରି ଭାଗ୍ୟର

ଉପହାସ ଦାରୁଣ

ନିର୍ଯ୍ୟାତିତ କାନ୍ତାପ୍ରାଣର

ରେଜିୟାର ସଲାମ ।

ଅଶ୍ରୁଳାଭିଶାପ ଯେପରି

ତାର କି ବେଦନାର

ବରଜି ତାହାକୁ ଆସିଛି

ଏ ନର ସିଂହପୁର ।

ଧିରେ ଦୃଢ଼ କଂଠେ କହିଲେ

ରାମଚନ୍ଦର ଦେବ

ମୋର ଉପସ୍ଥିତ ଏଠାରେ

ବିପର୍ଯ୍ୟୟ ଆଣିବ ।

ଆପଣଂକ ପାଇଁ ତେଣୁ ହେ

ମାନସିଂହ ଆପଣେ

ପ୍ରବଂଧ କରନ୍ତୁ ଏପରି

ସ୍ଥାନ ଯିବି ତକ୍ଷଣେ, ।

ଯେଉଁଠି ଏକାକୀ ସ୍ୱଚ୍ଛଂଦେ

ହେବ ଅତିବାହିତ

ଏ ଜୀବନ ମୋର, କେବଳ

ଥିବେ ଜଗତ ନାଥ ।

ସେଠାରେ ପତିତ ପାବନ

ଦରଶନ କରିଣ

ମୁଁ ଅତିବାହିତ କରିବି

ଥିବା ଏହି ଜୀବନ ।

ତେବେ ଆଉ କ’ଣ ଓଡ଼ିଶା

ରାଜ୍ୟ ଇତିହାସରେ

ଐକ୍ୟ-ବଡ଼ଦାଣ୍ଡ ପ୍ରତିଷ୍ଠା

ହେବ କି ଆଉଥରେ?

ହତାଶ ଭଂଗୀରେ ମୁଖକୁ

କରି ଦ୍ୱାର ଆଡ଼କୁ

ରାଜା ମାନସିଂହ ଭାଷିଲେ

କରି ମୁହଁ ତଳକୁ ।

“ଶ୍ରୀଜଗନ୍ନାଥ ହିଁ ଜାଣନ୍ତି

ମଣିମା ତା କେବଳ

ଏ ଜାତି ବିପତ୍ତି ଆଶ୍ରୟ

ଦାତା ଚକରଧର ।

ସେ ରାଷ୍ଟ୍ର ଦେବତା ଆମର

ସେହି ପୁରୁଷୋତ୍ତମ

ଆପଣଙ୍କ ନିରାପତ୍ତାକୁ

ସ୍ଥାନର ନିର୍ବାଚନ ।

ତାଂକ ଦ୍ୱାରା ହେବ କେବଳ

ମାତ୍ର ନିମିତ୍ତ ମୁହିଁ

ନିରୁପଣ ଛାମୁଁ କରୁଛି

ଚିନ୍ତା କରନ୍ତୁ ନାହିଁ” ।

ମଂଦର ଧର ମାନସଂହ

କହି ଗୃହ ମଧ୍ୟରୁ

ନିଷ୍କ୍ରାନ୍ତ ହୋଇଲେ ପାଦକୁ

କାଢ଼ି ବେଦନା ଗୁରୁ ।

ଆକାଶେ ଖଣ୍ଡିତ ମେଘର

ଆସର-ର-ମଧ୍ୟରେ

ଅଜ୍ଞାତ ତିଥିର ଚନ୍ଦ୍ରମା

ଧିରେ ଉଦୟ ହେଲେ ।

ମହାନଦୀ ବକ୍ଷ ଭେଦିଣ

ଓଡ଼ିଶାର ଯେପରି

ଆସୁଥିଲା ବହି ସୁଦୀର୍ଘ-

ଶ୍ୱାସ ବ୍ୟଥା ସଂଭାଳି ।

ବ୍ୟଥା ନିର୍ଯ୍ୟାସରେ ଶୀତଳ

ଘନ ବପୁ ପବନେ

ଉଠୁଥିଲା ରୋମ ଟାଂକୁରି

ପରିସ୍ଥିତି ସ୍ମରଣେ ।

ଗଡ଼ର ପାଇକ ସଦେଇ

ଧିରେ ଗୃହ ମଧ୍ୟକୁ

ଆସି ତେଜି ଦେଇ ନୀରବେ

ସେ ନିଶି ପ୍ରଦୀପକୁ ।

ଆଦେଶ ନିମନ୍ତେ ପ୍ରତୀକ୍ଷା

କରୁଥିଲା ପାଶରେ

ରାମଚନ୍ଦ୍ର ଦେବ ବାହାରୁ

ଦୃଷ୍ଟିକୁ ଫେରାଇଲେ ।

ସ୍ୱଭାବ ପ୍ରବଣ କଂଠରେ

କହିଥିଲେ ସଦେଇ

ଓଡ଼ିଶା ଗୌରବ ଜ୍ୟୋତିକୁ

ତେଜି ହେବକି ନାହିଁ ?

ସଦେଇ ଅବୋଧ ଭାବରେ

ସବିନୀତ ସରଳ

କହିଲା ମଣିମା ଦୀପରୁ

ସରି ଆସୁଛି ତେଲ ।

ଏହି ଦୀର୍ଘ ରାତ୍ରି ଭିତରେ

କେତେବେଳେ ସଳିତା

ନିଭିଯିବ କିଏ କହିବ

ତାହା ଜାଣେ ବିଧାତା ।

ଅସହାୟ ଏକ ନିଃସଙ୍ଗ

ନିଶାଚର ଚିତ୍କାର

ବିହଂଗାମାକୁଳ ଶ୍ରବଣେ

ଶୁଣି ରାମଚନ୍ଦର ।

ଆଖିବୁଜି ଦେଇ ଡ଼ାକିଲେ

ରଖ ଜଗତ ନାଥ

କୃପାକର ଏହି ଦୀନରେ

କରି ତାକୁ ସନାଥ ।

******

ନରସିଂହ ପୁର ଗଡ଼ରେ

ଅବସ୍ଥାନ ସମୟ

ଦୀର୍ଘ ଏକମାସ ହେଲାଣି

ଅତିବାହିତ ହାୟ ।

ବରଷା ଋତୁର ପ୍ରାବୁଟ

ଧାରା ସଧିରେ ଧିରେ

ଗତିଶୀଳ ହୋଇ ଯାଇଣ

ଥିଲା ପ୍ରଭଂଜନରେ ।

ଆକାଶର ମେଘ ମହ୍ଲାର

ସ୍ୱର ସଂଗୀତ ହୋଇ

ଝରି ପଡ଼ୁଥିଲା ଅସରା

ବର୍ଷା ଅସରା ହୋଇ ।

ଅତିଥି ଶାଳାର ନିଃସଂଗ

ସମାରୋହ ମଧ୍ୟରେ

ପ୍ରତୀକ୍ଷାମୟର ଜୀବନ

ରାଜା ବିତାଉ ଥିଲେ ।

କଥା ଥିଲା ଦଶପଲ୍ଲାରୁ

ପ୍ରତ୍ୟାବର୍ତ୍ତନ କରି

ଖୁରୁଧା କଟକ ସଂବାଦ

ଗୁରୁ ଆସିବେ ଧରି

ନରସିଂହ ପୁର ଗଡ଼କୁ,

କାହିଁ ଆସିନାହାନ୍ତି

ରାଜା ଛଟପଟ ଏ କଥା

ଭାବି ଦିବସ ରାତି ।

ରାଜ ଦ୍ରୋହ ଅପରାଧରେ

ଅବା ସେ ବିତାଡ଼ିତ

ହୋଇପାରେ ଗୁରୁ ନଜର

ବଂଦୀ ହେଲେଣି କି ତ?

ହୋଇ ଯାଇଥିଲା ବେଳରେ

ଅତିକ୍ରାନ୍ତ ପ୍ରହର

ମଧ୍ୟାହ୍ନ ଭୋଜନ ସାରିଣ

ଦେବ ରାମଚନ୍ଦର ।

ଏକାକୀ ମେଘର ମେଦୁର

ପରିବେଶରେ ବସି

ନିଜର ବିଶ୍ରାମ କକ୍ଷରେ

ଥିଲେ ଚିନ୍ତାରେ ରସି ।

ବାହାରେ ଶ୍ରାବଣ ବରଷା

ନିପୁଣେକ ନର୍ତ୍ତକୀ

ପରି ସେ ନୁପୁର ନିକ୍ୱଣ

ରୁମ୍‌ ଝୁମ୍‌ ବରକୀ ।

ସମାନ ରାଗିଣୀ ସରଜି

ସୃଷ୍ଟି କରିଣ ନୃତ୍ୟ

ରସାଣିତ ଯାହା ପ୍ରାରମ୍ଭ

କରିଥିଲା ଏ ସତ୍ୟ ।

ସଦେଇ ଗୃହକୁ ପ୍ରବେଶ

କରି କହିଲା ଧିରେ

ନିରାପଦ ନୁହେ ମଣିମା

ଆଉ ଏହି ଗଡ଼ରେ ।

ଗଡ଼ ସେନାପତି ଏକଥା

କହୁଥିଲେ କାନରେ

କିଛି କ୍ଷଣ ଚାହିଁ ତାହକୁ

ରାଜା ଉତ୍ତର ଦେଲେ, ।

ତାହା ମୁଁ ଜାଣେରେ ସଦେଇ

ଆଉ କରିବା କ’ଣ

ପରିବେଶ ପରିସ୍ଥିତିରୁ

ଏଠି ହିଁ ଅବସ୍ଥାନ ।

କରିବାକୁ ବାଧ୍ୟ ହୋଇଛି

ଆଉ ନାହିଁ ଉପାୟ

ଏ ପର୍ଯ୍ୟନ୍ତ ଗୁରୁ ଫେରିଲେ

ନାହିଁ ମନେ ସଦେହ ।

“ଆଦେଶିଲେ ଯାତ୍ରା କରିବି

ବରୁଣେଇ କଟକେ

ସେଠାରୁ ସଂବାଦ ଘେନିଣ

ଫେରିବି ମୁଁ ଛଟକେ ।”

ନିରୀକ୍ଷଣ କରି ମୁହୂର୍ତ୍ତେ

ସଦେଇକୁ କହିଲେ

“ଗଜପତି ଆଶ୍ୱାସନରେ

ଯାଆରେ ତୁ ଗାଁଆ ରେ ।

ଗ୍ରାମରେ ଆତ୍ମୀୟ ସ୍ୱଜନ

ବାବୁ ଆସିଛୁ ଛାଡ଼ି

ରାଜକର୍ମଚାରୀ ହୋଇଛୁ

ରାଜ ଗୃହକୁ ମାଢ଼ି ।

କିଂତୁ ଗଜପତି ଆଜିରେ

ଗାଦିଚ୍ୟୁତ ଭିକାରୀ ।

ତୁ ଆଉ କାହିଁକି କହିବୁ

ସେବା ଆଉ ଏପରି

ନିଃସଂଗ ଜୀବନ ଯାପନ

କରିବୁବା କାହିଁକି ।

ଏକ ପରିତ୍ୟକ୍ତ ପାଖରେ

ସ୍ୱାଧୀନତାକୁ ବିକି ।

ଓଡ଼ିଶାର ସାର୍ବଭୌମର

ସ୍ୱାଧୀନତାର ସ୍ୱପ୍ନ

ବିଭୋର ହୋଇଣ ହୋଇଲି

ନିଜେ ସ୍ୱଧର୍ମ ହୀନ ।

ନିନ୍ଦିତ, ଭର୍ତ୍ସିତ ଜୀବନ

ମୋର ଜାଣୁ ସଦେଇ

ରାଜ୍ୟ ତ୍ୟାଗୀ ହେଲି, ଖୋଜନ୍ତି

ଶତ୍ରୁ ମାରିବା ପାଇଁ ।

ରାଜ ଅଭିଜାତ ସ୍ୱପ୍ନର

ଦୂରନ୍ତର ମୋହକୁ

ଛାଡ଼ି ଫେରିଯାଅ ଆନଂଦେ

ତୋର ନିଜ ଗ୍ରାମକୁ ।

ଆଉ ସଂତୁଳିତ ନକରି

ଜୀବନକୁ ତୋହର

ତୋତେ ନଭୁଲିବ ଓଡ଼ିଶା

ସେବକ ତୁ ତାହାର, ।

ଯଦି କେବେ ବରୁଣେଇକୁ

କରେ ପତ୍ୟାବର୍ତ୍ତନ

ତେବେତୁ ଗାଆଁରୁ ଆସିବୁ

ହେବା ଭେଟ ସେ ଦିନ ।

ସ୍ତ୍ରୀ ପୁତ୍ର ସଂସାର ତୋହର

ତୋର ବିନେରେ ବାବୁ

ହୋଇ ପଡ଼ିଥିବ ହତ ଶ୍ରୀ

ତାଂକୁ ଅଭୟ ଦେବୁ ।”

ସଦେଇ ସ୍ତବଧ ଚକିତେ

ଗଜପତି ମୁଖକୁ

“ଚାହିଁକହେ ଛାମୁ ଏକଥା

ପଡ଼ିଲା ଶୁଣିବାକୁ ।

ଯେଉଁ ଗଜପତି ସାନ୍ନିଧ୍ୟ

ସେବାରେ ଜୀବନର

ଅର୍ଦ୍ଧଭାଗ ମୋର କଟିଲା

ଅସମୟେ ତାଂକର ।

ତାଂକୁ ଛାଡ଼ି କରି କିପରି

ଯିବି ଛାମୁ ମଣିମା

ସେ ପରା ଶ୍ରୀଜଗନ୍ନାଥଙ୍କ-

-ର ଚଳନ୍ତା ପ୍ରତିମା ।

ଆଉ ସେହିପରି କଥାକୁ

ଛାମୁ କହିବେ ନାହିଁ

ଗଜପତି ରାମଚନ୍ଦ୍ରଙ୍କ

ଅଛି ନିମକ ଖାଇ ।

ପାଇକ ପୁଅ ସେ ସଦେଇ

କୃତଘ୍ନତା ଜଣେନା

ସେବାରୁ ବଂଚିତ କରନ୍ତୁ

ନାହିଁ ମୋତେ ମଣିମା” ।

କଂଠ ବାଷ୍ପାକୁଳ ହୋଇଲା

ସଦେଇଲ ସେଠାରେ

କାରୁଣ୍ୟର ଧାରା ଚକ୍ଷୁର

ଝରି ପଡ଼ିଲା ତଳେ ।

ଉକ୍ତି ପୂତ ଅର୍ଘ୍ୟ ସମାନ

ରାମଚନ୍ଦ୍ର ଦେବଙ୍କ

ପାଦ ଧୌତ କଲା ନୟକୁ

ଧାରା ଖସି ସଳଖ ।

ସଦେଇ ଉତ୍‌କର୍ଣ୍ଣ ହୋଇଣ

ଶବ୍ଦ ଅଶ୍ୱ ଖୁରାର

ଶୁଣି ବାହାରକୁ ଚାହିଁଲା

ସ୍ତବ୍ଧ ହେଲେ ସକଳ ।

ଚାହୁଁ ଚାହୁଁ ମୃଦୁ ବର୍ଷାର

ବାରି ଧାରରେ ସିକ୍ତ

ଅଶ୍ୱ ପୃଷ୍ଠେ ବସି ଆସନ୍ତି

ଏକ ଅପରିଚିତ ।

ଶ୍ମଶ୍ରୁଧାରୀ ଯୋଦ୍ଧୃ ପୁରୁଷ

ବଦ୍ଧାସି କମରରେ

ଦେହୋପରେ ସୈନିକରେକ

ପରିଧାନ ବହଳେ ।

ଅଶ୍ୱପୃଷ୍ଠୁ ଅବତରଣ

କରି ଏକା ନିଶ୍ୱାସେ

ଗୃହ ମଧ୍ୟେ ପଶି ଯାଇଣ

ଶ୍ମଶ୍ରୁ ଖୋଲିଲେ ଶେଷେ ।

ବିଷ୍ଫାରିତ ନେତ୍ରେ ବିସ୍ମୟେ

ଚାହିଁ କଲେ ଚିତ୍କାର

କୁଣ୍ଢେଇଲେ ରାଜଗୁରୁଙ୍କୁ

ଉଠି ରାମଚନ୍ଦର ।

ଯୋଦ୍ଧୃବେଶେ ଆପଣଙ୍କର

ଆଗମନ କାହିଁକି

ବରଷା ଭିଜାର ପୋଷାକ

ଖୋଲୁ ଖୋଲୁ ତରକି ।

କହିଲେ ସମୟ ଜଟିଳ

ଅତି ହେ ଗଜପତି

ମୀର ହବିବଙ୍କ ଆଦେଶ

ଚଳୁ ଅଛି ସଂପ୍ରତି ।

ଖାସ ତାଂକ ପ୍ରରୋଚନାରେ

ବହୁ ସାମନ୍ତ ରାଜା

ପଟିଆର ପଦ୍ମନାଭଙ୍କୁ

ଏବେ କରନ୍ତି ପୂଜା ।

ଗଜପତି ରୂପେ ମାନ୍ୟତା

କରିଛଂତି ପ୍ରଦାନ

ମୀର ହବିବଂକ ବଳରେ

ଆଜି ସେ ବଳୀୟାନ ।

ପଦ୍ମନାଭ ଦେବ ସଂଦେହୀ

ଦୃଷ୍ଟି ବୁଲୁଛି ଘୁରି

ବର୍ତ୍ତମାନ ମୋର ଉପରେ

ଛଦ୍ମ ବେଶେ ଆସିଲି ।

ଭେଦିଆ ପଣ୍ଡିତ ମାନେ ବି

ରାଜଗୁରୁ ପଦରୁ

ମୋତେ ବହିଷ୍କାର କରିବା

ପାଇଁ ଉଦ୍ୟମ ଶୁରୁ ।

ପ୍ରାରମ୍ଭ କଲେଣି ଆପ୍ରାଣ,

କିଂତୁ ଏକ ମାତର

ଦୁର୍ବିନୀତ ଖଣ୍ଡପଡ଼ାର

ସାମନ୍ତ ରାଜାଙ୍କର ।

ବଶ୍ୟତା ଆଦାୟ ନିମନ୍ତେ

ଏକ ଆଳ ପ୍ରସ୍ତୁତ

କରି ମୁଁ ଆସିଛି ଇଚ୍ଛାରେ

ଆପଣଙ୍କୁ ସାକ୍ଷାତ ।

ଖଣ୍ଡପଡ଼ା ଦଶପଲ୍ଲାର

ଦୁଇ ସାମନ୍ତ ରାଜା

ଏହି ଷଡ଼ଯନ୍ତ୍ର ସଂଜାତ

ଗଜପତିକୁ ମଜା ।

ଚଖାଇବାକୁ ହେ ତିଆର

ହେଉଛନ୍ତି ମାନସେ

ତେଣୁ ପଦ୍ମନାଭ ଦେବଙ୍କ

ନାହାନ୍ତି ସେ ବିଶ୍ୱାସେ ।

ଏହି ଦୁର୍ବିନୀତ କୋ÷ଣସି

ରାଜାଙ୍କ ଇଲାକାରେ

କରିଛନ୍ତି ଆତ୍ମଗୋପନ

ବୋଲି ସଂଦେହ ଘାରେ ।

କରୁଛନ୍ତି ମେଳି ପ୍ରସ୍ତୁତ

ତେଣୁ ଗୋଷ୍ଟି ଭେଦିଆ

ପଠାଇ ଅଛନ୍ତି ଗୁପତ

ଚର ବାଛି ଭେଣ୍ଡିଆ ।

କରିବାକୁ ଠାବ କେବଳ

ଆପଣଙ୍କୁ ବିଶେଷେ

ଟାର୍‌ଗେଟ୍‌ ଆପଣ ତାଂକର

ଭୟ ଅଛି ମାନସେ ।

ଏବେବି ଛାମୁଙ୍କ ନାମରେ

ହେଉଛନ୍ତି ଛାନିଆ

କୌଶଳେ ଛାମୁଙ୍କ ମୃତ୍ୟୁକୁ

ଲୋଡ଼ୁଛନ୍ତି ଭେଦିଆ ।

ସମ୍ମୁଖ ସମର ତାହାଙ୍କ

ହେବ ନାହିଁ ଜୀବନେ

ତେଣୁ ଛଦ୍ମବେଶେ ଖୋଜନ୍ତି

ଧରିବାକୁ ଯତନେ ।

କରିବାକୁ ହେବ ଅପେକ୍ଷା

ମହାରାଜ ଆମକୁ

ଶୁଭ ସ୍ୱୟମ୍ବର ପର୍ଯ୍ୟନ୍ତ

ଜଗିଣ ସମୟକୁ ।

ବର୍ତ୍ତମାନ ସବୁ ସାମନ୍ତ

ଗଡ଼ ପତି ମାନଂକ

ସହାୟତା ଲାଭ କରିବା

ନୁହେଁ ସଂଭବ ଏକ ।

ଦ୍ୱିତୀୟରେ ଆବଶ୍ୟକ ଯେ

ଅବିଳମ୍ବେ ଆପଣ

ଗଡ଼ ଛାଡ଼ି ଯାଇ ଅନ୍ୟତ୍ର

ବାଛି ଗୁପତସ୍ଥାନ

ଅବସ୍ଥାନ କରି ସେଠାରୁ

ପଥ ପ୍ରତିଶୋଧର

ଫିଟାଇବେ ପରିକଳ୍ପନା

ସମୁଚିତ ବୋଧର ।

ଗୃହ ମଧ୍ୟେ ପଶି ଆସିଲେ

ରାଜା ମଂଦରଧର

କହିଲେ ଛାମୁଙ୍କ ସକାଶେ

ଲାଖପଡ଼ା ତିଆର

ଗଡ଼ ନରସିଂହ ପୁରର

ମାହାଲ ନିବାସରେ

ଛାମୁ ଅବସ୍ଥାନ କରିବେ

ଅଛି ଲାଖପଡ଼ାରେ ।

ଭଂଜ ଅଧ୍ୟୁଷିତ କ୍ଷତ୍ରିୟ

ଗଡ଼ ସେ ଲାଖପଡ଼ା

ଆଗାମୀ ଯୁଦ୍ଧର ପ୍ରସ୍ତୁତି

ସେଠି ହୋଇବ ପୁରା ।

ଆଗାମୀର ଯୁଦ୍ଧ ପ୍ରସ୍ତୁତି

ରାମଚନ୍ଦ୍ର ଦେବଙ୍କୁ

ଲାଗୁଥିଲା ଖାପଛଡ଼ାକି

ବ୍ୟବସ୍ଥା ପ୍ରସ୍ତାବକୁ ।

ଆଶ୍ୱାସନା ବାଣୀ ସବୁଙ୍କ

ଯହିଁ ବିପନ୍ନ ପ୍ରାଣ

ଜୀବନ ପ୍ରତିଷ୍ଠା ପାଇଁକି

ସଂଘର୍ଷ ଅନୁକ୍ଷଣ ।

ସେଠାରେ ସମର ବାଦ୍ୟର

ଭେରୀ ମାତ୍ର କଳ୍ପନା

କେବଳେକ ଭୀରୁ ଦୁର୍ବଳ

ପାଇଁ ରିକ୍ତ ସାନ୍ୱନା ।

ସଶସ୍ତ୍ର ପାଇକେକଶତ

ଲାଖପଡ଼ା ଗ୍ରାମରେ

ନିଯୁକ୍ତ ହୋଇବେ ଛାମୁଙ୍କ

ଦେହ ରକ୍ଷି ଭାବରେ ।

ଏକ ନିବେଦିତ ପ୍ରାଣର

ଅଫୁରନ୍ତ ନିର୍ଝର

ବିଶୁଦ୍ଧ ସଂଗ୍ରାମୀ ଜୀବନ

ରାମ-ଚନ୍ଦରଙ୍କର ।

ଲୋଡ଼ା ସେ ପ୍ରାଣର ସୁରକ୍ଷା

ସ୍ୱାର୍ଥ ପାଇଁ ରାଜ୍ୟର

ମାନରକ୍ଷା ପାଇଁ ସର୍ବଦା

ରାଷ୍ଟ୍ରଦେବତାଙ୍କର

କରଯୋଡ଼ି କରି ମଂଦର

ଧର ସେ ମାନସିଂହ

କହିଲେ ଏଠାରେ ଶୃଗାଳ

ଅଟେ ଏ ଗଡ଼ ସିଂହ ।

ଗଡ଼ପତିଙ୍କର ଜୀବନ

ଆଦର୍ଶ ମାନଦଣ୍ଡ

ମହାର୍ଘ ଜୀବନ ସୁରକ୍ଷା

ପାଇଁ ହେବୁ ପ୍ରଚଣ୍ଡ ।

ଆମ ରାଜକୀୟ କର୍ତ୍ତବ୍ୟ

ନରସିଂହ ପୁରର

ପ୍ରାଣ ପଣେ ଆମେ ଜଗିବୁ

ଏ ପ୍ରତିଜ୍ଞା ଆମର ।

ତେବେ ଯଥାଶୀଘ୍ର ସେଠାକୁ

ପ୍ରସ୍ଥାନର ବ୍ୟବସ୍ଥା

ହେଉ ମାନସିଂହ ଆପଣେ

ରାଜଗୁରୁଙ୍କ ବ୍ୟଥା ।

ଗଜପତିଙ୍କର ସେଠାରେ

କଲାପରେ ରହଣି

ଖୁରୁଧା କଟକ ଫେରିବି

ଏହା ଗୁରୁଙ୍କ ବାଣୀ ।

ବାର୍ତ୍ତା ପ୍ରଚାରିତ ହୋଇବ

ଖୁରୁଧା କଟକରେ

ନିରୁଦ୍ଦିଷ୍ଟ ରାମଚନ୍ଦର

ଆତ୍ମ ଗୋପନ କାଳେ ।

ପଳାୟନ ସମୟରେ କି

ଘନାରଣ୍ୟ ମଧ୍ୟରେ

ସମ୍ଭବତଃ ଦୁର୍ଘଟଣା କି

ଘଟିଅଛି ପଥରେ ।

ସେହି ସମ୍ବାଦରେ ଖୋରଧା

କଟକେ ଆଶ୍ୱସ୍ତିର

ମଳୟ ପବନ ହୋଇବ

ସଂଚାରିତ କେବଳ ।

ସେତେବେଳେ ଲାଖ ପଡ଼ାରେ

ହେବ ଅଙ୍କୁରୋଦ୍ଗମ

ସଂଗ୍ରାମର ବହ୍ନି ବଳୟ

ପ୍ରଚଣ୍ଡ ଅନିର୍ବାଣ ।

ତିନିଜଣ ଯାକ ଉଠିଲେ

ହସି ଏକ ସମୟେ

ସେ ହସ ଉଦ୍ଦାମ ଲହରୀ

ଆକାଶର ବଳୟେ ।

ବିଦ୍ଦ୍ୟୁତ ଝଲକେ ଖେଳିଲା

ଘନ ମେଘମାଳାରେ

ଜାଗୃତିର ବଜ୍ର ମାଦକ

ଶବ୍ଦ ସରଜି ସ୍ୱରେ

ପାର୍ବତୀୟ ପରିବେଶରେ

ସେ ନରସିଂହ ପୁରେ ।

ମାହାଲ ନିବାସ ଯେ ନାତି-

-ଦୀର୍ଘ ସେହି ଗ୍ରାମରେ

ପାଇକାଧ୍ୟୁଷିତ ଗ୍ରାମଟି

ଲାଖପଡ଼ା ତା ନାମ ।

ବାସ କରୁଥିଲେ ଯେଉଁଠି

ନଇଷ୍ଠିକ ବ୍ରାହ୍ମଣ

ସେହି ଗ୍ରାମେ ଥିଲା ମଂଦିର

ଦଧିବାମନଙ୍କର ।

ପୂଜା ଉପାସନା ସକାଶେ

ଥିଲେ ବ୍ରାହ୍ମଣବର

ଦଧିବାମନଙ୍କ ମଂଦିର

ଲାଗି ଏକ ବିରାଟ

ହତା ମଧ୍ୟେ ଥିଲା ମାହାଲ

ନିବାସ ଯା ଗରିଷ୍ଟ

ନରସିଂହପୁର ରାଜାଙ୍କ

ଖାସ ଭୂସଂପତ୍ତିରୁ

ଆଦାୟ ଫସଲ ଯାହୁଏ

ଜମା ମାତ୍ର ସେଥିରୁ

ଆବଶ୍ୟକ ପରିମାଣର

ଧନ ନିତ୍ୟ ପୂଜାରେ

ହେଉଥିଲା ତାହିଁ ବ୍ୟୟିତ

ରାଜା ଆଜ୍ଞାନୁସାରେ ।

ପୂଜକ ବ୍ରାହ୍ମଣ ମାନଂକ

ସହ ଯେତେ ଅତିଥି

ଅଭ୍ୟାଗତ ପାଇଁ ରାଜାଙ୍କ

ପକ୍ଷୁ ଥିଲା ନିଷ୍ପତ୍ତି ।

ପ୍ରସାଦ ବ୍ୟବସ୍ଥା ପୁରୁଷ-

ଅନୁକ୍ରମେ ସେଠାରେ

ଥିଲା ପ୍ରଚଳିତ ସମସ୍ତେ

ଜାଣିଥିଲେ ରାଜ୍ୟରେ ।

ଆଦେଶ ମଂଦର ଧରଙ୍କ

ରାମଚନ୍ଦର ଦେବ

ତାଂକ ପରିକର ମାନଙ୍କ

ସହ ସେଠି ହୋଇବ ।

ପ୍ରସାଦ ସେବନ ଇତ୍ୟାଦି

ପୂଜା ଅର୍ଚ୍ଚନା ପରେ

ଗଜପତି ରାଜ ଅତିଥି

ରାଜ୍ୟ ସମ୍ମାନ କରେ ।

ନରସିଂହପୁର ରାଜାଙ୍କ

ଏ କଠୋର ନିର୍ଦ୍ଦେଶ

ଠାକୁର ସେବାରେ ଯେପରି

ବିଘ୍ନ ନ ହୁଏ ଲେଶ ।

ପୁଣି ଗଜପତି ସ୍ୱଚ୍ଛଂଦ

ଦିନ ଚର୍ଯ୍ୟାରେ କେବେ

କଉଣସି ବିଘ୍ନ ନ ହେବ

ସବୁ ସଜାଗ ହେବେ ।

ବାର୍ତ୍ତା ବହ ଦୂତ ସେଦିନ

ଆସି ସେ ନିବାସରେ

କୋଠକରଣଙ୍କୁ ପ୍ରଦାନ

କଲା ବାର୍ତ୍ତା ପ୍ରଖରେ ।

ସେ ବାର୍ତ୍ତାର ସ୍ରୋତ ସଧିରେ

ଧିରେ ଲାଖପଡ଼ାରେ

ସଂଚାରିତ ହେଲା ଉତ୍ତଳା

ପ୍ରଭଂଜନ ପ୍ରକାରେ ।

ଆବାଳ ବନିତା ବୃଦ୍ଧଙ୍କ

ସହ ସେ ନିବାସକୁ

ଛୁଟିଥିଲେ ପରା ସେ ଦିନ

ରାଜ ଦରଶନକୁ ।

ସେ ଇତିହାସର ନାୟକ

ରାଜ୍ୟ-ଜନ-ଜୀବନେ

ଧାର୍ମିକ ପୁରୁଷ ଠାକୁର

ରାଜା ଜାଣନ୍ତି ଜନେ ।

ହୋଇ ଥିଲା ବାର୍ତ୍ତା ସଂଚାର

ଗୁଂଜରିତ ସେ କାଳେ

ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି

ପ୍ରତିମାଙ୍କୁ ଦେଖିଲେ ।

ମହାବାହୁଙ୍କର ଦର୍ଶନ

ଫଳ ମିଳେ ତକ୍ଷଣ

ଯେଣୁ ଗଜପତି ସାକ୍ଷାତ

ସେ ନର ନାରାୟଣ ।

ଆଦ୍ୟ ସେବକ ସେ ଜଗତ

ନାଥଙ୍କର କର୍ମରେ

ଛେରାପହରାକୁ ଆଦରି

ଛନ୍ତି ପ୍ରଭୁ ଯାତ୍ରାରେ ।

ତାଂକୁ ଦରଶନ କରିବା

ଅର୍ଥ ଲକ୍ଷେ ଗାଭୀର

ଦାନ ପୁଣ୍ୟଫଳ ଅର୍ଜନ

ବିଶ୍ୱାସ ଜନତାର ।

ସେହି ମହାରାଜ ଭାଗ୍ୟକୁ

ଲାଖପଡ଼ା ଗ୍ରାମରେ

ଅବସ୍ଥାନ କରୁଅଛନ୍ତି

ତାଂକ ଦୁର୍ଭାଗ୍ୟ ଫଳେ ।

ବୋଧହୁଏ ଦୀନ ପତିତ

ଦାନ ଅସମର୍ଥଙ୍କୁ

ଦର୍ଶନର କୃପା ପ୍ରଦାନ

ସତ୍ୟେ ବା କରିବାକୁ ।

ସେଇ ଦିନ ଭେଟି ସାମଗ୍ରୀ

ନିବେଦିତ ସାଇତି

ରଖିବାରେ କୋଠ କରଣ

ଗଳଦଘର୍ମ ହୁଅନ୍ତି ।

ବାର୍ତ୍ତା ପ୍ରଚାରିତ ହୋଇବା

ଫଳେ ଲାଖପଡ଼ାର

ପାଶ୍ୱର୍ବର୍ତ୍ତୀ ବହୁ ଗ୍ରାମରୁ

ଲୋକ ହେଲେ ପ୍ରବଳ ।

ଓଡ଼ିଶାର ଜନଜୀବନେ

ଗଜପତି ରାଜାର

ଭାବମୂର୍ତ୍ତି କେତେ ମହିମ୍ନ

ଶ୍ମାଘ୍ୟ ସ୍ନିଗ୍ଧ ସୁଂଦର ।

ଅନୁଭବ କରି ସେ ଦିନ

ତାହା କି ବାସ୍ତବରେ

ଅଭିଭୂତ ରାମଚନ୍ଦର

ଦେବ ଅନୁଭୂତିରେ ।

ଦିନେ ଗଜପତି ମଂଦିର

ଚଉପାତିରେ ବସି

ଶୂନ୍ୟ ପ୍ରହରର ନିଃସଂଗ

ମଧ୍ୟାହ୍ନରେ ବିଳସି ।

ଦୂର ଦିଗ୍‌ବଳୟ ଆଡ଼କୁ

ଚାହିଁଥିଲେ, ଯେଉଁଠି

ପରସ୍ପର ଦ୍ୟାବା ପୃଥିବୀ

ପ୍ରେମେ ଏକ ଥିଲେଟି ।

ହେମ ନିଗଡ଼ରେ ଉଭୟେ

ଆଶ୍ଳେଷିତ କରିଣ

ପ୍ରକୃତିର ପରଂପରାକୁ

ରଖିଥିଲେ ଜାକିଣ ।

ଲଗାଣ ବରଷା ଛାଡ଼ିଣ

ଥିଲା କିଛିଦିନର

ଖଣ୍ଡିତ ଖରାର ମଧ୍ୟରେ

ବେଳେ ବେଳେ ପ୍ରବଳ ।

ହେଉଥିଲା ବର୍ଷା ଅସରା

ଯାଉଥିଲା ବରଷି

କେବେ କେବେ ଡ଼ାହାଣିଆରେ

କୁଣ୍ଡାଳିଆକୁ ଠେସି, ।

ସତେ ଯେଉଁପରି ଶ୍ୱଶୁରା-

ଳୟ ଗାମିନୀ ବୋହୁ

ନବ ବିବାହିତା ବିଦାୟ

କାଂଦଣା କି ଏ ସହୁ ।

ପୂଜକ ବରଜ ତ୍ରିପାଠୀ

ବଂଦକରି ପହୁଡ଼

ଚାଲିଯାଉଥିଲେ ଗୃହକୁ

ଥିଲା ବିଜନ ବଡ଼ ।

ରାଜା କରୁ ସ୍ମୃତି ଚାରଣ

ଅତୀତର ନିଃସଂଗେ

ଚିତ୍ତରେ ଶାନ୍ତିର ପ୍ରଲେପ

ବୋଳି ହୋଇଣ ବେଗେ ।

ଦେଖି କେତେ ପାରା ଦଂପତ୍ତି

ଚଂଚୁ ପରସ୍ପରର

ଚୁମ୍ବନରେ କଳ ଗୁଂଜନ

କରୁଥିଲେ ପ୍ରେମର ।

ସୁବର୍ଣ୍ଣ ସଂଳାପ ରଚନା

କରିଥିଲେ ସେକାଳେ

ମନ୍ଦିରର ବେଢ଼ା ନିକଟ

ପୁଷ୍କରିଣୀ ତୁଠରେ ।

ଗ୍ରାମର ରମଣୀ ମାନଂକ

ତୁଠ ସଭା ବସିଲା

ବିଭିନ୍ନ ବିଷୟେ ବାରତା

-ଳାପ ପ୍ରାରମ୍ଭ ହେଲା ।

ଗ୍ରାମ୍ୟ ରମଣୀଙ୍କ ଆଳାପ

ବାର୍ତ୍ତା ଜାଣିବା ପାଇଁ

ଉତ୍‌କର୍ଣ୍ଣ ହୋଇଲେ ରାଜନ

ଅକାରଣରେ ରହି, ।

କେ ଜଣେ ବୟସ୍କା ତରୁଣୀ

ଅନ୍ୟ ଜଣେ ନାରୀକୁ

ସଂବୋଧନ କରି କହିଲା

ଆଲୋ ଶୁଣିବୁ ପାଖୁ ।

“ଆଲୋ ଗୋଲି ବୋଉ କାଳ କି

ହେଲା ଓଲଟା ଅତି

ଗଜପତି ମହାରାଜା ଏ

ପୁଣି ହୁଡ଼ିଲେ ଜାତି ।

ଇଏ କହୁଥିଲେ ଆମର

କୋଉ ପଠାଣ କନ୍ୟା

ବିଭା ହେଲା ଆମ ରାଜାଙ୍କୁ

କରି ନିଜକୁ ଧନ୍ୟା ।

କିନ୍ତୁ ପାଟରାଣୀ କୁଆଡ଼େ

ଉଆସରୁ ବାହାର

ହୋଇ ଯାଇଛନ୍ତି ଗୁମାନେ

ପରା ସେ ବାପଘର ।

ପଠାଣ ଭାରିଯା ଘେନିଣ

ରଂଗରସ ହେବାରୁ

କରାଯାଇ ଅଛି ବାସନ୍ଦ

ତାଂକୁ ଖୋର୍ଦ୍ଧା ଗଡ଼ରୁ ।

ସେଥିଲାଗି ମାସେ ହୋଇଲା

ଗଡ଼ ମାହାଲେ ଆସି

ଲୁଚିଛନ୍ତି ରାଜା ଆମର

କାଂଦି ଏକାନ୍ତେ ବସି ।

ନୂଆ ମହାରାଜା କଥାରେ

ଉଆସର ସଇନ୍ୟ

ଘଉଡ଼ିଲେ ଆମ ରାଜାଙ୍କୁ

କହି ହେ ଜାତିହୀନ, ।

ଆଲୋ ଇଏ କାଳ କି ହେଲା

ଆମ ରାଇଜ ରାଜା

ଅପକୀର୍ତ୍ତି କଲେ ବୋଲିଣ

ବାଜେ ସର୍ବତ୍ର ବାଜା ।

ଏ ଯୁଗରେ ଧର୍ମ କରମ

ବୋଲି କିଛି ଲୋ ନାହିଁ

ଶୁଣିଲୁକି ଗୋଲି ବୋଉଲୋ

କାରେ କହିବୁ ନାହିଁ ।”

ନିଜ ସର୍ବଜ୍ଞାତା ପଣିଆ

କରିବାକୁ ପ୍ରକଟ

ଅଗ୍ରସର ହୋଇ ସେ ଗୋଲି-

ବୋଉ ଉଚ୍ଚରେ କଂଠ ।

କହିଲେ “ଆଲୋଲୋ ଅପାତୁ

ଶୁଣି ଅଛୁକି ନାହିଁ

ଅଧର୍ମରୁ ବଡ଼, ଦେଉଳେ

ବସେ ଶାଗୁଣା ଯାଇ ।

ପଥର ଖସିଛି ଭିତର

ବେଢ଼ÿ। ଅଗଣାରେ କି

ସପନେଇଛନ୍ତି ଠାକୁର

ବଡ଼ ପଣ୍ଡାକୁ ଡ଼ାକି ।

ରାଜ୍ୟରେ ମଡ଼କ ପଡ଼ିବ

ରାଜାର ଅଧର୍ମରେ

ତେଣୁ ଘଉଡ଼ିଲେ ପାଇକେ

ପରା ତାଂକୁ ଏଠାରେ ।

ନୂଆ ମହାରାଜା ପଠାଣ

ସଂଗେ ଖଣ୍ଡାକୁ ଧରି

ଖୋଜି ବୁଲୁଛନ୍ତି ରାଜାଙ୍କୁ

ଦେବେ ଦେଖିଲେ ମାରି

ତେଣୁ ରାଜା ଲୁଚି ଅଛନ୍ତି

ଚିକଳରେ ଏଠାରେ

ଆଉ କେତେ କଥା ରହିଛି

ତୋତେ କହିକି ପରେ ।”

“ସେଇଥି ପାଇଁତ ଉଆସେ

ପରା ଲାଗିଛି ମେଳି

କାଳିଆ ମଂଦିରେ ଘଟୁଛି

ଅଘଟଣ କିପରି ।

କାଲି ସଂଜବେଳେ ଯେବେ ଲୋ

ଗଲି ଏ ମଂଦିରକୁ

ଦେଖିଲି ମହାର୍ଜା ଚାମର

ଧରି କଲେ ସେବାକୁ ।

ଅଜାତି ଏ ଗଜପତିଙ୍କ

ମୁଖଶାଳରେ ସେବା

ଦେଖି ସତେ ଗୋଲି ବୋଉଲୋ

ହୋଇ ଗଲି ମୁଁ କାବା ।

ଗୁଣୁ ଗୁଣୁ ସ୍ୱରେ କଅଣ

କହୁଥିଲେ କେଜାଣି

କଣେଇ କଣେଇ ତାହାଙ୍କୁ

ଚାହିଁ ଆସିଲି ଜାଣି ।

ଆଲୋ ସେ ପଠାଣ ମାଇପ

ତାଂକ ଗଲା କୁଆଡ଼େ,

ଜାଣିଥିଲେ ପଛେ କହିବୁ

କାନେ ପଚାରି ଘରେ ।”

ଶୁଣି ଦୁଠ ବାର୍ତ୍ତା କାନରେ

ବୀର ରାମଚନ୍ଦର

କାନେ ହାତ ଦେଇ କାଂଦିଲେ

ହୋଇ ବଡ଼ ବିକଳ ।

ଆହାରେ ଦଇବ କି କଲୁ

ଧିକ ମୋର ଜୀବନ

ଭାବୁଛି ଜୀବନେ ମୋହର

ଅଛି କି ପ୍ରୟୋଜନ?

ଶତ ବୃଶ୍ଚିକର ଦଂଶନ

ହେଲା ଏକ ସମୟେ

ଶିର ଶିରା ସବୁ ଛିଡ଼ିଲା

ସମ ଲାଗିଲା ଭୟେ

ଯନ୍ତ୍ରଣାରେ ଜରଜରିତ

ଆର୍ତ୍ତନାଦ ଅସ୍ଫୁଟ

କଲେ ଗଜପତି ସେଠାରେ

ଡ଼ାକି ଜଗତ ନାଥ ।

ସମାଲୋଚନାର ଶାଣିତ

ଶଳାକା ଅନ୍ତସ୍ଥଳୀ

ବିଦୀର୍ଣ୍ଣ ଦୀର୍ଣ୍ଣ ସେ କରିଣ

ଦେଲା କ୍ଷତାକ୍ତ କରି ।

ଆଖିପୋଛି ସନ୍ତର୍ପଣରେ

ରାମଚଦର ଦେବ

ଘୁଂଚିଗଲେ ଟିକେ ପଛକୁ

ଦେଖି ନାରୀ ସରବ ।

ତୁଠର ସଭାର ସମାପ୍ତି

ଅନୌପଚାରିକ ରେ

ହୋଇ ସାରିଥିଲା ଘୋଷିତ

ସର୍ବେ ଗଲେଣି ଘରେ ।

ମୁଖା ଶାଳା ଏକ ଖମ୍ବକୁ

ଆଉଜିଣ ରାଜନ

ଆଖି ବୁଜିଥିଲେ ସତେକି

ଜଣେ ପତିତ ଜନ ।

ସର୍ବହରା ନିର୍ଯ୍ୟାଚିତ ସେ

ଏକ କ୍ଲାନ୍ତ ପଥିକ

ପରି ହୋଇଥିଲେ ଠିଆ ସେ

ଚିନ୍ତି ରାଜ୍ୟ - ଆତଙ୍କ ।

ପ୍ରତିଭାତ ହୋଇ ଉଠିଲା

ଧିରେ ଧିରେ ସେଠାରେ

ଦୀର୍ଘକାୟ କୀର୍ତ୍ତିମାନେଙ୍କ

ଉଦ୍ଧ୍ୱର୍ଚେତା ବପୁରେ ।

ମନୋଜ୍ଞ ସୌଷ୍ଠବ ସେ ଦୀର୍ଘ

କାୟ ପୁରୁଷ ବର

ତେଜଷ୍କ୍ରିୟ ତୀକ୍ଷ୍ମ ଆଖିରେ

ହୋଇଣ ଅଗ୍ରସର ।

ଚାହିଁଥିଲେ ଗଜପତିଙ୍କୁ

ଅପଲକ ନୟନେ

ଆଖିପତା ପଡ଼ୁନଥିଲା

ପ୍ରଲେପିତ ବଦନେ ।

“ଜୀବନରେ ପାଇ ହଜାର-

ବାର କୁଚକାଳିରେ

କିପାଇଲ ତୁମେ ଭାବୁଛ?

ରାମଚନ୍ଦ୍ର ଶେଷରେ ।

କେତେ ଘାତ ପ୍ରତିଘାତରେ

ସରଣୀରେ ପଦ ତ

କେବେ କ୍ଲାନ୍ତ କେବେ ଦୃପ୍ତ ସେ

ଯାତ୍ରା ହୋଇଛି ପ୍ରାପ୍ତ ।

ଯାହା ପ୍ରାପ୍ତ କଲ ଜୀବନେ

ପୁରୁଷାର୍ଥେ ତାହାର

ସାମାଜିକ ମୂଲ୍ୟ ମାନ ତା

କେତେ ତୁଳନା କଲ?

ଓଡ଼ିଶାର ସାର୍ବଭୌମତ୍ୱ

ସ୍ୱାଧୀନତା ରଖିବା

ପାଇଁ ତୁମେ ତଥାକଥିତ

ଜାତିବାଦରେ ଅବା ।

କୁଠାର ଘାତକୁ କରିଣ

ଧର୍ମ ଧ୍ୱଜୀ ମାନଂକ

ସମାଲୋଚନାର ଶରବ୍ୟ

ହେଲ ମନ ଆତଙ୍କ ।

ରେଜିୟାକୁ ଜବାଧରୀରେ

ପରିଣତ କରିଣ

ଚାହିଁଥିଲ ପାରି ହୋଇ

ଭବ-ଜଳଧି-ଘନ ।

କେବଳ ଜାଣନ୍ତି ଏକଥା

ପ୍ରଭୁ ଶ୍ରୀଜଗନ୍ନାଥ

ଏହି ଶୁଭ ଚିନ୍ତା ପୁଣ୍ୟତା

ତୁମର ଶୁଭ୍ର ଚିତ୍ତ ।

କିଂତୁ ଓଡ଼ିଶାର ଭେଦିଆ

ମୌଳବାଦୀ ପଣ୍ଡିତେ

ସ୍ୱୀକାର କଲେନି ସେକଥା

ବ୍ୟଥା ପାଇଲ ପଥେ ।

ଧର୍ମ ଧାରଣାରେ ରାଜ୍ୟର

ତୁମେ ହେଲ ନିନ୍ଦିତ

ଧର୍ମତ୍ୟାଗୀ ହେଲ ହେ ଗଜ-

ପତି ପାଲଟି ଭୁତ ।

ଆଉ ଧରମର ତୁମର

ସହଚରୀ ସଂଗିନୀ

ରେଜିୟା ପାଲଟି ଗଲାକି

ତୁମର ସୁହାଗିନୀ ।

ପାଲଟିଗଲା ବା ଅଥର୍ବ

ପାଷାଣୀ ସେ ଅହଲ୍ୟା

ତାର ଭାଷା ଥାଇ ନିର୍ବାକ

ବିଧିମତେ ହୋଇଲା ।

ଗଜପତି ହୋଇ ତୁମେ ବି

ହୋଇଗଲ ପତିତ

ଓଡ଼ିଶାରେ ତୁମେ ହୋଇଲ

ଭର୍ତ୍ସିତ ଦି ନିନ୍ଦିତ ।

କଉଳିକ ଧର୍ମ ପ୍ରବଣ

ଓଡ଼ିଶା ଧର୍ମାଚାରୀ

ଜାତିଗତ ଧର୍ମେ ପ୍ରାଧାନ୍ୟ

ଦେଇଥାନ୍ତି ବିଚାରି ।

ପ୍ରତିଷ୍ଠାତା ଆଉ ଧର୍ମର

ଦ୍ୟୋତକ ସେ ସ୍ୱରୂପ

ସେ ମହାଦେବତା ଧର୍ମର

ଐନ୍ଦ୍ରଜାଲିକ - ରୂପ ।

ସେ ଐନ୍ଦ୍ରଜାଲିକ ତର୍କଣା

ଧରି ଚ୍ଛଂଦି ଦେଇଣ

ଉଡ଼ାନ୍ତି ସେ ସଦାଚାରର

ବିଜୟର କେତନ ।

ପ୍ରାୟଶ୍ଚିତ ତପ୍ତ କୁଣ୍ଡରେ

ସେହି ଧର୍ମ ଧାରଣା

ତୁମେ ଛଟପଟ ହୋଇଣ

ଶେଷେ ଏକାକୀ କି ନା?

ପ୍ରତ୍ୟାଖ୍ୟାନ କଲ ଅନିଚ୍ଛା

ସତ୍ୱେ ସେ ରେଜିୟାକୁ

କିଂତୁ ପ୍ରକୃତରେ ହରାଇ

ତୁମ ଜବାଧରୀକୁ ।

ଜାତି ନଂଦିଘୋଷ ପଥରେ

ଅଭିଯାନରେ ସେଇ

ହୋଇଥାନ୍ତା ତୁମ ଉତ୍ସର୍ଗୀ-

କୃତ ପ୍ରେୟସୀ ହୋଇ

କିଂତୁ ତୁମ ଧର୍ମ ଆଚାରୀ

ମାନେ ସ୍ୱଚ୍ଛ ସଲିଳା

ଏକ ମଂଦାକିନୀ ସରିତେ

କଲେ ଗୋଳିଆ-କଳା ।

ଆଖ୍ୟାୟିତ କରି ଆବିଳ

ନର୍ଦମାରେ ତାହାକୁ

ତୋଳିଣ ଧରିହେ ପଲ୍ଲବ -

ଗ୍ରାହୀ ଧର୍ମାଚାରକୁ ।

ନିଷ୍ଠାର ଧରମ ଦର୍ଶନ

କରି ଦେଲେ ଲାଂଛିତ

ଧାର୍ମିକ ପ୍ରଚାର ମୁଖ୍ୟହିଁ

ସେମାନଙ୍କର ମତ ।

ସେମାନକ ପାଇଁ ହୋଇଲା

ଏ ଧାର୍ମିକ ବିଚାର

ସଂକୀର୍ଣ୍ଣ ମାନସେ ତାଂକର

ପଙ୍କଶଯ୍ୟା ପାପର ।

ଯୁଗେ ଯୁଗେ ଧର୍ମାଂଧତା ହିଁ

ଜାତୀୟ ଜୀବନର

ପରିପନ୍ଥୀ ହୋଇ ରହିଛି

ବଦଳୁନି ବିଚାର ।

ଆଉ ସେହି ଧର୍ମାନ୍ଧତାର

କେବେ ଉଦ୍ଧ୍ୱର୍କୁ ଉଠି

ଧର୍ମ ଜ୍ୟୋତି କଲେ ପ୍ରକାଶ

ସଂଗେ ଓଡ଼ିଆ ଜାତି ।

ଉର୍ଦ୍ଧମୂଳ ତାକୁ କରିବା

ପାଇଁ ହୋଇ ଧାର୍ମିକ

ସଂସ୍କୃତ ତୁମର ପ୍ରୟାସ

ପୁଣି ଅଟେ ସାତ୍ୱିକ

ଏହି ଧର୍ମଧ୍ୱଜୀ ପ୍ରୟାସେ

ଦୀର୍ଣ୍ଣ ବିଦୀର୍ଣ୍ଣ କରି

ଜୀବନର ବଡ଼ ଦାଣ୍ଡକୁ

କ୍ଳିଷ୍ଟ ବିଚାର କରି ।

କରି ଦେଇଛନ୍ତି ବିଚାର

କର୍ଦ୍ଦମାକ୍ତ କଦର୍ଯ୍ୟ

ତେଣୁ ତ ହଜିଛି ତୁମର

ଶୌର୍ଯ୍ୟ ସକଳ ଧୈର୍ଯ୍ୟ ।

ଇତିହାସେ ତୁମ ଚରିତ୍ର

ହେବ ଉର୍ତ୍ସିତ ସଦା

ତୁମେ ହେବ ଧର୍ମ ତ୍ୟାଗୀ ହେ

ଗଜପତି ସର୍ବଦା ।

ଯେଉଁ ଇତିହାସ ଲେଖକେ

ଇତିହାସ ଲେଖନ୍ତି

କେବେ ସେଇମାନେ ଜୀବନେ

ଇତିହାସ ନୁହନ୍ତି ।

ତୁମେ କିଂତୁ ହର୍ଷ ବିଷାଦ-

-ର ଜୁଆର ଭଟାରେ

ସ୍ୱର୍ଣ୍ଣପଥ କରି ନିର୍ମାଣ

ପ୍ରାପ୍ତି ପ୍ରବଂଚନାରେ ।

ସ୍ୱୟଂ ଇତିହାସ ହୋଇଲ

ଜୀବନରେ ସତରେ

ସମସ୍ତେ ଏକଥା ସ୍ୱୀକାର

କରିବେ ନିଶ୍ଚୟରେ ।

ଗ୍ଳାନି କର ନାହିଁ ମନରେ

ରାମଚନ୍ଦର ଦେବ

ଗ୍ରାମର ପୋଖରୀ ତୁଠରୁ

ପୂତ ପବିତ୍ର ଭାବ ।

ପବିତ୍ର ସେ ମୁକ୍ତି ମଣ୍ଡପ

ପରିଯନ୍ତ ତୁମର

ଆଂଗିକ ରୂପର ତର୍ଜମା

କରି ଯେତେ ବିଚାର ।

ଯେତେ ନିଂଦାଗାନ ହୋଇଲେ

ମଧ୍ୟ ତୁମେ ଜାତିର

ରାଷ୍ଟ୍ରଦେବତାଙ୍କ ରତନ

ପୁଷ୍ପାଂଜଳି ସମ୍ଭୀର,

ଇତିହାସ ମହାନାୟକ

ସେ ପତିତ ପାବନ

ଧର୍ମର ସ୍ୱରୂପ ମଣିମା

ଜଗନ୍ନାଥ ବଂଦନ ।

ତୁମ ହୃଦୟକୁ କରିଣ

ଆବିଷ୍କାର ସେଇଠି

ଥାପିଛନ୍ତି ସିଂହାସନରେ

ବରାଭୟ ମୁକତି

ସେହି ହୃଦୟର ମଂଦିରେ

ଇଷ୍ଟ ଦେବତା ଭଜି

ଆରାଧନା କରି ଜୀବନେ

ରହ ସର୍ବଦା ମଜ୍ଜି ।

“ଅନ୍ତିମ ବିଶ୍ରାମ ଗ୍ରହଣ

କର ହେ ଗଜପତି

ତୁମର କଲ୍ୟାଣ ହେଉ ହେ

ବରାଭୟ ସଂପତ୍ତି ।”

ସହସା ଅଦୃଶ୍ୟ ହୋଇଲେ

ଜ୍ୟୋତିର୍ମୟ ପୁରୁଷ

କଲ୍ୟାଣ କରିଣ ରାଜାଙ୍କୁ

ଯାହା ଥିଲା ବିଶେଷ

ତନ୍ଦ୍ରାଚ୍ଛନ୍ନ ମୁହୂର୍ତ୍ତରେ କେ

କହିଗଲେ କିଏ ସେ

ନିଚ୍ଛକ ଜୀବନ କାହାଣୀ

ସଂକ୍ଷେପରେ ସରସେ ।

ପାଇଣ ହଜାଇ ବାର ସେ

ଲୁଚକାଳି ଖେଳରେ

କେଉଁଠି ହାରିଲେ କେତେ ସେ

କେତେ ଅବା ଜିଣିଲେ ।

ଗୋଧୂଳିର କ୍ଳାନ୍ତ ଡ଼େଣାରେ

ମାଖି ହୋଇ ଫଗୁର

ବହଳାସ୍ତରଣ ଫଳରେ

ରଖି ଅସ୍ତ-ସୂର୍ଯ୍ୟର

ବଉଳ ଗଛର ଉପରେ

ନୀଡ଼ ପ୍ରତ୍ୟାଶୀ ପକ୍ଷୀ

କେତେଟା ବସିଣ ବିଚିତ୍ର

କାକଳିରେ ପରଖି

ବାରତା ଆଳାପ କରିଣ

ଦେଇଥିଲେ ଖୁସିରେ

ପରିବେଶଟିକୁ ସୁନ୍ଦର

ସତେ ରଂଜାଇ ଥିଲେ ।

ବଧିବାମନଙ୍କ ମଂଦିର

ମାଳି ଚଉପାତିକି

ଧୋ÷ତ କରି କରେ ଯୋଗାଡ଼

ସଂଧ୍ୟା ପୂଜା ଥାଳିକି ।

ସମୟ ପ୍ରବାହ ସାଥିରେ

ଲାଖପଡ଼ା ଗ୍ରାମରେ

ଗଜପତି ବ୍ୟକ୍ତି ପ୍ରାଧାନ୍ୟ

ହ୍ରାସ ପାଇଲା ଧିରେ ।

ଖୁରୁଧା କଟକ ଅଖଣ୍ଡ

ମହାରାଜା ମହାନ

ଦୁର୍ଭାଗ୍ୟର ବିଡ଼ମ୍ବନାରେ

ଆଜି ରାଇଜହୀନ ।

ସେଇ ଲାଖପଡ଼ା ଗ୍ରାମର

ଅଧିବାସୀହିଁ ଜଣେ

ସାଧାରଣ ଭାବେ, ମୁକୁଟ-

ହୀନ, ଭାବନ୍ତି ଜନେ ।

ଆଶ୍ରୟ ପ୍ରାର୍ଥୀ ସେ ଜୀବନେ

ଦୟନୀୟ ଭାବରେ

ଥିଲେ ସେ ରାଜେନ୍ଦ୍ର ଆସନେ

ଦିନେ ନାହିଁ ମନରେ ।

ସେ ଦିନ ପୁରୁଷୋତ୍ତମରୁ

ଜଗନ୍ନାଥ ଦର୍ଶନ

ପରେ ଫେରିଥିଲେ କେତେକ

ଲାଖ ପଡ଼ାର ଜନ ।

ପୁରୀ ପ୍ରଚାରିତ ପ୍ରଚାର

ବହୁଗୁଣରେ କରି

ଗୁଂଜରଣ ସଂପରକକୁ

କଲେ ସେ ଜପାମାଳି ।

ଗଜପତି ରାଜା ଧରମ-

ତ୍ୟାଗୀ ହୋଇ ଯିବାରୁ

ବଡ଼ ଅସୁବିଧା ହୋଇଛି

ଶ୍ରୀ କ୍ଷେତ୍ରରେ ଖବରୁ ।

ମହାପ୍ରଭୁ ବଡ଼ ପଣ୍ଡାଙ୍କ

ଭୋଗ ଚଳୁରେ ଆଉ

ଦରଶନ ଦେଉନାହାନ୍ତି

ଗଲେ କୁଆଡ଼େ ଆଉ ।

ଅଧିଆ ପଡ଼ିଲେ ପଣ୍ଡାଏ

ଜଗନ୍ନାଥ ସଂତୁଷ୍ଟ

ହୋଇଣ ସ୍ୱପ୍ନରେ କୁଆଡ଼େ

କହି ହୋଇଲେ ରୁଷ୍ଟ

“ଜାତିଧର୍ମ ଭ୍ରଷ୍ଟ ଏ ରାଜା

ରାମଚନ୍ଦର ଦେବ

ଓଡ଼ିଶା ରାଜ୍ୟରେ ଏ ରାଜା

ଆଉ କେବେ ନୋହିବ ।

ନିତ୍ୟକର୍ମ ନୀତି ଶୁଭରେ

ହେବ ପରିଚାଳିତ

ବଡ଼ ଦେଉଳରେ, ଏ ରାଜା

ହେଲେ ଦେଶାନ୍ତରିତ ।

ଆଉ ସେଥିପାଇଁ ଏ ରାଜା

ହୋଇ ଧରମ ଚ୍ୟୁତ

ଦେଶାନ୍ତରୀ ହୋଇ ଏଠାରେ

ଦେଖ ଲୁଚିଛନ୍ତି ତ ।”

ଏ ଅଚିରଂଜିତ ପ୍ରଚାର

ଫଳେ ଲୋକ ମୁଖରୁ

ରାମଚନ୍ଦ୍ର ଦେବ ମାନ୍ୟତା

ଖସିଗଲା ଉପରୁ ।

ଗ୍ରାମ ମୋ÷ଳିବାଦୀ ବ୍ରାହ୍ମଣେ

ଶ୍ରୀ ଜୀଉଙ୍କ ମଂଦିର

ପ୍ରବେଶକୁ ମଧ୍ୟ ବାରଣ

କଲେ ପରୋକ୍ଷେ ଘୋର ।

ଗ୍ରାମାବାଳବୃଦ୍ଧ ବନିତା

ତୁଣ୍ଡେ ରାମଚନ୍ଦର

ନିଂଦା ଅପବାଦ ବଢ଼ିଲା

ତାଂକ ଧର୍ମ ହାନିର ।

ପୋଖରୀ ତୁଠରେ ମହିଳା

ମାନଂକର କଂଠରେ

ଗଜପତିକଂର ଅକର୍ମ

ସମାଲୋଚନା ଚାଲେ ।

ପାଣି ପବନର ପ୍ରବାହେ

ଗ୍ରାମାଞ୍ଚଳର କୋଣ

ଅନୁକୋଣ ଭରି ରହିଲା

ଗଜପତି ଦୁର୍ନାମ ।

ତିରସ୍କାର ଅପବାଦର

ଛି ଛିକାର ଦାରୁଣ

ନିଂଦା ଭର୍ତ୍ସନାର ବେଦନା

ବଡ଼ାଇଲା କାରୁଣ୍ୟ ।

ମାସାଧିକ କାଳ ହୋଇଲା

ଲାଖପଡ଼ା ଗ୍ରାମକୁ

ନରସିଂହ ପୁର ଗଡ଼ର

ଗଡ଼ପତି ଏଠାକୁ ।

ଆସିତ ନାହାନ୍ତି ବିଚାରି

କ’ଣ ମନେ ତାଂକର

ଅଛି ଜଣା ଯାଉନାହିଁ ତ

ଏହା ସମୟ ଖେଳ ।

ସତେ ଯେଉଁ ପରି କିଏ ସେ

ଟାଣି ଲକ୍ଷ୍ମଣ ରେଖା

ରାଣକୁ ପକାଇ ଦେଇଛି

କାହିଁ ନାହିଁତ ଦେଖା ।

ମାହାଲ କରଣ ନିକଟେ

ବାର୍ତ୍ତା ପ୍ରେରଣ ଛଡ଼ା

ମାନସିଂହଙ୍କର ଆଗ୍ରହ

ଆସୁନାହିଁ ଯା ଲୋଡ଼ା ।

ରୋଗାଗ୍ରସ୍ତ କ୍ଳାନ୍ତ ମଣିଷ

ପରି ପାଦପକାଇ

ଗଲେ ମୁଖଶାଳା ଆଉକୁ

ବଢ଼େ, ସଂଧ୍ୟାର ଛାଇ ।

ଗୋଟିଏ ନିଃସଂଗ କପୋତ

ସଂଭବତଃ ତାହାର

ଅନ୍ୱେଷଣ କରି ବୁଲୁଛି

ଦିଗହଜା ସାଥୀର

ଘଂଟ ବାଜୁଥିଲା ମଂଦିର

ସଂଧ୍ୟା ଆଳତୀ ପାଇଁ

ରାମଚନ୍ଦ୍ର ଦେବ ଦଣ୍ଡାୟ-

-ମାନ ଜୀଉଙ୍କୁ ଚାହିଁ

ଭାବିଭାବି କଲେ ପ୍ରାର୍ଥନା

ପ୍ରଭୁ ଜଗତ ନାଥ

ଆଉ କେତେ ଦିନ ରଖିବ

କରି ମୋତେ ଅନାଥ

******

 

ଗଜପତିଙ୍କ ପ୍ରାର୍ଥନା

 

ସବୁରି ସବୁ ଅଛି             ମୋହର ନାହିଁ କିଛି

ନିଃସଂଗ କପୋତ ସମାନ

ତୁମ୍ଭରି ନାମ ଧରି             ବିଷ ମୁଁ ଭକ୍ଷିଥିଲି

ଅମୃତ ମାନସେ ଭାବିଣ

ଏବେ ମୁଁ ହୋଇଅଛି ଏକା

ନାହିଁ ତ ସତେ କାର ଦେଖା

ଜାଣି କିପାଇଁ ପ୍ରଭୁ             ନେଲେତ କାଢ଼ି ସବୁ

ଆଉ କି କରିବ ପରୀକ୍ଷା ହେ ମହାପ୍ରଭୁ । ।।୧।।

ଥିଲି ସନାଥ ଦିନେ             ଲାଗେ ମୋତେ ବିଜନେ

ସତେ ବସି ଭାବିଲା ବେଳେ

ଏବେ ହେଲି ଅନାଥ            ତୁମେ ଜଗତ ନାଥ

ଦେଖୁ ଅଛ ତ ନିଜ ଡ଼ୋଳେ ହେ ମହାପ୍ରଭୁ

ଯା ଅଛି ମନରେ ତୁମ୍ଭର

ପ୍ରକାଶ କର ଚକ୍ରଧର

ଆଉ ବଂଚିବା ପାଇଁ            ଇଚ୍ଛା ମୋ ତିଳେ ନାହିଁ

ଅଛିକି ଶୁଭ ସୁବିଚାର ହେ ମହାପ୍ରଭୁ ।।୨।।

ନିନ୍ଦା ଅପବାଦକୁ            ବୋଳିଲିଣି ମୁଣ୍ଡକୁ

ପ୍ରଶଂସା ବୋଲି ଭାବି ମନେ

ତୁମ୍ଭ ଚକା ନୟନ             ଦେଖେ ମୁଁ ଘନ ଘନ

ଶୟନେ ସ୍ୱପ୍ନେ ଜାଗରଣେ ହେ ମହାପ୍ରଭୁ

ତୁମ୍ଭେ ତ ଥିଲ ମୋର ସାଥୀ

ଚକଡ଼ା- ଛଡ଼ାରେ - ପୀରତି

ଥିଲା ତୁମ୍ଭ ସଂଗରେ            ବୁଲୁଥିଲେ ବନରେ

କେବେ ଗୃହରେ ଟେକି ଛତି ହେ ମହାପ୍ରଭୁ ।।୩।।

ତୁମ୍ଭର ସେବା କେଉଁ            ମିଳୁନି ମୋତେ ଆଉ

ନିମିଳୁ ନାହିଁ ମୋର ଦୁଃଖ

ଖାଲିସିଂହ ଦୁଆରେ            ଦର୍ଶନ ହୋଇବାରେ

ମିଳୁ ସେତିକି ମାତ୍ର ସୁଖ ହେ ମହାପ୍ରଭୁ

ଆଉ ଅଧିକ ଲୋଡ଼ା ନାହିଁ

ଜୀବନ ଯାଉ ଚାହିଁ ଚାହିଁ

ତୁମ୍ଭ ଚକା ବଦନ            ଆହେ ପଦ୍ମଲୋଚନ

ଦୟା ରଖିବ ଭାବଗ୍ରାହୀ ହେ ମହାପ୍ରଭୁ ।।୪।।

*****

ଭାଦ୍ରବର କ୍ଷୀଣ ମେଘକୁ

ଭେଦି ସକାଳ ରବି

ଉଇଁସାରି ଥିଲେ ଆକାଶେ

ଧରି ନୂତନ ଛବି ।

ଖଣ୍ଡିତ ବାଦଲ ମନ୍ଥରେ

ଚକ୍ରବାଳରେ ଭାସି

ମାହାଲ ନିବାସ ଉଦ୍ୟାନ

ସୂର୍ଯ୍ୟମୁଖୀ ପରଶି ।

କୁସୁମ କେତୋଟି ମେଘର,

ପ୍ରତିଛନ୍ନ ସୂର୍ଯ୍ୟର

ବିଲୋଳ ଦର୍ଶନ ଯୁଗକୁ

କାମନାରେ କେବଳ ।

ଭରିଥିଲେ ତହିଁ କୋମଳ

ପାଖୁଡାରେ ତିଆରି

ମିଳନର ଆଶାବରୀରେ

ବ୍ରୀଡ଼ା ବରଜି କରି ।

ସକାଳ କୋମଳ ଖରା ଯା

ପାଣିଚିଆ ଧରାରେ

ନିବିଡ଼ ଆଶ୍ଳେଷ ଉଷ୍ମତା

ବେଳେ ଧରା ପୃଷ୍ଠରେ ।

ସୃଷ୍ଟିକରୁଥିଲା ମାନସେ

ଅନୁଭୂତିରେ ମିଶି

ଶୋଇ ରହି ରାମଚନ୍ଦର

ଦେବ ଥିଲେ ବିଳସି ।

ତଳପ ଉପରେ ରହିଣ

ଭାରାକ୍ରାନ୍ତ ବିଷର୍ଣ୍ଣ

ଚିତ୍ତ ରିକ୍ତ ଦୃଷ୍ଟି ନିବଦ୍ଧ

ନଭ-ମେଘୀଳ ଘନ ।

ଗତ ଚାରିଦିନ ହୋଇଲା

ଥିଲେ ଜ୍ୱରେ ପୀଡ଼ିତ

ଔଷଧ ସେବନ ଫଳରେ

ହ୍ରାସ ଉଷ୍ମତା ସତ ।

କିଂତୁ କ୍ଲାନ୍ତି ଥିଲା ଶରୀରେ

ମେଣ୍ଟି ନଥିଲା ଟିକେ

ବିଜନ ଗୃହର ମଧ୍ୟରେ

ଏକା ନାହିଁକେ ପାଖେ ।

ବେଦନାକ୍ତ ପ୍ରାଣେ ବ୍ୟଥିତ

ଚିତ୍ତ ଥିଲା କେବଳ

କରୁଥିଲେ ଖାଲି ନିକ୍ଷେପ

ଶ୍ୱାସ ସେ ହତାଶାର ।

ସଦେଇ ଗୃହରେ ପ୍ରବେଶ

କରି ପରଶି ଧିରେ

କହିଲା ଠାକୁର କୃପାରୁ

ଜ୍ୱର ଉଣା ଶରୀରେ ।

ସ୍ନାନ ସାରି ଆସି ସାମାନ୍ୟ

ରାମଚନ୍ଦ୍ରର ଦେବ

କହିଲେ ସଦେଇ ସତେକି

ବଳ ଫେରି ଆସିବ ।

ଧିରେ ଧିରେ ମୋର ଜୀବନେ

ଯେଉଁପରି ସଂଧ୍ୟାର

ମ୍ଳାନ ଅଂଧକାର ଆସୁଛି

ଘେରି ଚମତକାର ।

ସବୁ ଆଶା ଆଉ ଭରସା

ଅଭିଳାଷକୁ ସତେ

ପରିହାସ କରି ଆସୁଛି

ଦିନ ଲାଗୁଛି ମୋତେ ।

ଏଥିପରେ ଯବନିକାର

ରାତ୍ରି ଆସିବ ନଇଁ

ମନେରଖି ଥିବୁ ସଦେଇ

କେବେ ଭୁଲିବୁ ନାହିଁ ।

ଆଉଥରେ କେବେ ଜୀବନେ

ହେବ ପ୍ରତ୍ୟାବର୍ତ୍ତନ

ସେଇ ବରୁଣେଇ କଟକେ

ଆଶା ଆଶାରେ ମ୍ଳାନ ।

ଧୁ ଧୁ ମରୀଚିକା କେବଳ

ଆଶା ଆଶଙ୍କା ପୂର୍ଣ୍ଣ

ଏହାର ଭ୍ରାନ୍ତି ହିଁ ସତ୍ୟରେ

କିଂତୁ ସତ୍ୟତା କ୍ଷୀଣ ।

ଜିଭକୁ କାମୁଡ଼ି ପକାଇ

କହେ ସଦେଇ ଧିରେ

ଏହି ଅଲକ୍ଷଣା ଭାଷାକୁ

ଛାମୁଁ କେବେ ତୁଣ୍ଡରେ ।

ଧରିବେନି ଆଉ ଭରସା

ଆମ ଜଗତନାଥ

ମହାରାଜା ଭାଗ୍ୟ ପତର

ତଳେ ହେ ନରନାଥ ।

ସୌଭାଗ୍ୟ ମଳୟ ପବନେ

ଦୁର୍ଭାଗ୍ୟର ପତର

ଭଡ଼ିଯିବ କାଲି ସକାଳେ

ପୁଣିଥରେ ଏଥର ।

ମହାବାହୁଙ୍କର କୃପାରେ

ବରଲାଭ ହୋଇବ

ବିଜୟ ଦୁନ୍ଦୁଭି ବାଦନ

ପୁଣି ବାଜି ଉଠିବ ।

ଏ ସାଗୁ ଟିକକ ଖାଇଣ

ପିଇ ଦିଅନ୍ତୁ ପାଣି

ପ୍ରଥମ ତୁଳସି ପ୍ରସାଦ

କରି ସେବନ ପୁଣି ।

ରାମଚନ୍ଦ୍ରଦେବ ସସ୍ନେହେ

ସଦେଇକୁ ଚାହିଁଲେ

ବାଳକଟି ପରି ତୁଳସି

ସେବା ପ୍ରଥମେ କଲେ ।

ପ୍ରତିଘାତମୟ ଜୀବନ

ଘାତ ବଡ଼ଦାଣ୍ଡରେ

ହୋଇ ଯିବା ସବୁ ନିଶ୍ଚୟେ

ଅପସ୍ପୃତ କାଳରେ ।

ଜୀର୍ଣ୍ଣ ରଥ ରଜ୍ଜୁ ଧରିଣ

କେବଳରେ ଆଗକୁ

ଭିଡ଼ୁଛି, ବିଜନ ମୁହୂର୍ତ୍ତ

ସାଥୀ ଖୋଜି ସାଥୀକୁ ।

ନିଷ୍କାମ ସେବାରେ ବିଶ୍ୱାସୀ

ନିଷ୍ଠାପର ସଦେଇ

କେବଳ ସେ ଗଜପତିଙ୍କ

ସାଥୀ ଅଭୁଲା ନାହିଁ ।

ଏକ ଅନିର୍ବାଣ ଉଜ୍ଜ୍ୱଳ

ଅଟେ ବର୍ତ୍ତିକା ଚିର

ସମଗ୍ର ଓଡ଼ିଆ ରାଜ୍ୟର

ଧାର୍ମିକ ଜୀବନର ।

ସଦେଇ କହିଲା ବାମନ

ଜନ୍ମ ପାଳିତ ଆଜି

ମହୋତ୍ସବ ମଧ୍ୟ ପାଳିତ

ତିଥି ସୁନିଆ ହେଜି ।

ମନତଳେ ଗଜପତିଙ୍କ

ବେଦନାରେକ ତପ୍ତ

କାଳପୂର୍ଣ୍ଣ ହେଲା ପ୍ରବହ-

-ମାନ ଶବଦାୟିତ ।

ଆଉସେହି ଝଂଝା ଘାତରେ

ମନ ସରାଗ ଫୁଲ

ସହସା ଆରତ ବିଳାପେ

ମଉଳିଲା ସଅଳ, ।

ଆଜି ସୁନିଆରେ ନବାଙ୍କ

ଉପଲକ୍ଷେ କଟକେ

ମାନ୍ୟତାର ମହୋତ୍ସବକୁ

ପାଳୁଥିବେ ଟି ଲୋକେ, ।

ଗଜପତି ପରଂପରାରେ

ନବାଙ୍କର ଗଣନା

ପ୍ରଜାବର୍ଗଙ୍କର ବିପୁଳ

ସମାରୋହ ବନ୍ଦନା ।

ଆସିବକି ଆଉ ଜୀବନେ

ସୁନିଆଁର ମାନ୍ୟତା

ଏହି ପରମାୟୁ ଭିତରେ

ହେବ ନାହିଁ କେବେ ତ ।

ଆଲୋକର ରାଜପଥରେ

ଆଜି ବିଭୀଷିକାର

ତାଣ୍ଡବ ନୃତ୍ୟ ହିଁ ବିଷାଦ

ଅଂଧଗଳି ମଧ୍ୟର ।

ନିର୍ଯ୍ୟାତିତ ନିଷ୍ପେସିତ ସେ

ଦେବ ରାମଚନ୍ଦ୍ରର

ଏକ ଅପ୍ରାକୃତ ଜୀବନ

ସତେ ଅଲୋଡ଼ା ତା’ର ।

ଭାବି ଭାବି ଏହି ଅତୀତ

କଥାଲଜ୍ନା ବରଜି

ଗଜପତି ଦୀର୍ଘ ନିଃଶ୍ୱାସେ

ଥରେ ଗଳାକୁ ମାଜି ।

କହିଲେ ସଦେଇ ଯେ ମାନ

ରକ୍ଷାପାଇଁ ଜୀବନେ

ଜବାଧରୀ ହାତ ଧରି ମୁଁ

ଥିଲି ଗୋଲାପ ବଣେ ।

ତାଙ୍କୁ ଆଉଥରେ ଦେଖିବା

ଇଛା ଆଖି ପୁରାଇ

ହେଉଛି ପ୍ରାଣ ମୋ ବିକଳ

କିସ କରିବି ମୁହିଁ, ।

ଆଉ ଲୋଡ଼ା ନାହିଁ ଜୀବନେ

ଛତ୍ର ଚାମର ମୋର

ଅବା ଧନ ରତ୍ନ ତୁରଂଗ

ବିପୁଳର ସମ୍ଭାର ।

ବରୁଣେଇ କଟକର ସେ

କଂଟକିତ ଆସନ

ଯାକୁ ନେଇ ହିଂସା କରନ୍ତି

ଗଡ଼ପତି ଦୁର୍ଜନ ।

ସେ ସବୁ ମୋରର ଦର୍କାର

ନାହିଁ ଏବେ ସଦେଇ

କାଣିଚାଏ ମାତ୍ର କରୁଣା

ପ୍ରଭୁଙ୍କର ମୋ ପାଇଁ ।

ଉତ୍ତର ଜୀବନ ପାଥେୟ

ଥରେ ଯଦି ତାଂକର

ଶ୍ରୀମୁଖ ଦର୍ଶନ କରନ୍ତି

ବାବୁ ଉପାୟ କର ।

ରହିଗଲା ବାକ୍ୟ ଅସ୍ଫୁଟ

ରାମଚନ୍ଦ୍ର ଦେବଙ୍କ

ଝରି ପଡ଼ୁଥିଲା ନୟନୁ

ଝରଝର ଲୋତକ ।

ପାଷାଣର ବକ୍ଷ ଭେଦିକି

ମୃଦୁ ପ୍ରସ୍ରବଣର

ମହାଅଭିଷେକ କରିଣ

ରାଷ୍ଟ୍ରଦେବତାଙ୍କର ।

ଚାହିଁଥିଲା ସେଠି ସଦେଇ

ଅପଲକ ଦୃଷ୍ଟିରେ

ଧୈର୍ଯ୍ୟ ଶୌର୍ଯ୍ୟବାନ ଏ ଗଜ-

-ପତି ଶାଣିତାନ୍ତରେ ।

ଭିତରୁ ବ୍ୟଥାର କରୁଣ

ଯେଉଁ ନିର୍ଝର ଝର

ଖସିପଡ଼ୁ ଅଛି ତାହାର

ପ୍ରଭାବରେ ଅନ୍ତର ।

ସବୁପୁଞ୍ଜିଭୂତ ବେଦନା

ରାଶି ନିଷ୍କାସିତ କି

ହୋଇଯିବ ରାଜା ଅନ୍ତର

ପ୍ରଫୁଲ୍ଲିତ ହେବ କି?

ରାମଚନ୍ଦ୍ରଙ୍କର ଚିତ୍ତରେ

କୁସୁମ ସରାଗର

ଫୁଟିଉଠୁ ଆହେ ଜଗତ

ନାଥ କାମନା ମୋର ।

ପ୍ରଶମିତ ହେଉ ମନର

ଗ୍ଳାନି ଗଜପତିଙ୍କ

ମିଳୁ କୋଟି ଶ୍ରଦ୍ଧା ତାହାଙ୍କୁ

ଯାଉ ଯାବତ ଦୁଃଖ ।

ଚକ୍ଷୁ ପୋଛି ରାମଚନ୍ଦର

ଦେବ ସଂତର୍ପଣରେ

କହିଲେ ସଦେଇ ସମୟ

ପ୍ରତକୂଳ ସତରେ ।

ପରମ ଲକ୍ଷ୍ମୀଙ୍କ ସଂବାଦ

କିଛି ମଳିଲା ନାହିଁ

ମହାବାହୁ ତାଂକୁ ସୁସ୍ଥରେ

ରଖିଥାନ୍ତୁ ସଦେଇ ।

ପଟିଆର ପଦ୍ମନାଭ ସେ

ଗଜପତି ଭାବରେ

ଅଧିଷ୍ଠିତ ହୋଇ ଗଲେଣି

ଆସେ ଖବର ଖରେ ।

ପ୍ରତିଷ୍ଠିତ ହୋଇଗଲେଣି

ଜନ ମାନସେ ମଧ୍ୟ

ଜୀବନେ ଯିବିକି ଖୋରଧା

ଆଉ ନାହିଁ ମୋ ସାଧ୍ୟ ।

ଆଶା ଅଭିଳାଷ ମୋହର

ନିର୍ବାପିତ ହୋଇଛି

ଖୁରୁଧା କଟକ ଯିବାକୁ

ଆଉ ମନ ନୋହୁଛି ।

ଏହି ନିର୍ବାସିତ ଜୀବନେ

କେବଳ ଯେ ମୋହର

ଏତିକି କାମନା ସର୍ବଦା

ଅଖଣ୍ଡ ଓଡ଼ିଶାର ।

ପ୍ରତିଷ୍ଠିତ ସାର୍ବଭୌମତ୍ୱ

ଗଜପତି ଶାସନ

ହୋଇ ଅବରୋଧ ମୁକତ

ସର୍ବ ମୁଖେ ସ୍ୱାଧୀନ ।

ଓଡ଼ିଶାକୁ ମୁକ୍ତ ସ୍ୱାଧୀନ

ବୋଲି ହେଉ ଘୋଷଣା

ମୋଗଲ ଶାସନ କବଳୁ

ଏହି ମାତ୍ର କାମନା ।

ନିରଙ୍କୁଶ ରହୁ ଜୀଉଙ୍କ

ରାଜ ଧରମ ନୀତି

ଏଇଥିପାଇଁ କି ଦର୍କାର

ଥିଲା ମୋର କିରିଟି ।

ତାହା ଯଦି ଏବେ ନହେଲା

ତେବେ ମୋ ଅଭିଳାଷ

ମହାବାହୁ ପୂର୍ଣ୍ଣ କରନ୍ତୁ

କରି ବିଷାଦ ଶେଷ, ।

ଏକ ଚଂପାଫୁଲ ଆଶାର

ଚହଟିଣ ଅଧିରେ

ରାଜାଙ୍କର ଗଲା ମଉଳି

ତା’ପର ମୁହୂର୍ତ୍ତରେ ।

ଦର୍ଶନ କରନ୍ତୁ ମଣିମା

ଥରେ ଦଧିବାମନେ

ସୁନିଆଁକୁ ମନେ ପକାଇ

ପରା ପୁରଷୋତ୍ତମେ,

ଶ୍ମଶ୍ରୁଳ ମୁଖରେ ହାତକୁ

ଥରେ ବୁଲାଇ ଆଣି

ସଦେଇ ହାତକୁ ଧରିଲେ

ରାମଚନ୍ଦ୍ର ସେ କ୍ଷଣି ।

ପାଦ ବଢ଼ାଇଲେ ମଂଦିର

ଆଡ଼େ ଖଟୁ ଓହ୍ଲାଇ

ମଂଦିରେ ସୁନିଆ ପରବ

ଜନେ ଛୁଟନ୍ତି ତହିଁ ।

ଶତଶତ ଆର୍ତ୍ତକଂଠରୁ

ପଡ଼ୁଥିଲା ଝରିଣ

ଅସରନ୍ତି ଆବେଦନ ଯେ

ମାଗୁଣିର ଶରଣ ।

ସେ ମୁଖଶାଳାର ଗୋଟିଏ

କୋଣେ ଦଣ୍ଡାୟମାନ

ଅଶ୍ରୁଳ ଚକ୍ଷୁରେ ଜଗତ-

ନାଥେ କଲେ ବଂଦନ

 

Unknown

(ରାମଚନ୍ଦ୍ର ଦେବଙ୍କର ବଂଦନା)

 

ମନେ ଆଙ୍କିଲିରେ

ଏ ଦଧିବାମନ ରୂପ

ପାଇଥାନ୍ତି ଯଦି ପାଖରେ କୁଣ୍ଢାଇ ଛଡ଼ାଇଥାନ୍ତି ମୋ ପାପ (ଘୋଷା)

ଏ ଯୁଗ ଯୁଗର ଅଂଜ୍ଞାନାଂଧକାର ଅନ୍ଧଗହ୍ୱର ଚେତନା

ସୃଷ୍ଟି କରି ତୁମେ ଜୀବନର ମହା ଜ୍ୟୋତି ତା ମହା କଳ୍ପନା ।୧।

ମହା ଜୀବନର ସେ ମହା ନିର୍ବାଣ ପରିସମାପ୍ତି ତୁମ୍ଭର

ଏ ପାର୍ôଥବ ଲୀଳା ମୋର ଜୀବନରେ ମହା ନିର୍ବାଣ ପୂର୍ବର ।୨।

ଓଡ଼ିଶାର ସାର୍ବଭୌମ ସ୍ୱାଧୀନତା ଓଡ଼ିଆର ଉର୍ଜସ୍ୱାନ

ଏ ବିଶ୍ୱ ତୁମ୍ଭର ଅଖଣ୍ଡାବସ୍ଥାନ ଆହେ ପ୍ରଭୁ ନାରାୟଣ ।୩।

ତୁମ ନିବେଦିତ ରାଉତ ଇଛଇ ଖାଲି ସେ ମହାନିର୍ବାଣ

ସେ ମହାନିର୍ବାଣେ ମିଶୁ ପଞ୍ଚଭୂତ ତା’ର ତୁମ୍ଭ ଅପଘନ ।୪।

ଗଳାରେ ଲମ୍ବିତ ଧବଳ ଫୁଲର ମାଳା ଭିତରୁ ଗୋଟିଏ

ତଳେ ପଡ଼ୁ ଖସି ଉତ୍ସୁୁକୀ ଦୃଷ୍ଟିରେ ତଳୁ ମୁଁ ନେବି ଟିକିଏ ।୫।

ଆଖି ବୁଜି ଦେବି ତୃପ୍ତିରେ ସେତିକି ରଖି ମୋର ଚିନ୍ତନରେ

ଆଉ ଲୋଡ଼ା ନାହିଁ କିଛି ମହାବାହୁ ଜୟ ରାମକୃଷ୍ଣ ହରେ ।୬।

 

କେହି ଜଣେ ସାଧୁ ହାତରେ

କରତାଳ ଧରିଣ

ଉଦାତ୍ତକଂଠରେ ଭଜନ

କରୁଥିଲେ କୀର୍ତ୍ତନ ।

ସେହି ସୁମଧୁର କୀର୍ତ୍ତନ

ନାମ ଆଡ଼କୁ ଧ୍ୟାନ

ହୋଇଗଲା ରାମଚନ୍ଦ୍ରଙ୍କ

ଖୋଲି ଦେଲେ ନୟନ ।

ଚମକି ପଡ଼ିଲେ ଆନଂଦେ

ଏ ଯେ ହରି ଆମର

ହରିବାବା ନାମେ ବିଖ୍ୟାତ

ହୋଇଛନ୍ତି ସଂସାର ।

ଧିରେ ଧିରେ ହରି ବାବାଙ୍କ

ନିକଟକୁ ଯାଇଣ

ରାମଚନ୍ଦ୍ର ଦେବ ଟିକିଏ

ହେଲେ ଦଣ୍ଡାୟମାନ ।

କିଂତୁ ଭାବମଗ୍ନ ସେପରି

ବାବା ନାମ କୀର୍ତ୍ତନେ

ଥିଲେ ବାବା ଆତ୍ମବିଭୋର

ବୁଜି ଦୁଇ ନୟନେ ।

ବାବାଙ୍କ ଆଖିରୁ ପ୍ରେମାଶ୍ରୁ

ପଡ଼ୁଥିଲା ଝରିଣ

ଭଗବତ ଭକ୍ତି ଶକତି

ହରିବାବା ପ୍ରପନ୍ନ ।

ବାବା ନୈର୍ବ୍ୟକ୍ତିକ ଭକ୍ତିରେ

ଥିଲେ କି ରୂପାୟିତ

ନାମ ଶେଷ ପରେ ପ୍ରଣାମ

ପୁଣି ଭୂମି - ଲୁଣ୍ଠିତ, ।

ଦୃଷ୍ଟି ଥିଲାପଡ଼ି ବାବାଙ୍କ

ରାମଚନ୍ଦ୍ର ଉପରେ

ବିସ୍ମିତକଂଠରୁ ବହାରି

ଗଲା ଛାମୁ ଏଠାରେ ।

ଆର୍ତ୍ତକଂଠେ ରମଚନ୍ଦର

ଦେବ କହିଲେ ଧିରେ

ଭାଗ୍ୟ ବିଡ଼ମ୍ବନା ଅଥବା

ଅଭ୍ୟୁଦୟ ବଳରେ ।

ଏହି ଲାଖପଡ଼ା ଗ୍ରାମରେ

ନିର୍ବାସିତ ଆଶ୍ରିତ

ନିଃସ୍ୱ ଗଜପତି ହେ ହରି

ବାବା ଦେଖୁଛନ୍ତିତ ।

ସେ ପୁରୁଷୋତ୍ତମ କ୍ଷେତ୍ରରୁ

ତୁମେ ଏଠି କିପରି

ଶ୍ରୀକ୍ଷେତ୍ର ଖବର କଅଣ

କହ ହେ ଖୋଲିକରି ।

ଆଉ ରାଜଗୁରୁ ପରମ

ଲକ୍ଷ୍ମୀ ମହାପାତ୍ରଙ୍କ

କୌଣସି ଖବର ଜାଣିଛ

ଯଦି କହ ସଳଖ ।

ସମ୍ଭବତଃ ଶ୍ଳେଷ ମୁହୂର୍ତ୍ତେ

ଆତ୍ମୀୟ ସ୍ୱଜନର

ଭାବରେ ତୁମକୁ ଦେଖିବା

ପାଇଁ ଏଠି ହାଜର ।

ବୋଧହୁଏ ଏହି ଗ୍ରାମରେ

ଅବସ୍ଥାନ କରିଛି

ସବୁ ସେ ପ୍ରଭୁଙ୍କ ଇଚ୍ଛା ହେ

କଷ୍ଟେ ଦିନ କାଟୁଛି ।

ଆବେଗ ମିଶ୍ରିତ ସେ ପ୍ରଶ୍ନ

ଗୁଚ୍ଛ - ରାଶି ବୋଝରେ

ହରିବାବା ନିର୍ବିକାରରେ

ସେଠି ବସି କହିଲେ ।

“ଆହେ ଗଜପତି ମଣିମା

ସବୁ କାଳିଆ ଇଚ୍ଛା

ଆଜି ଯେ ରାଜେନ୍ଦ୍ର ଆସନେ

କାଲି ଫକୀର କାଛା ।

ଆଜି ଯେ ଆପଣ ଏଠାରେ

ଏହା ମଧ୍ୟ ତାଂକର

ଇଚ୍ଛା ସତ୍ୟେ ଇଚ୍ଛାମୟଙ୍କ

ସତ୍ୟସତ୍ୟ ଏଗୀର, ।

ଆପଣଙ୍କୁ ଦେଖି ଏଠାରେ

ଜଗନ୍ନାଥ ଦର୍ଶନ

ସଉଭାଗ୍ୟ ମୋର ହୋଇଲା

ହେଉ ତବ କଲ୍ୟାଣ, ।”

“ଶ୍ରୀକ୍ଷେତ୍ରର ମୁକ୍ତିମଣ୍ଡପ

ପଦ୍ମନାଭ ଦେବଙ୍କୁ

ଦେଇଛନ୍ତି ଗଜପତିର

ଆସନ ସ୍ୱୀକୃତିକୁ

ଶାସନୀ ପଣ୍ଡିତେ ଏପରି

ଏକ ପରିକଳ୍ପନା

ପୂର୍ବୁ କରିଥିଲେ ସଂକେତେ

ପାଇଥିଲି ସୂଚନା ।

ସହସ୍ର ଦିନରେ ସହସ୍ର

ଗଜପତି ହୁଅନ୍ତୁ

ମାତ୍ର ଓଡ଼ିଶାର ଏକତା

ପ୍ରତିଷ୍ଠିତ କରନ୍ତୁ ।

ମୁକ୍ତ ବଇକୁଂଠ ଭାବରେ

ଆମ ଜଗତନାଥ

ଅର୍ଚ୍ଚିତ ହୁଅନ୍ତୁ ହେ ହରି

ବାବା ଏକି ଦୁରନ୍ତ?

ଗଡ଼ପତିମାନେ ଦୁରନ୍ତ

ରାଜ୍ୟପାଟ ମୋହରେ

ଜାତୀୟତା ରାଷ୍ଟ୍ର ଚିନ୍ତାକୁ

ଦେଇ ଜଳାଂଜଳିରେ ।

ଆତ୍ମ ସୁଖ କାମନାରେ କି

କ୍ଷମତାର ବଂଧନ?

ରୁଚି ହୀନ ଏହା କେବଳ

ଦୁର୍ମଦ ପ୍ରହସନ” ।

ହରିବାବା ତହିଁ କହିଲେ

ମଧୁକରି ବୃତ୍ତିରେ

କେତେ ମାସ ଅତିବାହିତ

କଲାପରେ କ୍ଷେତ୍ରରେ

ଆସିଥିଲି ଆହେ ମଣିମା

ବରୁଣେଇ କଟକ

ସେଠାରେ ଦେଖିଲି ବିଧିର

ବିଚିତ୍ର ବିଧାନେକ ।

ସେ ବରୁଣେଇ କଟକର

କୋଣ ଅନୁକୋଣରେ

ମୋଗଲ ଲସ୍କରମାନଙ୍କ

ସମାବେଶ ବହୁଳେ ।

ପଟିଆର ପଦ୍ମନାଭଙ୍କ

ନିରାପତ୍ତାର ପାଇଁ

ବ୍ୟାପକ ବ୍ୟବସ୍ଥା ସୈନ୍ୟଙ୍କ

ଜାଣିଗଲି କିପାଇଁ ।

ଭ୍ରମଣ କରିଣ ଅବଶ୍ୟ

ଖୋଜିଥିଲି ଗୁରୁଙ୍କୁ

ନପାଇ ପଚାରିଥିଲି ମୁଁ

କେତେ ସେବାୟତଙ୍କୁ ।

ସେହି ସୂତ୍ରେ ମୋତେ ଯାହାବା

ମିଳିଥିଲା ଖବର

ସୂଚନା ନଦେଇ ଅନ୍ତର-

ଧାନ ଗୁରୁପ୍ରବର, ।

ସେହି ମଧୁକରି ବୃତ୍ତିରେ

ଭ୍ରମଣାବକାଶ ରେ

ଆପଣଙ୍କୁ ଖୋଜି ଭେଟିଲି

ଏ ନର ସିଂହପୁରେ ।

ଏହା ସେହି ପ୍ରଭୁ ଇଚ୍ଛା କି

ନୁହେଁ ତ ଆଉ କ’ଣ?

ସଫଳ ହୋଇଲା ମୋ ବାଂଛା

ମଧୁକରି ପ୍ରମାଣ, ।

ଅତୀତର କେଉଁ ଅଭୁଲା

ଏକ ସ୍ମୃତିଚାରଣେ

ଆଖି ବୁଜି ରାଜା ନିମଗ୍ନ

ହୋଇଥିଲେ ତକ୍ଷଣେ, ।

ସ୍ମୃତିର ପ୍ରତିମା ଲଘନେ

ଗୋଟି ଆଟି ହୋଇଣ

ଭାସି ଯାଉଥିଲେ ମାନସେ

ଧରାଦେଇ ଖସିଣ ।

ପାଟ ମହାଦେଇ ଲଳିତା

ଭାଗିରଥି କୁମାର

ସୁକୁମାରୀ ପ୍ରିୟା ରେଜିୟା

ଗୁରୁ ମହାପାତର ।

ସର୍ବଶେଷେ ମହାବାହୁଙ୍କ

ବିଜୟ ବାହୁଡ଼ାରେ

ଜନସମାଗମ ଅନେକ

ଦିଶେ ଦୃଶ୍ୟ ପଟରେ, ।

ସେ ସ୍ମୃତି ବିଗ୍ରହ ମାନଙ୍କୁ

ମଧ୍ୟୁ ଆଜି ଏ ବାବା

ବଂଧୁର ଯାଚରା ପଥର

ସହାୟକ ହୋଇବା ।

ଆତ୍ମୀୟ ସ୍ୱଜନ ଭାବରେ

ସବୁତ ଆପଣାର

ମଣିଷ ସୁଖର ମୋହରେ

ସୁଖ- ସାଖୀ ସବୁର ।

ନର ମୁଖାଧାରୀ କିଏସେ

ନରହନ୍ତା ଘାତକ

ହୋଇଛନ୍ତି ପରା ଭୀଷଣ

ଭାବେ ସାଜି ଆତଙ୍କ ।

 

ଉନବିଂଶ ସର୍ଗ

 

ବଉଳ କୋଳି ବୃକ୍ଷର ଛାୟା ତଳେ ତଳେ

ଆସୀନ ରାମଚନ୍ଦର ଦେବ ସମୀପରେ

ଉପବେଶିତ ଗୌଡ଼ୀୟ ସାଧୁ ଶୁଭ୍ରବାସ

ହରିବାବାଙ୍କୁ ଦେଖିଣ କେ ଡ଼ାକେ ନିବାସ ।

ଓଳଗି ହୋଇଣ କେହି କେହି ଯାନ୍ତି ଚାଲି

କିଏ ନିଏ ପଦ ଧୂଳି ହାତରେ ସଂଭାଳି

ସୁନିଆ ପାରଂପରିକ ରାଜକୀୟ ଭାବ

ଚେତନାରେ କେତେ ଦର୍ଶନାର୍ଥୀ କଲେ ଠାବ

ସେମାନଂକ ଯଥାସାଧ୍ୟ ଭେଟି ଆଣି ସେହି

ବଉଳ ଗଛ ମୂଳରେ ପ୍ରଣମିଲେ କେହି

ପ୍ରଣାମରେ ନିବେଦନ କରୁଥିଲେ ଆସି

କେହି କେହି ସେଠାକାର ଲାଖପଡ଼ା ବାସୀ ।

ନିଷ୍ପ୍ରାଭ ହସ ହସିଣ ରାମଚନ୍ଦ୍ର ଦେବ

ଡ଼ାକି କହେିଲ ସଦେଇ ଭେଟି ଦ୍ରବ୍ୟ ନେବ

“ଅର୍ପଣ କରିବ ପୂଜକକୁ ମଂଦିରରେ

ରଖି ଭାବନା ମାନସେ ନିମ୍ରାନୁରୋଧରେ

ଧର୍ମଦ୍ରୋହୀ ଅପାକୃତ ରାଜା ଗଜପତି

ନିନ୍ଦିତ ଅପମାନିତ ଉର୍ତ୍ସିତ ପ୍ରଣତି

ମହାରାଜାଙ୍କ ଆସନ ତଥାପି ଅତୁଟ

ରହିଛି ଏ ଓଡ଼ିଶାରେ ସଭା ବସେ ତୁଠ

ଶୁଭ ସଂଦେଶ ମୋ ପାଇଁ ଏହା ସୋ÷ଭାଗ୍ୟର

ଆଉ କି ପୁରୁଷୋତ୍ତମ ବଡ଼ ଦେଉଳର

ନନ୍ଦାବର୍ତ୍ତ ତଳ ବଂଦାପନା ସଂଭବକି

ମୋର ଜୀବନରେ ଆଉ, ବାବା କହିବକି?

ଆଉଥରେ କ’ଣ ବରୁଣେଇ କଟକକୁ

ପ୍ରତ୍ୟାବର୍ତ୍ତନ ସଂଭବ ଆସେ କି ମନକୁ?

ମଧ୍ୟାହ୍ନ ଉତ୍ତୀର୍ଣ୍ଣ ହୋଇ ଯାଇଥିଲା ଧିରେ

ମଂଦିରେ ଘଂଟା ବାଜିଲା ପୂଜକ ଆସିଲେ

ଦର୍ଶନାର୍ଥୀ କେତେଜଣ ହୋଇ ଉପସ୍ଥିତ

ଆଳତି ଦର୍ଶନ କରୁଥିଲେ ଗାଇ ଗୀତ ।

ଶୀର୍ଣ୍ଣ ଶରୀର ତାଂକର ଥିଲା ଟଳି ଟଳି

ସେଥିରେ ଉଠିଲେ ରାମଚନ୍ଦ୍ରଦେବ ଢ଼ଳି

କ୍ଲାନ୍ତିର ଦୁର୍ବଳତାରେ ଥରି ଥରି ପୁଣି

ବସିପଡ଼ିଲେ ମଂଦିର ଭଜନକୁ ଶୁଣି ।

ଗଜପତି ଅସହାୟ ଅବସ୍ଥା ଦୁର୍ବଳ

ଦେଖି ହରିବାବା ତାଂକୁ ହୋଇଣ ବିକଳ

କହିଲେ ମୋତେ ଧରନ୍ତୁ ହେ ଛାମୁ ହାତରେ

କ୍ଳାନ୍ତ ଭାରାକ୍ରାନ୍ତ ମଧ୍ୟ ଆପଣ ମନରେ

“ଏହି ଭାରାକ୍ରାନ୍ତ ତିକ୍ତତାରୁୁ କେବେ ଆଉ

ମିଳିବ ମୁକତି, ହରିବାବା ଜୀବଯାଉ ?

ବିକଳ ସ୍ୱରରେ ପ୍ରଶ୍ନ କଲେ ଗଜପତି

ସେ ସ୍ୱରେ ହରିବାବାଙ୍କ ହଜିଗଲା ମତି ।”

ମଂଦିରର ଲହରିତ ବାନା ଆଡ଼େ ଚାହିଁ

ଗମ୍ଭୀର କଂଠରେ ବାବା କହିଲେ ବୁଝାଇ

ମୁକ୍ତିପଥ ସର୍ବଦିନ ସିନା ବଂଧୁରିତ

କରୁଣାମୟଙ୍କ ଇଚ୍ଛା, ସେ ଇଚ୍ଛା ଜାଣିତ

ମୁନିରୁଷି ସନାତନ ହୋଇଛନ୍ତି ଘାଂଟି

ଆମେ ଛାର କି କହିବା ଏ କଥାକୁ ବାଣ୍ଟି

ଜୟ ଜୟକାର ଧ୍ୱନି ଶୁଭେ ଦେଉଳରେ

ସମବେତ ଉକ୍ତ କଂଠୁ ଶୁଭେ ମଂଗଳରେ

ମଂଦିର ଧୂପ ଆଳତି ହୋଇଲା ଆରମ୍ଭ

ଭକ୍ତେ ବଜାଇଲେ ଘଂଟ କରି ଛାତି ଦମ୍ଭ

ଗଜପତି ଆଖି ପଡ଼ି ପଡ଼ି ଯାଉଥିଲା

ଆଖିପତା ତଡ଼ୁ ଲୁହଧାର ଖସୁଥିଲା ।

ନିଦ୍ରାଭଂଗ ହେଲା ରାତ୍ରି ତୃତୀୟ ପ୍ରହରେ

ରାମଚନ୍ଦ୍ର ଦେବ ଉଠି ବସିଲେ ଖଟରେ

ଭୀତ ତ୍ରସ୍ତ ହୋଇ ଏକ ଦୁଃସ୍ୱପ୍ନ ଦର୍ଶନେ

ଚେଷ୍ଟାକଲେ ପକାଇବାକୁ ତାହାକୁ ମନେ

କିଏ ସେ ଜଣେ ଜହ୍ଲାଦ ଶାଣିତ କୃପାଣ

ହସ୍ତେ ଧରି ବୀର ଦର୍ପେ ଆସେ କରି ଟାଣ

ରାମ ଚନ୍ଦ୍ର ଦେବ ଆଡ଼େ ମାରିବା ଇଚ୍ଛାରେ

ବୋଧହୁଏ ଭୀତତ୍ରସ୍ତ ରାଜନ ସେଠାରେ

ଅଜ୍ଞାତ ଆତତାୟୀକୁ ଚାହିଁ ଥରୁଥିଲେ

କେବଳ ବସିଣ ଆତଙ୍କିତର ଦୃଷ୍ଟିରେ ।

ମାତ୍ର କେତୋଟି ପାହୁଣ୍ଡର ବ୍ୟବଧାନରେ

ଚାହୁଁ ଚାହୁଁ ଏକ ତୀର ଆସିଣ ପ୍ରଖରେ

ଜହ୍ଲାଦକୁ ଧରାଶାୟୀ ସେଠି କରିଥିଲା

ଅଜ୍ଞାତ ଶରସଂଧାନୀ ସ୍ୱର ହିଁ ଶୁଭିଲା ।

“କଳଂକ ତିଳକ ପିନ୍ଧି କେହି, କଳଂକିତ

ହୋଇଯାଏ ନାହିଁରେ ଜହ୍ଲାଦ ଅବାଂଛିତ

ପୁଣ୍ୟର ଚଂଦନ ଟୋପା ପିନ୍ଧିଲେ କି କେହି

ହୋଇ ପାରେ ନି ଧାର୍ମିକ କେବେହେଲେ ସେହି ।

ପାପ ପୁଣ୍ୟ ନିୟାମକ ହେଉଛି ଧରମ

ଆଉ ଧର୍ମର ସାକ୍ଷାତ ସ୍ୱରୂପ ହିଁ ବ୍ରହ୍ମ

ରାମଚନ୍ଦ୍ର ଦେବଙ୍କର ଧର୍ମ ପ୍ରୀତି ପ୍ରତି

ଜାତିପ୍ରେମ ଅ୍ରନୁଭବ କରିବା ସଂପ୍ରତି ।

ଅଭ୍ୟାସ କର ପ୍ରୟତ୍ନେ ରେ ଜହ୍ଲାଦ ଗଣ

ଜାଣିବାକୁ ତାଂକୁ ଭଲ ଭାବରେ ଅଧମ

ମହାକାଳର ବାଣୀକୁ ରେ ଶ୍ରବଣକର

ମୁହିଁ ମହାକାଳ ଶୀଘ୍ର ଅନୁଭବକର ।”

ସେତିକି ବେଳେ ହୋଇଲା ତାଂକ ନିଦ୍ରାଭଂଗ

ଥିଲେ ଖଟରେ ସେଇଠି ହୋଇଣ ନିଃସଂଗ

ଥରି ଥରି ଉଠି ଶଯ୍ୟା ଉପରେ କେବଳ

ଭାବୁଥିଲେ ସ୍ୱପ୍ନ ବୃତ୍ତାନ୍ତକୁ ବହୁଥର ।

ଦେଇଣ ସୂଚନା ରାତ୍ରି ଚତୁର୍ଥ ପ୍ରହର

ବୋବାଇଲେ ସେ ଶୃଗାଳ ବସି ଦଳଦଳ

ରାତ୍ରିଚର ପକ୍ଷୀମାନଙ୍କ କାକଳି ସ୍ପଷ୍ଟ

ହୋଇ ଆସୁଥିଲା ଯାହା ଥିଲାଟି ଅସ୍ପଷ୍ଟ ।

ବିଧୂର କଂଠରେ ଥିଲା କି ନିର୍ଜନତାର

ଅଦୂର ଅରଣ୍ୟ ମଧ୍ୟୁ ଝିଲ୍ଲୀର ଝଂକାର

ଯେଉଁପରି କରୁଣାର ମୂର୍ଚ୍ଛନା ଲହରୀ

ନିଶାନ୍ତ ବିଜନତାକୁ ଭରାକ୍ରାନ୍ତ କରି ।

ଦେଉଥିଲା ଗଜପତି ଅଶ୍ୱସ୍ତ ଚିତ୍ତରେ

ଇଷ୍ଟଦେବ ଧ୍ୟାନକରି ଦୁଆର ଫାଙ୍କରେ

ଚାହିଁଲେ ଦଧିବାମନ ମଂଦିର ବେଢ଼ାକୁ

ହରି ନାମ ସଂକୀର୍ତ୍ତନ କରି ଡ଼ାକୁ ଡ଼ାକୁ       

ପରିକ୍ରମା କରୁଥିଲେ ବ୍ରାହ୍ମ ମୁହୂର୍ତ୍ତରେ

ହରିବାବା ଜପି ଜପି ସେ ହରି ନାମରେ ,

ଦୁଆରେ କାହାର କରାଘାତ ଶବ୍ଦ ଶୁଣି

ସ୍ଥିର ହୋଇଗଲେ ରାମଚନ୍ଦ୍ର ଦେବ ପୁଣି ।

ବାରମ୍ବାର କରାଘାତ କରି କେହି ଜଣେ

ଧିର କଂଠରେ ଡ଼ାକିଲେ ଖୋଲନ୍ତୁ ଆପଣେ

ରାମଚନ୍ଦ୍ର ଦ୍ୱାର ଖୋଲି ପଚାରିଲେ କିଏ

ପ୍ରୀୟାନ୍ଧକାର ମଧ୍ୟରେ, ଗୁପ୍ତଚର କିଏ ?

ଗୃହ ମଧ୍ୟେ ପଶିଯାଇ ଏକା ନିଃଶ୍ୱାସରେ

ଠିଆ ଆଗନ୍ତୁକ ଗଜପତି ସମ୍ମୁଖରେ

ଅସ୍ଫୁଟ ଚିତ୍କାର କରି ଉଠିଲେ ରାଜନ

ଏପରି ଅସମୟରେ ଏଠାରେ ଆପଣ?

“ଗୁପ୍ତଚର ମାନଂକର ଆଖିରୁ ଆତଙ୍କ

ଲୁଚାଇବା ପାଇଁ ବର୍ତ୍ତମାନ ପଳାତକ

ସାଜିଅଛି, ଆପଣଙ୍କ ଅଜ୍ଞାତ ବାସର

ଉନ୍‌ମୋଚନ କରିବା ନିମନ୍ତେ ରହସ୍ୟର ।

ମୋ ଉପରେ ପଦ୍ମନାଭ ଦେବ ଦୃଷ୍ଟି ବଦ୍ଧ

କରିଛନ୍ତି ସେଥିପାଇଁ ଏ ଦୀନ ଆବଦ୍ଧ

ସେଥିପାଇଁ କିଛି ଦିନ ତୀର୍ଥ ସେବନରେ

ଯିବାର ଘୋଷଣା କରି ମୁଁ ଲୁଚି ଏଠାରେ ।

ଲାଖପଡ଼ା ଆସି ଅଛି ଆପଣଂକ ସଂଗେ

ସାକ୍ଷାତ କରିବି ବୋଲି ବରଜି ପ୍ରସଂଗେ

ରାମଚନ୍ଦ୍ର ଦେବ ଏକ ପିଢ଼ାକୁ ବଢ଼ାଇ

କହିଲେ ରାଜଗୁରୁଙ୍କୁ ବସିବାର ପାଇଁ ।

ଦେଇ କହିଲେ, “ବରତମାନ ପଦ୍ମନାଭ

ନିଷ୍କଂଟକ ହେବାପାଇଁ ସୁଦୃଢ଼ ସ୍ୱଭାବ

ପୋଷଣ ଆୟୋଜନରେ ହୋଇଣ ଚଂଚଳ

ତେବେ ହୋଇ ପଡ଼ିଛଂତି ଶୁଣୁଛି ଖବର ।”

ମୁର୍ଶିଦ କୁଲିଖାଁ ଅଂଧକାରେ ରହିଛନ୍ତି

ପ୍ରକୃତ ଖବର କିଛି ସେହି ନଜାଣନ୍ତି

ସୁଯୋଗ ଦେଖିଣ ମିଶି ଥିଲି ଅତୀତରେ

କହି ଥିଲି ଷଡ଼ଯନ୍ତ୍ର କଥା ଗୋପନରେ ।

ବ୍ୟଥିତ ହେଲେ ବି ସବୁ ଶୁଣିସାରି ପରେ

ପାରୁନାହାନ୍ତି ଉପେକ୍ଷା କରି ହବିବରେ

ତାଙ୍କଶଙ୍କା ଯଦି ଆପଣଙ୍କୁ ପୁନର୍ବାର

ବରୁଣେଇ କଟକରେ ଆସୀନ ସଂଭାର ।

କରାଯାଏ ତେବେ ପ୍ରଜାଙ୍କର ଆନ୍ଦୋଳନ

ହୋଇପାରେ, ଉଗ୍ରରୂପ କରିବ ଧାରଣ ।

ସେହି କଥାକୁ ତାଂକର ମଥାର ଭିତରେ

ଭର୍ତ୍ତି କରି ଦିଆ ଯାଉଅଛି ଏକାନ୍ତରେ

ମୁର୍ଶିଦ କୁଲିଖାଁ ସେଥିପାଇଁ ଥିଲେ କହି

ସେ ଦିନ ହସି ହସିଣ ଧିରେ ରହି ରହି ।

“ଗଜପତି ରାମଚନ୍ଦ୍ର ଦେବ ଖୁବ୍‌ ଭଲ

ପ୍ରଜାଏ ଚାହୁଁ ନଥିବା ତାଂକୁ ଆଶ୍ଚର୍ଯ୍ୟର

ବିଷୟ ହେ ଲାଗୁଅଛି ମୋତେ ରାଜଗୁରୁ

ଭାବିଲିଣି ବହୁକଥା ସୁଦୂର ଅଦୂରୁ ।

ରାମଚନ୍ଦ୍ର ଦେବ ଦ୍ୱାର ଫାଙ୍କେ ନୀରବରେ

ଝରି ଆସୁଥିବା ସକାଳର ଆଲୋକରେ

ଆଜି ମଧ୍ୟ ଚାହିଁଥିଲେ ସବୁଦିନ ପରି

ପ୍ରଭାତ ସୂର୍ଯ୍ୟ କିରଣ ଆସୁଅଛି ଝରି ।

କିଂତୁ ଜୀବନର ଶୁଭ ସୂର୍ଯ୍ୟୋଦୟ ଆଉ

ହେଉନାହିଁ ସମ୍ଭବ ବି ଦିଶେ ଦାଉ ଦାଉ

ସହସ୍ରାକାଶରେ ଦମକାଏ କାଶି କାଶି

ତଳକୁ ନଇଁ ପଡ଼ିଲେ ଗଜପତି ଆସି ।

ସଦେଇ ଧାଇଁ ଆସିଣ ଆଉଁସି ପିଠିକୁ

କହିଲା ହେ ଛାମୁଁ ବାଧା ହେବ ଟି ଛାତିକୁ

ତେଣୁ ଆଉ ବେଶି କଥାବାର୍ତ୍ତାକୁ ନକରି

ନିଜେ ବିଶ୍ରାମ ଗ୍ରହଣ କରନ୍ତୁ ଏପରି ।

ତିଆରି ଗଜପତିଙ୍କୁ, ଆପଣ ଯେ ଶ୍ରାନ୍ତ

ହୋଇ ପଡ଼ିଛନ୍ତି ଦେହ ଲାଗେ ବଡ଼ କ୍ଲାନ୍ତ”

ବିଷ୍ଫାରିତ ନୟନରେ ଚାହିଁ ରାଜଗୁରୁ

ଏପରି କିପରି ହେଲା ପରଖି ଅଦୂରୁ ।

ଖଟଉପରେ ଶୁଆଇ ଦେଇ ଗଜପତି

ଯତନେ, ଦ୍ୱାର ଖୋଲିଲେ, ଆଶ୍ଚର୍ଯ୍ୟ ଭାବଟି

ନିରୀକ୍ଷଣ କରି ରାଜଗୁରୁ ଆଲୋକରେ

ଚମକି ପଡ଼ିଲେ ତାଂକୁ ଦେଖି ଅଦୂରରେ ।

ସୌମ୍ୟ ଦରଶନ ଗୌର ଗଜପତି କାନ୍ତି

ଅଯତ୍ନ ବର୍ଦ୍ଧିତ ଶ୍ମଶ୍ରୁ ବଦନ ବିଭାତି

ଶିରୋପରେ ଚିନ୍ତାସ୍ଫୀତ ଶିରାର ତ୍ରିବଳି

ନୈରାଶ୍ୟ ଜନିତ ଶୀର୍ଣ୍ଣତାର କଳା-କଳି ।

ରାଜଗୁରୁ ଚକ୍ଷୁ ଛଳ ଛଳ ହୋଇଗଲା

ବିଚାରିଲେ ଦୁର୍ଭାଗ୍ୟର ଖେଳ ଆସିଗଲା

ଆଉ ସୋ÷ଭାଗ୍ୟ ସୁଦିନ ଆସିବାର ନାହିଁ

ବଳବାନ ଏ ଦୁର୍ଭାଗ୍ୟ ଛାଡ଼ିବାର ନାହିଁ ।

ଏକ ଦୁର୍ଭିକ୍ଷ ମଣିଷ ପ୍ରପୀଡ଼ିତ ପରି

ଦିଶୁଛନ୍ତି ରାମଚନ୍ଦ୍ର ଦେବ ଏହିପରି

ଦୁଗ୍ଧ ଫେନ ନିଉ ଯାର ଦିନେ ଥିଲା ଶଯ୍ୟା

ଆଜି ଲାଖପଡ଼ା ଗ୍ରାମେ ପାଏ ସେହି ଲଜ୍ୱା

ଓଡ଼ିଶାର ଉର୍ଜସ୍ୱଜ ଶୌର୍ଯ୍ୟର ପ୍ରତିଷ୍ଠା

ପାଇଁ ଯାର ପ୍ରାଣ ପଣେ ଯାଗିଥିଲା ନିଷ୍ଠା

ମାନ ରକ୍ଷା ପାଇଁ ଦେବ ଜଗନ୍ନାଥଙ୍କର

ଯେ ସହସ୍ର ନିଂଦା ଅପବାଦକୁ ଆଦର ।

ଆତ୍ମସାତ କରି ଜୀବନକୁ କରିଥିଲେ

ଉତ୍ସର୍ଗୀକୃତ ରାଜ୍ୟର ସ୍ୱାର୍ଥର ବେଦୀରେ

ସେ ଆଜି ତଳି ତଳାନ୍ତ ତଳେ ଗଡ଼େ ପଡ଼ି

ହେ ରାଷ୍ଟ୍ରଦେବତା ତୁମେ ନୀରବ କିପରି ?

ସ୍ୱାର୍ଥର ଅଂଧ ମୋହରେ ଓଡ଼ିଶାର ସେହି

ଭେଦିଆମାନଂକ ଷଡ଼ଯନ୍ତ୍ରେ ପଡ଼େ କେହି

ଶିକାର ହୋଇ ଶେଷରେ ବୀରବର ରାଜା

ଗଜପତିହିଁ ଲାଛିତ ଗାଦିଚ୍ୟୁତ ତାଜା

ଆତ୍ମଗୋପନ କରିଣ ପୁଣି ନିପୀଡ଼ିତ

ବସୁଂଧରା ଯାଉ ଫାଟି ବିଧାନ ବିହିତ ।

କୋମଳ ଆଲୋକ ଆବାହନେ ଗୁରୁ ବସି

ପ୍ରାର୍ଥନା କଲେ ପ୍ରଭୁଙ୍କୁ ମନେ ମନେ କସି ।

 

ପ୍ରାର୍ଥନା ପରମ ଗୁରୁଙ୍କ

ବିଶ୍ୱଜୀବନ ହେ

ଆଜି ମୁଁ ଲବେ କହିବି

ଭାବିଥିଲି ବହୁ ଦିନ ହେଲା କହୁ ନଥିଲି ଆଜି

କହିବି (ଘୋଷା)

ଏହା କେଉଁ ଅବା ଭକ୍ତଜନର ବା ସୁରକ୍ଷା ହେ ମହାବାହୁ

ବାହ୍ୟ ଉପଚାର ଦେଖିକି ବିଚାର ଆପଣ କରନ୍ତି ଆଉ      ।୧।

ହୃଦୟାବେଦନ ଦେଖନ୍ତି ଆପଣ ବୋଲି ଜନସାଧାରଣ

ପରା ଜାଣିଛନ୍ତି ନିବେଦିତ ଉକ୍ତି ତେଣୁ କି ପ୍ରସନ୍ନ ପ୍ରାଣ      ।୨।

ମାନରକ୍ଷା ପାଇଁ ଗଜପତି ଧାଇଁ ଜୀବନଯାକ ନିନ୍ଦାରେ

ବୁଡ଼ିଗଲେ ସିନା ସେ ଦୁଃଖକୁ ଘେନା ନୋହିଲା କି ଦରବାରେ       ।୩।

ଯେ ତ୍ୟାଗ ଅପୂର୍ବ ନିଷ୍ଠାର ଅପୂର୍ବ କାହାଣୀକୁ ବିଡ଼ମ୍ବିତ

ମସୀବଦ୍ଧ କଲେ ଏ ଇତିହାସରେ ଜାଣି ଲାଗେ ଆଚମ୍ବିତ ।୪।

ଯଦି କିଛି ଥିଲା ଅପରାଧ ହେଲା ନିଜ ପାବନ ଗୁଣରେ

ତା କ’ଣ କ୍ଷମିତ ନୋହିଲା କି ସତ ସୁଦରଶନ ଚକ୍ରରେ ।।୫।

ଆହେ ଦୀନବଂଧୁ ହେ କରୁଣା ସିଂଧୁ ଗାଳି କେତେ ଦେଲେ ହେବ

ଶୁଣିବ ଦୁଃଖିର ଦୁଃଖ ବାରତାର ବିଚାର ବା କାହିଁ ହେବ       ।।୬।

ଗଜପତି ଇତି-ହାସରେ ସଂପତ୍ତି ଅନୈକ୍ୟର ଏ ଦାରୁଣ

ଆଉ କେତେ କାଳ ଏ ବିଡ଼ମ୍ବନାର ମଡ଼କ ବୁଣିବ ପୁଣ ହେ        ।।୭।

******

ଶ୍ରୀମଂଦିରେ ମହାଦୀପ ଉତ୍ତୋଳନ ବେଳେ

ଆଉ ସେହି ପୂର୍ବଡ଼ାକ ପଡ଼ୁନାହିଁ ହେଳେ

କଂଠରେ ଭରିଛି ଏବେ ସେ ପଣ୍ଡାମାନଂକ

ପଦ୍ମନାଭ ସ୍ମୃତିବାଣୀ କର୍ଣ୍ଣର ରୋଚକ ।

ମହାଦୀପ ଏବେ ଯେବେ ଉଠୁଛି ଦେଉଳେ

ଆପଣଂକ ନାମ ଭୁଲି ଗଲେଣି ସକଳେ

କେବଳ ସେ ପଦ୍ମନାଭ ଦେବ ବୀରବର

ନାମରେ ପଡ଼ୁଛି ଡ଼ାକ ଆଜ୍ଞା ନିରନ୍ତର ।

ଆଉରି ମଧ୍ୟ କେତେକ ଶାସନୀ ବ୍ରାହ୍ମଣେ

ମାନପତ୍ର ପ୍ରଦାନ ସ୍ୱରୂପ ନିଦର୍ଶନେ

ସ୍ତବ୍ଧ ହୋଇଗଲେ ଶୁଣି ରାମଚନ୍ଦ୍ରଦେବ

ଦୈବୀ ବିଡ଼ମ୍ବନା ଗ୍ରସ୍ତ କି ହେଲା କିହେବ ।

“ଭାବିଥିଲି ଦୁର୍ଯ୍ୟୋଗର ପତ୍ର ସୋ÷ଭାଗ୍ୟର

ମଳୟ ପ୍ରବାହେ ଶୀଘ୍ର ଓଲଟିବ ଘର ।”

“ମଳୟ ପବନ ପାଇଁ ଫଗୁଣ ମାସଟା

ହେବା କଥା ଏବେ ପରା ଶ୍ରାବଣ ମାସଟା

ଅବଶ୍ୟ ବହିବ ସୋ÷ଭାଗ୍ୟର ଆମୋଦିତ

ମଳୟ ପବନ ଜୀବନରେ ବିଡ଼ମ୍ବିତ ।

ଜୀବନରେ ବସନ୍ତ ଋତୁର ଆଗମନେ

ଶ୍ରୀବଣର ବାରିଝର ହେବନି ଗଗନେ ।

ଠାକୁରଙ୍କ ଦରଶନ କରିବାର ପାଇଁ

ଏବେ ଯିବା ରାଜଗୁରୁ ଆଉ ଭାବନାହିଁ

ଏଠାରେ ଦଧିବାମନ ଜୀଉଙ୍କ ମନ୍ଦିର

ମୋର ସପନର ଏହି ପରା ଶ୍ରୀମଂଦିର

“ଏହି ଗାଁର ଦାଣ୍ଡ ଅଟେ ମୋର ବଡ଼ଦାଣ୍ଡ

ଏହି ନରସିଂହପୁର ମୋହର ବ୍ରହ୍ମାଣ୍ଡ

ଗଡ଼ ମାହାଲ ନିବାସ ଏହି ଖଟ ଭଗ୍ନ

ବୁରୁଣେଇର ମହାର୍ଘ ରାଜସିଂହାସନ ।”

ହରି ବାବାଜି କହିଲେ ଲାଖପଡ଼ା ଗ୍ରାମେ

ଗଜପତି ଅବସ୍ଥାନ ଯେପରି ସଂଗ୍ରାମେ

ଯେପରି ବିଧି ନିର୍ଦ୍ଧିଷ୍ଟ ଆହେ ରାଜଗୁରୁ

ଆମ୍ଭମାନଂକ ସୁଯୋଗ ଯେପରି ଅଦୂରୁ

ସବୁ ଜଗନ୍ନାଥ ଇଚ୍ଛା ସେ ମଂଗଳମୟ

ଆମର ମିଳନ ଏଠି କି ରହସ୍ୟମୟ ।

“ସହସା ପଚାରି ଦେଲେ ରାମଚନ୍ଦ୍ର ଦେବ”

ଆହେ ହରି ବାବା -ରହଣି ହେ କେତେ ହେବ ।

“ଯେତେ ଦିନ ହିଁ ଆପଣ ଏଠାରେ ରହିବେ

ମଧୁକରି ସେବା ମୋର ଏଠାରେ ହୋଇବେ

ମୋ ପାଇଁ ଏଲାଖପଡ଼ା ବରୁଣେଇ ହେବ

ସନ୍ୟାସ ଗ୍ରହଣ ପରେ ଜୀବ ସେବା ହେବ

ହେ ଗଜପତି ମଣିମା ସନ୍ୟାସୀର ଧର୍ମ

ଦୀନ ଦୁଃଖି ରଂକି ସେବା ବୁଝି ତାର ମର୍ମ

ରାମଚନ୍ଦ୍ର ଦେବ ସେଠି ମ୍ଳାନ ହସ ହସି

କହିଲେ ହେ ହରିବାବା, କହୁଛି ଭରସି

ଗଜପତି ସଂବୋଧନ କରିବନି ଆଉ

ରାମ ରାମ ଡ଼ାକି ଡ଼ାକି ମୋ ଜୀବନ ଯାଉ

ବ୍ୟଥିତ ଲଜ୍ଜିତ ଆଉ କର ନାହିଁ ମୋତେ

ଭଲ ଲାଗୁ ନାହିଁ ଗଜପତି ଡ଼ାକ ମୋତେ

ରାମଚନ୍ଦ୍ର ଦେବ ଆଜି ଜନମାନସରେ

ପତିତ ବିଧର୍ମୀ ମିଆଁ ଜାତି ଘୃଣାକରେ

ଅସ୍ପୃଶ୍ୟ ଚଣ୍ଡାଳ ମୁହିଁ ଭେଦିଆ ବିଚାରେ

ଧର୍ମ ଧ୍ୱଜୀମାନଙ୍କର ସଂସାରୁ ବାହାରେ ।

“ରାଜଗୁରୁ କହିଲେ ସଧିରେ ଦୃପ୍ତକଂଠେ

ପଶୁରାଜ ସିଂହ ଧୃତ ହୋଇ ଜାଲେ କଷ୍ଟେ

ହେଲେ ମଧ୍ୟ ସେ ଯେ ସିଂହ ରୂପେ ବିବେଚିତ

ତାହା ଜନ ସମାଜରେ ନୁହେ ଅନୁଚିତ ।

ମୌଳବାଦୀ ଧର୍ମଧ୍ୱଜୀ ମାନଂକ ବିଚାରେ

ଧର୍ମର ସ୍ୱରୂପ ଅଂଧ କରମକାଣ୍ଡରେ

ଏ ଏକ ନଗ୍ନ ନମୁନା, ଅତରଂଗ ଭକ୍ତି

ଧର୍ମ ଧାରଣାର ଆତ୍ମ ଚେତନାର ଦୀପ୍ତି

ଧର୍ମାଂଧତାର ବାଦଲେ ଆସ୍ତୀର୍ଣ୍ଣ କରିଣ

ମୌଳିବାଦୀ ମାନଂକର କଚ୍ଛାକୁ ଧରିଣ

ଯୋ ସମାଜ ଆଗୋଉଛି ଅନୁତପ୍ତ ହେବ ।

ଜ୍ଞାନ ବିଧ୍ୱଂସକ ଯୁଗେ ଯୁଗେ ଲବେ ହେବ ।

ଆଖି ବୁଜିଥିଲେ ରାଜା ଆକାଶ ଆଡ଼କୁ

ନିଷ୍ପ୍ରଭ ଚକ୍ଷୁର ଅଭ୍ୟନ୍ତର ମୁହୂର୍ତ୍ତକୁ

ସେହି ଅବିସ୍ମରଣୀୟା ନାରୀ ଜବାଧରୀ

ଯାହାକୁ ହୃଦୟେ ରଖିଛନ୍ତି ସଜକରି

ତା କଳା ଘୁମର ଆଖି ଦୁଇଟି ଝଲକି

ଉଠି ପର ମୁହୂର୍ତ୍ତରେ ଅଦୃଶ୍ୟ ପରଖି

କେତୋଟି ମୁହୂର୍ତ୍ତ ପାଇଁ ତାହାର ସ୍ମରଣ

କଲେ ସ୍ୱରତୋକ୍ତି ରାଜା ନୋହି ବିସ୍ମରଣ

“ତୁମେ ଯେଉଁଠି ଥାଅ ଗୋ ମୋ ପ୍ରିୟା ରେଜିୟା

ଜୀବନେ ଖୁସିରେ ରୁହ ଘେନି ସବୁ ପ୍ରିୟା

ଓଡ଼ିଶାର ସାର୍ବଭୋ÷ମ ଅଖଣ୍ଡତା ପାଇଁ

ମହାବାହୁଙ୍କର ସତ୍ୟ ମାନରକ୍ଷା ପାଇଁ

ତୁମର ଆତ୍ମୋତ୍ସର୍ଗର ମହିମା ମୁଁ ଭୁଲି

ପାରି ନାହିଁ ପାରିବିନି ମଧ୍ୟ ସବୁ ଭୁଲି

ମୋତେ କ୍ଷମାକର, ତୁମ ପ୍ରିୟ ହୋଇ କରି

କିଛି କରିପାରିଲିନି ଦିନ ଯାଏ ସରି

ଆଉ କେତେ ଦିନ ଧରା ବକ୍ଷରେ ବଂଚିବି

ଜାଣିନି ଅବଶ୍ୟ ତାହା କିପରି କହିବି ।”

 

ବିଂଶସର୍ଗ

 

ମାନରକ୍ଷା ପାଇଁ ମହାବାହୁଙ୍କର ତୁମର ଆତ୍ମୋତ୍ସର୍ଗର

ଓଡିଶାର ସାର୍ବଭୌମ ଅଖଣ୍ଡତା ଯାଥିଲା ଲକ୍ଷ୍ୟ ଆମର

ରେ ପ୍ରିୟା ।

ମନେଥିବ କଥା ଯାହା ଯାହା

ହୋଇଥିଲେ, ଗୁଣି ହେବେ ବାୟା

ଦେଖେ, ଆଖି ବୁଜି ତୁମ ଛାୟା ରେ ।।୧।।

ରେଜିୟା ସଜଳ କଂଠରୁ ଯେପରି ଶୂନ୍ୟେ ଆସେ କ୍ଷୀଣସ୍ୱର

କି ସୁଖରେ ଆଉ ରହିବି ହେ ପ୍ରିୟ ଗଜପତି ହୃଦହାର

ହେ ହାର

ତୁମେ ମୋରପରା ହୃଦ ହାର

ସାଇତିଛି ସ୍ମୃତିର ସମ୍ଭାର

ହୋଇ ରାତି ରାତି ଉଜାଗର ହେ ।।୨।।

ତୁମେ ସିଂହାସନ ଚ୍ୟୁତ ହୋଇଛ ହେ ଆଶ୍ରୟ ପ୍ରାର୍ଥୀ ପତିତ

ପତିହୀନା ନାରୀ ଅସହାୟା ଆଜି ମୋ ଜୀବନ ବିଡମ୍ବିତ

ମୋ ଧନ

ଧର୍ମ ଦ୍ରୋହୀ କାଫେର ବେଗମ

ଜନ ସମାଜେ ଆଜି ନଗଣ୍ୟ

ମନେ ପଡୁ ଅଛ ରାତିଦିନ ମୋ ।।୩।।

ସବୁ ଧରମର ମଉଳ ବାଦର ନାଲି ଆଖିତଳେ ଧର୍ମ

ପରାୟଣତାର ଆତ୍ମ ନିବେଦନ ଅଚଳ ମୁଦ୍ରା ପରମ

ଯାହାର

ସ୍ଥିତି ଅଛି ମୂଲ୍ୟ ନାହିଁ ତାର

ବୋହୁ ଅଛି ସଦା କୋହ ଭାର

ତାକୁ ପାଥେୟ କରି ସଂବଳ ।।୪।।

ତୁମେ ଜବାଧାରୀ ଆଜି ଅଶ୍ରୁ ମୁଖୀ ନିପୀଡିତା ପ୍ରପିଡିତା

କେଉଁ ସୁଖେ ଆଉ ବଂଚିବ ଜୀବନେ ସବୁ ଲାଗେ ଯା କୁ ପିତା

ହେ ତାର

କେଉଁ ସୁଖ ଅଛି ଏହି ପୁର

କାହିଁ ଆଦର୍ଶ ପୁରୁଷ ତାର

ସଂଗହୀନାକରି ତୁମେ ଗଲ ହେ ।।୫।।

ଗୋଲାପ ଫୁଟୁଛି ଗୋଲାପ ବଣରେ ତାର ରକ୍ତ ପାଖୁଡାରେ

ଦେଖୁଛିହେ ସ୍ୱାମୀ ତୁମକୁ ନିତି ମୁଁ ସେ ଫୁଲ ତୋଳି ହାତରେ

ମୋ ଫୁଲ

କାହିଁ ତୁମ ସମ କେହି ତୁଲ

ତୁମ କଥା ଭାବିକଲବଲ

କେବେ ଦେଖା ହେବ ଆଉ ଭଲ ମୋ ।।୬।।

ନମାଜ ପଢ଼ିବା ବେଳେ ତୁମଛବି ଦେଖେ ସେ ପୋଥି ଭିତରେ

ଯେଣେ, ଚାହେଁ ତେଣେ ତୁମ ପ୍ରତିରୂପ ଏହି ଅନ୍ତରକୁ ଘାରେ

ହେ ଘାରେ

ତୁମ ପାଣ୍ଢୋଇ ଅଛି ଏଠାରେ

ତାକୁ ଛୁଇଁ ମୁଁ ପ୍ରଣାମ କରେ

ଛାଡି ଯାଇଥିଲ ତର ତରେ ହେ ।।୭।।

ଯେଉଁ ଦିନ ଆମ ନିକା ହେଲା ପ୍ରିୟ ସେ ରାତିର ଅଛି ସ୍ମୃତି

ସେହି ସ୍ମୃତି ମାତ୍ର ଅତି ଯତନରେ ହୃଦୟେ ମାତ୍ର ସାଇତି

ରଖିଛି

ଯେତେ ଦିନ ଯାଏ ଥିବି ବଂଚି

ଆଉ କେଉଁ କଥାରେ ମୋ ରୁଚି

ନାହିଁ ନାହିଁ ଶପଥେ କହୁଛି ।।୮।।

ସେ ସ୍ମୃତି-ସଂପତ୍ତି ସଂଗରେ ମୁଁ ନେବି ଯୁଆଡେ ଯିବି ଜୀବନେ

ଜୀବନାନ୍ତେ ମଧ୍ୟ ନାହିଁ କାର ସାଧ୍ୟ୍ୟ ନେବ ଛଡ଼ାଇ ଗୋପନେ

ହୃଦରେ

ରଖିଅଛି ଗୁପ୍ତ ଫରୁଆରେ

ସାତ ତାଳ ପାଣିର ଭିତରେ

ଦେଖାହେଲେ ଦେଖିବ ସେ ପୁରେ ।।୯।।

ଅବଳା ଦୁର୍ବଳା ଭାବି ବୀରବର ବୀରତ୍ୱର ଭାବ-ମଂଜି

ବୁଣିଥିଲ ମୋର ଶରୀରେ କୌଶଳେ ପୀରତିରସରେ ରଂଜି

ହେ ପ୍ରିୟ

ତାର ଭାବନାରେ ମୁଁ ଅଥୟ

କହିଥିଲ କରିବାକୁ ଥୟ

ଏବେ ଲାଗେ ବଡ ଅସହାୟ ।।୧୦।।

କ୍ଷୀଣସ୍ୱରେ ଶୁଣି ମଂଦ ପ୍ରଭଂଜନେ ଚମକି ଗଲେ ରାଜନ

ଜବାଧରୀଙ୍କର ହୃଦୟ ଭାଷଣ ମନ ହେଲା ଛନ ଛନ

ସେ ରାଜା

ତାଂକ ଭାବାନ୍ତର ଦେଖି ତାଜା

ରଜାଗୁରୁ ବୋଇଲେ ହେ ରାଜା

ଧୈର୍ଯ୍ୟ ଧରନ୍ତୁ ହେ ମହାରାଜା ।।୧୧।।

ଆପଣଂକ ସ୍ୱାସ୍ଥ୍ୟ ଫେରିଣ ଆସିଲେ ପୁଣି ସମର କୌଶଳ

ନୀତି ନିର୍ଦ୍ଧାରିତ ହୋଇବ ଧଇର୍ଯ୍ୟ ଧରନ୍ତୁ ପ୍ରଭୁ ମଂଗଳ

କରିବେ

ଶୁଭ ଦିନ ଲବେ ଫେରାଇବେ

ସୁଖ ଦଃଖ ଲାଗିଅଛି ଉବେ

ତେଣୁ ସାହାସ ରଖନ୍ତୁ ଏବେ ।।୧୨।।

ଏ ପର୍ଯ୍ୟନ୍ତ ମଧ୍ୟ ବହୁଗଡପତି ସେ ପଦ୍ମନାଭ ଦେବଂକୁ

କରୁ ନାହାଁନ୍ତି ସେ ସ୍ୱୀକାର ହୃଦୟେ ପୁଣି ତାଙ୍କ ରାଜତ୍ୱକୁ

ସୁଯୋଗ

ଉଣ୍ଡି ଗୋଟି ଚଲାଇବା ଆଗ

ଆମ ଯୁଦ୍ଧ କୌଶଳ ବିଭାଗ

ସେଥିପାଇଁ ଉଣ୍ଡିବା ସୁଯୋଗ ।।୧୩।।

ରାମଚନ୍ଦ୍ରଙ୍କର ନିଷ୍ପ୍ରଭ ନୟନେ ଏକ ମୁହୂର୍ତ୍ତକ ପାଇଁ

ଆଶାର ଦିହୁଡ଼ି ଦପ ଦପ କରି ଜଳି ଉଠିଲା କିପାଇଁ

ସତରେ

ଆଉ ଭଷନା ଧାନ ଗଜାରେ

ସତେ ହେବ କି ଜୀବଦ୍ଦଶାରେ

ହାତ ଗୋଡ ଚଳୁନି ଏଠାରେ ।।୧୪।।

ସେଦେଇ କହିଲା ଦଧିବାମନଙ୍କ ମଂଦିର ମୁଖଶାଳାରେ

ସମସ୍ତଙ୍କ ପାଇଁ ଯୋଗାଡ ହୋଇଛି ଠା ଯିବା ଆସନ୍ତୁ ଖରେ

ହେ ଖରେ

ମହାରାଜା କିଂତୁ ଯିବେ ପରେ

ତାହା ତିଆଡ଼ି ଭାଇ କହିଲେ

ତେଣୁ ଦୁଃଖ ହେଲା ମୋ ମନରେ ହେ ।।୧୫।।

ଏହାର ତାତ୍ପର୍ଯ୍ୟ କ’ଣ ବୋଲି ରାଜଗୁରୁ ଦୀପ୍ତ କଂଠେ ଉଠି

କହି ପକାଇଲେ ଡ଼ାକ ତିଆଡ଼ିଙ୍କୁ ପଚାରିବା ହେ ଏଇଠି

ସେ କଥା

ମଂଦିରର ଶୌଚାଚାର ବ୍ୟଥା

କିଏ କରିବ ନାହିଁ ବ୍ୟବସ୍ଥା

ଲୋକ ନାହାଁନ୍ତି ସବୁ ହିନସ୍ଥା ହେ ।।୧୬।।

କୁଆଡେ ମାହାଲ କରଣ ତାଗିଦ କରି କହିଛନ୍ତି ଖୋଲି

ଆଉ ସେଥିପାଇଁ ମହାର୍ଜା ପ୍ରସାଦ ଘରକୁ ପଠାଅ ବୋଲି

ହେ ଗୁରୁ

ହରିବାବା କହିଲେ ଅଦୂରୁ

ସବୁ ପ୍ରସାଦ ଧର ଭିତରୁ

ଚାଲିଯିବ ଏ ମୁଖଶାଳାରୁ ହେ ।।୧୭।।

ସେହି ଗୃହସତ୍ୟ ପବିତ୍ର ସୁଂଦର ଆମ ଆନଂଦବଜାର

ଯେଉଁଠି ରହନ୍ତି ମହାରାଜା ଆମ ରାମଚନ୍ଦ୍ରବୀର ବର

ହେ ଧର

ପ୍ରଭୁ ସାଖିତ ଚକରଧର

ସେହି କରିବେ ସବୁ ମଂଗଳ

ପ୍ରଭୁ ଚକଡ଼ା ଛଡ଼ା-ଆମର ହେ ।।୧୮।।

ସ୍ୱୟଂ ପ୍ରଭୁ ଯେବେ ଚକଡ଼ା ଛଡ଼ା ହେ ଆମେବି ଚକଡ଼ା ଛଡ଼ା

ଏଥି ପାଇଁ ଦୁଃଖ ନହେଉ ମାନସେ ଛାଡ ମାନସରୁ ବ୍ରୀଡ଼ା

ହେ ଛଡ଼ା

ରାଜଭବନ ଏଲାଖପଡ଼ା

ଆମପାଇଁ ସୁଖଦ ଏ ଲୋଡା

ରାଜସିଂହାସନ ନୁହେଁ ବଡ଼ା ।।୧୯।।

ପ୍ରଭୁ ଯେବେ ହେଉଛନ୍ତି ବାର ଦ୍ୱାର ଶୁଣ୍ଢି ପିଣ୍ଡା ଆମେ କିଏ

କେଉଁ କ୍ଷେତ ମୂଲି ହରି ବାବା ଭାଷା ମଧୁକରି ଭାଷା ଇଏ

ହେ ଶୁଣ

ତୁମ ସମସ୍ତଙ୍କୁ ମୋର ରାଣ

ଯାହା ହେଉଛି ତା ସବୁ ଗୁଣ

ପ୍ରଭୁ ଇଚ୍ଛାକୁ ଦିଅ ସମ୍ମାନ ।।୨୦।।

ପ୍ରଭୁଙ୍କର ଇଚ୍ଛା ନଥିଲେ କି ବାଂଚ୍ଛା କରିଥାନ୍ତେ ପଦ୍ମନାଭ

ଗଜପତି ସିଂହାସନେ ବସିବାକୁ ନିମିତ୍ତ ମାତ୍ର ହବିବ

ହେ ଭାବ

ସବୁ ମୂଳେ ପରା ପଦ୍ମନାଭ

ଏଇ ନୁହେଁ ନର ପଦ୍ମନାଭ

ତେଣୁ ଭଲକରି ବୁଝ ଭାବ ହେ ।।୨୧।।

ଯାଇଚ୍ଛା ନହେଲେ ଦୁବ ବି ନ ହଲେ କିସ କରିବ ମୋଗଲ

କିସବା କରିବ ସେ ଛାର ପଟିଆ ଗଡ଼ପତି ହଲ ହଲ

ହେ ଚିନ୍ତା

କର, ଚିନ୍ତାମଣି ସେ ନିୟନ୍ତ୍ରା

ଯିଏ ଆମ ହରତା କରତା

ସେଇ ଚିନ୍ତା ମଣି ବିଶ୍ୱ ପିତା ହେ ।।୨୨।।

ଯାହା ହେଉଅଛି ଯାହାବା ହୋଇବ ନୈସର୍ଗିକ ଭାବେ ଭବେ

ରଷ୍ଟ୍ର ଦେବତାଂକ ରାଷ୍ଟ୍ରରେ ସେ ଲବେ ଭଲ ହୋଇବ କିଭବେ

ହେ ଜନେ

ତେଣୁ ଜିନ୍ତାକର ନାହିଁ ମନେ

ଖାଲି ଚିନ୍ତନ କର ଚିନ୍ତନେ

ସେଇ ଚିନ୍ତାମଣି ରୂପମନେ ହେ ।।୨୩।।

ରାମଚନ୍ଦ୍ର ଦେବ ଶୀର୍ଣ୍ଣ ତନୁ ଟେକି ଉଠାଇଣ ହେଲେ ଛିଡା

ଅସରନ୍ତି ଅବ-ସାଦ ଆଉ ଗ୍ଳାନି ପୁଞ୍ଜୀଭୂତ ବୋଝ ବ୍ରୀଡା

ସେ ମାଡି

ତାଂକ ଉପରେ ବସିଲା ମାଡି

ପୈଶାଚିକ ଅଟ୍ଟହାସ୍ୟ କରି

ଆଗତକୁ ଭାବୁଛନ୍ତି ଭାରି ସେ ।।୨୪।।

ସେ ବଉଳ କୋଳି ଗଛର ଛାଇରେ ପଡିଥିଲା ଅସୁମାରି

ସୁରଭିତ ଫୁଲ ବଉଳ ମଂଜୁଳ କିଂତୁ ତାକୁ ହାତେ ତୋଳି

ସେ ତୋଳି

କେତେ ଧରିବାକୁ ମନ କରି

ସାମର୍ଥ୍ୟର ଦୁର୍ଭିକ୍ଷ ଯେପରି

ତେଣୁ ନୈରାଶ୍ୟ ବସିଲା ମାଡି ସେ ।।୨୫।।

କେଉଁ ଅପଦେବତାର ଅଭିଶାପ ଅଶୁଭ ବିଷ ଜ୍ୱାଳାରେ

ମଂଥର ଗତିରେ ସଦେଇକୁ ଧରି ଗୃହେ ପାଦ ଫେରାଇଲେ

ସେ ଧିରେ

ଦୀର୍ଘ ସପ୍ତାହ ଧରି ଦୂରରେ

ଶର୍ଯ୍ୟାଶାୟୀ ହୋଇ ପଡିଥିଲେ

ନିଜ ଲୋକ ମନେ ପଡୁଥିଲେ ସେ ।।୨୬।।

ସକାଳ ପହରୁ କୁଆଟା ରାବୁଛି ଛାତର ଉପରେ ବସି

କିଛି ଅବା ଶୁଭ ସଂଦେଶ ଆସିବ ସେ ଆଶା ରଖି ଭରସି

ସଦେଇ

ଦୁଇ ମୁଠା ଚାଉଳ ରଖଇ

ବାହାରକୁ ଧିରେ ଦେଖୁଥାଇ

କୁଆଟିକୁ ସେ ଦେଖା ନଦେଇ ।।୨୭।।

କିଂତୁ ବାମହାତ ତଣ୍ଡୁଳ ଖୁସିରେ ନେଇ ଉଡିଲା କାଉଟା

ସଦେଇର ମନ ପଡିଗଲା ଫିକା ରହିଲା ଡାଡାଣ ମୁଠା

ସେ ଆସେ

ପିଇଟୁନି ସେ ଭାସିବ କିସେ

ଜଗିଥିଲା ଭବିଷ୍ୟ ସଂଦେଶେ

ପ୍ରଭୁ ସୁମରେ ରହି ବିଦେଶେ ।।୨୮।।

କଂତୁ ବିଧି ବିଡମ୍ବନା ସେ କୁଆଟା ମଧ୍ୟ ଶେଷରେ ଭାଗ୍ୟର

ପ୍ରତିକୂଳ ବାର୍ତ୍ତା ଘୋଷଣା କରିଣ ଉଡିଗଲା ଫର ଫର

ବିଧିର

ଏକି ସୂଚନା ଦେଲା ସେକାଳ

ବୁଝି ନବୁଝି ହେଲା ବେତାଳ

ସଦେଇର ମାନସ ଅସ୍ଥିର ।।୨୯।।

ସକାଳର ସୂର୍ଯ୍ୟୋଦୟ ହୋଇଥିଲା ସ୍ନାନ ଶୌଚ ସମାପନ

କରିଥିଲେ ଲାଖପଡାର ସରବ ପ୍ରାଣୀ ପ୍ରାଣ ଯେ ପ୍ରପନ୍ନ

ମଂଦିରେ

ବସି ମଂଦିର ମୁଖଶାଳାରେ

ହରିବାବା ଜପ କରୁଥିଲେ

ଭକ୍ତେ ଠାକୁର ଦର୍ଶନକଲେ ।।୩୦।।

ସାତଦିନ ଧରି ଆଜିକି ଜ୍ୱର ତ ହୋଇ ନାହିଁ ଉପଶମ

ଅଧିକନ୍ତୁ ଅଲକ୍ଷଣା କାଶ ପଶି କଲାଣି ପ୍ରାଣ ବିପନ୍ନ

ସେ କରି

ଦେଉଅଛି ଅଣାୟତ କରି

ଅବିଶ୍ରାନ୍ତ କାଶ କ୍ଲାନ୍ତ କରି

ଦେଇଅଛି ଅବସନ୍ନ କରି ହେ- ।।୩୧।।

ହୋଇ ଯାଇଛନ୍ତି ରାମଚନ୍ଦ୍ର ଦେବ କତରାଲଗା ଶେଯରେ

ବୈଦ୍ୟଙ୍କ ଔଷଧ କିଛି ଧରୁନାହିଁ ବରଂ ବଢୁଛି କୋପରେ

ସେ ଖରେ

ଭଲ ଡାକ୍ତର ନାହିଁ ପାଖରେ

ଦିଆ ଯାଇଛି ଖବର ଖରେ

ଶୁଭ ଖବର ଆସୁନି ବାରେ ।।୩୨।।

କ୍ଳାନ୍ତ ଅବସନ୍ନ ଭାବରେ ସଦେଇ ଦିବାରାତ୍ରି ଶଯ୍ୟାପାଶେ

ବସିଣ ଗୋଡରେ ହସ୍ତ ସଂଚାଳନ କରୁଛି ମନ ନିବେଶେ

ସେ ଧିର

ଖାଲି ଶୁଣୁଛି ଆର୍ତ୍ତି - ଚିତ୍କାର

ଶେଯେ ରାମଚନ୍ଦ୍ର ଦେବଂକର

କରୁ ନାହାନ୍ତି କଥା ଏଥର ।।୩୩।।

ପ୍ରସାଦାନ୍ନ ଦୀର୍ଘ ସାତ ଦିନ ହେଲା ଯାଇତ ନାହିଁ ତୁଣ୍ଡକୁ

କେବଳ ବୈବ୍ୟଙ୍କ ଉପଦେଶେ ସାଗୁ ମିଶ୍ରିଜଳ ପିଇବାକୁ

ଆଦେଶ

ଆଉସଦେଇ କରିବ କିସ

ଦିଏ ଟିକେ ଟିକେ ଫଳ ରସ

ଦେଖି ସବୁଙ୍କ ଦୁଃଖ ଅଶେଷ, ।।୩୪।।

ଶଯ୍ୟା ନିକଟରେ ବସି ମନଦୁଃଖେ ସଦେଇ ନୀଳଚକ୍ରର

ବାନା ଆଡେ, ଚାହିଁ ବସିଥିଲା ଭାବି ପ୍ରଭୁ ମହିମା ଅପାର

ଅପାର

ବାନା ଉଡେ କେଡେ ଫରଫର

ଲାଗି ପବନକି ସକାଳର

ଶୀତ ଲାଗୁଛିତ ଅପ୍ରବଳ ।।୩୫।।

କିଂତୁ ଲକ୍ଷ ଲକ୍ଷ ଆର୍ତ୍ତଜନଙ୍କର ଦୁଃଖକୁ ହରଣ କାରୀ

ଆଜି ସେ ନୀରବ କାହିଁକି ନୟନେ ଚାହୁନାହାଁନ୍ତି କିପରି

ନୟନେ

ଥରେ ହେଲେ ବି ଆଡ଼ ନୟନେ

ତାଂକ ପ୍ରଥମ ସେବକ ଦୀନେ

କେଉଁ ଦୋଷରୁ ନୀରବ ମନେ ।।୩୬।।

କ’ଣ ଅବା ତାଂକ ଅପରାଧ ହେଲା ଠାକୁର କ’ଣ ରାଜାଙ୍କ

ହୃଦୟର ମହା ଭାବକୁ ହୃଦୟଙ୍ଗମ କରି ତାଂକ ଡାକ

କୃପାରେ

ଶୁଣୁ ନାହାନ୍ତି କି ତିଳେ ହେଲେ

ନିଷ୍ଠୁର କି ହେଲେ ବିରାଗରେ

ଜଣା ଯାଉନି ଭାବି ଅନ୍ତରେ ।।୩୭।।

ନୀଳଚକ୍ର ବାନା ନିଂଦା ହୋଇବକି ନାହିଁ ଆହେ ମହାବାହୁ

ରାମଚନ୍ଦ୍ରଦେବଙ୍କ କ୍ଷୀଣ ଚିତ୍କାର ଶୁଭୁନିକି କାନେ ଆଉ

ସେବକ

ସେହି ପରା ପ୍ରଥମ ସେବକ

ଥିଲେ ଜୀବନରେ ଆପଣଙ୍କ

ଭୁଲିଗଲେ ଲାଗିବ କଳଂକ ।।୩୮।।

ମୁଖ ନିକଟକୁ ନଇଣ ସଦେଇ ପଚାରିଲା ଛାମୁ କିଛି

କହିବେକି, କ୍ଷୀଣ କଂଠରେ ରାଜନ କହିଲେ ଜଳ କି ଅଛି?

ଟିକିଏ

ଦିଅ ତୋଟି ସୁଖି ସୁଖି ଯାଏ

ଆଉ ବଂଚିବାକୁ ଇଛା ନୁହେ

ମନ ପକେଇ ସଦେଇ କହେ ।।୩୯।।

ଆପଣ ପଚାରିଥିଲେ ରାଜଗୁରୁ ଯାଇଛନ୍ତି କେଉଁଆଡେ

ଭୁଲିମୁଁ ଯାଇଛି କହିବାକୁ ଛାମୁ ମନ ଥିଲା ପ୍ରଭୁ ଆଡେ

ଏଇନେ

ଯାଇଛନ୍ତି ପ୍ରଭୁ ଦରଶନେ

ଫେରି ଆସିବେ ଏବେ ଆପଣେ

ଡାକି ଦେବି ଆସିଲେ ତକ୍ଷଣେ ।।୪୦।।

ଆପଣ ଟିକିଏ ବସିବେ ମଣିମା ସବୁ ସଜ କରିଦେବି

ରମଚନ୍ଦ୍ର ଦେବ ମ୍ଳାନ ବଦନରେ କହିଲେ ଟିକିଏ ଭାବି

ସମୟ

ଆସୁନାହିଁ ବସିବା ସମୟ

ଶୋଇବାର ପାଳି ଏବେ ଥୟ

ରାଜଗୁରୁଙ୍କୁ ଟିକିଏ କହ-      ।।୪୧।।

ଅଧ୍ୟାୟେ ପଢ଼ିବେ ଭାଗବତ ସରିଯାଉଛି ବେଳ ମୋହର

ସେଇ ଅଲକ୍ଷଣା କଥା ଛାମୁତୁଣ୍ଡେ ଆଜି ଖାଲି ବାରବାର

ସେ ଜ୍ୱର

ଛାଡି ଯିବ ସେ କାଲି ଶରୀର

ପିଇ ଟିକିଏ ମିଶିରି ଜଳ

କାଲି ଆସିବେ ବଡ ଡାକ୍ତର ।।୪୨।।

ଏକାଦଶ ଅଧ୍ୟାୟକୁ ପାରାୟଣ ରାଜଗୁରୁ କରୁଛନ୍ତି

ସାତ ଦିନ ହେଲା ସେ ଜ୍ଞାନ ତତ୍ୱକୁ ଆଲୋଚନା କରୁଛନ୍ତି

ବସିଣ

ଆଲୋଚନା ରେ ଜ୍ଞାନ ବିଜ୍ଞାନ

ଶ୍ରବଣରେ ଗଜପତି ମଗ୍ନ

ହରି ବାବା ଥାନ୍ତି ପ୍ରତିଦିନ ।।୪୩।।

ମାଧୁକରୀ କରି ପ୍ରତିଦିନ ରାତ୍ରି ଶ୍ରୀଜଗନ୍ନାଥ ଜଣାଣ

ବୋଲୁଛନ୍ତି ବାବା ଆହେ ନୀଳଶୈଳ ପ୍ରବଳ ମତ୍ତବାରଣ

ନିବିଷ୍ଟ

ଶୁଣି ଯାଉଛି ଦେହର କଷ୍ଟ

ଶୁଖି ଯାଉଛି ଧିରେ ମୋ କଣ୍ଠ

ମନୁ ମେଣ୍ଟୁନି ମନର କଷ୍ଟ ।।୪୪।।

 

ହରିବାବାଙ୍କ ଜଣାଣ

 

କୃପା କରହେ,

କୁପାସିଂଧୁ ଦୀନଜନେ

କରୁଣା କାହିଁକି ଆଜି ଉଣାହେଲା ଦେଖୁନ ଆଡ଼ ନୟନେ

(ଘୋଷା)

କେଉଁ ଦୋଷ ପାଇଁ ଖପା ବିଶ୍ୱସାଇଁ ବୁଝାତ ପଡୁନିଆଉ

କହ ଜଗନ୍ନାଥ ଜଗତରନାଥ ସମୟତ ନାହିଁ ଆଉ ।୧।

କଂପି କଳେବର ଯାଉଛି ଜନର ଅଂଗୀକାର କରିବାକୁ

କିପରି ଦେଉଳେ ଅଛ ନିଶ୍ଚିନ୍ତରେ ଆସୁନାହଁ ଦେଖିବାକୁ ।୨।

କେଉଁ ଅବସ୍ଥାରେ ଆଜି ଶଯ୍ୟାପରେ ପଡିଛନ୍ତି ଦଣ୍ଡଧର

କହିବ ତାହାଙ୍କୁ ବିଚାରିମନକୁ ଦୋଷଥିଲେ ବା ତାଂକର ।୩।

କରିଥିବେ ଯଦି ଦୋଷ ଦେବ ଲଦି ଦୋଷକଲେ ଅଛି କ୍ଷମା

କଲେ କେଉଁ ଦୋଷ, ଆହେ ପୀତବାସ ଜଣା ତ ପଡୁନି ଜମା ।୪।

କେତେ ପାପୀ ତପୀ ତାରିଛ ଅରପି କ୍ଷମା ଦେଇଣ ସଳଖେ

କାହିଁକି ଏପରି ରୋଗେ ପଡ଼ିକରି ଷଢ଼େ ରାମରଜା ଦୁଃଖେ ।।୫।

କେତେବାର ପରା ହେ ଚକଡ଼ା ଛଡ଼ା ହୋଇଛ ନାହିଁକି ମନେ

କିଏ ପଡ଼ିଥିଲା ପିଠିରେ, ତୁମର ଦେଖୁନ ଆଡ ନୟନେ ।୬।

*****

ଭଜନ ନିବିଷ୍ଟ ଚିତ୍ତେ ଶୁଣୁ ଶୁଭୁ ରାମଚନ୍ଦ୍ରଙ୍କ ଆଖିରୁ

ଝରି ପଡୁଅଛି ପ୍ରେମାଶ୍ରୁର ଧାର ଦେଖେ ସଦେଇ ଅଦୂରୁ

ସେ ଝରି

ହୃଦ କାନ୍ଦଇ ଅତୀତ ସ୍ମରି

ପାରୁ ନାହାନ୍ତି ତାକୁ ପାଶୋରି

ଇଚ୍ଛା ହେଉଛି ଯିବେ କି ଫେରି  ।।୪୫।।

ଜଗମୋହନର ଗରୁଡ ସ୍ତମ୍ଭର ନିକଟେ ଦଣ୍ଡାୟମାନ

ହୋଇ ଜୀଉଙ୍କୁ ନିବେଦନ କରନ୍ତେ ଅବ୍ୟକ୍ତ ବେଦନା ପ୍ରାଣ

ସେ ଆଶା

ଯୁଗ ଯୁଗର ସଂଚିତ ଭାଷା

ଥରେ ପଚାରନ୍ତେ ଘେନି ଆଶା

ସେହି ଆଶା କି ହେବ ନିରାଶା ସେ ।।୪୬।।

ରାଷ୍ଟ୍ର ଦେବତାଙ୍କ ମାନ ରକ୍ଷା ପାଇଁ ଏ ନିବେଦିତ ପ୍ରାଣର

ନ କଲେ ସେ ମାନରକ୍ଷା ମହାବାହୁ ନିଂଦା ହୋଇବ କାହାର

ସେ ଭାବି

କ୍ଷେତ୍ର ଅପହଂଚ ଭାବି ଭାବି

କାଳୀୟାର ଭୁଜ ଭାବ ସେବି

ତାଂଙ୍କ ଭିବିଷ୍ୟତ ନାହିଁ ଭାବି  ।।୪୭।।

ମାନସ ମୁକୁରେ ନାଟ ମଣ୍ଡପରେ ଦଣ୍ଡାୟମାନ ହୋଇଣ

ରାମଚନ୍ଦ୍ର ଦେବ ରାଷ୍ଟ୍ର ଦେବତାଙ୍କୁ କରନ୍ତି ନିତି ଦର୍ଶନ

ହେ ନିତି

ପଚାରିବ ସେ କେତେ ଭାବକ୍ତି

କିଛି ପଚାରି ନାହିଁ ପାରନ୍ତି

କଂଠ ରୁଦ୍ଧ ହୋଇଯାଏ ଅତି  ।।୪୮।।

ଦାତା ଯଦି ଯାଚକର ମନବାଂଛା ଟିକେ ବୁଝି ନପାରିଲା

ତେବେ ମାଗିବାଟା ବଡ କଥା କ’ଣ ଆଉ କି ଅବା ରହିଲା

ସେ କଲେ

ପାଶ୍ୱର୍ ପରିବର୍ତ୍ତନକୁ କଲେ

ଶଯ୍ୟା ଶାୟୀ ହୋଇ ଶରୀରରେ

ବୃଦ୍ଧି ଯନ୍ତ୍ରଣା ଏକ ପାଶ୍ୱର୍ରେ  ।।୪୯।।

ସ୍ଥାନେ ସ୍ଥାନେ ଚର୍ମ ଉପରେ ଶଯ୍ୟାରେ ପୀଡା ଜନିତ ଫୋଟକା

-ଉଠି ପଡିଥିଲା ଚର୍ମ ଘଷିହୋଇ ପତାଇଣ ବଡ ଶଂକା

ସେ ଗୌର

ଗୌର ବର୍ଣ୍ଣ ସୁଢ଼ଳ ଶରୀର

ଘେରି କୃଷ୍ଣ ଛାୟା ସେ ବ୍ୟାଧିର

ଗୌର ମୁଖରେ କଳା-ବାଦଲ- ।।୫୦।।

କାର୍ତ୍ତିକ ମାସର ବ୍ରତାରମ୍ଭ ହେବ ଉଦ୍‌ଯାପନ ଏହିଠାରେ

ପାଳନ କରିବି ରାଜଗୁରୁ ଭାଷା ଏହି କାର୍ତ୍ତିକ ମାସରେ

ପାଳନ

କାର୍ତ୍ତିକର ଧରମ ପାଳନ

ଯଜ୍ଞ ସ୍ୱାଧ୍ୟୟ ହେବ ମାଧ୍ୟମ

ହେବ ସମାହିତ ଦେହ କ୍ଷମ  ।।୫୧।।

ସେଇ ଇଷ୍ଟ ଦେବ ଜଗନ୍ନାଥଠାରେ ଆପଣ ଧ୍ୟାନ ରଖନ୍ତୁ

ଆହେ ମହାରାଜ ହୋଇବେ ଆରୋଗ୍ୟ ଲବେ ମନେ ରଖିଥାନ୍ତୁ

ରାଜନ

ଓଡିଶାର ସେହି ସାର୍ବଭୌମ

ଇତିହାସ ହୋଇନି ସଂପୂର୍ଣ୍ଣ

ମହାରାଜ କରିଦେବେ ପୂର୍ଣ୍ଣ  ।।୫୨।।

ବିବର୍ଣ୍ଣେକ ହସ ହସି କ୍ଷୀଣ କଂଠେ କହିଥିଲେ ଗଜପତି

ହୋଇ ଆସୁଛନ୍ତି ନିକଟରେ ଗୁରୁ ହେବ ଇତିହାସ ଇତି

ହେ ଗୁରୁ

ଦେଖା ଯାଉଛି ମୋତେ ଅଦୂରୁ

ଖସେ ଲୋତକ ସଦା ଚକ୍ଷୁରୁ

ରାଷ୍ଟ୍ର ଦେବତାଂକୁ ଦେଖି ଦୂରୁ  ।।୫୩।।

ଓଡିଶାର ସେଇ ବିସ୍ମୃତ ପୀଡିତ ଗଜପତି କଳଂକିତ

ଜୀବନର ଇତିହାସ ଆଉ କ’ଣ ମୋ ଜୀବନ ବିଡ଼ମ୍ବିତ

ନିନ୍ଦାର

ମହାକାବ୍ୟ କେବଳ ନିନ୍ଦାର

ମହାନିର୍ବାଣ ଏ ଜୀବନର

ପରିସମାପ୍ତି ହେବ କେବଳ  ।।୫୪।।

ରାମଚନ୍ଦ୍ର ଦେବ ଶରୀର ଉପରେ ହାତ ରଖିଣ କହିଲେ

ହରି ବାବା ଗୃହେ ପ୍ରବେଶ କରିଣ, ଜ୍ୱର ସାମାନ୍ୟ ଦେଖିଲେ

ସେ ଜ୍ୱର

ପୂର୍ଣ୍ଣ ଆରୋଗ୍ୟ ହେବା ଦର୍କାର

ଏବେ ସାମାନ୍ୟ ରହିଛି ଜ୍ୱର

ତେବେ ପଥି ଖାଇବା ଦର୍କାର  ।।୫୫।।

ଧଇଁ ସଇଁ ହୋଇ ସଦେଇ ବାହାରୁ ଗୃହ ମଧ୍ୟେ ଆସି ପଶି

କହିଲା ଆନଂଦେ ଆହେରାଜଗୁରୁ ରାଜ ବୈଦ୍ୟ ଛନ୍ତି ଆସି

ସେ ଖୁସି

ପରେ ପରେ ରାଜ୍ୟ ବୈଦ୍ୟ ଆସି

ହାତ ରଖି ନାଡି କି ପରଶି

କହି ପରୀକ୍ଷା କରିଣ ବସି ।।୫୬।।

ଏହା ଯେତିକି ବା ଶାରୀରିକ ବ୍ୟାଧି ନୁହେ ବେଶି ମାନସିକ

ଅଶାନ୍ତି ଜନିତ ଭାବନା ବିହ୍ୱଳେ ଶକ୍ତିହୀନତା ଅଧିକ

ସେ ଲାଗି

ବେଶି ଦିନ ତା ରହିଲେ ଲାଗି

ହେବ ବିପନ୍ନ ଶରୀର ଭାଂଗି

ଦେହେ ଉତ୍ତାପ ରହୁଛି ଲାଗି  ।।୫୭।।

ଯେ କୋ÷ଣସି ସମୟରେ ସନ୍ନିପାତ ଧରିପାରେ ଏହା ଥିଲେ

ତାହାହେଲେ କିବା ଉପାୟ ହୋଇବ ସବୁ ଉତ୍‌କଂଠିତ ହେଲେ

ସେ ହେଲେ

ଏକମାତ୍ର ଉପାୟ ଏଥିରେ

ଭଲ ଚିକିତ୍ସା ଭଲ ଓଷରେ

ପୁଣି ଗରମ ଚିକିତ୍ସା କଲେ  ।।୫୮।।

ଯେଉଁ ଔଷଧ ମୁଁ ଦେଉଛି ବରତମାନ ତାହା ମଧୁସହ

ସେବନ କରିବେ ଶୀଘ୍ର ମାନସିକ ଦୁଶ୍ଚିନ୍ତାରୁ ଛାଡ଼ି ମୋହ

ସେ ମୁକ୍ତି

ଏଠି ନିଦ୍ରା ଆବଶ୍ୟକ ଅତି

ବାଜେ କଥାରୁ ଲଭି ବିରତି

ଜଗନ୍ନାଥ ଠାରେ ରଖି ମତି  ।।୫୯।।

ରାଜଗୁରୁ ମହାପାତ୍ର ରାମଚନ୍ଦ୍ର ଦେବେ ଉଦାସ ନୟନେ

ଚାହିଁଲେ ପଥୁକୀ ପରି ସମର୍ପିତ ରାଜା ଅଛନ୍ତି ଶୟନେ

ସେ ପ୍ରାଣ

ଦେଖା ଯାଉଥିଲେ ଅବସନ୍ନ

ଥିଲା ସଂଘର୍ଷମୟ ଜୀବନ

ଅରୁଣିମାରେ କି ତୀର୍ଥସ୍ନାନ  ।।୬୦।।

ନଇଁ ଆସିଥିଲା ଲାଖପଡ଼ା ଗ୍ରାମେ ସେହିଦିନ ଗୋଧୂଳିରେ

ଫଲଗୁର ବନ୍ୟା ସୃଷ୍ଟି କରି ପରା ଦଗଂଗନା ଦିଗନ୍ତରେ

ସେଠାରେ

ଦଧିବାମନ ଜୀଉ ମଂଦିରେ

କାର୍ତ୍ତିକର ହବିଷ୍ୟାଳୀ ମେଳେ

ବୃଦ୍ଧି ପାଉଥିଲା ଉକ୍ତ ମେଳେ  ।।୬୧।।

ବେଡ଼ା ମଧ୍ୟେ ଥିବା ସୁଉଚ୍ଚÿ ବୃକ୍ଷରେ ନୀଡ଼ ବାହୁଡ଼ା ବିହଂଗେ

ମିଶ୍ର କାକଳିରେ ଯେଉଁପରି ସମବେତ ଗୀତ ଗାଇ ବେଗେ

କାକଳି

ହବିଷ୍ୟାଳୀଙ୍କର ହୁଳହୁଳି

ତାନେ ମଂଦିର ଉଠେ ଉଚ୍ଛୁଳି

ପ୍ରତିଧ୍ୱନିତ ପ୍ରାଂଗଣେ ଖେଳି  ।।୬୨।।

ହରିବାବା ଗୃହ ମଧ୍ୟକୁ ଚାହିଁଣ ଛାଡ଼ିଥିଲେ ଦୀର୍ଘଶ୍ୱାସ

ତା’କର ମାନସ ପଟରେ ଖେଳିଲା ଅବିସ୍ମରଣୀୟ ଘୋଷ

ଯାତ୍ରାର

ପୂତ ମନୋରମ ଦୃଶ୍ୟ ତାର

ଜୀଉ ମଣିମାମାନେ ଚଂଚଳ

ବିଜେ କରି ରଥର ଉପର  ।।୬୩।।

ଆଠଗଡ଼ର ସେ ମାରଦା ଅରଣ୍ୟୁ ଗହଳି ଲଗାଇ ପଥେ

କରୁଥିଲେ ପ୍ରତ୍ୟାବର୍ତ୍ତନ ତାହାଙ୍କ ଗଜପତି ଥିଲେ ସାଥେ

ମୁଖରେ

ହାସ୍ୟରେଖା ମଣ୍ଡିତ ତୃପ୍ତିରେ

ଉକ୍ତେ ଯାଉଥିଲେ ଭକତିରେ

ବଂଦୀ ଜୀଉଙ୍କୁ ମନ ମଧ୍ୟରେ  ।।୬୪।।

ଶ୍ରୀଜଗନ୍ନାଥଙ୍କ ଅଧର ଲଳିତ ହାସ୍ୟ ରେଖା ଯେଉଁପରି

ସଂଚାରିତ ହେଉଥିଲା ରାଜାଙ୍କର ମୁଖମଣ୍ଡଳରେ ପୁରି

ଉଜ୍ଜ୍ୱଳ

ମୁଖ ମଣ୍ଡଳରେ ଢ଼ଳ ଢ଼ଳ

ପାଶେ ରାଜନ ଆଠଗଡ଼ର

ବସୁ ପ୍ରହରାଜଙ୍କ ମଣ୍ଡଳ  ।।୬୫।।

ଦୃପ୍ତ ପଦେ କେବେ ରଥର ପାଶ୍ୱର୍ରେ ଚାଲୁଥିଲେ ଗଜପତି

ରାମଚନ୍ଦ୍ରଦେବ ଅରଣ୍ୟ ନିବାସ ବିଳାସ କରି ସମାପ୍ତି

ତୃପ୍ତିରେ

କ୍ଷେତ୍ର ଅଭିମୁଖେ ଚାଲିଥିଲେ

ନିଦ୍ରା ନଥିଲା ତାଂକ ଚକ୍ଷୁରେ

ସେହି ଆନଂଦ କେ ମାପି ପାରେ  ।।୬୬।।

ଜୀଉ ବଶମ୍ବଦ ଦେହରକ୍ଷୀ ଭାବେ ଯେପରି ଥିଲେ ରାଜନ

ଅନ୍ତରେ ନଥିଲା ବିଷାଦ ତୃଷାର କ୍ଷୁଧା ପାଇଁ ନିବେଦନ

ବିଜୟ

ଯାତ୍ରୀ ଭବ୍ୟ ଆନଂଦବିଷୟ

ମୁଖରତା ମଧ୍ୟରେ ତନ୍ମୟ

ଥିଲା ମାନସରେ ବରାଭୟ  ।।୬୭।।

ରାମଚନ୍ଦ୍ରଦେବ ସେ ଦିନ ସୁଖକୁ ମନେ ମନେ ସମ୍ଭବତ

ଉପଭୋଗ କରିଥିଲେ ଜୀବନରେ ଯା ଥିଲା ବଡ଼ ମହତ

ସେ ଦିନ

ରଖିବାକୁ ଜଗନ୍ନାଥ ମାନ

ଓଡ଼ିଆ ଜାତିର ସ୍ୱାଭିମାନ

ଅପ୍ରତିହତ ରଖିବା ମନ  ।।୬୮।।

ଏହା ଯେଉଁପରି ଗଜପତିଙ୍କର ତପସ୍ୟା କୃଛ ସାଧନା

ଆତ୍ମସୁଖେ ଜଳାଂଜଳି ଦେଇ କଳଙ୍କର ମଥାରେ ଯାତନା

ଲଗାଇ

ଲୋକେ ବୋଲୁଥିରେ ଧର୍ମ ଦ୍ରୋହୀ

ତ୍ୟାଗ ମୂର୍ତ୍ତି ଅବତାର ହୋଇ

ବହୁ ନିଂଦା ଅପନିଂଦା ପାଇ  ।।୬୯।।

ସେହି ନିବେଦିତ ପ୍ରାଣ ଗଭୀରତା ସମର୍ପଣ ଫଳଶ୍ରୁତି

ଆଜିର ଏ ନିର୍ଯ୍ୟାତିତ ନିର୍ବାସନ କ’ଣ ତାର ପରିଣତି

ଜାତିର

ଅଗ୍ରଧ୍ୱଜାକୁ କରିବେ ଚିର

ଲହରିତ କରିବାକୁ ତାର

ସେହି ଅଗ୍ରଣୀ ଅଭିଯାତ୍ରାର  ।।୭୦।।

ପାଦରେ ଶେଷରେ ଶୃଙ୍ଖଳାର ବେଡ଼ି ଉପରେ ପଡ଼େ କୋରଡ଼ା

କାହିଁକି ଏ ଦଗ୍ଧ ଜୀବନ ରହିବ ଯାହା ହୋଇଲା ଆଲୋଡ଼ା

ସେ ଆଖି

ହରିବାବା ପୋଛୁଥିଲେ ଆଖି

ଚିତ୍ତ ଗହନେ ବ୍ୟଥାକୁ ମାଖି

ଗାଏ ଗଜଲ ଯେପରି ପକ୍ଷୀ  ।।୭୧।।

ନିଶି ପ୍ରଦୀପର ନିକଟରେ ବସି ଭାଗବତ ପାରାୟଣ

ପ୍ରାରମ୍ଭ ଲଳିତ ପଦାବଳୀ ମୁଗ୍ଧ ମଧୁର ହୃଦ- ସ୍ପନ୍ଦନ

ଯେପରି

ଉଲଂଘଂନ ପ୍ରଦୀପ ଯେପରି

ତାଳେ ତାଳେ ପ୍ରେମାପ୍ଳୁତ କରି

ନୃତ୍ୟ ରଚନାକୁ ଥିଲେ କରି ।।୭୨।।

 

ଏକବିଂଶ ସର୍ଗ

 

କାର୍ତ୍ତିକ ଏକାଦଶୀର            କୃଷ୍ଣ ଶତାର୍ତ୍ତ ସକାଳ

ରାଜଗୁରୁ ସ୍ନାନସାରି ମଂଗଳାଳତି

ଦର୍ଶନ କରି ସାରିଣ            ହୋଇ ଯାଇଥିଲେ ମଗ୍ନ

ଭଜନେ ଜଗନ୍ନାଥଙ୍କ କରି ପ୍ରଣତି

ହରିବାବା ନିତ୍ୟ କରମ

ସମାପ୍ତ କରି ମଂଦିରେ ଜପିଲେ ନାମ ।

ହବିଷ୍ୟାଳୀ ମାନଂକର             ସମାଗମରେ ଚଂଚଳ

ଧିରେ ଧିରେ ବୃଦ୍ଧି ପାଉଥିଲା ସେଠାରେ

ଶୀତାର୍ତ୍ତର ସକାଳରେ             ଅନାହୁତ କାଲୁଆରେ

ଦୋହରେଇ ପବନରେ ପ୍ରବାହିତରେ

ପ୍ରାଣ ମନ ହିମ ଶୀତଳ

ପରି କର ଦେଇଥିଲା ଅଥର୍ବ ବଳ ।

କାହାରି ମୁଖରେ ଉଷ୍ଣା            ନଥିଲା କାହାରି ଆଶା

ଜଗତନାଥ ଭରସା ସମସ୍ତେ ବୋଲି

ଗଜପତି ଶଯ୍ୟାପାଶେ            ରାଜଗୁରୁ ତ ନିରାଶେ

ଦଣ୍ଡାୟମାନ ହୋଇଣ ଥିଲେ ସଂଭାଳି

ଅଶ୍ରୁଳ ଆଖିରେ ରାଜାଙ୍କୁ

ଦେଖୁଥିଲେ ଖାଲି ମାତ୍ର ଚାହିଁ ତାହାଙ୍କୁ ।

କହୁଥିଲେ କାହା ପାଇଁ            ଧାଇଁବା ବା ଲୋଡ଼ା ନାହିଁ

ଆଉ ଆମର ସମର ସଜ୍ୱା ପ୍ରସ୍ତୁତି

ଆପଣ ଯଦି ଦୁର୍ବଳ             ଚିତ୍ତ ହୋଇବେ କେବଳ

ତେବେ ଜାଗୃତିରେ ଇତିହାସ କା ପ୍ରତି

ଲେଖା ହେବ ହେ ମହାରାଜା

ଆପଣ ଉଠନ୍ତୁ ଗରଜିବେ ପରଜା

ଆପଣ ଉଠିଲେ ସିନା            ଭେଦିଆ ବିଲୋପ ବିନା

ଆମ ସଂସ୍କୃତି ବିଲୋପ ହୋଇବ ପୁଣି

ଏ ଜାତି ଐକ୍ୟ ସଂହତି            ଉଦୀପିତ କଳା କୀର୍ତ୍ତି

ମାତି ଉଠିବ ଭାରତୀ କରି ସରଣୀ

ମହାରାଜ ଖୋଲନ୍ତୁ ଆଖି

ଆମର ସଂଗ୍ରାମେ ସାକ୍ଷୀ ସେ ଚକାଆଖି ।

ରାଜଗୁରୁଙ୍କ ଆକୁଳ            ବାକ୍ୟର ସବୁ ଉତ୍ତର

ଥିଲା ଗଜପତିଙ୍କର ନୟନ କୋଣେ

ସେ କୋଣରୁ ଝରୁଥିଲା            କୃତଜ୍ଞତାର ଚପଳା

ହାର୍ଦ୍ଦିକତାକୁ ବହନ କରି ସପନେ

ଗୃହ କୋଣ ଅନୁକୋଣରେ

ସଂଚରେ ଯେପରି ବ୍ୟଥା ଆର୍ତ୍ତନାଦରେ ।

ବାବା ମଂଦିର ବେଢ଼ାରୁ            ଫେରି ଆସିଲେ ପାଖରୁ

ଚାହିଁଲେ ରାମଚନ୍ଦ୍ରଙ୍କୁ ଆଖି ପୁରାଇ

ଚଦର ଖଣ୍ଡିଏ ଘୋଡ଼ି            ଓଡ଼ିଶାର ଦଣ୍ଡଧାରୀ

ଗଜପତି ଅପାଂକ୍ତେୟ ଅଛନ୍ତି ଶୋଇ

ଏକ ପଟା ଖଟ ଉପରେ

ତାଂକ ଆଶ୍ରୟ କଠିନ ଶଯ୍ୟା ଉପରେ ।

ରାଜକୀୟ ସେ ଶୌର୍ଯ୍ୟର            କାନ୍ଥେ ଥିଲା କରବାଳ

ଦୋଳାୟତ ହୋଇ ଯେଉଁ ପରି ଭାବରେ

ନୈରାଶ୍ୟର ଦୀର୍ଘଶ୍ୱାସ            ନିକ୍ଷେପ କରେ ବିଶେଷ

ରାମଚନ୍ଦ୍ରକଂର ଦୃପ୍ତ ନୟନ ଧାରେ

ଯୋଡ଼ି ଯାଏ ଯୁଗ ଯୁଗର

ଅସରନ୍ତି ନିଦ୍ରା ତନ୍ଦ୍ରା ଶ୍ରାନ୍ତି କ୍ଳାଂନ୍ତିର ।

ଏଥକୁ ଆଉ ଉପାୟ            ଅଛି ରାଜଗୁରୁ ଥୟ

କରି କହନ୍ତୁ ଶରୀରୁ ଜ୍ୱର ନଛାଡ଼େ

ଏକାବେଳେ ବସା ବାଂଧି            ରହିଛି ଶରୀର ରୁଂଧି

ସେଥି ସହ ଅଛିଣ୍ଡା କାଶଟା ନଛାଡ଼େ

ତାଂକ ପ୍ରାଣଶକ୍ତି ଆହୁରି

କ୍ଷୀଣତର କରି ଦେଉଅଛି କିପରି ।

ପୋଥିର ମହାମନ୍ତ୍ରରେ            ଲାଲବାଗ କଟକରେ

ସେ ଦାରୁଣ ଅତ୍ୟାଚାରୀ ତକୀଖାଁ ଆଲ୍ଲା

ଡ଼ାକି ଡ଼ାକି ମଲାପଡ଼ି             ପଡ଼ିଲା ଖଟରୁ ଗଡ଼ି

ଧଇଲେ ମୋଗଲେ ସ୍ମରି ତାଂକର ଆଲ୍ଲା

ଆଜି ସେହି ପୋଥିକୁ ଧରି

ମହା ମୃତ୍ୟୁଂଜୟ ମନ୍ତ୍ର ପଢ଼ିବି ଖୋଲି ।

ସଂପୁଟ କରି ପଢ଼ିବି             ମନ୍ତ୍ରରେ ଧାରଣା ଦେବି

ରାଜଙ୍କୁ ଭଲ କରିବି ଏ ମୋର ପଣ

ରାଜନ ଖୋଲିଲେ ଆଖି            ସେ ଆଖି ଭିତରେ ସାକ୍ଷୀ

ଯୁଗ ଯୁଗର ଅନନ୍ତ ବ୍ୟଥା ଦାରୁଣ

କେତେ ବାଂଛିତ କାମନାର

ସୁନେଲି ସମାରୋହରେ ଥିଲା ସୁଂଦର ।

କିଂତୁ କାଳର ନିର୍ମମ             ବିଚାରରେ ସେ ନୟନ

ଆଦି ଜ୍ୟୋତି ଅପସୃତ ହୋଇପାରିଛି

ସେଥିରେ ଯେପରି ଭରି             ଯାଇଛି ବେଦନା ଧରି

ହାହାକାର ତୃପ୍ତିହୀନ ହୋଇ ଯାଇଛି

ଆର୍ତ୍ତନାଦ ତୃଷ୍ଣାରାକୁଳ

ଶୁଭିଲା ବାହାରେ ପରଚଣ୍ଡ ପ୍ରବଳ ।

ଏ ଅମାବାସ୍ୟା ତିଥିରୁ            ମଂଦିର ମୁଖ ଶାଳାରୁ

ମହା ମୃତ୍ୟୁଂଜୟ ମନ୍ତ୍ରର ଅନୁଷ୍ଠାନ

ହେବ ରୀତିମତ ଜପ            ବଂଦୀ ଶ୍ରୀ ଗଣେଶ ବାପ

ସ୍ମରି ଜୟଦୁର୍ଗା ଆଦି ଦେବତା ଗଣ

ପ୍ରଜ୍ଜ୍ୱଳନ ଅଖଣ୍ଡ ଦୀପେ

ଉପବେଶନ କରିବି ଅଖଣ୍ଡ ଜପେ ।

ମହାପାତ୍ର ରାଜଗୁରୁ            ଯାଇ କହିଲେ ପାଖରୁ

ଖୋଲନ୍ତୁ ହେ ମହାରାଜ ଆଖି ଟିକିଏ

ଏ ଶଯ୍ୟା ଉପରେ ବିଜେ            କରି ବାର୍ତ୍ତାଳାପ ନିଜେ

କରନ୍ତୁ ଆଉଜି କାନ୍ଥେ ଚିନ୍ତା ଛୋଡ଼ିଏ

ଆପଣଙ୍କ ସବୁ ଚିନ୍ତାର

ପରି ସମାପ୍ତି ଘଟାଇ ମନ୍ତ୍ର ଯଜ୍ଞର ।

ଆୟୋଜନ କରାଯିବ            ଶରୀର ଭଲ ହୋଇବ,

ଆଖି ଖୋଲିଲେ ରାଜନ ଥିଲା ବିଷର୍ଣ୍ଣ

ସେ ଆଖି ଭିତରେ ଭରି            ରହିଥିଲା ବିଶ୍ୱ ପୁରି

ଯୁଗ ଯୁଗର ଅବ୍ୟକ୍ତ ବାଥା ସଂପୂର୍ଣ୍ଣ

ପ୍ରବେଶି ମାହାଲ କରଣ

କହିଲେ ବ୍ୟବସ୍ଥା କର ଯା ପ୍ରୟୋଜନ ।

ରାମଚନ୍ଦ୍ର ଧିର କଂଠେ            କହିଲେ ସଦେଇ କଷ୍ଟେ

ଜୀବନରେ ବହୁସେବା କରିଛୁ ମୋର

ରାଜ୍ୟତ୍ୟାଗୀ ଅପାକୃତ            ରାମଚନ୍ଦ୍ରର ନିନ୍ଦିତ

ସାନ୍ନିଧ୍ୟରେ ନିରନ୍ତର ରହି ତୋହର

ପଟାନ୍ତର ନାହିଁ ସେବାର

ସବୁଋଣ ପରିଶୋଧ ହେବନି ତୋର ।

ଅଶ୍ରୁ ସଜଳ ଆଖିରେ             ବାଷ୍ପ ଆକୁଳ କଂଠରେ

ସଦେଇ କହିଲା ଗଜପତିଙ୍କୁ ଚାହିଁ

ଆପଣଂକ ସେବାଧର୍ମ            ଆପଣଂକ ସେବା କର୍ମ

ଜୀବନରେ ମୁଁ ରହିଛି ଏ ସେବା ପାଇଁ

ଛାମୁଙ୍କ ଉଆସେ ନିଯୁକ୍ତ

ହୋଇଥିଲି ମଣିମା ମୁଁ ଏକଥା ସତ ।

ସେବା ଗଜପତିଙ୍କର            ମହିମା ମୋର ପୁଣ୍ୟର

ଏତିକି କୃପା କେବଳ ହେଉ ହେ ଛାମୁଁ

ଆପଣଙ୍କର ସେବାର             ମୋତେ ସଦା ଅବସର

ସବୁ ସମୟ ପାଇଁକି ମିଳୁ ସଦନୁ

ଆଉ କିଛି ଲୋଡ଼ା ମୋ ନାହିଁ

ଏତିକି ମାଗୁଣି ମୋର ହେ ନରସାଇଁ ।

ଧରି ରତ୍ନ ମୁଦିକରେ            ପିନ୍ଧାଇ ଦେଲେ ସ୍ନେହରେ

ସଦେଇର ଅଂଗୁଷ୍ଟିରେ କହିଲେ ଧିରେ

ସେବାରେ ପୁରସ୍କାରର            ଦ୍ରବ୍ୟରେ ପରିଶୋଧର

ବ୍ୟବସ୍ଥା ନାହିଁ ହିନ୍ଦୁର କେଉଁ ଶାସ୍ତ୍ରରେ

ତେବେ ମୋର ମୁଦି ଏଇଟି

ଶ୍ରଦ୍ଧା ନିବେଦନ ବୋଲି ଭାବି ନେବୁଟି ।

ସବୁବେଳେ ୟାକୁ ହାତେ            ରଖିବୁ ବାରୁ ଯୁକତେ

ମନେ ରଖିଥିବୁ ମୋତେ ଯଦି ପାରିବୁ

ଏ ରାମଚନ୍ଦ୍ର ଦେବର             ଫଳରେ ରାଜ ସେବୀର

ପ୍ରୀତ ଉପହାର ସମୁଚିତ ଭାବିବୁ

ଦ୍ୱାର ବଂଧ ନିକଟେ ଗୁରୁ

ଦେଖୁଥିଲେ ଅଭାବିତ ଦୃଶ୍ୟ ଅଦୂରୁ ।

ଭାଗବତ ପୋଥି ଧରି             ପଢ଼ିଲେ ଗୁରୁ ସଂଭାଳି

ହରିବାବା ହାତେ ମାଳି ଗଡ଼ାଉଥିଲେ

ରାମଚନ୍ଦ୍ର ଦେବ କ୍ଳାନ୍ତ            ଦୃଷ୍ଟିରେ ନୋହି ବିଭ୍ରାନ୍ତ

ଶୁଣୁଥିଲେ ଭାଗବତ ନିଷ୍ଟା ମନରେ

ମଂଦିରର ନେତ ଆଡ଼କୁ

ଚାହିଁ ରହିଥିଲେ ଭାବି ନୀଳଚକ୍ରକୁ ।

ଭାଗବତ ଆତ୍ମଜ୍ଞାନ            ସଂବଳିତ ଭାବ-ଜ୍ଞାନ

ନିର୍ବାଣୋନ୍ମୁଖୀ ରାଜାଙ୍କୁ ବୁଝାଉଥିଲେ

ଋଷିପୁତ୍ର ଅଭିଶପ୍ତ             ଶୃଙ୍ଗୀସେହି ପରିକ୍ଷିତ

ଦୃଷ୍ଟି ସମ୍ମୁଖରେ ତକ୍ଷକର ଗରଳେ

ବନ୍ୟା ଯେଉଁ ପରି ଗର୍ଜନ

କରି ବହି ଯାଉଥିଲା ହିଂସ୍ର ସମାନ ।

କହୁଥିଲେ ଶୁକମୁନି            ସେ ଅଟନ୍ତି ମହାଜ୍ଞାନୀ

ବ୍ୟାସ ଦେବ ପୁତ୍ରମଣି ଭଲ ଭାବରେ

ମାୟାରୁ ଉତ୍ତୀର୍ଣ୍ଣ ହେଲେ            ଜ୍ଞାନ ଲାଭହୁଏ ଭଲେ

କାଳ ହିଁ କେବଳ ଭଗବାନ ବିଶ୍ୱରେ

ଆଉ ଭଗବାନ ବ୍ୟତୀତ

ଅନ୍ୟ ସବୁ ଜାଗତିକ ବଂଧନ ଯୁକ୍ତ ।

ସହସା ଉଠିଲେ କାଶି             ରାମଚନ୍ଦ୍ର ଦେବ ବସି

ଅଣାୟତ କାଶ ଉପଶମ ହେଲା ନି

ଛାତିକୁ ଆଉଁସି ଦେଇ            ଦେଇ ବସିଲା ସଦେଇ

ପାଖରେ ଖଟ ଉପରେ ଆଖିରୁ ପାଣି

ଝରେ ଝର ଝର ତାହାର

କାନ୍ଦୁଥିଲେ ବସି ପାଶେ ଅନ୍ୟ ସକଳ ।

ସ୍ୱ କମଣ୍ଡଳରୁ ଜଳ            ଧରି ବାବା କେତେ କାଳ

ଦେଇଣ କଲେ ଚିତ୍କାର ହେ ମହାଜ୍ଞାନୀ

ସେ ଚିତ୍କାରେ ଧିରେ ଧିରେ      ଆଖିଖୋଲି ପୁଣି ଥରେ

କେବଳ କଂପିତାଧରେ ଅସ୍ପଷ୍ଟ ଧ୍ୱନି

ବାହାରି ଆସିଲା ମୁଖରୁ

ଜଗନ୍ନାଥ ଜଗନ୍ନାଥ ଜିହ୍ୱା ଅଗ୍ରରୁ ।

ଥରଥର ସେ କଂପିତ            ଉଠି ଉପରକୁ ହାତ

ଦୁଇଟି ଇଷ୍ଟଦେବଙ୍କୁ କରି ପ୍ରଣାମ

ଧିରେ ଧିରେ ସ୍ଥିରହେଲା            ଛାତି ଉପରେ ରହିଲା

ଛଂଦି ହୋଇ ଦୁଇହାତ ଶେଷ ସଲାମ

ନିର୍ବାଣର ନୀଳ ଶୀତଳ

ରାତ୍ରି ନଇଣ ଆସିଲା ସ୍ତବ୍ଧ ସକଳ ।

ଦଧିବାମନ ମଂଦିର             ବେଢ଼ା ହୋଇଲା ବ୍ୟାକୁଳ

ଉଡ଼ିଗଲା ସେ ମଂଦିର ବାନା କୁଆଡ଼େ

କେଉଁ ଅଂଧ ଦିଗନ୍ତକୁ             ଖୋଲୁଥିଲେ ଲୋକେ ତାକୁ

ନିଶି ପ୍ରଦୀପ ନିଭିଲା ଇତିହାସରେ

ସଂଘର୍ଷମୟ ଅଧ୍ୟାୟର

ପରି ସମାପ୍ତି ଘଟିଲା ଆର୍ତ୍ତ ଚିତ୍କାର ।